Friday, December 29, 2023

1st January 2024 / ଜାନୁୟାରୀ ପହିଲା, ୨୦୨୪

 


ଅତୀତ #ବ୍ରହ୍ମପୁର ସହରର ପ୍ରଭାବଶାଳୀ ଜନନାୟକଙ୍କ ମଧ୍ୟରେ ଶଶିଭୂଷଣ ରଥ ଅନ୍ୟତମ । ସେ ବ୍ରହ୍ମପୁରରୁ ୧୯୧୩ରେ ସାପ୍ତାହିକ ଆଶା ପତ୍ରିକା ପ୍ରକାଶନ ଆରମ୍ଭ କରିବା ଅବସରରେ ସହରର ରାଜନୀତିକ, ସାଂସ୍କୃତିକ ଓ ସାମାଜିକ ଜୀବନରେ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇଥିଲେ । ଇଂଲିଶ ଶାସନରେ ୧୯୩୬ ଯାଏଁ ବ୍ରହ୍ମପୁର ମାଡ୍ରାସ ପ୍ରେସିଡ଼େନ୍ସି ଅଧୀନସ୍ଥ ଥିବା ହେତୁ ସହରରେ ଦାକ୍ଷିଣାତ୍ୟ ପ୍ରଶାସକ ଓ ବ୍ୟବସାୟୀଙ୍କ ଅଧିପତ୍ୟ ଜାହିର ଥିଲା । ଶଶିଭୂଷଣ ମୂଳତଃ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରୀତକରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଦକ୍ଷିଣାଞ୍ଚଳ ଓଡ଼ିଆ ଭାଷାଭାଷୀଙ୍କ ସ୍ୱାର୍ଥ ସଂରକ୍ଷଣ ଓ ବ୍ରହ୍ମପୁର ସହରର ବହୁମୁଖୀ ଉନ୍ନୟନ ଦିଗରେ ନେତୃତ୍ୱ ନେଇଥିଲେ ।
 
ପ୍ରାକୃତିକ ଓଡ଼ିଶାରେ ବ୍ରହ୍ମପୁରରେ ସର୍ବପ୍ରଥମ ପୌରପାଳିକା ରୂପେ ୧୮୬୭ରେ ସ୍ଥାପିତ ହୋଇଥିଲା । ତେବେ ସେ ସମୟରେ ପୌରସଭା ବା କାଉନସିଲକୁ ସଦସ୍ୟ ନିର୍ବାଚନ ବଦଳରେ ସରକାରଙ୍କ ଦ୍ୱାରା ମନୋନୀତ ହେଉଥିଲେ । ସେହି ଅବସ୍ଥାରେ ଓଡ଼ିଆମାନଙ୍କ ପ୍ରତିନିଧିତ୍ୱ ପ୍ରାୟ ରହୁନଥିଲା । ସାପ୍ତାହିକ ଆଶା ପ୍ରକାଶନ ଆରମ୍ଭ ପରେ ୧୯୧୪ ପୌର ସଦସ୍ୟ ମନୋନୟନରେ ସ୍ଥାନୀୟ ଓକିଲ ସାର ପର୍ଶୁରାମ ପାତ୍ର ନଗରପାଳ ଓ ଶଶିଭୂଷଣ ରଥ ଉପ-ନଗରପାଳ ପଦବୀରେ ଅଧିଷ୍ଠିତ ହୋଇଥିଲେ । ଦୁଇଜଣ ଓଡ଼ିଆ ବ୍ୟକ୍ତି ସହରର ଉନ୍ନୟନ ଦାୟିତ୍ୱ ଗ୍ରହଣ କରିଥିବା ହେତୁ ସ୍ଥାନୀୟ ଓଡ଼ିଆ ଭାଷାଭାଷୀଙ୍କ ମଧ୍ୟରେ ଉଦ୍ଦୀପନା ଖେଳି ଯାଇଥିଲା ।
 
କୁହାଯାଏ ଯେ ପଡ଼ୋଶୀ ମଞ୍ଜୁଷାର ରାଜା ଶଶିଭୂଷଣ ରଥଙ୍କୁ ବ୍ରହ୍ମପୁର ପୌରପାଳିକା ପଦବୀ ଗ୍ରହଣ ପରେ ଏକ ଘୋଡ଼ାଗାଡ଼ି ଉପହାର ଦେଇଥିଲେ । ସେ ଘୋଡ଼ାଗାଡ଼ି ଚଢ଼ି ସହରର ଗଳିକନ୍ଦି ବୁଲି ପରିମଳ ଓ ଉନ୍ନୟନ କାର୍ଯ୍ୟାବଳୀ ତଦାରଖ କରୁଥିଲେ । ଘୋଡ଼ାଗାଡ଼ିରେ ଏକ ଘଣ୍ଟି ଲଗାଯାଇଥିଲା ଏବଂ ଘୋଡ଼ାଗାଡ଼ିଟି ଚାଲିବା ସମୟରେ ଜଣେ ବ୍ୟକ୍ତି ଅନବରତ ଘଣ୍ଟି ବଜାଉଥିଲେ । ଏତଦ୍ୱାରା ଉପ-ନଗରପାଳଙ୍କ ପରିଦର୍ଶନ ସଂପର୍କରେ ଜନସାଧାରଣ ଅବଗତ ହେଉଥିଲେ । ବିଭିନ୍ନ ସାହିରେ ଦଳ ଦଳ ଲୋକ ଘୋଡ଼ାଗାଡ଼ି ଅଟକାଇ ନିଜ ଅଞ୍ଚଳର ସମସ୍ୟା ସଂପର୍କରେ ଅଭିଯୋଗ ବର୍ଣ୍ଣନା କରୁଥିଲେ । ଦୀର୍ଘ ୧୧୦ ବର୍ଷ ପରେ ଘଟଣାଟି ଚଳଚ଼ିତ୍ର ଦୃଶ୍ୟ ପ୍ରତୀୟମାନ ହେଉଥିଲେହେଁ, ବାସ୍ତବ ଥିଲା ।
 
ସାର ପର୍ଶୁରାମ ପାତ୍ର ଓ ଶଶିଭୂଷଣ ରଥଙ୍କ ପୌରପାଳିକା ଦାୟିତ୍ୱ ନିର୍ବାହ କାଳରେ ସହରକୁ ପ୍ରଥମ ଥର ପାଇଁ ପାଇପ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ପ୍ରତି ସାହି ମୁଣ୍ଡରେ ସାର୍ବଜନୀନ ପାଇପ ପାଣି ଷ୍ଟାଣ୍ଡପୋଷ୍ଟ ନିର୍ମାଣ ଓ ଯାନବାହାନରେ ନିୟୋଜିତ ଘୋଡ଼ା, ବୁଲା ଗାଈଗୋରୁଙ୍କ ତୃଷ୍ଣା ନିବାରଣ ନିମନ୍ତେ ପଥର ନିର୍ମିତ କୁଣ୍ଡରେ ଜଳ ଗଚ୍ଛିତ ରଖିବା ଧାରା ବ୍ରହ୍ମପୁର ସହର ଜୀବନରେ ସ୍ୱାତନ୍ତ୍ର୍ୟ ପ୍ରତିପାଦନ କରୁଥିଲା । ଏହି ସମୟରେ ରାସ୍ତାର ଉଭୟକଡ଼ରେ ପକ୍କା ନର୍ଦ୍ଦମା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିଲା । ସହରରେ ଅନଧିକାର ନିର୍ମାଣ କାର୍ଯ୍ୟର ଶଶିଭୂଷଣ ବିରୋଧ କରିଥିଲେ । ତାଙ୍କରି ତତ୍ତ୍ୱାବଧାନରେ ଗିରି ମାର୍କେଟ ଗଜପତି ଛକରୁ ବଡ଼ବଜାର ଛକ ଯାଏଁ ସିଧାସଳଖ ରାସ୍ତା ପୁନଃନିର୍ମାଣ ସମ୍ଭବ ହୋଇଥିଲା ।
 
ସେ ସମୟରେ ବ୍ରହ୍ମପୁରରେ ଏକମାତ୍ର ଖଲ୍ଲିକୋଟ କଲେଜରେ ସପ୍ତମ ଶ୍ରେଣୀଠାରୁ ଇଣ୍ଟରମିଡ଼ିଏଡ଼ ଯାଏଁ ଶିକ୍ଷାଦାନର ବ୍ୟବସ୍ଥା ଥିଲା । ତେବେ ସେଠାରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ନଥିଲେ । ଓଡ଼ିଶା ଶିକ୍ଷକ ନିଯୁକ୍ତ କରି ଶଶିଭୂଷଣ ବ୍ୟକ୍ତିଗତ ଉଦ୍ୟମରେ ସ୍ଥାନୀୟ ଧନାଢ଼୍ୟ ବ୍ୟକ୍ତିଙ୍କଠାରୁ ଚାନ୍ଦା ସଂଗ୍ରହ କରି ଆସିକା ରୋଡ଼ଠାରେ ଏକ ଉଚ୍ଚବିଦ୍ୟାଳୟ ଆରମ୍ଭ କରିଥିଲେ । ପରବର୍ତ୍ତୀ କାଳରେ ତାହାର ପରିଚାଳନାଭାର ବ୍ରହ୍ମପୁର ପୌରପାଳିକା ଗ୍ରହଣ କରିଥିଲା ଏବଂ ସେଠାରେ ଅନ୍ୟ ଏକ ବାଳିକା ଉଚ୍ଚବିଦ୍ୟାଳୟ ମଧ୍ୟ ସ୍ଥାପିତ ହୋଇଥିଲା ।
 
ସାପ୍ତାହିକ ଆଶା ପତ୍ରିକା ୧୯୧୩ରୁ ପନ୍ଦର ବର୍ଷ ନିରବଚ୍ଛିନ୍ନ ପ୍ରକାଶିତ ହେବା ପରେ ୧୯୨୮ରେ ଦୈନିକ ସମ୍ୱାଦପତ୍ରରେ ରୂପାନ୍ତରିତ ହୋଇଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବା ପରେ ୧୯୩୯ରେ ଦୈନିକ ଆଶା ପ୍ରକାଶନ ଶିଶିଭୂଷଣ ରାଜଧାନୀ କଟକକୁ ସ୍ଥାନାନ୍ତରିତ କରିଥିଲେ । ଫଳତଃ ବ୍ରହ୍ମପୁରରେ ତାଙ୍କରି କର୍ମମୟ ଜୀବନର ଏକରକମ ଅନ୍ତ ଘଟିଥିଲା । ଚାରିବର୍ଷ ମଧ୍ୟରେ ୧୯୪୩ରେ ପରଲୋକ ଘଟିଲା । ମୃତ୍ୟୁ ବେଳକୁ ଶିଶିଭୂଷଣଙ୍କ ବୟସ ମାତ୍ର ୫୮ ବର୍ଷ ଥିଲା ।
 
ଶଶିଭୂଷଣ ଜାନୁୟାରୀ ପହିଲା ୧୮୮୫ରେ ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ୧୪୦ତମ ଜୟନ୍ତୀ ଜାନୁୟାରୀ ପହିଲା ୨୦୨୪ରେ ପାଳିତ ହେବ । ବ୍ରହ୍ମପୁର ସହରରେ ଓଡ଼ିଆ ଅସ୍ମିତା ପ୍ରତିଷ୍ଠାରେ ଶଶିଭୂଷଣ ରଥଙ୍କ ଅବଦାନ ଅବିସ୍ମରଣୀୟ ।

Image by Gerd Altmann from Pixabay


Friday, December 22, 2023

Development Projects in Slow Pace / କଚ୍ଛପ ଗତିରେ ଉନ୍ନୟନ ପ୍ରକଳ୍ପ

 

#ବ୍ରହ୍ମପୁର ସହରରେ ନିର୍ମାଣଧୀନ ତିନିଗୋଟି ପ୍ରକଳ୍ପ-ଗଞ୍ଜାମ ହାଟ, ଜଗନ୍ନାଥପୁର-ରତନପୁର ୫୯ ନମ୍ୱର ଜାତୀୟ ରାଜପଥ ବାଇପାସ ଓ ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସଂପୂର୍ଣ୍ଣ ହେବା ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି । ବିଭିନ୍ନ କାରଣରୁ ନିର୍ମାଣ କାମ କଚ୍ଛପ ଗତିରେ ଚାଲିଥିବାରୁ ସମାଲୋଚନା ଶୁଣିବାକୁ ମିଳେତେବେ ପ୍ରକଳ୍ପ ଆରମ୍ଭ ହୋଇଛି ଯେତେବେଳେ ନିଶ୍ଚୟ ଯେ ଦିନେ ସଂପୂର୍ଣ୍ଣ ହେବ, ସେହି ଆଶ୍ୱସନାରେ ସହରବାସୀ ଆଶ୍ୱସ୍ତ !
 
ଆସିକା ରୋଡ଼-କର୍ପୋରେସନ ରୋଡ଼ ସମ୍ମୁଖରେ ଗଞ୍ଜାମ ହାଟ ନାମିତ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ବିଡ଼ିଏ ପକ୍ଷରୁ ଏକ ମାର୍କଟ କମ୍ପ୍ଳେକ୍ସ ନିର୍ମାଣ କରାଯାଉଛି । ବିଂଶ ଶତାଦ୍ଦୀର ଷଷ୍ଠ ଦଶକ ସୁଦ୍ଧା ସେଠାରେ ଛତର ବନ୍ଧ ନାମରେ ଏକ ବୃହତ ଜଳାଶୟ ଥିଲା । ହୁଏତ ୧୮୬୫ ନଅଙ୍କ ଦୁର୍ଭିକ୍ଷ କାଳରେ ଏହି ବନ୍ଧ ହୁଡାରେ ମରୁଡ଼ି ପ୍ରପୀଡ଼ିତଙ୍କ ପାଇଁ ଦାତବ୍ୟ ଖାଦ୍ୟ ବିତରଣ ଛତ୍ର ଖୋଲା ଯାଇଥିଲା । ନଚ଼େତ କାମ ପାଇଁ ଖାଦ୍ୟ ଯୋଜନାରେ ବନ୍ଧ ଖନନ ହୋଇଥିଲା । ଛତର ବନ୍ଧ ସାମନାରେ ହାଟପଦାରେ ତାମେୟା ବନ୍ଧ ଅନ୍ୟ ଏକ ବୃହତ ଜଳାଶୟ । ବ୍ରହ୍ମପୁର ଉନ୍ନୟନ ପ୍ରଥମ ପାଦରେ ବିଡିଏ ଦୁଇ ଜଳାଶୟ ପୋତି ପାର୍କ ଓ ତା ସାମନାରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କରୁଛି । କିଛି ଦିନ ମଧ୍ୟରେ ଏହି ଅଞ୍ଚଳ ସହରର ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିବ । ବ୍ରହ୍ମପୁର ଯେହେତୁ ଏକ ବାଣିଜ୍ୟ ପେଣ୍ଠ ଭାବେ ଗଢ଼ି ଉଠିଥିଲା, ବିଡ଼ିଏ ହୁଏତ ସହରର ମାର୍ମିକ ମୂଲ୍ୟବୋଧ ପ୍ରତି ସମ୍ନାନ ପ୍ରଦାନ କରିଛି !
 
ଗଞ୍ଜାମ ହାଟ ଛଅ ଏକର ପୋତା ଯାଇଥିବା ଜଳାଶୟ ଜମିରେ ୭୦ ହଜାର ବର୍ଗଫୁଟରେ ୧୧୭ ଗୋଟି ଦୋକାନ ଗୃହ ନିର୍ମାଣ କରୁଛି । ଏଗୁଡ଼ିକ ପ୍ରତ୍ୟେକ ୨୫ ଲକ୍ଷରୁ ୭୦ ଲକ୍ଷ ଟଙ୍କା ନିଲାମରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କାମ ଆରମ୍ଭ ପୂର୍ବରୁ ବିକ୍ରୀ ସରିଛି । ନିର୍ମାଣ ବ୍ୟୟ ୩୬ କୋଟି ଟଙ୍କା ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୪୩ କୋଟିକୁ ବୃଦ୍ଧି ପାଇଛି । ଦୀର୍ଘ ଦିନର ବାଦପ୍ରତିବାଦରେ ନିର୍ମିତ ଏହି ମାର୍କେଟ କମ୍ପ୍ଳେକ୍ସ ମାର୍ଚ୍ଚ ୨୦୨୪ରେ ଆରମ୍ଭ ହେବ ବୋଲି କୁହାଯାଉଛି ।
 
ବ୍ରହ୍ମପୁର ଦେଇ ରାୟପୁର-ଗୋପାଳପୁର ୫୯ ନମ୍ୱର ରାଜପଥ ୧୬ କିଲୋମିଟର ଲମ୍ୱିଛି । ହିଞ୍ଜିଳିକାଟୁ ପଟୁ ବ୍ରହ୍ମପୁର ପ୍ରବେଶ ପୂର୍ବରୁ ରତନପୁରଠାରୁ ବ୍ରହ୍ମପୁର ସୀମା ଶେଷରେ ଜଗନ୍ନାଥପୁରରେ ଚ଼େନ୍ନାଇ-କୋଲକତା ୧୬ ନମ୍ୱର ରାଜପଥକୁ ସଂଯୋଗ କରି ଏକ ବାଇପାସ ନିର୍ମାଣ ନିମନ୍ତେ ୨୦୨୧ରେ ୧୯୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିଲା । ଟେଣ୍ଡର ନେଇଥିବା ସଂସ୍ଥା ୧୦୭ କୋଟି ଟଙ୍କାରେ ରାସ୍ତା ନିର୍ମାଣ କରୁଛି । ଏହି କାମ ମାର୍ଚ୍ଚ ୨୦୨୪ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ବିଭିନ୍ନ କାରଣରୁ କାମ ଆଶାନୁରୂପ ଅଗ୍ରଗତି କରିପାରିନଥିବା ହେତୁ ଅଧିକା ବର୍ଷେ ମାର୍ଚ୍ଚ ୨୦୨୫ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି । ଡ଼ିସେମ୍ୱର ୨୦୨୩ ସୁଦ୍ଧା ଛଅ କିଲୋମିଟର ମାଟି ରାସ୍ତା କାମ ସରିଥିବା ଶୁଣିବାକୁ ମିଳୁଛି । ବାଇପାସ ପାଇଁ ନରେନ୍ଦ୍ରପୁର ଓ ଟାଟା କଲୋନୀ ନିକଟରେ ଦୁଇଗୋଟି ରେଳୱେ ଓଭରବ୍ରିଜ ନିର୍ମାଣ କରାଯିବ । କିନ୍ତୁ ଏହି କାମ ଆରମ୍ଭ ହୋଇନି ।
 
ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସଂପ୍ରସାରଣ ନିମନ୍ତେ ୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ତିନିଥର ଟେଣ୍ଡର ପ୍ରକାଶିତ ହେବା ପରେ ଜଣେ ମାତ୍ର ଠିକା ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲେ । ତେବେ ବିଭିନ୍ନ କାରଣରୁ କାମ ଆରମ୍ଭ ହୋଇପାରୁ ନାହିଁ । ମାର୍ଚ୍ଚ ୨୦୨୩ରୁ ଇଣ୍ଡିଆ ୱାନ ବିମାନ ପରିବହନ ସଂସ୍ଥା ପକ୍ଷରୁ ସପ୍ତାହରେ ଦୁଇ ଦିନ ବୁଧବାର ଓ ରବିବାର ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଓ ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଏକ ନଅ ସିଟ ବିଶିଷ୍ଟ ବିମାନ ଯାତ୍ରା କରୁଛି । ବିମାନ ଯାତ୍ରା ଭଡ଼ା ଡ଼ିସେମ୍ୱର ମାସରେ ୧୦୫୦ ଟଙ୍କା ନିର୍ଦ୍ଧାରିତ ହୋଇଥିଲା । ତେବେ ଅଧିକାଂଶ ଦିନ ପୂର୍ଣ୍ଣ ସଂଖ୍ୟକ ଯାତ୍ରୀ ହେଉନଥିବା କୁହାଯାଉଛି । ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ସଂପ୍ରସାରଣପରେ ଏଠାରେ ଏକ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ଏୟାରପୋର୍ଟ ସ୍ଥାପନ ଲକ୍ଷ୍ୟ ରହିଛି । ମୁଖ୍ୟତଃ ଗୋପାଳପୁର ଶିଳ୍ପ ପାର୍କରେ ଗଢ଼ି ଉଠୁଥିବା କଳକାରଖାନା କର୍ମକର୍ତ୍ତା ଓ ବେଳାଭୂମି ପର୍ଯ୍ୟଟକ ବିମାନ ସେବା ଗ୍ରହଣ କରିବା ଆଶା କରାଯାଉଥିବା ସ୍ଥଳେ ବାସ୍ତବତାରେ ପ୍ରତିଫଳିତ ହୋଇପାରୁ ନାହିଁ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ବ୍ରହ୍ମପୁରଠାରୁ ଭୁବନେଶ୍ୱର ୧୬ ନମ୍ୱର ଜାତୀୟ ରାଜପଥରେ ୧୬୫ କିଲୋମିଟର ରାସ୍ତା ତିନି ଘଣ୍ଟାରେ ପହଞ୍ଚି ହେଉଛି । ଏହି ପରିପ୍ରେକ୍ଷୀରେ ଇଣ୍ଡିଆ ୱାନ ବିମାନ ସେବା କେତେଦିନ ବଳବତ୍ତର ରହିବ ତାହବି ଏକ ପ୍ରଶ୍ନବାଚ଼ୀ !

Image by Dimitris Vetsikas from Pixabay


Friday, December 15, 2023

BeMC - Tata Power / ବିଇଏମସି-ଟାଟା ପାୱାର


 


#ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶାର ଆସିକା, ଭଞ୍ଜନଗର, ଜୟପୁର, ରାୟଗଡ଼ା ସହର ଏବଂ ଛଅ ଗୋଟି ବିଦ୍ୟୁତ ସର୍କଲରେ ବିଦ୍ୟୁତ ବିତରଣ ଭାର ରାଜ୍ୟ ସରକାର ଓ ଟାଟା ପାୱାର ଯୌଥ ଉଦ୍ୟୋଗ ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡ଼ିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଜାନୁୟାରୀ ୨୦୨୧ରୁ ଗ୍ରହଣ କରିଛି । ବ୍ରହ୍ମପୁର ସହରାଞ୍ଚଳରେ ୩୧୮ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବିଦ୍ୟୁତ ସରବରାହ ନିମନ୍ତେ ୪୦ ରୁ ଉର୍ଦ୍ଧ୍ୱ ୧୧ କେଭି ଫିଡ଼ର ଓ ୧୪୦୦ରୁ ଉର୍ଦ୍ଧ୍ୱ ଟ୍ରାନ୍ସଫରମର ସ୍ଥାପିତ ହୋଇଥିବା ଜଣାଯାଏ । ସହରସାରା ଲମ୍ୱିଥିବା ରାସ୍ତାଗୁଡ଼ିକର ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟ ସ୍ଥାପିତ ଏବଂ ସେଠାରୁ ଏକ ଲକ୍ଷ ୧୮ ହଜାର ଉପଭୋକ୍ତାଙ୍କୁ ତାର ଟାଣି ବିଦ୍ୟୁତ ସଂଯୋଗ ଦିଆଯାଇଥାଏ । ବ୍ରହ୍ମପୁରରେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫରମର ଓ ବିଦ୍ୟୁତ ଖୁଣ୍ଟରୁ ଉପଭୋକ୍ତାଙ୍କ ବାସଗୃହ ବା ପ୍ରତିଷ୍ଠାନକୁ ଟଣା ଯାଇଥିବା ତାର ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଆସିଛି । ଏହି ସମସ୍ୟାର ଦୁଇଗୋଟି କାରଣ ଚ଼ିହ୍ନଟ କରାଯାଇପାରେ । ପ୍ରଥମତଃ, ବିଦ୍ୟୁତ ବିତରଣ ଦାୟିତ୍ୱ ନିର୍ବାହରେ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ଅତୀତରେ ଗଠିତ ସଂସ୍ଥାଗୁଡ଼ିକର ଖାମଖିଆଲି ଦାୟିତ୍ୱହୀନ ମନୋଭାବ ଏବ ଦ୍ୱିତୀୟରେ ବାତ୍ୟାପ୍ରବଣ ବ୍ରହ୍ମପୁର ପ୍ରତିଟି ତୋଫାନରେ ବିଦ୍ୟୁତ ବିତରଣ ଭିତ୍ତିଭୂମିର କ୍ରମାଗତ କ୍ଷତି । ରାଜ୍ୟ ସରକାର ବିଦ୍ୟୁତ ବିତରଣ ପ୍ରକ୍ରିୟାରେ ଅସହାୟ ବୋଧକରି ୨୦୨୦ ଡ଼ିସେମ୍ୱର ମାସରେ ଟାଟା ପାୱାର ଭଳି ଏକ ଘରୋଇ କମ୍ପାନୀକୁ ସମସ୍ତ ଭିତ୍ତିଭୂମି ପରିଚାଳନା ଭାର ହସ୍ତାନ୍ତର କଲେ । ବ୍ରହ୍ମପୁରବାସୀ ଭାବିଥିଲେ ଜାତୀୟସ୍ତରର ଏକ ବଡ଼ କମ୍ପାନୀ ଦାୟିତ୍ୱ ଗ୍ରହଣ ପରେ ଅବସ୍ଥାରେ ସୁଧାର ଆସିବ । ତେବେ ଦୁଇ ବର୍ଷ ବିତି ଗଲାଣି ବର୍ଷସାରା ସବୁ ଋତୁରେ ବାରମ୍ୱାର ବିଦ୍ୟୁତ କାଟ କଥା କୁହନ୍ତୁ ବା ରାସ୍ତାଘାଟରେ ଅସଜଡ଼ା ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫରମର ଓ ତାରମୟ ଆକାଶ କୌଣସିଟିରେ ପରିବର୍ତ୍ତନ ଆସିପାରି ନାହିଁ ।
 
କୁହାଯାଉଛି ଭିତ୍ତିଭୂମି ସଜଡ଼ା ଚାଲିଛି । ସହରାଞ୍ଚଳରେ ପୂର୍ବରୁ ସ୍ଥାପିତ ରାସ୍ତା ଅବରୋଧ କରୁଥିବା ବିଦ୍ୟୁତ ଖୁଣ୍ଟ ଓ ଟ୍ରାନ୍ସଫରମରଗୁଡ଼ିକୁ ଅପେକ୍ଷାକୃତ ସୁରକ୍ଷିତ ସ୍ଥାନକୁ ବଦଳାଇବା ନିମନ୍ତେ ଖର୍ଚ୍ଚ ସ୍ଥାନୀୟ ପୌରନିଗମ ବହନ କରିବା ନିୟମ ରହିଛି । ତେବେ ବ୍ରହ୍ମପୁର ପୌର ନିଗମ ପାଖେ ଅର୍ଥ ଅଭାବ । ସ୍ଥାନୀୟ ବିଧାୟକ ଏହି ସମସ୍ୟା ନେଇ ବିଧାନସଭାରେ ପ୍ରଶ୍ନ ପଚାରିଥିଲେ । ନିକଟରେ ଶକ୍ତି ମନ୍ତ୍ରୀଙ୍କୁ ଏକ ପ୍ରତିନିଧି ଦଳ ସହ ସାକ୍ଷାତ କରି ନଅ କୋଟି ଟଙ୍କା ଏହି କାର୍ଯ୍ୟଲାଗି ବ୍ରହ୍ମପୁର ପୌର ନିଗମକୁ ମଞ୍ଜୁର ପ୍ରତିଶୃତି ପାଇ ଫେରିଛନ୍ତି । ସେହି ଅର୍ଥ ଆସିଲେ ଟାଟା ପାୱାର ରାସ୍ତାଘାଟରେ ବିଦ୍ୟୁତ ତାର ସଜାଡ଼ିବା ଆଶା କରାଯାଇପାରେ ।
 
ବ୍ରହ୍ମପୁର ପୌର ନିଗମ ବିଇଏମସି ଓ ଟାଟା ପାୱାର ସହରରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବା ବିଚାର ବିମର୍ଷ କରିବା ଲାଗି ୭ ନଭେମ୍ୱର ୨୦୨୩ରେ ପୌର ନିଗମ ପ୍ରାଙ୍ଗଣ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକରେ ଏକତ୍ରୀତ ହୋଇଥିଲେ । ଟାଟା ପାୱାର ସିଇଓ କହିଲେ ଯେ ସହରାଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ସଜାଡ଼ିବାଲାଗି ୬୯ କୋଟି ଟଙ୍କା ଆବଶ୍ୟକ । ଏ ସଂପର୍କରେ ରାଜ୍ୟ ଶକ୍ତି ବିଭାଗଠାରେ ବିସ୍ତୃତ ବିବରଣୀ ଉପସ୍ଥାପିତ କରାଯାଇଛି । ବାସ, କଥା ସେଠି ଅଟକିଲା । ଟଙ୍କା ଆସିଲେ କାମ ହେବ ।
 
ବିଇଏମସି-ଟାଟା ପାୱାର ସମନ୍ୱୟ ବୈଠକରେ ବିନା ଖର୍ଚ୍ଚରେ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଦ୍ୱାରା ସମ୍ଭବ ହେବା ଗୋଟିଏ ପ୍ରସ୍ତାବ ବିଚାର କରାଯାଇପାରିଥାନ୍ତା । ବ୍ରହ୍ମପୁର ସହର ସାରା ବିଦ୍ୟୁତ ଖୁଣ୍ଟଗୁଡ଼ିକରେ କେବଲ ଟେଲିଭିଜନ ଓ ଇଣ୍ଟରନେଟ ସେବା ଲାଗି ଘରୋଇ ପ୍ରତିଷ୍ଠାନ ମାଳମାଳ ତାର ଟାଣିଥିଲେ । ପରିବର୍ତ୍ତିତ ପରିବେଶରେ ସେଭଳି ତିନି ଚ଼ତୁର୍ଥାଂଶ ବ୍ୟବସାୟ ବନ୍ଦ ହୋଇଗଲାଣି । ଫଳରେ ଅଲୋଡ଼ା ତାରଗୁଡ଼ିକ ଇତଃସ୍ତତଃ ପଡ଼ି ରହିଛି । ମାଙ୍କଡ଼ ପଲ ପହଞ୍ଚି ସେହି ଅବ୍ୟବସ୍ଥାକୁ ଆହୁରି ବିଗାଡି ଦେଉଛନ୍ତି । ସ୍ଥାନୀୟ ସମ୍ୱାଦପତ୍ର ଓ ସୋସିଆଲ ମିଡ଼ିଆରେ ୧୨ ନଭେମ୍ୱର ଓ ୧୯ ନଭେମ୍ୱର ୨୦୨୨ ତଥା ୧୩ ଫେବୃୟାରୀ ୨୦୨୧ରେ ଏହି ସମସ୍ୟା ଉପସ୍ଥାପନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଗଣମାଧ୍ୟମରେ ରର୍ଚ୍ଚା ହୋଇଛି । ନିୟମ ଅନୁଯାୟୀ ସହରାଞ୍ଚଳରେ ବିଦ୍ୟୁତ ଖୁଣ୍ଟ ସ୍ଥାପନଲାଗି ବିଦ୍ୟୁତ ବିତରଣ ସଂସ୍ଥା ପୌରନିଗମର ଅନୁମତି ନେଇ ଧାର୍ଯ୍ୟ ଭଡ଼ା ଦେବା କଥା । ସେହିପରି ବିଦ୍ୟୁତ ଖୁଣ୍ଟରେ ତୃତୀୟ ପକ୍ଷ ତାର ଟାଣିବା ଲାଗି ଉଭୟଙ୍କ ଅନୁମତି ଓ ଦେୟ ଦେବା କଥା । ବ୍ରହ୍ମପୁର ସହରର ରାସ୍ତାଘାଟ ସୌନ୍ଦର୍ଯ୍ୟ ହାନୀରେ ଅସଜଡ଼ା ଅଲୋଡା ତାର ହଟାଇବା ଉଭୟ ବିଇଏମସି ଓ ଟାଟା ପାୱାରର କାର୍ଯ୍ୟ ପରିସରଭୁକ୍ତ ଥିବା ସ୍ଥଳେ ଜନସାଧାରଣଙ୍କ ଦାବୀ ସତ୍ତ୍ୱେ ସମନ୍ୱୟ ବୈଠକରେ ଆଲୋଚ଼ନା ଯୋଗ୍ୟ ନୁହେଁ କି ?


Image by Angelo Esslinger from Pixabay


Friday, December 8, 2023

Gopalpur Beach Festival / ଗୋପାଳପୁର ବେଳାଭୂମି ମହୋତ୍ସବ

 

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ବାଣିଜ୍ୟ ପେଣ୍ଠଭାବେ ପ୍ରସିଦ୍ଧି ଲାଭ କରିଥିବା #ବ୍ରହ୍ମପୁର ୧୯୩୬ରେ ଓଡ଼ିଶା ପ୍ରଦେଶରେ ସାମିଲ ହେବା ପରେ ଦକ୍ଷିଣାଞ୍ଚଳ ପ୍ରଶାସନିକ କେନ୍ଦ୍ର ରୂପେ ଗୁରୁତ୍ୱଲାଭ କଲା । ପାରମ୍ପରିକଭାବେ ଦ୍ୱି-ବାର୍ଷିକ ଠାକୁରାଣୀ ଯାତ୍ରା ଓ ସହରରେ ବିଛୁରିତ ମଠ ମନ୍ଦିରଗୁଡ଼ିକରେ ଆୟୋଜିତ ଧାର୍ମିକ ଉତ୍ସବରେ ଯୋଗଦେବା ନିମନ୍ତେ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାରୁ ପର୍ଯ୍ୟଟକ ବ୍ରହ୍ମପୁର ଆସୁଥିଲେ । କିନ୍ତୁ ସରକାରୀ ଦପ୍ତରମାନ ସ୍ଥାପିତ ହେବା ପରେ କ୍ରମବିକଶିତ ପ୍ରଶାସନିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମନୋରଞ୍ଜନ ବିଭିନ୍ନ ସେବା ଗ୍ରହଣ ଲାଗି ସମଗ୍ର ଦକ୍ଷିଣ ଓଡ଼ିଶାବାସୀଙ୍କ ବ୍ରହ୍ମପୁର ଯିବା ଆସିବା ଲାଗି ରହିଲା । ଏହା ଆଭ୍ୟନ୍ତରୀଣ ପର୍ଯ୍ୟଟନ ବିକାଶରେ ସହାୟକ ହେଲା ଏବଂ ସହରରେ ଆନୁସଙ୍ଗିକ ବ୍ୟବସ୍ଥାମାନ ଗଢ଼ି ଉଠିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ବନ୍ଦର ବନ୍ଦ ହୋଇଯିବାପରେ ଗୋପାଳପୁର ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଥିଲା । ବିଂଶ ଶତାଦ୍ଦୀର ଶେଷ ଦଶକରେ ଜଗତୀକରଣ ପ୍ରଭାବରେ ପର୍ଯ୍ୟଟନକୁ ସରକାରୀ ସ୍ତରରେ ପ୍ରୋତ୍ସାହିତ କରିବା ଅବସରରେ ୨୨ ଗୋଟି ବ୍ଳକ ବିଶିଷ୍ଟ ଗଞ୍ଜାମ ଜିଲ୍ଲାରେ ୨୨ ଗୋଟି ପର୍ଯ୍ୟଟନସ୍ଥଳୀ ଚ଼ିହ୍ନଟ କରାଯାଇଥିଲା । ଫଳରେ ବିଗତ ତିନି ଦଶକ ଧରି ଦେଶ ଓ ରାଜ୍ୟରେ ପର୍ଯ୍ୟଟନ ବିକାଶ ସହ ସ୍ଥାନୀୟ ପର୍ଯ୍ୟଟନ ମଧ୍ୟ ସାମିଲ ହୋଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଆଗମନ କାଳରେ ଊଣାଅଧିକେ ବ୍ରହ୍ମପୁର ସହର ଉପରେ ନିର୍ଭର କରିଥାନ୍ତି ।
 
ସାଧାରଣରେ ଗୋପାଳପୁରରେ ଡ଼ିସେମ୍ୱର-ଜାନୁୟାରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଅତୀତରେ ଭାରତର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ସହ ବିଦେଶୀ ମଧ୍ୟ ଯୋଡ଼ି ହେଉଥିଲେ । ତେବେ କୋଭିଡ଼ ମହାମାରୀରେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ନଗଣ୍ୟ ହୋଇପଡ଼ିଥିଲା । ସରକାରୀ ହିସାବ ଅନୁଯାୟୀ ୨୦୨୦ରୁ ୨୨ ଅର୍ଥାତ କୋଭିଡ଼ କଟକଣା ସମୟରେ ଜିଲ୍ଲାକୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଆସିଥିଲେ । ସେମାନଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୨୦୨୦ରେ ୩୧୬ ଥିବା ସ୍ଥଳେ ୨୦୨୧ରେ ୧୦ ଏବଂ ୨୦୨୨ରେ ପାଞ୍ଚକୁ ଖସି ଆସିଥିଲା । ବିଦେଶୀ ପର୍ଯ୍ୟଟକମାନେ ମୁଖ୍ୟତଃ ଗୋପାଳପୁର, ରମ୍ଭା, ତପ୍ତପାଣି ଓ ବ୍ରହ୍ମପୁର ପରିଦର୍ଶନ କରିଥାନ୍ତି ।
 
ଅବଶ୍ୟ ୨୦୨୩ରେ ଓଡ଼ିଶାକୁ ରାଜ୍ୟସ୍ତରରେ ବିଦେଶୀ ପର୍ଯ୍ୟଟକ ବୃଦ୍ଧି ପାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସୂତ୍ରକୁ ଉଦ୍ଧାର କରି କୁହାଯାଇଛି ଯେ ୨୦୨୧ରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୭୮୮ ଓ ୨୦୨୨ରେ ୧୦,୩୪୬ ଥିବା ସ୍ଥଳେ ୨୦୨୩ରେ ଜାନୁୟାରୀରୁ ସେପ୍ଟେମ୍ୱର ନଅ ମାସରେ ପ୍ରାୟ ତିରିଶି ହଜାର ପହଞ୍ଚିଥିଲା । ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ବ୍ରିଟେନ, ଆମେରିକା, ଫ୍ରାନ୍ସ, ଇଟାଲୀ, ଜାପାନ, ଜର୍ମାନୀ, ଆଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡସ, ସ୍ୱିଜରଲ୍ୟାଣ୍ଡ ଓ ଦକ୍ଷିଣ କୋରିଆର ପର୍ଯ୍ୟଟକ ସାମିଲ ଥିବା କୁହାଯାଉଛି । ଏହି ଅଭିବୃଦ୍ଧିରେ ଗୋପାଳପୁର ଓ ବ୍ରହ୍ମପୁରର ତଥ୍ୟ ଉଲ୍ଲେଖ କରାଯାଇନଥିଲା ।
 
ଆଧୁନିକ ପରିବେଶରେ ପର୍ଯ୍ୟଟନ ବିକାଶ ନିମନ୍ତେ ଲକ୍ଷ୍ୟଭିତ୍ତିକ ଦୀର୍ଘସୂତ୍ରୀ ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକ । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ସାମଗ୍ରିକଭାବେ ରାଜ୍ୟସ୍ତରରେ ପର୍ଯ୍ୟଟନ ବିକାଶ ନିମନ୍ତେ ଉଦ୍ୟମ କରିବେ । ତେବେ ବ୍ରହ୍ମପୁର, ଗୋପାଳପୁରକୁ ରାଷ୍ଟ୍ରୀୟ ତଥା ଆନ୍ତର୍ଜାତିକସ୍ତରରେ ପରିଚ଼ିତ କରିବା ଦାୟିତ୍ୱ କିଏ ବହନ କରିବ ତାହା ଏକ ବଡ଼ ପ୍ରଶ୍ନ । ବିଦେଶରେ ସ୍ଥାନୀୟ ପୌରପାଳିକା ଓ ପର୍ଯ୍ୟଟନକେନ୍ଦ୍ରୀକ ବ୍ୟାବସାୟିକ ସଂଗଠନଗୁଡ଼ିକ ଏ ଦିଗରେ ତତ୍ପରତା ପ୍ରକାଶ କରିଥାନ୍ତି । ପର୍ଯ୍ୟଟନ ବିକାଶରେ ସ୍ଥାନୀୟ ଜନସାଧାରଣ ଲାଭବାନ ହୁଅନ୍ତି । ପର୍ଯ୍ୟଟନ ବିକାଶକୁ ଜନକଲ୍ୟାଣ କାର୍ଯ୍ୟ ବିଚାର କରି ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ମଧ୍ୟ କାର୍ଯ୍ୟ କରନ୍ତି । ବ୍ରହ୍ମପୁରର ବହୁ ଉଦୀୟମାନ ଯୁବକ ଯୁବତୀ ସାମୟିକ ଭାବେ ସ୍ୱେଚ୍ଛାସେବୀରୂପେ ନିଜକୁ ଗଢ଼ିତୋଳିବାକୁ ଉଦ୍ୟମରତ । ଏମାନଙ୍କ ମଧ୍ୟରୁ ପର୍ଯ୍ୟଟନରେ ଋଚି ରଖୁଥିବା କେତେ ଜଣ ଏଦିଗରେ ଯୋଜନାବଦ୍ଧ ଉଦ୍ୟମ କଲେ ଆଶାନୁରୂପ ଫଳ ମିଳିପାରିବ ।
 
ଗଞ୍ଜାମ ପର୍ଯ୍ୟଟନ ବିକାଶ ନିମନ୍ତେ ଦୀର୍ଘସୂତ୍ରୀ ଯୋଜନା ଅଭାବ ମୁଖ୍ୟ ସମସ୍ୟା । ଉଦାହରଣରେ ଗୋପାଳପୁର ବେଳାଭୂମି ମହୋତ୍ସବ ଗୋପାଳପୁର ବିଚ଼ ଫେଷ୍ଟିଭାଲବିଚାର୍ଯ୍ୟ । ବିଂଶ ଶତାଦ୍ଦୀର ଶେଷ ପାଦରେ ଗୋପାଳପୁରରେ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ନିମନ୍ତେ ଜମି ଅଧିଗ୍ରହଣ କରାଯାଇଥିଲା । ସ୍ଥାନୀୟ ବାସିନ୍ଦା ଏହାର ପ୍ରତିରୋଧ କରିଥିଲେ ଏବଂ ଦୀର୍ଘ ସମୟ ଧରି ଅଶାନ୍ତ ପରିବେଶ ଲାଗି ରହିଥିଲା । ଜନ-ଆକ୍ରୋଶ ପ୍ରଶମିତ କରିବା ଉଦ୍ଦେଶ୍ୟରେ ଇସ୍ପାତ ପ୍ରକଳ୍ପର ଲୋକସଂପର୍କ ବିଭାଗ ପକ୍ଷରୁ ଡ଼ିସେମ୍ୱର ଶେଷ ସପ୍ତାହରେ ବିଚ଼ ଫେଷ୍ଟିଭାଲ ଆୟୋଜନ କରାଯାଇଥିଲା । ଜନି ଲିଭରଙ୍କ ଭଳି ବଲିଉଡ଼ କଳାକାର ଏଥିରେ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ତେବେ ବିଭିନ୍ନ କାରଣରୁ ଇସ୍ପାତ ପ୍ରକଳ୍ପ ବନ୍ଦ ହୋଇଯିବା ଯୋଗୁଁ ବିଚ଼ ଫେଷ୍ଟିଭାଲ ମଧ୍ୟ ବନ୍ଦ ରହିଲା  । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ବାର୍ଷିକ ସାଂସ୍କୃତିକ ଉତ୍ସବ ଆୟୋଜନ କରାଯାଉଥିଲା । ଗଞ୍ଜାମର ସାଂସ୍କୃତିକ ଉତ୍ସବ ସୁରଭିଛତ୍ରପୁର ଓ ବ୍ରହ୍ମପୁରରେ ଥରେ ଅଧେ ଅନୁଷ୍ଠିତ ହୋଇ ବନ୍ଦ ହୋଇଯାଇଥିଲା । ବ୍ରହ୍ମପୁର ପୁସ୍ତକ ମେଳା ସମିତିରେ କେତେକ ସଦସ୍ୟ ତତ୍କାଳୀନ ଜିଲ୍ଲାପାଳଙ୍କୁ ଜିଲ୍ଲାସ୍ତରୀୟ ଉତ୍ସବଟି ଗୋପାଳପୁରରେ ଆୟୋଜନ ନିମନ୍ତେ ପ୍ରସ୍ତାବ ଦେଲେ । ତାହା ବେଳାଭୂମି ଉତ୍ସବ ଆକାରରେ କାର୍ଯ୍ୟକାରୀ ହେଲା । ଫଳତଃ ଇସ୍ପାତ ପ୍ରକଳ୍ପ ହାତରୁ ଉତ୍ସବ ଆୟୋଜନ ଭାର ଜିଲ୍ଲା ପ୍ରଶାସନ ନିକଟକୁ ଗଲା । ଗତ ବର୍ଷ ୨୦୨୨ରେ ଡ଼ିସେମ୍ୱର ୨୪ରୁ ୨୮ ପାଞ୍ଚ ଦିନ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ବେଳାଭୂମି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଇ ବର୍ଷ କୋଭିଡ଼ କାରଣରୁ ବନ୍ଦ ରହିବା ପୂର୍ବରୁ ୨୦୧୯ରେ ମଧ୍ୟ ଅନୁରୂପ ପାଞ୍ଚ ଦିବସୀୟ ଉତ୍ସବ ସ୍ଥାନୀୟ ବିଧାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଗୋପାଳପୁର ବେଳାଭୂମି ମହୋତ୍ସବ ଏକ ମେଳାର ଭ୍ରମ ସୃଷ୍ଟି କରିଥାଏ । ଏଥିସହ ପର୍ଯ୍ୟଟନ ବିକାଶର ସୂତ୍ର ଖୋଜି ପାଇହୁଏନା । ଏହି ଅବ୍ୟବସ୍ଥାକୁ ସଜାଡ଼ିବା ସମୟ ଉପନୀତ ନୁହେଁ କି ?

Image by PublicDomainPictures from Pixabay


Friday, December 1, 2023

Padmashree Sanjukta Panigrahy / ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ

 

ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀ #ବ୍ରହ୍ମପୁର ସହରରେ ୧୪ ଅଗଷ୍ଟ ୧୯୪୪ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କରି ପିତା ବିଦ୍ୟୁତ ବିଭାଗରେ ଜଣେ ସରକାରୀ କର୍ମଚାରୀ ଭାବେ ଅବସ୍ଥାପିତ ଥିଲେ । ମାତା ଗୃହିଣୀ । ସଂଯୁକ୍ତା ଚାରି ଭାଇ ଓ ଜଣେ ସାନ ଭଉଣୀଙ୍କ ଗହଣରେ ଶୈଶବ ବିତାଇ ଥିଲେ । ପିଲାଟି ଦିନୁ ନୃତ୍ୟ ପ୍ରତି ସଂଯୁକ୍ତା ଆଗ୍ରହ ପ୍ରକାଶ କରିଥିଲେ ଏବଂ ନୃତ୍ୟ ଶିକ୍ଷା ଓ ପ୍ରଦର୍ଶନରେ ସଂପୃକ୍ତ ହୋଇପଡ଼ିଥିଲେ । ସ୍ୱାଧୀନତା ଲାଭ ବେଳର ଗଞ୍ଜାମ ଜିଲ୍ଲାରେ ସଂଭ୍ରାନ୍ତ  ସରକାରୀ କର୍ମଚାରୀଙ୍କ ପରିବାରରେ ନାରୀ ଶିକ୍ଷା ପ୍ରବେଶ ଲାଭ କରିନଥିବା ସ୍ଥଳେ ପାରମ୍ପରିକ ଓଡ଼ିଆ ବ୍ରାହ୍ମଣ ସଂପ୍ରଦାୟରେ ନୃତ୍ୟ ଏକ ଅଜଣା ଇଲାକା ଅନ୍ତର୍ଭୁକ୍ତ ଥିଲା । ଅବଶ୍ୟ ଦାକ୍ଷିଣାତ୍ୟ ସଂସ୍କୃତି ପ୍ରଭାବରେ ଶାସ୍ତ୍ରୀୟ ସଙ୍ଗୀତ ଚର୍ଚ୍ଚା ତେଲୁଗୁ ଭାଷାଭାଷୀଙ୍କ ମଧ୍ୟରେ ଉଚ୍ଚକୋଟିର ସଉକ ବିବେଚ଼ିତ ହେଉଥିଲା । ବ୍ରହ୍ମପୁର ସହରରେ ୧୯୨୮ରୁ ସ୍ଥାନୀୟ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ସଙ୍ଗୀତ ଓ ନୃତ୍ୟଭିତ୍ତିକ ସହରୀ ସଭ୍ୟତା ରୁଚି ପ୍ରସାର କରୁଥିଲା ।
 
ସଂଯୁକ୍ତାଙ୍କ ନୃତ୍ୟ ପ୍ରୀତିକୁ ତାଙ୍କରି ମାଆ ଶକୁନ୍ତଳା ଦେବୀ ପ୍ରୋତ୍ସାହିତ କରୁଥିଲେ । ସେ ଚାରିବର୍ଷ ବୟସରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପାରିବାରିକ କଟକଣା ସତ୍ତ୍ୱେ ସଂଯୁକ୍ତା ସାତ ବର୍ଷ ବୟସରେ କଲିକତା (ବର୍ତ୍ତମାନର କୋଲକତା)ଠାରେ ନ୍ୟୂ ଏମ୍ପାୟାର ଥିଏଟର ମଞ୍ଚରେ ୧୯୫୧ରେ ନୃତ୍ୟ ପ୍ରଦର୍ଶନ କରିବା ସୁଯୋଗ ଲାଭ କରିଥିଲେ । ଗବେଷକଙ୍କ ହିସାବରେ ସଂଯୁକ୍ତା ଛଅ ବର୍ଷରୁ ନଅ ବର୍ଷ ବୟସ ତିନି ବର୍ଷ ମଧ୍ୟରେ ୫୦ରୁ ଉର୍ଦ୍ଧ୍ୱ ନୃତ୍ୟ ପ୍ରଦର୍ଶନରେ ସାମିଲ ହୋଇଥିଲେ । ସଂଯୁକ୍ତା କଟକ, ମାଡ୍ରାସ (ବର୍ତ୍ତମାନର ଚ଼େନ୍ନାଇ) ଓ ବମ୍ୱେ (ବର୍ତ୍ତମାନର ମୁମ୍ୱାଇ)ରେ ନୃତ୍ୟ ଶିକ୍ଷା କରିଥିଲେ । କଟକର କଳା ବିକାଶ କେନ୍ଦ୍ରରେ ଗୁରୁ କେଳୁ ଚ଼ରଣ ମହାପାତ୍ରଙ୍କ ଅଧୀନରେ ଓଡ଼ିଶୀ, ମାଡ୍ରାସର କଳା କ୍ଷେତ୍ରରେ ରୁକ୍ମିଣୀ ଦେବୀ ଆରୁଣ୍ଡେଲଙ୍କ ଅଧୀନରେ ଭାରତନାଟ୍ୟମ ଓ କଥାକଳି ଏବଂ ବମ୍ୱେରେ ଗୁରୁ ହଜାରିଲାଲଙ୍କ ଅଧୀନରେ କଥକ ନୃତ୍ୟ ଶିକ୍ଷା ଲାଭ ସୁଯୋଗ ମିଳିଥିଲା ।
 
ମୁମ୍ୱାଇରେ କଥକ ନୃତ୍ୟ ଶିକ୍ଷା କାଳରେ ଓଡ଼ିଆ ଗାୟକ ରଘୁନାଥ ପାଣିଗ୍ରାହୀଙ୍କ ସାନ୍ନିଧ୍ୟରେ ଆସିଥିଲେ । ସେହି ସମୟରେ ରଘୁନାଥ ମାଡ୍ରାସ ଚଳଚ଼ିତ୍ର ଜଗତରେ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ସୁନାମ ଅର୍ଜନ କରିସାରିଥିଲେ । ଦିହେଁ ପ୍ରଣୟସୂତ୍ରରେ ଆବଦ୍ଧ ହୋଇ ୧୯୬୦ରେ ମୁମ୍ୱାଇଠାରେ ବିବାହ କରିଥିଲେ । ସେତେବେଳକୁ ସଂଯୁକ୍ତାଙ୍କ ବୟସ ପନ୍ଦର ଓ ରଘୁନାଥଙ୍କ ବୟସ ପଚ଼ିଶି ।
 
ବିବାହପରେ କିଛି କାଳ ଶ୍ୱଶୁରାଳୟ ଗୁଣପୁରରେ ଅତିବାହିତ କରି ସଂଯୁକ୍ତା ଓ ରଘୁନାଥ ବମ୍ୱେ ଓ ମାଡ୍ରାସରେ ବୃତ୍ତିଗତ ଜୀବନ ପ୍ରତିଷ୍ଠା ଉଦ୍ୟମ କରିବା ପରେ ଭୁବେଶ୍ୱରଠାରେ ନୂତନଭାବେ ପ୍ରତିଷ୍ଠିତ ସଙ୍ଗୀତ ବିଦ୍ୟାଳୟରେ ସଂଯୁକ୍ତା ଅଧ୍ୟାପିକା ଭାବେ ଯୋଗଦେଲେ । ଏଣିକି ସଂଯୁକ୍ତା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଓ ରଘୁନାଥ ଓଡ଼ିଶୀ ସଙ୍ଗୀତ ଗାୟନରେ ମନୋନିବେଶ କଲେ । ମୋଟାମୋଟିଭାବେ ୧୯୬୬ରୁ ୧୯୯୬ ଯାଏଁ ତିନି ଦଶନ୍ଧି ଧରି ଓଡ଼ିଶୀ ନୃତ୍ୟ ଓ ସଂଗୀତରେ ସାଧନା ସଂଯୁକ୍ତା ଓ ରଘୁନାଥଙ୍କୁ ଦେଶ ବିଦେଶରେ ପ୍ରତିଷ୍ଠିତ କରାଇପାରିଥିଲା । ସଂଯୁକ୍ତାଙ୍କ ଉଦାହରଣ ଓଡ଼ିଆ ପରିବାରର କନ୍ୟାମାନଙ୍କୁ ଓଡ଼ିଶୀ ନୃତ୍ୟ ଅଭ୍ୟାସ ଦିଗରେ ପ୍ରୋତ୍ସାହିତ କରିଥିଲା ଏବଂ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଓଡ଼ିଆ ସଂସ୍କୃତିର ଏକ ପରିଚ଼ିତି ଭାବେ ଉପସ୍ଥାପନରେ ସହାୟକ ହୋଇଥିଲା । ସଂଯୁକ୍ତା ୧୯୯୬ରେ ଆଣ୍ଠୁବିନ୍ଧା ବାତ, କର୍କଟ ଭଳି ଅସାଧ୍ୟ ରୋଗାକ୍ରାନ୍ତ ହୋଇ ବର୍ଷକ ମଧ୍ୟରେ ୧୯୯୭ରେ ମାତ୍ର ୫୩ ବର୍ଷରେ ପ୍ରାଣତ୍ୟାଗ କରିଥିଲେ । ବୃତ୍ତିଗତ ଜୀବନରେ ସଂଯୁକ୍ତାଙ୍କ ବ୍ରହ୍ମପୁର ସହରର ସହ ସେପରି କିଛି ସଂପର୍କ ନଥିଲେ ସୁଦ୍ଧା ସେ ଯେ ଏଠି ଜନ୍ମ ନେଇଥିଲେ ଏବଂ ଏଠାକାର ସାମାଜିକ ପରିବେଶ ତାଙ୍କୁ ଶୈଶବରେ ନୃତ୍ୟ ଶିକ୍ଷା ଦିଗରେ ପ୍ରୋତ୍ସାହିତ କରିଥିଲା, ଏହା ସ୍ୱୀକାର୍ଯ୍ୟ ।

Image by Erika Varga from Pixabay