Friday, August 30, 2019

A proposal for traffic control / ସହରରେ ଟ୍ରାଫିକ ସଜାଡ଼ିବାଲାଗି ଗୋଟିଏ ଉପାୟ

ଦୀର୍ଘଦିନର ଅପେକ୍ଷାପରେ ସହରରେ ଅପରାହ୍ନରେ ଅସରାଏ ବର୍ଷା ହୋଇଥିଲା । ବିଳମ୍ୱିତ ସଂଧ୍ୟାରେ ପରିବେଶ ବେଶ ଶାନ୍ତ ସ୍ନିଗ୍ଧ…. । ଜଣେ ଜଣାଶୁଣା ଅଧିବକ୍ତା ବରିଷ୍ଠ ନାଗରିକ ଅଫିସ କାମ ସାରି ଅପେକ୍ଷାକୃତ କମ୍ ଭିଡ଼ଥିବା ରାସ୍ତାରେ ସ୍କୁଟରରେ ପ୍ରଫୁଲ ମନରେ ଘରକୁ ଫେରୁଥିଲେ । ବିକଟାଳ ଶବ୍ଦକରି ହଠାତ୍ ଏକ ବାଇକ ପଛପଟୁ ଧକ୍କା ଦେଲା । ବରିଷ୍ଠ ନାଗରିକ ଛିଟିକି ପଡ଼ିଲେ । ସାମାନ୍ୟ ଖଣ୍ଡିଆ ଖାବରା ହୋଇ ଚଷମା ସଜାଡ଼ି ଉଠି ବାଇକ ଆରୋହୀଙ୍କୁ ଦୃତଗତିରେ ଯାନବାହାନ ନଚଳାଇବା ଲାଗି ତାଗିଦ କଲେ । ବାଇକ ଆରୋହୀ ଉତ୍ୟକ୍ତ ହୋଇ ଉଠିଲେ । ଉପଦେଶକର୍ତ୍ତାଙ୍କୁ ଉଚିତ ଜବାବ ଦେବାକୁ ପଛାଇଲେ ନାହିଁ…. । 

ବରିଷ୍ଠ ନାଗରିକ ସହରର ଜଣାଶୁଣା ବ୍ୟକ୍ତିତ୍ୱ । ସାଂଧ୍ୟ ଦୁର୍ଘଟଣାରେ ଭୌଗଳିକ ପରିଧିରେ ଅନ୍ତତଃ ପକ୍ଷେ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ଧରି ସାମାଜିକ କାର୍ଯ୍ୟସୂଚୀରେ ଜଡିତ । ହା…. ହା…. କରି ଆଖପାଖରେ ଉପସ୍ଥିତ ଲୋକ ଘେରି ଆସିଲେ । ଆରେ ଶ…. ଭିଆଇପିଟାରେ କହି ବାଇକ ଆଖି ପିଛୁଳାକେ ଛୁ….. । 

ଉପରୋକ୍ତ ବର୍ଣ୍ଣନା ସଂପୂର୍ଣ୍ଣ କାଳ୍ପନିକ । ସ୍ଥାନ-କାଳ-ପାତ୍ର ପରିବର୍ତ୍ତନ କଲେ ଦୈନିକ ପଚାଶରୁ ଉର୍ଦ୍ଧ୍ୱ ଏତାଦୃଶ ଦୁର୍ଘଟଣା #ବ୍ରହ୍ମପୁର ସହରରେ ଘଟୁଥିବା ହେତୁ ଅନେକଟା ସତ୍ୟ ହୋଇପାରେ, କିମ୍ୱା ସତ୍ୟର ପାଖପାଖି ଆସିପାରେ ।ପାରମ୍ପରିକଭାବେ ବ୍ରହ୍ମପୁର ସହରରେ ରାସ୍ତା ନିୟମକାନୁନ ଅଧିକାଂଶ ମାନନ୍ତି ନାହିଁ । ଅନ୍ୟ ସହରର ମଟରଗାଡ଼ି ଡ୍ରାଇଭରମାନେ ଏଠାରେ ପହଞ୍ଚିଲେ ପ୍ରଥମେ ପ୍ରଶ୍ନ କରନ୍ତି ଏମିତି ଅସଜଡ଼ା ଟ୍ରାଫିକରେ ଆମେ ଗାଡ଼ି ଚଲାଇବୁ କେମିତି ?’
 ତେବେ ସହରରେ ଟ୍ରାଫିକ ଦୌରାତ୍ମ୍ୟର ପ୍ରମୁଖ କାରଣ ସହରବାସୀଙ୍କ ସହନଶୀଳତା । ଟ୍ରାଫିକ ସଜାଡ଼ିବା ପାଇଁ ଏ ଯାଏଁ ଘଣ୍ଟା ପିଟା ଯାଇନାହିଁ । ଏଠାକାର ନେତୃବର୍ଗ ବାହକଯୁକ୍ତ ଚାରିଚକିଆ ଯାନରେ ବସିସାରିବାପରେ ଧରିନିଅନ୍ତି ଯେ ଟ୍ରାଫିକ ଉତ୍ପାତକୁ ସହ୍ୟକରିବା ଦରମାପ୍ରାପ୍ତ ଡାଇଭରର କାମ । ଓଲଟି ଚେଲାଚାମଣ୍ଡାଙ୍କୁ ଖୁସି କରିବା ପାଇଁ ମୁରୁକି ହସି ପୋଲିସକୁ କୋହଳ ପନ୍ଥା ଅନୁସରଣ କରିବାଲାଗି ପରାମର୍ଶ ଦିଅନ୍ତି । ଫଳରେ ଟ୍ରାଫିକ ନିୟମ ଉଲଂଘନ ଯେ ଦଣ୍ଡନୀୟ ଅପରାଧ ଏକଥାକୁ କେହି ସହଜରେ ଗ୍ରହଣ କରନ୍ତି ନାହିଁ ।

ନିକଟରେ ସହରର ଜନପ୍ରତିନିଧିଦ୍ୱୟ ଟ୍ରାଫିକ ବ୍ୟବସ୍ଥା ସଂପର୍କରେ ପୋଲିସ ପ୍ରଶାସନ ସହ ଆଲୋଚନା କରିଥିଲେ । ସମ୍ୱାଦପତ୍ରରେ ଖବର-ଫୋଟ ଛାପା ହେଲା, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେଲା, ପରେ ରିପୋର୍ଟକାର୍ଡ଼ରେ ଲେଖାଯିବ ସତ । ତେବେ ସହର ଅବ୍ୟବସ୍ଥିତ ଟ୍ରାଫିକ ସଜାଡ଼ିବାଲାଗି କଣ କିଛି ଉପଯୋଗଯୋଗ୍ୟ ପରାମର୍ଶ ଦେଲେ କି ? କାହିଁ ଆମ ନଜରକୁ ଆସିନାହିଁ । ଯଦି ଗୋପନୀୟ ହୋଇଥିବ ଅଲଗା କଥା !

 ଏକ ବିଚାରରେ ତୁରନ୍ତ ପୁରୁଣାବସଷ୍ଟାଣ୍ଡ ଟ୍ରାଫିକ କଣ୍ଟ୍ରୋଲ କାର୍ଯ୍ୟାଳୟ ନିକଟରେ ପୋଲିସ ପକ୍ଷରୁ ଏକ ବକ୍ସ ସ୍ଥାପନ କରାଯାଉ । ସହରରେ ଟ୍ରାଫିକ ନିୟମାବଳୀ ଉଲଂଘନ କରୁଥିବା, ଯଥା ଦ୍ରୁତଗତିରେ ଚାଳନା, ମୋବାଇଲ ଫୋନ ବ୍ୟବହାର କରି ଡ୍ରାଇଭିଂ, କମ ବୟସର ଚାଳକ, ଅଧିକ ସଂଖ୍ୟକ ଯାତ୍ରୀ ପରିବହନରେ ସଂପୃକ୍ତ ବାଇକ କିମ୍ୱା ମଟଗାଡ଼ିର ରେଜିଷ୍ଟ୍ରେସନ ନମ୍ୱର ସହରବାସୀ ବିନା ପରିଚୟ ଉଲ୍ଲେଖକରି ଅଭିଯୋଗ ବକ୍ସରେ ପକାଇବା ବ୍ୟବସ୍ଥା ହେଉ । ଜଣେ ଉଚ୍ଚାପଦାଧିକାରୀ ପୋଲିସ ଅଫିସର ସେଗୁଡ଼ିକ ଅନୁଧ୍ୟାନ କରି ଚାଳକମାନଙ୍କୁ ଥାନାକୁ ଡାକି ତାଗିଦ କରନ୍ତୁ । ଏହାର ଡ଼ିଜିଟାଲ ଡ଼ାଟାବେସ ପ୍ରସ୍ତୁତ କରାଯାଉ । ଅଭ୍ୟାସଗତଙ୍କୁ ନିୟମାନୁଯାୟୀ ଶାସ୍ତି ଦିଆଯାଉ । ଟ୍ରାଫିକ ସଜାଡିବାରେ ସହଯୋଗ ପାଇଁ ସହରବାସୀ ପ୍ରସ୍ତୁତ, ତେବେ ଝାମେଲାରେ ପଶିବାକୁ ଅମଙ୍ଗ । ଟ୍ରାଫିକ ନିୟମ ଉଲଂଘନ ଏକା ପୋଲିସ ରୋକିପାରିବ ନାହିଁ, ଏଥିପାଇଁ ସହରବାସୀଙ୍କ ସଂପୃକ୍ତି ଆବଶ୍ୟକ । ଏକଥା ନୂଆ ପୋଲିସ ଡିଜି ବି କହିଛନ୍ତି ।

---

Tuesday, August 13, 2019

Rainy days at Berhampur / ବ୍ରହ୍ମପୁରରେ ବର୍ଷାଦିନ


ସ୍କୁଲ କଲେଜ ଜୀବନରେ ଗହ୍ମାପୂର୍ଣ୍ଣିମା ଓ ସ୍ୱାଧୀନତା ଦିବସ ଉତ୍ସବାନୁଷ୍ଠାନର ଦିନ । ଗହ୍ମା ଡିଆଁ ଓ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ ମୁକ୍ତ ଆକାଶ ତଳେ ଆୟୋଜିତ ହୁଏ । ଦୁଇଗୋଟି ପର୍ବ ଅଗଷ୍ଟ ମାସରେ ପାଳିତ ହେଉଥିବା ହେତୁ ଧାରା ଶ୍ରାବଣର ବର୍ଷାରେ ଧୋଇ ହୋଇଯିବା ଭୟ ପିଲାଙ୍କ ମନରେ ଲାଖି ରହେ । ଭଗ୍ୟକୁ ସେହି ସମୟ ବେଳକୁ ଲଘୁଚାପ ସୃଷ୍ଟି ନ ହେଲେ ସହରର ଆକାଶ ମେଘମୁକ୍ତ ରହେ । ସାଙ୍ଗସାଥିଙ୍କ ଗହଣରେ ଉତ୍ସବ ଆସର ବେଶ ଜମେ ।

ଚଳିତ ବର୍ଷ ଦୁଇଗୋଟି ପର୍ବ ଅଗଷ୍ଟ ୧୫ ଗୋଟିଏ ଦିନ ପାଳିତ ହେବ । ଏ ଯାଏଁ ବ୍ରହ୍ମପୁରରେ ଥରୁଟିଏ ଛାଡ଼ି ପ୍ରାୟ ବର୍ଷା ଦିନ ଅନୁଭୂତ ହୋଇ ନାହିଁ କହିଲେ ଚଳେ । ବ୍ରହ୍ମପୁରରେ ମୁଖ୍ୟତଃ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମୌସୁମୀକାଳୀନ ଲଘୁଚାପ ଏବଂ ନଭେମ୍ବର ଓ ଡିସେମ୍ୱର ମାସରେ ଟ୍ରପିକାଲ ସାଇକୋଲନ ଯୋଗୁଁ ବୃଷ୍ଟିପାତ ହୋଇଥାଏ । ତେବେ ଉଭୟ ଜୁନରୁ ସେପ୍ଟେମ୍ବରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବଂ ଅକ୍ଟୋବର ରୁ ଡିସେମ୍ବରରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ମଧ୍ୟ ବୃଷ୍ଟିପାତ କରାଇଥାଏ ।

ପାରମ୍ପରିକଭାବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବ୍ରହ୍ମପୁରକୁ ଜୁନ ୭ ତାରିଖରେ ଛୁଉଁଥିବା କୁହାଗଲେ ସୁଦ୍ଧା ଜୁନ ମାସରେ ବର୍ଷା ହୁଏ ନାହିଁ । ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ହୁଏ । ବର୍ଷଣମୁଖର ଦିବସ ଗୁଡ଼ିକରେ ୩୦ ରୁ ୪୦ ମିଲିମିଟର ଯାଏଁ ବର୍ଷା ରେକର୍ଡ କରାଯାଏ । ଜୁନ ମାସରୁ ସେପ୍ଟେମ୍ବର ଚାରିମାସ ଯାଏଁ ବର୍ଷା-ରହିତ ଦିନଗୁଡ଼ିକରେ ସହରର ଆକାଶ ମେଘାଚ୍ଛନ୍ନ ରହେ । ତେଣୁ ଭୂମିସ୍ଥ ଉତ୍ତାପର ପୁନଃ ବିକୀରଣ ହେତୁ ଗୁଳଗୁଳି ଅନୁଭୂତ ହୁଏ । ସାରା ଦେଶ ବନ୍ୟା ପ୍ଳାବିତ ହେବାବେଳେ ବ୍ରହ୍ମପୁରବାସୀ ଗୁଳଗୁଳିରେ ଅତିଷ୍ଠ ହୋଇଉଠନ୍ତି ।

ବିଶ୍ୱବ୍ୟାପୀ ପରିବେଶ ଅଧଃପତନ କାରଣରୁ ଜଳବାୟୁ ପରିବର୍ତ୍ତନର ଧାରା ଅନୁଭୂତ ହେଉଥିବା ସ୍ଥଳେ କ୍ରମଶଃ ବ୍ରହ୍ମପୁର ସେଥିରେ ସାମିଲ ହେଉଥିବା ଭୟକୁ ଏଡ଼ାଇ ଦେଇ ହେବ ନାହିଁ । ଜୁନ-ଜୁଲାଇରେ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ସୃଷ୍ଟି ହୋଇଥିଲେ ହେଁ ସେଗୁଡ଼ିକ ରାଜ୍ୟର ଦକ୍ଷିଣାଞ୍ଚଳ ଉପକୂଳରେ ଆବଶ୍ୟକ ବୃଷ୍ଟିପାତ କରାଇବାରେ ସମର୍ଥ ହୋଇପାରି ନାହିଁ । ଅଗଷ୍ଟ ମଧ୍ୟ ଭାଗରୁ ଅକ୍ଟୋବର ମଧ୍ୟ ଭାଗ ଯାଏଁ ଦୁଇମାସ ବ୍ରହ୍ମପୁରରେ ଲଘୁଚାପଜନିତ ବର୍ଷାର ଇତିହାସ ଥିବା ହେତୁ ସେହି ଅବସରରେ ବୃଷ୍ଟିପାତ ପାଇଁ ସହରବାସୀ ଆଶାବାନ୍ଧି ବସିଛନ୍ତି ।

ମୌସୁମୀ ଋତୁରେ ସାମାନ୍ୟ ବର୍ଷାପରେ ପ୍ରବଳ ଖରା ମଶାଙ୍କ ସହ ଭୂତାଣୁଙ୍କ ବଂଶ ବିସ୍ତାରରେ ସହାୟକ ହୁଏ । ଫଳରେ ସହରବାସୀ ଭୂତାଣୁଜନିତ ଶର୍ଦ୍ଦି-କାଶ-ଜ୍ୱର ରୋଗାକ୍ରାନ୍ତ ହୋଇପଡନ୍ତି । ବାଂଲାଦେଶ ଓ ଫିଲିପାଇନ୍ସରେ ଏତାଦୃଶ ପରିବେଶ ଚିନ୍ତାର କାରଣ ପାଲଟିଛି । ବାଂଲାଦେଶରେ ସରକାରୀ ଚିକିତ୍ସାଳୟଗୁଡ଼ିକରେ ଦୈନିକ ଅଢ଼େଇ ହଜାର ଡ଼େଙ୍ଗୁ ରୋଗୀ ପହଞ୍ଚୁଥିବା ସ୍ଥଳେ ଫିଲିପାଇନ୍ସରେ ଡ଼େଙ୍ଗୁକୁ ଜାତୀୟ ବିପତ୍ତି ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପୌର ପ୍ରଶାସନ ସହରର ନାଳ ନର୍ଦ୍ଦମା ସଫେଇ ଓ ମଶାବଂଶ ବୃଦ୍ଧି ନିୟନ୍ତ୍ରଣ କରିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ନେବା ଆବଶ୍ୟକ । ଗେଟ ବଜାର, ଭାପୁର, ସାନବଜାର, ବଡ଼ବଜାର, ପୁରୁଣା #ବ୍ରହ୍ମପୁର ଇତ୍ୟାଦି ଜନାକୀର୍ଣ୍ଣ ଅଞ୍ଚଳ ଗୁଡ଼ିକର ଖୋଲା ନର୍ଦ୍ଦମା ପାକ୍ଷିକ ବଦଳରେ ଅନ୍ତଃ ସପ୍ତାହରେ ଦୁଇ ତିନିଥର ସଫେଇର ବନ୍ଦୋବସ୍ତ କରାଯାଉ । କାରଣ ସ୍ଥିର ଜଳ ମଶା ବଂଶ ବୃଦ୍ଧିର କାରଣ ।

ଅତୀତ ବ୍ରହ୍ମପୁରର ଗହ୍ମାଡ଼ିଆଁ ପରମ୍ପରା କ୍ରମଶଃ ଲୋପ ପାଇ ଆସିଲାଣି । ସ୍ଵାଧୀନତା ଦିବସରେ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ପରେ ଷ୍ଟାଡିୟମରେ ପାରେଡ ତଥା ଘରକୁ ଫେରିଲେ ରାକ୍ଷୀ ବନ୍ଧନ ମେଘ ମୁକ୍ତ ବ୍ରହ୍ମପୁରରେ ଶୁଭରେ କଟୁ । ତେବେ ତାପରେ ବର୍ଷା ହେଉ !
---