Friday, August 28, 2020

Pandemic Update - 2 / ମହାମାରୀ ଅପଡ଼େଟ - ୨



ଗଣେଶ ଚ଼ତୁର୍ଥୀ-ପୂର୍ବ ଅବସ୍ଥାରୁ କୋଭିଡ଼-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ସୁଧାର ଆସିବା ତଥା ଗଣେଶ ଚତୁର୍ଥୀ-ପର ଅବସ୍ଥାରୁ #ବ୍ରହ୍ମପୁର ପୌର ପ୍ରଶାସନ ପକ୍ଷରୁ ଦୋକାନ ବଜାର ଖୋଲିବା ଓ ଗ୍ରାମାଞ୍ଚଳରୁ ଏଠାକୁ ଆତଯାତ ଉପରେ କୋହଳ ନୀତି ଅନୁସରଣ ପରେ ସହରବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନ: ମହାମାରୀ କବଳରୁ ମୁକ୍ତି କେବେ ?ଆନ୍ତର୍ଜାତିକସ୍ତରରେ ମହାମାରୀ ସ୍ଥିତି ସଂପର୍କରେ ସାଧାରଣରେ ଯାହା ଆଶଙ୍କା କରାଯାଉଥିଲା ତାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷଙ୍କ ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଏହାର ପ୍ରକୋପ ଦୁଇବର୍ଷ ଯାଏଁ ବଳବତ୍ତର ରହିବା ସଂଭବପର ।
 
ଶହେ ବର୍ଷ ପୂର୍ବେ ୧୯୧୮ରୁ ୧୯୨୦ ମଧ୍ୟରେ ଇନଫ୍ଳୁଏନଜା ଭୂତାଣୁ ପ୍ରଭାବିତ ସ୍ପାନିଶ ଫ୍ଳୁ ଦୁଇ ବର୍ଷ ଯାଏଁ ଦାଉ ସାଧିଥିଲା । ଏହି ମହାମାରୀରେ ପ୍ରାୟ ୫୦ କୋଟି ଆକ୍ରାନ୍ତ ହୋଇ ପାଞ୍ଚ କୋଟି ପ୍ରାଣ ହରାଇଥିଲେ । ଭାରତରେ ମୃତାହତଙ୍କ ସଂଖ୍ୟା ଦେଢ଼ କୋଟି ଯାଏଁ ହିସାବ କରାଯାଇଥିଲା । ମହାମାରୀର ଗତିପ୍ରକୃତିରେ ସାମଞ୍ଜସ୍ୟ ବିଚାରକୁ ନେଲେ ୨୦୧୯ ଡ଼ିସେମ୍ୱରରୁ ସଂକ୍ରମିତ କୋଭିଡ଼-୧୯ ମହାମାରୀ ୨୦୨୧ ଶେଷ ଯାଏଁ ଜନଜୀବନରେ ବିତ୍ପାତ ଜାରୀ ରଖିପାରେ ।
 
ବିଗତ ଶହେ ବର୍ଷ ମଧ୍ୟରେ ସାମାଜିକ କ୍ଷେତ୍ରରେ ବହୁ ପରିବର୍ତ୍ତନ ଘଟିଛି ଏବଂ ତାହା ମହାମାରୀ ସଂକ୍ରମଣକୁ ପ୍ରଭାବିତ କରୁଛି । ଏକ ପକ୍ଷରେ ଜଗତୀକରଣ ପରିବେଶରେ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଗମନାଗମନର ମାତ୍ରା ବୃଦ୍ଧି ପାଇଥିବା ହେତୁ ଭୂତାଣୁ ସହଜରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ କ୍ଷୀପ୍ର ଗତିରେ ସଂକ୍ରମିତ ହୋଇପାରୁଛି । ଅପରପକ୍ଷେ ଗଣମାଧ୍ୟମର ପ୍ରସାର ଓ ବ୍ୟବହାର ତଥା ବିଜ୍ଞାନରେ ଉନ୍ନତି ରୋଗ ପ୍ରତିରୋଧ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ଓ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରୁଛି । ଅତୀତରେ ଭୂତାଣୁ ପ୍ରତିଷେଧକ ଟୀକା ଉଦ୍ଭାବନ ପାଞ୍ଚରୁ ଦଶ ବା କୋଡ଼ିଏ ବର୍ଷ ଲାଗି ଯାଉଥିବା ସ୍ଥଳେ ତାହା ବର୍ତ୍ତମାନ ବର୍ଷକ ମଧ୍ୟରେ ବିକଶିତ ହେବା ଆଶା ଦୃଢ଼ୀଭୂତ ହୋଇଛି । ଏହି ପରିବେଶ ମହାମାରୀକୁ ଯଥାସଂଭବ ଆୟତ୍ତ କରିବାରେ ସଫଳକାମୀ ହୋଇପାରୁଛି ବୋଲି ଆତ୍ମ-ବିଶ୍ୱାସ ଜନ୍ମାଇଥାଏ ।
 
ଭାରତ କୋଭିଡ଼-୧୯ ସଂକ୍ରମଣରୁ କେବେ ପ୍ରଭାବମୁକ୍ତ ହେବ ସେ ସଂପର୍କରେ ବହୁ ଗାଣିତିକ ମଡ଼େଲର ଆକଳନ ଚର୍ଚ୍ଚାରେ ରହିଛି । ତେବେ ଦେଶର ବିସ୍ତୃତ ଭୌଗଳିକ ପରିବେଶ, ସାମାଜିକ ଓ ସାଂସ୍କୃତିକ ବିବିଧତା ମହାମାରୀ ଅଧ୍ୟୟନରେ ଦେଶକୁ ବହୁ ଖଣ୍ଡରେ ବିଭକ୍ତ କରିଥାଏ । ଅର୍ଥାତ ମହାମାରୀର ପ୍ରଭାବ ସମଗ୍ର ଦେଶରେ ଏକ ସମୟରେ ସମଭାବରେ ଅନୁଭୂତ ନ ହୋଇ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୂପରେ ପ୍ରତିବିମ୍ୱିତ ହେଉଥିବା ଲକ୍ଷ୍ୟ କରାଯାଏ । ଉଦାହରଣରେ ମହାମାରୀ ଆରମ୍ଭ ଅବସ୍ଥାରେ ଭୁବନେଶ୍ୱରରେ କାୟା ବିସ୍ତାର କରିଥିବା ସ୍ଥଳେ ପରବର୍ତ୍ତୀ ପର୍ଯ୍ୟାୟରେ ଜୁନ-ଜୁଲାଇରେ ବ୍ରହ୍ମପୁର ଆଡ଼କୁ ମୁହାଁଇଥିଲା ଏବଂ ଅଗଷ୍ଟରେ ପୁଣି ଭୁବନେଶ୍ୱର-କଟକକୁ ଲେଉଟିଛି ।
 
ବ୍ରହ୍ମପୁରରେ ଅଗଷ୍ଟ ୩ ରୁ ୭ ମଧ୍ୟରେ ୨,୮୩୦ ବ୍ୟକ୍ତିଙ୍କ ରକ୍ତ ପରୀକ୍ଷା ସିରୋ ସର୍ଭେରୁ ସହରର ୩୧ ପ୍ରତିଶତ ବା ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ଶରୀରରେ ସାର୍ସ କରୋନା-୨ ଭୂତାଣୁ ପ୍ରତିରୋଧକ ଆଣ୍ଟିବଡ଼ି ବିକଶିତ ହୋଇଥିବା ଜଣାଯାଇଛି । ଏହି ସର୍ବେକ୍ଷଣର ପରିସଂଖ୍ୟାନ ଆଧାରରେ ଅନ୍ତତଃପକ୍ଷେ ବ୍ରହ୍ମପୁରରେ ମହାମାରୀର ସମ୍ଭାବ୍ୟ ଗତିବିଧି ସଂପର୍କରେ ବିଶ୍ୱାସଯୋଗ୍ୟ ଆକଳନ ସଂଭବପର ବୋଲି ଆଶା କରାଯାଇପାରେ । ପ୍ରକାଶିତ ଏକ ସମ୍ୱାଦ ସୂତ୍ରରୁ ଜଣାଯାଏ ଯେ ଜାତୀୟସ୍ତରରେ ମହାମାରୀ ପରିଚାଳନାରେ ସଂପୃକ୍ତ ବିଶେଷଜ୍ଞମାନେ ଦେଶରେ ଆଗାମୀ ସେପ୍ଟେମ୍ୱର ମାସ ଏପରିକି ଅକ୍ଟୋବର ଯାଏଁ ସଂକ୍ରମଣ ହାର ବୃଦ୍ଧି ଅବ୍ୟାହତ ରହିବା ଆକଳନ କରୁଛନ୍ତି ।
 
ଭାରତରେ କୋଭିଡ଼-୧୯ ପ୍ରଥମ ତରଙ୍ଗ ଶେଷ ପାଦରେ ମହାମାରୀଜନିତ ମୃତ୍ୟୁ ସଂଖ୍ୟା କମାଇବା ନିମନ୍ତେ ସାମାନ୍ୟ ଲକ୍ଷଣ ପ୍ରକାଶମାତ୍ରେ ତୁରନ୍ତ ଚିକିତ୍ସା ଏବଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ବ୍ରହ୍ମପୁର ପୌରନିଗମଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ବୈକୁଣ୍ଠ ନଗରସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣ୍ଟିଜେନ ଟେଷ୍ଟ କରାଯାଉଥିବା ସ୍ଥଳେ ଭ୍ରାମ୍ୟମାଣ କୋଭିଡ଼ ଗାଡ଼ିରେ ଆରଟି-ପିସିଆର ପରୀକ୍ଷା ନିମନ୍ତେ ନମୂନା ସଂଗ୍ରହ ଜାରୀ ରହିଛି । ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆଠଗୋଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥଣ୍ଡା, ଜ୍ୱର, କାଶ ଚ଼ିକିତ୍ସା କରାଯାଉଛି । ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଡ଼ାକ୍ତରମାନେ ପିପିଇ କିଟ୍ ପିନ୍ଧି ରୋଗୀଙ୍କ ଚିକିତ୍ସା କରୁଛନ୍ତି ।
 
ସାର୍ସ କରୋନା-୨ ଭୂତାଣୁ କବଳରୁ ବର୍ତ୍ତିବା ନିମନ୍ତେ ସମସ୍ତଙ୍କ ସହ ବ୍ରହ୍ମପୁରବାସୀ ମଧ୍ୟ ଟୀକା ପାଇଁ ଅପେକ୍ଷାରତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମୂଳରୁ କୁହାଯାଇ ଆସୁଛି ଯେ ପ୍ରତିଷେଧକ ଟୀକା ୧୨ ରୁ ୧୮ ମାସ ପୂର୍ବରୁ ଅସଂଭବ । ଅର୍ଥାତ ଆନ୍ତର୍ଜାତିକସ୍ତରରେ ପ୍ରଥମ ଟୀକା ୨୦୨୦ ଡ଼ିସେମ୍ୱରରୁ ୨୦୨୧ ଜୁନ ମଧ୍ୟରେ ବିକଶିତ ହୋଇପାରେ । ମାର୍କିନ ବୈଜ୍ଞାନିକମାନେ ଅତୀତରେ ଆୟୋଜିତ ଚାରି ଲକ୍ଷ ଟୀକା ପରୀକ୍ଷଣର ବିବରଣୀ ଅନୁଶୀଳନ କରି ଦର୍ଶାଇଛନ୍ତି ଯେ ମାନବ ଶରୀରରେ ଟୀକା ପରୀକ୍ଷଣର ଦ୍ୱିତୀୟରୁ ତୃତୀୟ ପର୍ଯ୍ୟାୟରେ ମାତ୍ର ୫୮ ପ୍ରତିଶତ ସଫଳତା ହାସଲ ହେଉଥିବା ସ୍ଥଳେ ଶେଷରେ ୮୫ ପ୍ରତିଶତ ଯାଏଁ ବ୍ୟବହାର ଲାଗି ସ୍ୱୀକୃତିପ୍ରାପ୍ତ ହୋଇଥାଏ । ତେଣୁ ବିକଶିତ ସବୁ ଟୀକା ଯେ କାମରେ ଲାଗିବ ସେଭଳି ଧାରଣା ବି ଭୂଲ ।
 
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହୁଛନ୍ତି ଯେ ଭାରତରେ ବିକଶିତ ଦୁଇଗୋଟି ଟୀକା ପରୀକ୍ଷଣ ସୁଚାରରୂପେ ଚାଲିଲେ ବର୍ଷ ଶେଷ ସୁଦ୍ଧା ବ୍ୟବହାରଯୋଗ୍ୟ ପ୍ରତିଷେଧକ ପାଇବା ସଂଭବ । ତେବେ ପ୍ରଶ୍ନ ରହିଲା, ଯଦି ୨୦୨୧ ଜାନୁୟାରୀ ସୁଦ୍ଧା ଟୀକା ଆସିଯାଏ, ତେବେ ବ୍ରହ୍ମପୁରରେ ସମସ୍ତଙ୍କ ପାଖେ ପହଞ୍ଚିବାକୁ ଛଅମାସ ଲାଗିଯିବନି କି ? ଅର୍ଥାତ ଦଶମାସ, ବର୍ଷେ ଅପେକ୍ଷାର କଥା ! ଅତଏବ ସେ ଯାଏଁ ମାସ୍କ ପିନ୍ଧନ୍ତୁ, ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସନ୍ତୁ ନାହିଁ, ବ୍ୟକ୍ତିବ୍ୟକ୍ତି ମଧ୍ୟରେ ସାଧ୍ୟମତେ ଛଅ ଫୁଟ ଦୂରତ୍ୱ ରଖନ୍ତୁ, ବାହାରେ କାମଦାମ କରୁଥିଲେ ଘରେ ଶିଶୁ ଓ ବରିଷ୍ଠ ନାଗରିକଙ୍କ ସହ ସମୟ କାଟିବା ବେଳେ ମଧ୍ୟ ମାସ୍କ ପିନ୍ଧନ୍ତୁ, ବାରମ୍ୱାର ହାତ ଧୁଅନ୍ତୁ, ଅପ୍ରଶସ୍ତ କଠୋରୀ ବଦଳରେ ପ୍ରଶସ୍ତ ହଲ କିମ୍ୱା ବାସଗୃହ ବଦଳରେ ମୁକ୍ତ ବାୟୁ ଚଳାଚଳ କରୁଥିବା ବାହାର ପରିବେଶରେ ଅନ୍ୟମାନଙ୍କ ସହ ଦେଖା ସାକ୍ଷାତ କରନ୍ତୁ ଏବଂ ରୋଗାକ୍ରାନ୍ତ ହେବା ସନ୍ଦେହ ହେବା ମାତ୍ରେ ତୁରନ୍ତ ପରୀକ୍ଷା କରାଇ ନିଅନ୍ତୁ ।

(ଅନୁପମ ଭାରତ / ୨୯ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)

Photo by : maggie_talal is licensed under CC BY-SA 2.0

Friday, August 21, 2020

Festival calendar this year / ଚଳିତ ବର୍ଷର ଶାରଦୀୟ ପାର୍ବଣ ଋତୁ



ଚଳିତ ବର୍ଷ ଗଣେଶ ପୂଜା ଅବସରରେ ବ୍ରହ୍ମପୁରରେ ଉତ୍ସାବାନୁଷ୍ଠାନ ଜମିବନି । ଏକପକ୍ଷରେ ସ୍କୁଲ କଲେଜ ବନ୍ଦ ରହିଥିବା ସ୍ଥଳେ ଅପରପକ୍ଷେ ବିଭିନ୍ନ ସାହୀରେ ସାର୍ବଜନୀନ ଗଣେଶ ପୂଜା ମଣ୍ଡପ ଆୟୋଜନ ମଧ୍ୟ ସଂଭବ ହୋଇପାରୁ ନାହିଁ । କୋଭିଡ଼-୧୯ସଂକ୍ରମଣ ପ୍ରତିରୋଧ ନିମନ୍ତେ ଜନଗହଳି ନିୟନ୍ତ୍ରଣ କରାଯାଉଛି । ମଣ୍ଡପ ଆୟୋଜନରେ ବହୁବ୍ୟକ୍ତି ସଂପୃକ୍ତ ହେବା ତଥା ପୂଜାର୍ଚ୍ଚନାରେ ବହୁବ୍ୟକ୍ତିଙ୍କ ସମାଗମ ପ୍ରଥା ହେତୁ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ନିଷେଧାଦେଶ ଲାଗୁ ହୋଇଛି ।
 
ଦୋଳପୂର୍ଣ୍ଣିମା ଓ ହୋଲି ପରେ ପରେ ମହାମାରୀଜନିତ କଟକଣା ଆରମ୍ଭ ହେବା ପରଠୁ ସହରରେ ଦଣ୍ଡଯାତ୍ରା, ବିଷୁବ ସଂକ୍ରାନ୍ତି, ଇଦ, ରଥଯାତ୍ରା, ଗହ୍ମା ପର୍ବ ପରକୁ ଏବର୍ଷ ଗଣେଶ ପୂଜା କେବଳ ବିଧିବିଧାନରେ ସୀମିତ ରହିବ । ପରବର୍ତ୍ତୀ ପର୍ଯ୍ୟାୟରେ ଦୁର୍ଗାପୂଜା (୨୫ ଅକ୍ଟୋବର), କୁମାର ପୂର୍ଣ୍ଣିମା (୩୧ ଅକ୍ଟୋବର), ଦୀପାବଳୀ (୧୪ ନଭେମ୍ୱର) ଉତ୍ସବ ମହାମାରୀଜନିତ ଦୃଢ଼ କଟକଣା ଥାଉ କିମ୍ୱା ନଥାଉ ପୂର୍ବବର୍ଷମାନଙ୍କ ଭଳି ସ୍ୱାଭାବିକ ରୀତିରେ ପାଳନ ସଂଭବପର ନହେବା ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି ।
 
ଗଣେଶ ପୂଜାରୁ ଓଡ଼ିଆ ଶାରଦୀୟ ପାର୍ବଣ ଋତୁ ଆରମ୍ଭ ହୋଇ ଦୀପାବଳି ଯାଏଁ ଲମ୍ୱି ଥାଏ । ପଡ଼ୋଶୀ ପଶ୍ଚିମ ବଙ୍ଗରେ ମଧ୍ୟ ସେହି ଏକା ପରମ୍ପରା । କୋଲକତାରେ ସାର୍ବଜନୀନ ଦୂର୍ଗାପୂଜାକୁ ସର୍ବାପେକ୍ଷା ପ୍ରାଧାନ୍ୟ ଦିଆଯାଏ । ମହାମାରୀରେ ପଶ୍ଚିମ ବଙ୍ଗ ସମଦଶା ଭୋଗୁଥିବା ହେତୁ ଦୁର୍ଗାମେଢ଼ କିପରି ଆୟୋଜନ ହେବ ସେ ସଂପର୍କରେ ବ୍ୟପକ ବିଚାର ବିମର୍ଷ ଚାଲିଛି ।
 
ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପରେ ଜନଗହଳି ଏଡ଼ାଇବା ପାଇଁ ସେଠାକାର ତିନିଗୋଟି ପ୍ରସିଦ୍ଧ ମଣ୍ଡପର ପୂଜା କମିଟୀ ଦର୍ଶକମାନଙ୍କ ନିମନ୍ତେ ଡ୍ରାଇଭ-ଇନ ଦର୍ଶନ ପଦ୍ଧତି ପ୍ରଚଳନ କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଦକ୍ଷିଣ କୋଲକତାର ବାଦାମତଲା, ୬୬ ପଲ୍ଲୀ ଓ ନେପାଳ ଭଟ୍ଟାଚାର୍ଯ୍ୟ ଷ୍ଟ୍ରୀଟରେ ଜାକଜମକରେ ମଣ୍ଡପ ସାଜସଜ୍ଜା କରାଯାଇଥାଏ ଏବଂ ବହୁ ସଂଖ୍ୟକ ଦର୍ଶକ ସମବେତ ହୋଇଥାନ୍ତି । ଏହି ତିନିଗୋଟି ପୂଜାମଣ୍ଡପ ଦେଖିବା ନିମନ୍ତେ ଚଳିତ ବର୍ଷ ଦର୍ଶକମାନଙ୍କୁ କେବଳ କାରରେ ବସି ଦେବୀ ଦର୍ଶନ ଓ ସାଜସଜ୍ଜା ଉପଭୋଗ କରିବା ନମନ୍ତେ ପ୍ରାବଧାନ ପ୍ରସ୍ତାବ ବିଚାର କରାଯାଉଛି ।
 
କୌଣସି ପୂଜା ମଣ୍ଡପରେ କୌଣସି ମଟରଗାଡ଼ି ଅଟକିବ ନାହିଁ କିମ୍ୱା ଦର୍ଶକ ଗାଡ଼ିରୁ ଓହ୍ଲାଇ ପାରିବେ ନାହିଁ । ଏକ କିଲୋମିଟର ବ୍ୟାପୀ ଅଞ୍ଚଳରେ ଦର୍ଶକ ଗୋଟିଏ ପରେ ଗୋଟିଏ ମଣ୍ଡପ ଉପଭୋଗ କରିବା ନିମନ୍ତେ ରାସ୍ତାର ନକ୍ସା ପ୍ରସ୍ତୁତ ହେବ । ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସଠାରେ ଅବସ୍ଥାପିତ ଜଣେ ବଙ୍ଗ ଭଦ୍ରବ୍ୟକ୍ତି ମହାମାରୀ କାଳରେ ବିନା ଭିଡ଼ରେ ପୂଜାତ୍ସୋବ ଆୟୋଜନ ଲାଗି ଏହି ପରାମର୍ଶ ଦେଇଥିବା ଜଣାଯାଏ ।
 
କୋଲକତା ପୂଜା ମଣ୍ଡପଗୁଡ଼ିକରେ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ସାଜସଜ୍ଜା ସାଙ୍ଗକୁ ମଣ୍ଡପ ପାର୍ଶ୍ୱରେ ବିଷୟଭିତ୍ତିକ ସାଜସଜ୍ଜା ନିମନ୍ତେ ଖ୍ୟାତ । ଚଳିତ ବର୍ଷ ପ୍ରସିଦ୍ଧ ବଙ୍ଗଳା ଚଳଚ଼ିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ଜନ୍ମ ଶତବର୍ଷକୀ ପଡୁଥିବା ହେତୁ ଆଲୋଚ୍ୟ ତିନିଗୋଟି ମଣ୍ଡପରେ ରାୟଙ୍କ ତିନିଗୋଟି ଅଭୁଲା ଚଳଚ଼ିତ୍ର ପଥେର ପଞ୍ଚୋଲି, ଅପରାଜିତଅପୁର ସଂସାର ବିଷୟବସ୍ତୁକୁ ନେଇ ସାଜସଜ୍ଜା ଆୟୋଜନ କରାଯିବ ।
 
ଓଡ଼ିଶାରେ କଟକର ଦୁର୍ଗାମେଢ଼ ପ୍ରସିଦ୍ଧ । ସେଠି ମୃଣ୍ମୟ ମୂର୍ତ୍ତି ନିର୍ମାଣ ଲାଗି ନଦୀପଠାରୁ ମାଟି ଆଣିବା ଶୁଭଦେବା ନିମନ୍ତେ ପ୍ରଶାସନିକ ଅନୁମତି ଦିଆଯାଇଥିଲା । ଅର୍ଥାତ ମୂର୍ତ୍ତିଗଠନ କାର୍ଯ୍ୟ ଜାରୀ ରହିଛି । ମଣ୍ଡପ ଆୟୋଜନ ଓ ପ୍ରଦର୍ଶନ ପଦ୍ଧତି ସଂପର୍କରେ ସ୍ଥାନୀୟ ତଥା ରାଜ୍ୟର ସଂକ୍ରମଣ ସ୍ଥିତିକୁ ବିଚାରକୁ ନେଇ ନିଷ୍ପତ୍ତି ଗ୍ରହଣ ସମ୍ଭବପର । କେତେକ ଗାଣିତିକ ମଡ଼େଲ ଅନୁଯାୟୀ ଦେଶ ତଥା ରାଜ୍ୟରେ ସେପ୍ଟେମ୍ୱର ତୃତୀୟ ସପ୍ତାହ ସୁଦ୍ଧା ସଂକ୍ରମଣ ହାର ବୃଦ୍ଧି ଶୀର୍ଷରେ ପହଞ୍ଚି ଅକ୍ଟୋବର ମଧ୍ୟଭାଗ ବେଳକୁ ସୁଧାର ଆସିବା ଆକଳନ କରାଯାଉଥିବା ସ୍ଥଳେ ଅକ୍ଟୋବର ତୃତୀୟ ସପ୍ତାହରେ ଦୁର୍ଗାପୂଜା ଆୟୋଜନର ଭବିଷ୍ୟତ ଅସ୍ପଷ୍ଟ ।
 
ବ୍ରହ୍ମପୁରରେ ସାର୍ବଜନୀନ ଗଣେଶ ପୂଜା, ଦୁର୍ଗାପୂଜା ଓ କାଳୀ ପୂଜା ନିମନ୍ତେ ମୃଣ୍ମୟ ମୂର୍ତ୍ତି ଗଠନରେ ସ୍ଥାନୀୟ ଶିଳ୍ପୀଙ୍କ ସହ କଟକରୁ ଆସୁଥିବା ଶିଳ୍ପୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । କାରିଗରମାନଙ୍କ ସୃଜନ ଗଣେଶ ପୂଜାଠାରୁ କାଳୀପୂଜା ମଧ୍ୟରେ ସୀମିତ ରହିଥାଏ । ତେବେ ଚଳିତ ବର୍ଷ ପ୍ରତିକୂଳ ପରିବେଶରେ କାର୍ଯ୍ୟଭାର ଯଥେଷ୍ଟ କମିଯିବା ସ୍ୱାଭାବିକ । ଆନ୍ତର୍ଜାତିକସ୍ତରରେ କୋଭିଡ଼-୧୯ ଗତ ଆଠମାସର ଅଭିଜ୍ଞତା ଅନୁଧ୍ୟାନ କଲେ ସଂକ୍ରମଣରେ ତରଙ୍ଗ ପରେ ତରଙ୍ଗର ଆଶଙ୍କା ଶହେ ବର୍ଷ ତଳର ଦୁଇ ବର୍ଷିଆ ସ୍ପାନିସ ଫ୍ଳୁର ଇତିହାସର ପୁନରାବୃତ୍ତି ଆଡ଼କୁ ବିଶ୍ୱାସ ଢଳୁଛି । ଅର୍ଥାତ ଫିକା ପାର୍ବଣ ଋତୁର ଅଶଙ୍କା କେବଳ ଚଳିତ ବର୍ଷ କାହିଁକି ଆସନ୍ତା ବର୍ଷକୁ ମଧ୍ୟ ସଂପ୍ରସାରିତ ହେବା ଭୟ ଏଡ଼ାଇ ଦେଇ ହେଉ ନାହିଁ ।

(ଅନୁପମ ଭାରତ / ୨୨ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)

Friday, August 14, 2020

Berhampur in the early phase of independence movement / ବ୍ରହ୍ମପୁରରେ ସ୍ୱାଧୀନତା ସଂଗ୍ରାମର ଆଦିପର୍ବ



ଭାରତରେ ଇଂଲିଶ ସରକାରଙ୍କ ଶାସନ ବିରୋଧ ଆନ୍ଦୋଳନରେ ୧୮୮୫ରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା ସର୍ବାପେକ୍ଷା ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟାୟ । ପ୍ରାଥମିକ ଅବସ୍ଥାରେ ଦେଶର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଏକତ୍ରୀତ କରାଇ ଭାରତୀୟ ସାମାଜିକ ଓ ସାସ୍କୃତିକ ଅଭିବୃଦ୍ଧି ଲକ୍ଷ୍ୟରେ ଗଠିତ ଏହି ଅନୁଷ୍ଠାନିକ ଉଦ୍ୟମରେ ମୂଳରୁ ବ୍ରହ୍ମପୁର ଯୋଡ଼ି ରହିଆସିଥିଲା । କଂଗ୍ରେସର ବାର୍ଷିକ ଅଧିବେଶନଗୁଡ଼ିକରେ ଏଠାକାର ପ୍ରତିନିଧିମାନେ ଯୋଗ ଦେଉଥିଲେ ଏବଂ ବିଦେଶୀ ଶାସନ ବିରୋଧୀ ବାର୍ତ୍ତା ଆଞ୍ଚଳିକସ୍ତରରେ ପ୍ରଚାର କରି ସ୍ୱାଧୀନତା ଆନ୍ଦୋଳନର ପ୍ରାକ୍-ପ୍ରସ୍ତୁତି ଚଳାଉଥିଲେ ।
 
ନାଗପୁରଠାରେ ୧୯୨୦ରେ କଂଗ୍ରେସ ଅଧିବେଶନରେ ମହାତ୍ମାଗାନ୍ଧୀ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲେ ଏବଂ ତତ୍ ପରବର୍ତ୍ତୀ ଅବସ୍ଥାରେ ସ୍ୱାଧୀନତା ସଂଗ୍ରାମ ତ୍ୱରାନ୍ୱିତ ହୋଇଥିଲା । ନାଗପୁର ଅଧିବେଶନରେ ଗଞ୍ଜାମରୁ ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ ଏବଂ ସେଠାରୁ ଫେରି ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଗଠନ କରିଥିଲେ । ଶ୍ରୀବତ୍ସ ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲାର ନେତୃବର୍ଗ ବହୁ ସଂଖ୍ୟାରେ କଂଗ୍ରେସରେ ଯୋଗ ଦେଇଥିଲେ । ଆଞ୍ଚଳିକ ସ୍ତରରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠିତ ହୋଇଥିଲା ।
 
ସେହି ସମୟ ବେଳକୁ ବ୍ରହ୍ମପୁରରେ ଓଡ଼ିଆ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥାଏ । ବ୍ରହ୍ମପୁର ସମେତ ପ୍ରାକୃତିକ ଓଡ଼ିଶାର ବହୁ ଅଞ୍ଚଳ ମାଡ୍ରାସ ପ୍ରଦେଶରେ ସାମିଲ ହୋଇ ଅବହେଳିତ ପଡ଼ି ରହିଥିବା ହେତୁ ତାହାର ପ୍ରତିକାରରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ନିମନ୍ତେ ଦାବୀ ଜୋର ଧରିଥାଏ । ବ୍ରହ୍ମପୁରରେ ୧୯୦୨ରେ ଆୟୋଜିତ ଗଞ୍ଜାମ ସମ୍ମିଳନୀ ଏବଂ କଟକରେ ୧୯୦୩ରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଏହି ଦିଗରେ ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥାଏ ।
 
ଶଶିଭୂଷଣ ରଥଙ୍କ ଦ୍ୱାରା ୧୯୧୩ରୁ ବ୍ରହ୍ମପୁରରୁ ସାପ୍ତାହିକ ଆଶା ପ୍ରକାଶନ ଏକ ବିଶିଷ୍ଟ ଘଟଣା । ଇଂଲଣ୍ଡରୁ ବାରିଷ୍ଟର ଡ଼ିଗ୍ରୀ ଧରି ଭି.ଭି.ଗିରି ୧୯୧୬ରେ ବ୍ରହ୍ମପୁରରେ ଓକିଲାତିରେ ଯୋଗ ଦେଇଥିବା ସ୍ଥଳେ  କଲିକତାରୁ ଆଇନ ଅଧ୍ୟୟନ ସାରି ବିଶ୍ୱନାଥ ଦାସ ୧୯୧୮ରେ ବ୍ରହ୍ମପୁରରେ ଓକିଲାତି ଆରମ୍ଭ କରିଥିଲେ । ଦିହେଁ ରୟତ ସଂଘ ଗଠନ କରି ଆଞ୍ଚଳିକ ଚାଷୀମାନଙ୍କ ସ୍ୱାର୍ଥ ସଂରକ୍ଷଣ ନିମନ୍ତେ ଉଦ୍ୟମ ଚଳାଇଥିଲେ । ଜିଲ୍ଲା କଂଗ୍ରେସ କମିଟି ଗଠନ ହେବାପରେ ସଭିଏଁ କଂଗ୍ରେସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
 
ଭାରତରେ କ୍ରମବର୍ଦ୍ଧମାନ ସ୍ୱାଧୀନତା ସଂଗ୍ରାମକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ୧୯୧୯ରେ ପ୍ରଦେଶିକ ବ୍ୟବସ୍ଥାପକ ସଭା ଗଠନ ନିମନ୍ତେ ଇଂଲିଶ ସରକାର ଆଇନ ପ୍ରଣୟନ କରିଥିଲେ ଏବଂ ପ୍ରଥମ ନିର୍ବାଚ଼ନ ୧୯୨୦ରେ ଅନୁଷ୍ଠିତ ହୋଇଥିଲା । ମାଡ୍ରାସ ବିଧାନ ପରିଷଦକୁ ବ୍ରହ୍ମପୁରରୁ ୧୯୨୦ରେ ଶଶିଭୂଷଣ ରଥ, ବିଶ୍ୱନାଥ ଦାଶ ଓ ଏ. ପର୍ଶୁରାମ ପାତ୍ର ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ୧୯୨୩, ୧୯୨୬ ଓ ୧୯୩୦ରେ ଅନୁଷ୍ଠିତ ନିର୍ବାଚ଼ନଗୁଡ଼ିକରେ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ମାନଧାତା ଗୋରାଚ଼ାନ୍ଦ ପଟ୍ଟନାୟକ ଓ ଶ୍ରୀନିବାସ ରାଜମଣି ପ୍ରମୁଖ ନିର୍ବାଚ଼ିତ ହୋଇଥିଲେ ।
 
ମାଡ୍ରାସ ବିଧାନ ପରିଷଦକୁ ୧୯୩୦ ନିର୍ବାଚନରେ ବ୍ରହ୍ମପୁରରୁ ପ୍ରତିନିଧିତ୍ୱ କରୁଥିବା ଏ. ପର୍ଶୁରାମ ପାତ୍ର ମାଡ୍ରାସ ପ୍ରଦେଶର ଶିକ୍ଷାମନ୍ତ୍ରୀ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ବିଶାଖପାଟଣାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଲ୍ଲେଖନୀୟ ଅବଦାନ । ଇଂଲିଶ ସରକାରଙ୍କ ଦ୍ୱାରା ଜାତୀୟସ୍ତରରେ କେନ୍ଦ୍ରୀୟ ବିଧାନ ପରିଷଦ ପୁର୍ନଗଠନ ଅବସରରେ ୧୯୩୪ରେ ଆୟୋଜିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭି.ଭି.ଗିରି ଗଞ୍ଜାମ-ବିଶାଖାପାଟଣା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ । ତେବେ କଂଗ୍ରେସର ବହୁ ନେତା ଇଂଲିଶ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ନିର୍ବାଚ଼ନରେ ଅଂଶଗ୍ରହଣକୁ ବିରୋଧ କରୁଥିଲେ ।
 
ବ୍ରହ୍ମପୁରର ରାଜନୀତିକ ନେତୃବର୍ଗ କଂଗ୍ରେସ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ହେଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରୁ ଓହରିଯାଇ ନଥିଲେ । କଲିକତାରେ ୧୯୨୮ରେ ଆୟୋଜିତ ସର୍ବଦଳୀୟ ସମ୍ମିଳନୀରେ ବିଶ୍ୱନାଥ ଦାସ, ନିରଞ୍ଜନ ପଟ୍ଟନାୟକ ଓ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ସ୍ୱତନ୍ତ୍ର ସିନ୍ଧୁ ପ୍ରଦେଶ  ଓ କର୍ଣ୍ଣାଟକ ଗଠନ ସଂକ୍ରାନ୍ତରେ ଆଲୋଚ଼ନା ହୋଇଥିଲେ ହେଁ ଓଡ଼ିଶା ସଂପର୍କରେ ଆଲୋଚ଼ନା ନିମନ୍ତେ ସମ୍ମିଳନୀରେ ଅଧକ୍ଷତା କରୁଥିବା ପଣ୍ଡିତ ମୋତିଲାଲ ନେହୁରୁ ଅନୁମତି ଦେଇ ନଥିବାରୁ ପ୍ରତିବାଦ କରିଥିଲେ । ଶଶିଭୂଷଣ ରଥ କଲିକତାରେ ବସବାସ କରୁଥିବା ବହୁ ସଂଖ୍ୟକ ଓଡିଆଙ୍କୁ ଏକତ୍ରୀତ କରାଇ ସମ୍ମିଳନୀ ମଣ୍ଡପକୁ ଘେରାଉ କଲେ । ଏହି ପରିସ୍ଥିତିରେ ଜବହାରଲାଲ ନେହୁରୁ ଓ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଆଙ୍କୁ ବୁଝାଇ ସୁଝାଇ ଶାନ୍ତ କରିଥିଲେ ଏବଂ ଶେଷରେ ସମ୍ମିଳନୀରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମସ୍ୟା ଆଲୋଚ଼ିତ ହୋଇଥିଲା ।

(ଅନୁପମ ଭାରତ / ୧୫ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)

Photo by Vivek Doshi on Unsplash

Friday, August 7, 2020

Berhampur in the Freedom Struggle / ସ୍ୱାଧୀନତା ସଂଗ୍ରାମରେ ବ୍ରହ୍ମପୁର



ଭାରତରେ ୧୯୨୦ରୁ କଂଗ୍ରେସ ପ୍ରବର୍ତ୍ତିତ ସ୍ୱାଧୀନତା ସଂଗ୍ରାମ ବହୁ ପୂର୍ବରୁ ବ୍ରହ୍ମପୁରରେ ଇଂଲିଶ ଶାସନ ପ୍ରତିରୋଧରେ ବିଦ୍ରୋହର ଦୃଷ୍ଟାନ୍ତ ଇତିହାସ ପୃଷ୍ଠାରେ ଦେଖିବାକୁ ମିଳେ । ଗଜପତି ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ପଞ୍ଚଦଶ ଶତାଦ୍ଦୀର ଶେଷ ଭାଗରେ ମହୁରି ରାଜ୍ୟ ପ୍ରତିଷ୍ଠିତ ହୋଇଥିଲା । ମହୁରି ରାଜବାଟୀ କେରାଣ୍ଡିମାଳ ପାଦଦେଶରେ ସହରତଳି ମହୁଡ଼ାରୁ ୧୬୬୨ ରୁ ୧୬୭୨ ମଧ୍ୟରେ ଅଧୁନା #ବ୍ରହ୍ମପୁର ବଡ଼ବଜାର ଛକ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥିଲା । ରାଜବାଟୀର ଚର୍ତୁଦିଗରେ ମଠ ମନ୍ଦିର ସାଙ୍ଗକୁ ଜନବସତି ଗଢ଼ି ବ୍ରହ୍ମପୁର ସହରର କ୍ରମବିକାଶ ଘଟିଥିଲା

ମହୁରି ରାଜ୍ୟ ୧୫୭୧ରୁ ୧୬୬୭ ଯାଏଁ ଗୋଲକୋଣ୍ଡା ମୁସଲମାନ, ୧୬୬୭ ରୁ ୧୭୫୩ ଯାଏଁ ହାଇଦରାବାଦ ନିଜାମ, ୧୭୫୩ ରୁ ୧୭୫୯ ଯାଏଁ ଫରାସୀ ଶାସନ ଏବଂ ତତ୍ ପରେ ଇଂଲିଶ ଶାସନାଧିନ ରହିଥିଲା । ମହୁରି ରାଜପରିବାର ଇଂଲିଶ ଶାସକମାନଙ୍କୁ ନିର୍ଦ୍ଧାରିତ କର ଦେଇ ରାଜ୍ୟ ଶାସନ କରୁଥିଲେ । ତେବେ କର ପ୍ରଦାନରେ ବାରମ୍ୱାର ଅନିୟମିତତା ହେତୁ ୧୮୫୦ରେ ମହୁରି ରାଜ୍ୟକୁ ସରକାର ବାଜ୍ୟାପ୍ତ କରି ନିଜେ ଶାସନଭାର ଗ୍ରହଣ କରିଥିଲେ ।

ମହୁରି ରାଜପରିବାରରେ କନ୍ଦଳ ଅବସରରେ ଇଂଲିଶ ଶାସକମାନଙ୍କ ନୀତିନିର୍ଦ୍ଧାରଣକୁ କେନ୍ଦ୍ର କରି ଅଷ୍ଟାଦଶ ଶତାଦ୍ଦୀର ଶେଷ ଭାଗରେ ବ୍ରହ୍ମପୁରରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ମହୁରି ରାଜ୍ୟର ପାଇକମାନେ ଇଂଲିଶ ଶାସକଙ୍କ ବିରୁଦ୍ଧରେ ୧୭୮୯, ୧୮୧୦ ଓ ୧୮୩୦ ବେଳକୁ କିଛି କାଳ ବିଦ୍ରୋହ କରିଥିଲେ । ଏହାର ପ୍ରତିକାର ନିମନ୍ତେ ମହୁରି ରାଜ୍ୟରେ ଇଂଲିଶ ଶାସକଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ସୈନ୍ୟ ଛାଉଣୀ ଅବସ୍ଥାପନ କରାଯାଇଥିଲା ।

ଜାତୀୟସ୍ତରରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ପୂର୍ବରୁ ୧୮୮୫ରେ ବମ୍ୱେଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନରେ ବ୍ରହ୍ମପୁର ବାସିନ୍ଦା ଜଣେ ତାମିଲ ଓକିଲ ଯୋଗ ଦେଇଥିଲେ । ୧୮୮୬ରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ବ୍ରହ୍ମପୁର ଜଣେ ତେଲୁଗୁ ଆଇନଜୀବୀ ଓ ଜଣେ ମୁସଲମାନ ନେତା ଯୋଗ ଦେଇଥିବା ଜଣାଯାଏ୧୯୨୦ ରୁ ୧୯୨୨ ମଧ୍ୟରେ ଅସହଯୋଗ ଆନ୍ଦୋଳନର ପ୍ରଥମ ପାଦରେ ବ୍ରହ୍ମପୁରରେ ତନାଘନା ଦେଖା ଦେଇଥିଲା । ମହାତ୍ମାଗାନ୍ଧୀ ୧୯୨୧ରେ ପ୍ରଥମ ଥର ଏବଂ ୧୯୨୭ରେ ଦ୍ୱିତୀୟ ଥର ଆନ୍ଦୋଳନର ବାର୍ତ୍ତା ପ୍ରଚାର ନିମନ୍ତେ ପହଞ୍ଚିଥିଲେ । ସେହିପରି ୧୯୩୬ରେ ଜବହରଲାଲ ନେହୁରୁ ଏବଂ ୧୯୩୭ରେ ସୁଭାଷଚନ୍ଦ୍ର ବୋଷ ବ୍ରହ୍ମପୁର ଗସ୍ତରେ ଆସିଥିଲେ ।

ଦକ୍ଷିଣ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଆୟୋଜନରେ ବ୍ରହ୍ମପୁର କେନ୍ଦ୍ରସ୍ଥଳ ରୂପେ ପରିଗଣିତ ହେଉଥିଲା । ଉତ୍ତରରେ କଟକ, କଲିକତା ଓ  ଦକ୍ଷିଣରେ ହାଇଦରାବାଦ, ମାଡ୍ରାସ ସହ ରେଳ ଯୋଗାଯୋଗର ସୁବିଧାଥିବା ହେତୁ ଜାତୀୟସ୍ତରର ନେତୃବର୍ଗ ସହରରେ ପହଞ୍ଚି ପାରୁଥିଲେ । ବ୍ରହ୍ମପୁରରେ ଟାଉନହଲ, ବାରାକ୍ସ ଗ୍ରାଉଣ୍ଡ ଓ ସେଣ୍ଟ୍ରାଲ ଜେଲ ସ୍ୱାଧୀନତା ସଂଗ୍ରାମର ମୂକ ସାକ୍ଷୀ ।

ଖଲ୍ଲିକୋଟ କଲେଜ ଠାରୁ ପେଟ୍ରୋଲ ପମ୍ପ ଛକ ଯାଏଁ କଲ୍ୟାଣ ମଣ୍ଡପ, ଗେଷ୍ଟ ହାଉସକୁ ନେଇ ତତକାଳୀନ ଟାଉନ ହଲର ପରିସୀମା ବ୍ୟାପ୍ତ ଥିଲା । ପ୍ରାୟ ଦେଢ଼ ଶହ ଶ୍ରୋତା, ଦର୍ଶକଙ୍କ ପାଇଁ ନିର୍ମିତ ଏହି ପ୍ରେକ୍ଷାଳୟକୁ ଘେରି ଏକ ପାର୍କ ଓ ପାଠାଗାର ଚାଲୁଥିଲା । ଖଲ୍ଲିକୋଟ ମହାରାଜାଙ୍କ ଶାସନର ହୀରକ ଜୟନ୍ତୀ ଅବସରରେ ଦାନସୂତ୍ରରେ ଅର୍ପିତ ଏହି ସମ୍ପତ୍ତି ପୌରପାଳିକା ପରିଚାଳନା କରୁଥିଲେ । ବିଂଶ ଶତାଦ୍ଦୀର ଶେଷ ଦଶକର ଉତ୍ତରାର୍ଦ୍ଧ ଯାଏଁ ସ୍ୱଳ୍ପ ବ୍ୟୟରେ ସଭାସମିତି ଆୟୋଜନ ନିମନ୍ତେ ଟାଉନହଲ ହିଁ ଏକ ପ୍ରକୃଷ୍ଟ କ୍ଷେତ୍ର ପରିଗଣିତ ହେଉଥିଲା । ସହରରେ ସଂଗଠିତ ସମସ୍ତ ଆନ୍ଦୋଳନର ଯୋଜନା ପ୍ରଣୟନ ଟାଉନହଲରେ ହିଁ କେନ୍ଦ୍ରୀଭୂତ ଥିବା ସ୍ଥଳେ ଏହାର ନବୀକରଣ ଓ ବହୁମୂଲ୍ୟ ଭଡ଼ା କାରଣରୁ ବର୍ତ୍ତମାନ ଦୁଇ ଦଶନ୍ଧି ଧରି ରାଜନୀତିଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ନାଟକ ଯାଏଁ ସମସ୍ତ ଆୟୋଜନକୁ ଦୂରେଇ ଦେଇଛି ।

ସେହିପରି ସହରର କେନ୍ଦ୍ରସ୍ଥଳ ବାରାକ୍ସ ଗ୍ରାଉଣ୍ଡରେ ମହାତ୍ମା ଗାନ୍ଧୀ, ଜବହରଲାଲ ନେହୁରୁ ଉଦବୋଧନ ଦେଇଥିବା ସ୍ମୃତିସ୍ଥଳ ବର୍ତ୍ତମାନ ସ୍ପୋର୍ଟ ହେଷ୍ଟେଲ ନାମରେ ଦୁଇ ଡ଼ଜନ ଛାତ୍ରଛାତ୍ରୀଙ୍କ ରହଣୀ ଓ ଅଭ୍ୟାସ ପାଇଁ ବ୍ୟବହୃତ ହେଉଛି । ଉଭୟ ଟାଉନ ହଲ ଓ ଷ୍ଟଡ଼ିୟମ ସାର୍ବଜନୀନ କାର୍ଯ୍ୟକ୍ରମ ନିମନ୍ତେ ବର୍ଷରେ ଥରେ ଅଧେ ଖୋଲୁଛି । ଜନନାୟକମାନଙ୍କ ଅପରିଣାମଦର୍ଶୀ ସୀମିତ ଦୃଷ୍ଟିକୋଣ ଜାତୀୟ ସମ୍ପତ୍ତିଗୁଡ଼ିକୁ କିପରି ଛାରଖାର କରିପକାଏ ଏହି ଦୁଇ ଅନୁଷ୍ଠାନ ତାହା ପ୍ରମାଣିତ କରିଥାଏ । ଏତେ ବଡ଼ ଟାଉନହଲ ଗଢ଼ି ତାହାକୁ ଟାଉନହଲରୂପେ ବ୍ୟବହାରରୁ ଦୂରେଇ ନେବା ତଥା ସହରର କେନ୍ଦ୍ର ସ୍ଥଳରେ ଷ୍ଟାଡ଼ିୟମ ଗଢ଼ି ତାକୁ ତାଲାମାରି ବନ୍ଦ ରଖିବାରେ ଜନହିତ ସାବ୍ୟସ୍ତ ହୋଇପାରୁନାହିଁ ।

ସହରର ସ୍ୱାଧୀନତା ସଂଗ୍ରାମରେ ଲିପ୍ତ ଅନ୍ୟ ଦୁଇ କର୍ମକ୍ଷେତ୍ର ଉତ୍କଳ ଆଶ୍ରମ ଓ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜର ଦଶା ପ୍ରାୟ ସେହି ଦିଗରେ ମୁହାଁଇଛି । ବର୍ତ୍ତମାନ ବ୍ରହ୍ମପୁରରେ ବିକଳ୍ପ ଚିନ୍ତନ ନିମନ୍ତେ ମିଳନ ସ୍ଥଳ ଅଭାବ । ହୁଏତ ଭବିଷ୍ୟତରେ ସହରରେ କୌଣସି ଗଣସଂଗ୍ରାମର କଣ୍ଠରୋଧ କରିବା ନିମନ୍ତେ ଏହି ଧରଣ ନବୀକରଣ ଷଡ଼ଯନ୍ତ୍ର ପ୍ରତୀୟମାନ ହୋଇଥାଏ !

ବ୍ରହ୍ମପୁର କେନ୍ଦ୍ରୀୟ ଜେଲରେ ଓଡ଼ିଶାର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଊଣାଅଧିକେ କିଛି କିଛି ଦିନ କାଟିଛନ୍ତି । ଏପରିକି ରାଜ୍ୟବାହାର ବିଭିନ୍ନ ଅଞ୍ଚଳରୁ ରାଜବନ୍ଦୀମାନଙ୍କୁ ଦଣ୍ଡାଦେଶ ଭୋଗ କରିବା ନିମନ୍ତେ ଏଠାକୁ ପଠାଯାଉଥିଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନର ଅନ୍ୟତମ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର କେନ୍ଦ୍ରୀୟ ଜେଲରେ ଫାଶୀ ଦିଆଯାଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ବ୍ରହ୍ମପୁରର ଯୋଗଦାନର ତାହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ।

(ଅନୁପମ ଭାରତ / ୦୮ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)

Virtual Rakhi / ଭର୍ଚୁଆଲ ରାକ୍ଷୀ



ମହାମାରୀ ପ୍ରଭାବରେ ଗୁରୁତ୍ୱ ହରାଉଥିବା ହିନ୍ଦୁ ଧାର୍ମିକ ଓ ସାମାଜିକ ଉତ୍ସବାନୁଷ୍ଠାନଗୁଡ଼ିକ ମଧ୍ୟରେ ୨୦୨୦ର ରାକ୍ଷୀପୂର୍ଣ୍ଣିମା ସାମିଲ ହେବ । #ବ୍ରହ୍ମପୁରରେ ଗହ୍ମାପୂର୍ଣ୍ଣିମା ପାଳନ ଦେବାଳୟଗୁଡ଼ିକରେ ପୂଜାର୍ଚ୍ଚନା ସାଙ୍ଗକୁ ପାରିବାରିକସ୍ତରରେ ତିନିଗୋଟି ବୈଶିଷ୍ଟ୍ୟ ଯୋଡ଼ି ହୋଇ ଥାଏ – ଗହ୍ମା ଡିଆଁ, ରାକ୍ଷୀ ବନ୍ଧନ ଏବଂ ଘରେ ଘରେ ପିଠିପଣାର ଆସର ।

ସହରରେ ଅତୀତରେ ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ତେଲୁଗୁ ଭାଷାଭାଷୀ ସମୃଦ୍ଧ ଥିଲା । ଐତିହାସିକ ସତ୍ୟନାରାୟଣ ରାଜଗୁରୁ ଭାରତୀୟ ଜନସୁମାରୀରୁ ତଥ୍ୟ ଉଦ୍ଧାର କରି ଗଞ୍ଜାମ ଐତିହ୍ୟ ପ୍ରବନ୍ଧରେ ବ୍ରହ୍ମପୁରରେ ପ୍ରତି ଦଶ ହଜାର ଲୋକସଂଖ୍ୟାରେ ୧୯୨୧ରେ ଓଡ଼ିଆମାନଙ୍କ ସଂଖ୍ୟା ୫,୦୭୬ ଥିବା ସ୍ଥଳେ ତେଲୁଗୁ ଭାଷା ଭାଷୀଙ୍କ ସଂଖ୍ୟା ୪,୫୪୮ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ଏଠାକାର ଧାର୍ମିକ ଓ ସାମାଜିକ ଜୀବନରେ ଦକ୍ଷିଣାତ୍ୟ ପ୍ରଭାବ ସ୍ୱଷ୍ଟ ବାରି ହୁଏ ।

ବ୍ରହ୍ମପୁରରେ ପାରମ୍ପରିକ ଭାବେ ତେଲୁଗୁ ସଂସ୍କୃତି ବାହକ ଗହ୍ମାଡ଼ିଆଁ ଲାଞ୍ଜିପଲ୍ଲୀ, କମାପଲ୍ଲୀ, ବିଜିପୁର, ଗୋଲାପଲ୍ଲୀ, ଭାପୁର, ସାନବଜାର, ବଡ଼ବଜାର, ପୁରୁଣା ବ୍ରହ୍ମପୁର ଠାରୁ ହରିଡ଼ାଖଣ୍ଡି ଯାଏଁ ସର୍ବତ୍ର ପାଳିତ ହେଉଥିଲା । ସହରର ମୁଖ୍ୟ ରାସ୍ତକଡ଼ ଖୋଲା ସ୍ଥାନମାନଙ୍କରେ ପଥର ଓ ଘାସ ଚେକିରେ ନିର୍ମିତ ଅସ୍ଥାୟୀ କ୍ରମସୁଉଚ୍ଚ ରାମ୍ପ ଉପରେ କ୍ରୀଡ଼ାବିତମାନେ ଦୌଡ଼ି ଲମ୍ପପ୍ରଦାନ ପୂର୍ବକ ଅନ୍ୟୂନ ୧୨ ରୁ ୧୫ ଫୁଟ ଉଚ୍ଚରେ ବାଉଁଶଭାଡ଼ିରେ ଲଟକା ଯାଇଥିବା ନଡ଼ିଆ ବା ମକାକୁ ଛୁଇଁବାକୁ ଚେଷ୍ଟା କରନ୍ତି ।

ଏହି ଖେଳରେ ପ୍ରତିଯୋଗୀମାନଙ୍କ ଉଭୟ ହାଇ-ଜମ୍ପ ଓ ଲଙ୍ଗ-ଜମ୍ପର ପରାକାଷ୍ଠା ପ୍ରତିପାଦିତ ହୁଏ । ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥାଏ । ଆଡ଼ମ୍ୱର ସହକାରେ ପାଳିତ ଗହ୍ମା ଡିଆଁରେ ଚାଙ୍ଗୁ ବାଦ୍ୟ ବାଦନର ମଧ୍ୟ ବ୍ୟବସ୍ଥା ରହୁଥିଲା । ତେବେ ସମୟକ୍ରମେ ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁରରେ ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପରିବାର ବର୍ଗ ଏଠାରେ ସ୍ଥାୟୀଭାବେ ବସବାସ ଆରମ୍ଭ କରିବା ପରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟାବୃଦ୍ଧି ଅବସରରେ ଗହ୍ମାଡ଼ିଆଁ କ୍ରୀଡ଼ା ଆୟୋଜନ ଆଙ୍ଗୁଠି ଗଣତି ସଂଖ୍ୟାକୁ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଏ ।

ବ୍ରହ୍ମପୁରରେ ରାକ୍ଷୀ ବନ୍ଧନ ବିଗତ ଅର୍ଦ୍ଧ ଶତାଦ୍ଦୀର ପରମ୍ପରା । ବିଗତ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ ହିନ୍ଦି ଚଳଚ଼ିତ୍ର ସହରର ସାମାଜିକ ଜୀବନକୁ ପ୍ରଭାବିତ କରିଥିବା ଅବସରରେ ସପ୍ତମ ଦଶକ ବେଳକୁ ଉତ୍ତର-ଭାରତରେ ପ୍ରସିଦ୍ଧ ରାକ୍ଷୀବନ୍ଧନ ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲା । ରାକ୍ଷୀବନ୍ଧନ ଭ୍ରାତା ଓ ଭଗନୀଙ୍କ ସୌହାଦ୍ଦ୍ୟପୂର୍ଣ୍ଣ ଦୃଶ୍ୟାବଳୀକୁ ନେଇ ଚିତ୍ରିତ ଅଗଣିତ ହିନ୍ଦି ଚଳଚିତ୍ର ଗୀତ, ଟେଲିଭିଜନ ସିରିଆଲ ସାଙ୍ଗକୁ ଦୋକାନବଜାରରେ ରାକ୍ଷୀର ପସରା ରାକ୍ଷୀ ପରମ୍ପରା ପ୍ରସାରରେ ସହାୟକ ହୋଇଥିଲା ।

ଗହ୍ମାପୂର୍ଣ୍ଣିମା ଓଡ଼ିଶାର ଗ୍ରାମାଞ୍ଚଳରେ ଏକ କୃଷିଭିତ୍ତିକ ପର୍ବ । ଭଗବାନ ବଳଭଦ୍ରଙ୍କ ଜନ୍ମଦିନରେ ଲଙ୍ଗଳ ଓ ବଳଦଙ୍କୁ ବନ୍ଦାପନା କରାଯାଏ । ପାରମ୍ପରିକ ଭାବେ ପିଠାପଣା ହୁଏ । ସହରରେ ରାକ୍ଷୀବନ୍ଧନ ଲୋକାଦୃତ ହେବା ପରେ ପରେ ମିଷ୍ଟାନ୍ନ ଦୋକାନଗୁଡ଼ିକର ବ୍ୟବସାୟ ବଢ଼ିଥିଲା । କ୍ୟାଲେଣ୍ଡରରେ ରାକ୍ଷୀର ତାରିଖକୁ ବିଶେଷକରି ଶିଶୁ ଓ କିଶୋରବର୍ଗ ଅପେକ୍ଷା କରିବସୁଥିଲେ ।

ମହାମାରୀ ପ୍ରଭାବରେ ଏଥରକ ବ୍ରହ୍ମପୁରରେ ଗହ୍ମାଡିଆଁ ଆୟୋଜନର ପ୍ରଶ୍ନ ନାହିଁ । କିନ୍ତୁ ରାକ୍ଷୀବନ୍ଧନ ପାରିବାରିକ ପରିବେଶରେ ପାଳିତ ହେଉଥିବା ହେତୁ ବାରଣ ନାହିଁ । ଅଗଷ୍ଟ ପହିଲାରେ ଅନଲକ ୩.୦ପରେ ତିନି ଦିନ ସହରର ଦୋକାନ ବଜାରରେ ସୀମିତ ମାତ୍ରାରେ ରାକ୍ଷୀ ବିକ୍ରୀର ସୁଯୋଗ ସୃଷ୍ଟି ହୋଇପାରେ । ତେବେ ଦୂରସଂପର୍କୀୟମାନଙ୍କୁ ଚଳିତ ବର୍ଷ ଗମନାଗମନ ଓ ଦୂରାବସ୍ଥାନ କଟକଣା କାରଣରୁ ଭର୍ଚୁଆଲ ପରିବେଶରେ ସୀମିତ ରହିବାକୁ ପଡ଼ିବ । ଭିଡ଼ିଓ କଲ ଓ ୟୁଟ୍ୟୁବ ପୁରୁଣା ହିନ୍ଦି ଚଳଚ଼ିତ୍ର ଗୀତରେ ରାକ୍ଷୀ ଉତ୍ସବ ପାଳନର ଏକ ନୂତନ ପରମ୍ପରାର ଅୟମାରମ୍ଭ ହେବ !

(‘ଅନୁପମ ଭାରତ / ୦୧ ଅଗଷ୍ଟ ୨୦୨୦/ ପୃଷ୍ଠା : ୨)