Friday, January 29, 2021

Social Media / ସୋସିଆଲ ମିଡ଼ିଆ




କୋଭିଡ଼-୧୯ ମହାମାରୀଜନିତ ଜନପଦ ବନ୍ଦ ଲକଡ଼ାଉନ ପରିବେଶରେ ଭାରତୀୟ ସାମାଜିକ ଆଙ୍ଗିକରେ ସଂଘଠିତ ବିଭିନ୍ନ ପରିବର୍ତ୍ତନ ମଧ୍ୟରେ ଜନସାଧାରଣଙ୍କ ସ୍ମାର୍ଟଫୋନ ବ୍ୟବହାର ସମୟ ଅବଧି ବୃଦ୍ଧି ଅନ୍ୟତମ ଉଲ୍ଲେଖନୀୟ ବିଷୟ । ଏକ ଖ୍ୟାତନାମା ଗବେଷଣା ସଂସ୍ଥା ପକ୍ଷରୁ ପ୍ରକାଶିତ ବିବରଣୀ ଅନୁଯାୟୀ ୨୦୨୦ରେ ଏଠାକାର ସ୍ମାର୍ଟଫୋନ ଉପଭୋକ୍ତାମାନେ ହାରାହାରି ଦୈନିକ ଚାରିଘଣ୍ଟା ୩୬ ମିନଟ ଯାଏଁ ମୋବାଇଲ ବ୍ୟବହାର କରୁଥିଲେ ।

 

ମହାମାରୀରେ ଦୀର୍ଘ ସମୟ ବ୍ୟାପୀ ଗୃହାବଦ୍ଧ ତଥା ସଂକ୍ରମଣ ଭୟରେ ଶାରିରୀକ ଦୂରତ୍ୱ ବଜାୟ ରଖିବା ଅଭ୍ୟାସରେ ମୋବାଇଲ ଫୋନରେ କଥାବାର୍ତ୍ତା ସାଙ୍ଗକୁ ବାଣିଜ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଶାସନ ଓ ମନୋରଞ୍ଜନ ଇତ୍ୟାଦି ଯୋଡ଼ି ହୋଇଯିବା ଯୋଗୁଁ ବ୍ୟବହାର ବୃଦ୍ଧି ପାଇଥିବା ମୁଖ୍ୟ କାରଣ ରୂପେ ଧରି ନିଆଯାଏ । ହିସାବ ଅନୁଯାୟୀ ୨୦୧୯ ସୁଦ୍ଧା ଉପଭୋକ୍ତା ପିଚ୍ଛା ହାରାହାରି ଦୈନିକ ତିନିଘଣ୍ଟା ୧୮ ମିନଟ ଥିବା ସ୍ଥଳେ ୨୦୨୦ରେ ବାର୍ଷିକଭିତ୍ତିରେ ୩୯ ପ୍ରତିଶତ ବୃଦ୍ଧି ପାଇଥିଲା ।

 

ଭାରତରେ ଫେସବୁକ ଓ ହ୍ୱାଟସଆପ ସର୍ବାଧିକ ବ୍ୟବହୃତ ସୋସିଆଲ ମିଡ଼ିଆ ଆପ୍ଲିକେସନ । ପ୍ରତ୍ୟେକ ଉପଭୋକ୍ତା ହାରାହାରି ମାସିକ ୨୧ ଘଣ୍ଟା ୧୮ ମିନଟ ଯାଏଁ ଏହି ଦୁଇ ଆପରେ ସମୟ ବିନିଯୋଗ କରିଥାନ୍ତି । ଫେସବୁକ ବ୍ୟବହାର ୨୦୧୯ ତୁଳନାରେ ୨୦୨୦ରେ ୧୫ ପ୍ରତିଶତ ଏବଂ ହ୍ୱାଟସଆପ ୨୫ ପ୍ରତିଶତ ବୃଦ୍ଧି ପାଇଥିଲା ।

 

ଜାତୀୟସ୍ତରରେ ଦୀର୍ଘ ସମୟଧରି ସ୍ମାର୍ଟଫୋନ ବ୍ୟବହାର ଓ ସୋସିଆଲ ମିଡ଼ିଆରେ ଉପସ୍ଥିତି ଊଣାଅଧିକେ #ବ୍ରହ୍ମପୁର ସହରବାସୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତରେ ପ୍ରାୟ ୫୨ କୋଟି ସ୍ମାର୍ଟଫୋନ ଉପଭୋକ୍ତା ଗଣତି କରାଯାଏ । ସହରାଞ୍ଚଳରେ ୪୨ ପ୍ରତିଶତ ଯାଏଁ ପରିବାର ଇଣ୍ଟରନେଟ ସଂଯୁକ୍ତଥିବା ତଥା ୩୦ରୁ ୩୫ ପ୍ରତିଶତ ଜନସାଧାରଣ ସ୍ମାର୍ଟଫୋନ ବ୍ୟବହାର କରୁଥିବା ହିସାବକୁ ବିଚାରକୁ ନେଲେ ବ୍ରହ୍ମପୁରରେ ଏକଲକ୍ଷ ୩୫ ହଜାରରୁ ୪୨ ହଜାର ଯାଏଁ ସ୍ମାର୍ଟଫୋନ ଉପଭୋକ୍ତା ଆକଳନ କରାଯାଇପାରେ । ସେମାନଙ୍କ ମଧ୍ୟରୁ ପ୍ରାୟ ଅଶୀ ପ୍ରତିଶତ ନିୟମିତ ସୋସିଆଲ ମିଡ଼ିଆ ବ୍ୟବହାର କରୁଥିବା ତଥ୍ୟରୁ ବ୍ରହ୍ମପୁରରେ ମାସିକଭିତ୍ତିରେ ସକ୍ରିୟ ମନଥିଲି ଏକ୍ଟିଭଙ୍କ ସଂଖ୍ୟା ଏକ ଲକ୍ଷ ପାଞ୍ଚ ହଜାରରୁ ଏକ ଲକ୍ଷ ବାର ହଜାର ।

 

ଅର୍ଥାତ ସହରର ଏକ ଚତୁର୍ଥାଂଶ ନାଗରିକଙ୍କ ସହ ସୋସିଆଲ ମିଡ଼ିଆ ଦ୍ୱାରା ସୂଚନା, ସମ୍ୱାଦ ଓ ଅଭିମତ ଆଦାନ ପ୍ରଦାନ ସଂଭବ । ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ମଧ୍ୟରେ ଟେଲିଭିଜନ ସହରର ୯୦ ପ୍ରତିଶତରୁ ଅଧିକ ପରିବାରଙ୍କଠାରେ ପହଞ୍ଚି ସାରିଥିବା ସ୍ଥଳେ ସୋସିଆଲ ମିଡ଼ିଆ ଯୋଗାଯୋଗ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଅବତୀର୍ଣ୍ଣଜନଗଣନାରେ ୬୦ ପ୍ରତିଶତ ୩୫ ବର୍ଷରୁ କମ ବୟସ୍କ ପର୍ଯ୍ୟାୟଭୁକ୍ତ ତଥା ଯୁବବର୍ଗ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆରେ ଅଧିକମାତ୍ରାରେ ସଂଯୁକ୍ତ ରହୁଥିବା ହେତୁ ସହରର ସାମୂହିକ ବିକାଶ ନିମନ୍ତେ ସକଳ କାର୍ଯ୍ୟକ୍ରମରେ କ୍ରମଶଃ ସୋସିଆଲ ମିଡ଼ିଆ ମଞ୍ଚର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡୁଥିବା ବିଚାର କରାଯାଇପାରେ ।

 

ସହରର ପରିମଳରକ୍ଷା, ପରିବେଶ ସଂରକ୍ଷଣ, ପୌରସେବା, ପ୍ରଶାସନ ଓ ସୁରକ୍ଷାଜନିତ କାର୍ଯ୍ୟକ୍ରମମାନ ପରିଚାଳନା କ୍ଷେତ୍ରରେ ସୂଚନା ପ୍ରସାରଣ ଓ ପାରସ୍ପରିକ ଯୋଗାଯୋଗ ଅପରିହାର୍ଯ୍ୟ । ବାଣିଜ୍ୟ କ୍ଷେତ୍ରରେ ଇ-କମର୍ସ ମଞ୍ଚଗୁଡ଼ିକ ସ୍ମାର୍ଟଫୋନ ଓ ସୋସିଆଲ ମିଡ଼ିଆ ବ୍ୟବହାରରେ ଆଗୁଆ ରହି ଥିବା ସ୍ଥଳେ ସରକାରଙ୍କ ପ୍ରଶାସନିକ କାର୍ଯ୍ୟାବଳୀ ମଧ୍ୟ କ୍ରମଶଃ ଅନଲାଇନ ପରିବେଶରେ ପହଞ୍ଚିଲାଣି । ତେବେ କ୍ଷୋଭର ବିଷୟ ଏହିଯେ ସାମାଜିକ ସଂଗଠନ ଓ ସ୍ୱେଚ୍ଛାସେବା କ୍ଷେତ୍ରରେ ସୋସିଆଲ ମିଡ଼ିଆ ଉପଯୋଗର ଉଦାହରଣ ପ୍ରାୟତଃ ବିରଳ । ସାଧାରଣ ଜୀବନଯାତ୍ରାରେ ପାରସ୍ପରିକ ସାହାଯ୍ୟ-ସହଯୋଗ ଓ ସାମୂହିକ ସାଂଗଠିନକ ଉଦ୍ୟମ ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ଥିବା ସ୍ଥଳେ ସମକାଳୀନ ସହରୀଜୀବନରେ ସେଥିପ୍ରତି ଆମେ ଅଗ୍ରାଧିକାର ଦେଇ ପାରୁନଥିବା ସାମାଜିକ ତୃଟି ରୂପେ ବିଚାର କରାଯାଇପାରେ ।

 

ସ୍ମାର୍ଟଫୋନରେ ପ୍ରତ୍ୟେକ ଉପଭୋକ୍ତା ୨୦୨୦ ବର୍ଷକ ମଧ୍ୟରେ ହାରାହାରି ପ୍ରାୟ ଦୁଇ ମାସ ନଅ ଦିନ କଟାଇଥିବା ଏବଂ ସେଥିମଧ୍ୟରୁ ବହୁ ସମୟ ସୋସିଆଲ ମିଡ଼ିଆରେ ଉପସ୍ଥିତ ରହିଥିବା ପରିସଂଖ୍ୟାନ ପରିବର୍ତ୍ତିତ ପରିସ୍ଥିତିରେ ଜନଜୀବନକୁ ମୋବାଇଲ ପ୍ରଭାବିତ କରୁଥିବା ସୁସ୍ପଷ୍ଟ । ସୋସିଆଲ ମିଡ଼ିଆର ସମୁଚିତ ଉପଯୋଗରେ ସହରର ସାମାଜିକ ଜୀବନ ପରିପୁଷ୍ଠ କରାଇବା ଦିଗରେ ସର୍ଜନଶୀଳ ପ୍ରକଳ୍ପମାନ ପ୍ରଯୋଜନା ସମୟର ଆହ୍ୱାନ ।


(ଅନୁପମ ଭାରତ / ୩୦ ଜାନୁୟାରୀ ୨୦୨୧/ ପୃଷ୍ଠା : ୮)


Illustration : "Social Media" by magicatwork is licensed under CC BY 2.0

Friday, January 22, 2021

Mahuri Gada / ମହୁରି ଗଡ଼




#ବ୍ରହ୍ମପୁର ମହୁରି ରାଜ୍ୟର ନୂତନ ରାଜଧାନୀ ରୂପେ ସପ୍ତଦଶ ଶତାଦ୍ଦୀର ଶେଷଭାଗରେ ବିକଶିତ ହେବା ପୂର୍ବରୁ ମହୁରି ଗଡ଼ରେ ରାଜପରିବାର ବସବାସ କରୁଥିଲେ । ସେଠାରେ ରାଜଉଆସ ପ୍ରତିଷ୍ଠିତ ହୋଇଥିଲା । ଅଧୁନା ବ୍ରହ୍ମପୁର ସହରଠାରୁ ୧୦ କିଲୋମିଟର ଦୂରରେ ବ୍ରହ୍ମପୁର-ଚିକିଟି ରାଜ୍ୟ ରାଜ୍ୟପଥ ନଂ ୨୨ କଙ୍କିଆ ଗ୍ରାମ ଛକଠାରୁ ଦୁଇ କିଲୋମିଟର ଦୂରବର୍ତ୍ତୀ କେରାଣ୍ଡିମାଳ ପର୍ବତ-ମାଳାର ପାଦ ଦେଶରେ ମହୁରି ଗଡ଼ ଅବସ୍ଥିତ । ରାଜଉଆସ ଉଠିଯିବା ସମୟରୁ ଅଞ୍ଚଳଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହି ଆସିଛି ।

 

ମହୁରି ରାଜ୍ୟ ପଞ୍ଚଦଶ ଶତାଦ୍ଦୀର ଶେଷଭାଗରେ ପ୍ରତିଷ୍ଠିତ ହୋଇଥିବା ଇତିହାସ ପୃଷ୍ଠାରୁ ଜଣାଯାଏ । ପୁରୀ ଗଜପତି ପୁରୁଷୋତ୍ତମ ଦେବଙ୍କ ଦାକ୍ଷିଣାତ୍ୟ ଅଭିଯାନରେ ସୋମରାଜା ଓ ଭୀମରାଜା ନାମକ ଦୁଇ ଭାଇ ସର୍ଦ୍ଦାର ରୂପେ ସେନାବାହିନୀରେ ସାମିଲ ହୋଇଥିଲେ । ବିଜୟଲାଭପୂର୍ବକ ପ୍ରତ୍ୟାବର୍ତ୍ତନ କାଳରେ ଗଜପତି ବାହୁଦାଠାରୁ ଋଷିକୂଲ୍ୟ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳର ଶାସନଭାର ବଡ଼ ଭାଇ ସୋମରାଜାଙ୍କୁ ଅର୍ପଣ କରିଥିଲେ । ସୋମରାଜାଙ୍କ ବୀରତ୍ୱ ବ୍ୟତୀତ ମହୁରି ବାଦକଭାବେ ଖ୍ୟାତି ଥିଲା । ତଦ ଅନୁଯାୟୀ ରାଜ୍ୟର ନାମ ମହୁରି ନାମିତ ହୋଇଥିବା କୁହାଯାଏ ।

 

ଦାକ୍ଷିଣାତ୍ୟ ଅଭିଯାନରୁ ପୁରୁଷୋତ୍ତମ ଦେବଙ୍କ ପ୍ରତ୍ୟାବର୍ତ୍ତନ କାଳରେ ବାହୁଦା ଓ ଋଷିକୂଲ୍ୟା ନଦୀତଟରେ ରାତିଟିଏ ଲେଖା ବିତାଇଥିବା ଜନଶୃତି ପ୍ରଚଳିତ । ବାହୁଦା ନିକଟବର୍ତ୍ତୀ ପଞ୍ଚମାଠାରେ କାଞ୍ଚି ଜୟକରି ସାଥିରେ ଆଣିଥିବା ସିଦ୍ଧ ବିନାୟକ ପୁନଃ ପ୍ରତିଷ୍ଠା କରିଥିବା ସ୍ଥଳେ ଋଷିକୂଲ୍ୟା ନଦୀକୂଳବର୍ତ୍ତୀ ତାରାତାରିଣୀ ପୀଠ ନିକଟରେ ଏକ ଗ୍ରାମ ତାଙ୍କରି ନାମ ଅନୁଯାୟୀ ପୁରୁଷୋତ୍ତମପୁର ନାମିତ ହୋଇଥିବା ବିଶ୍ୱାସ କରାଯାଏ ।

 

କେରାଣ୍ଡିମାଳ ପର୍ବତମାଳା ପାଦ ଦେଶରେ ସୋମରାଜା ଏକ ଗଡ଼ ବା ଦୁର୍ଗ ନିର୍ମାଣ କରି ବସବାସ କରୁଥିଲେ । ଷଷ୍ଠଦଶ ଶତାଦ୍ଦୀ ପ୍ରଥମାର୍ଦ୍ଧରୁ ସପ୍ତଦଶ ଶତାଦ୍ଦୀ ଶେଷାର୍ଦ୍ଧ ଯାଏଁ ପ୍ରାୟ ଦେଢ଼ ଶହ ବର୍ଷ ମହୁରିଗଡ଼ ମହୁରି ରାଜପରିବାରଙ୍କ ଉଆସ ରୂପେ ବ୍ୟବହୃତ ହେଉଥିଲା । ସୋମରାଜାଙ୍କ ପୁତ୍ର ପୁରୁଷୋତ୍ତମ ଏବଂ ପୁରୁଷୋତ୍ତମଙ୍କ ଦୁଇପୁତ୍ର ଶୈବ ନରେନ୍ଦ୍ର ଓ ଧୃବସିଂହ ଛୋଟରାୟ । ଧୃବସିଂହଙ୍କ ପୁତ୍ର ରଘୁନାଥ ନରେନ୍ଦ୍ର ବଂଶଧର କୁଳମାଣି, ବିକ୍ରମ, କୃପାସିନ୍ଧୁ ଓ ହରିହର ନରେନ୍ଦ୍ରଙ୍କ ରାଜ୍ୟ ଶାସନ ମହୁରି ଗଡ଼ରୁ ହିଁ ଚାଲିଥିଲା । ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ବ୍ରହ୍ମପୁରରେ ରାଜଉଆସ ନିର୍ମିତ ହୋଇଥିଲା ।

 

ମହୁରି ଗଡ଼ର ଭୌଗଳିକ ଅବସ୍ଥିତି ଅଧୁନା ବ୍ରହ୍ମପୁର, ଚିକିଟି ଓ ଦିଗପହଣ୍ଡିଠାରୁ ସମଦୂର । ପ୍ରାୟ ତିନିଶହ ଏକର ପରିମିତ ଅଞ୍ଚଳରେ ଗଡ଼ର ଭଗ୍ନାବଶେଷ ମଧ୍ୟରେ ଜଗନ୍ନାଥ, ଗଡ଼କାଳୀ ଓ ମହାକାଳେଶ୍ୱର ମନ୍ଦିରର ମାତ୍ର କିଛି ଅଂଶ ଦେଖିବାକୁ ମିଳିଥାଏ । ବ୍ରହ୍ମପୁର ସହରର ଉତ୍ପତ୍ତି ତଥା ମହୁରି ରାଜଉଆସ ସଂପର୍କରେ ପରିଚିତ ହେବା ନିମନ୍ତେ ପର୍ଯ୍ୟଟନରେ ମହୁଡ଼ା-କଙ୍କିଆ ସଂଲଗ୍ନ ମହୁରିଗଡ଼ରେ ୨୦୨୧ରେ ପହଞ୍ଚିଲେ କେରାଣ୍ଡିମାଳ ପର୍ବତମାଳା ପାଦ ଦେଶରେ ଏକ ବିସ୍ତୀର୍ଣ୍ଣ ପ୍ରାଙ୍ଗଣ ଓ ନାମକୁ ମାତ୍ର କିଛି ମନ୍ଦିରର ପଥରଖଣ୍ଡ ଦେଖିବାକୁ ମିଳିପାରିବ । ଅତୀତରେ ଦୁର୍ଗକୁ ଘେରି ରହିଥିବା ସମତଳ ଅଞ୍ଚଳରେ ସୈନ୍ୟସାମନ୍ତ ସମର ଅଭ୍ୟାସ କରୁଥିବା ବିଶ୍ୱାସ କରାଯାଏପର୍ଯ୍ୟଟକଙ୍କ ଲାଗି ମହୁରିଗଡ଼ରୁ କେରାଣ୍ଡିମାଳ ପାଦ ଦେଶରେ ଟ୍ରେକିଂ କରି ମହୁରିକାଳୁଆରେ ପହଞ୍ଚିବା ଉଦ୍ୟମ ସଂଭବ । କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳରେ କେତେକ ଆଦିବାସୀ ଗ୍ରାମ ମଧ୍ୟ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇପାରିବ । ମହୁରିଗଡ଼କୁ ଯୁବ ସଂପ୍ରଦାୟ ପର୍ଯ୍ୟଟନ ହେରିଟେଜ ଟୁରରେ ଗଲେ ବ୍ରହ୍ମପୁର ସହରର ଇତିହାସ ପ୍ରତି ଆଗ୍ରହାନ୍ୱିତ ହେବା ତଥା ଏଠାକାର ଜନଜୀବନକୁ ଭଲ ପାଇବା ଆଶା କରାଯାଇପାରେ ।

(ଅନୁପମ ଭାରତ / ୨୩ ଜାନୁୟାରୀ ୨୦୨୧/ ପୃଷ୍ଠା : ୮)

Illustration : "ruin stone upclose" by washingtonparkotr is licensed under CC BY-SA 2.0

Friday, January 15, 2021

Local Issues / ସ୍ଥାନୀୟ ସମସ୍ୟା


ସମାଜରେ ମୁଖ୍ୟତଃ ଦୁଇ ଶ୍ରେଣୀର ସମସ୍ୟାରେ ଜନଜୀବନ ଭାରାକ୍ରାନ୍ତ ହୋଇଥାଏ
ଗୋଟିଏ ବ୍ୟକ୍ତିଗତ ଓ ଅନ୍ୟଟି ସାମୂହିକ । #ବ୍ରହ୍ମପୁର ସହରର ସମସ୍ୟା ଏଠାରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଯାତ୍ରାକୁ ପ୍ରଭାବିତ କରେ । ବ୍ୟକ୍ତିଗତ ସମସ୍ୟା ସମାଧାନ ଲାଗି ଆମେ ଅହରହ ସଂଗ୍ରାମ କରୁଥିବା ସ୍ଥଳେ ସାମୂହିକ ସମସ୍ୟାବଳୀ ସମାଧାନରୁ ସାଧାରଣରେ ଦୂରେଇ ଯାଉ ତେବେ ସାମୂହିକ ସମସ୍ୟାର ସମାଧାନରେ ବହୁ ବ୍ୟକ୍ତିଗତ ସମସ୍ୟା ଉପଶମ ଯେ ସମ୍ଭବ, ଏକଥା ଭୂଲି ଯାଉ

 

ବ୍ୟକ୍ତିଗତ ସମସ୍ୟା ନିଜ କିମ୍ୱା ପାରିବାରିକସ୍ତରରେ ଚ଼ିହ୍ନଟ ହେବାପରେ ତାହାର ସମାଧାନର ସୂତ୍ରାବଳୀ ନିର୍ଦ୍ଧାରିତ ହୁଏ । କିନ୍ତୁ ସାମୂହିକ ସମସ୍ୟାଗୁଡ଼ିକ ଚ଼ିହ୍ନଟ ଓ ସମାଧାନ ଲାଗି ସାମାଜିକସ୍ତରରେ ଉଦ୍ୟମ ଆବଶ୍ୟକ ପଡ଼େ । ବ୍ରହ୍ମପୁର ସହରର ସମସ୍ୟା ଚ଼ିହ୍ନଟ ନିମନ୍ତେ ବିଧିବଦ୍ଧ ଉଦ୍ୟମ ଅଭାବ ଅନୁଭୂତ ହୁଏ । ସାଧାରଣତଃ ସମାଜର ନେତୃସ୍ଥାନୀୟ ବ୍ୟକ୍ତିବୃନ୍ଦ ସାମୂହିକ ସମସ୍ୟାବଳୀ ଲୋକଲୋଚନକୁ ଆଣିଥାନ୍ତି । ପାରସ୍ପରିକ ଆଳାପ ଆଲୋଚ଼ନାରୁ ସଭାସମିତି, ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମରେ ସେ ସମ୍ପର୍କରେ ଚର୍ଚ୍ଚିତ ହୋଇଥାଏ । ସାମାଜିକ ସଂଗଠନ ଓ ରାଜନୀତି ଦଳ ଗୁଡ଼ିକ ସାମୂହିକ ସମସ୍ୟାର ସମାଧାନକଳ୍ପେ ପ୍ରଶାସନିକସ୍ତରରେ ଦରଖାସ୍ତ, ଦାବୀ ଉପସ୍ଥାପନ ଏବଂ ଆବଶ୍ୟକ ସ୍ଥଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ଲାଗି ସମାବେଶ, ବିକ୍ଷୋଭ ଓ ଆନ୍ଦୋଳନ ଆୟୋଜନ କରିଥାନ୍ତି ।

 

ସ୍ଥାନୀୟ ସମସ୍ୟାବଳୀ ଚର୍ଚ୍ଚାରେ ନେତୃତ୍ୱ ଜାହିର କରିବା ନିମନ୍ତେ ସୁଯୋଗ ମିଳେ । ତେଣୁ ଏହି ଦିଗରେ ରୁଚି ରଖୁଥିବା ଉଦୀୟମାନ ନେତୃବର୍ଗ ସାମାଜିକ ସମସ୍ୟାଗୁଡ଼ିକ ପ୍ରତି ତୀକ୍ଷଣ ଦୃଷ୍ଟି ରଖିଥାନ୍ତି । ସମସ୍ୟାର ଗୁରୁତ୍ୱ ଏବଂ ସମସ୍ୟା ସମାଧାନ ସମ୍ଭାବନା ସର୍ବସାଧାରଣରେ ନେତୃତ୍ୱର ପରାକାଷ୍ଠା ପ୍ରମାଣିତ କରିଥାଏ । ଯୁବ ନେତୃବର୍ଗ ସାମାଜିକ ସ୍ୱୀକୃତି ଅପେକ୍ଷାରତ ଥିବା ହେତୁ ସାମୂହିକ ସମସ୍ୟାବଳୀ ଚ଼ିହ୍ନଟ ଓ ସେଗୁଡ଼ିକର ସମାଧାନଲାଗି ଯୋଜନାବଦ୍ଧ ଉଦ୍ୟମ ଅପେକ୍ଷାରେ ରହିଥାନ୍ତି

 

ବ୍ରହ୍ମପୁରର ସମସ୍ୟା କ୍ରମଶଃ ରାଜନୀତିକ ବିଷୟବସ୍ତୁ ପଲିଟିକାଲ ଇସ୍ୟୁ ରୂପେ ଗ୍ରହଣ କରାଯାଉଥିବା ହେତୁ ଦଳୀୟ ନିଷ୍ପତ୍ତି ଛାଇରେ ସ୍ଥାନୀୟ ଅଭାବ ଅସୁବିଧା ହଜିଯାଉଛି । ଏହି କ୍ଷେତ୍ରରେ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଚେଷ୍ଟା ଆଶାନୁରୂପକ ସ୍ତରରେ ପହଞ୍ଚି ପାରୁ ନାହିଁ । ବିଶେଷଜ୍ଞମାନଙ୍କ ମତରେ ମହାମାରୀ-ପର ଅବସ୍ଥାରେ ସାମାଜିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସଂଭବପର । ତେବେ ଏଦିଗରେ ପୂର୍ବପ୍ରସ୍ତୁତି ଗୁରୁତ୍ୱ ବହନ କରେ । ସହରର ଗଭୀର ଆଞ୍ଚଳିକସ୍ତରରେ ଅର୍ଥାତ ସାହୀବସ୍ତିରେ ବିଭିନ୍ନ ସମସ୍ୟା, ଯଥା : ପରିମଳ, ଜଳ ଯୋଗାଣ, ରାସ୍ତାଘାଟ, ଜବରଦଖଲ, ବାହ୍ୟ ମଳତ୍ୟାଗ, ବୃକ୍ଷରୋପଣ ଓ ନାଗରିକ ସୁରକ୍ଷା ଭଳି ସୁବିଧା ଅସୁବିଧା ବ୍ୟକ୍ତିଗତ ତଥା ସାମୂହିକ ଜୀବନଚର୍ଯ୍ୟାକୁ ପ୍ରଭାବିତ କରିଥାଏଛୋଟବଡ଼ ସମସ୍ୟା ଚ଼ିହ୍ନଟ କରି ତାହାର ସମାଧାନର ସୂତ୍ର ନିର୍ଦ୍ଧାରଣ ସଂପୃକ୍ତ ଅଞ୍ଚଳବାସୀଙ୍କ ବିଚାରବିମର୍ଷ ପରିସରଭୁକ୍ତ ହେବା ଆବଶ୍ୟକ । ତେଣିକି ଯାଇ ସମାଧାନର ସୂତ୍ର ଖୋଜାଯାଇପାରେ ।

 

ରାଜ୍ୟରେ ୨୦୨୧ରେ ପୌର ନିର୍ବାଚନ ଆୟୋଜନ ଆଶା କରାଯାଉଥିବା ହେତୁ ଅନ୍ୟାନ୍ୟ ସହର ସମେତ ବ୍ରହ୍ମପୁରରେ ତୃଣମୂଳସ୍ତରରେ ରାଜନୀତିକ ତତ୍ପରତା ଦେଖାଦେବା ସ୍ୱାଭାବିକ । ଏହି ଅବସରରେ ସହରର ବିଭିନ୍ନ ଅଞ୍ଚଳର ସାମାଜିକ ସମସ୍ୟାମାନ ଆଲୋଚିତ ହେବ । ନେତୃବର୍ଗ ସମସ୍ୟା ସମାଧାନର ପ୍ରତିଶୃତି ଦେବେ । ସ୍ଥାନୀୟ ସମସ୍ୟାଗୁଡ଼ିକ ଚ଼ିହ୍ନଟ କରି ଲୋକଲୋଚନକୁ ଆଣିବା ନିମନ୍ତେ ଏହା ଏକ ବଡ଼ ସୁଯୋଗ । କାରଣ ପୌର ନିର୍ବାଚନ ପରେ ପରବର୍ତ୍ତୀ ନିର୍ବାଚନ ଯାଏଁ ସ୍ଥାନୀୟ ସମସ୍ୟାବଳୀ କ୍ୱଚିତ ଆଲୋଚନା ପରିସରକୁ ଆସିଥାଏ ଅପରପକ୍ଷରେ ସ୍ଥାନୀୟ ସମସ୍ୟାହିଁ ଆମ ବ୍ୟକ୍ତିଗତ ଓ ପାରିବାରିକ ଜୀବନଯାତ୍ରାକୁ ମାତ୍ରାଧିକ ପ୍ରଭାବିତ କରେ

 

ମନେ ରଖିବାକୁ ହେବ ଯେ ନିର୍ବାଚନ ସମସ୍ୟା ଆଲୋଚ଼ନାର ବେଳ । ଏହି ଅବକାଶରେ ପ୍ରକୃତ ସାମାଜିକ ସମସ୍ୟାଗୁଡ଼ିକ ଉପରେ ଆଲୋକପାତ ନକରାଯାଇ ପାରିଲେ ଆପ୍ରସାଙ୍ଗିକ, ଅଯୌକ୍ତିକ ତଥା କାଳ୍ପନିକ ସମସ୍ୟାବଳୀ ଚର୍ଚ୍ଚାର ବିଷୟ ପାଲଟିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ !


Photo by : "Orange sunset" by @Doug88888 is licensed under CC BY-NC-SA 2.0

Friday, January 8, 2021

Bhogi / ଭୋଗୀ



ଇଂଲିଶ ଶାସନ କାଳରେ
#ବ୍ରହ୍ମପୁର ବିକଶିତ ହୋଇଥିବା ଏବଂ ପ୍ରଶାସନିକସ୍ତରରେ ଦାକ୍ଷିଣାତ୍ୟସହ ସଂଯୁକ୍ତି କାରଣରୁ ସହରରେ ତେଲୁଗୁ ଭାଷାଭାଷୀଙ୍କ ସଂଖ୍ୟା ବିଂଶ ଶତାଦ୍ଦୀ ପ୍ରାରମ୍ଭରେ ସମଗ୍ର ୨୫,୦୦୦ ଜନସଂଖ୍ୟାର ପ୍ରାୟ ୪୫ ପ୍ରତିଶତ ରହିଥିଲା । ଫଳରେ ତେଲୁଗୁ ଭାଷା, ସଂସ୍କୃତି ଓ ପର୍ବପର୍ବାଣୀ ଏଠାକାର ମୂଳ ସାମାଜିକ ସ୍ରୋତର ଅଂଶବିଶେଷ ହୋଇପଡ଼ିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପ୍ରଶାସନିକ କେନ୍ଦ୍ର ପାଲଟିବା ଅବସରରେ ଅବିଭକ୍ତ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରୁ ବହୁ ସଂଖ୍ୟକ ଓଡ଼ିଆ ପରିବାର ସ୍ଥାୟୀ ବସବାସ ନିମନ୍ତେ ବ୍ରହ୍ମପୁର ପହଞ୍ଚିବା ପରେ ଓଡ଼ିଆ ଭାଷାଭାଷୀଙ୍କ ସଂଖ୍ୟା କ୍ରମାଗତଭାବେ ବଢ଼ିବାରେ ଲାଗିଲା । ଅପରପକ୍ଷେ ସ୍ୱତନ୍ତ୍ର ଆନ୍ଧ୍ର ପ୍ରଦେଶ ଗଠନ ପରେ ବିଶାଖପାଟଣା, ବିଜୟନଗର ଓ ଶ୍ରୀକାକୁଲମର ଗୁରୁତ୍ୱ ବୃଦ୍ଧି ହେତୁ ଅଧିକ ତେଲୁଗୁ ପରିବାର ଆଉ ବ୍ରହ୍ମପୁର ମୁହାଁ ହେଲେ ନାହିଁ । ବ୍ରହ୍ମପୁରରୁ କିଛି ତେଲୁଗୁ ପରିବାର ଶ୍ରମନିଯୁକ୍ତି ଉଦ୍ଦେଶ୍ୟରେ ଆନ୍ଧ୍ର, ଚାଲିଗଲେ । ଫଳରେ ସହରରେ ତେଲୁଗୁ ଭାଷାଭାଷୀଙ୍କ ଜନସଂଖ୍ୟା ସ୍ଥିର ରହିଲା ।

 

ମକର ସଂକ୍ରାନ୍ତି ତେଲୁଗୁମାନଙ୍କ ମୁଖ୍ୟ ପର୍ବ । ମକର ସଂକ୍ରାନ୍ତି ପୂର୍ବ ଦିନ ଭୋଗୀ ପାଳିତ ହୋଇଥାଏ । ଅତୀତ ବ୍ରହ୍ମପୁରରେ ତେଲୁଗୁ ଓ ଓଡ଼ିଆ, ମୁଖ୍ୟତଃ କିଶୋରବର୍ଗରେ ଭୋଗୀ ଆୟୋଜନ ଲାଗି ମାସାଧିକ କାଳ ଧରି ପ୍ରସ୍ତୁତି ଲାଗି ରହୁଥିଲା । ଭୋଗୀରେ ରାତି ଥାଉ ଥାଉ ବଡ଼ି ସକାଳୁ ବିଭିନ୍ନ ସାହୀ ରାସ୍ତାକଡ଼ର ଅପେକ୍ଷାକୃତ ଖୋଲା ସ୍ଥାନରେ ଗୋଲାକାର ତ୍ରିସ୍ତରୀୟ ପ୍ରଶସ୍ତ ଗର୍ତ୍ତ ଖନନ କରି ସେଥିରେ କାଠ ଜମାରଖି ଅଗ୍ନି ସଂଯୋଗ କରାଯାଇଥାଏ । ଭୋଗୀ ଚାରିପଟେ ସ୍ଥାନୀୟ ଅଞ୍ଚଳବାସୀ ଭିଡ଼ ଜମାଇ ନିଆଁ ପୋଇଁଥାନ୍ତି । ସକାଳର ପ୍ରଥମ ପ୍ରହର ଯାଏଁ ଏହି ପର୍ବ ଚାଲେ । ଭୋଗୀ ନିଆଁରେ କନ୍ଦମୂଳ ସିଝାଯାଇ ସମସ୍ତଙ୍କୁ ବଣ୍ଟାଯାଏ । ଭୋଗୀ ନିଆଁରେ ପିତଳ ମାଠିଆରେ ପାଣି ଗରମ କରି ଅନେକ ପରିବାର ସକାଳୁଆ ଗାଧୁଆ ସାରିଥାନ୍ତି ।

 

ଭୋଗୀ ଏକ ସାର୍ବଜନୀନ ପର୍ବ । ଏହି ଉତ୍ସବ ଆୟୋଜନ ଲାଗି କିଶୋରବର୍ଗ ସାହୀ ବାସିନ୍ଦାଙ୍କଠାରୁ ଚାନ୍ଦା ଆଦାୟ କରନ୍ତି । ସେଥିରେ କାଠ ଓ କନ୍ଦମୂଳ କିଣାଯାଏ । ସ୍ଥଳ ବିଶେଷରେ ଭୋଗୀ ଉପଲକ୍ଷେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଙ୍ଗୀତ ପରିବେଷଣର ବ୍ୟବସ୍ଥା କରାଯାଏ । ଭୋଗୀ ପାଇଁ କାଠ ସଂଗ୍ରହ ନିମନ୍ତେ ବହୁ ପୂର୍ବରୁ ଉଦ୍ୟମ ହୋଇଥାଏ । ଶୁଖିଲା ଡ଼ାଳପତ୍ର ଏକ ସୁରକ୍ଷିତ ସ୍ଥାନରେ ଜମା ରଖାଯାଇଥାଏ । ମୋଟା କାଠ ଗଣ୍ଡିରେ ନିଆଁ ଲଗାଯିବା ଫଳରେ ଭୋଗୀ ନିଆଁ ଦିନ ସାରା କୁହୁଳୁଥିବା ଦେଖାଯାଏ ।

 

ଭୋଗୀ ଆନ୍ଧ୍ର ପ୍ରଦେଶ, ତେଲଙ୍ଗନା ସାଙ୍ଗକୁ ତାମିଲନାଡୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପାଳିତ ହୁଏ । ଭୋଗୀ ପୂର୍ବରୁ ଘରଦ୍ୱାର ସଫାସୁତୁରା କରି ଅଦରକାରୀ କାଠ ସାମଗ୍ରୀ ନଷ୍ଟ ଉଦ୍ଦେଶ୍ୟରେ ସାଇତି ରଖାଯାଇଥାଏ । ସେଗୁଡ଼ିକ ଭୋଗୀ ପ୍ରଭାତରେ ଅଗ୍ନି ସଂଯୋଗ ପ୍ରଥା ପ୍ରଚଳିତ । ପୁରୁଣାକୁ ଛାଡ଼ି ନୂଆ ବ୍ୟବହାର ଏହି ଉତ୍ସବର ମହତ୍ତ୍ୱ ।

 

ଦୀର୍ଘ ବ୍ୟବହୃତ ସାମଗ୍ରୀ ପ୍ରତି ଆସକ୍ତିରୁ ମୁକ୍ତ ହେବା ନିମନ୍ତେ ଭୋଗୀ ସୁଯୋଗ ସୃଷ୍ଟି କରେ । ମନ୍ଦ ଅଭ୍ୟାସ, ଖଳ ପ୍ରକୃତିର ବନ୍ଧୁତ୍ୱ ପରିତ୍ୟାଗ କରି ଉତ୍ତମ ଆଚାର, ସମ୍ୱେଦନଶୀଳ ବନ୍ଧୁତ୍ୱ ସ୍ଥାପନକୁ ଅଗ୍ରାଧିକାର ଦିଆଯାଏ । କେତେକ ଅଞ୍ଚଳରେ ଫସଲକଟା-ପର ଭୋଗୀ ଉତ୍ସବରେ ବର୍ଷା ଦେବତାଙ୍କୁ କୃତଜ୍ଞତା ଜ୍ଞାପନ କରି ଆଗାମୀ ବର୍ଷରେ ପର୍ଯ୍ୟାପ୍ତ ବର୍ଷା ନିମନ୍ତେ ପ୍ରାଥର୍ନା କରାଯାଏ । ଭୋଗ ଶବ୍ଦରୁ ଭୋଗୀ ନାମକରଣ ହୋଇଥିବା ବ୍ୟାକରଣବିତମାନଙ୍କ ମତ । ଅନ୍ୟ କେତେକ ଅଞ୍ଚଳରେ ଭୋଗୀଦିନ ବୁଦ୍ଧଦେବ ଦେହତ୍ୟାଗ କରିଥିବା ବିଶ୍ୱାସ ପ୍ରଚଳିତ । ଭୋଗୀ ଦିନ ଉତ୍ତରଭାରତରେ ଲୋରୀ ନାମକ ସମଧରଣର ଉତ୍ସବ ପାଳିତ ହୋଇଥାଏ ।

 

ବ୍ରହ୍ମପୁରରେ ଭୋଗୀ ପରମ୍ପରା ଅବ୍ୟାହତ ରହିଛି । ସହରରେ ବିଚ୍ଛୁରିତ ଭାବେ ବସବାସ କରୁଥିବା ତେଲୁଗୁଭାଷାଭାଷୀ ଅଞ୍ଚଳରେ ଭୋଗୀ ଆୟୋଜିତ ହୋଇଥାଏ । ଗତ ଶତାଦ୍ଦୀର ଷଷ୍ଠ, ସପ୍ତମ ଦଶକରେ ଭୋଗୀଠାରୁ ଚାରିଦିନ ବ୍ୟାପୀ ମକର ସଂକ୍ରାନ୍ତି ପାଳନ ଅବସରରେ ହିଟ ତେଲୁଗୁ ସିନେମା ରିଲିଜ ହେଉଥିଲା । ଭୋଗୀ ସନ୍ଧ୍ୟାରେ ପରିବାରବର୍ଗ ପରସ୍ପର ଘରକୁ ଯିବା ଆସିବା, ବନ୍ଧୁବାନ୍ଧବଙ୍କ ଗହଣରେ ଷ୍ଟ୍ରୀଟ ଫୁଡ଼ ଚଖା, ସିନେମା ଦେଖାରେ ବେଶ ଜମୁଥିଲା । ପରିବର୍ତ୍ତିତ ପରିବେଶରେ କିଶୋର ଓ ଯୁବବର୍ଗ ସୋସିଆଲ ମିଡ଼ିଆ ପରିଧିରେ ନିଜକୁ ବନ୍ଦୀ କରିଦେବା ପରେ ଉତ୍ସବାନୁଷ୍ଠାନ ପାଳନରେ ପୁରୁଣା ରୀତିନୀତି ଫିକା ପଡ଼ିଆସିଛି । ବ୍ରହ୍ମପୁରର ଭୋଗୀ ମଧ୍ୟ ସେଥିରୁ ବାଦ ଯାଇ ନାହିଁ । ମହାମାରୀ କଟକଣାରେ ଗତବର୍ଷ ଦୋଳ-ହୋଲିଠାରୁ ସମସ୍ତ ପର୍ବ ପର୍ବାଣୀ ସାର୍ବଜନୀନସ୍ତରରେ ଆୟୋଜନ ବନ୍ଦ ରହିଥିବା ସ୍ଥଳେ ଭୋଗୀ-ମକର ସଂକ୍ରାନ୍ତି ପାଳନ ବ୍ରହ୍ମପୁରରେ କଟକଣାମୁକ୍ତ ହେବ ।

(ଅନୁପମ ଭାରତ / ୯ ଜାନୁୟାରୀ ୨୦୨୧/ ପୃଷ୍ଠା : ୮)

Friday, January 1, 2021

Renovation of Ramalinga Tank / ରାମଲିଙ୍ଗ ବନ୍ଧ ନବୀକରଣ



ରାମଲିଙ୍ଗ ବନ୍ଧ #ବହ୍ମପୁର ଜନଜୀବନର ଏକ ଅଭିନ୍ନ ଅଙ୍ଗ । ଦୀର୍ଘକାଳ ଧରି ମଧ୍ୟ-ବ୍ରହ୍ମପୁର ସହରବାସୀଙ୍କ ଦୈନନ୍ଦିନ ବ୍ୟବହାର ସାଙ୍ଗକୁ ସାନ୍ଧ୍ୟ ଅବସର ବିନୋଦନ ସ୍ଥଳୀ । ରାମଲିଙ୍ଗେଶ୍ୱର ମନ୍ଦିର ଓ ତତ୍ ସଂଲଗ୍ନ ବନ୍ଧ ଏକ ଟ୍ରଷ୍ଟ ମାଲିକାନାରେ ପରିଚାଳିତ ହେଉଥିଲେ ହେଁ ସହରବାସୀଙ୍କ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ପର୍ଯ୍ୟାୟକ୍ରମେ ବନ୍ଧ ଓ ହୁଡ଼ାର ରକ୍ଷାଣବେକ୍ଷଣ କାର୍ଯ୍ୟ ହାତକୁ ନିଆଯାଇ ଆସିଥିଲା । ବିଗତ ଶତାଦ୍ଦୀ ଶେଷଭାଗରେ ରାମଲିଙ୍ଗ ବନ୍ଧ ନବୀକରଣ ପ୍ରସ୍ତାବକୁ ନେଇ ଟ୍ରଷ୍ଟ ଓ ପୌରପାଳିକା ମଧ୍ୟରେ ବିବାଦ ସୂତ୍ରପାତ ହୋଇ ସୁପ୍ରିମକୋର୍ଟ ଯାଏଁ ମାଲିମକଦ୍ଦମା ଯାଇଥିଲା । ତେବେ ଚଳିତ ଶତାଦ୍ଦୀ ପ୍ରାରମ୍ଭରୁ ଦୁଇପକ୍ଷ ମଧ୍ୟରେ ବିବାଦ ମୀମାଂସା ନିମନ୍ତେ କ୍ରମାଗତ ଉଦ୍ୟମ କରାଯାଇ ବୁଝାମଣାରେ ପହଞ୍ଚିଥିଲେ । ଫଳରେ ବହୁ ପ୍ରତୀକ୍ଷିତ ରାମଲିଙ୍ଗ ବନ୍ଧ ନବୀକରଣ ରୂପାୟନ ସଂଭବପର ହୋଇପାରିଛି । କୋଭିଡ଼-୧୯ କାଳରେ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଥିବା ସ୍ଥଳେ ମହାମାରୀ କଟକଣା କୋହଳ ହେବାପରେ ନବବର୍ଷ ୨୦୨୧ ପ୍ରାରମ୍ଭରେ ନବୀକରଣ ବ୍ୟବସ୍ଥା ଲୋକାର୍ପଣ କାର୍ଯ୍ୟକ୍ରମ ସମ୍ଭବ

 

ଷଷ୍ଠଦଶ ଶତାଦ୍ଦୀ ଶେଷାର୍ଦ୍ଧରେ ମହୁରିରାଜ୍ୟର ନୂତନ ରାଜଧାନୀ ରୂପେ ବ୍ରହ୍ମପୁର ବିକଶିତ ହେବାପରେ ଅଷ୍ଟାଦଶ ଶତାଦ୍ଦୀ ମଧ୍ୟଭାଗରେ ରାଜ୍ୟ ଶାସନଭାର ଇଂଲିଶ ସରକାରଙ୍କ ହାତକୁ ଯାଇଥିଲା । ଏହି ଅବସରରେ ସ୍ଥାୟୀ ସୈନ୍ୟ ଛାଉଣୀ ଅଧୁନା ଷ୍ଟାଡ଼ିୟମର ବାରକ୍ସ ଗ୍ରାଉଣ୍ଡରେ ସ୍ଥାପିତ ହୋଇଥିଲା । ସେନାବାହିନୀ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ବସବାସ ଲାଗି ମିଲଟରୀ ଲାଇନ ଗଢ଼ି ଉଠିଥିଲା । କ୍ରମଶଃ ତାହାକୁ ଲାଗି ଦ୍ୱିତୀୟ ମିଲଟରୀ ଲାଇନ ଏବଂ ପୋଲିସ ଲାଇନ ସଂପ୍ରସାରିତ ହୋଇଥିଲା । ଊନବିଂଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ବ୍ରହ୍ମପୁର ପୌରପାଳିକା ଗଠିତ ହେବାପରେ ମିଲଟରୀ ଲାଇନ ପଶ୍ଚିମ ପାର୍ଶ୍ୱରେ ଭାପୁର ବଜାର ଓ ପୂର୍ବପାର୍ଶ୍ୱରେ ଚିକିତ୍ସାଳୟ ନିର୍ମାଣ କରାଯାଇଥିଲା ।

 

ଅତୀତରେ ବ୍ରହ୍ମପୁରର ସୀମା ଆଜିକାର ପୌରକାର୍ଯ୍ୟାଳୟ ସଂଲଗ୍ନ ସାନଠାକୁରାଣୀ ମନ୍ଦିର ଯାଏଁ ସୀମିତ ରହିଥିଲା । ବ୍ରହ୍ମପୁର ଓ ଭାପୁର ମଧ୍ୟରେ ଉତ୍ତରପାର୍ଶ୍ୱରେ ତାମେୟା ବନ୍ଧ ହୁଡ଼ାରେ ଶନିବାର ଦିନ ସାପ୍ତାହିକ ହାଟପଦା ବସୁଥିଲା । ଦକ୍ଷିଣ ପାର୍ଶ୍ୱରେ ରାମଲିଙ୍ଗ ବନ୍ଧ ଖନନ କରାଯାଇଥିଲା । ଏହି ସାର୍ବଜନୀନ ଜମି ଟ୍ରଷ୍ଟ ମାଲିକନାକୁ ଆସିଥିଲେ ହେଁ ଉଭୟ ଟ୍ରଷ୍ଟ ଓ ପୌରପାଳିକାଙ୍କ ଦ୍ୱାରା ବହୁବାର ବନ୍ଧ ହୁଡ଼ା ନବୀକରଣ ହୋଇଥିବା ଜଣାଯାଏ ।

 

ବ୍ରହ୍ମପୁର ଜନ୍ମକାଳରୁ ମନ୍ଦିର ଓ ପୁଷ୍କରଣୀମୟ ଜନପଦ ରୂପେ ଖ୍ୟାତି ଲାଭ କରିଆସିଥିଲା । ରାମଲିଙ୍ଗ ବନ୍ଧ ପଶ୍ଚିମ ପାର୍ଶ୍ୱରେ ରାମଲିଙ୍ଗେଶ୍ୱର ତଥା ପୂର୍ବ ପାର୍ଶ୍ୱରେ ହନୁମାନ ଓ ସତ୍ୟନାରାୟଣ ମହାପ୍ରଭୁଙ୍କ ମନ୍ଦିର ବିଦ୍ୟମାନ । ତାମେୟା ବନ୍ଧ କେନାଳ ଯୋଗେ ରାମଲିଙ୍ଗ ବନ୍ଧ ସହ ସଂଯୁକ୍ତ ଥିଲା । ତାମେୟା ବନ୍ଧରୁ ପାଣି ରାମଲିଙ୍ଗ ବନ୍ଧରେ ପହଞ୍ଚି ଉଦବୃତ୍ତ ଅଂଶ ଅଧୁନା ଧର୍ମନଗରରେ ପୂର୍ବରୁ ଥିବା ଧାନକ୍ଷେତକୁ ଯାଉଥିଲା । ଅନ୍ୟଏକ କେନାଳ ବର୍ତ୍ତମାନର ଚଳଚଞ୍ଚଳ ଗାନ୍ଧୀନଗର ରାସ୍ତାରେ ପ୍ରବାହିତ ହୋଇ ବିଜିପୁର ବନ୍ଧ ସହ ମିଶୁଥିଲା । ଜନପଦର ବନ୍ଧଗୁଡ଼ିକୁ କେନାଳ ଯୋଗେ ସଂଯୁକ୍ତ କରିବା ବ୍ରହ୍ମପୁରର ଏକ ବିଶେଷତ୍ୱ ଥିଲା ବୋଲି କୁହାଯାଇପାରେ ।

 

ରାମଲିଙ୍ଗ ବନ୍ଧ ସମ୍ମୁଖରେ ଦୀର୍ଘ ଅତୀତ ଅବଧିରେ ସହରର ତିନିଗୋଟି ପ୍ରମୁଖ ପରିବାରଙ୍କ ବାସଗୃହ ରହିଥିଲା । ପ୍ରଥମତଃ, ଶଶିଭୂଷଣ ରଥ ବର୍ତ୍ତମାନର ସୁଉଚ୍ଚ ହନୁମାନ ପ୍ରତିମୂର୍ତ୍ତୀ ନିକଟସ୍ଥ ଦୁଇ ମହଲା କୋଠା କିଣି ଉତ୍ତର-ଜୀବନରେ ବସବାସ କରୁଥିଲେ । ଶଶିଭୂଷଣ ବ୍ରହ୍ମପୁରରୁ ପ୍ରକାଶିତ ସାପ୍ତାହିକ ଆଶା ଓ ଦୈନିକ ଆଶାର ପ୍ରକାଶକ, ସମ୍ପାଦକ । ସେ କିଛି କାଳ ପୌରପାଳିକାର ଉପ-ନଗରପାଳ ଦାୟିତ୍ୱ ସମ୍ପାଦନ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କ ଭୂମିକା ଅନନ୍ୟ । ଦ୍ୱିତୀୟତଃ, ସତ୍ୟନାରାୟଣ ମନ୍ଦିର ସଂଲଗ୍ନ ବାସଗୃହ ପି.ଭି.ଜଗନ୍ନାଥ ରାଓଙ୍କ ପୈତୃକ ସମ୍ପତ୍ତି । ଜଗନ୍ନାଥ ରାଓ ଷଷ୍ଠ ଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଗଠିତ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ପାଇଥିଲେ । ତୃତୀୟତଃ, ପ୍ରାୟ ମଧ୍ୟଭାଗରେ ପୂର୍ବତନ ରାଜ୍ୟ ମୁଖ୍ୟଶାସନ ସଚ଼ିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ତାଙ୍କରି ପିତା ଡ଼ାକ୍ତର ନୃସିଂହ ଚ଼ରଣ ପାଢ଼ୀଙ୍କ ପୈତୃକ ବାସଭବନ । ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ବିଦ୍ୟାଳୟ ଶିକ୍ଷା ବ୍ରହ୍ମପୁରରେ କଟିଥିଲା । ତାଙ୍କରି ଚାକିରୀକାଳରେ ରାମଲିଙ୍ଗ ବନ୍ଧ ନବୀକରଣ ପ୍ରସ୍ତାବ କାର୍ଯ୍ୟକାରୀ ସ୍ତରକୁ ଆସିଥିବାରୁ ଏହାର ଶ୍ରେୟରୁ ତାଙ୍କୁ ବଞ୍ଚିତ କରାଯାଇ ନପାରେ । ରଥ ଓ ପାଢ଼ୀଙ୍କ ବାସଗୃହଗୁଡ଼ିକ ପରବର୍ତ୍ତୀ ଅବସ୍ଥାରେ ବିକ୍ରୀ ହୋଇଯାଇଛି । ରାଓଙ୍କ ବାସଭବନରେ ଏକାଂଶରେ ତାଙ୍କରି ଉତ୍ତରାଧିକାରୀମାନେ ବସବାସ କରୁଛନ୍ତି । ଅନ୍ୟତକ ବ୍ୟବସାୟିକ ସଂସ୍ଥାକୁ ଭଡ଼ା ଲଗାଯାଇଛି ।

 

ଓଡ଼ିଆ ଶବ୍ଦକୋଷରେ ବନ୍ଧ ଶବ୍ଦର ଅର୍ଥ ହୁଡ଼ାଦିଆ ପୋଖରୀପୁଷ୍କରିଣୀର ଅର୍ଥ ପଦ୍ମପୂର୍ଣ୍ଣ ସରୋବରରାମଲିଙ୍ଗ ବନ୍ଧ ନବୀକରଣ ପରେ ଏହାର ହୁଡ଼ାରେ ବ୍ୟାପକ କଂକ୍ରିଟ ନିର୍ମାଣ କରାଯାଇଛି, ବନ୍ଧରେ ପାଣି ମଧ୍ୟରେ ଦେବତାଙ୍କ ମୂର୍ତ୍ତି ସ୍ଥାପନ ସାଙ୍ଗକୁ ନୌକାରେ ଜଳବିହାରର ଯୋଜନା କରାଯାଇଛି । ଆଧୁନିକ ରୁଚ଼ି ଦୃଷ୍ଟିରୁ ଏହା ଏକ ଧରଣର ୱାଟର ପାର୍କ ପ୍ରତୀୟମାନ ହେବ । ତେବେ ବନ୍ଧ, ପୁଷ୍କରିଣୀରୁ ଜଳାଶୟସ୍ତରକୁ ରୂପାନ୍ତରିତ ହୋଇଛି ବୋଲି କହିବାକୁ ହେବ ।


(ଅନୁପମ ଭାରତ / ୨ ଜାନୁୟାରୀ ୨୦୨୧/ ପୃଷ୍ଠା : ୮)