Monday, November 30, 2020

Pandemic Update - 3 / ମହାମାରୀ ଅପଡ଼େଟ– ୩



#ବ୍ରହ୍ମପୁର ସହରବାସୀଙ୍କ ପକ୍ଷେ ନଭେମ୍ୱର ୨୦୨୦ ଅପରାର୍ଦ୍ଧ ସୁଦ୍ଧା ମହାମାରୀ ଉଦବେଗ ସାର୍ସ-କୋଭିଡ଼-୨ ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ଦ୍ୱିତୀୟ ତରଙ୍ଗ ଓ ପ୍ରତିଷେଧକ ଟିକାକରଣ ଚର୍ଚ୍ଚାରେ ପର୍ଯ୍ୟବସିତ । ବିଶ୍ୱବ୍ୟାପୀ ଏକ ମହାମାରୀ ଶହେ ବର୍ଷ ପରେ ଫେରିଛି । ଆନ୍ତର୍ଜାତିକସ୍ତରର ଖ୍ୟାତନାମା ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ  ମୁକ୍ତକଣ୍ଠରେ ସ୍ୱୀକାର କରୁଛନ୍ତି ଯେ ଏହି ସଂକ୍ରମଣ ସଂପୂର୍ଣ୍ଣ ନୂତନ ହୋଇଥିବା ହେତୁ ଏହାର ଗତିପ୍ରକୃତି ସଂପର୍କରେ ସମସ୍ତେ ଅଜ୍ଞ । ବିଗତ ଦଶ ଏଗାର ମାସର ଗବେଷଣାଲବ୍ଧ ତଥ୍ୟ ଆଧାରରେ ଚ଼ିକିତ୍ସା ଏବଂ ପ୍ରତିରୋଧ ବ୍ୟବସ୍ଥା ଆୟୋଜନ କରାଯାଉଛି । ତେବେ ବିଷୟଟି କ୍ରମବର୍ଦ୍ଧମାନ ବିଜ୍ଞାନ ଇଭୋଲଭିଂ ସାଇନ୍ସ ପର୍ଯ୍ୟାୟଭୁକ୍ତ ହେଉଥିବା ହେତୁ ରୋଗ ସଂପର୍କୀତ କୌଣସି ପଦକ୍ଷେପ ଶତ ପ୍ରତିଶତ ସଫଳତା ଆଶା କରାଯାଇପାରୁନାହିଁ ।

 

ବିଗତ ମହାମାରୀ ସ୍ପାନିଶଫ୍ଲୁ ସଂକ୍ରମଣ ୧୯୧୮ ଫେବୃୟାରୀରେ ଆରମ୍ଭ ହେବା ଛଅ ମାସ ପରେ ୧୯୧୮ ଅଗଷ୍ଟରେ ଦ୍ୱିତୀୟ ତରଙ୍ଗ, ଚାରି ମାସ ପରେ ୧୯୧୯ ଜାନୁୟାରୀରେ ତୃତୀୟ ତରଙ୍ଗ ଏବଂ ୧୯୧୯ ମାର୍ଚ୍ଚ ମାସରେ ଦୁଇ ମାସ ପରେ ଚ଼ତୁର୍ଥ ତରଙ୍ଗ ସୃଷ୍ଟି ହୋଇଥିବା ଜଣାଯାଏ । ଭାରତରେ ୧୯୧୯ ମେ ମାସରେ ବମ୍ୱେରେ ପ୍ରଥମ ବିଶ୍ୱଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ୟୁରୋପ ଫେରନ୍ତା ସୈନିକମାନଙ୍କ ଦ୍ୱାରା ଭୂତାଣୁ ପ୍ରବେଶ କରିବା ପରେ ତିନିମାସ ମଧ୍ୟରେ ଅଗଷ୍ଟ ମାସ ସୁଦ୍ଧା ସମଗ୍ର ଦେଶରେ ବ୍ୟାପୀ ଯାଇଥିଲା । ଏଠାରେ ମଧ୍ୟ ଦୁଇ ବର୍ଷ ଯାଏଁ ତିନିଗୋଟି ତରଙ୍ଗରେ ସଂକ୍ରମଣ ଅନୁଭୂତ ହୋଇଥିଲା । ଦେଶର ପଶ୍ଚିମାଞ୍ଚଳରେ ମୋଟ ଜନସଂଖ୍ୟାର ୪.୫ ରୁ ୬ ପ୍ରତିଶତ ଏବଂ ପୂର୍ବାଞ୍ଚଳରେ ୧.୫ ରୁ ୩ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇଥିଲେ । ବିଶ୍ୱବ୍ୟାପୀ ପ୍ରାୟ ଏକ ତୃତୀୟାଂଶ ଜନସଂଖ୍ୟା ରୋଗାକ୍ରାନ୍ତ ହୋଇ ପାଞ୍ଚ କୋଟି ଯାଏଁ ମୃତ୍ୟୁ ବରଣ କରିଥିବା ସ୍ଥଳେ ଭାରତରେ ମୃତ୍ୟୁ ସଂଖ୍ୟା କୋଟିଏ ୨୦ ରୁ ୩୦ ଲକ୍ଷ ହିସାବ କରାଯାଏ ।

 

ଓଡ଼ିଶାଭିତ୍ତିକ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଡ଼ିସେମ୍ୱର ୨୦୨୦ ମଧ୍ୟଭାଗ ସୁଦ୍ଧା କୋଭିଡ଼-୧୯ର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ଏବଂ ସେଥିରେ ବ୍ରହ୍ମପୁରର ପାଳି ପ୍ରଥମେ ପଡ଼ିବା ଆଶଙ୍କା କରୁଛନ୍ତି । ଏହି ପୂର୍ବାନୁମାନସଂକ୍ରମଣଜନିତ ତଥ୍ୟ, ଅତୀତ ଅଭିଜ୍ଞତା ଓ ପାରିପାର୍ଶ୍ଵିକ ପରିସ୍ଥିତିକୁ ନେଇ ପ୍ରସ୍ତୁତ । ଏହା ଏକ ଗାଣିତିକ ହିସାବ ମ୍ୟାଥମେଟିକାଲମଡ଼େଲଏହିଭଳି ହିସାବ ଆଧାରରେ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରାଯାଏ । ପ୍ରଥମ ସଂକ୍ରମଣର ପାଞ୍ଚ ଛଅ ମାସପରେ ୟୁରୋପୀୟ ଦେଶପୁଞ୍ଜର ସମେତ ଆମ ଦେଶର ଦିଲ୍ଲୀ ଭଳି କେତେକ ଅଞ୍ଚଳରେ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ଅନୁଭୂତ ହୋଇଥିବା ହେତୁ ବ୍ରହ୍ମପୁରରେ ମେମାସରେ ଦେଖାଦେଇଥିବା ସଂକ୍ରମଣ ଡ଼ିସେମ୍ୱର ମାସରେ ପୁଣି ଫେରିବା ଭୟ ଘାରୁଛି ।

 

ସ୍ଥାନୀୟଠାରୁ ଆରମ୍ଭ କରି ଆନ୍ତର୍ଜାତିକସ୍ତରର ଜନସ୍ୱାସ୍ଥ୍ୟ ବିଶାରଦମାନେ କହୁଛନ୍ତି ଯେ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ଟିକା ଆସିବା ପୂର୍ବରୁ ମାସ୍କ ପରିଧାନ, ଶାରିରୀକ ଦୂରତ୍ୱ ରକ୍ଷା ଓ ବାରମ୍ୱାର ହାତ ଧୋଇବା ହିଁ ଫଳପ୍ରଦ ପ୍ରତିଷେଧକ । ମାସ୍କ ଏକ ଅତି ସାଧାରଣ, ସହଜ ଓ ଶସ୍ତା ସାମଗ୍ରୀ ହୋଇଥିଲେହେଁ ଏହାର ଉପାଦେୟତା ବହୁ ଲୋକ ହୃଦୟଙ୍ଗମ କରିପାରୁନାହାନ୍ତି । ତାଇୱାନରେ ମାସ୍କ ପରିଧାନର ଉଦାହରଣ ଉଲ୍ଲେଖଯୋଗ୍ୟସେଠାରେ କୋଭିଡ଼-୧୯ରେ ୫୭୦ ଜଣ ଆକ୍ରାନ୍ତ ହୋଇ ମାତ୍ର ସାତ ଜଣ ପ୍ରାଣ ହରାଇଥିବା ସ୍ଥଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ଲକ୍ଷାଧିକ ଆକ୍ରାନ୍ତ ହେବା ତଥ୍ୟ ବିସ୍ମିତ କରାଇଥାଏ । ତାଇୱାନରେ ସମସ୍ତେ ମାସ୍କ ପିନ୍ଧନ୍ତି, ଆକ୍ରାନ୍ତଙ୍କସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ଚ଼ିହ୍ନଟ କରାଯାଇ ପୃଥକବାସରେ ରଖାଯାଏ ଏବଂ ବ୍ୟାପକ ପରୀକ୍ଷଣ ଦ୍ୱାରା ସଂକ୍ରମଣ ଯାଞ୍ଚ କରାଯାଏ । ସାଧାରଣ ବିଚାରରେ ଯଦି ସମସ୍ତ ବ୍ରହ୍ମପୁରବାସୀ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବା ଅବସରରେ ସବୁବେଳେ ମାସ୍କ ପିନ୍ଧନ୍ତି ୟୁନିଭରସାଲୟୁଜ ଅଫ ମାସ୍କ, ତେବେ ହୁଏତ ମହାମାରୀର ସମ୍ଭାବ୍ୟ ଦ୍ୱିତୀୟ ତରଙ୍ଗକୁ ଏଡ଼ାଇ ଦେଇପାରିବେ କିମ୍ୱା ପ୍ରଭାବ ହ୍ରାସ କରିପାରିବେ ।

 

ମାସ୍କର ବହୁଳ ବ୍ୟବହାର ନିମନ୍ତେ ଆବାଳ-ବୃଦ୍ଧ-ବନିତା ପ୍ରତ୍ୟେକେ ବହୁସଂଖ୍ୟକ ମାସ୍କ ନିଜ ପାଖରେ ମହଜୁଦ ରଖିବା ପ୍ରଥମ ପଦେକ୍ଷେପ । ଗଣିତଜ୍ଞ ସେନନଙ୍କରିଡ଼େନଡ଼େନ୍ସି ଉପପାଦ୍ୟ ଆଧାରରେ ଅଧିକ ସାମଗ୍ରୀ ମହଜୁଦ ରହିଲେ ଅଧିକ ବ୍ୟବହାରର ରାସ୍ତା କଡ଼ାଇଥାଏ । ମାସ୍କ ସଂଗ୍ରହ ନିମନ୍ତେ ବ୍ୟକ୍ତିଗତସ୍ତରରେ ଉଦ୍ୟମ ସାଙ୍ଗକୁ ସାମୂହିକସ୍ତରରେସ୍ୱେଚ୍ଛାସେବୀ ଓ ବଦାନ୍ୟ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଜନସାଧାରଣରେ ମାସ୍କ ବିକ୍ରୀ କିମ୍ୱା ବିତରଣ ନିମନ୍ତେ ଯୋଜନାବଦ୍ଧ କାର୍ଯ୍ୟକ୍ରମମାନ ପ୍ରଯୋଜନା କରାଯାଇପାରିଲେ ସୁଫଳ ଆଶା କରାଯାଇପାରେ ।

 

ବ୍ରହ୍ମପୁର ତଥା ଭାରତୀୟମାନଙ୍କ ଟିକାକରଣ ନିମନ୍ତେ ତିନିଗୋଟି ଟିକା ସର୍ବାଗ୍ରେ ରହିଛି । ପ୍ରଥମତଃ, ଅକ୍ସଫୋର୍ଡବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ବିକଶିତ କୋଭିସିଲଡ଼ ଟିକା ପୁଣେରସିରମଇନଷ୍ଟିଟିଉଟ ଦ୍ୱାରା ଉତ୍ପାଦନ କରାଯାଉଛି । ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବ୍ରିଟେନରେ ତିରିଶି ହଜାର ସ୍ୱେଚ୍ଛାସେବୀଙ୍କ ଗହଣରେ ସରିଥିବା ସ୍ଥଳେ ଭାରତରେ ୧୬ ଶହଙ୍କ ମଧ୍ୟରେ ଆରମ୍ଭ ହୋଇଛି । ପୁଣେ ପ୍ରତିଷ୍ଠାନ ଜାନୁୟାରୀ ୨୦୨୧ସୁଦ୍ଧା ୨୦ ରୁ ୩୦କୋଟି ଟିକା ପ୍ରସ୍ତୁତ କରିବା ସକ୍ଷମ ବୋଲି କହିଛି । ଏହି ଟିକାର ମୂଲ୍ୟ ୨୫୦ ଟଙ୍କା ମଧ୍ୟରେ ସୀମିତ ରହିବ ଏବଂ ସାଧାରଣ ରେଫ୍ରିଜେରେଟରରେ ୨ ରୁ ୮ ଡ଼ିଗ୍ରୀ ତାପମାତ୍ରାରେ ଗଚ୍ଛିତ ରଖାଯାଇପାରିବ । ଦ୍ୱିତୀୟ ଓ ତୃତୀୟ ଟିକାଭାବେହାଇଦରାବାଦ ଭାରତ ବାୟୋଟେକର କୋଭିକ୍ସିନ ଏବଂ ରୁଷର ସ୍ପୁଟନିକ-୫ଭାରତରେ ଉପଲବ୍ଧ ହେବା ଆଶା କରାଯାଉଛି । କୁହାଯାଉଛି ଯେ ଏଠାକାର ପ୍ରଥମ ଟିକା ବ୍ୟବହାରଯୋଗ୍ୟ ପ୍ରମାଣିତ ହେବା ପରବର୍ତ୍ତୀ ଛଅମାସ ମଧ୍ୟରେ ଅଧଡ଼ଜନେ  ଟିକା ଆବଶ୍ୟକୀୟ ପରୀକ୍ଷଣ ସାରିବେ । ଏଥିନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୀପାବଳି ପୂର୍ବରୁ ୯୮୦ କୋଟି ଟଙ୍କା ସହାୟତା ଘୋଷଣା ଏକ ଉତ୍ସାହପ୍ରଦ ପଦକ୍ଷେପ ।

 

ପ୍ରଶ୍ନ ଉଠେ ଭାରତରେ ଟିକା ଉପଲବ୍ଧ ହେଲେ କେବଳ ସରକାରୀସ୍ତରରେବିନାମୂଲ୍ୟରେଟିକାକରଣ ବ୍ୟବସ୍ଥା ରହିବ ନା ବେସରକାରୀସ୍ତରରେମୂଲ୍ୟବିନିମୟରେଟିକାକରଣ ମଧ୍ୟ ସଂଭବପର । ବିଶେଷଜ୍ଞମାନେ କହୁଛନ୍ତି ଯେ ମଡ଼େନା, ଫାଇଜର ଭଳି କେତେକ ଟିକା ଗଚ୍ଛିତ ରଖିବା ନିମନ୍ତେ ବିଯୁକ୍ତ ୨୦ ରୁ ୭୦ ଡ଼ିଗ୍ରୀସେଲସିଏସ ଶୀତଳିକରଣ ଶୃଙ୍ଖଳ କୋଲଡ଼ ଚେନ ଆବଶ୍ୟକ । ସରକାରଙ୍କ ପକ୍ଷେ ସେଭଳି କୋଲଡ଼ ଚେନ ଆୟୋଜନରେ ବିତରଣ ସଂଭବପର ହୋଇନପାରେ । ତେଣୁ ସେହି ସବୁ ଟିକା ବ୍ୟବହାର କରିବା ନିମନ୍ତେ ଘରୋଇ ଚ଼ିକିତ୍ସାଳୟଗୁଡ଼ିକୁ ଅନୁମତି ଦେଇପାରନ୍ତି । ଅର୍ଥାତ ସରକାରୀ ସାଙ୍ଗକୁ ବେସରକାରୀସ୍ତରରେ ମଧ୍ୟ ଟିକାକରଣ ସଂଭାବନା ରହିଛି ।

 

ଜନୈକ ମାର୍କିନସମାଜତତ୍ତ୍ୱବିତ କହିଛନ୍ତି କୋଭିଡ଼-୧୯ ସଂକ୍ରମଣରୁ ବର୍ତ୍ତିବା ପାଇଁ କୋଭିଡ଼-୧୯କୁ ବୁଝିବାକୁ ପଡ଼ିବ । ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ଯଦି ନିରୋଳାରେ କିଛି ସମୟ ଏହି ମହାମାରୀ ସଂପର୍କରେ ନିଜେ ଜାଣିଥିବା ତଥ୍ୟ ବିଶ୍ଳେଷଣ କରି ନିଜେ କଣ କରିବା ଉଚିତ ନିଜେ ନିର୍ଦ୍ଧାରଣ କରନ୍ତି ଏବଂ ସେହି ନିର୍ଦ୍ଧାରଣଗୁଡ଼ିକୁକେତେଦୂର ପାଳନ କରୁଛନ୍ତି ନିଜେ ସମୀକ୍ଷା କରି ନିଜ ଆଚ଼ରଣକୁନିୟମିତ ସଂଶୋଧନ କରିବା ନିମନ୍ତେ ଉଦ୍ୟମ କରନ୍ତି ତେବେ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ଆମେ ସଂକ୍ରମଣକୁ ଏଡ଼ାଇ ଦେଇପାରିବା । ଭାରତରେ ପ୍ରସ୍ତୁତ ସୁପର ମଡ଼େଲରେ କୁହାଯାଉଛି ଯେ ବ୍ୟବସ୍ଥାକୁ ସଜାଡ଼ି ରଖିପାରିଲେ ଫେବୃୟାରୀ ୨୦୨୧ ସୁଦ୍ଧା ହୁଏତ ବ୍ୟାପକ ସଂକ୍ରମଣରୁ ମୁକ୍ତି ପାଇବା ସଂଭବପର । ତେବେ ବ୍ୟବସ୍ଥା ସଜାଡ଼ିବାଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କ ଯୋଗଦାନ ଅନିର୍ବାଯ୍ୟ


(ଅନୁପମ ଭାରତ / ୨୧ ନଭେମ୍ୱର ୨୦୨୦ /ପୃ. ୮)

Friday, November 13, 2020

Deepavali without crackers / ବିନା ଆତସବାଜିରେ ଦୀପାବଳି



ଦୀପାବଳିରେ ବାଣଫୁଟା #ବ୍ରହ୍ମପୁର ଉତ୍ସବ ପଞ୍ଜିକାରେ ଅନ୍ୟତମ ଆକର୍ଷଣ । ଚଳିତ ୨୦୨୦ ମହାମାରୀ ଭୟରେ ମାର୍ଚ୍ଚ ମାସରେ ଦୋଳ ଓ ହୋଲି ପରଠାରୁ ସମସ୍ତ ପର୍ବପର୍ବାଣୀ ଆଡ଼ମ୍ୱର ସହକାରେ ପାଳନରୁ ସହରବାସୀ କ୍ଷାନ୍ତ ରହିଥିବା ସ୍ଥଳେ ନଭେମ୍ୱର ଦୀପାବଳି ମଧ୍ୟ ସେଥିରେ ସାମିଲ ହେଲାଓଡ଼ିଶା ସରକାର ରାଜ୍ୟରେ ନଭେମ୍ୱର ୧୦ ରୁ ୩୦ ଯାଏଁ ମହାମାରୀ ସତକର୍ତାରେ ବାଣ ବିକ୍ରୀ ଓ ବାଣଫୁଟା ନିଷେଧ କରିଛନ୍ତି । ତେଣୁ ସହରରେ ଦୀପାବଳିରେ ଅତସବାଜି ପ୍ରଦର୍ଶନ ଆୟୋଜନ ଆପାତତଃ ବନ୍ଦ ରହିଲା ।

 

ବିଶେଷଜ୍ଞମାନଙ୍କ ମତରେ ଓଡ଼ିଶାର ସହରାଞ୍ଚଳ ଘଞ୍ଚ ଜନବସତିରେ ବାଣଫୁଟା ହେତୁ ବାୟୁ ପ୍ରଦୂଷଣ ମାତ୍ରା ପ୍ରାୟ ସାତଗୁଣ ବୃଦ୍ଧି ପାଇଥାଏ । ଏୟାର କ୍ୱାଲିଟି ଇନଡ଼େକ୍ସ ସାଧାରଣରେ ୫୦ ପାଖାପାଖି ରହୁଥିବା ସ୍ଥଳେ ଦୀପାବଳି ରାତିରେ ୩୫୦ ଉପରକୁ ଚାଲିଯାଏ ଏହି ପରିବେଶ କ୍ରମଶଃ ହ୍ରାସ ପାଇ ତିନି ଚାରି ଦିନ ଯାଏଁ ପ୍ରଭାବ ବଳବତ୍ତର ରହେ । ପ୍ରଦୂଷଣ ହେତୁ ବିଭିନ୍ନ ଶ୍ୱାସରୋଗରେ ପୀଡ଼ିତଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଏ । ଚଳିତ ବର୍ଷ ମୁଖ୍ୟତଃ କୋଭିଡ଼-୧୯ ରୁ ସୁସ୍ଥ ହୋଇଥିବା ସଂଖ୍ୟାଲଘୁ ଜନସାଧାରଣଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ଯୁକ୍ତିଯୁକ୍ତକେତେକଙ୍କ ମତରେ ପ୍ରଦୂଷିତ ବାୟୁମଣ୍ଡଳ କରୋନାଭୂତାଣୁ ସଂକ୍ରମଣକୁ ପାଞ୍ଚରୁ ଦଶ ପ୍ରତିଶତ ବଢ଼ାଇଦେବା ମଧ୍ୟ ସମ୍ଭାବନା ରହିଛି ।

 

ଏମିତିରେ ବିଗତ କିଛି ବର୍ଷ ଧରି ୨୦୧୭ରୁ ବ୍ରହ୍ମପୁରରେ ଦୀପାବଳି ଅବସରରେ ବାଣ ବିକ୍ରୀ ବିଭିନ୍ନ ପ୍ରଶାସନିକ କଟକଣା ହେତୁ ବିଶୃଙ୍ଖଳିତ ହୋଇ ଆସିଥିଲା ଗତ ଶତାଦ୍ଦୀର ଷଷ୍ଠ ଦଶକ ଯାଏଁ ମୁଖ୍ୟତଃ ବଡ଼ବଜାର ଓ ଭାପୁର ବଜାରରେ ଆଙ୍ଗୁଠି ଗଣତି ଦୋକାନରେ ବାଣ କିଣାବିକା ହେଉଥିଲା । ସପ୍ତମ, ଅଷ୍ଟମ ଓ ନବମ ଦଶକରେ କ୍ରମଶଃ କମାପଲ୍ଲୀ, ବିଜିପୁର, ଗେଟବଜାର ଓ ପରେ ସାହୀ ସାହୀର ଛୋଟମୋଟ ଦୋକାନକୁ ବାଣବିକ୍ରୀ ସଂପ୍ରସାରିତ ହେଲା । ବାଣ ଏକ ନିଷିଦ୍ଧ ସାମଗ୍ରୀ ଏବଂ ବିକ୍ରୀ ନିମନ୍ତେ ସ୍ୱତନ୍ତ୍ର ପ୍ରଶାସନିକ ଅନୁମତି ଆବଶ୍ୟକ ପଡୁଥିବା ହେତୁ ପୋଲିସର ଧରପଗଡ଼ ପରେ ସହରତଳି ପ୍ରେମନଗର ଆମ୍ୱମାର୍କେଟକୁ ୧୯୯୮ରେ ବାଣ ବିକ୍ରୀ ସ୍ଥାନାନ୍ତରିତ ହୋଇଥିଲା ।

 

ପାଞ୍ଚବର୍ଷ ପରେ ୨୦୦୩ରେ ଅନ୍ଧପସରା ରୋଡ଼ରେ ସ୍ୱତନ୍ତ୍ର ବାଲୁଙ୍କେଶ୍ୱର ବାଣ ବଜାର ସ୍ଥାପିତ ହୋଇ ପ୍ରାୟ ତିନିଡ଼ଜନ ଦୋକାନରେ ବାଣ କାରବାର ଚାଲିଲା । ଗତ ବର୍ଷ ସେଠାରେ ଏକ ପେଟ୍ରୋଲ ପମ୍ପ ଖୋଲିବାରୁ ପ୍ରଶାସନିକ ବାରଣ ଫଳରେ ବାଣ ବଜାର ବନ୍ଦ ରହିଲା ୨୦୨୦ରେ ନିରାପତ୍ତା ନିୟମାବଳୀକୁ ବିଚାରକୁ ନେଇ ଏକ ନୂଆ ସ୍ଥାନ ଆସିକାରୋଡ଼ ହରିଡ଼ାଖଣ୍ଡି ପୋଖରୀ ନିକଟରେ ବାଣ ମାର୍କେଟ ଖୋଲିବାକୁ ପାଇକାରୀ ବ୍ୟବସାୟୀ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହେତୁ ଚଳିତ ବର୍ଷ ବାଣ ବିକ୍ରୀ ବନ୍ଦ ରହିଲା ।

 

ବ୍ରହ୍ମପୁରକୁ ବାଣ ତାମିଲନାଡୁର ଶିବକାଶୀରୁ ଓ ଛତିଶଗଡ଼ ରାୟପୁରରୁ ଆସେ । ଆସିକା ନିକଟସ୍ଥ ନଳବଣ୍ଟା ଗ୍ରାମରେ ତାଳ ଫୋଟକା, କୁମ୍ପି, ଚେଙ୍ଗା ଭଳି ପାରମ୍ପରିକ ବାଣ ପ୍ରସ୍ତୁତ ହୋଇ ମଧ୍ୟ ଏଠାକାର ବଜାରରେ ପହଞ୍ଚେ । ଚଳିତ ୨୦୨୦ରେ ମହାମାରୀ ପ୍ରଭାବରେ ପୂର୍ବ ବର୍ଷ ତୁଳନାରେ ମାତ୍ର ୨୦ ରୁ ୨୫ ପ୍ରତିଶତ ଆତସବାଜି ଶିବକାଶୀରୁ ବିଭିନ୍ନ ରାଜ୍ୟକୁ ରପ୍ତାନୀ ହୋଇଥିବା ଜଣାଯାଏ ବ୍ରହ୍ମପୁରରେ ଗତବର୍ଷ ବଜାର ବନ୍ଦ ହେତୁ ବିକ୍ରୀ ନହୋଇ ପର୍ଯ୍ୟାପ୍ତ ସଂଖ୍ୟକ ସାମଗ୍ରୀ ଗଚ୍ଛିତ ରହିଥିବା ହେତୁ ଚଳିତବର୍ଷ ନୂତନ ଆମଦାନୀ ହୋଇନପାରିଥିବା ଅନୁମାନ କରାଯାଇପାରେ । ବିଗତ ଦୁଇ ଦଶନ୍ଧିରୁ ଭାରତୀୟ ଆତସବାଜି ବଜାରରେ ଚୀନ ସାମଗ୍ରୀ ପ୍ରମୁଖ ସ୍ଥାନ ଅଧିକାର କରୁଥିଲା । କିନ୍ତୁ ଇତିମଧ୍ୟରେ ଚୀନ ସମଗ୍ରୀ ବର୍ଜନ ଏକ ଗଣଅଭିଯାନରେ ପରିଣତ ହୋଇ ବଜାରକୁ ପ୍ରଭାବିତ କରିଛି । ଏହି ସବୁ କାରଣରୁ ବ୍ରହ୍ମପୁରରେ ୨୦୨୦ ଦୀପାବଳି ବାଣଫୁଟା ବ୍ୟାବସାୟିକସ୍ତରରେ ବହୁ ପୂର୍ବରୁ ଅଘୋଷିତ ବନ୍ଦର ନିଷ୍ପତ୍ତି ନିଆଯାଇ ସାରିଥିଲା ବୋଲି କୁହାଯାଇପାରେ ।

 

ଆନ୍ତର୍ଜାତିକସ୍ତରରେ ଚୀନରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଆତସବାଜି ପ୍ରଦର୍ଶନ ଖ୍ୟାତି ଲାଭ କରିଥିଲା ଶତୃକୁ ଭୟଭୀତ କରାଇବା କିମ୍ୱା ଭୂତପ୍ରେତଙ୍କୁ ତଡ଼ିବା ନିମନ୍ତେ ବାଣଫୁଟା ପରମ୍ପରା ଚଳି ଆସିଥିଲା । ମୁଖ୍ୟତଃ ଚୀନ ନୂତନବର୍ଷ ଅବସରରେ ବ୍ୟାପକ ବାଣଫୁଟା ଆୟୋଜିତ ହୋଇଥାଏ । ଆତସବାଜି ପ୍ରଦର୍ଶନ ବିଭିନ୍ନ ପୂର୍ବ-ଏସୀୟ ରାଷ୍ଟ୍ର ସମେତ ୟୁରୋପୀୟ ରାଷ୍ଟ୍ରପୁଞ୍ଜ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚଳିତ । ଭାରତରେ ମୋଗଲ ଶାସନ କାଳରେ ଷୋଡ଼ଶ ଶତାଦ୍ଦୀରେ ଆଡ଼ମ୍ୱରପୂର୍ଣ୍ଣ ଆତସବାଜି ପ୍ରଦର୍ଶନର ପ୍ରମାଣ ମିଳେ । ତେବେ ଏହି ଖର୍ଚ୍ଚବହୁଳ ବ୍ୟାପାର କେବଳ ରାଜପରିବାର ଓ ଧନୀକ ବର୍ଗଙ୍କ ମଧ୍ୟରେ ସୀମିତ ରହୁଥିଲା । ଓଡ଼ିଶାରେ ଆତସବାଜି ପ୍ରସ୍ତୁତ କଳାକୌଶଳ ପ୍ରଚଳିତ ଥିବା ଗଜପତି ପ୍ରତାପରୁଦ୍ର ଦେବ (୧୪୯୭-୧୫୩୯) ରଚିତ କୌତୁକ ଚ଼ିନ୍ତାମଣିରେ ବର୍ଣ୍ଣିତ । ଊନବିଂଶ ଶତାଦ୍ଦୀରେ କଲିକତାରେ ବିଭିନ୍ନ ରଙ୍ଗର ଦିଆସିଲି, ଫୁଲଝରି ଓ ଫୋଟକା ଉତ୍ପାଦନ ଆରମ୍ଭ ହୋଇଥିଲା । ସର୍ବସାଧାରଣରେ ପାଳିତ ଦୀପଦାନର ପର୍ବ ଦୀପାବଳିରେ ଏହି ଦେଶୀୟ ପ୍ରସ୍ତୁତ ବାଣ କ୍ରମଶଃ ସାମିଲ ହେବାରେ ଲାଗିଲା ।

 

ବାଣ ବିକ୍ରୀ ଓ ଫୁଟା କଟକଣା ହେତୁ ଚଳିତ ୨୦୨୦ ବ୍ରହ୍ମପୁର ଦୀପାବଳି ଗୃହ ଦ୍ୱାରରେ ଦୀପ ପ୍ରଜ୍ୱଳନରେ ସୀମିତ ରହିବସୁପ୍ରିମକୋର୍ଟ ୨୦୧୭ରେ ଦିଲ୍ଲୀରେ ବାଣ ବିକ୍ରୀ ଓ ଫୁଟା ବନ୍ଦ ଆଦେଶ ଦେବାପରେ ଦେଶବ୍ୟାପୀ ତାହାର ପ୍ରଭାବ ପଡିଥିଲା ଏବଂ ବ୍ରହ୍ମପୁର ମଧ୍ୟ ସେଥିରୁ ବାଦ ପଡ଼ିନାହିଁ । ବିଶ୍ୱବ୍ୟାପୀ ପ୍ରଦୂଷଣ ଓ ପାଣିପାଗ ପରିବର୍ତ୍ତନ ସଂପର୍କରେ ଚ଼େତନା ପ୍ରସାର ଅବସରରେ ବ୍ରହ୍ମପୁରବାସୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ମହାମାରୀ ବ୍ୟାପକ ସାମାଜିକ ବିଘଟନ ଘଟାଇଥାଏ । ଏମିତି ଦୀପାବଳିରେ ବାଣଫୁଟା କିଛି ବର୍ଷ ବନ୍ଦ ରହିଲେ କ୍ରମଶଃ ଯେ ଏହି ପରମ୍ପରା ଜନମାନସରୁ ଉଭେଇ ନଯିବ ସେ କଥା କିଏ ଜାଣିଛି ?

(ଅନୁପମ ଭାରତ / ୧୪ ନଭେମ୍ୱର ୨୦୨୦/ ପୃଷ୍ଠା : ୮)

Photo by : kkalyan is licensed under CC BY-SA 2.0

Friday, November 6, 2020

Prof. Harihar Das / ପ୍ରଫେସର ହରିହର ଦାସ




#ବ୍ରହ୍ମପୁର ସହରର ଜଣେ ସ୍ୱନାମଧନ୍ୟ ଶିକ୍ଷାବିତ ଓ ସାହିତ୍ୟିକ ପ୍ରଫେସର ହରିହର ଦାସଙ୍କ ୪ ନଭେମ୍ୱର ୨୦୨୦ ପାହନ୍ତା ପ୍ରହରରେ ପରଲୋକ ସ୍ଥାନୀୟ ବରିଷ୍ଠ ନାଗରିକ ଓ ସାଂସ୍କୃତିକ ମହଲରେ ଗଭୀର ରେଖାପାତ କରିଛି । ପରିଚ଼ିତବର୍ଗରେ ସେ ଜଣେ ସଂଭ୍ରମ ଚରିତ୍ର । ଶବ୍ଦକୋଷରେ ସଂଭ୍ରମର ଅର୍ଥ ଭୟ, ସମ୍ମାନ ବା ଭୟମିଶ୍ରିତ ଶ୍ରଦ୍ଧାକୁ ବୁଝାଇଥାଏ । ପ୍ରଫେସର ଦାସଙ୍କ ସାନ୍ନିଧ୍ୟ ଛାତ୍ର, ସହକର୍ମୀ ଓ ସତୀର୍ଥଙ୍କ ଗହଣରେ ସେହିଭଳି ଏକ ଅନୁଭବ ପରିପ୍ରକାଶ ହେଉଥିଲା । ବ୍ରହ୍ମପୁରରେ ଜନ୍ମିତ ତଥା ତିନି ଦଶନ୍ଧି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଶିକ୍ଷକତା ପରେ ପୁରୁଣା ଖ୍ରୀଷ୍ଟିଆନ ସାହୀ ବାସଭବନରେ ଦୁଇ ଦଶନ୍ଧି ଧରି ଅବସର ଜୀବନଯାପନ ତାଙ୍କରି ବ୍ୟକ୍ତିତ୍ୱର ବହୁ ଗୁଣଗ୍ରାହୀ ସୃଷ୍ଟି କରିଥିଲା । ବଳିଷ୍ଠ ଚ଼େହରା ସାଙ୍ଗକୁ ସ୍ପଷ୍ଟବାଦିତା ଅନେକଙ୍କ ଭିଡ଼ ମଧ୍ୟରେ ତାଙ୍କରି ଉପସ୍ଥିତି ବେଶ ବାରି ହେଉଥିଲା

ପ୍ରଫେସର ଦାସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗରେ ଶିକ୍ଷକତା କରିଥିଲେ । ପାରମ୍ପରିକ ଉଚ୍ଚଶିକ୍ଷାର ମାନଦଣ୍ଡ ଶ୍ରେଣୀ ଗୃହରେ ଶିକ୍ଷାଦାନ, ଗବେଷଣାରେ ଦିଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ଜୀବନ ଜୀବିକା ଗଠନରେ ପ୍ରେରଣାକୁ ବୁଝାଇଥାଏ । ପ୍ରଫେସର ଦାସଙ୍କ କର୍ମମୟ ଜୀବନ ସେଥିରେ କଟିଥିଲା । କିଛି କାଳ ପାଇଁ ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରଶାସନିକ ପଦପଦବୀରେ ମଧ୍ୟ ଅବସ୍ଥାପିତ ହୋଇଥିଲେ । ତେବେ ସେଥିପ୍ରତି ତାଙ୍କରିଠାରେ ଆସକ୍ତି ପରିଲକ୍ଷିତ ହେଉନଥିଲା । ଅଧ୍ୟୟନ ଓ ଶିକ୍ଷାଦାନରେ ସମୟ କଟୁଥିଲା ।

ପ୍ରଫେସର ଦାସ ଛାତ୍ର ଜୀବନରୁ ସାହିତ୍ୟ ରଚନାରେ ସଂପୃକ୍ତ ରହିଆସିଥିଲେ ଏବଂ ବିଗତ ପାଞ୍ଚ ଦଶନ୍ଧି ଧରି କ୍ରମାଗତ ଭାବେ ବହୁ ପୁସ୍ତକ ପ୍ରକାଶିତ ହୋଇଥିଲା । ସେ କ୍ଷୁଦ୍ରଗଳ୍ପ, ଉପନ୍ୟାସ, କବିତା ଓ ଲଳିତ ନିବନ୍ଧ କ୍ଷେତ୍ରରେ ଦକ୍ଷତା ହାସଲ କରିଥିଲେ ହେଁ ଜଣେ ଗାଳ୍ପିକ ଭାବେ ପରିଚିତ । ତାଙ୍କରି ଦଶଗୋଟି ଗଳ୍ପ ସଂକଳନ, ତିନିଗୋଟି ଉପନ୍ୟାସ, ତିନି ଗୋଟି କବିତା ସଂକଳନ ଓ ଗୋଟିଏ ଲଳିତ ନିବନ୍ଧ ସଂକଳନ ପ୍ରକାଶ ପାଇଥିଲା । ଏତଦ୍ ବ୍ୟତୀତ କିଛି ପାଠ୍ୟପୁସ୍ତକର ମଧ୍ୟ ସେ ପ୍ରଣେତା ।

କ୍ଷୁଦ୍ରଗଳ୍ପ ସଂକଳନ ମଧ୍ୟରେ କ୍ରାନ୍ତିକାରୀ ଜୀବନର ଉପକଥା (୧୯୬୮), କ୍ରିପର ଓ ଅନ୍ୟାନ୍ୟ ଗଳ୍ପ (୧୯୭୧), ହ୍ରଦ (୧୯୭୭), ଶେଷ ସଂଳାପ (୧୯୭୮), ହୈମବତୀର ଅଭିମାନ (୧୯୮୩), ଦୃଷ୍ଟିର ପରିଧି (୧୯୮୪), କିଛି ସ୍ୱପ୍ନ, କିଛି ବାସ୍ତବତା (୧୯୮୭), ନିରୁଦ୍ଦିଷ୍ଟ ବ୍ୟକ୍ତି ସଂପର୍କରେ (୧୯୮୯), ସଂପର୍କର ଅଭିନୟ (୧୯୯୯) ଓ ଇଂଲିଶରେ ଏନ ଏକ୍ସପାସନ ଅନ୍ତର୍ଭୁକ୍ତ । ସମୁଦ୍ରର ମନ (୧୯୬୭), ପ୍ରତାରଣାର ମହାକାବ୍ୟ (୨୦୦୨) ଓ ପ୍ରତିନିଧି ତିନିଗୋଟି ପ୍ରକାଶିତ ଉପନ୍ୟାସ । କବିତା ସଂକଳନ ମଧ୍ୟରେ ନୟନ ଲୁହର ଧାରେ (୧୯୬୨), ତୁମେ ମୋ ରୂପସୀ (୧୯୬୩) ଓ ଇଂଲିଶରେ ମିଉଜିଙ୍ଗ ଅଫ ବାଇଗନ ଡ଼େଜ ତଥା ଲଳିତ ନିବନ୍ଧ ସଂକଳନ ନିଜସ୍ୱ ଅନୁଭୂତି ତାଙ୍କରି ସାହିତ୍ୟ କୃତୀ ।

ସହରରେ ଜଣେ ରାଜନୀତି ବିଜ୍ଞାନୀଭାବେ ପ୍ରଫେସର ଦାସଙ୍କ ଯେତିକି ଖ୍ୟାତିଥିଲା ଜଣେ ସାହିତ୍ୟିକ ଭାବେ ମଧ୍ୟ ଅନୁରୂପ ଲୋକପ୍ରିୟତା ଗଢ଼ି ଉଠିଥିଲା । ସ୍ୱାଧୀନୋତ୍ତର ଓଡ଼ିଶାରେ ପାଞ୍ଚବାର୍ଷିକ ଯୋଜନା ପ୍ରଣୟନ କାଳରେ ସାମାଜିକ ପରିବର୍ତ୍ତନ, କ୍ରମବର୍ଦ୍ଧମାନ ଦୁର୍ନୀତି, ଯୁବ ଆକ୍ରୋଶ ଓ ବିକଳ୍ପର ସନ୍ଧାନ ସୃଜନ ଦୃଷ୍ଟିକୋଣରେ ସ୍ପଷ୍ଟ ବାରି ହୋଇପଡୁଥିଲା । ତାଙ୍କରି ସ୍ୱାଭିମାନୀ ବ୍ୟକ୍ତିତ୍ୱ ଗଳ୍ପ, ଉପନ୍ୟାସର ଚରିତ୍ରଗୁଡ଼ିକରେ ବେଶ ପ୍ରତିବିମ୍ୱିତ ।

ପ୍ରଫେସର ଦାସଙ୍କ ଜନ୍ମଭୂମି ଓ ମାତୃଭାଷା ପ୍ରତି ଗଭୀର ଅନୁରାଗ ସାମାଜିକ ଜୀବନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବାବସ୍ଥାରେ ଗଞ୍ଜାମବାସୀଙ୍କୁ ନିଜ ସ୍ଥିତି ଜାହିର କରିବା ନିମନ୍ତେ ଯେଉଁ ସଂଘର୍ଷ କରିବାକୁ ପଡିଥିଲା ରାଜ୍ୟ ଗଠନ ପର ଅବସ୍ଥାରେ ମଧ୍ୟ ଏକ ଉପାନ୍ତ ଜିଲ୍ଲା ହେତୁ ତାହା ଲାଘବ ହୋଇପାରିନଥିଲା । ପ୍ରଫେସର ଦାସଙ୍କ ଜନ୍ମ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଠିକ ଦୁଇବର୍ଷ ପରେ ହୋଇଥିବା ହେତୁ ତାଙ୍କରି କଶୋରାବସ୍ଥା ଓ ଯୁବାବସ୍ଥା ଏହି ସଂଘର୍ଷ ମଧ୍ୟ ଦେଇ ଗତି କରିବା ସ୍ୱାଭାବିକ । ସେ ଜଣେ ଉଗ୍ର ଭୂମିପୁତ୍ର ହିସାବରେ ପରିଣତ ବୟସରେ ମଧ୍ୟ ବ୍ରହ୍ମପୁରବାସୀଙ୍କ ନ୍ୟାର୍ଯ୍ୟ ଅଧିକାର ସାବ୍ୟସ୍ତ କରିବାକୁ ପଛାଉ ନଥିଲେ । ଅବଶ୍ୟ ବିନା ଦ୍ୱିଧାରେ ନିଜ ସୃଜନର ଦ୍ୱୀପ ମଧ୍ୟରେ ଅବଦ୍ଧ ରହିବା ଶ୍ରେୟସ୍କର ମଣିଥିଲେ । ତାହାହିଁ ତାଙ୍କରି ଜୀବନର ପରାକାଷ୍ଠା ।

(ଅନୁପମ ଭାରତ / ୦୭ ନଭେମ୍ୱର ୨୦୨୦/ ପୃଷ୍ଠା : ୮)

Photo by : Ian Britton is licensed under CC BY-NC 2.0