Friday, August 27, 2021

Electric Vehicles / ଇଲେକ୍ଟ୍ରିକ ମଟରଗାଡ଼ି

 


କୋଭିଡ଼-୧୯ ମହାମାରୀ ଅନ୍ତେ #ବ୍ରହ୍ମପୁର ସହରରେ ଯେଉଁ କେତେକ ସମ୍ଭାବ୍ୟ ପରିବର୍ତ୍ତନ ଆଶା କରାଯାଏ, ସେଥିମଧ୍ୟରେ ରାସ୍ତାଘାଟରେ ଅଧିକରୁ ଅଧିକ ସଂଖ୍ୟକ ଇଲେକ୍ଟ୍ରିକ ମଟରଗାଡ଼ି ଅନ୍ୟତମ । ପ୍ରଦୂଷଣ ଓ ଦୁର୍ଘଟଣା ହ୍ରାସ ନିମନ୍ତେ ପୁରାତନ ଯାନବାହାନକୁ ହଟାଇ ଇଲେକ୍ଟ୍ରିକ ମଟରଗାଡ଼ି ପ୍ରଚଳନ ସଂପର୍କୀତ ଆଲୋଚ଼ନା ବିଗତ କିଛି ଦିନରୁ ଜାରି ରହିଥିଲା । କିନ୍ତୁ, କେତେ ଶୀଘ୍ର ଏଭଳି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିବ ସେ ସଂପର୍କରେ ସମସ୍ତେ ସନ୍ଦୀହାନ ଥିଲେ । ମହାମାରୀରେ ପେଟ୍ରୋଲ, ଡ଼ିଜେଲ ଦରବୃଦ୍ଧି, ନୀତିନିୟମ ଲାଗୁକରିବାରେ ସରକାରଙ୍କ ଦୃଢ଼ତା, ଦେଶବିଦେଶରେ ଜଳବାୟୁ ପରିବର୍ତ୍ତନଜନିତ ବନ୍ୟା, ବନାଗ୍ନି ଭଳି ଦୁର୍ବିପାକ ଏବଂ ସର୍ବୋପରି ବୈଷୟିକ ଜ୍ଞାନ କୌଶଳ ବିକାଶ ଆମ ଦେଶରେ ଇଲେକ୍ଟ୍ରିକ ମଟରଗାଡ଼ି ବ୍ୟବହାର ନିମନ୍ତେ ପଥ ଉନ୍ମୁକ୍ତ କରିଥିବା ସୁସ୍ପଷ୍ଟ ।
 
ପେଟ୍ରୋଲ, ଡ଼ିଜେଲ ବ୍ୟବହାର ନିମନ୍ତେ ଭାରତ ଆମଦାନୀ ଉପରେ ନିର୍ଭର କରୁଥିବା ସ୍ଥଳେ ବିଭିନ୍ନ କାରଣରୁ ତୈଳଦର ବଢ଼ି ଚାଲିଛି, ଏହାକୁ ଆୟତ୍ତ କରିବା ଆମର କ୍ଷମତା ବର୍ହିଭୂତ ଏବଂ ବିଶେଷଜ୍ଞମାନେ ଦୀର୍ଘକାଳ ପାଇଁ ଅବସ୍ଥାରେ ପରିବର୍ତ୍ତନ ଆଶା କରିପାରୁ ନାହାନ୍ତି । ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ଛୁଇଁବାପରେ ସାଧାରଣ ଉପଭୋକ୍ତା ବିକଳ୍ପ ଇନ୍ଧନ ପ୍ରତି ଆଗ୍ରହାନ୍ୱିତ ହେବା ସ୍ୱାଭାବିକ । ଏହି ପରିବେଶରେ ଭାରତ ଭଳି ଏକ ବିକାଶୋନ୍ମୁମୁଖୀ ଅର୍ଥନୀତିରେ ଇଲେକ୍ଟ୍ରିକ ମଟରଗାଡ଼ି ଲୋକପ୍ରିୟତା ହାସଲ କରିବା ପୁର୍ବାନୁମାନ କରାଯାଉଛି ।
 
ବିଶେଷଜ୍ଞଙ୍କ ଏକ ହିସାବ ଅନୁଯାୟୀ ବ୍ରହ୍ମପୁର ରାସ୍ତାଘାଟରେ ସର୍ବାଧିକ ବ୍ୟବହୃତ ଦୁଇଚ଼ିକିଆ ଯାନ ଲିଟର ପିଛା ଶହେ ଟଙ୍କାରେ ୪୦ କିଲୋମିଟର ମାଡ଼ିଲେ ପେଟ୍ରୋଲ ଖର୍ଚ୍ଚ କିଲୋମିଟର ପିଛା ଟ୨.୫୦ ପଇସା ଖର୍ଚ୍ଚ ହେଉଛି । କିନ୍ତୁ ଇଲେକ୍ଟ୍ରିକ ସ୍କୁଟରରେ ମାତ୍ର ୨୫ ପଇସା ଖର୍ଚ୍ଚ ହେବ । ସେହିପରି ହାରାହାରି ଭାବେ ପେଟ୍ରୋଲ କାର କିଲୋମିଟର ପିଛା ଇନ୍ଧନ ଖର୍ଚ୍ଚ ଟ୫.୭୦ ପଇସା ଓ ଡ଼ିଜେଲ କାର ଟ୪.୨୦ ପଇସା ଖର୍ଚ୍ଚ ପଡୁଥିବା ସ୍ଥଳେ ଇଲେକ୍ଟ୍ରିକ କାରରେ ଖର୍ଚ୍ଚ କିଲୋମିଟର ପିଛା ମାତ୍ର ୮୦ ପଇସାରେ ସୀମିତ ରହିବ ।
 
ଦୀର୍ଘକାଳୀନ ହିସାବରେ ଜଣେ ଚାଳକ ଏକ ଦୁଇ ଚ଼କିଆ ଯାନ ବାର୍ଷିକ ଦଶ ହଜାର କିଲୋମିଟର ଚଳାଉଥିଲେ ଚାରିବର୍ଷରେ ଚାଳିଶି ହଜାର କିଲୋମିଟର ଚଳାଇ ଇନ୍ଧନ ବାବଦରେ ପ୍ରାୟ ୯୦ ହଜାର ଟଙ୍କା ସଞ୍ଚୟ କରିପାରିବ । ପେଟ୍ରୋଲ ଚାଳିତ ମଟର ସାଇକଲ, ସ୍କୁଟର, ସ୍କୁଟି, ମୋପଡ଼ଠାରୁ ଇ-ସ୍କୁଟର ଦାମ ୧୦ ରୁ ୩୦ ପ୍ରତିଶତ ଯାଏଁ ଅଧିକା ଥିବା ସ୍ଥଳେ ଇନ୍ଧନ ବାବଦରେ କେତେ ସଞ୍ଚୟ ହୋଇପାରିବ ସେହି ତଥ୍ୟ ଗୁରୁତ୍ୱ ବହନ କରେ ।
 
ଅଗଷ୍ଟ ୨୦୨୧ ସୁଦ୍ଧା ଭାରତୀୟ ବଜାରରେ ଦୁଇଚ଼କିଆ ସୋରୁମ ବିକ୍ରୀମୂଲ୍ୟ ତାଲିକାରେ ହିରୋ ଇଲେକ୍ଟ୍ରିକ ୭୧ ହଜାର, ଓଲା-ଏସ୧-ପ୍ରୋ ୮୫ ହଜାର, ଟିଭିଏସ ଆଇ-କ୍ୟୁବ ୯୫ ହଜାର ଓ ବଜାଜ ଚ଼େତକ ଲକ୍ଷେ ୪୩ ହଜାର ନିର୍ଦ୍ଧାରିତ ହୋଇଥିବା ଜଣାଯାଏ । ଆଗାମୀ ଛଅ ମାସରୁ ବର୍ଷକ ମଧ୍ୟରେ ଆହୁରି ଅଧିକ ସଂଖ୍ୟକ ନିର୍ମାତାଙ୍କ ଇ-ସ୍କୁଟର ବଜାରରେ ପହଞ୍ଚିବା ଆଶା କରାଯାଏ ।
 
ସେହିପରି ଇଲେକ୍ଟ୍ରିକ କାର କ୍ଷେତ୍ରରେ ସର୍ବନିମ୍ନ ମୂଲ୍ୟ ଷ୍ଟର୍ମ ମୋଟରର୍ସର ଆର-୩ ଚାରି ଲକ୍ଷ ୫୦ ହଜାର, ଟାଟା ଟିଗୋର ଦଶ ଲକ୍ଷ ୬୦ ହଜାର, ଟାଟା ନେକ୍ସନ ୧୩ ଲକ୍ଷ ୯୦ ହଜାର ଓ ହୁଣ୍ଡାଇ କୋନାର ମୂଲ୍ୟ ୨୩ ଲକ୍ଷ ୮୦ ହଜାର ରହିଛି ।
 
କୁହାଯାଉଛି ଯେ ଦୈନିକ ୧୦ରୁ ୨୦ କିଲୋମିଟର ଡ୍ରାଇଭ ହେଉଥିଲେ ଇଲେକ୍ଟ୍ରିକ କାର ମୋଟାମୋଟିଭାବେ ଲାଭଜନକ ନୁହେଁ । ଅର୍ଥାତ ବ୍ରହ୍ମପୁର ଭଳି ସହରରେ ଘରୋଇ ବ୍ୟବହାର ଲାଗି ଇଲେକ୍ଟ୍ରିକ କାର ଇନ୍ଧନ ଦୃଷ୍ଟିରୁ ଆକର୍ଷଣୀୟ ନହୋଇ ପାରେ । କିନ୍ତୁ ବ୍ୟାବସାୟିକଭିତ୍ତିରେ ଚାଳିତ କାରବର୍ଗରେ ଇଲେକ୍ଟ୍ରିକ କାରର ସଂଖ୍ୟା ବଢ଼ିପାରେ ।
 
ବିଶେଷଜ୍ଞମାନେ ଇଲେକ୍ଟ୍ରିକ ମଟରଗାଡ଼ି ସପକ୍ଷରେ ଓ ବିପକ୍ଷରେ ଅନେକ ଯୁକ୍ତି ବାଢ଼ିଥାନ୍ତି । ପ୍ରଥମତଃ, ଏଥିରେ କମ ସଂଖ୍ୟକ ଘୁର୍ଣ୍ଣୟମାନ ଯନ୍ତ୍ରାଂଶ ମୁଭିଙ୍ଗ ପାର୍ଟ୍ସ ଥିବା ହେତୁ ରକ୍ଷଣାବେକ୍ଷଣ କମ ପଡ଼ିବ । ଦ୍ୱିତୀୟତଃ, ଇଲେକ୍ଟ୍ରିକ ମଟରଗାଡ଼ିର ବ୍ୟାଟେରୀ ସୀମିତ ସମୟପାଇଁ ଚାର୍ଜ ହେଉଥିବା କାରଣରୁ ଗାଡ଼ି ଗନ୍ତବ୍ୟସ୍ଥଳୀରେ ପହଞ୍ଚିବା ପୂର୍ବରୁ ବ୍ୟାଟେରୀ ଚାର୍ଜ ସରିଗଲେ ସମସ୍ୟା ଭୋଗିବାକୁ ପଡ଼ିପାରେ । ଓଡ଼ିଶାରେ ତ ସର୍ବତ୍ର ବିଦ୍ୟୁତ ସେବା ନମିଳିପାରେ । ତୃତୀୟତଃ, ଏଭଳି ଯାନବାହାନର ମରାମତି, ପରବର୍ତ୍ତୀ ବିକ୍ରୀ ବା ରି-ସେଲ ସଂପର୍କରେ ଏଯାଏଁ ସନ୍ଦେହ ଦୂର ହୋଇପାରି ନାହିଁ । ଚତୁର୍ଥତଃ, ସମାଜରେ କ୍ରମଶଃ ପରିବେଶ ସଂରକ୍ଷଣ ଚ଼େତନା ସୃଷ୍ଟି ହେଉଥିବା ହେତୁ ଇଲେକ୍ଟ୍ରିକ ମଟରଗାଡ଼ିର ଚାହିଦା ବଢ଼ିପାରେ । ପଞ୍ଚମତଃ, ଇଲେକ୍ଟ୍ରିକ ମଟରଗାଡ଼ି ବ୍ୟବହାର ଏକ ଟ୍ରେଣ୍ଡରେ ପରିଣତ ହେଲେ ଅବଶ୍ୟ ଅଧିକାଂଶ ଏଭଳି ନୂତନ ବୈଷୟିକ କୌଶଳ ସଂପର୍କରେ ଆଗ୍ରହ ପ୍ରକାଶ କରିବେ ଇତ୍ୟାଦି ।
 
ବ୍ରହ୍ମପୁର ସହରର ରାସ୍ତାଘାଟ ବଳଦଗାଡ଼ି, ଘୋଡ଼ାଗାଡ଼ି ଝାଟକା, କୋଇଲା ଚାଳିତ ବସ, ପ୍ରାକୃତିକ ଗ୍ୟାସ ଚାଳିତ କାର ବିଭିନ୍ନ କିସମର ଯାନବାହନ ଦେଖି ଆସିଛି । କିଛିଦିନରେ ଇଲେକ୍ଟ୍ରିକ ମଟରଗାଡ଼ିକୁ ମଧ୍ୟ ଆଦରି ନେବ !

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୮ ଅଗଷ୍ଟ ୨୦୨୧ / ପୃଷ୍ଠା :୮)

Photo by Ernest Ojeh on Unsplash




Friday, August 20, 2021

Kabuliwalla / କାବୁଲିବାଲା

 


ଆଫଗାନିସ୍ତାନରେ କଠୋରପନ୍ଥୀଙ୍କ ପ୍ରଭୁତ୍ୱ ବିସ୍ତାର କାଳରେ ସେଠାକାର ସାମାଜିକ ବିଶୃଙ୍ଖଳା ଓ ବହୁ ସଂଖ୍ୟକ ନାଗରିକଙ୍କ ଦେଶାନ୍ତର ଗମନ ଉଦ୍ୟମ ଗଣମାଧ୍ୟମରେ ଚର୍ଚ୍ଚା ଅବସରରେ #ବ୍ରହ୍ମପୁରରେ କାବୁଲିବାଲାଙ୍କ ସ୍ମୃତି ମନେପଡ଼ିଥାଏ । ବ୍ରିଟିଶ ଶାସନାଧିନ ଅବସ୍ଥାରେ ଆଫଗାନିସ୍ତାନବାସୀ ଭାରତର ବିଭିନ୍ନ ପ୍ରାନ୍ତରେ ଅବସ୍ଥାପିତ ହୋଇ ବ୍ୟବସାୟ କରୁଥାନ୍ତି । ଆଫଗାନିସ୍ତାନ ରାଜଧାନୀ କାବୁଲ ପରିଚିତିରେ ସେମାନେ କାବୁଲିବାଲା ନାମିତ । ଆମ ରାଜ୍ୟ ଓଡ଼ିଶାରେ କାବୁଲିବାଲାମାନେ ମୁଖ୍ୟତଃ ଋଣ ପ୍ରଦାନ ବ୍ୟବସାୟ ଲାଗି ପ୍ରସିଦ୍ଧ ।
 
ବ୍ରହ୍ମପୁରରେ ଭାପୁର ବଜାର ଓ ଖାଜା ସାହୀ ମଧ୍ୟଭାଗରେ କିଛି କାବୁଲିବାଲା ଭାରତ ସ୍ୱାଧୀନପ୍ରାପ୍ତିର ଦୁଇ ତିନି ଦଶକ ଯାଏଁ ବସବାସ କରି ଋଣ ବ୍ୟବସାୟ ଚଳାଉଥିଲେ । ସ୍ୱାଧୀନତାପୂର୍ବବର୍ତ୍ତୀ ଅବସ୍ଥାରେ ଭାପୁର ବଜାରରେ କାବୁଲିବାଲାଙ୍କ ମାଲିକାନାରେ କେତେଗୋଟି ଦୋକାନ ଥିବା କୁହାଯାଏ । ଅନ୍ୟତ୍ର କାବୁଲିବାଲାମାନେ କିସମିସ ଭଳି ଶୁଖିଲା ଫଳ ଡ୍ରାଏ ଫୃଟ, ରେଶମ, ପଶମ ଶାଲ ବିକ୍ରୀ ବ୍ୟବସାୟରେ ମଧ୍ୟ ସଂପୃକ୍ତ ରହୁଥିଲେ ।
 
କାବୁଲିବାଲାଙ୍କ ଗୋରା ତକ ତକ ସୁଉଚ୍ଚ ହୃଷ୍ଟପୃଷ୍ଟ ଚ଼େହରା ଏବଂ ସଲୱାର-ପାଇଜାମା-କାବା-ପଗଡ଼ି ଭଳି ଚିତ୍ତାକର୍ଷକ ବେଶଭୂଷା ସାଙ୍ଗକୁ ମୋଟା ନିଶ, ଦାଢ଼ୀ ଓ ହାତରେ ବାଡ଼ି ଚର୍ଚ୍ଚିତ ଚ଼େହରା । ବ୍ରହ୍ମପୁର ଠାକୁରାଣୀ ଯାତ୍ରାରେ କାବୁଲିବାଲା ବେଶ ଧାରଣ ପରମ୍ପରା ରହି ଆସିଛି । ଯାତ୍ରାରେ ଇରାନୀ ବେଶ ମଧ୍ୟ ବେଶ କୌତୁହଳପୂର୍ଣ୍ଣ । ଉଭୟ ଆଫଗାନିସ୍ତାନ ଓ ଇରାନର ବୁଲାବିକାଳୀଙ୍କ ସହ ଦୀର୍ଘ ଅତୀତରୁ ବ୍ରହ୍ମପୁର ପରିଚ଼ିତ ଥିବା ଏଥିରୁ ଅନୁମାନ କରାଯାଏ ।
 
ସ୍ଥାନୀୟ ଜନମାନସ କାବୁଲିବାଲା ଶାରୀରିକ ଗଠନରେ ଶକ୍ତିଶାଳୀ ଓ ଆର୍ଥିକ କାରବାରରେ କଠୋର ଧାରଣାର ବଶବର୍ତ୍ତୀ ହେଉଥିଲା । କାବୁଲିବାଲାଠାରୁ ଋଣ ଆଣି ଠିକ ସମୟରେ ସୁଧ ନଦେଲେ ବା ମୂଳଧନ ପରିଶୋଧ ନକଲେ ତାହାଠାରୁ ବର୍ତ୍ତିବା ଅସଂଭବ ବୋଲି ବିଶ୍ୱାସ ପ୍ରଚଳିତ ଥିଲା । ଅତୀତରେ ଲଘୁ-ବ୍ୟାଙ୍କିଙ୍ଗ ସେବା ଅଭାବ ହେତୁ ସାଧାରଣ ଲୋକେ ସମୟ ଅସମୟରେ ସାହୁକାର କିମ୍ୱା କାବୁଲିବାଲାଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଥିଲେ ।
 
ସ୍ଥାନୀୟ ସାହୁକାରଙ୍କ ଲୋଲୁପ ଦୃଷ୍ଟି ଋଣଗ୍ରହୀତାଙ୍କ ସ୍ଥାବର ସମ୍ପତ୍ତି ଉପରେ ନିବଦ୍ଧ ରହୁଥିବା ସ୍ଥଳେ କାବୁଲିବାଲାଠାରୁ ଋଣ ନେବା ଅନ୍ତତଃପକ୍ଷେ ସେଦିଗରୁ ମୁକ୍ତ ବିଚାର କରାଯାଉଥିଲା । କାରଣ କାବୁଲିବାଲାମାନେ ପ୍ରାୟତଃ ଘରଦ୍ୱାର ବା ଜମି କିଣୁ ନଥିଲେ କିମ୍ୱା ଏଠାରେ ସ୍ଥାୟୀ ଭାବେ ବସବାସ କରିବା ଅଭିପ୍ରାୟରେ ନଥିଲେ । ଆଫଗାନିସ୍ତାନରେ ପରିବାରବର୍ଗଙ୍କୁ ଛାଡ଼ି ଜୀବିକାର୍ଜନ ଉଦ୍ଦେଶ୍ୟରେ ସେମାନେ ଭାରତରେ ପୁରପଲ୍ଲୀରେ ପହଞ୍ଚୁଥିଲେ ।
 
ଶିକ୍ଷିତବର୍ଗ କିଶୋର ବୟସରୁ ରବୀନ୍ଦ୍ରନାଥ ଟାଗୋରଙ୍କ କାବୁଲିବାଲା ହୃଦୟସ୍ପର୍ଶୀ ଗଳ୍ପ ମାଧ୍ୟମରେ କାବୁଲିବାଲା ଚ଼ରିତ୍ର ସହ ପରିଚ଼ିତ ହେଉଥିଲେ । ସାଧାରଣତଃ ୧୮୯୨ରେ ରଚ଼ିତ କାବୁଲିବାଲା କ୍ଷୁଦ୍ରଗଳ୍ପ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେଉଥିବା ହେତୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଏହାର ଟିକିନିଖି ଅନୁଶୀଳନ କରୁଥିଲେ । କଲିକତାର ଗଳିକନ୍ଦିରେ କିସମିସ ଓ ଅନ୍ୟାନ୍ୟ ଶୁଖିଲା ଫଳ ବିକ୍ରୀ ଅବସରରେ କାବୁଲିବାଲା ରହମତ ଶେଖ ଲେଖକଙ୍କ ପାଞ୍ଚ ବର୍ଷର ଝିଅ ମିନିର ସଂସ୍ପର୍ଶରେ ଆସେ । କ୍ରମଶଃ ଦିହେଁ ବନ୍ଧୁତ୍ୱରେ ଅବଦ୍ଧ ହୋଇ ପଡ଼ନ୍ତି । ଘଟଣାକ୍ରମେ ଋଣ ଅସୁଲ ମାମଲାରେ ବିବାଦରୁ ଜଣେ କ୍ରେତାଙ୍କୁ ରହମତ ଛୁରୀ ଭୁଷି ଆହତ କରି ଦଶବର୍ଷ ଜେଲ ଯାଏ । ଆଠ ବର୍ଷପରେ ଦଣ୍ଡରୁ ରିହାତି ପାଇ ଜେଲରୁ ଫେରିବା ପରେ ବିବାହ ଅପେକ୍ଷାରତ ମିନିକୁ ସାକ୍ଷାତ କରିବା ପାଇଁ ରହମତ ଆସେତେବେ ମିନି କାବୁଲିବାଲା ସହ ପିଲାଦିନର ଦେଖାସାକ୍ଷାତକୁ ପୁରାପୁରି ଭୁଲି ଯାଇଥାଏ । ରହମତ ମିନିର ବୟସର ଝିଅକୁ ଆଫଗାନିସ୍ତାନରେ ଛାଡ଼ି ଆସିଥାଏ । କାହାଣୀର ଶେଷରେ ରହମତ ଆଫଗାନିସ୍ତାନ ଫେରିଯାଏ
 
ରବୀନ୍ଦ୍ର ନାଥ ଟାଗୋରଙ୍କ କାବୁଲିବାଲା କ୍ଷୁଦ୍ରଗଳ୍ପ ଆଧାରିତ ତପନ ସିହ୍ନାଙ୍କ ନିର୍ଦ୍ଦେଶିତ ବଙ୍ଗଳା ଚଳଚ଼ିତ୍ର ୧୯୫୭ରେ ମୁକ୍ତିଲାଭ କରିଥିଲା । ପରେ ବଲରାଜ ସାହାନୀଙ୍କ ଅଭିନୀତ ଅନ୍ୟ ଏକ ହିନ୍ଦି ଚଳଚ଼ିତ୍ର ୧୯୬୧ରେ, ପୁଣି ଏକ ବଙ୍ଗଳା ଚଳଚ଼ିତ୍ର ୨୦୦୬ରେ ତଥା ପୁଣି ଏକ ହିନ୍ଦି ଚଳଚ଼ିତ୍ର ୨୦୧୮ରେ ନିର୍ମିତ ହୋଇଥିଲା । ପ୍ରଥମ ଦୁଇଗୋଟି ଚଳଚ଼ିତ୍ର ୟୁଟ୍ୟୁବରେ ଉପଲବ୍ଧ ।

(Photo by EJ Wolfson on Unsplash)

Friday, August 13, 2021

Freedom Fighters in Jail / କାରାଗାରରେ ସ୍ୱାଧୀନତା ସଂଗ୍ରାମୀ

 


ବିଂଶ ଶତାଦ୍ଦୀରେ ୧୯୩୦ ଲବଣ ସତ୍ୟାଗ୍ରହଠାରୁ ଆରମ୍ଭ କରି ୧୯୪୭ ସ୍ୱାଧୀନତା ପ୍ରାପ୍ତି ଯାଏଁ #ବ୍ରହ୍ମପୁର ଜେଲ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମିଳନସ୍ଥଳ ପାଲଟିଥିଲା କହିଲେ ଭୁଲ ହେବ ନାହିଁ । ବ୍ରିଟିଶ ଶାସନ କାଳରେ କଟକ, ବ୍ରହ୍ମପୁର ଓ ପୁରୀ ବୃହତ କାରାଗାର ମାନ୍ୟତା ପାଉଥିବା ଏବଂ ରେଳ ଯୋଗାଯୋଗ ବ୍ୟବସ୍ଥା ଥିବା ହେତୁ ସ୍ୱାଧୀନତା ସଂଗ୍ରାମର ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ଏହି ତିନି ଜେଲରେ ଅଟକ ରଖାଯାଉଥିଲା ।
 
ସେତେବେଳେ ରାଜନୀତିକ ବନ୍ଦୀମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଉଥିଲା । ଯେଉଁ ବନ୍ଦୀମାନଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ କୋର୍ଟରେ ଅଭିଯୋଗ ଦାଖଲ କରାଯାଉଥିଲା, ସେମାନେ ପ୍ରଥମ ପର୍ଯ୍ୟାୟର ଏବଂ ଯେଉଁମାନଙ୍କ ବିରୁଦ୍ଧରେ କୌଣସି ନିର୍ଦ୍ଦିଷ୍ଟ ଅଭିଯୋଗ ଦାଖଲ ହୋଇପାରୁ ନଥିଲା, ସେମାନେ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ହେଉଥିଲେ । ଦ୍ୱିତୀୟ ପର୍ଯ୍ୟାୟର ବନ୍ଦୀମାନଙ୍କୁ ବ୍ରିଟିଶ ସରକାରଙ୍କ ପକ୍ଷରୁ ନିରାପତ୍ତା ଦୃଷ୍ଟିରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକ ରଖାଯାଉଥିଲା । ସେମାନେ ସିକ୍ୟୁରିଟି ପ୍ରିଜନର ଭାବେ ପରିଚ଼ିତ ହେଉଥିଲେ ।
 
ସିକ୍ୟୁରିଟି ପ୍ରିଜନରମାନଙ୍କୁ ଜେଲରେ ଅନ୍ୟ ବନ୍ଦୀମାନଙ୍କଠାରୁ ସାମାନ୍ୟ ଅଧିକ ସୁବିଧା ଯୋଗାଇ ଦିଆଯାଉଥିଲା । ଶୋଇବା ପାଇଁ ଖଟ, ଶେଜ, ମଶାରୀ, ଲୁଗାପଟା, ତେଲ, ସାବୁନ, ବ୍ଲେଡ଼ ଇତ୍ୟାଦି ସମେତ ଖାଦ୍ୟ ସାମଗ୍ରୀ ରାସନ ମିଳୁଥିଲା । ସେମାନଙ୍କୁ ନିଜେ ରୋଷାଇ କରି ଖାଇବା କିମ୍ୱା ଅନ୍ୟ କଏଦୀମାନଙ୍କ ପାଇଁ ରନ୍ଧାଯାଉଥିବା ଖାଦ୍ୟ ଗ୍ରହଣର ସୁଯୋଗ ରହିଥିଲା । ଦୁଇ ଭିନ୍ନ ରାଜନୀତିକ ବନ୍ଦୀଙ୍କୁ ଭିନ୍ନ ଭିନ୍ନ ଖୁଆଡ଼ରେ ରଖାଯାଉଥିଲା । ସନ୍ଧ୍ୟା ଛଅଟା ପରେ ସମସ୍ତେ ନିଜ ନିଜ କଠୋରୀ ଭିତରେ ଆବଦ୍ଧ ରହୁଥିଲେ ଏବଂ ବାହାରୁ ତାଲା ପଡୁଥିଲା ।
 
ଜେଲରେ ବନ୍ଦୀ ସ୍ୱାଧୀନତା ସଂଗ୍ରାମୀଙ୍କ ଅନୁଭୂତି ରୋମାଞ୍ଚକର । ବ୍ରହ୍ମପୁରରେ ପ୍ରତି କିଛି ବର୍ଷ ଅନ୍ତରରେ ଲଘୁଚାପଜନିତ ବାତ୍ୟା ଲାଗି ରହିଥାଏ । ୧୯୪୩ରେ ଆଗତ ବାତ୍ୟା ୩୬ ଘଣ୍ଟା ଧରି ବଳବତ୍ତର ରହିଥିଲା । ସେତେବେଳକୁ ସ୍ଥାନୀୟ ଜେଲରେ ପ୍ରାୟ ଦୁଇ ଶହ ସାଧାରଣ ବନ୍ଦୀ ଓ ଦେଢ଼ ଶହ ରାଜନୀତିକ ବନ୍ଦୀ ବସବାସ କରୁଥାନ୍ତି । ପ୍ରବଳ ବର୍ଷା, ପବନ ଯୋଗୁଁ ଜେଲର ଦୈନନ୍ଦିନ କାର୍ଯ୍ୟସୂଚୀରେ ବାଧା ପହଞ୍ଚିଲା । ରନ୍ଧାବଢ଼ା କିମ୍ୱା ବିକଳ୍ପ ଖାଦ୍ୟର ବ୍ୟବସ୍ଥା ହୋଇପାରିଲା ନାହିଁ । ତିନିଦିନ ଭୋକରେ କାଟିବା ପରେ ବାତ୍ୟା ଟିକିଏ ଥମିବା ଅବସରରେ ପ୍ରବଳ ପବନରେ ଭାଙ୍ଗିପଡ଼ିଥିବା ଆସବାବପତ୍ରରୁ ଲୁହାଛଡ଼ ଇତ୍ୟାଦି ସଂଗ୍ରହ କରି କେତେକ ସିକ୍ୟୁରିଟି ପ୍ରିଜନର ଅବ୍ୟବସ୍ଥାର ପ୍ରତିବାଦ କରି ଜେଲ ପାଚେରୀ ତାଡ଼ିବାକୁ ଉଦ୍ୟମ କଲେ । ପୋଲିସ ବନ୍ଧୁକର ଭୟ କାମ ଦେଲାନି । ଶେଷରେ ଜେଲ ସୁପରିଟେଣ୍ଡଣ୍ଟ ନିଜେ ପହଞ୍ଚି କଏଦୀଙ୍କୁ ବୁଝାସୁଝା କରି ଭଙ୍ଗାରୁଜାରୁ ନିବୃତ୍ତ କରାଇଲେ । ଅବଶ୍ୟ ଦୁଇ ଦିନ ପରେ ସାତଜଣଙ୍କୁ ବିଶୃଙ୍ଖଳା ଅଭିଯୋଗରେ ପାଞ୍ଚ ମାସ ଲେଖା ସଶ୍ରମ କାରାଦଣ୍ଡ ଶାସ୍ତି ଦିଆଯାଇଥିଲା ।
 
ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁର ଗାନ୍ଧୀନଗର ନିବାସୀ ଜଗନ୍ନାଥ ମିଶ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ । ଖଦୀ ଆନ୍ଦୋଳନରେ ଅଂଶ ଗ୍ରହଣ ହେତୁ ୧୯୪୨ରେ ଗିରଫ ହୋଇ ପ୍ରଥମେ ପୁରୀ ଓ ପରେ ବ୍ରହ୍ମପୁର ଜେଲରେ ରହିଥିଲେ । ଶେଷ ଜୀବନରେ ଟେଲିଫୋନ ଭବନ ସାମ୍ନା ଧରାକୋଟ ବଙ୍ଗଳା ମାର୍କେଟ କମ୍ପ୍ଳେକ୍ସରେ ଏକ ଆର୍ୟୁବେଦ ଔଷଧ ଦୋକାନ ଖୋଲି ଅବସର ଜୀବନ ଯାପନ କରୁଥିଲେ । ସେ ନିଜ ଜେଲ ଅନୁଭୂତିରେ ଲେଖିଛନ୍ତି ଯେ ଜେଲରେ ରାଜନୀତିକ ବନ୍ଦୀମାନେ ଦିନ ବେଳା ନିଜ ନିଜ କାର୍ଯ୍ୟରେ ବ୍ୟାପୃତ ରହୁଥିଲେ । କିଏ ବହି ପଢ଼ିଲାଣିତ କିଏ ନୂଆ ଭାଷା ଶିଖୁଥିଲା ବା ସାହିତ୍ୟ ରଚନାରେ ସମୟ କାଟୁଥିଲା । ବନ୍ଦୀମାନେ ବୈଜୟନ୍ତୀ ନାମରେ ଏକ ହାତଲେଖା ପତ୍ରିକା ପ୍ରସ୍ତୁତ କରିଥିଲେ । ସଭା ସମିତି ହୁଏ, ଏପରିକି ଥରେ ଏକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା ଗଣେଶ ପୂଜା, ଦଶହରା ପାଳିତ ହେଉଥିଲା ଇତ୍ୟାଦି ।
 
୧୯୪୩ ମାର୍ଚ୍ଚ ୨୯ ତାରିଖ ଦିନ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା । ଜଗନ୍ନାଥ ମିଶ୍ରଙ୍କ ଭାଷାରେ, ଫାଶୀ ଦିଆଯିବା ପୂର୍ବଦିନ ସେ କାହାରିକି ଦେଖା କରିବାକୁ ସୁବିଧା ଦିଆଗଲା । ଲକ୍ଷ୍ମଣ ନାୟକଙ୍କ କହିବା ଅନୁଯାୟୀ ସଦାଶିବ ତ୍ରିପାଠୀ ଲକ୍ଷ୍ମଣ ନାୟକଙ୍କ ସେଲକୁ ଯାଇ ତାଙ୍କ ସହ କଥାବାର୍ତ୍ତା କଲେ । ସଦାଶିବ ତ୍ରିପାଠୀ ପଚାରିଲେ, ଲକ୍ଷ୍ମଣ ତୋର ପିଲାଛୁଆଙ୍କ ପାଇଁ କଣ କହିବୁ କି ?’ ସେ (ଲକ୍ଷ୍ମଣ ନାୟକ) ଉତ୍ତର ଦେଲେ ସେ କଥା ଆପଣମାନେ ବୁଝିବେ । ସଦାଶିବ ବାବୁ କହିଲେ, ଆଉ କଣ କହୁଛୁ ?’ ଲକ୍ଷ୍ମଣ ନାୟକ କହିଲେ, ଦୁଃଖ ହେଉଛି, ମୁଁ ସ୍ୱାଧୀନ ଭାରତ ଦେଖି ପାରିବି ନାହିଁ । ତା ପରଦିନ ଭୋର ଚାରିଟା ବେଳୁ ଆରମ୍ଭ ହୋଇଗଲା ଫାଶୀ କାର୍ଯ୍ୟକ୍ରମ । ଆମେ ରହୁଥିବା ସ୍ଥାନରୁ ଲକ୍ଷ୍ମଣ ନାୟକ ସେଲ ଓ ଫାଶୀ ଦେବା ସ୍ଥାନ ଖୁବ ନିକଟ ଥିଲା । ଅତଏବ ପ୍ରାୟ ଏକ ଘଣ୍ଟାରୁ ବେଶୀ ସମୟ ଜେଲ ଫାଟକର ଲୁହା ଦରବାଜା ବାରମ୍ୱାର ଫିଟିବା ଓ ବନ୍ଦହେବାର ଶବ୍ଦ ଆମ୍ଭମାନଙ୍କ ପ୍ରାଣରେ ଭୀଷଣ ଆଘାତ ଦେଉଥିଲା । ତାପରେ ତାଙ୍କୁ ଫାଶୀ ଦିଆଗଲା । ସେହି ସମୟରେ ନବ ବାବୁ ଭୋ ଭୋ କାନ୍ଦୁଥିଲେ । ଆମେ ଛଅଜଣ ତାଙ୍କ ପାଖରେ ଥିଲୁ । ସେହିଦିନ ଜେଲର ସମସ୍ତ ରାଜନୈତିକ ବନ୍ଦୀ ଅନଶନ କରିଥିଲେ ।
 
ଉଲ୍ଲେଖଯୋଗ୍ୟ ଲକ୍ଷ୍ମଣ ନାୟକ ଓ ସଦାଶିବ ତ୍ରିପାଠୀ ଉଭୟ କୋରାପୁଟ ଜିଲ୍ଲା ବାସିନ୍ଦା । ସଦାଶିବ ତ୍ରିପାଠୀ ଓ ନବ ବାବୁ (ନବକୃଷ୍ଣ ଚୌଧୂରୀ) ସ୍ୱାଧୀନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ପଦ ଅଳଂକୃତ କରିଥିଲେ ଏବଂ ଜଗନ୍ନାଥ ମିଶ୍ର କୋଦଳା ବିଧାନସଭା ଆସନରୁ ଥରେ ବିଧାୟକ ଭାବେ ନିର୍ବାଚ଼ିତ ହୋଇଥିଲେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୪ ଅଗଷ୍ଟ ୨୦୨୧ / ପୃଷ୍ଠା :୮)

Photo by Ivan Aleksic on Unsplash

Friday, August 6, 2021

National Freedom Movement / ଜାତୀୟ ସ୍ୱାଧୀନତା ସଂଗ୍ରାମ

 


ସର୍ବଭାରତୀୟସ୍ତରରେ ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମ ଊନବିଂଶ ଶତାଦ୍ଦୀ ଶେଷଭାଗରୁ ବିକଶିତ ହେବା ବେଳକୁ #ବ୍ରହ୍ମପୁର ସହରରେ ଓଡ଼ିଆ ଭାଷାଭାଷୀଙ୍କ ସ୍ୱାର୍ଥ ସଂରକ୍ଷଣ ଲାଗି ଆନ୍ଦୋଳନ ଦାନା ବାନ୍ଧି ସାରିଥାଏ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ସ୍ୱାଧୀନ ଭାରତ ଗଠନଲାଗି ବ୍ରିଟିଶ ବିରୋଧୀ ଆନ୍ଦୋଳନ ବ୍ରହ୍ମପୁରର ସ୍ୱତନ୍ତ୍ର୍ୟ ।
 
ଆନ୍ଦୋଳନ ପୃଷ୍ଠଭୂମି ପ୍ରାଥମିକଭାବେ ଆଲୋଚ଼ନା, ସାଧାରଣ ସଭା, ଦରଖାସ୍ତ ମାଧ୍ୟମରେ ସ୍ଥାନୀୟ ଦାବୀଗୁଡ଼ିକ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ପିଟିସନ ପ୍ରସ୍ତୁତି, ପ୍ରଚାରପତ୍ର ବଣ୍ଟନ ଓ ପତ୍ରପତ୍ରିକା ପ୍ରକାଶନରେ ସୀମିତ ରହୁଥିଲା । ବ୍ରହ୍ମପୁରରେ ୧୮୭୨ରେ ୱିଲିୟମ ମହନ୍ତିଙ୍କ ଦ୍ୱାରା ଗଞ୍ଜାମ-ଉତ୍କଳ-ହିତବାଦିନୀ ସମାଜ ଗଠିତ ହୋଇ ୧୮୭୬ରେ ସାପ୍ତାହିକ ସ୍ୱଦେଶୀଗଞ୍ଜାମ ନିଉଜ ପତ୍ରିକା ପ୍ରକାଶନ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କୁ ରାଜନୀତିକ ଓ ଜାତୀୟବାଦୀ ଚେତନାରେ ଉଦବୁଦ୍ଧ କରାଇବା ନିମନ୍ତେ ଉଦ୍ୟମ ହୋଇଥିଲା । ୧୯୧୩ରୁ ଶଶିଭୂଷଣ ରଥଙ୍କ ଦ୍ୱାରା ପ୍ରକାଶିତ ସାପ୍ତାହିକ ଆଶା, ୧୯୨୮ରେ ଦୈନିକ ଆଶା ସମେତ ୧୯୩୧ରେ ନିଉ ଓଡ଼ିଶାଇଷ୍ଟକୋଷ୍ଟ ଭଳି ସମ୍ୱାଦପତ୍ର ପ୍ରକାଶନ ସ୍ଥାନୀୟ ଆନ୍ଦୋଳନାତ୍ମକ ବାତାବରଣକୁ ଶାଣିତ କରିଥିଲା । ସେହିପରି ୧୯୦୫ରେ ନିରଞ୍ଜନ ପଟ୍ଟନାୟକ ଓ ଚନ୍ଦ୍ରପାଣି ପ୍ରଧାନଙ୍କ ଦ୍ୱାରା ରଚ଼ିତ ଦି ଓଡ଼ିଆ ମୁଭମେଣ୍ଟ ପୁସ୍ତକ ପ୍ରକାଶନ ଆନ୍ଦୋଳନର ବୌଦ୍ଧିକ ପରିବେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ।
 
ୱିଲିୟମ ମହାନ୍ତି ହିଲପାଟଣା ଅଞ୍ଚଳର ବାସିନ୍ଦା । ଶଶିଭୂଷଣ ରଥ ଅଧୂନା ସବରେଜିଷ୍ଟାର କାର୍ଯ୍ୟାଳୟ ନିକଟରେ ସ୍ଥାପିତ କାର୍ଯ୍ୟାଳୟରୁ ଆଶା ପ୍ରକାଶ କରୁଥିଲେ । ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡସ୍ଥିତ ଟ୍ରାଫିକ ପୋଲିସ କାର୍ଯ୍ୟାଳୟ ନିକଟରେ ଶଶିଭୂଷଣ ରଥଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପିତ । ନିରଞ୍ଜନ ପଟ୍ଟନାୟକ ଗାନ୍ଧିବାଦୀ, କଂଗ୍ରେସ ନେତା । ସେ ସମ୍ୱାଦ ସମ୍ପାଦକ ଡ଼କ୍ଟର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଜା-ଶ୍ୱଶୁର । ଓଡ଼ିଆ ମୁଭମେଣ୍ଟ ପୁସ୍ତକ ଦୁଃଷ୍ପାପ୍ୟ ହୋଇଯାଇଥିଲା । ବର୍ଷୀଆନ କଂଗ୍ରେସ ନେତା ତଥା ମୂଳ ବ୍ରହ୍ମପୁର ନିବାସୀ ଅଧ୍ୟାପକ କୈଳାସ ଆଚାର୍ଯ୍ୟ ୨୦ ବର୍ଷ ତଳେ ତାହାର ପୁନଃ ମୁଦ୍ରଣ କରିଥିଲେ
 
ଭାରତୀୟ ଜାତୀୟ କଂଗ୍ରେସ ଗଠନର ଆଦ୍ୟାବସ୍ଥାରେ ମୁମ୍ୱାଇରେ ୧୮୮୫ ପ୍ରଥମ ଅଧିବେଶନ ଓ କଲିକତାରେ ୧୮୮୬ ଦ୍ୱିତୀୟ ଅଧିବେଶନରେ ବ୍ରହ୍ମପରର ପ୍ରତିନିଧି ଯୋଗ ଦେଇ ଫେରିବାପରେ ସାଧାରଣ ସଭା ମାଧ୍ୟମରେ ଦେଶବ୍ୟାପୀ ଆନ୍ଦୋଳନ ସଂପର୍କରେ ସହରବାସୀଙ୍କୁ ଅବଗତ କରାଉଥିଲେ । ମୁଖ୍ୟତଃ ସ୍ଥାନୀୟ ଜିଲ୍ଲା ଅଦାଲତର ଓକିଲ ଓ ପୌରପାଳିକାର ସଦସ୍ୟମାନେ ଏହି କ୍ଷେତ୍ରରେ ନେତୃତ୍ୱ ନେଉଥିଲେ । ତତ୍କାଳୀନ କଂଗ୍ରେସ କାର୍ଯ୍ୟକାରିଣୀରେ ବ୍ରହ୍ମପୁରର ଗୁରୁତ୍ୱ ରହିଥିବା ଲକ୍ଷ୍ୟ କରାଯାଏ । କଂଗ୍ରେସର ଏକ ସ୍ୱତନ୍ତ୍ର ଅଧିବେଶନ ୧୯୨୦ରେ ବ୍ରହ୍ମପୁରରେ ଆୟୋଜନ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା । କିନ୍ତୁ ତାହା ସଂଭବ ହୋଇପାରି ନଥିଲା ।
 
କଂଗ୍ରେସ ପକ୍ଷରୁ ୧୯୨୧ ଅସହଯୋଗ ଆନ୍ଦୋଳନ ଆରମ୍ଭ କାଳରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ବଡ଼ ଡାକଘର ସାମ୍ନା ଅଧୂନା ରାଧା ହୋଟେଲ ପରିସରରେ ଏକ ପୁରାତନ କୋଠାକୁ ସ୍ୱରାଜ ଆଶ୍ରମ ନାମିତ କରି ଜିଲ୍ଲା କମିଟି ଓ ଅସହଯୋଗ ଆନ୍ଦୋଳନର କାର୍ଯ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ସେଠାରେ ନ୍ୟାସନାଲ ଲଜ ନାମରେ ଏକ ପାନ୍ଥଶାଳା ମଧ୍ୟ ଚାଲୁଥାଏ । ବର୍ହିଆଗତ ସ୍ୱାଧୀନତା ସଂଗ୍ରାମୀମାନେ ଏହି ଲଜରେ ଭଡ଼ା ଦେଇ ରହୁଥାନ୍ତି । ଗତ ଶତାଦ୍ଦୀର ସପ୍ତମ ଦଶକ ଶେଷ ଯାଏଁ ନ୍ୟାସନାଲ ଲଜର ସ୍ମୃତି ରହିଥିଲା । ଧାଡ଼ିଏ ଖପର ଚାଳ ଏକ ବଖୁରିଆ କଠୋରୀ ସହ କମନ ବାଥ ଓ ଟଏଲେଟର ବ୍ୟବସ୍ଥା । ସ୍ୱାଧୀନୋତ୍ତର ଅବସ୍ଥାରେ ସେଠାରେ ଏକ ଖଦୀ ଦୋକାନ ମଧ୍ୟ ଚାଲିଥିଲା ।
 
ମହାତ୍ମାଗାନ୍ଧୀ ୧୯୨୧ ମାର୍ଚ୍ଚ ଓ ୧୯୨୭ ଡ଼ିସେମ୍ୱର ଦୁଇଥର ବ୍ରହ୍ମପୁର ପରିଦର୍ଶନରେ ଆସି ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପ୍ରଚାର କରିଥିଲେ । ଫଳତଃ ୧୯୩୦-୩୧ରେ ଲବଣ ସତ୍ୟାଗ୍ରହରେ ବ୍ରହ୍ମପୁରର ଆନ୍ଦୋଳନକାରୀମାନଙ୍କ ସକ୍ରିୟ ଅଂଶ ଗ୍ରହଣ ଉଲ୍ଲେଖଯୋଗ୍ୟ ସହରର ପ୍ରମୁଖ କଂଗ୍ରେସ ନେତା ବିଶ୍ୱନାଥ ଦାସ ଓ ଭି.ଭି.ଗିରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜମିଦାରୀରେ ଚାଷ ଜମିର ସତ୍ତ୍ୱ ଦାବୀ କରି ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥାନ୍ତି । ୧୯୩୪ରେ ଖଲ୍ଲିକୋଟ ଜମିଦାରୀ ଅନ୍ତର୍ଗତ କୋଦଳା ଅଞ୍ଚଳରେ ଏକ ବିକ୍ଷୋଭ ଅବସରରେ ଭଡ଼ାଟିଆ ଗୁଣ୍ଡାମାନଙ୍କ ଆକ୍ରମଣର ଶୀକାର ହୋଇଥିଲେ । ଏହାର ପ୍ରତିବାଦରେ ବ୍ରହ୍ମପୁରରେ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ସହରର ମୁଖ୍ୟରାସ୍ତା ପରିକ୍ରମା କରି ଶୋଭାଯାତ୍ରା ବଡ଼ବଜାର ଅଞ୍ଚଳରେ ପହଞ୍ଚିବା ପରେ ପୋଲିସ ପକ୍ଷରୁ ଶୋଭାଯାତ୍ରା ଅଂଶଗ୍ରହଣକାରୀଙ୍କ ଉପରେ ଲାଠି ଓ ଗୁଳି ଚାଳନା ହୋଇଥିଲା । ପୋଲିସ ଗୁଳିରେ ଶ୍ୟାମବାବୁ ନାମକ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଶୋଭାଯାତ୍ରାକାରୀଙ୍କୁ ଗିରଫ କରାଯାଇ ଦଣ୍ଡବିଧାନରେ ତପ୍ତପାଣି ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ବ୍ରହ୍ମପୁରରେ ଜାତୀୟ ସ୍ୱାଧୀନତା ସଂଗ୍ରାମରେ ଏହା ଏକ କଳଙ୍କିତ ଅଧ୍ୟାୟ । ବ୍ରହ୍ମପୁରରୁ ୧୯୮୫ରେ ପ୍ରକାଶିତ ମାଗୁଣି ଦାସ ସଂକଳିତ ଗଞ୍ଜାମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ସ୍ମରଣିକାରେ ଏହି ଘଟଣାର ବିଶଦ ବିବରଣୀ ବର୍ଣ୍ଣନା କରାଯାଇଛି ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୭ ଅଗଷ୍ଟ ୨୦୨୧ / ପୃଷ୍ଠା :୮)