Thursday, October 31, 2019

A different Deepavali / ବାଣଫୁଟାର ନିଆରା ଅନୁଭୂତି

ପାରମ୍ପରିକ ଭାବେ ଦୀପାବଳିରେ ବାଣ ଫୁଟାଯାଏ । ଯେହେତୁ ବର୍ଷର ଅନ୍ୟ କୌଣସି ଦିନ ସଭିଏଁ ବାଣଫୁଟାନ୍ତି ନାହିଁ, ତେଣୁ ଦୀପାବଳିରେ ବାଣଫୁଟା ଗୁରୁତ୍ୱ ବହନ କରିଥାଏ । ପାରିବାରିକସ୍ତରରେ ବାଣଫୁଟା ସାଙ୍ଗକୁ ସାଙ୍ଗସାଥିଙ୍କ ମେଳରେ ବାଣଫୁଟା ଆନନ୍ଦମୁଖର ପରିବେଶ ସୃଷ୍ଟିକରେ । ବଡ଼ ସହରରେ ବହୁତଳ ଅଟ୍ଟାଳିକା ଆପାର୍ଟମେଣ୍ଟରେ ବସବାସ କରୁଥିବା ପରିବାରବର୍ଗଙ୍କ ପାଇଁ ନିଜ ବାସଗୃହ ସାମ୍ନାରେ ବାଣଫୁଟାର ସୁବିଧା ନଥିବା ହେତୁ ସେମାନେ ଆପାର୍ଟମେଣ୍ଟ ପ୍ରାଙ୍ଗଣରେ ପଡ଼ିଶାଅଡ଼ିଶାଙ୍କ ସହ ସମବେତ ହୋଇ ନିର୍ଦ୍ଧିଷ୍ଟ ସମୟ ପାଇଁ ବାଣ ଫୁଟାନ୍ତି । ଆପାର୍ଟମେଣ୍ଟ ସଂସ୍କୃତି କ୍ରମଶଃ ବ୍ରହ୍ମପୁରକୁ ଆକ୍ରାନ୍ତ କରିଚାଲିଛି । ତେବେ ଅତୀତରେ ନିଆରା ଢ଼ଙ୍ଗରେ ସହରରେ ସାମୂହିକସ୍ତରରେ ବାଣଫୁଟା ପ୍ରଥା ପ୍ରଚଳିତ ଥିଲା ।

ପଚ଼ାଶ ବର୍ଷ ତଳର କଥା । ଗତ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ କିଛି କାଳ ପାଇଁ #ବ୍ରହ୍ମପୁର ବିଜୟା ଟକିଜ ଛକରେ ଏକ ଛୋଟକାଟର ସାର୍ବଜନୀନ ବାଣଫୁଟା ସ୍ୱତଃପ୍ରବୃତ୍ତଭାବେ ଅନୁଷ୍ଠିତ ହେଉଥିଲା । ସନ୍ଧ୍ୟାର ପ୍ରଥମ ପ୍ରହରରେ ଘରେ ଶ୍ରାଦ୍ଧକର୍ମ ସାରି ପ୍ରସାଦ ସେବନପରେ ଆଖପାଖ ଅଞ୍ଚଳର ଯୁବକମାନେ ବିଜୟା ଟକିଜ ଛକରେ ରାତ୍ରର ଦ୍ୱିତୀୟ ପ୍ରହରରେ ଏକତ୍ରୀତ ହେଉଥିଲେ । ବିଜୟା ଟକିଜ ତ କୋଡ଼ିଏ ବର୍ଷ ତଳୁ ଅସ୍ଥିତ୍ୱ ହରାଇଲାଣି । ସେହି ଛକ ଆଜିକାଲି ଗିରିମାର୍କେଟ ଛକ ନାମରେ ପରିଚିତ ।

ବିଜୟା ଟକିଜ ଛକରେ ଚାରିଗୋଟି ରାସ୍ତା ସଂଯୋଜିତ-ସତ୍ୟ ନାରାୟଣ ମନ୍ଦିର ରାସ୍ତା, ପାନବିକା ସାହୀ, ଗୋଲିଲା ସାହୀ ଓ ଭିକ୍ଟୋରିଆ ବା ଗିରି ମାର୍କେଟ ରାସ୍ତା । ଅନତିଦୂରରେ କର୍ପୋରେସନ ରାସ୍ତା ବା ବିଜୁ ପଟ୍ଟନାୟକ ପାର୍କ ରାସ୍ତା । ଦୀପାବଳି ରାତି ଆଠ-ନଅ ବେଳକୁ ଛକ ସଂଲଗ୍ନ ରାସ୍ତାଗୁଡ଼ିକରେ ଯୁବକମାନେ ଏକତ୍ରୀତ ହେବାପରେ ଛକ ମଧ୍ୟସ୍ଥଳ ଟ୍ରାଫିକ ଷ୍ଟାଣ୍ଡରେ ବିଭିନ୍ନ ଧରଣର ଆତସବାଜି ପ୍ରଦର୍ଶନ କରାଯାଉଥିଲା । ଗୋଟିଏ ପଟର ବାଣଫୁଟା ପରେ ଅପର ପଟର ବାଣ ଫୁଟା ଏକ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତାତ୍ମକ ପରିବେଶରେ ବେଶ କିଛି ସମୟ ଧରି ଚାଲୁଥିଲା ।

ପ୍ରାୟ ଘଣ୍ଟାଏ-ଦୁଇଘଣ୍ଟା ଆତସବାଜି ପ୍ରଦର୍ଶନ ପରେ ରାସ୍ତାଗୁଡ଼ିକରେ ଉପସ୍ଥିତ ବିଭିନ୍ନ ପକ୍ଷର ବାଣ ସରିଆସିଲେ ଗୋଟିଏ ରାସ୍ତାରେ ସମବେତ ଦର୍ଶକ ଚୁଚୁନ୍ଦ୍ରା ବା କ୍ଷୁଦ୍ରାକୃତି ଚିନାବାଦାମ ଖୋଳରେ ପ୍ରସ୍ତୁତ ଚ଼େଙ୍ଗା ବାଣ ସମ୍ମୁଖ ରାସ୍ତାର ଦର୍ଶକ ମଣ୍ଡଳୀ ଆଡ଼କୁ ଫୋପଡ଼ା ଆରମ୍ଭ କରିଦିଅନ୍ତି । ଫଳରେ ବାଣ ଭୟରେ ଦର୍ଶକମାନେ ଏଣେତେଣେ ଦୌଡ଼ନ୍ତି । ତେବେ କାହାରି ମନରେ ବିଦ୍ୱେଷଭାବ ନଥାଏ । କାରଣ କେଉଁ ରାସ୍ତାରେ କିଏ ଛିଡ଼ା ହେବ ଏଥିପାଇଁ କୌଣସି ବାଛବିଚାର ନଥାଏ । ବିଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଉପସ୍ଥିତ ପୋଲିସ ହଲପଟା କରେ ଏବଂ ସଭିଏଁ ଛତ୍ରଭଙ୍ଗ ଦିଅନ୍ତି ।

ରାଜ୍ୟବ୍ୟାପୀ ୧୯୬୪ ଛାତ୍ର ଆନ୍ଦୋଳନରେ ବ୍ରହ୍ମପୁରର ଛାତ୍ରମାନେ ସାମିଲ ହୋଇ ମାସାଧିକକାଳ ଶିକ୍ଷାନୁଷ୍ଠାନ ବର୍ଜନ କରିଥିଲେ । ଏହି ଆନ୍ଦୋଳନ ସହରର ଯୁବମାନସରେ ବିଶୃଙ୍ଖଳିତ ଆଚରଣର କାରଣ ପାଲିଟିଗଲା । ସପ୍ତମ ଦଶକରେ କ୍ରମବର୍ଦ୍ଧମାନ ଶିକ୍ଷିତ ବେକାର ସମସ୍ୟା ତଥା ରାଜନୀତିକ, ସାଂସ୍କୃତିକ ଓ ସାମାଜିକ ଅବକ୍ଷୟର ଧାରା ଶାନ୍ତ ପରିବେଶକୁ ଆନ୍ଦୋଳିତ କରିଥିଲା । ପଡ଼ୋଶୀ ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶରେ ଉଗ୍ରବାଦୀ କାର୍ଯ୍ୟକଳାପର ପ୍ରାଦୁର୍ଭାବ ବ୍ରହ୍ମପୁରରେ ପ୍ରତିଫଳିତ ହୋଇଥିଲା । ଅଶାନ୍ତ ପରିବେଶ ହେତୁ ଦୀପାବଳି ଅବସରରେ ବିଜୟା ଟକିଜ ଛକର ସାମୂହିକ ବାଣଫୁଟା ପରମ୍ପରାର ଯବନିକାପାତ ହେଲା । ପୋଲିସ ପକ୍ଷରୁ ଶାନ୍ତିରକ୍ଷା ଉଦ୍ଦେଶ୍ୟରେ ଏହି ପ୍ରଥାକୁ ନିଷେଧ କରାଗଲା । ସହରର ଭାଇଚାରାର ଏକ ସଂସ୍କୃତି ବିଦ୍ୱେଷ ଆଶଙ୍କାରେ ହଜିଗଲା ।

ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣ ବଜାର । ତାମିଲନାଡୁର ଶିବକାଶୀରୁ ବାଣ ଆମଦାନୀ କରି ବିକ୍ରୀରେ ଏଠାକାର ଏକ ସ୍ୱତନ୍ତ୍ର ବ୍ୟବସାୟୀ ଗୋଷ୍ଠୀ ସକ୍ରିୟ । ସହର ନିକଟସ୍ଥ ଆସିକାର ନଳବଣ୍ଟା ଗ୍ରାମରେ ପ୍ରସ୍ତୁତ ବାଣ ମଧ୍ୟ ବ୍ରହ୍ମପୁର ବଜାରର ଅନ୍ୟତମ ଆକର୍ଷଣ । ଦୀପାବଳି ସାଙ୍ଗକୁ ବିବାହବ୍ରତ ଓ ଭସାଣି ଶୋଭାଯାତ୍ରାରେ ବାଣଫୁଟା ଯାଏ । କାର୍ତ୍ତିକ ପୂର୍ଣ୍ଣିମା, ନାଗପଞ୍ଚମୀ, ଇଂଲିଶ ନବବର୍ଷ ଓ କ୍ରିକେଟରେ ଭାରତ ବିଜୟ ଲାଭ କଲେ କାଁ ଭାଁ ବାଣଫୁଟାର ଶବ୍ଦ ଶୁଭେ । ତେବେ ବାଣଫୁଟା ନେଇ ପ୍ରଦୂଷଣ ଯୁକ୍ତି, ନ୍ୟାୟିକ ହସ୍ତକ୍ଷେପ, ପ୍ରଶାସନିକ କଟକଣା ଓ ବାଣର ଚ଼ଢ଼ାଦର ହେତୁ ବାଣଫୁଟା କମି ଆସି ନଗନ୍ୟସ୍ତରରେ ପହଞ୍ଚିଲାଣି ।

ଆନ୍ତର୍ଜାତିକସ୍ତରରେ ଅଙ୍ଗାରକାମ୍ଳ ପ୍ରଦୂଷଣ କାରବନ ଏମିସନକୁ ନେଇ ଟଣାଓଟରା ଚାଲିଛି । ଯୁକ୍ତରାଷ୍ଟ୍ର ଆମେରିକାରେ କାରବନ ଏମିସନ ବ୍ୟକ୍ତିପିଚ୍ଛା ବାର୍ଷିକ ୧୬.୫ ମେଟ୍ରିକ ଟନ ହିସାବ କରାଯାଉଥିବା ସ୍ଥଳେ ଭାରତ ଭାଗରେ ୧.୭ ମେଟ୍ରିକ ଟନ ପଡୁଛି । ତେବେ ଦୀପାବଳିରେ ବାଣଫୁଟା ଜନିତ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ଦେଶବ୍ୟାପୀ ସବୁଜ ଆତସବାଜି ଗ୍ରୀନ କ୍ରେକର ବ୍ୟବହାରଲାଗି ଉଦ୍ୟମ ଚାଲିଛି । ୨୦୧୯ ଦୀପାବଳି ନିମନ୍ତେ ଶିବକାଶୀରେ ପ୍ରସ୍ତୁତ ୬୦ ପ୍ରତିଶତ ବାଣ ଗ୍ରୀନ କ୍ରେକର ପର୍ଯ୍ୟାୟଭୁକ୍ତ ହେଉଥିବାସ୍ଥଳେ ଦାମ ପାରମ୍ପରିକ ବାଣଠାରୁ ଚାରି ଗୁଣ ଧାର୍ଯ୍ୟ ହେଉଥିବା ହେତୁ ୪୦ ପ୍ରତିଶତ କମ ବ୍ୟବସାୟ ଆକଳନ କରାଯାଉଛି । ଆପାତତଃ ଏହି ପରିସଂଖ୍ୟାନର ପ୍ରଭାବ ବ୍ରହ୍ମପୁରରେ ପଡ଼ିବା ନିଶ୍ଚିତ । ହୁଏତ ସମୟକ୍ରମେ ଦୀପାବଳିରେ ବାଣଫୁଟା ଏକ ସ୍ମୃତି ପାଲଟିଯିବା ଅସଂଭବ ନୁହେଁ ।
---

Tuesday, October 29, 2019

Gambling in Kumar-Purnima / କୁମାରପୂର୍ଣ୍ଣିମାରେ ଜୁଆ ଖେଳ


ରାଜ୍ୟର ସର୍ବତ୍ର, ମୁଖ୍ୟତଃ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜୁଆ ଖେଳର ପରମ୍ପରା ରହିଆସିଥିଲେ ହେଁ ବ୍ରହ୍ମପୁର ସହରର ଜୁଆ ଖେଳ ଚର୍ଚ୍ଚିତ ହୋଇଥାଏ I ଏଠାରେ ବର୍ଷସାରା ଜୁଆ ଖେଳ ଲାଗି ରହିଥିବାବେଳେ କୁମାରପୂର୍ଣ୍ଣିମା ଅବସରରେ ପରିମାଣ ବଢ଼ିଯାଏ I ଅତୀତରେ ଗଞ୍ଜାମ ଜିଲ୍ଲାର ଘରେ ଘରେ କୁମାର ପୂର୍ଣ୍ଣିମାରେ ପରିବାରର ସମସ୍ତ ସଦସ୍ୟ କଉଡ଼ି ଛୁଇଁବା ବିଧି ପାଳିତ ହେଉଥିଲା I

କୁହାଯାଏ ଯେ ରାଜ୍ୟର ଅନ୍ୟତ୍ର ଜୁଆ ଖେଳ ମନୋରଞ୍ଜନଭିତ୍ତିକ ଥିବା ସ୍ଥଳେ ବ୍ରହ୍ମପୁର ତଥା ଗଞ୍ଜାମରେ କେତେକଙ୍କ ପାଇଁ ବୃତ୍ତିକେନ୍ଦ୍ରୀକ I ଅର୍ଥାତ କିଛି ଲୋକ କେବଳ ଜୁଆ ଖେଳରୁ ଉପାର୍ଜନ କରି ଜୀବନବ୍ୟାପୀ ଚଳିଥାନ୍ତି I ହୁଏତ ଏମାନଙ୍କ ସଂଖ୍ୟା ନଗଣ୍ୟ ହୋଇପାରେ, ତେବେ ଜୁଆ ଖେଳରେ କ୍ରମାଗତ ହାରି ଜମିବାଡ଼ି, ଘରଦ୍ୱାର ବିକ୍ରୀକରି ସର୍ବସ୍ୱାନ୍ତ ହେବା ଉଦାହରଣର ଅଭାବ ନାହିଁ I

ଗଞ୍ଜାମ ଜିଲ୍ଲା, ଖାସ କରି #ବ୍ରହ୍ମପୁର ସହରରେ ଦାର୍ଘ ଅତୀତରୁ ଜୁଆ ଖେଳର ଉପସ୍ଥିତି ରହସ୍ୟାବୃତ I ଊନବିଂଶ ଶତାଦ୍ଦୀର ଶେଷଭାଗରୁ ଗୋପାଳପୁର ବନ୍ଦର ଦେଇ ଗଞ୍ଜାମରୁ ଶ୍ରମିକମାନେ ରେଙ୍ଗୁନ ଯାତ୍ରା କରୁଥିଲେ I ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳପଥ ସଂଯୋଗ ପରେ ମୁମ୍ୱାଇ, ଅହମ୍ମଦାବାଦ କଳକାରଖାନା ଆଡ଼େ ମୁହାଁଇଲେ I ଏକବିଂଶ ଶତାଦ୍ଦୀର ଦ୍ୱିତୀୟ ଦଶକ ଶେଷ ସୁଦ୍ଧା ଗଞ୍ଜାମର ଚ଼ାରି ଲକ୍ଷ ଶ୍ରମିକ ସୁରତର ବସ୍ତ୍ରଶିଳ୍ପରେ ନିୟୋଜିତ ଥିବା ହିସାବ କରାଯାଏ I

ଜିଲ୍ଲାର ଦେଶାନ୍ତରୀ ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଯୁବାବସ୍ଥାରେ କିଛି ବର୍ଷ ବିଦେଶରେ କଟାଇ ଗୃହସ୍ଥ ଜୀବନଯାପନ ଲାଗି ପୁଣି ଜନ୍ମମାଟିକୁ ଫେରି ଆସନ୍ତି I ଦେଶାନ୍ତରୀ ଶ୍ରମିକଙ୍କ ମଧ୍ୟରେ ଅତୀତରେ ଜୁଆ ଖେଳ ଏକ ମନୋରଞ୍ଜନର ମାଧ୍ୟମରୂପେ ପ୍ରଚ଼ଳିତ ଥିବାବେଳେ କ୍ରମଶଃ ସେଥିରେ ଅଭ୍ୟସ୍ତ ହୋଇପଡୁଥିଲେ I ପରବର୍ତ୍ତୀ ଜୀବନ ସେହି ଅଭ୍ୟାସରେ ପ୍ରଭାବିତ ହୋଇପଡ଼େ ବୋଲି ବିଚ଼ାର କରାଯାଇପାରେ I

ବ୍ରହ୍ମପୁର ସାନବଜାର ଅଞ୍ଚଳ ଜୁଆ ଖେଳ ପାଇଁ ପ୍ରସିଦ୍ଧି ଲାଭ କରିଥିଲା I ଜିଲ୍ଲାର ଗ୍ରାମାଞ୍ଚଳରୁ ଗ୍ରାହକମାନେ ବଜାରସଉଦା କରିବାକୁ ସହରରେ ପହଞ୍ଚୁଥିବା ଅବସରରେ ଜୁଆଡ଼ିଙ୍କ କବଳରେ ପଡ଼ି ପଇସାପତ୍ର ହରାଉଥିଲେ I ସମସ୍ୟା ଉତ୍କଟ ହେବାଫଳରେ ବ୍ୟବସାୟରେ ମାନ୍ଦାବସ୍ଥା ଦେଖାଦେଲା I ଦୋକାନୀମାନେ ଏକଯୁଟ ହୋଇ ଦୋକାନ ପିଛା ଦୈନିକ ଦଶ ପଇସା ଚ଼ାନ୍ଦା ସଂଗ୍ରହକରି ସାନବଜାରରେ ଜୁଆ ଖେଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ I ଶେଷରେ ପ୍ରଶାସନିକ ତତ୍ପରତା କାରଣରୁ ୧୯୫୬ ବେଳକୁ ଜୁଆ ଖେଳ ବନ୍ଦ ହୋଇଥିଲା I

ସହରର କେତେକ ବାସଗୃହ ତଥା ହୋଟେଲ ରୁମରେ ଦଳଭିତ୍ତିରେ ଜୁଆଖେଳ ଚ଼ାଲେ I ପ୍ରତି ଦଳରେ ଆଠରୁ ଦଶ ଜୁଆଡ଼ି ଏକାଠି ହୋଇଥାନ୍ତି I ତିନିପତି ଖେଳରେ ଥରକା ହଜାରେ ଦୁଇହଜାରରୁ ଦଶ କୋଡ଼ିଏ ହଜାର ଯାଏଁ ଟଙ୍କା ବାଜି ପଡ଼େ I ଜିଲ୍ଲାର ଗ୍ରାମାଞ୍ଚଳରେ ଜୁଆଆଡ୍ଡାମାନ ଚ଼ାଲୁଥିଲେ ହେଁ ବିତ୍ତଶାଳୀ ଖେଳାଳୀଙ୍କ ସମାଗମ ବ୍ରହ୍ମପୁରରେ ଜମେ I ସହରରେ ଖାସ ମହିଳାମାନଙ୍କ ପାଇଁ ମଧ୍ୟ ଜୁଆ ଆଡ୍ଡାଥିବା ଜଣାଯାଏ I ଅତୀତରେ କେତେକ ଖ୍ୟାତି ସମ୍ପନ୍ନ ବ୍ୟବସାୟୀ ଓ ରାଜନେତା ନିୟମିତ ଜୁଆ ଖେଳୁଥିବା ଇତିହାସ ଶୁଣିବାକୁ ମିଳେ I

ସଭ୍ୟତାର ବିକାଶ ସହ ଜୁଆ ଖେଳ ଯୋଡ଼ି ହୋଇ ଆସିଛି I ବିକଶିତ ରାଷ୍ଟ୍ରଗୁଡ଼ିକରେ ଜୁଆ ଖେଳ ସରକାରୀ ସ୍ୱୀକୃତି ବା ଲାଇସେନ୍ସ  ପାଇଥାଏ I ଆଧୁନିକ ଯୁଗରେ ତିନିପତି ବଦଳରେ କମ୍ପ୍ୟୁଟର ଓ ଇଣ୍ଟରନେଟଭିତ୍ତିକ ଖେଳ ଲୋକପ୍ରିୟତା ହାସଲ କରିଛି I ବୈଧ ଜୁଆ ଆଡ୍ଡା ବା କ୍ୟାସିନୋ ଆନ୍ତର୍ଜାତିକ ପର୍ଯ୍ୟଟନର ଅନ୍ୟତମ ବିଭବ ରୂପେ ବିକଶିତ ହୋଇଛି I ବିଳାସମୟ ପୋତ କ୍ରୁଇଜ ଗୁଡ଼ିକରେ ଜୁଆଖେଳ ମୁଖ୍ୟ ଆକର୍ଷଣ । ତେବେ ବ୍ରହ୍ମପୁରର ଜୁଆଖେଳର ପରମ୍ପରା ଦୀର୍ଘ ଅତୀତରୁ ଉଜ୍ଜୀବିତ ରହିଆସିଛି I
***