Friday, June 24, 2022

New Water Supply Company ‘WATCO’ / ଜଳଯୋଗାଣ ପାଇଁ ନୂଆ କମ୍ପାନୀ ‘ୱାଟକୋ’

 

#ବ୍ରହ୍ମପୁରରେ ଜଳଯୋଗାଣ ବ୍ୟବସ୍ଥା ସ୍ଥାନୀୟ ପୌରପାଳିକା ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ସ୍ଥଳେ ପରବର୍ତ୍ତୀ ସମୟରେ ତାହା ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ଅଧୀନକୁ ଯାଇଥିଲା । ଜୁନ ପହିଲା ୨୦୨୨ରୁ ସହରର ଜଳଯୋଗାଣ ଦାୟିତ୍ୱ ଓଡ଼ିଶା ଜଳ ନିଗମ ୱାଟର କରପୋରେସନ ଅଫ ଓଡ଼ିଶା, ସଂକ୍ଷେପରେ ୱାଟକୋକୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିବା ପ୍ରକାଶ ।

 

ୱାଟକୋ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ ଏକ ଅଣ-ଲାଭଦାୟକ ନନ-ପ୍ରଫିଟ କମ୍ପାନୀ । ଏହା ୨୦୧୫ରୁ କାର୍ଯ୍ୟ ଆରମ୍ଭ କରିଛି ଏବଂ ଭୁବନେଶ୍ୱର ସତ୍ୟନଗରଠାରେ ମୁଖ୍ୟକାର୍ଯ୍ୟାଳୟ ଅବସ୍ଥାପିତ । ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗର ପ୍ରମୁଖ ଶାସନ ସଚ଼ିବ ଏହାର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ଜଣେ ବରିଷ୍ଠ ଇଞ୍ଜିନିୟର ଦାୟିତ୍ୱ ତୁଲାଉଛନ୍ତି । ରାଜ୍ୟର ସହରାଞ୍ଚଳରେ ଜଳଯୋଗାଣ ଓ ନାଳନର୍ଦ୍ଦମା ସୁଏରେଜ ପରିଚାଳନା ସଂସ୍ଥାର କାର୍ଯ୍ୟକ୍ଷେତ୍ର । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା ଓ ବ୍ରହ୍ମପୁର ଇତ୍ୟାଦି ୧୭ଗୋଟି ସହରାଞ୍ଚଳରେ କାର୍ଯ୍ୟକାରୀ ହେବାପରେ ପର୍ଯ୍ୟାୟକ୍ରମେ ରାଜ୍ୟର ୧୧୪ ଗୋଟି ସହରାଞ୍ଚଳକୁ ସଂପ୍ରସାରିତ ହେବା ଯୋଜନା ରହିଛି ।

 

ଜଳଯୋଗାଣ ଓ ଆବର୍ଜନା ନିଷ୍କାସନ ମୌଳିକ ପୌରସେବା ଅନ୍ତର୍ଭୁକ୍ତ । ସ୍ଥାନୀୟସ୍ତରରେ ଏହାର ସୁପରିଚାଳନା ସଂଭବପର ନହୋଇପାରିବା ହେତୁ ସରକାର ବିକଳ୍ପ ବ୍ୟବସ୍ଥା ଚ଼ିନ୍ତା କରିଥିଲେ । ବ୍ରହ୍ମପୁରର ଜଳଯୋଗାଣ ୱାଟକୋ ମାର୍ଫତରେ ନ୍ୟସ୍ତ ହେବାପରେ ରାଜ୍ୟସ୍ତରରେ ପ୍ରଣୀତ ନୀତି ଏଠାରେ ପାଳନ କରାଯିବା ଆଶା କରାଯାଏ । ଦେଢ଼ ବର୍ଷ ମଧ୍ୟରେ ସହରରେ ବସବାସ କରୁଥିବା ପ୍ରତ୍ୟେକ ପରିବାରଙ୍କ ପାଇଁ ବାସଗୃହରେ ପାଣି ୨୦୨୩ ସୁଦ୍ଧା ଯୋଗାଇ ଦିଆଯିବା ନିମନ୍ତେ ଉଦ୍ୟମ କରାଯିବ ବୋଲି କୁହାଯାଉଛି । ଏଥି ସହ ପ୍ରତିଟି ଯୋଗାଣ କନେକସନରେ ମିଟର ବସାଇ ବାଧ୍ୟତାମୂଳକ ଜଳ କର ଆଦାୟ ମଧ୍ୟ ସେହି ସମୟସୀମାରେ ଆରମ୍ଭ କରାଯିବା ସୁସ୍ପଷ୍ଟ ।

 

ବ୍ରହ୍ମପୁରରେ ଜଳଯୋଗାଣ ବ୍ୟବସ୍ଥାରେ ପାରମ୍ପରିକଭାବେ କେତେଗୋଟି ମୁଖ୍ୟ ସମସ୍ୟା ଲାଗି ରହିଥାଏ । ପ୍ରଥମତଃ, ସହରକୁ ପର୍ଯ୍ୟାପ୍ତ ପରିମାଣରେ ଜଳଯୋଗାଣ, ମୁଖ୍ୟତଃ ଗ୍ରୀଷ୍ମଋତୁରେ ସଂଭବ ହୋଇପାରି ନଥାଏ । ଦ୍ୱିତୀୟତଃ, ଅପେକ୍ଷାକୃତ ଉଚ୍ଚ ଅଞ୍ଚଳଗୁଡ଼ିକରେ ଜଳଯୋଗାଣରେ ଅସୁବିଧା ଉପୁଜିଥାଏ । ତୃତୀୟତଃ, ସହରର ପୁରାତନ ଅଞ୍ଚଳଗୁଡ଼ିକରେ ଦୀର୍ଘଦିନରୁ ଜଳଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଥିବା ହେତୁ ବିଛା ଯାଇଥିବା ପାଇପଗୁଡ଼ିକ ପୁରୁଣା ହେବା ତଥା ରକ୍ଷଣାବେକ୍ଷଣ ଅଭାବରୁ ଲିକ ହୋଇ ବହୁ ଜଳ ନଷ୍ଟ ହେବା ସହ ସମଗ୍ର ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ । ଚ଼ତୁର୍ଥତଃ, ଆବଶ୍ୟକୀୟ ମାନର ଜଳ ବିଶୋଧନ ପ୍ରକ୍ରିୟା ନିୟମିତ ଲାଗୁ କରାଯାଇ ନପାରୁଥିବା ହେତୁ ପ୍ରଦୂଷିତ  ଜଳ ଯୋଗାଣ ଅଭିଯୋଗ ଆସିଥାଏ । ପଞ୍ଚମତଃ, ବ୍ୟକ୍ତିଗତ ହେଉ ବା ସାର୍ବଜନୀନସ୍ତରରେ ଜଳଯୋଗାଣ ସଂପର୍କରେ ଅଭାବ ଅଭିଯୋଗ ସମାଧାନ ଦିଗରେ ସୁସଂହତ ବ୍ୟବସ୍ଥାର ଅଭାବ ରହିଥାଏ ।

 

ଏହି ସବୁ ସମସ୍ୟାକୁ ୱାଟକୋ ସମାଧାନ କରିବାକୁ କେତେଦୂର ସମର୍ଥ ହେବ ତାହା ସମୟ କହିବ । ସହରରେ ଉତ୍କଟ ଜଳ ସମସ୍ୟା ଲାଗି ରହିଥିବା ହେତୁ ଉଭୟ ପୌରପାଳିକା ଓ ଜନସ୍ୱାସ୍ଥ୍ୟ ବିଭାଗ ଜଳକର ଆଦାୟ ନିମନ୍ତେ କଠୋର ପଦକ୍ଷେପ ଗ୍ରହଣ କରିପାରିନଥିଲେ । ଫଳତଃ ସହରର ବହୁ ଉପଭୋକ୍ତା ଜଳକର ତାଲିକାରେ ଅନିଚ୍ଛାକୃତ ଭାବେ ଖିଲାପୀ ରହିଥିବା ସ୍ୱାଭାବିକ । ସେମାନଙ୍କ ସମସ୍ୟାକୁ ଯୁକ୍ତିଯୁକ୍ତ ନୀତିରେ ସମାଧାନ କରିବା ୱାଟକୋ ନିମନ୍ତେ ଏକ ଆହ୍ୱାନ । ଉପଭୋକ୍ତା-ଅନୁକୂଳ ଏକକାଳୀନ ଜଳକର ସମସ୍ୟା ସମାଧାନ ନିମନ୍ତେ ସ୍ଥାନୀୟ ୱାଟକୋ ପ୍ରଶାସନ ରାସ୍ତା ବାହର କରିବା ଏବଂ ନିଗମ ପକ୍ଷରୁ ସର୍ବକ୍ଷମା ବା ଏକକାଳୀନ ଦେୟ ୱାନ-ଟାଇମ-ସେଟଲମେଣ୍ଟ ଯୋଜନା ଲାଗୁ କରାଗଲେ ଅଯଥା ଜଟିଳ ପରିସ୍ଥିତିକୁ ଏଡ଼ାଇ ଦେଇ ହେବ ।

 

ୱାଟକୋ ଏକ ସ୍ୱୟଂଶାସିତ ସଂସ୍ଥାରୂପେ ଗଢ଼ି ଉଠୁଥିବା ହେତୁ ବିଭିନ୍ନ ସମସ୍ୟା ସମାଧାନର ସୂତ୍ର ଅମଳାତାନ୍ତ୍ରିକ ନାଲିଫିତା ତଳେ ଚାପି ହୋଇ ରହିନଯାଇ ତୁରନ୍ତ ସମାଧାନର ରାସ୍ତା ଉନ୍ମୁକ୍ତ ରହିବ ବୋଲି ବିଶ୍ୱାସ । ଆଧୁନିକ ବୈଷୟିକ କୌଶଳ ଅବଲମ୍ୱନରେ ଜଳଯୋଗାଣ, ଜଳର ମାନ ନିର୍ଦ୍ଧାରଣ ଓ ଉପଭୋକ୍ତାଙ୍କ ଅଭାବ ଅଭିଯୋଗ ସମାଧାନ ଦିଗରେ ସ୍ୱଚ୍ଛତା ଅବଲମ୍ୱନ ଲାଗି ନୂତନ କମ୍ପାନୀ ପଦକ୍ଷେପ ନେବା ଆଶା କରାଯାଇପାରେ ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୫ ଜୁନ ୨୦୨୨/ ପୃଷ୍ଠା : ୨)


Photo by Patrick Pahlke on Unsplash 


Saturday, June 18, 2022

Garbage Processing Project / ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ


 #ବ୍ରହ୍ମପୁର ସହରରେ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ୟମରେ ସହରତଳି ମହୁଡ଼ାଠାରେ ଏକ ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ ନିର୍ମାଣ ଏକ ଉଲ୍ଲେଖନୀୟ ଘଟଣା । ଯେକୌଣସି ସହରରେ ଘଞ୍ଚ ଜନବସତି ହେତୁ ବିପୁଳ ପରିମାଣରେ ଆବର୍ଜନା ସୃଷ୍ଟି ହୁଏ । ହିସାବ ଅନୁଯାୟୀ ୨୦୨୨ ଆରମ୍ଭରେ ବ୍ରହ୍ମପୁରରେ ଦୈନିକ ପ୍ରାୟ ୧୪୦ ମେଟ୍ରିକ ଟନ ଆବର୍ଜନା ମହାନଗର ନିଗମ ଦ୍ୱାରା ସାହୀବସ୍ତି ରାସ୍ତାଘାଟରୁ ସଂଗୃହୀତ ହେଉଥିଲା । ସେଗୁଡ଼ିକୁ ସହରତଳି ଅଞ୍ଚଳରେ ଅବସ୍ଥିତ ଚନ୍ଦନିଆ ପାହାଡ଼ ନିକଟରେ ଫୋପାଡ଼ିବା ବ୍ୟବସ୍ଥା ରହିଥିଲା । କିନ୍ତୁ ସମୟକ୍ରମେ ଆବର୍ଜନା ପରିମାଣ ବୃଦ୍ଧି ଘଟିବା ହେତୁ ତାହାର ପ୍ରକ୍ରିୟାକରଣ ନିମନ୍ତେ ଉଦ୍ୟମ ଆରମ୍ଭ ହୋଇଥିଲା । ତତକାଳୀନ ପୌର ପରିଷଦ ପକ୍ଷରୁ ୨୦୦୮ରେ ବିଧିବଦ୍ଧ ପ୍ରସ୍ତାବ ଗ୍ରହଣ କରାଯାଇ ଆବର୍ଜନା ପ୍ରକ୍ରିୟାକରଣ ନିମନ୍ତେ ପ୍ରକଳ୍ପ ଅନୁମୋଦନ ହୋଇଥିଲେ ସୁଦ୍ଧା ଏହାର ରୂପାୟନ ଲାଗି ଦୀର୍ଘ ୧୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା ।

 

ଘଟଣାକ୍ରମେ ପୌର ପରିଷଦର ୨୦୦୮ ନିଷ୍ପତି କାର୍ଯ୍ୟକାରୀ କରିବା ନିମନ୍ତେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇ ୨୦୧୩ରେ ଟେଣ୍ଡର କରାଯାଇ ୨୦୧୪ରେ ବରୋଦାର ଏକ କମ୍ପାନୀକୁ କାର୍ଯ୍ୟ ଆଦେଶ ପ୍ରଦାନ କରାଯାଇଥିଲା । ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବାପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ଫଳରେ ୧୫ ମାସରେ ସରିବାକୁ ଥିବା ନିର୍ମାଣ କାର୍ଯ୍ୟ ଅଟକି ରହିଲା । ହାଇକୋର୍ଟରେ ମକଦ୍ଦମା ପହଞ୍ଚିବା ପରେ ନିର୍ମାଣକୁ ରହିତାଦେଶ ଜାରି କରିଥିଲେ । ଏହି ପରିସ୍ଥିତିରେ କାର୍ଯ୍ୟାଦେଶ ପାଇଥିବା କମ୍ପାନୀ ମଧ୍ୟ ପ୍ରକଳ୍ପ ନିର୍ମାଣ ଦାୟିତ୍ୱରୁ ଓହରି ଯାଇଥିଲା । ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଥିଲା । ତେବେ ପୁନର୍ବାର ୨୦୧୮ରେ ରାଜ୍ୟ ସରକାରଙ୍କ ଅନୁମୋଦନକ୍ରମେ ୨୦୧୯ରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ୨୦୨୨ ଏପ୍ରିଲରେ ସରିଥିଲା ।

 

ପ୍ରଚଳିତ ବ୍ୟବସ୍ଥାରେ ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ପ୍ରତ୍ୟେକ ପରିବାରର ଆବର୍ଜନା ଛୋଟିଆ ଗାଡ଼ି ବୁଲାଇ ସଂଗ୍ରହ କରାଯାଇ ନୂଆ ବସଷ୍ଟାଣ୍ଡ ଓ ଆମ୍ୱ ବଜାରଠାରେ ଡ଼ମ୍ପିଂୟାର୍ଡରେ ଗଚ୍ଛିତ ରଖାଯାଏ । ସେଠାରୁ ଆବର୍ଜନା ବଡ଼ ଗାଡିରେ ମହୁଡ଼ା ପ୍ରକଳ୍ପକୁ ଚାଲାଣ କରାଯାଇ ପ୍ରକ୍ରିୟାକରଣ କାର୍ଯ୍ୟ ସମାହିତ ହୋଇଥାଏ । ଡମ୍ପିଂୟାର୍ଡରୁ ମହୁଡାକୁ ବୋହିନେବା ଓ ପ୍ରକ୍ରିୟାକରଣ କାର୍ଯ୍ୟଭାର ଭୁବନେଶ୍ୱର, ଔରଙ୍ଗାବାଦ ଓ ପୁନେର ତିନିଗୋଟି ବୈଷୟିକ ଉଦ୍ୟୋଗର ମିଳିତ ଉଦ୍ୟମରେ ଗଠିତ ସଂସ୍ଥା ଜରିଆରେ ପରିଚାଳିତ

 

ମହୁଡ଼ା ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ ୩୩ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଏବଂ ଏହାର ନିର୍ମାଣ ଖର୍ଚ୍ଚ ୪୬ କୋଟି ଟଙ୍କା । ଏଠାରେ କଠିନ ବର୍ଜ୍ୟବସ୍ତୁକୁ ଯାନ୍ତ୍ରିକ ଉପାୟରେ ଅଲଗା କରାଯାଇ ଏକ ରକମ ମେଟାଲ ପ୍ରସ୍ତୁତ ସୁବିଧା ଉପଲବ୍ଧ । ତାହା ବିଭିନ୍ନ କାମରେ ଲାଗିବା କୁହାଯାଉଛି । ପ୍ରକଳ୍ପରେ ପ୍ରତିଦିନ ୩୦୦ ମେଟ୍ରିକ ଟନ ପ୍ରକ୍ରିୟାକରଣ କ୍ଷମତା ରହିଛି । ତେବେ ବର୍ତ୍ତମାନ ପ୍ରାୟ ଅର୍ଦ୍ଧେକ କ୍ଷମତା ଉପଯୋଗରେ ଆବର୍ଜନା ପ୍ରକ୍ରିୟାକରଣ କରାଯାଉଛି ।

 

ଆଧୁନିକ ଆବର୍ଜନା ପ୍ରକ୍ରିୟାକରଣ ପ୍ରକଳ୍ପ ପ୍ରଭାବରେ କ୍ରମଶଃ ବ୍ରହ୍ମପୁର ରାସ୍ତାଘାଟକୁ ଆବର୍ଜନା ମୁକ୍ତ କରିବା ଲକ୍ଷ୍ୟ ଅଭିନନ୍ଦନୀୟ । ମହାନଗର ନିଗମ ପକ୍ଷରୁ ପ୍ରକ୍ରିୟାକରଣ ବାବଦରେ ମେଟ୍ରିକ ଟନ ଆବର୍ଜନା ପିଚ୍ଛା ୧୦୫୦ ଟଙ୍କା ପରିଚାଳନା କରୁଥିବା କମ୍ପାନୀକୁ ଦିଆଯିବା ବ୍ୟବସ୍ଥା ରହିଥିବା ପ୍ରକାଶ । ଏହା ସହରବାସୀଙ୍କଠାରୁ ଆଦାୟ ଟିକସରୁ ଭରଣା କରାଯିବା ସୁସ୍ପଷ୍ଟ । ତେବେ ଆବର୍ଜନା ସଂଗ୍ରହ ଓ ସହରକୁ ଆବର୍ଜନା ମୁକ୍ତ ରଖିବାରେ ପୌର ପ୍ରଶାସନଠାରେ ନାଗରିକମାନେ ଆପତ୍ତି ଅଭିଯୋଗ ଦାଖଲ କରିବା ନିମନ୍ତେ ସ୍ୱଚ୍ଛ ଓ ଉତ୍ତରଦାୟୀ ବ୍ୟବସ୍ଥା ମଧ୍ୟ ସୃଷ୍ଟି କରାଯିବା ଆବଶ୍ୟକ । ସାମୟିକ ଭାବେ ତୃତୀୟପକ୍ଷ ଓ ନାଗରିକ ସମାଜ ଆବର୍ଜନା ସଂଗ୍ରହ ଓ ପ୍ରକ୍ରିୟାକରଣ କାର୍ଯ୍ୟର ସମୀକ୍ଷା କରିବା ନିମନ୍ତେ ପ୍ରାବଧାନ ରଖାଗଲେ ଭୂଲଭଟ୍ଟକା ସୁଧାରିବାଲାଗି ପଥ ଉନ୍ମୁକ୍ତ ରହିବ । ସହରବାସୀ, ମୁଖ୍ୟତଃ ବିଦ୍ୟାଳୟ ଯାଉଥିବା ଶିଶୁ ଓ କିଶୋରବର୍ଗଙ୍କୁ ଆବର୍ଜନା ପ୍ରକ୍ରିୟାକରଣ ସଂପର୍କରେ ସଚ଼େତନ କରାଇଲେ ତଥା ପ୍ରକ୍ରିୟାକରଣ ପ୍ରକଳ୍ପ ବୁଲାଇ ଦେଖାଇବା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିଲେ ଭବିଷ୍ୟତରେ ସେମାନେ ସହରର ସ୍ୱଚ୍ଛତାସେନାରେ ପରିଣତ ହେବା ଆଶା ରଖାଯାଇପାରିବ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୮ ଜୁନ ୨୦୨୨/ ପୃଷ୍ଠା : ୨)

Photo by Antoine GIRET on Unsplash 


Friday, June 10, 2022

Multi-Storied-Parking-Lot / ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ

 

#ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡଠାରେ ଏକ ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ ନିର୍ମାଣ ନିମନ୍ତେ ପ୍ରସ୍ତାବ ଜୁନ ୨୦୨୨ ପ୍ରଥମ ସପ୍ତାହରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ବିଡିଏର ସାଧାରଣ ପରିଷଦ ବୈଠକରେ ଆଲୋଚ଼ିତ ହୋଇଥିଲା । ପୁରୁଣା ବସଷ୍ଟାଣ୍ଡ ସଂଲଗ୍ନ ପୂର୍ବଦିଗରେ ଗଢ଼ିଉଠୁଥିବା ମଲ କମ୍ପ୍ଳେକ୍ସ ଓ ପଶ୍ଚିମ ଦିଗରେ ଦୋକାନ-ବଜାର ହେତୁ ସହରବାସୀଙ୍କ ଯାନବାହନ ରଖିବା ସମସ୍ୟାର ସମାଧାନ ଦିଗରେ ଉଦ୍ୟମ ଆରମ୍ଭ ନିମନ୍ତେ ସ୍ଥିର ହୋଇଥିବା ପ୍ରକାଶ ଏଥି ନିମନ୍ତେ ବ୍ରହ୍ମପୁର ପୌର ନିଗମ ଜମି ଯୋଗାଇ ଦେବ ଏବଂ ବିଡିଏ ଦଶ କୋଟି ଟଙ୍କା ବ୍ୟୟରେ କାର ଓ ହାଲକା ଯାନବାହାନ ପାର୍କିଂ ନିମନ୍ତେ ଏକ ବହୁତଳ ପାର୍କିଂ-ଗ୍ୟାରେଜ ନିର୍ମାଣ କରିବ । ଏଥିରେ ପ୍ରାୟ ଦୁଇ ଶହ ଯାନବାହାନ ପାର୍କିଂର ବ୍ୟବସ୍ଥା ରହିବ
 
ସମ୍ୱାଦପତ୍ରରେ ପ୍ରକାଶିତ ବିବରଣୀ ଅନୁଯାୟୀ ଭୁବନେଶ୍ୱର ସଂଲଗ୍ନ ନନ୍ଦନକାନନ ଚିଡିଆଖାନାଠାରେ ଏକ ବହୁତଳ ପାର୍କିଂ-ଲଟ ନିର୍ମିତ ହୋଇଛି ଏବଂ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ତରେ ସେହି ନକ୍ସା ଅନୁସରଣ କରାଯିବ । ତେବେ ନନ୍ଦନକାନନ ପ୍ରକଳ୍ପ ରୂପାୟନର ବହୁ ପୂର୍ବରୁ ବ୍ରହ୍ମପୁରରେ ବହୁତଳ ପାର୍କିଂ-ଲଟ ନିର୍ମାଣ ନିମନ୍ତେ ଜନସାଧାରଣରେ ଆଲୋଚ଼ିତ ହୋଇଆସିଛି । ଉଦାହରଣରେ ୨୦୧୧ ମସିହାରେ ବ୍ରହ୍ମପୁର ପୌର ନିଗମ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡଠାରେ ଏକ ସପିଂମଲ ନିର୍ମାଣ ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ସେହି ଅବସରରେ ବ୍ରହ୍ମପୁର ଡ଼ାଏରୀରେ ୧୧ ଜୁନ ୨୦୧୧, ଅର୍ଥାତ ଠିକ୍ ଏଗାର ବର୍ଷ ପୂର୍ବେ ପୁରୁଣା ବସଷ୍ଟାଣ୍ଡରେ ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ ପ୍ରସ୍ତାବ ଶୀର୍ଷକ ରଚନା ପ୍ରକାଶିତ ହୋଇଥିଲା । ଏଥିରେ ଉଲ୍ଲେଖ ଥିଲା :
 
କ୍ରମବର୍ଦ୍ଧିଷ୍ଣୁ ବ୍ରହ୍ମପୁର ସହରରେ ପାର୍କିଂ ସମସ୍ୟା ଉତ୍କଟରୁ ଉତ୍କଟର ହେବାରେ ଲାଗିଛି । ପର୍ଯ୍ୟାୟକ୍ରମେ ସହରର ଉପକଣ୍ଠ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ସାଙ୍ଗକୁ ବିଭିନ୍ନ କାର୍ଯ୍ୟାଳୟ ଖୋଲିଛି ଏବଂ ଭବିଷ୍ୟତରେ ଆହୁରି ଅଧିକ ଖୋଲିବ । ଏସବୁ ଅଞ୍ଚଳକୁ ଯିବା ଆସିବା ପାଇଁ ଆନୁଷ୍ଠାନିକ ପରିବହନ ସାଙ୍ଗକୁ ଟାଉନ ବସ ସେବା ଅପରିହାର୍ଯ୍ୟ ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ଦୁଇ ଓ ଚାରି ଚକିଆ ବ୍ୟକ୍ତିଗତ ପରିବହନ ବଦଳରେ ସାମୂହିକ ପରିବହନକୁ ପ୍ରାଧାନ୍ୟ ଦିଆଯାଉଛି । କାରଣ ଏହାଫଳରେ ଇନ୍ଧନ ବ୍ୟବହାର ଓ ପ୍ରଦୂଷଣ କମିବ । ଏଭଳି ପରିସ୍ଥିତିରେ ସହରର ମଧ୍ୟସ୍ଥଳୀରେ ଥିବା ପୁରୁଣା ବସଷ୍ଟାଣ୍ଡରେ ଯଦି ଆମେ ମଲ ଗଢ଼ିବା ତେବେ ଭବିଷ୍ୟତ ବଂଶଧର ଆମକୁ କ୍ଷମା ଦେବେ ନାହିଁ । ପୌର ନିଗମ ହାତରେ ପୁରୁଣା ବସଷ୍ଟାଣ୍ଡ ବ୍ୟତୀତ ସହରର ମଧ୍ୟସ୍ଥଳରେ ଆଉ କେଉଁଠି ବିସ୍ତୀର୍ଣ୍ଣ ଅଞ୍ଚଳ ନାହିଁ । ଥରେ ଏହା ବ୍ୟବସାୟୀଙ୍କ ହାତକୁ ଚାଲିଗଲେ ପୁଣି ଫେରି ପାଇବାର ପ୍ରଶ୍ନ ନାହିଁ ।
 
ପୁରୁଣା ବସଷ୍ଟାଣ୍ଡର ଆଧୁନୀକରଣ ହେଉ । ଏହାକୁ ବିଦେଶୀ ଢ଼ାଞ୍ଚାରେ ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟରେ ପରିଣତ କରାଯାଉ । ଅର୍ଥାତ, ବହୁତଳ ବିଶିଷ୍ଟ ଯାନବାହାନ ରଖିବା ସ୍ଥାନ ସୃଷ୍ଟି କରାଯାଇ ପ୍ରାଇଭେଟ-ପବ୍ଳିକ-ପାର୍ଟନରସିପଧାରାରେ ଘରୋଇ ପୁଞ୍ଜି ବିନିଯୋଗ କରାଯାଇ ଜନସାଧାରଣଙ୍କଠାରୁ ଭଡ଼ା ଆଦାୟରେ ନିର୍ମାଣ ଖର୍ଚ୍ଚ ଭରଣା କରାଯାଉ । ସବା ତଳେ ଅଟୋ ଓ ଟ୍ୟାକ୍ସି, ପ୍ରଥମ ମହଲାରେ ଟାଉନବସ, ଦ୍ୱିତୀୟ ମହଲାରେ ଦୁଇଚକିଆ, ତୃତୀୟ ମହଲାରେ ଚାରି ଚକିଆ ଯାନବାହନ ଓ ଚ଼ତୁର୍ଥ ମହଲାରେ ରୁଫ-ଟପ ପାର୍କ-ଫାଉଣ୍ଟେନ-ଫୁଡ଼-କୋର୍ଟ ଗଢ଼ାଯାଉ । ଏହାଫଳରେ ଖଲ୍ଲିକୋଟ କଲେଜଠାରୁ ଗିରିଜା ଛକ ଯାଏଁ ଅଞ୍ଚଳରେ ପାର୍କିଂ ସମସ୍ୟାର ସମାଧାନ ହୋଇପାରିବ, ରାସ୍ତାକଡ଼ର ଠିଆ କ୍ୟାଣ୍ଟିନଗୁଡ଼ିକୁ ଉଚ୍ଛେଦ କରି ଦୋକାନୀଙ୍କୁ ଥାଇଥାନର ବ୍ୟବସ୍ଥା ସମ୍ଭବପର ହେବ ଏବଂ ସର୍ବୋପରି ସହରର ମଧ୍ୟସ୍ଥଳରୁ ଟାଉନବସ ଭଳି ସାମୂହିକ ପରିବହନ ଚଳାଚଳ ପାଇଁ ସୁଯୋଗ ଉନ୍ମୁକ୍ତ ରହିବ ।
 
ବ୍ରହ୍ମପୁର ଡ଼େଭଲାପମେଣ୍ଟ ଅଥାରିଟି ମାଲିକାନାରେ ଥିବା ବିବଦମାନ ଗଜପତି ପ୍ଳାଜାକୁ ମଧ୍ୟ ଅନ୍ୟ ଏକ ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟରେ ପରିଣତ କରାଯାଇପାରିଲେ ତଥା ପ୍ରସ୍ତାବିତ ରାମଲିଙ୍ଗମ ବନ୍ଧର ସ୍କାଇ-ୱାକ-ପାର୍କିଂ-ଲଟକୁ ବିଚାରକୁ ନେଲେ ସହରର ଜନାକୀର୍ଣ୍ଣ ମଧ୍ୟ ଭାଗରେ ତିନି ତିନି ଗୋଟି ପାର୍କିଂ-ଲଟ ଦୀର୍ଘ ଭବିଷ୍ୟତ ପାଇଁ ବ୍ରହ୍ମପୁର ଟ୍ରାଫିକ ସମସ୍ୟା ସମାଧାନରେ ସହାୟକ ହୋଇପାରିବ ।
 
ବିଦେଶରେ ମଲଟି-ଷ୍ଟୋରିଡ଼-ପାର୍କିଂ-ଲଟ ସବୁ ବଡ଼ ସହରରେ ଦେଖିବାକୁ ମିଳେ । ଆମ ଦେଶରେ ମୁମ୍ୱାଇ, ଚେନ୍ନାଇରେ ମଧ୍ୟ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି । ଭବିଷ୍ୟତକୁ ଆଖି ରଖି ବ୍ରହ୍ମପୁରବାସୀ ପାଦେ ଆଗେଇବାକୁ ପଡ଼ିବ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୧ ଜୁନ ୨୦୨୨/ ପୃଷ୍ଠା : ୨)

Friday, June 3, 2022

Hot June / ଜୁନ ମାସର ଗରମ

 

ପାଣିପାଗ ଏଣିକି #ବ୍ରହ୍ମପୁର ସହରବାସୀଙ୍କ ଦୈନନ୍ଦିନ ଚର୍ଚ୍ଚାର ବିଷୟବସ୍ତୁ । ମାତ୍ର କୋଡ଼ିଏ-ପଚ଼ିଶି ବର୍ଷ ପୂର୍ବେ ବିଂଶ ଶତାଦ୍ଦୀ ଶେଷ ସୁଦ୍ଧା ମହାବାତ୍ୟା ପହଞ୍ଚିବା ଦଶ-ବାର ଘଣ୍ଟା ଆଗରୁ ବିପତ୍ତି ଖବର ମିଳିବା ମୁସ୍କିଲ ଥିଲା କିନ୍ତୁ ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭରେ ସୁଦୂର ଫିଲିପାଇନ୍ସ, ଥାଇଲ୍ୟାଣ୍ଡ ବା ଅଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ସଂଲଗ୍ନ ଭାରତ ମହାସାଗରରେ ଲଘୁଚାପ ଦାନା ବାନ୍ଧିବା ଢ଼େର ଆଗରୁ ବ୍ରହ୍ମପୁରବାସୀ ସମ୍ଭାବ୍ୟ ବାତ୍ୟା ଆକଳନରେ ସପ୍ତାହରୁ ଦୁଇ ସପ୍ତାହ ଟେଲିଭିଜନରୁ ସୋସିଆଲ ମିଡ଼ିଆ ଯାଏଁ ଆଲୋଚ଼ନାରେ ସଂପୃକ୍ତ ରହୁଛନ୍ତି ।
 
ବିଗତ ୧୯୯୯ ମହାବାତ୍ୟା ବେଳକୁ ଦେଶର ପାଣିପାଗ ଆକଳନ ନିମନ୍ତେ ବିଭାଗ ଥିଲା ସତ, କିନ୍ତୁ ଆବଶ୍ୟକୀୟ ସାଜସରଞ୍ଜାମ ଅଭାବ  ରହିଥିଲା । ମହାବାତ୍ୟା ଦିନ ଅପରାହ୍ନ ଦୁଇଟାରୁ ପ୍ରବଳ ବର୍ଷା ଆରମ୍ଭ ହୋଇ ସନ୍ଧ୍ୟା ପାଞ୍ଚରୁ ସାତ ଯାଏଁ ଥମି ଯାଇଥିଲା । ଯିଏ ଯେଉଁଠିଥିଲେ ସଅଳ ଘରକୁ ଫେରିବାପରେ ରାତି ଆଠ-ନଅରୁ ପବନ ସହ ବର୍ଷା ଆରମ୍ଭ ହୋଇଗଲା । ସହରବାସୀ ଟେଲିଭିଜନରେ ବାତ୍ୟା ଖବର ପାଇବା ବେଳକୁ ବିଦ୍ୟୁତ ସରବରାହ ବନ୍ଦ ହେତୁ ଟେଲିଭିଜନ ପ୍ରସାରଣ ବନ୍ଦ ହୋଇଯାଇଥିଲା ଆଲମିରାରେ ସାଇତା ପୁରୁଣା ଟ୍ରାଞ୍ଜିଷ୍ଟର ଖୋଜି ବ୍ରହ୍ମପୁର ଆକାଶବାଣୀ ଖୋଲିବା ପରେ ରାତି ଦଶ ବେଳକୁ ଗେଟବଜାର-ଲୋଚାପଡ଼ା ଗଡ଼ାଣିରାସ୍ତାରେ ଅବସ୍ଥିତ ଆକାଶବାଣୀ କେନ୍ଦ୍ର କୋଠାରେ ପାଣି ପଶିଯିବା ଫଳରେ ପ୍ରସାରଣ ବନ୍ଦ । ରାତି ଏଗାରରୁ ତିନିଟା ଚାରିଟା ଯାଏଁ ସହରରେ ମହାବାତ୍ୟା ତାଣ୍ଡବ ରଚାଇଲା । ବ୍ରହ୍ମପୁରବାସୀ ବାତ୍ୟା-ପର ଆଲୋଚ଼ନା କଲେ ସିନା ବାତ୍ୟା-ପୂର୍ବ ଆଲୋଚ଼ନାର ସୁଯୋଗ ପାଇପାରି ନଥିଲେ ।
 
ଏକବିଂଶ ଶତାଦ୍ଦୀ ଦ୍ୱିତୀୟ ଦଶକ ଆରମ୍ଭରୁ ଭାରତର ପାଣିପାଗ ଆକଳନ କ୍ଷେତ୍ରରେ ଅତ୍ୟାଧୁନିକ ବିଭିନ୍ନ କିସମର ରାଡ଼ାର ଓ ଉପଗ୍ରହ ସେବା ଭଳି ସାଜସରଞ୍ଜାମ ସାଙ୍ଗକୁ ତତକ୍ଷଣାତ ସମ୍ୱାଦ ପରିବେଷଣ ନିମନ୍ତେ ଅନଲାଇନ ସେବାର ସୁବିଧା ହାସଲ ହୋଇପାରିଲାତେଣୁ ମୌସୁମୀ ଋତୁ ପହଞ୍ଚିବା ପୂର୍ବରୁ ସମ୍ଭାବ୍ୟ ବର୍ଷାର ପରିମାଣ ଏବଂ ତାହାର ପ୍ରଭାବରେ ଅର୍ଥନୀତିକ ଧାରା ଆକଳନ ସାଧାରଣ କଥୋପକଥନର ଅଂଶ ବିଶେଷ ପାଲଟିଯାଇଛି ।
 
ପାରମ୍ପରିକଭାବେ ଜୁନମାସ ଆରମ୍ଭରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଲେ ଜୁନ ୧୦ ରୁ ୧୫ ସୁଦ୍ଧା ରଜ ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ପହଞ୍ଚିଥାଏ । ଇଣ୍ଡିଆନ ମେଟୋରୋଲୋଜିକାଲ ଡିପାର୍ଟମେଣ୍ଟ ଆଇଏମଡ଼ିର ୨୦୨୨ ଜୁନରୁ ସେପ୍ଟେମ୍ୱର ମୌସୁମୀ ଋତୁ ପାଇଁ ଆକଳନରେ ସମଗ୍ର ଦେଶରେ ବର୍ଷାର ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ, ଅର୍ଥାତ ସ୍ୱାଭାବିକ ବା ଉତ୍ତମ ବର୍ଷା ହେବ । ତେବେ ଓଡ଼ିଶା ରାଜ୍ୟରେ ୨୦୨୨ ମାର୍ଚ୍ଚରୁ ମେ ମାସ ମଧ୍ୟରେ ଗ୍ରୀଷ୍ମ ଋତୁରେ ପ୍ରାକ୍-ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ ରହିଥିବା ରେକର୍ଡ କରାଯାଇଥିଲା । ଏହା ଏକ ନିଅଣ୍ଟିଆ ପରିସ୍ଥିତି ଏବଂ ସେହି ତାଲିକାରେ ବ୍ରହ୍ମପୁର ମଧ୍ୟ ସାମିଲ ହୋଇଥିଲା ।
 
ସ୍ଥାନୀୟ ପାଣିପାଗ ବିଶେଷଜ୍ଞଙ୍କ ବିଶ୍ଳେଷଣରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ଦ୍ୱିତୀୟ ସପ୍ତାହ ବେଳକୁ ବ୍ରହ୍ମପୁରରେ ପହଞ୍ଚୁଥିଲେ ମଧ୍ୟ ଜୁନ ମାସରେ ଆଶାନୁରୂପ ବର୍ଷା ହୁଏ ନାହିଁ । ଜୁଲାଇ ମାସରେ ବୃଷ୍ଟିପାତର ପ୍ରାବଲ୍ୟ ବୃଦ୍ଧି ପାଏ । ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷାର ପ୍ରାଚୁର୍ଯ୍ୟ ଦିନଗୁଡ଼ିକରେ ଦୈନିକ ହାରାହାରି ୩୦ ରୁ ୪୦ ମିଲିମିଟର ଯାଏଁ ବର୍ଷା ହୋଇଥାଏ ।
 
ବ୍ରହ୍ମପୁରରେ ବାର୍ଷିକ ପ୍ରାୟ ୨୦୦ ସେଣ୍ଟିମିଟର ବର୍ଷା ରେକର୍ଡ଼ କରାଯାଏ । ଅଗଷ୍ଟ-ସେପ୍ଟେମ୍ୱର ମାସରେ ମୌସୁମୀକାଳୀନ ଲଘୁଚାପ ଓ ନଭେମ୍ୱର-ଡ଼ିସେମ୍ୱର ମାସରେ କ୍ରାନ୍ତୀୟ ଲଘୁଚାପ ଯୋଗୁଁ ସହରରେ ଲଗାଣ ବର୍ଷା ଦେଖିବାକୁ ମିଳିଥାଏ । ଜୁନରୁ ସେପ୍ଟେମ୍ୱର ମାସ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓ ଅକ୍ଟୋବରରୁ ଡିସେମ୍ୱର ମାସ ମଧ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହୋଇଥାଏ ।
 
ଆପାତତଃ ବ୍ରହ୍ମପୁରବାସୀଙ୍କ ପାଇଁ ଜୁନମାସ ଗୁଳଗୁଳିର ବେଳବର୍ଷାରହିତ ସମୟରେ ଆକାଶ ମେଘାଚ୍ଛନ୍ନ ହୋଇପଡୁଥିବା କାରଣରୁ ଭୂମିସ୍ଥ ଉତ୍ତାପ ପୁନଃ-ବିକୀରଣ ହେତୁ ଦିନସାରା ଗୁଳଗୁଳି ଅନୁଭୂତ ହୁଏ । ଫଳରେ ସହରବାସୀ ବର୍ଷାଋତୁ ଥଣ୍ଡାର ମଜା ନେଇପାରନ୍ତି ନାହିଁ । ଜୁନମାସର ଗରମ ବ୍ରହ୍ମପୁରର ଅନ୍ୟତମ ବୈଶିଷ୍ଟ୍ୟ !
 
ବିଗତ ଶତାଦ୍ଦୀ ସପ୍ତମ ଦଶକର ବଲିଉଡ଼ ଚଳଚ଼ିତ୍ର ଜୱାବରେ ମେହମ୍ମୁଦ ଓ ଅରୁଣା ଇରାନୀଙ୍କୁ ନେଇ ଚ଼ିତ୍ରିତ ଜୁନ ମାସର ଗରମ ବର୍ଣ୍ଣିତ ହିନ୍ଦି ଗୀତ ୟୁଟ୍ୟୁବ ଭିଡ଼ିଓ ଦେଖିବା ପାଇଁ ନିମ୍ନ ଲିଙ୍କରେ କ୍ଳିକ କରନ୍ତୁ :
 
https://www.youtube.com/watch?v=E__m3cnFg48

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୪ ଜୁନ ୨୦୨୨/ ପୃଷ୍ଠା : ୨)