Friday, October 7, 2016

Berhampur Durga Puja in the pages of history / ଇତିହାସରେ ବ୍ରହ୍ମପୁର ଦୁର୍ଗାପୂଜା

ବ୍ରହ୍ମପୁରରେ ସାର୍ବଜନୀନ ଦୁର୍ଗା ପୂଜା ସହରର ପାର୍ବଣ ପଞ୍ଜିକାର ଅନ୍ୟତମ ଆକର୍ଷଣ l ଠାକୁରାଣୀ ଯାତ୍ରା ଓ ଗଣେଶ ପୂଜା ସାଙ୍ଗକୁ ଦଶହରା ପୂଜା ଏଠାରେ ସାମୂହିକ ଉଦ୍ୟମରେ ଜାକଜମକରେ ପାଳିତ ହୋଇଥାଏ l କାଳୀ, ଲକ୍ଷ୍ମୀ, ସରସ୍ୱତୀ ଓ ବିଶ୍ୱକର୍ମା ପୂଜା ତଥା ଗହ୍ମା ଡ଼ିଆଁ, ଭୋଗି ଧୂନୀ ଇତ୍ୟାଦି ଅଞ୍ଚଳଭିତ୍ତିକ ବା ଗୋଷ୍ଠୀ ମଧ୍ୟରେ ସୀମିତ ରହିଥାଏ l
          ଏଠାକାର ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ତୁଳନାତ୍ମକ ଭାବେ ନିକଟ ଅତୀତର ପରମ୍ପରା l କୋଲକତାରୁ କଟକ ମଧ୍ୟ ଦେଇ ଏହିଭଳି ଏକ ସାମୂହିକ ପୂଜା ଅର୍ଚ୍ଚନା ପ୍ରଥା ଆମ ସହରରେ ଗତ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ ଲୋକପ୍ରିୟ ହୋଇଥିଲା l ଅବଶ୍ୟ ଏଥିପୂର୍ବରୁ ବଙ୍ଗଭାଷାଭାଷୀଙ୍କ ଦ୍ୱାରା ଦୁର୍ଗାପୂଜା ଆୟୋଜନର ପରମ୍ପରା ରହିଥିଲା l 1934 ମସିହାରୁ ବିଧିବଦ୍ଧଭାବେ ଆଦି ଦୁର୍ଗାପୂଜା ସମିତିଆନୁକୂଲ୍ୟରେ ବଙ୍ଗଭାଷୀଙ୍କ ଦୁର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଛି l
          ସ୍ୱାଧୀନତା ପୂର୍ବବର୍ତ୍ତୀ ଅବସ୍ଥାରେ ବେଙ୍ଗାଲ ନାଗପୁର ରେଳୱେ କମ୍ପାନୀରେ ସଂଖ୍ୟାଧିକ ବଙ୍ଗଳା କର୍ମଚାରୀ କାର୍ଯ୍ୟକରୁଥିବା ଅବସରରେ ବ୍ରହ୍ମପୁର ରେଳଷ୍ଟେସନରେ ମଧ୍ୟ କିଛି ଅବସ୍ଥାପିତ ହୋଇଥାନ୍ତି l ସେମାନଙ୍କ ଉଦ୍ୟମରେ ବଙ୍ଗଳାର ପ୍ରସିଦ୍ଧ ଶାରଦୀୟ ପର୍ବ ସାର୍ବଜନୀନ ଦୁର୍ଗାପୂଜା ପ୍ରଥମ ପାଞ୍ଚବର୍ଷ ଧରି ସ୍ଥାନୀୟ ରେଳୱେ ଇନଷ୍ଟିଟିଉଟରେ ଆୟୋଜନ କରାଯାଇଥିବା ଜଣାଯାଏ l ସ୍ୱାଧୀନତା ପ୍ରାପ୍ତି ଅବସରରେ ଦେଶ ବିଭାଜନ କାଳରେ ବହୁ ବଙ୍ଗଭାଷୀ ପରିବାର ତତ୍ କାଳୀନ ପୂର୍ବ-ପାକିସ୍ଥାନ ବା ଆଜିର ବଙ୍ଗଳାଦେଶରୁ ଆସି ବ୍ରହ୍ମପୁରରେ ବସବାସ ଆରମ୍ଭ କରିଥିଲେ l ଫଳତଃ ସହରରେ ବଙ୍ଗଭାଷୀଙ୍କ ସଂଖ୍ୟା ବଢ଼ିଥିଲା ଏବଂ ପୂଜା ଆୟୋଜନ ପରିବ୍ୟାପ୍ତ ହୋଇଥିଲା l
          ସହରର ପ୍ରାଚ଼ୀନତମ ଦୁର୍ଗାମେଢ଼ମାନଙ୍କ ମଧ୍ୟରେ ସାନବଜାର-ହନୁମାନବଜାର ଦୁର୍ଗାପୂଜା ଅନ୍ୟତମ l ସ୍ୱାଧୀନୋତ୍ତର ଅବସ୍ଥାରେ ସେ ଅଞ୍ଚଳରେ କୁଆଡ଼େ ପ୍ରବଳ ମାତ୍ରାରେ ଜୁଆଖେଳ ଚାଲିଥାଏ l ମଫସଲ ଅଞ୍ଚଳରୁ କିଣାବିକା ଉଦ୍ଦେଶ୍ୟରେ ସହରରେ ଆସି ପହଞ୍ଚୁଥିବା ଗାଉଁଳି ଲୋକେ ଏଠାକାର ତିନିପତ୍ତା ହାତସଫେଇ ତାସଖେଳରେ ସର୍ବସ୍ୱାନ୍ତ ହୋଇ ଗ୍ରାମକୁ ଫେରିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଥାଏ l ଏଭଳି ଜୁଆଖେଳରେ ଗରାଖମାନେ ଶିକାର ହେଉଥିବା ହେତୁ ସ୍ଥାନୀୟ ବ୍ୟବସାୟରେ ମାନ୍ଦାବସ୍ଥା ଦେଖା ଦେଇଥିଲା ଏବଂ ବ୍ୟବସାୟୀମାନେ ସାନବଜାର ଅଞ୍ଚଳରୁ ଜୁଆଖେଳକୁ ମୂଳପୋଚ୍ଛ କରିବା ନିମନ୍ତେ ସଂଗଠିତ ହୋଇପଡ଼ିଥିଲେ l ଏହି ଅଞ୍ଚଳର ପ୍ରତ୍ୟେକ ବ୍ୟବସାୟୀ ଦୈନିକ ଦଶ ପଇସା ହିସାବରେ ଚାନ୍ଦା ସଂଗ୍ରହ କରି ଜୁଆଖେଳ ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ l ତେବେ ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନିକ ତତ୍ପରତା ହେତୁ ଜୁଆଖେଳ ଆପତତଃ ବନ୍ଦ ହୋଇଯିବା ଫଳରେ ଗଚ୍ଛିତ ଚାନ୍ଦାର ସଦ୍ ବିନିଯୋଗ କରିବା ନିମନ୍ତେ ସାନବଜାର ହନୁମାନ ବଜାର ଛକରେ 1956 ମସିହାରୁ ସାମୂହିକ ଦୁର୍ଗାପୂଜାର ପରିକଳ୍ପନା କରାଯାଇଥିଲା l

          #ବ୍ରହ୍ମପୁର ସହରରେ ଗତବର୍ଷ 2015ରେ 38 ଗୋଟି ସାମୂହିକ ଦୁର୍ଗପୂଜା ଅନୁଷ୍ଠିତ ହୋଇଥିଲା l ମୁଖ୍ୟତଃ ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ଓ ଯୁବକ ସଂଘଗୁଡ଼ିକ ତତ୍ତ୍ୱାବଧାନରେ ଦୁର୍ଗାମେଢ଼ ଆୟୋଜନ କରାଯାଇଥାଏ l ଭିନ୍ନଭିନ୍ନ ଅଞ୍ଚଳର ଦୁର୍ଗାପୂଜାକୁ ନେଇ ବିଭିନ୍ନ ଘଟଣା ଯୋଡ଼ି ହୋଇ ରହିଥାଏ l

          ଇଞ୍ଜିନିଅରିଂ ସ୍କୁଲ ଛକରେ 1965 ମସିହାରୁ ମାଜୟଦୁର୍ଗା ନବରାତ୍ର ପୂଜା ଅବସରରେ ପ୍ରତିପଦା ତିଥି ପୂର୍ବାହ୍ନରେ ମନ୍ଦିରରୁ ଆସି ଅସ୍ଥାୟୀ ମଣ୍ଡପରେ ପୂଜିତ ହୋଇଥାନ୍ତି l ଦଶହରା ପୂଜା ଶେଷ ରାତିରେ ଦେବୀ ସାହୀ ପରିକ୍ରମା କରି ମନ୍ଦିର ଫେରନ୍ତି l ଏଠାକାର ପୂଜା ପଦ୍ଧତି ନିଆରା l ପ୍ରତିବର୍ଷ ତୋରଣ ନିର୍ମିତ ହୁଏ, ତେବେ ମୃଣ୍ମୟ ମୂର୍ତ୍ତି ଗଠନ ହୁଏନାହିଁ l କୁହାଯାଏ ଯେ ସହରର ତତ୍ କାଳୀନ ପ୍ରବେଶ ପଥ ଇଞ୍ଜିନିୟରିଂ ସ୍କୁଲ ଛକରେ ବାରମ୍ୱାର ମୋଟର ଦୁର୍ଘଟଣା ଘଟୁଥିଲା l ତେବେ ସେଠାରେ ମନ୍ଦିର ନିର୍ମିତ ହେବା ପରେ ଦୁର୍ଘଟଣାର ହାର କମିଗଲା l ମନ୍ଦିର ପ୍ରତିଷ୍ଠା ସମୟରୁ ଦଶହରା ଉତ୍ସବ ଆୟୋଜିତ ହୋଇଚାଲିଛି l
ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) 3 ଅକ୍ଟୋବର 2016