Sunday, October 21, 2018

Community Durga Puja in Berhampur / ବ୍ରହ୍ମପୁରରେ ସାର୍ବଜନୀନ ଦଶହରା ପୂଜା

ବ୍ରହ୍ମପୁରରେ ସାର୍ବଜନୀନ ଦଶହରା ପୂଜା ଅବସରରେ ଦୁର୍ଗା ମେଢ଼ ନିର୍ମାଣ ନିକଟ ଅତୀତର ପରମ୍ପରା I କୋଲକତାରୁ କଟକ ଦେଇ ଏଭଳି ଏକ ସାମୂହିକ ପୂଜାର୍ଚ୍ଚନା ପ୍ରଥା ଏଠାରେ ଗତ ଶତାଦ୍ଦୀର ଷଷ୍ଠ ଦଶକରୁ ଲୋକପ୍ରିୟ ହେବାରେ ଲାଗିଲା I ଅବଶ୍ୟ ଏହା ପୂର୍ବରୁ ବଙ୍ଗଭାଷୀମାନଙ୍କ ଦ୍ୱାରା ୧୯୩୪ ମସିହାରୁ ରେଳଷ୍ଟେସନ ନିକଟରେ ବିଧିବଦ୍ଧଭାବେ ଦୁର୍ଗା ପୂଜା ସମିତି ଜରିଆରେ ଦୁର୍ଗା ମେଢ଼ ନିର୍ମିତ ହୋଇଆସୁଥିଲା I ଦୀର୍ଘ ଦିନ ଧରି ସେମାନେ ଖଲ୍ଲିକୋଟ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଦୁର୍ଗା ମେଢ଼ ଆୟୋଜନ କରୁଥିଲେ I ପରେ ତାହା ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଚ଼ାଟର୍ଜୀ ଲେନରେ ନିର୍ମିତ ଏକ ସ୍ଥାୟୀ ମଣ୍ଡପକୁ ସ୍ଥାନାନ୍ତରିତ ହୋଇଛି I

ସହରର ପ୍ରାଚ଼ୀନତମ ଦୁର୍ଗା ମେଢ଼ ମଧ୍ୟରୁ ସାନ ବଜାର ଅନ୍ୟତମ I ସ୍ୱାଧୀନୋତ୍ତର ଅବସ୍ଥାରେ ସେଠାରେ କୁଆଡ଼େ ପ୍ରବଳ ମାତ୍ରାରେ ଜୁଆଖେଳ ହେଉଥିଲା I ଗ୍ରାମାଞ୍ଚଳରୁ କିଣାବିକା ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ପହଞ୍ଚୁଥିବା ଗ୍ରାହକମାନେ ଜୁଆ ଖେଳ ପ୍ରତି ଆକର୍ଷିତ ହୋଇ ସର୍ବସ୍ୱାନ୍ତ ହେଉଥିଲେ I ବଜାରର ମୁରବୀ ସ୍ଥାନୀୟ ବ୍ୟକ୍ତିମାନେ ଜୁଆ ଖେଳର ମୂଳୋତ୍ପାଟନ କରିବା ନିମନ୍ତେ ସଂଗଠିତ ହୋଇଥିଲେ I ଏହି ଅଞ୍ଚଳରେ ପ୍ରତ୍ୟେକ ବ୍ୟବସାୟୀ ଦୈନିକ ଦଶ ପଇସା ଚ଼ାନ୍ଦା ଦେଇ ଏକ ପାଣ୍ଠି ସୃଷ୍ଟି କରି ଜୁଆ ଖେଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ I ଏହି ଅବସରରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଜୁଆ ଖେଳ ବନ୍ଦ ହୋଇଥିଲା I ତେବେ ସଂଗୃହୀତ ଚ଼ାନ୍ଦାର ସୁବିନିଯୋଗ କରି ହନୁମାନ ବଜାର ଛକରେ ୧୯୫୬ ମସିହାରୁ ଦୁର୍ଗା ମେଢ଼ ପରିକଳ୍ପନା କରାଯାଇଥିଲା I ପ୍ରଥମ କିଛି ବର୍ଷ ଲଛମନଜୀ ବାଲାଜୀ ମନ୍ଦିରର ଉତ୍ତର ଦ୍ୱାର ନିକଟରେ ଅନୁଷ୍ଠିତ ହେବା ପରେ ପୂର୍ବ ପଟକୁ ସ୍ଥାନାନ୍ତରିତ ହୋଇଥିଲା I ପରେ ମନ୍ଦିର ପକ୍ଷରୁ କିଛି ସ୍ଥାନ ଦାନ ସୂତ୍ରରେ ପାଇବା ପରେ ଦୁର୍ଗାପୂଜା ସମିତି ଏକ ସ୍ଥାୟୀ ମଣ୍ଡପ ନିର୍ମାଣ କରିଥିଲେ I

ପ୍ରାରମ୍ଭିକ ଅବସ୍ଥାରେ ବିଭିନ୍ନ ବଜାର ଅଞ୍ଚଳ ଛକସ୍ଥାନଗୁଡ଼ିକରେ ଦୁର୍ଗା ମେଢ଼ ନିର୍ମିତ ହେଉଥିବା ସ୍ଥଳେ ଅଷ୍ଟମ ଓ ନବମ ଦଶକରେ ବିଭିନ୍ନ ସାହୀକୁ ସଂପ୍ରସାରିତ ହୋଇଥିଲା I ବ୍ରହ୍ମପୁରରେ ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ପରକୁ ସାର୍ବଜନୀନ ଦଶହରା ପୂଜା ଅନ୍ୟତମ ବୃହତ ମହୋତ୍ସବର ମାନ୍ୟତା ପାଇଥାଏ I #ବ୍ରହ୍ମପୁର ଦୁର୍ଗା ମେଢ଼ ନିର୍ମାଣ ଆଞ୍ଚଳିକସ୍ତରରେ ଭାଇଚ଼ାରା ବୃଦ୍ଧିରେ ସହାୟକ ହେବା ସାଙ୍ଗକୁ କିଣାବିକା ଓ ପର୍ଯ୍ୟଟନ ପାଇଁ ଆଖାପାଖ ଗ୍ରାମାଞ୍ଚଳରୁ ଦର୍ଶନାର୍ଥୀଙ୍କୁ ଆକର୍ଷିତ କରିଥାଏ I ଏଭଳି ଉତ୍ସବାନୁଷ୍ଠାନ ସ୍ଥାନୀୟ ବ୍ୟାବସାୟ ବୃଦ୍ଧିରେ ସହାୟକ ହୋଇଥାଏ I ବ୍ରହ୍ମପୁର ଏକ ବ୍ୟାବସାୟିକ ପେଣ୍ଠ ହୋଇଥିବା ହେତୁ ବ୍ୟବସାୟୀ ମହଲରୁ ଆଡ଼ମ୍ୱରପୂର୍ଣ୍ଣ ଦୁର୍ଗା ମେଢ଼ ଆୟୋଜନ ପାଇଁ ସହାୟତା ଯୋଗାଇ ଦିଆଯାଇଥାଏ I

ଦଶହରା ଅବସରରେ ନବରାତ୍ରୀ ଦାଣ୍ଡିଆ ନୃତ୍ୟ ଆୟୋଜନ ଗତ କିଛି ବର୍ଷରୁ ସହରର ଉତ୍ସବାନୁଷ୍ଠାନ ସୂଚ଼ୀରେ ଯୋଡ଼ିଛି I ପୂର୍ବେ ଏହା ଗୁଜରାଟୀ ସଂପ୍ରଦାୟର କତିପୟ ମହିଳାଙ୍କ ମଧ୍ୟରେ ସୀମିତ ଥିବାସ୍ଥଳେ ଚଳିତ ବର୍ଷ ଏହା ନୃତ୍ୟ ଓ ବ୍ୟାୟାମ ଗୋଷ୍ଠୀ ଜିମଗୁଡ଼ିକୁ ସଂପ୍ରସାରିତ ହୋଇଥିବା ଦେଖିବାକୁ ମିଳିଛି I ଟେଲିଭିଜନ ସାଙ୍ଗକୁ ସୋସିଆଲ ମିଡ଼ିଆ ଯୋଗେ ପଡ଼ୋଶୀ ରାଜ୍ୟର ସଂସ୍କୃତି ଆମ ସହରରେ ସାମାଜିକ ଜୀବନକୁ ପ୍ରଭାବିତ କରୁଥିବା ଏଥିରୁ ସ୍ୱଷ୍ଟ ଅନୁମିତ ହୁଏ I

ପରିବର୍ତ୍ତିତ ପରିବେଶରେ ଏଭଳି ସାଂସ୍କୃତିକ ପରମ୍ପରା ନୂତନ ପୋଷାକପତ୍ର ପରିଧାନ, ପ୍ରସାଧନ ଓ ସେଲଫି ଉତ୍ତୋଳନରେ ପର୍ଯ୍ୟବସିତ ହେଉଥିବା ହେତୁ ଉପଭୋକ୍ତା ସାଂସ୍କୃତିର ପ୍ରସାରରେ ସହାୟକ ହୋଇଥାଏ I ଏଣିକି ଦୁର୍ଗା ମେଢ଼ ଦର୍ଶନାର୍ଥୀମାନେ ମୋବାଇଲ ଫୋନ କ୍ୟାମରାରେ ଚ଼ିତ୍ର ଓ ଭିଡ଼ିଓ ଉତ୍ତୋଳନ କରି ହ୍ୱାର୍ଟସଆପ ଭଳି ମେସେଞ୍ଜର ଆପଯୋଗେ ନିଜ ପରିଚ଼ିତ ମହଲରେ ବ୍ୟାପକ ମାତ୍ରାରେ ପ୍ରସାରଣ କରୁଥିବା ସହରର ଦୁର୍ଗାମେଢ଼ଗୁଡ଼ିକୁ ଭାଇରାଲ କରିବାରେ ଲାଗିଛି I ଫଳରେ ମେଢ଼ ପ୍ରାଙ୍ଗଣମାନଙ୍କରେ ସାଜସଜ୍ଜାର ଗୁରୁତ୍ୱ ଏହି କାରଣରୁ ବୃଦ୍ଧି ପାଇବାରେ ଲାଗିଛି I

(ପ୍ରମେୟ / ୧୭ ଅକ୍ଟୋବର ୨୦୧୮)
---

Monday, October 1, 2018

Mahatma Gandhi in Berhampur / ବ୍ରହ୍ମପୁରରେ ମହାତ୍ମା ଗାନ୍ଧି

ବ୍ରହ୍ମପୁରକୁ ମହାତ୍ମା ଗାନ୍ଧି ଦୁଇ ଥର ଆଗମନ କରିଥିଲେ I ପ୍ରଥମବାର ୧୯୨୧ରେ ଓ ଦ୍ୱିତୀୟବାର ୧୯୨୭ରେ ଗସ୍ତ କାଳରେ ସହରରେ ଆୟୋଜିତ ଦୁଇଗୋଟି ସାଧାରଣ ସଭାରେ ଉଦ୍ ବୋଧନ ଦେଇଥିଲେ I ୧୯୨୦ ରୁ ୧୯୨୨ ମଧ୍ୟରେ ଦେଶବ୍ୟାପୀ ଆୟୋଜିତ ବ୍ରିଟିଶ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନରେ ବ୍ରହ୍ମପୁର ସାମିଲ ହୋଇଥିଲେ ହେଁ ଗାନ୍ଧିଜୀଙ୍କ ଆଗମନରେ ପ୍ରଭାବିତ ହୋଇ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟକ ସ୍ଥାନୀୟ ସଂଗ୍ରାମୀ ଯୋଗ ଦେଇଥିଲେ I

ଟାଉଲହଲ ରୋଡ଼ସ୍ଥିତ ସେଣ୍ଟ ଷ୍ଟିଫନସ ଚର୍ଚ୍ଚ ସମ୍ମୁଖର ମଧୁ ମନ୍ଦିରରେ ମହାତ୍ମା ଗାନ୍ଧି ପ୍ରଥମ ଥର ଗସ୍ତସମୟରେ ଅବସ୍ଥାନ କରିଥିଲେ I ଜନୈକ ଓଡ଼ିଆ ଆଇନଜୀବୀ ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ନିର୍ମିତ ସେହି ଦୁଇ ମହଲା କୋଠାଟି ସେ ସମୟରେ ସହରର ସର୍ବାପେକ୍ଷା ସୁନ୍ଦର ବାସଗୃହରୂପେ ପରିଗଣିତ ହେଉଥିଲା I ବର୍ତ୍ତମାନ ଯାଏଁ ପ୍ରାସାଦଟି ପ୍ରାୟତଃ ଅକ୍ଷତ ଅବସ୍ଥାରେ ରହିଛି I ଅବଶ୍ୟ ସମ୍ମୁଖ ଭାଗରେ ଧାଡ଼ିଏ ଉଠା ଦୋକାନ ଗଢ଼ି ଉଠିଥିବା ହେତୁ ରାସ୍ତାରୁ ଏହା ଦେଖି ହୁଏନି I ପୁରୁଣା ବସଷ୍ଟାଣ୍ଡରେ ଅବସ୍ଥିତ ହୋଟେଲ ରାଧା ପରିସରରେ ଅତୀତରେ ଝିକର ଛାତ ସମ୍ପନ୍ନ ଏକ ଧାଡ଼ିଆ ନ୍ୟାସନାଲ ହୋଟେଲ ଚ଼ାଲୁଥିଲା I ସେଠାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ସହରରେ ପହଞ୍ଚୁଥିବା ସ୍ୱାଧୀନତା ସଂଗ୍ରାମୀମାନେ ପ୍ରାୟତଃ ଅବସ୍ଥାନ କରୁଥାନ୍ତି I

ମହାତ୍ମା ଗାନ୍ଧିଙ୍କ #ବ୍ରହ୍ମପୁର ଆଗମନ ସମୟରେ ସହରରୁ ଆଶା ନାମରେ ଏକ ଲୋକପ୍ରିୟ ସାପ୍ତାହିକ ସମ୍ୱାଦପତ୍ର ପ୍ରକାଶ ପାଉଥିଲା I ଆଶା ସ୍ୱାଧୀନତା ସଂଗ୍ରାମକୁ ସମର୍ଥନ କରୁଥିବା ହେତୁ ଏହାର ପୃଷ୍ଠାରେ ଗାନ୍ଧିଙ୍କ ଗସ୍ତକ୍ରମର ସଂପୂର୍ଣ୍ଣ ବିବରଣୀ ସ୍ଥାନିତ ହେଉଥିଲା I ଆଶାର ସମ୍ପାଦକ ଶଶିଭୂଷଣ ରଥଙ୍କ ପ୍ରତିମୂର୍ତ୍ତି ପୁରୁଣା ବସଷ୍ଟାଣ୍ଡସ୍ଥିତ ଟ୍ରାଫିକ ପୋଲିସ କାର୍ଯ୍ୟାଳୟ ପରିସରରେ ଅବସ୍ଥାପିତ I ଗାନ୍ଧିକ ଦ୍ୱିତୀୟବାର ଗସ୍ତକାଳରେ ନିରଞ୍ଜନ ପଟ୍ଟନାୟକ ବ୍ରହ୍ମପୁରରୁ ଗାନ୍ଧି ସମାଚ଼ାର ନାମରେ ଏକ ଦୈନିକ ବୁଲେଟିନ ପ୍ରକାଶ କରିଥିଲେ I ସମ୍ୱାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସେ ହେଉଛନ୍ତି ଅଜା ଶ୍ୱଶୁର I

ମହାତ୍ମା ଗାନ୍ଧିଙ୍କ ବ୍ରହ୍ମପୁର ଗସ୍ତ ଦକ୍ଷିଣ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମକୁ ତେଜୀୟାନ କରିଥିଲା I ପରବର୍ତ୍ତୀ ଅବସ୍ଥାରେ ୧୯୩୬ରେ ଜବହରଲାଲ ନେହୁରୁ ଓ ୧୯୩୭ରେ ନେତାଜୀ ସୁଭାଷ ଚ଼ନ୍ଦ୍ର ବୋଷ ବ୍ରହ୍ମପୁର ଆଗମନ କରି ଆନ୍ଦୋଳନର ସମୀକ୍ଷା କରିଥିଲେ I

୧୯୬୮ରେ ମହାତ୍ମା ଗାନ୍ଧିଙ୍କ ଜନ୍ମଶତବାର୍ଷକୀ ପାଳନ ଅବସରରେ ବ୍ରହ୍ମପୁରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ସେ ସମୟରେ ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଏକ ଶାଖା ସହରରେ କାର୍ଯ୍ୟରତ ଥିଲା I ତାହାରି ତତ୍ତ୍ୱାବଧାନରେ ଗାନ୍ଧିଙ୍କ ଚ଼ିନ୍ତାଧାରା ଓ ରଚ଼ନା ପ୍ରଚ଼ାର ଓ ପ୍ରସାର ଲାଗି ଉଦ୍ୟମ ହୋଇଥିଲା I ଗାନ୍ଧିଜୀଙ୍କ ୧୫୦ ଜନ୍ମବାର୍ଷକୀ ପାଳନ ଅବସରରେ ସରକାରୀ କାର୍ଯ୍ୟକ୍ରମ ବ୍ୟତୀତ ସହରର ନାଗରିକ ସମାଜରୁ କୌଣସି ଉଦ୍ୟମ ନହେବା କ୍ଷୋଭର ବିଷୟ I ଏ ଦିଗରେ ଦୃଷ୍ଟି ଦିଆଯିବା ଆବଶ୍ୟକ I
(ସମ୍ୱାଦ / ୨ ଅକ୍ଟୋବର ୨୦୧୮)
---