Friday, May 27, 2022

Berhampur @ 350 Years / ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ବାର୍ଷିକୀ

 



#ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ତମ  ବାର୍ଷିକୀ ୨୦୨୨ରେ ପାଳନ କରାଯିବା ଯଥାର୍ଥ ବିଚାର କରାଯାଏ । ବ୍ରହ୍ମପୁର ସହରର କ୍ରମବିକାଶ ସଂପର୍କରେ ସ୍ଥାନୀୟ ଐତିହାସିକ ଡ଼କ୍ଟର ଦଣ୍ଡପାଣି ବେହରାଙ୍କ ୧୯୯୪ରେ ପ୍ରକାଶିତ ‘ବ୍ରହ୍ମପୁରର ଐତିହାସିକ ପୃଷ୍ଠଭୂମି’ ପ୍ରବନ୍ଧଟି ତଥ୍ୟାଶ୍ରିତ । ସେ ଗଞ୍ଜାମ ରେକର୍ଡସ, ଭଲ୍ୟୁମ ୭୩୮ରେ ଗଞ୍ଜାମ ରେସିଡ଼େଣ୍ଟ ୧୨ ଅକ୍ଟୋବର ୧୭୯୧ରେ ସରକାରଙ୍କୁ ଲେଖିଥିବା ପତ୍ରରେ ପ୍ରଦତ୍ତ ତଥ୍ୟାବଳୀକୁ ଉଦ୍ଧାର କରି ସୂଚ଼ିତ କରିଥିଲେ, “ମହୁରି ଥିଲା ଏକ ପୁରାତନ ରାଜ୍ୟ । ପାରଳାଖେମୁଣ୍ଡି ଓ ଘୁମୁସର ପରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜମିଦାରୀ ରାଜ୍ୟ ଥିଲା । ଆକାରରେ ଏହା ଥିଲା ୩୦୦ ବର୍ଗ ମାଇଲ । ଏହାର ମଧ୍ୟଭାଗରେ ଠିଆ ହୋଇଥିବା ମହୁରି ଅବା କେରାଣ୍ଡିମାଳ ପର୍ବତର ବିସ୍ତୃତି ଥିଲା ୨୦ ମାଇଲ । ଓଡ଼ିଶାର ଗଜପତି ରାଜା ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ଏହି ରାଜ୍ୟ ପ୍ରତିଷ୍ଠିତ । ଏହାର ପ୍ରଥମ ରାଜ୍ୟ ମହକୁମା ଥିଲା କେରାଣ୍ଡିମାଳର ପାଦ ଦେଶସ୍ଥ ମହୁରିଗଡ଼ ଅବା ଅଧୁନା ମହୁଡ଼ା ଗ୍ରାମଠାରେ ଏକ ଦୃଢ ପ୍ରସ୍ତର ଦୁର୍ଗ ଥିଲା । ସେଠାରେ ରାଜପରିବାର ଅବସ୍ଥାନ କରୁଥିଲେ । ତା’ର ସମୀପରେ ଶିରକୁଟ ଦୁର୍ଗ ଥାଏ । ସେଠାରେ ରାଜା ବେଳେବେଳେ ଆଶ୍ରୟ ନେଉଥାନ୍ତି । ପରେ ପରେ ରାଜ୍ୟ ମହକୁମା ସେଠାରୁ ଆଠ ମାଇଲ ଦୂରରେ ସମତଳ ଭାଗରେ ନୂତନ ନିର୍ମିତ ହୋଇଥିବା ବ୍ରହ୍ମପୁରକୁ ୧୬୬୨ରୁ ୧୬୭୨ ସାଲ ମଧ୍ୟରେ ଘୁଞ୍ଚାଇ ଅଣାଗଲା । ତତ୍ ପରେ ପରେ ବ୍ରହ୍ମପୁର ଏହାର ରାଜଧାନୀ ଭାବେ କାର୍ଯ୍ୟକଲା ।”

ବ୍ରିଟିଶ ପ୍ରଶାସକ ଟି.ଜେ. ମାଲଟବୀଙ୍କ ଦ୍ୱାରା ସଂକଳିତ ୧୯୩୨ରେ ମାନ୍ଦ୍ରାଜରୁ ପ୍ରକାଶିତ ‘ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନ୍ୟୁୟଲ’ର ପୃଷ୍ଠା ୪୭ରୁ ଉଦ୍ଧାର କରି ଅନ୍ୟତ୍ର ସେ ଉଲ୍ଲେଖ କରିଛନ୍ତି, “୧୬୭୨ ଖ୍ରୀଷ୍ଟାଦ୍ଦରେ ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସ୍ୱାମୀ ମନ୍ଦିର ନିର୍ମାଣ ହୋଇଥିଲା । ଏହି ମନ୍ଦିର ପ୍ରତିଷ୍ଠା ହେଲା ସ୍ଥାନୀୟ ଇତିହାସରେ ଏକ ବିଶିଷ୍ଟ ଘଟଣା । ଏହି ମନ୍ଦିର ପ୍ରତିଷ୍ଠା ପରେ ହରିଡ଼ାଖଣ୍ଡି ଓ ରାଜବାଟୀ ମଧ୍ୟରେ ସ୍ୱଳ୍ପ ସମୟ ବ୍ୟବଧାନ ମଧ୍ୟରେ ବହୁ ମଠ ଓ ମନ୍ଦିର ପ୍ରତିଷ୍ଠିତ ହେଲା । ନୃସିଂହନାଥ, ଜଗନ୍ନାଥ, ଶିବ, ବିଷ୍ଣୁ, ଠାକୁରାଣୀ ଓ ଗ୍ରାମଦେବୀ ଆଦି ଦେବଦେବୀଙ୍କର ପୂଜା ଆରାଧନା ନିମନ୍ତେ ମଠ ମନ୍ଦିରମାନ ଦୂରଦୂରାନ୍ତରୁ ଅସଂଖ୍ୟ ଭକ୍ତ, ସାଧକ, ସାଧୁ ସନ୍ଥମାନଙ୍କ ଅନବରତ ଆଗମନରେ ସଂପୃକ୍ତ ଜନବସତି ଅଞ୍ଚଳମାନ ସତତ ମୁଖରିତ ହୋଇଉଠିଲା । ଏଭଳି ନୂଆକରି ଗଢ଼ି ଉଠୁଥିବା ଜନବସତି ସମୂହ ଓ ତତ୍ ସହିତ ପ୍ରତିଷ୍ଠିତ ମଠମନ୍ଦିର ମାଳିନୀକୁ ନାମକରଣ କରାଗଲା ‘ବ୍ରହ୍ମପୁର’ ଅବା ‘ଦେବତାମାନଙ୍କ ନିବାସ ସ୍ଥଳ’ ଅବା ‘ବ୍ରହ୍ମସ୍ଥାନ’ ।” ଡ଼କ୍ଟର ବେହରା ଏମ. ଭି. ଆପ୍ପାରାଓଙ୍କ ୧୯୩୨ରେ ବ୍ରହ୍ମପୁରରୁ ପ୍ରକାଶିତ ‘ହିଷ୍ଟ୍ରୀ ଅଫ ହରିଡ଼ାଖଣ୍ଡି : ମଠ ଏଣ୍ଡ ମହନ୍ତସ’ ପୁସ୍ତକର ତଥ୍ୟାବଳୀକୁ ମଧ୍ୟ ଗୁରୁତ୍ୱ ଦେଇଥିବା ପ୍ରବନ୍ଧରେ ଉଲ୍ଲେଖ କରିଥିଲେ ।

ଅତଏବ, ମହୁରି ରାଜପ୍ରସାଦକୁ ଘେରି ଗଢ଼ିଉଠିଥିବା ମଠ, ମନ୍ଦିରମୟ ଜନବସତିକୁ ବ୍ରହ୍ମପୁର ନାମକରଣ ଯୁକ୍ତି ଗ୍ରହଣ କଲେ ୧୬୭୨ରେ ମହୁରି ରାଜପ୍ରସାଦ ନିର୍ମାଣ ସରିଥିବା ଏବଂ ହରିଡ଼ାଖଣ୍ଡିଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ତାରିଖକୁ ବ୍ରହ୍ମପୁର ସହରର ଜନ୍ମକାଳ ନିର୍ଣ୍ଣୟ କରାଯିବା ସମୀଚ଼ୀନ । ଅର୍ଥାତ, ୨୦୨୨ରେ ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ଜନ୍ମବାର୍ଷିକୀ ପାଳନର ସୁଯୋଗ ଉପଲବ୍ଧ । ଏହି ଉତ୍ସବ ପାଳନରେ ବ୍ରହ୍ମପୁର ମହାନଗର ନିଗମ ଅଗ୍ରଣୀ ଭୂମିକା ନିର୍ବାହ କରିବା ନିମନ୍ତେ ପ୍ରସ୍ତାବ ଉପସ୍ଥାପନ କରାଯାଇପାରେ । ବ୍ରହ୍ମପୁର ପୌରପାଳିକା ୧୮୬୭ରେ ପ୍ରତିଷ୍ଠିତ ହୋଇଥିବା ଏବଂ ପୌର ପ୍ରଶାସନ ନିମନ୍ତେ ଖ୍ୟାତି ଲାଭ କରିଥିବା ହେତୁ ୩୧ ଅଗଷ୍ଟରେ ୨୦୨୨ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ତମ ବାର୍ଷିକୀ ପାଳନ ନିମନ୍ତେ ନୀତିଗତ ନିଷ୍ପତ୍ତି ଅନ୍ତତଃ ତିନିମାସ ପୂର୍ବରୁ ବିଧିବଦ୍ଧଭାବେ ଗ୍ରହଣକରି ପୂର୍ବପ୍ରସ୍ତୁତି ଆରମ୍ଭ କରାଯାଇପାରେ ।

ବ୍ରହ୍ମପୁର ସହର ପ୍ରତିଷ୍ଠାର ୩୫୦ ଜନ୍ମ ବାର୍ଷିକୀ ପାଳନ ଅବସରରେ (୧) ସପ୍ତାହ ବ୍ୟାପୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବୁଦ୍ଧିଜୀବୀଙ୍କ ପାଠଚକ୍ର ଓ ସାଧାରଣ ସଭା ଆୟୋଜନ, (୨) ବ୍ରହ୍ମପୁର ସହରର ଐତିହାସିକ ଭିତ୍ତିଭୂମି ଚ଼ିତ୍ରାଙ୍କନ ସମ୍ୱଳିତ ଏକ ଦୃଶ୍ୟ-ଶ୍ରାବ୍ୟ ପ୍ରାମାଣିକ ଇତିହାସ ‘ଅଡ଼ିଓ-ଭିଜୁଆଲ ହିଷ୍ଟ୍ରୀ ଡ଼କ୍ୟୁମେଣ୍ଟେସନ’ ପ୍ରଯୋଜନା, (୩) ପ୍ରଦର୍ଶନୀ ଫୁଟବଲ ପ୍ରତିଯୋଗିତା, (୪) ସହରର କଳାକାରମାନଙ୍କ ଗହଣରେ ସଂଗୀତ ସନ୍ଧ୍ୟା ଓ (୫) ସ୍ମାରକୀ ପାଠ୍ୟ, ଦୃଶ୍ୟ-ଶ୍ରାବ୍ୟ ଉପାଦାନ ସଂବଳିତ ସ୍ୱତନ୍ତ୍ର ୱେବସାଇଟ ପ୍ରକାଶନ ଭଳି ଆଧୁନିକ ଯୁଗଋଚିର କାର୍ଯ୍ୟକ୍ରମ ସୃଜନ ପ୍ରତି ଦୃଷ୍ଟି ଦିଆଯାଇପାରେ । ଏହି ସବୁ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସହରର ବିଭିନ୍ନ ସ୍ୱେଚ୍ଛାସେବୀ ବିଭିନ୍ନ ସଂଗଠନଗୁଡ଼ିକୁ ଦାୟିତ୍ୱ ପ୍ରଦାନ କରି ଏକ ମହୋତ୍ସବର ପରିକଳ୍ପନା କରାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୮ ମେ ୨୦୨୨/ ପୃଷ୍ଠା : ୨)


Photo by Andy Makely on Unsplash 

Friday, May 20, 2022

A Chapter from Ganjam District History / ଗଞ୍ଜାମ ଇତିହାସର ଏକ ଅଳ୍ପ-ଆଲୋଚ଼ିତ ଅଧ୍ୟାୟ

 

#ବ୍ରହ୍ମପୁର ସହର ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ରୂପେ ସ୍ୱୀକୃତ । ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲା ସହ ସୁଦୂର ଗଜପତି, ରାୟଗଡ଼, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ବସବାସ କରୁଥିବା ପରିବରବର୍ଗ ମଧ୍ୟରୁ ଏକାଂଶଙ୍କ ଭାବଗତ ସଂପର୍କର ସୂତ୍ର ଖୋଜିବା ପାଇଁ ଇତିହାସ ପୃଷ୍ଠାରେ ପହଞ୍ଚିବାକୁ ପଡ଼େ । ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ ଗଞ୍ଜାମ ଐତିହ୍ୟ ପ୍ରବନ୍ଧରେ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗ ଓ ଊନବିଂଶ ଶତାଦ୍ଦୀ ଆଦ୍ୟଭାଗରେ ଗଞ୍ଜାମ ଜିଲ୍ଲାର ରାଜନୀତିକ ରୂପରେଖ ବର୍ଣ୍ଣନା କରିଥିଲେ ।
 
ସେ ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମ୍ୟାନୁଆଲରେ ବ୍ରିଟିସ ପ୍ରଶାସକ ମାଲଟବିଙ୍କ ରିପୋର୍ଟ ଉଦ୍ଧାର କରି ସୂଚାଇଛନ୍ତି ଯେ ଗଞ୍ଜାମ ଅଞ୍ଚଳରୁ ଫରାସୀ ଶାସନ ୧୭୫୯ରେ ହଟିଯିବା ଏବଂ ୧୭୬୭ରେ ଇଂଲିଶ ଶାସନ ଲାଗୁହେବା ମଧ୍ୟବର୍ତ୍ତୀ ଆଠ ବର୍ଷ କାଳ ବିଜୟନଗରମର ସୀତାରାମରାଜୁଙ୍କ ଅଧୀନରେ ରହିଥିଲା । ରାଜଗୁରୁଙ୍କ ଭାଷାରେ, ସୀତାରାମରାଜୁଙ୍କ ଅତ୍ୟାଚାର ସମ୍ଭାଳି ନପାରି ଗଞ୍ଜାମର ଓଡ଼ିଆ କୃଷକମାନେ ତାଙ୍କ ଜମି ଓ ଘରଦ୍ୱାର ଛାଡ଼ି ଅନ୍ୟାନ୍ୟ ଅଞ୍ଚଳକୁ ପଳାୟନ କଲେ । ଜମି ପଡ଼ିଆ ରହିବାରୁ ସମଗ୍ର ଜିଲ୍ଲାରେ ଫସଲ ଅଭାବ ହେଲା ଓ ଦୁର୍ଭିକ୍ଷ ଦେଖାଦେଲା । ଲୋକସଂଖ୍ୟା ମଧ୍ୟ ଯଥେଷ୍ଟ କମିଗଲା । ଅତଏବ ଏଭଳି ଦୁର୍ଦ୍ଦିନରେ ଗଞ୍ଜାମ ଜିଲ୍ଲାରୁ ଦେଶାନ୍ତର ଗମନ କରିଥିବା ପରିବାରବର୍ଗ ପଡ଼ୋଶୀ ଅଞ୍ଚଳଗୁଡ଼ିକରେ ସ୍ଥାୟୀଭାବେ ବସବାସ କରିଥିଲେ ଏବଂ ସେମାନଙ୍କ ମୂଳ-ବାସସ୍ଥଳୀ ସହ ଭାବଗତ ସଂପର୍କ ରହିବା ସ୍ୱାଭାବିକ ।
 
ରାଜଗୁରୁ ପୁଣି ଲେଖିଛନ୍ତି, ମାନ୍ଦ୍ରାଜ ସରକାରଙ୍କ ନିର୍ଦ୍ଦେଶକ୍ରମେ ବିଜୟନଗର ଓ ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଅଞ୍ଚଳରୁ ଭୂମିହୀନ ଚାଷୀଙ୍କୁ ଡ଼ାକିଆଣି ଗଞ୍ଜାମରେ କୋହଳ ସିସ୍ତୁ କିମ୍ୱା ବିନା ସିସ୍ତୁ (କର)ରେ ଜମିଚାଷ କରିବାକୁ ଦିଆଗଲା । ସେତେବେଳେ କମ୍ପାନୀ ସରକାର ଓ ଜମିଦାରମାନଙ୍କ କଚ଼େରୀରେ ଅଧିକାଂଶ ତେଲୁଗୁ କର୍ମଚାରୀମାନେହିଁ ନିଯୁକ୍ତି ଲାଭ କଲେ ।
 
ଏହା ବ୍ୟତୀତ ଆନ୍ଧ୍ର ଜିଲ୍ଲାମାନଙ୍କରୁ ତେଲୁଗୁଭାଷୀ ସିପାହୀମାନଙ୍କୁ ନିଯୁକ୍ତ କରି ଖୁର୍ଦ୍ଧାର ପାଇକ ବିଦ୍ରୋହ ଦମନ କରାଗଲା । ଏହି ପରିପ୍ରେକ୍ଷୀରେ ବିଚାରକଲେ, ଇଂରାଜୀମାନଙ୍କୁ ସାହାଯ୍ୟ କରିଥିବା ତେଲୁଗୁମାନଙ୍କ ସଂଖ୍ୟା ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଯଥେଷ୍ଟ ବୃଦ୍ଧି ଲାଭ କଲା । ଓଡ଼ିଆମାନେ ଇଂରାଜୀ ସର୍କାରଙ୍କ ଶତୃ ଶ୍ରେଣୀରେ ଅନ୍ତର୍ଭୁକ୍ତ ହେଲେ ।
 
ଇଂରାଜୀଙ୍କ ରାଜତ୍ୱର ଅଳ୍ପକାଳ ପରେ, ଅର୍ଥାତ ୧୭୮୯ଠାରୁ ୧୭୯୨ ପର୍ଯ୍ୟନ୍ତ ଗଞ୍ଜାମରେ ଭୀଷଣ ଦୁର୍ଭିକ୍ଷ ଦେଖା ଦେଲା । ଏହା ପଞ୍ଚମାଣିଆ କନ୍ତାର ବୋଲି କୁହାଗଲା । ତାପରେ ଭପର୍ଯ୍ୟୁପରି ଦ୍ୱିତୀୟ ଓ ତୃତୀୟ ଦୁର୍ଭିକ୍ଷ ୧୮୩୬ ପର୍ଯ୍ୟନ୍ତ ଲାଗି ରହିବାରୁ ସ୍ଥାନୀୟ ଓଡ଼ିଆମାନେ ଗତ୍ୟନ୍ତର ନଦେଖି ପରିବାର ସଙ୍ଗେ କଳାହାଣ୍ଡି, ଜୟପୁର ପ୍ରଭୃତି ଅଞ୍ଚଳକୁ ପଳାୟନ କଲେ । ସେମାନଙ୍କ ଶୂନ୍ୟ ଗ୍ରାମଗୁଡ଼ିକ ପରବର୍ତ୍ତୀ କାଳରେ ଦକ୍ଷିଣରୁ ଆସିଥିବା ତେଲୁଗୁମାନଙ୍କର ଅଧିକାରଭୁକ୍ତ ହେଲା ।
 
ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳରୁ ପଡ଼ୋଶୀ ଜିଲ୍ଲାଗୁଡ଼ିକୁ ସ୍ଥାନୀୟ ଅଧିବାସୀଙ୍କ ଦେଶାନ୍ତର ପ୍ରଶାସନିକ ଉତ୍ପୀଡ଼ନ, ପ୍ରାକୃତିକ ଦୁର୍ବିପାକ ସାଙ୍ଗକୁ ଅଣ-ଜଳସେଚ଼ିତ ଚାଷ ଜମିରେ କୃଷିକାର୍ଯ୍ୟରେ ବିଫଳ ତଥା ଗ୍ରାମ୍ୟ-ସାହୁକାରଙ୍କଠାରେ ଋଣଗ୍ରସ୍ତ ହୋଇ ସର୍ବସ୍ୱାନ୍ତ ଅବସ୍ଥାରେ ପଳାୟନ ମଧ୍ୟ ଅନ୍ୟ ଏକ କାରଣ । ମାନବସଭ୍ୟତାରେ ଦେଶାନ୍ତର ପ୍ରାକୃତିକ ଏବଂ ଏତଦ୍ୱାରା ଅର୍ଥନୀତିକ ଅଭିବୃଦ୍ଧିରେ ଅନୁକୂଳ ପ୍ରଭାବ ପଡ଼ିଥାଏ । ଗଞ୍ଜାମ ଗ୍ରାମାଞ୍ଚଳରୁ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରୁ ଆରମ୍ଭ ହୋଇଥିବା ଦେଶାନ୍ତର ଆଜିସୁଦ୍ଧା ବଳବତ୍ତର । ବ୍ରହ୍ମପୁର ସହର ଅଢ଼େଇ ଶହ ବର୍ଷର ଏହି ପ୍ରକ୍ରିୟାର ମୁକସାକ୍ଷୀ ବୋଲି କୁହାଯାଇପାରେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୧ ମେ ୨୦୨୨/ ପୃଷ୍ଠା : ୨)

Photo by Oleksandr Sushko on Unsplash 


Friday, May 13, 2022

Re-constructed Taratarini Temple / ତାରାତାରିଣୀ ମନ୍ଦିର ପୁନଃନିର୍ମାଣ

 

ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରାଚ଼ୀନ ଶକ୍ତିପୀଠ ତାରାତାରିଣୀ ମନ୍ଦିର ପୁନଃନିର୍ମାଣ ପରେ ପ୍ରତିଷ୍ଠା #ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରେ ଉନ୍ମାଦନା ଭରି ଦେଇଛି । ସମକାଳରେ ବୃହତ ସ୍ଥାପତ୍ୟରାଜି ସ୍ଥାନୀୟ ଜନମାନସକୁ ଗର୍ବିତ କରିଥାଏ । ସୁରମ୍ୟ ମନ୍ଦିର ନିର୍ମାଣ ସାଙ୍ଗକୁ ପର୍ଯ୍ୟଟନ ବିକାଶର ବିଭିନ୍ନ ବିଭବ ସଂଯୋଗ ଗଞ୍ଜାମ ଜିଲ୍ଲାବାସୀଙ୍କୁ ମୋହିତ କରିବା ସ୍ୱାଭାବିକ । ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଜନସାଧାରଣ ୨୦୦୨ ରୁ ୨୦୨୨ ଦୁଇ ଦଶନ୍ଧି ଧରି ସଂପୃକ୍ତ ରହି ଆସିଥିଲେ ।
 
ମନ୍ଦିର ପୁନଃନିର୍ମାଣ ଆୟୋଜକ ତାରାତାରିଣୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ୨୦୦୬ ମସିହାରେ ପ୍ରକାଶିତ ମଙ୍ଗଳକାରିଣୀ ମା ତାରାତାରିଣୀ ପୁସ୍ତିକାର ଉପକ୍ରମ ଅଧ୍ୟାୟରେ ଏହି ଅଭିଯାନର ପ୍ରାରମ୍ଭିକ ପର୍ଯ୍ୟାୟର ଧାରାବିବରଣୀ ଲିପିବଦ୍ଧ । ସେଥିରେ ଲେଖାଅଛି :
 
ତାରାତାରିଣୀ ପୀଠଟି ଐତିହାସିକ ବିଭବ ସମ୍ପନ୍ନ, ଆଞ୍ଚଳିକ ଜନସାଧାରଣଙ୍କ ଧର୍ମଭାବନା ସହ ସଂପୃକ୍ତ, ସହରାଞ୍ଚଳଠାରୁ ଅନତି ଦୂରରେ ସଡ଼କ ପଥ ସହ ଯୋଗାଯୋଗ ସଂଯୁକ୍ତ, ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ନଦୀକୂଳରେ ଅବସ୍ଥିତ ହୋଇଥିବା ଅବସରରେ ଏକ ପାରମ୍ପରିକ ଧାର୍ମିକ ପୀଠ ରୂପେ ହିଁ ଗଢ଼ି ଉଠିଥିଲା । ତେବେ ଆଧୁନିକ ପର୍ଯ୍ୟଟନ କେନ୍ଦ୍ର ରୂପେ ଏହାର ଉନ୍ନତି ବିଧାନ ଲାଗି ଏଯାଏଁ କୌଣସି ସୁଚ଼ିନ୍ତିତ ପଦକ୍ଷେପ ଗ୍ରହଣ କରାଯାଇପାରିନଥିଲା । ପର୍ବତ ଶୀର୍ଷରେ ଏକ ଛୋଟ ମନ୍ଦିର, ମନ୍ଦିରରେ ପହଞ୍ଚିବା ପାଇଁ ପଥର ପାହାଚ଼ ଓ ପିଚୁରାସ୍ତା ଏବଂ ପର୍ବତ ପାଦଦେଶରେ ଏକ ସିଂହଦ୍ୱାର ନିର୍ମିତ ହୋଇଥିଲା । ପର୍ଯ୍ୟଟନ ସୁବିଧାସୁଯୋଗ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗ, ଏକ ଛୋଟିଆ ଗ୍ରାମ୍ୟ ବଜାର ଓ ସରକାରୀ ଅତିଥିଶାଳା ମଧ୍ୟରେ ସୀମିତ ଥିଲା ।
 
ବ୍ରହ୍ମପୁରରେ କେତେକ ବୁଦ୍ଧିଜୀବୀଙ୍କ ଉଦ୍ୟମରେ ଗଠିତ ବ୍ରହ୍ମପୁର ପୁସ୍ତକ ମେଳା ସମିତି ନାମକ ଏକ ସଂଗଠନ ଜରିଆରେ ପ୍ରତିବର୍ଷ ପୁସ୍ତକମେଳା ଆୟୋଜନ ହୋଇଥାଏ । ପାରମ୍ପରିକଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଏହାର ସଭାପତି ଓ ଗଞ୍ଜାମ ଜିଲ୍ଲାପାଳ ଉପ-ସଭାପତି ପଦବୀ ଗ୍ରହଣ କରିଥାନ୍ତି । ପୁସ୍ତକମେଳା ଫେବୃୟାରୀ ମାସରେ ଅନୁଷ୍ଠିତ ହେଉଥିବା ହେତୁ ପ୍ରାୟତଃ ନଭେମ୍ୱର, ଡ଼ିସେମ୍ୱର, ଜାନୁୟାରୀ ତିନିମାସ ଧରି ଏହାର ପ୍ରସ୍ତୁତି ବୈଠକମାନ ଆୟୋଜିତ ହୋଇଥାଏ । ଷଷ୍ଠ ବ୍ରହ୍ମପୁର ପୁସ୍ତକମେଳା ଆୟୋଜନ ବେଳକୁ ଡ଼କ୍ଟର ଅରୁଣ କୁମାର ପଣ୍ଡା ନୂତନ କରି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ ଯୋଗଦେଇଥାନ୍ତି ଏବଂ ପୁସ୍ତକମେଳା ସମିତିର ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥାନ୍ତି । ୨୦୦୨ ମସିହା ଡ଼ିସେମ୍ୱର ମାସରେ ତାଙ୍କରି ଆବାସିକ କାର୍ଯ୍ୟାଳୟରେ ପୁସ୍ତକମେଳା ଆୟୋଜନ ତଦାରଖ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ସରିବାପରେ ଡ଼କ୍ଟର ପଣ୍ଡା ନିକଟ ଅତୀତରେ ମା ତାରାତାରିଣୀଙ୍କ ପୀଠ ଦର୍ଶନରେ ଯାଇଥିବା ଅଭିଜ୍ଞତା ବର୍ଣ୍ଣନା କଲେ । ସେତେବେଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାରାତାରିଣୀ ପୀଠରେ ଯାତ୍ରୀଙ୍କ ଲାଗି ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥାନ୍ତି । ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହେତୁ ତାରାତାରିଣୀ ପୀଠ ତାଙ୍କରି ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥାଏ । ଡ଼କ୍ଟର ପଣ୍ଡା ନିଜର ଚ଼ିନ୍ତା ପ୍ରକଟକରି କହିଲେ ତାରାତାରିଣୀଙ୍କ ପୀଠ ବହୁ ପୁରାତନ, ଜନମାନସରେ ଆଦୃତ, ପ୍ରାକୃତିକ ପରିବେଶରେ ଅବସ୍ଥିତ ତଥା ସାଧାରଣ ଭିତ୍ତିଭୂମି ସମୃଦ୍ଧ ହୋଇଥିବା ହେତୁ ଏହାକୁ ଏକ ଲୋକପ୍ରିୟ ପର୍ଯ୍ୟଟନ ପୀଠ ରୂପେ ଗଢ଼ି ତୋଳାଯାଇପାରେ । ମୁଖ୍ୟମନ୍ତ୍ରୀଙ୍କ ଅନୁଦାନକୁ ପାଥେୟ କରି ଜନସାଧାରଣଙ୍କ ପ୍ରଚେଷ୍ଟାରେ ଯଦି ବେସରକାରୀସ୍ତରରେ ଆଉ କିଛି ଅର୍ଥ ସଂଗୃହୀତ ହୋଇପାରନ୍ତା, ତେବେ ତାରାତାରିଣୀ ମନ୍ଦିର ପୁନଃନିର୍ମାଣ ସାଙ୍ଗକୁ ପର୍ବତକୁ ଏକ ମନୋରମ ପର୍ଯ୍ୟଟନ ସ୍ଥଳୀରେ ରୂପାନ୍ତରିତ କରିହୁଅନ୍ତା । ଡ଼କ୍ଟର ପଣ୍ଡାଙ୍କ ଏହି ପ୍ରସ୍ତାବ ଶୁଣିବା କ୍ଷଣି ସେଠାରେ ଉପସ୍ଥିତ ବ୍ରହ୍ମପୁର ପୁସ୍ତକ ମେଳା ସମିତି ଓ ନିମନ୍ତ୍ରିତ ଉତ୍କଳ ପରିଷଦର ସଦସ୍ୟଗଣ ଏଭଳି ଉଦ୍ୟମ ଅଭିନନ୍ଦନୀୟ, ଅତ୍ୟନ୍ତ ଯୁଗୋପଯୋଗୀ ଓ ତୁରନ୍ତ ଆରମ୍ଭ କରାଯାଉ ବୋଲି ଦୃଢମତ ପୋଷଣ କରିଥିଲେ ।
 
ଏହି ପ୍ରସ୍ତାବ ସଂପର୍କରେ ୨୦୦୩ ମସିହା ଜାନୁୟାରୀ ୨୦ ତାରିଖ ଦିନ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସଭାକକ୍ଷରେ ଆୟୋଜିତ ଏକ ବୈଠକରେ ଏବଂ ୨୦୦୩ ମସିହା ଫେବୃୟାରୀ ୭ ତାରିଖ ଓ ୨୮ ତାରିଖରେ ଗୀତାଭବନଠାରେ ଆୟୋଜିତ ବୈଠକମାନଙ୍କରେ ବିସ୍ତୃତଭାବେ ବିଚାରବିମର୍ଷ କରାଯିବାପରେ ମୁଖ୍ୟତଃ ତିନିଗୋଟି ପ୍ରସ୍ତାବ ଗୃହୀତ ହୋଇଥିଲା । ପ୍ରଥମତଃ, ପ୍ରସିଦ୍ଧ ତାରାତାରିଣୀ ପୀଠର ଉନ୍ନୟନକୁ ମୂଳଲକ୍ଷ୍ୟ ରଖି ତାରାତାରିଣୀ ଉନ୍ନୟନ ପରିଷଦ ନାମରେ ଏକ ଅନୁଷ୍ଠାନ ଗଠନ କରାଯିବ, ଦ୍ୱିତୀୟତଃ, ଏହି ଅନୁଷ୍ଠାନ ତାରାତାରିଣୀ ପୀଠ ପରିଚାଳନା କରିଆସୁଥିବା ନ୍ୟାସ ସଂସ୍ଥାର ପୂର୍ଣ୍ଣ ସହଯୋଗକ୍ରମେ ପୀଠର ଉନ୍ନତି ନିମନ୍ତେ କାର୍ଯ୍ୟକ୍ରମମାନ ଗ୍ରହଣ କରିବ ଏବଂ ତୃତୀୟତଃ, ତାରାତାରିଣୀ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ପାଞ୍ଚ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ ।
 
ଏହି କୋଡ଼ିଏ ବର୍ଷରେ ଋଷିକୂଲ୍ୟା ନଦୀସ୍ରୋତରେ ବିପୁଳ ଜଳ ପ୍ରବାହିତ ହୋଇଯାଇଛି । ମନ୍ଦିର ପୁନଃନିର୍ମାଣ ସ୍ୱପ୍ନ ଯେ ବାସ୍ତବ ରୂପ ପାଇଛି ତାହା ଆନନ୍ଦର ବିଷୟ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୪ ମେ ୨୦୨୨/ ପୃଷ୍ଠା : ୨)

Photo from:  http://www.taratarini.nic.in


Friday, May 6, 2022

Taratarini Pitha / ତାରାତାରିଣୀ ପୀଠ

 


ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର #ବ୍ରହ୍ମପୁର ସହରଠାରୁ ୩୦ କିଲୋମିଟର ଦୂରରେ ଋଷିକୂଲ୍ୟା ନଦୀତଟରେ ତାରାତାରିଣୀ ପୀଠର ଅବସ୍ଥିତି । ବ୍ରହ୍ମପୁରରୁ ୧୬ ନମ୍ୱର ଜାତୀୟ ରାଜପଥରେ ଉତ୍ତର ଦିଗକୁ ଯାତ୍ରାକଲାବେଳେ ଜଗନ୍ନାଥପୁରଠାରୁ ପୁରୁଷୋତ୍ତମପୁରକୁ ଏକ ରାସ୍ତା ଲମ୍ୱି ଯାଇଛି । ତାରାତାରିଣୀ ପୀଠସ୍ଥିତ ପର୍ବତ ପାଦଦେଶରୁ ତିନି କିଲୋମିଟର ଶାଖା ରାସ୍ତାଟିଏ ଜଗନ୍ନାଥପୁର-ପୁରୁଷୋତ୍ତମପୁର ରାସ୍ତା ସହ ସଂଯୁକ୍ତ ସେଠାରେ ଏକ ସୁଉଚ୍ଚ ତୋରଣ ପର୍ଯ୍ୟଟକମାନଙ୍କୁ ତାରାତାରିଣୀ ପୀଠ ପରିଦର୍ଶନ ନିମନ୍ତେ ସ୍ୱାଗତ ଜଣାଇଥାଏ ।
 
ତାରାତାରିଣୀ ମନ୍ଦିରଟି ସମୁଦ୍ରପତ୍ତନଠାରୁ ପ୍ରାୟ ସାତଶହ ଫୁଟ ଉଚ୍ଚରେ ଅବସ୍ଥିତ । ମନ୍ଦିରରେ ପହଞ୍ଚିବା ପାଇଁ ଗତ ଶତାଦ୍ଦୀ ପ୍ରାରମ୍ଭରେ ପାହାଚ ନିର୍ମିତ ହୋଇଥିବାବେଳେ, ୧୯୬୬ ମସିହାରେ ମଟରଗାଡ଼ି ଚଳାଚଳଯୋଗ୍ୟ ପିଚୁ ରାସ୍ତାଟିଏ ନିର୍ମିତ ହୋଇଥିଲା । ପର୍ବତ ପାଦଦେଶରେ ଏକ ପ୍ରବେଶ ଦ୍ୱାର ରହିଛି ଏବଂ ସେଠାରୁ ୯୯୯ଗୋଟି ପାହାଚ଼ ଅତିକ୍ରମ କଲାପରେ ମନ୍ଦିରରେ ପହଞ୍ଚିହୁଏ । ପ୍ରାୟ ନଅ ଫୁଟ ଓସାରର ପାହାଚ଼ ରାସ୍ତାର ଦୁଇ ପାର୍ଶ୍ୱରେ ବଡ଼ ବଡ଼ ଗଛ ଛାୟା ପ୍ରଦାନ କରୁଥିବା ବେଳେ ରାତିରେ ବିଦ୍ୟୁତ ଆଲୋକର ମଧ୍ୟ ବ୍ୟବସ୍ଥା ରହିଛି । ବହୁକାଳରୁ ଏହି ପର୍ବତରେ ମାଙ୍କଡ଼ ଦଳମାନେ ବସବାସ କରିଆସୁଛନ୍ତି । ପାହାଡ଼ ରାସ୍ତାରେ ଗଲାବେଳେ ଅନେକ ସମୟରେ ଏମାନଙ୍କ ପ୍ରାଦୁର୍ଭାବର ଶିକାର ହେବାକୁ ପଡ଼ିଥାଏ ।
 
ମନ୍ଦିର ପୁନଃନିର୍ମାଣ ପୂର୍ବରୁ ୨୦୦୬ରେ ପ୍ରକାଶିତ ତାରାତାରିଣୀ ପୀଠ ପରିଚ଼ିତି ଶୀର୍ଷକ ରଚନାରେ ତତ୍କାଳୀନ ମନ୍ଦିର ପରିବେଶ ସଂପର୍କରେ ନିମ୍ନମତେ ବର୍ଣ୍ଣନା କରାଯାଇଥିଲା :
 
ପାହାଚ଼ ରାସ୍ତାଟି ପର୍ବତ ଶିଖରରେ ପହଞ୍ଚିଥିବାବେଳେ ଦୁଇ ପାର୍ଶ୍ୱରେ ଦୁଇଗୋଟି ସିଂହ ମୂର୍ତ୍ତି ରହିଛି । ତାପରେ ଦେଖିବାକୁ ମିଳେ ନିକଟ ଅତୀତରେ ନିର୍ମିତ ହୋଇଥିବା ନୃତ୍ୟ ଭଙ୍ଗୀରେ ଶିବପାର୍ବତୀଙ୍କ ଏକ ଯୁଗଳ ମୂର୍ତ୍ତି । ଏହାର ଉଚ୍ଚତା ପ୍ରାୟ ସାତ ଫୁଟ ଏବଂ ଏହାକୁ ବୃତ୍ତାକାର ଲୁହା ପିଞ୍ଜରା ମଧ୍ୟରେ ସୁରକ୍ଷିତ ରଖାଯାଇଛି । ମନ୍ଦିରର ପ୍ରବେଶପଥ ଜଗମୋହନ ଦ୍ୱାର ଦେଶରେ ଦୁଇଗୋଟି ଚତୁର୍ଭୁଜା ଜ୍ୱାଳାମୁଖୀ ମୂର୍ତ୍ତି ରହିଛି । ଜଗମୋହନ ଛାତ ଉପରେ ଆଶୀର୍ବାଦ ମୁଦ୍ରାରେ ଶିବପାର୍ବତୀ ଭାସ୍କର୍ଯ୍ୟ ମଧ୍ୟ ଦେଖିବାକୁ ମିଳେ । ଏଠାରେ ଅନେକ କଂସାପିତ୍ତଳ ଘଣ୍ଟା ଝୁଲାଯାଏ । ଭକ୍ତମାନେ ଦେବୀ ଦର୍ଶନ ପାଇଁ ଗର୍ଭଗୃହକୁ ଯିବା ପୂର୍ବରୁ ଘଣ୍ଟା ବଜାଇଥାନ୍ତି । ପ୍ରଥମ ଜଗମୋହନକୁ ଲାଗି ୨୨ ଫୁଟ ଉଚ୍ଚର ପୁରାତନ ଜଗମୋହନ ଓ ଏହାକୁ ଲାଗି ରହିଛି ଗର୍ଭଗୃହ ।
 
ଗର୍ଭଗୃହ ମନ୍ଦିରଟି ପ୍ରାୟ ଶତାଧିକ ବର୍ଷ ପୁରାତନ ବୋଲି ଅନୁମାନ କରାଯାଏ । ଏହା ପୀଢ଼ ଶୈଳୀରେ ନିର୍ମିତ ଏବଂ ଏହା ଦେହରେ ଛିନ୍ନମସ୍ତା, ଭୁବନେଶ୍ୱରୀ ଭଳି ଦୁର୍ଗାଙ୍କ ବିଭିନ୍ନ ରୂପ ଖୋଦିତ । ଗର୍ଭଗୃହର ପୂଜାପୀଠରେ ପାଞ୍ଚଗୋଟି ପିତୁଳା ରହିଛି । ସେଥିରୁ ଦୁଇଗୋଟିକୁ ବିଗ୍ରହ ଆକାର ଦିଆଯାଇଛିଏହି ଦୁଇ ବିଗ୍ରହ ମଧ୍ୟରେ ଅଷ୍ଟଧାତୁ ନିର୍ମିତ କୀରଟଯୁକ୍ତ ଦୁଇଗୋଟି ଦେବୀ ମସ୍ତକ ଶୋଭାପାଉଛି । ସେଠାରେ ଅଷ୍ଟଧାତୁ ନିର୍ମିତ ଚାରି ଫୁଟ ଉଚ୍ଚତା ବିଶିଷ୍ଟ ଚର୍ତୁହସ୍ତଯୁକ୍ତ ଦେବୀଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ମଧ୍ୟ ରହିଛି । ଏହା ସଂକଟତାରିଣୀ ନାମରେ ପରିଚିତ ଏବଂ ଅଳ୍ପଦିନ ପୂର୍ବେ ସ୍ଥାପିତ ହୋଇଛନ୍ତି । ଗର୍ଭଗୃହ ପୂଜାପୀଠରେ ଏକ ବୁଦ୍ଧମୂର୍ତ୍ତି ମଧ୍ୟ ପୂଜାପାଇଆସୁଛନ୍ତି ।
 
ତାରାତାରିଣୀ ପୀଠରେ ପୁରାତନ ମନ୍ଦିରଟି ଗତକିଛି ବର୍ଷ ମଧ୍ୟରେ ବହୁ ପରିବର୍ତ୍ତନ କରାଯାଇଛି । ତେଣୁ ପାରମ୍ପରିକ ମନ୍ଦିର ନିର୍ମାଣ ଶୈଳୀର ସୂଚ଼ନା ଆଉ ମିଳିପାରୁ ନାହିଁ । (ତାରାତାରିଣୀ ପୀଠ ପରିଚ଼ିତି  ପ୍ରବନ୍ଧ ୨୦୦୬ରେ ତାରାତାରିଣୀ ଉନ୍ନୟନ ପରିଷଦ ଆନୁକୂଲ୍ୟରେ ପ୍ରକାଶିତ ମଙ୍ଗଳକାରିଣୀ ମା ତାରାତାରିଣୀ ପୁସ୍ତକରେ ସ୍ଥାନିତ ଏବଂ ବ୍ରହ୍ମପୁର ଆକାଶବାଣୀ ପକ୍ଷରୁ ୬ ମାର୍ଚ୍ଚ ୨୦୦୪ରୁ ୩୦ ମାର୍ଚ୍ଚ ୨୦୦୪ ପଚ଼ିଶି ଦିବସ ବ୍ୟାପୀ ପ୍ରାୟୋଜିତ କାର୍ଯ୍ୟକ୍ରମରେ ପ୍ରସାରିତ)
 
ମା ତାରାତାରିଣୀ ଗଞ୍ଜାମ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ବସବାସ କରିଆସୁଥିବା ଅଧିକାଂଶ ପରିବାରଙ୍କ ଇଷ୍ଟଦେବୀ । ତେଣୁ ସ୍ଥାନୀୟ ଜନଜୀବନରେ ଏହି ଶକ୍ତିପୀଠର ସଂଯୋଗ ଦୀର୍ଘ ଅତୀତରୁ ସ୍ଥାପିତ । ଜନଶୃତିରେ ବିଂଶ ଶତାଦ୍ଦୀ ଆରମ୍ଭ ବେଳକୁ ତାରାତାରିଣୀ ତୀର୍ଥଯାତ୍ରା କଠିନ ଥିବା ଜଣାଯାଏ । ପର୍ବତ ଚ଼ଢ଼ି ମନ୍ଦିରରେ ପହଞ୍ଚିବା ନିମନ୍ତେ ଏକାଧିକ ପାଦଚଲା ରାସ୍ତା ହିଁ ବ୍ୟବହୃତ ହେଉଥିଲା । ଚୈତ୍ର ମାସରେ ଶିଶୁମାନଙ୍କ ମୁଣ୍ଡନ ମାନସିକ ପାଳନ ଅବସରରେ ମୁଖ୍ୟତଃ ମଙ୍ଗଳବାର ଗୁଡ଼ିକରେ ବ୍ୟାପକ ଜନସମାଗମ ଘଟୁଥିଲା । ତତ୍କାଳୀନ ପରିବେଶ ବର୍ଣ୍ଣନାରେ ସୀମିତ ସାହିତ୍ୟ ଉପଲବ୍ଧ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୭ ମେ ୨୦୨୨/ ପୃଷ୍ଠା : ୨)

Photo from:  http://www.taratarini.nic.in