Friday, September 30, 2022

Durga Puja / ଶାରଦୀୟ ଦୁର୍ଗାପୂଜା

 

#ବ୍ରହ୍ମପୁର ସହରରେ ଦଶହରା ପାଳନ ଏକାଂଶରେ ଜାକଜମକରେ ସଜ୍ଜିତ ଦୁର୍ଗା ମେଢ଼ ଆୟୋଜନକୁ ବୁଝାଏ । ଏଠାକାର ସାର୍ବଜନୀନ ଦୁର୍ଗାପୂଜା ପଶ୍ଚିମବଙ୍ଗ ତଥା କୋଲକତାର ପରମ୍ପରା ସହିତ ଜଡ଼ିତ । ବ୍ରହ୍ମପୁରରେ ୧୮୯୬ରେ ରେଳପଥ ଉନ୍ମୋଚନ ପରେ କ୍ରମଶଃ କୋଲକତା ସହ ସଂଯୁକ୍ତ ହୋଇଥିଲା । ତତ୍କାଳୀନ ବେଙ୍ଗାଲ-ନାଗପୁର-ରେଳପଥର କେତେକ ବଙ୍ଗୀୟ କର୍ମଚାରୀ ବ୍ରହ୍ମପୁର ରେଳଷ୍ଟେସନରେ ଅବସ୍ଥାପିତ ହୋଇଥାନ୍ତି । ସେମାନଙ୍କ ଉଦ୍ୟମରେ ରେଳଷ୍ଟେସନ ପ୍ରାଙ୍ଗଣରେ କୋଲକତାର ସାର୍ବଜନୀନ ଦୁର୍ଗାପୂଜା ଅନୁକରଣରେ ୧୯୩୪ରୁ ଉତ୍ସବାନୁଷ୍ଠାନ ଆୟୋଜନ ହୋଇଥିଲା । ପ୍ରଥମ ପାଞ୍ଚ ବର୍ଷ କୋଲକତାରୁ ରେଳ ଯୋଗେ ମୃଣ୍ମୟ ଦୁର୍ଗା ମୂର୍ତ୍ତି ଅଣାଯାଇଥିବା କୁହାଯାଏ । ଆଜି ସୁଦ୍ଧା ଆଦି ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ବଙ୍ଗୀୟ ଭାଷାଭାଷୀଙ୍କ ସାର୍ବଜନୀନ ଦୁର୍ଗାମେଢ ୮୮ ବର୍ଷ ଧରି ନିର୍ମିତ ହେଉଅଛି ।
 
ମୁଖ୍ୟତଃ କୋଲକତା, କଟକ ଓ ସ୍ଥାନୀୟ ବଙ୍ଗୀୟ ଦୁର୍ଗାପୂଜାରେ ପ୍ରଭାବିତ ହୋଇ ବ୍ରହ୍ମପୁରର କେତେକ ଉତ୍ସାହୀ ବ୍ୟବସାୟୀଙ୍କ ଉଦ୍ୟମରେ ସାନବଜାର-ହନୁମାନ ବଜାର ଛକଠାରେ ୧୯୫୬ରୁ ଦୁର୍ଗା ମେଢ଼ ନିର୍ମାଣ ଆରମ୍ଭ କରାଯାଇଥିଲା । ଏହା ବିଗତ ୬୬ ବର୍ଷ ଧରି ଚାଲିଛି । ପରବର୍ତ୍ତୀ ସମୟରେ ସହରର ବିଭିନ୍ନ ଅଞ୍ଚଳରେ ୨୦୧୯ ସୁଦ୍ଧା ୪୦ ଗୋଟି ଦୁର୍ଗାମେଢ଼ ନିର୍ମିତ ହୋଇଥିଲା । ୨୦୨୦ ଓ ୨୦୨୧ରେ କୋଭିଡ଼ ମହାମାରୀ କାରଣରୁ ପୂଜାତ୍ସୋବ କେବଳ ନୀତିପାଳନ ମଧ୍ୟରେ ସୀମାବଦ୍ଧ ରହିବା ପରେ ୨୦୨୨ରେ ପୁଣି ୪୦ ଗୋଟି ଦୁର୍ଗା ମେଢ଼ ନିର୍ମାଣ କରାଯାଇଛି ।
 
ଐତିହାସିକ ତଥ୍ୟ ଅନୁଯାୟୀ ଅଷ୍ଟାଦଶ ଶତାଦ୍ଦୀ ଶେଷ ଭାଗରେ କୋଲକତାରୁ ୧୦୦ କିଲୋମିଟର ଦୂରବର୍ତ୍ତୀ ହୁଗୁଳି ଜିଲ୍ଲାର ଗୁପ୍ତିପରାଠାରେ ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ଏଥି ପୂର୍ବରୁ ଷଷ୍ଠଦଶ ଓ ସପ୍ତଦଶ ଶତାଦ୍ଦୀରେ ବଙ୍ଗୀୟ ରାଜା ଓ ଜମିଦାର ପରିବାରରେ ଏକାଧିକ ଦିବସବ୍ୟାପୀ ଶାରଦୀୟ ଦୁର୍ଗାପୂଜାତ୍ସୋବ ଆୟୋଜନ କରାଯାଉଥଲା । ଦେବୀ ପୂଜା ପାଳନ କଠିନ ରୀତିନୀତି ସମ୍ପନ୍ନ ଓ ବ୍ୟୟ ବହୁଳ ଥିବା ହେତୁ ସାଧାରଣ ପରିବାର ବର୍ଗ ପୂଜା ପାଳନରୁ ଦୂରେଇ ରହୁଥିଲେ । ସଂଭ୍ରାନ୍ତ ପରିବାର ଗୁଡ଼ିକରେ ଅନୁଷ୍ଠିତ ପୂଜା ଉତ୍ସବରେ ସୀମିତ ସଂଖ୍ୟକ ନିମନ୍ତ୍ରିତ ବ୍ୟକ୍ତି ଯୋଗ ଦେଉଥିଲେ । କୋଲକତା ଜମିଦାରଙ୍କ ଦୂର୍ଗାପୂଜା ଉତ୍ସବରେ ଇଂଲିଶ ପ୍ରଶାସକ ରବର୍ଟ କ୍ଳାଇବ ଓ ୱାରେନ ହେଷ୍ଟିଙ୍ଗସ ଯୋଗ ଦେଇଥିବା ପ୍ରମାଣ ମିଳେ । ପୂଜାପାଳନ ସାଙ୍ଗକୁ ଭୋଜିଭାତ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଆପ୍ୟାୟିତ କରାଯାଉଥିଲା ।
 
ଗୁପ୍ତିପରା ଗ୍ରାମରେ ସ୍ଥାନୀୟ ଜମିଦାରଙ୍କ ଦୁର୍ଗାପୂଜାରେ କେତେକ ଯୁବକଙ୍କୁ ପ୍ରବେଶ ଅନୁମତି ନମିଳିବା ଫଳରେ ସେମାନେ କ୍ଷୁବ୍ଧ ହୋଇ ସମ୍ମିଳିତ ଉଦ୍ୟମରେ ସାର୍ବଜନୀନ ଦୁର୍ଗାପୂଜା ସଂଭବତଃ ୧୭୬୧ କିମ୍ୱା ୧୭୯୦ରେ ଆୟୋଜନ କରିଥିଲେ । ଏଥିରେ ଅନୁପ୍ରାଣିତ ହୋଇ ପଡ଼ୋଶୀ ଅଞ୍ଚଳର ଯୁବକମାନଙ୍କ ଉଦ୍ୟମରେ ସାର୍ବଜନୀନ ଦୁର୍ଗାପୂଜା ପରମ୍ପରା ପ୍ରସାର ଲାଭ କରିଥିଲା । କୋଲକତାରେ ୧୯୧୦ ମସିହାରେ ଭବାନୀପୁରର ବଳରାମ ବସୁ ଘାଟ ରୋଡ଼ଠାରେ ପ୍ରଥମ ସାର୍ବଜନୀନ ଦୁର୍ଗାପୂଜା ଆୟୋଜନ ହୋଇଥିବା କୁହାଯାଏ । ପରବର୍ତ୍ତୀ ଅବସ୍ଥାରେ ୧୯୧୫ରେ କଲେଜ ଷ୍ଟ୍ରୀଟ ଓ ୧୯୧୯ରେ ବାଗବଜାରରେ ତଥା ୨୦୨୨ ବେଳକୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ଦୁର୍ଗାମେଢ ତଥା ସାର୍ବଜନୀନ ଉତ୍ସବ ପାଳନକୁ ସଂପ୍ରସାରିତ ହୋଇଛି ।
 
ଐତିହାସିକମାନଙ୍କ ମତରେ ଶାରଦୀୟ ଦୁର୍ଗାପୂଜା ପାଳନ ପୂର୍ବରୁ ବାସନ୍ତୀ ଦୁର୍ଗାପୂଜା ପାଳନ ପରମ୍ପରା ରହିଥିଲା । ମାର୍କଣ୍ଡ ପୁରାଣ ଅନୁଯାୟୀ ରାଜା ସୁରଥ ବାସନ୍ତୀ ଦୁର୍ଗା ପୂଜା କରିଥିଲେ । ତେବେ ରାଜସିକ ପୁରାଣରେ ରାଜା ରାମଚ଼ନ୍ଦ୍ର ରାବଣ ସହ ଯୁଦ୍ଧ ଘୋଷଣା ପୂର୍ବରୁ ଆଶ୍ୱିନ ମାସରେ ଦୁର୍ଗାଙ୍କୁ ଆବାହନ କରିଥିବା ଉଲ୍ଲେଖ ରହିଛି ତାହା ଶାରଦୀୟ ଦୁର୍ଗାପୂଜାର କେନ୍ଦ୍ର ବିନ୍ଦୁ । ଅତୀତରେ ବସନ୍ତ ଋୁତୁରେ ସଂକ୍ରାମକ ରୋଗ ବ୍ୟାପୁଥିବା ହେତୁ ବସନ୍ତ ବଦଳରେ ଶରତ ଋତୁରେ ପୂଜା ଉତ୍ସବ ପାଳନକୁ ଅଗ୍ରାଧିକାର ଦିଆଯାଇଥିଲା । ଶାରଦୀୟ ପୂଜାରେ ଦେବୀଙ୍କୁ ମହୀଷାସୁରମର୍ଦ୍ଧନୀ ରୂପେ  ବର୍ଣ୍ଣନା କରାଯାଇଥାଏ । ପୂଜା ଆୟୋଜନରେ ସେ କୈଳାସ ପର୍ବତରୁ ଜନଗଣଙ୍କ ନିକଟରେ ପହଞ୍ଚୁଥିବା କଳ୍ପନା କରାଯାଏ । ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ପରକୁ ଶାରଦୀୟ ଦୁର୍ଗାପୂଜା ବ୍ରହ୍ମପୁରର ଦ୍ୱିତୀୟ ସାର୍ବଜନୀନ ଉତ୍ସାବାନୁଷ୍ଠାନ ରୂପେ ପରିଗଣିତ ।


(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧ ଅକ୍ଟୋବର ୨୦୨୨/ ପୃଷ୍ଠା : ୨)


Photo by SAURAV MALI on Unsplash


Friday, September 23, 2022

Gangs of Brahmapur / ଗ୍ୟାଙ୍ଗସ ଅଫ ବ୍ରହ୍ମପୁର

 

ଗ୍ୟାଙ୍ଗସ ଅଫ #ବ୍ରହ୍ମପୁର-ଶୀର୍ଷକ ଏକ ୱେବ ସିରିଜ ନିର୍ମାଣ ତଥା ଓଡ଼ିଆ ଓଭର-ଦି-ଟପ ଓଟିଟି ମଞ୍ଚ କଞ୍ଚାଲଙ୍କାରେ ପ୍ରଦର୍ଶନ ସଂପର୍କରେ ୧୯ ସେପ୍ଟେମ୍ୱର ୨୦୨୨ ସମ୍ୱାଦପତ୍ରରେ ପ୍ରକାଶ ପାଇଥିଲା । ଏଥିପୂର୍ବରୁ ଉକ୍ତ ମଞ୍ଚରେ ଗ୍ୟାଙ୍ଗସ ଅଫ ପୁରୀ ଶୀର୍ଷକ ଅନ୍ୟ ଏକ ୱେବ ସିରିଜ ଷ୍ଟ୍ରୀମିଂ ଆରମ୍ଭ ହୋଇଥିଲା । ବିବରଣୀରେ କୁହାଯାଇଥିଲା ବ୍ରହ୍ମପୁରରେ ଚାଲିଥିବା ଅପରାଧିକ ଘଟଣା ଏହି ୱେବ ସିରିଜରେ ଦର୍ଶକ ଦେଖିବାକୁ ପାଇବେ ।
 
ବ୍ରହ୍ମପୁର ସହରବାସୀ ପାରମ୍ପରିକ ଭାବେ ଚଳଚ଼ିତ୍ର ସହ ସଂପୃକ୍ତ । ରାଜ୍ୟର ପ୍ରଥମ ଚଳଚ଼ିତ୍ର ପ୍ରେକ୍ଷାଳୟ ୧୯୨୭ରେ ବ୍ରହ୍ମପୁରରେ ସ୍ଥାପିତ ହୋଇଥିଲା ଏବଂ ଏଥିପୂର୍ବରୁ ଅସ୍ଥାୟୀ ଟେଣ୍ଟରେ ଚଳଚ଼ିତ୍ର ପ୍ରଦର୍ଶିତ ହେଉଥିଲା । ଏହି ସୁଦୀର୍ଘ ଇତିହାସରେ ଥରେ ଅଧେ ଓଡ଼ିଆ ଚଳଚ଼ିତ୍ରରେ ସହରର ଦୃଶ୍ୟ ସଂଯୋଗ ହେବା ଅବସରରେ ସ୍ଥାନୀୟ ଦର୍ଶକ ଆହ୍ଲାଦିତ ହୋଇପଡୁଥିଲେ । ଓଡ଼ିଆ ବତୀଘର ଓ ବଙ୍ଗଳା ଅଦାଲତେ ଏକଟି ମେ ପଡ଼ୋଶୀ ଗୋପାଳପୁରରେ ସୁଟିଂ କରାଯାଇଥିଲା । ମହାମାରୀ-ପର ଅବସ୍ଥାରେ ଚଳଚ଼ିତ୍ର ପ୍ରେକ୍ଷାଳୟ ବଦଳରେ ଫୋନ ପରଦାରେ ଓଟିଟି ମଞ୍ଚରେ ବିଶ୍ୱବ୍ୟାପୀ ଲୋକପ୍ରିୟତା ହାସଲ କରୁଥିବା ବେଳେ ବ୍ରହ୍ମପୁରର କାହାଣୀକୁ ନେଇ ୱେବ ସିରିଜ ପ୍ରତି ଉତ୍ସୁକତା ସୃଷ୍ଟି ସ୍ୱାଭାବିକ ।
 
ବଲିଉଡ଼ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ୨୦୧୨ରେ ଗ୍ୟାଙ୍ଗସ ଅଫ ବାସେପୁର ନାମକ ଏକ ହିନ୍ଦି ଚଳଚ଼ିତ୍ର ନିର୍ମାଣ କରି ପ୍ରଶଂସିତ ହୋଇଥିଲେ । ମୋଟ ୩୨୧ ମିନଟର ଚଳଚ଼ିତ୍ରଟି ଦୁଇଗୋଟି ଭାଗରେ ରିଲିଜ କରାଯାଇଥିଲା । ମନୋଜ ବାଜପେୟୀ, ନୱାଜୁଦ୍ଦିନ ସିଦ୍ଧିକୀ ଓ ପଙ୍କଜ ତ୍ରିପାଠୀ ଚଳଚ଼ିତ୍ରର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଚଳଚ଼ିତ୍ରଟିର କାହାଣୀ ଝାଡ଼ଖଣ୍ଡ ରାଜ୍ୟ ଧାନବାଦ ଅଞ୍ଚଳର କୋଇଲା ମାଫିଆଙ୍କ ସଂପର୍କରେ ୧୯୪୧ରୁ ୨୦୦୯ ପ୍ରାୟ ୬୮ ବର୍ଷର ଘଟଣାବଳୀ ସଂବଳିତ ବୋଲି କୁହାଯାଉଥିଲା । ଚଳଚ଼ିତ୍ର ନିର୍ମାଣ ବାବଦରେ ୧୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସ୍ଥଳେ ପ୍ରଦର୍ଶନରୁ ୭୦ କୋଟି ଆଦାୟ ହୋଇଥିବା ଜାଣିବାକୁ ମିଳେ । ଏଥିରୁ ଚଳଚ଼ିତ୍ରଟିର ଲୋକପ୍ରିୟତା ପ୍ରମାଣିତ ।
 
ଗ୍ୟାଙ୍ଗସ ଅଫ ବାସେପୁର ଦ୍ୱାରା ପ୍ରଭାବିତ ହୋଇ ହିନ୍ଦି ତଥା ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ କେତେକ ଚଳଚ଼ିତ୍ର ଓ ଟେଲିଭିଜନ ଧାରାବାହିକ ନିର୍ମିତ ହୋଇଛି । ତେବେ ଦଶ ବର୍ଷପରେ ଦୁଇ ଜଣ ଓଡ଼ିଆ ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଓ ତାଙ୍କରି ଅଭିନେତ୍ରୀ ପତ୍ନୀ ବର୍ଷା ପଟ୍ଟନାୟକ ପୁରୀ ପରେ ବ୍ରହ୍ମପୁର ଅପରାଧିକ ଇତିହାସକୁ ନେଇ ୱେବ ସିରିଜ ନିର୍ମାଣଲାଗି ଆଗେଇ ଆସିଛନ୍ତି । ଅନୁପମଙ୍କ ପିତା ଅମୀୟ ପଟ୍ଟନାୟକ ସମ୍ୱାଦ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭାଇ ଏବଂ ଉଭୟେ ଅନେକ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ କରିଥିଲେ । ଅନୁପମ ଉଚ୍ଚଶିକ୍ଷିତ ଏବଂ ବିଦେଶରେ ପଢ଼ା ସାରି ଘରକୁ ଫେରି ବାପାଙ୍କ ପଦାଙ୍କ ଅନୁସରଣରେ ଟେଲିଭିଜନ ଓ ଚଳଚ଼ିତ୍ର ନିର୍ମାଣରେ ୨୦୧୧ରୁ ମନୋନିବେଶ କରିଛନ୍ତି । ସେ ପରିଚାଳନା ଶାସ୍ତ୍ର ଅଧ୍ୟୟନ କରିଥିଲେ, ଚଳଚ଼ିତ୍ର ନିର୍ମାଣରେ ଉପାଧି ହାସଲ କରିନାହାନ୍ତି । ତାଙ୍କରି ନିର୍ଦ୍ଦେଶନାରେ ସମ୍ୱାଦର ଫିଚ଼ର ସଂପାଦକ ରୂପେ କାର୍ଯ୍ୟରତ ଗୌରହରି ଦାସଙ୍କ ପ୍ରତୀକ୍ଷା ନାମକ ଏକ କ୍ଷୁଦ୍ରଗଳ୍ପ ଆଧାରରେ ଚଳଚ଼ିତ୍ର ୨୦୨୨ ଡ଼ିସେମ୍ୱରରେ ଶୁଭମୁକ୍ତି ହେବା ଘୋଷିତ ହୋଇଛି । ପ୍ରତୀକ୍ଷାର କାହାଣୀ ସରକାରୀ ଚାକିରୀ ଅନ୍ୱେଷଣରେ ଥିବା ଭୁବନେଶ୍ୱରର ଜଣେ ବେକାର ଯୁବକର ସଂଘର୍ଷ ଉପରେ ଆଧାରିତ ।
 
ଅନୁପମ ବ୍ରହ୍ମପୁର ବାସିନ୍ଦା ନୁହନ୍ତି । ଅବଶ୍ୟ କୌଣସି ସହର ସଂପର୍କରେ ଚଳଚ଼ିତ୍ର ନିର୍ମାଣ କରିବା ନିମନ୍ତେ ସେଠାରେ ବସବାସର ଅନୁଭୂତି ଏକାନ୍ତ ପ୍ରୟୋଜନ ନୁହେଁ । ତେବେ ସ୍ଥାନୀୟ ରୁଚ଼ି ଓ ସଂସ୍କୃତି ସଂପର୍କରେ ଗଭୀର ଅନୁଶୀଳନ ସୃଜନକୁ ପ୍ରାଣବନ୍ତ କରିଥାଏ । ବ୍ରହ୍ମପୁରର ଅପରାଧିକ ଇତିହାସ ଗ୍ୟାଙ୍ଗସ ଅଫ ବ୍ରହ୍ମପୁରରେ କିପରି ପ୍ରତିଫଳିତ ହେବ ତାହା ମେଗା ଧାରାବାହିକ କହିବ ।
 
ଭାରତରେ ୨୦୨୨ ମଧ୍ୟଭାଗ ସୁଦ୍ଧା ୧୦ କୋଟି ଓଟିଟି ମଞ୍ଚ ଉପଭୋକ୍ତା ଥିବା ହିସାବ କରାଯାଏ । ବର୍ଷ ଶେଷରେ ଏହି ସଂଖ୍ୟା ୧୨ କୋଟି ୨୦ ଲକ୍ଷରେ ପହଞ୍ଚିବ । ପରବର୍ତ୍ତୀ ଦେଢ଼ରୁ ଦୁଇ ବର୍ଷ ମଧ୍ୟରେ ୫ଜି ଟେଲିସେବା ସଂପ୍ରସାରଣ ପରେ ଓଟିଟି ମଞ୍ଚର ଗୁଣାତ୍ମକ ବିକାଶ ଓ ଆଦୃତି ବଢ଼ିଯିବ । ଏହି ପରିପ୍ରେକ୍ଷୀରେ ଗଭୀର ଆଞ୍ଚଳିକ ତଥା ସହରଭିତ୍ତିକ କାହାଣୀରେ ଚଳଚ଼ିତ୍ର ନିର୍ମାଣ ଗୁରୁତ୍ୱ ବହନ କରିବ । ବ୍ରହ୍ମପୁରର ଅପରାଧିକ ଇତିହାସ ସଂପର୍କରେ ଅନ୍ୟ ଏକ ଟେଲିଭିଜନ ଚ୍ୟାନେଲ ପକ୍ଷରୁ ମଧ୍ୟ ଏକ ସିରିଆଲ ନିର୍ମାଣ ଲାଗି ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଥିବା ଜଣାଯାଏ । ଏଭଳି ଉଦ୍ୟମ ନୂତନ ଦର୍ଶକୀୟ ଅନୁଭୂତିକୁ ଋଦ୍ଧିମନ୍ତ କରିବା ଆଶା କରାଯାଏ

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୪ ସେପ୍ଟେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Chandler Cruttenden on Unsplash 


Friday, September 16, 2022

Trunk Murder Case / ଟ୍ରଙ୍କ ମର୍ଡର କେସ

 

#ବ୍ରହ୍ମପୁର ସହରର ଅପରାଧ ଇତିହାସରେ ଟ୍ରଙ୍କ ମର୍ଡର କେସ ଏକ ଚର୍ଚ୍ଚିତ ଘଟଣା । ପଡ଼ୋଶୀ ଶ୍ରୀକାକୁଲମ ଜିଲ୍ଲାର ଜଣେ ବ୍ୟକ୍ତି ବ୍ରହ୍ମପୁରରେ ନିଜ ପରିଚ଼ିତଙ୍କ ଘରେ ଅତିଥି ରୂପେ ପହଞ୍ଚିଥିବା ଅବସରରେ ତାଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାର ଅନୁସନ୍ଧାନ କରି ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପାକଲା ନାରାୟଣ ସ୍ୱାମୀ, ତାଙ୍କ ପତ୍ନୀ, ଶଳା ଓ ସେମାନଙ୍କ ବାସଭବନରେ ବସବାସ କରୁଥିବା ଗୁମସ୍ତାଙ୍କୁ ଛତ୍ରପୁର ସବଡ଼ିଭିଜିନାଲ ମାଜିଷ୍ଟ୍ରେଟ ଏସଡ଼ିଜେଏମ କୋର୍ଟରେ ୧୯୩୭ ମେ ଓ ଜୁନ ମାସରେ ବିଚାରଣା ହୋଇ ପ୍ରମାଣ ଅଭାବରୁ ଅଭିଯୁକ୍ତମାନଙ୍କୁ ଖଲାସ କରିଦିଆ ଯାଇଥିଲା ।
 
ମାସକ ପରେ ବ୍ରହ୍ମପୁର ସେସନ୍ସ ଜଜ ଜେ. ଆଟକିନ ନିଜ ପକ୍ଷରୁ ୧୯୩୭ ଜୁଲାଇ ମାସରେ ପୁନଃବିଚାରଣା ଆୟୋଜନ କରିଥିଲେ । ନାରାୟଣ ସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୦ବି (ହତ୍ୟା ପାଇଁ ଷଡଯନ୍ତ୍ର), ୩୦୨ (ହତ୍ୟା), ୨୦୧ (ଅପରାଧର ସାକ୍ଷ୍ୟ ନଷ୍ଟ) ଲାଗୁ ହୋଇଥିଲା । ଶୁଣାଣି ଶେଷରେ ନାରାୟଣ ସ୍ୱାମୀଙ୍କୁ ମୃତ୍ୟୁଦଣ୍ଡ ଓ ତାଙ୍କ ପତ୍ନୀଙ୍କୁ ନିର୍ଦ୍ଦୋଷରେ ଖଲାସ ଆଦେଶ ପ୍ରଦାନ କରିଥିଲେ ।
 
ଘଟଣାକ୍ରମରେ ୨୩ ମାର୍ଚ୍ଚ ୧୯୩୭ ମଙ୍ଗଳବାର ମଧ୍ୟାହ୍ନରେ ପୁରୀ ରେଳଷ୍ଟେସନରେ ଦକ୍ଷିଣ ଦିଗରୁ ପହଞ୍ଚିଥିବା ଏକ ଟ୍ରେନର ତୃତୀୟ ଶ୍ରେଣୀ ବଗିରୁ ଦାବୀଦାରବିହୀନ ଏକ ଟିଣ ଟ୍ରଙ୍କ ମିଳିଥିଲା । ପୋଲିସ ଟ୍ରଙ୍କକୁ ଖୋଲି ଜଣେ ମନୁଷ୍ୟର କଟା ଶରୀର ଦେଖିବାକୁ ପାଇଥିଲା । ସମଗ୍ର ଶରୀରକୁ ସାତ ଖଣ୍ଡରେ କାଟି ଦିଆଯାଇଥିଲା । ଅନୁସନ୍ଧାନରେ ହତ୍ୟା ଶୀକାର ହୋଇଥିବା ବ୍ୟକ୍ତି ଜଣକ ଶ୍ରୀକାକୁଲମ ଜିଲ୍ଲା ପିଠାପୁର ଦିୱାନଙ୍କ ପିଅନ କୁରି ନୂକାରାଜୁ ବୋଲି ଜଣାଗଲା ।
 
ପିଠାପୁର ଦିୱାନଙ୍କ ଏକ ଝିଅ ପାକଲା ନାରାୟଣ ସ୍ୱାମୀଙ୍କୁ ୧୯୧୯ରେ ବିବାହ କରିଥିଲେ ଦିହେଁ ପିଠାପୁରଠାରୁ ୧୫୦ ମାଇଲ ଦୂରବର୍ତ୍ତୀ ବ୍ରହ୍ମପୁରରେ ଆସି ବସବାସ କରୁଥିଲେ । ନାରାୟଣ ସ୍ୱାମୀ ପତ୍ନୀଙ୍କ ସହ ଶ୍ୱଶୁରାଳୟକୁ ୧୯୩୩ରେ ଯାଇ କିଛି କାଳ ବିତାଇଥିଲେ । ଏହି ସମୟ ତିନି ବର୍ଷ ମଧ୍ୟରେ ୧୯୩୬ ସୁଦ୍ଧା ନାରାୟଣ ସ୍ୱାମୀ ନୂକାରାଜୁଙ୍କଠାରୁ ଏକାଧିକ କିସ୍ତିରେ ତିନି ହଜାର ଟଙ୍କା ହାତ ଉଧାର ଆଣିଥିଲେ । ଋଣ ପାଇଁ ୧୮ ପ୍ରତିଶତ ସୁଧ ଦେବା ନିମନ୍ତେ ରାଜି ହୋଇଥିଲେ । କିନ୍ତୁ ଋଣ ପରିଶୋଧ ନିମନ୍ତେ ବାରମ୍ୱାର ତାଗିଦ ସତ୍ତ୍ୱେ ଫେରାଇ ପାରି ନଥିଲେ ।
 
୨୦ ମାର୍ଚ୍ଚ ୧୯୩୭ରେ ନୂକାରାଜୁ ନାରାୟଣ ସ୍ୱାମୀଙ୍କ ପତ୍ନୀଙ୍କଠାରୁ ଏକ ପତ୍ର ପାଇଥିବା କୁହାଯାଏ । ସେଥିରେ ସଂଭବତଃ ବ୍ରହ୍ମପୁର ଆସି ଋଣ ଓ ସୁଧ ନେଇଯିବା ନିମନ୍ତେ ଲେଖା ଯାଇଥିଲା । ପରଦିନ ନୂକାରାଜୁ ବ୍ରହ୍ମପୁରରେ ଟ୍ରେନ ଯୋଗେ ପହଞ୍ଚି ନାରାୟଣ ସ୍ୱାମୀଙ୍କ ଘରେ ରହିଥିଲେ । ୨୧ ସନ୍ଧ୍ୟାରୁ ୨୩ ସକାଳ ମଧ୍ୟରେ ନୂକାରାଜୁ ହତ୍ୟାର ଶୀକାର ହୋଇଥିବା ଅନୁମାନ କରାଯାଏ । ୨୩ ମାର୍ଚ୍ଚ ୧୯୩୭ରେ ପୁରୀ ରେଳଷ୍ଟେସନରେ ଟ୍ରେନ ବଗିରୁ ନୂକାରାଜୁଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀର ଉଦ୍ଧାର କରାଯାଇଥିଲା ।
 
ମୃତ ବ୍ୟକ୍ତି ପିଠାପୁରର ନୂକାରାଜୁ ରୂପେ ତାଙ୍କରି ବିଧବା ପତ୍ନୀଙ୍କ ଦ୍ୱାରା ଚ଼ିହ୍ନଟ ହେବାପରେ ତାଙ୍କରି ବୟାନ ଅନୁଯାୟୀ ପୋଲିସ ଘଟଣାର ତଦନ୍ତ କରି ନୂକାରାଜୁ ବ୍ରହ୍ମପୁରରେ ନାରାୟଣ ସ୍ୱାମୀ ଘରକୁ ଋଣ ଟଙ୍କା ଆଦାୟ କରିବା ନିମନ୍ତେ ଯାତ୍ରା କରିଥିବା ଜାଣିବାକୁ ପାଇଥିଲା ।
 
ନାରାୟଣ ସ୍ୱାମୀ ୨୨ ମାର୍ଚ୍ଚ ସୋମବାର ଦିନ ନିଜ କର୍ମଚାରୀ ମାଧ୍ୟମରେ ଭିକ୍ଟୋରିଆ ମାର୍କେଟ (ଅଧୂନା ଗିରି ମାର୍କେଟ)ରୁ ଏକ ଟିଣ ଟ୍ରଙ୍କ କିଣିଥିବା ପୋଲିସ ପ୍ରମାଣ ପାଇଥିଲା । ପ୍ରଥମେ ଏକ ବଡ଼ ଟ୍ରଙ୍କ ନେଇ ପରେ ବଦଳାଇ ଅପେକ୍ଷାକୃତ ଛୋଟ ଟ୍ରଙ୍କ କିଣିଥିଲାନୂକାରାଜୁଙ୍କୁ ହତ୍ୟାପରେ ମୃତ ଶରୀରକୁ ସେହି ଟିଣ ଟ୍ରଙ୍କରେ ଭର୍ତ୍ତି କରି ୨୩ ମାର୍ଚ୍ଚ ମଙ୍ଗଳବାର ବଡ଼ି ସକାଳୁ ଘୋଡ଼ାଟଣା ଝାଟକା ଯୋଗେ ବ୍ରହ୍ମପୁର ରେଳଷ୍ଟେସନକୁ ନିଆଯାଇ ପୁରୀଗାମୀ ଟ୍ରେନ ବଗିରେ ରଖାଯାଇଥିବା ସୁରାକ ମିଳିଥିଲା । ନାରାୟଣ ସ୍ୱାମୀ ସଂଭବତଃ ବ୍ରହ୍ମପୁର ପୌରପାଳିକା ଓ ସବ-ରେଜିଷ୍ଟାରାର କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ଏକ ବଡ଼ ଘରେ ବସବାସ କରୁଥିଲାପୋଲିସ ୪ ଏପ୍ରିଲରେ ସେଠାରୁ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ୭ ଏପ୍ରିଲରେ ତଦନ୍ତ କରି ଗୃହ ପରିସରରେ ପୋତାଯାଇଥିବା ରକ୍ତଭିଜା କପଡ଼ା ଉଦ୍ଧାର ହୋଇଥିଲା
 
ନାରାୟଣ ସ୍ୱାମୀ ପୋଲିସର ଅଭିଯୋଗକୁ ଅସ୍ୱୀକାର କରିଥିଲା । ନିମ୍ନ ଅଦାଲତ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ତାକୁ ଖଲାସ କରିଦେଇଥିଲେ । କିନ୍ତୁ ଉଚ୍ଚ ଅଦାଲତ ପାରିପାର୍ଶ୍ୱିକ ପ୍ରମାଣକୁ ଭିତ୍ତିକରି ମୃତ୍ୟୁ ଦଣ୍ଡ ପ୍ରଦାନ କରିଥିଲେ । ଭାରତୀୟ ଅଦାଲତରେ ସାକ୍ଷ୍ୟ ଆଇନ ଏଭିଡ଼େନ୍ସ ଆକ୍ଟ ତର୍ଜମାରେ ବ୍ରହ୍ମପୁରର ଟ୍ରଙ୍କ ମର୍ଡର କେସ ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ରୂପେ ଗୃହୀତ ହୋଇଥାଏ ।
 
ଟ୍ରଙ୍କ ମର୍ଡ଼ର କେସକୁ ନେଇ ବହୁ କିମ୍ୱଦନ୍ତୀ ପ୍ରଚଳିତ । ତେବେ ହାତ ଉଧାର, ଉଚ୍ଚ ସୁଧହାର, ଋଣ ଅନାଦେୟରେ ତିକ୍ତତା ତଥା ପୁରାତନ ଭିକ୍ଟୋରିଆ ମାର୍କେଟରେ ଟିଣ ବକ୍ସ ନିର୍ମାଣ ଶିଳ୍ପ, ଘୋଡ଼ାଟଣା ଝାଟକା ଯାନ ଏବଂ ରେଳ ଯୋଗେ ପଡ଼ୋଶୀ ଶ୍ରୀକାକୁଲମ ଓ ପୁରୀ ଜିଲ୍ଲା ସହ ସଂଯୋଗ ଇତ୍ୟାଦି ତତକାଳୀନ ସାମାଜିକ ଚ଼ଳେଣୀର ସୂଚ଼ନା ପ୍ରଦାନ କରିଥାଏ । ଅନ୍ୟପକ୍ଷରେ ସହରର ଅପରାଧ ପ୍ରବଣତାର ଘଟଣାଟି ଏକ ନିଦର୍ଶନ ।
 
ତଥ୍ୟ:
 
https://indiankanoon.org/doc/516808/

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୭ ସେପ୍ଟେମ୍ୱର ୨୦୨୨/ ପୃଷ୍ଠା : ୨)

Friday, September 9, 2022

Dubbed Odia Film / ଓଡ଼ିଆ ଡବିଂ ଚଳଚ଼ିତ୍ର

 

#ବ୍ରହ୍ମପୁର ଓଡ଼ିଆ ଚଳଚ଼ିତ୍ର ନିର୍ମାଣ ଇତିହାସରେ ଅନ୍ୟତମ ଆଦ୍ୟ ସୂତ୍ରଧର । ଓଡ଼ିଆ ଚଳଚ଼ିତ୍ର ଶିଳ୍ପ ଓଲିଉଡ଼ ନାମରେ ଖ୍ୟାତ । ପାରମ୍ପରିକଭାବେ କଟକ ଓଲିଉଡ଼ର କେନ୍ଦ୍ରସ୍ଥଳୀ ରୂପେ ପରିଚ଼ିତ । ବିଂଶ ଶତାଦ୍ଦୀର ଶେଷ ଦୁଇ ଦଶକରେ ଓଲିଉଡ଼ ଦ୍ୱୈତ-ନଗରୀ ଭୁବନେଶ୍ୱରକୁ ସଂପ୍ରସାରିତ ହୋଇଥିଲା । ତେବେ ବ୍ରହ୍ମପୁର, ଆସିକା, ଜୟପୁର, ପୁରୀ, ବାଲେଶ୍ୱର, ବାରିପଦା, ସମ୍ୱଲପୁର ଇତ୍ୟାଦି ବିଭିନ୍ନ ସହରରେ ମଧ୍ୟ ଓଡ଼ିଆ ଚଳଚ଼ିତ୍ର ନିର୍ମାଣକାରୀ ସଂଗଠନମାନ କାର୍ଯ୍ୟକରି ଆସିଛି । ମହାମାରୀ-ପର ପରିବେଶରେ ଚଳଚ଼ିତ୍ର ପ୍ରେକ୍ଷାଳୟର ରୂପେଲି ପରଦାରୁ ଲମ୍ପ ପ୍ରଦାନ କରି ଅନଲାଇନ ଓଟିଟି ମଞ୍ଚରେ ପହଞ୍ଚିବା ପରେ ରାଜ୍ୟର ବିଭିନ୍ନ ସହରରେ ଚଳଚ଼ିତ୍ର ନିର୍ମାଣ ଲାଗି ଉଦ୍ୟମ କ୍ରିୟାଶୀଳ ହେବା ଆଶା କରାଯାଇପାରେ । ଏହାର ମୁଖ୍ୟ ତିନିଗୋଟି କାରଣ ହେଲା : ଏଣିକି ଚଳଚ଼ିତ୍ର ନିର୍ମାଣ ସାଜ-ସରଞ୍ଜାମ ସହଜରେ ଉପଲବ୍ଧ, ନିର୍ମାଣ ଖର୍ଚ୍ଚ ଢେର କମି ଆସିଛି ଏବଂ ପ୍ରଦର୍ଶନର ଜଟିଳ ବ୍ୟାବସାୟିକ ଗୋଲକଧନ୍ଦା ସମାଧାନ ସମ୍ଭବ
 
ମହାମାରୀର ଢେର ଆଗରୁ ଚଳଚ଼ିତ୍ର ଡବିଂ ପ୍ରଥା ଲୋକପ୍ରିୟତା ହାସଲ କରି ଆସିଛି । ହଲିଉଡ଼ ବଲିଉଡ଼ ଓ ଜଲିଉଡ଼ ଚଳଚ଼ିତ୍ରଗୁଡ଼ିକ ହିନ୍ଦି ସାଙ୍ଗକୁ ତାମିଲ, ତେଲୁଗୁ ଓ ବଙ୍ଗଳା ଭାଷାରେ ଡବିଂ, ଅର୍ଥାତ ସଂଳାପ ଅନୁବାଦ କରାଯାଇ ବିଭିନ୍ନ ଭାଷାଭାଷୀ ଅଞ୍ଚଳର ପ୍ରେକ୍ଷାଳୟଗୁଡ଼ିକରେ ପ୍ରଦର୍ଶନ କରାଯାଇ ବେଶ ଆୟ କରାଯାଇପାରୁଛି । ଓଡ଼ିଆ ଚଳଚ଼ିତ୍ର ନିର୍ମାଣର ଆଦ୍ୟ ଅବସ୍ଥାରେ ପ୍ରଯୋଜନାଲାଗି ବିପୁଳ ଆର୍ଥିକ ନିବେଶ ଅଭାବ ଓ ସଂକୁଚ଼ିତ ପ୍ରଦର୍ଶନ ବ୍ୟବସ୍ଥା କାରଣରୁ ଚଳଚ଼ିତ୍ର ନିର୍ମିତ ହୋଇପାରୁନଥିଲା । ସେହି ସମୟରେ ବମ୍ୱେରେ କେନ୍ଦ୍ର ସରକାରଙ୍କ ଫିଲ୍ମସ ଡିଭିଜନରେ ପ୍ରାମାଣିକ ଚଳଚ଼ିତ୍ର ଭାଷ୍ୟକାରରୂପେ କାର୍ଯ୍ୟରତ ଜଣେ ବ୍ରହ୍ମପୁର ବାସିନ୍ଦା ଦୁଇଗୋଟି ଓଡ଼ିଆ ଚଳଚ଼ିତ୍ର ଡବିଂ କରି ପ୍ରଦର୍ଶିତ କରାଇପାରିଥିଲେ । ପରବର୍ତ୍ତୀ ଜୀବନରେ ସେ ସମୟସାକ୍ଷୀ ଗୋପୀନାଥ ନାମକ ଦୁଇଗୋଟି ପୂର୍ଣ୍ଣାଙ୍ଗ ଓଡ଼ିଆ ଚଳଚ଼ିତ୍ର ସାଙ୍ଗକୁ ଏକ ଡ଼ଜନ ଯାଏଁ ପ୍ରାମାଣିକ ଚଳଚ଼ିତ୍ର ନିର୍ମାଣ କରିଥିଲେ । ବମ୍ୱେରେ ସପରିବାରେ ଅବସ୍ଥାପିତ ଏବଂ ପରଲୋକ ଗମନ କରିଥିବା ଗଣେଶ ମହାପାତ୍ର ଡବିଂ ଓଡ଼ିଆ ଚଳଚ଼ିତ୍ର ନିର୍ମାଣ କ୍ଷେତ୍ରରେ ନିଜର ଅନୁଭୂତି ୧୯୯୪ରେ ପ୍ରକାଶିତ ଓଡ଼ିଆ ଚଳଚ଼ିତ୍ରକୁ ବ୍ରହ୍ମପୁରର ଦାନ ଶୀର୍ଷକ ରଚନାରେ ବର୍ଣ୍ଣନା କରିଥିଲେ :
 
ଦିଲ୍ଲୀରୁ ବମ୍ୱେ, ମୋର ଲକ୍ଷ୍ୟସ୍ଥଳୀରେ ହାଜର ହେଲି ମୁଁ । ଓଡ଼ିଆ ସିନେମା ପ୍ରାୟ ପ୍ରସ୍ତୁତ ହେଉନଥାଏ । ଯୋଗକୁ ଭାରତ ସରକାରଙ୍କ ଫିଲ୍ମସ ଡିଭିଜନରେ ଭାଷ୍ୟକାର ରୂପେ ମୁଁ ଯୋଗ ଦେଇଥାଏ । ସ୍ଥିର କଲି ଓଡ଼ିଶାରେ ସିନେମା ନେଇ ଜାଗରଣ ସୃଷ୍ଟି ପାଇଁ ହିନ୍ଦୀ ଫିଲ୍ମର ଓଡ଼ିଆ ଡବିଂ (ସଂସ୍କରଣ) କରି ଦେଖିବା । ସେଥି ପାଇଁ ଅର୍ଥ କମ ଲାଗୁଥିଲା ଏବଂ ଧରାକୋଟର ଶ୍ରୀ ଅନନ୍ତ ନାରାୟଣ ସିଂହଦେଓ ଏଥିରେ ପୁଞ୍ଜି ଲଗାଣ ପାଇଁ ରାଜି ହୋଇଗଲେ । ଏହି ରକମ ପ୍ରଥମ ଫିଲ୍ମ ଜନ୍ମାଷ୍ଟମୀ ୧୯୫୬ ମଧ୍ୟଭାଗରେ ବ୍ରହ୍ମପୁର ବିଜୟା ଟକିଜରେ ମୁକ୍ତିଲାଭ କରିଥିଲା । ଭାରତ ଭୂଷଣ ଓ ନିର୍ମଳା ଅଭିନୀତ କିଶୋର ସାହୁଙ୍କ ଏହି ପୌରାଣିକ ଅବଦାନ ତାର ମଧୁର ସଙ୍ଗୀତ ଓ ଦୃଶ୍ୟାବଳୀ ଯୋଗୁଁ  ଲୋକପ୍ରିୟତା ହାସଲ କରିଥିଲା । ତେବେ ଧରାକୋଟ ରାଜ ପରିବାର ରାଜନୀତିରେ ପଶିବା ଯୋଗୁଁ ଆଉ ଫିଲ୍ମ ନିର୍ମାଣରେ ମନ ଦେଲେ ନାହିଁ । ପରେ ମୋର ନିଜ ପ୍ରତିଷ୍ଠାନ ବାସନ୍ତୀ କଥାଚ଼ିତ୍ର ଜରିଆରେ ଦ୍ୱିତୀୟ ଓଡ଼ିଆ ଡବିଂ ଫିଲ୍ମ ରାମ ବିବାହର ପ୍ରସ୍ତୁତି ପ୍ରେମ ଅଦିବ ଏବଂ ଶୋଭନା ସମର୍ଥ ଅଭିନୀତ ଏହି ହିନ୍ଦୀ ଫିଲ୍ମର ଓଡ଼ିଆ ସଂସ୍କରଣ ନେଇ ମୁଁ ନିଜେ ପରିବେଷଣ ପାଇଁ ଓଡ଼ିଶା ସାରା ବୁଲି ଯାହା ଦେଖିଲି ଓଡ଼ିଆ ଫିଲ୍ମ ତିଆରି ପାଇଁ ଉପଯୁକ୍ତ ସମୟ ଆସିନଥିଲା । କାରଣ ସେ ସମୟରେ ମାତ୍ର ୫୦ଟି ସିନେମା ଘରୁ କେବଳ ଏକ ଲକ୍ଷ ଟଙ୍କା ଆୟର ସମ୍ଭାବନା ଥିଲା । ସୁତରାଂ ୧୯୫୮ରେ ମୁଁ ପୁଣି ବମ୍ୱେ ଫେରିଆସି ଓଡ଼ିଆ ଫିଲ୍ମ ପରିବର୍ତ୍ତେ ପ୍ରାମାଣିକ ଚ଼ିତ୍ରରେ ମନଦେଲି ।
 
ଜନ୍ମାଷ୍ଟମୀରାମ ବିବାହର ମୁକ୍ତି ଆସିକାର ପ୍ରତିଷ୍ଠିତ ଜନସେବକ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଶର୍ମାଙ୍କୁ ଫିଲ୍ମ ନିର୍ମାଣ ପ୍ରତି ଆକୃଷ୍ଟ କରିଥିଲା । ସେ ଅବଶ୍ୟ ଓଡ଼ିଶାର ସାଂସ୍କୃତିକ ବିକାଶକୁ ଦୃଷ୍ଟିରେ ରଖି ଫିଲ୍ମ ତିଆରିରେ ମନ ବଳାଇଥିଲେ ।
 
.... (କବିରାଜଙ୍କ) ଉତ୍କଳ ଚଳଚ଼ିତ୍ର ପ୍ରତିଷ୍ଠାନର ପ୍ରଥମ ଅବଦାନ ମହାଲକ୍ଷ୍ମୀ ପୂଜା ଓଡ଼ିଆ ଫିଲ୍ମ ବଜାରକୁ ଗରମ କରିଦେଇଥିଲା । ତାର ସଫଳତାରେ ଉତ୍ସାହିତ ହୋଇ ପ୍ରତିଷ୍ଠାନ ତରଫରୁ ଗୋଟାଏପରେ ଗୋଟାଏ ତିନି-ଚାରିଟି ଓଡ଼ିଆ ଫିଲ୍ମ ପ୍ରସ୍ତୁତ କରି ସୁଦ୍ଧା କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ଏହି କ୍ଷେତ୍ରରେ ତିଷ୍ଠି ରହି ପାରିଲେ ନାହିଁ ।
 
... ଓଡ଼ିଆ ଚଳଚ଼ିତ୍ର ଇତିହାସରେ ବ୍ରହ୍ମପୁର ଉଦ୍ୟୋକ୍ତାମାନଙ୍କ ଦ୍ୱାରା ପ୍ରସ୍ତୁତ ଦୁଇଟି ଡବିଂ ଚଳଚ଼ିତ୍ର ଏବଂ ଚାରି ଛଟି ଓଡ଼ିଆ ଚଳଚ଼ିତ୍ର ଯେ ଜାଗରଣ ସୃଷ୍ଟି କରିଥିଲା ଏହା ନିଶ୍ଚିତ ଲିଖିତ ରହିବ । ଉତ୍କଳ ଚଳଚ଼ିତ୍ର ପ୍ରତିଷ୍ଠାନର ଫିଲ୍ମଗୁଡ଼ିକରେ ତାଲିମ ପାଇ ଶରତ ପୂଜାରୀ ପରି କଳାକାର ଏବଂ ଧୀର ବିଶ୍ୱାଳଙ୍କ ପରି ପ୍ରଯୋଜକ ସୃଷ୍ଟି ହୋଇଥିଲେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୦ ସେପ୍ଟେମ୍ୱର ୨୦୨୨/ ପୃଷ୍ଠା : ୨)

Photo by Denise Jans on Unsplash 



Friday, September 2, 2022

Memories / ବିସ୍ମୃତିର ସ୍ମୃତି

 

#ବ୍ରହ୍ମପୁର ସହରର ଅତୀତ ସ୍ମୃତି ସଂବଳିତ ରଚନା ଅଭାବ । ପରଲୋକଗତ ଖ୍ୟାତନାମା ସାଂସ୍କୃତିକ ବ୍ୟକ୍ତିତ୍ୱ ଅଧିବକ୍ତା ବସନ୍ତ କୁମାର ପାଣିଗ୍ରାହୀ ନିଜ ଆତ୍ମଜୀବନୀ ବିସ୍ମୃତିର ସ୍ମୃତିରେ ସ୍ୱାଧୀନତା-ପୂର୍ବ ବ୍ରହ୍ମପୁର ସଂପର୍କରେ ବର୍ଣ୍ଣନା କରିଥିଲେ । ସେ ମଞ୍ଜୁଷାରେ ଜନ୍ମଗ୍ରହଣ କରିଥିଲେ ସେଠାରେହିଁ ବିଦ୍ୟାଳୟ ଶିକ୍ଷା ସମାପନ ହୋଇଥିଲାତାଙ୍କରି ଭଉଣୀ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିକଟବର୍ତ୍ତୀ ଏକ ଗ୍ରାମରେ ବିବାହକରି ବସବାସ କରୁଥାନ୍ତି । ବସନ୍ତ ବାବୁ ୧୧ ବର୍ଷ ବୟସରେ ୧୯୪୨ ମସିହାରେ ନିଜ ଭଉଣୀଙ୍କ ନିକଟକୁ ଯିବାପାଇଁ ମଞ୍ଜୁଷାରୁ ରେଳ ଯୋଗେ ବ୍ରହ୍ମପୁର ଆସି ବ୍ରହ୍ମପୁରରୁ ବସ ଯୋଗେ ହିଞ୍ଜିଳିକାଟୁ ଯାତ୍ରା କରିଥିଲେ । ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିବା ପରେ ବିଜିପୁର ଛକ ଦେଇ ପୁରୁଣା ବସଷ୍ଟାଣ୍ଡରେ ଏବଂ ସେଠାରୁ ବସଯୋଗେ ଆସିକାରୋଡ଼ ଦେଇ ହିଞ୍ଜିଳିକାଟୁ ଯିବା ଅନୁଭୂତି ତାଙ୍କରି ଆତ୍ମଜୀବନୀରେ ନିମ୍ନମତେ ବର୍ଣ୍ଣିତ :
 
ପ୍ରଥମେ ବ୍ରହ୍ମପୁର ଦେଖିଲି ୧୯୪୨-୪୩ ମସିହାରେ ।.... ସେତେବେଳେ ବ୍ରହ୍ମପୁର ସହର ବର୍ତ୍ତମାନ ଭଳି ନଥିଲା । ବହୁ ଛୋଟ ଥିଲା । ବର୍ତ୍ତମାନର ବିଜିପୁର ଛକଠାରୁ ଷ୍ଟେସନ ଯିବା ପାଇଁ ଯେଉଁ ରାସ୍ତାଟି ରହିଛି ତାର ଦକ୍ଷିଣ ପଟେ କୌଣସି ଘର ନଥିଲା । ଗୋସାଣିନୂଆ-ଗାଁ ପର୍ଯ୍ୟନ୍ତ ସବୁ ବିଲ ଥିଲା । ଗୋସାଣିନୂଆ-ଗାଁ ମଧ୍ୟ ମାତ୍ର ଦୁଇଗୋଟି ସାହୀ ଏବଂ ତାପରେ ସବୁ ବିଲ । ରେଳଷ୍ଟେସନ ପରେ ଆଉ କିଛି ଜନବସତି ନଥିଲା । କିଛି ଦୂରରେ ଥିଲା ଛୋଟ ଗାଁଟି ଲାଞ୍ଜିପଲ୍ଲୀ । ଏପଟେ କମାପଲ୍ଲୀ ଛକ ପରେ ଆଉ କିଛି ଘର ନଥିଲା । କେତୋଟି ରାଜାଙ୍କ ବଙ୍ଗଳା ଥିଲା । ବ୍ରହ୍ମପୁର ବାରାକ୍ସ ମଇଦାନଠାରୁ ବାହାରିଲେ ଖଲ୍ଲିକୋଟ ମହାବିଦ୍ୟାଳୟ ମଧ୍ୟରେ କେବଳ ଥିଲା ଧରାକୋଟ ବଙ୍ଗଳା, ଚର୍ଚ୍ଚ ଏବଂ ତାପଛରେ ସବୁ ବିଲ । ଗୋଟିଏ ସୁଦ୍ଧା ଘର ନଥିଲା । ... ଖଲ୍ଲିକୋଟ ମହାବିଦ୍ୟାଳୟଠାରୁ ବିଜିପୁର ଛକ ଭିତରେ ଦକ୍ଷିଣ ଦିଗରେ ଥିଲା ଦାମୋଦର ସାହୁ ବଙ୍ଗଳା, ଯେଉଁଠି ବର୍ତ୍ତମାନ ଲେଡିଜ ହଷ୍ଟେଲ ଅଛି । ତାପରେ ଟ୍ରେନିଙ୍ଗ ସ୍କୁଲ ଏବଂ ତାପରେ ଚର୍ଚ୍ଚ । ତାପରେ ମିଶନ ସ୍କୁଲ, ରାମକୃଷ୍ଣ ରଥଙ୍କ ଘର ଏକ ବିରାଟ ବିଲ ମଧ୍ୟରେ । ତାପରେ ହିଲପାଟଣାରେ କିଛି ବିକ୍ଷିପ୍ତ ଘର ଏବଂ ତାପରେ ରେଳ ଷ୍ଟେସନ, ଦକ୍ଷିଣରେ ସବୁ ବିଲ । ଏପରିକି ଦିନରେ ଯିବାକୁ ଭୟଲାଗେ । ସେଭଳି ସିଟି ହସପିଟାଲଠାରୁ ଆସିକା ରୋଡ଼ରେ ଗଲେ ଦୁଇପଟେ ଖାଲି ବିଲ । ଗୋଟିଏ ସୁଦ୍ଧା ଘର ନଥାଏ । ବହୁ ଦୂରରେ ମ୍ୟୁନସିପାଲ ସ୍କୁଲ ଏବଂ ତାଆଗରେ ଶଙ୍କରପୁର ସାହୀ ।
 
.... ବ୍ରହ୍ମପୁର ନଗରପାଳିକା ଆରମ୍ଭ ହୋଇଥିଲା କେତୋଟି ରାଜସ୍ୱ ଗ୍ରାମକୁ ନେଇ । ସେଗୁଡ଼ିକ ହେଲା ପୁରୁଣା ବ୍ରହ୍ମପୁର, ଶଙ୍କରପୁର, ଭାପୁର, ବିଜିପୁର, ବୈଦ୍ୟନାଥପୁର (କମାପଲ୍ଲୀ) ଓ ଗୋଇଲୁଣ୍ଡି । ୧୯୫୬ ମସିହାରେ ମିଶିଲା ହରିଡ଼ାଖଣ୍ଡି ଓ ଗୋସାଣିନୂଆ-ଗାଁ । (ପୃ. ୩୪)
 
ସେ ଅନ୍ୟତ୍ର ଉଲ୍ଲେଖ କରିଥିଲେ :
 
ଖଲ୍ଲିକୋଟ ମହାବିଦ୍ୟାଳୟ ଶତାଧିକ ବର୍ଷର ଅତି ପୁରାତନ ଅନୁଷ୍ଠାନ । ୧୮୫୬ ମସିହାରେ ମାନ୍ଦ୍ରାଜ ସରକାର ବ୍ରହ୍ମପୁରଠାରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ସ୍ଥାପନ କରିଥିଲେ । ତାର ନାମ ଥିଲା ଜିଲ୍ଲା ସ୍କୁଲଏହି ବିଦ୍ୟାଳୟଟି ୧୮୭୮ ମସିହାରେ ଦ୍ୱିତୀୟସ୍ତରୀୟ ମହାବିଦ୍ୟାଳୟ ରୂପେ ଉନ୍ନୀତ ହୋଇ ୧୮୮୮ ମସିହାରେ ଏକ ଘରୋଇ ସମିତି ଦ୍ୱାରା ପରିଚାଳିତ ହେବା ପାଇଁ ହସ୍ତାନ୍ତର କରାଯାଇଥିଲା । ଏହାକୁ ସେତେବେଳକୁ ନେଟିଭ କଲେଜ ବୋଲି କୁହାଯାଉଥିଲା । ବହୁ ଆର୍ଥିକ ଅନାଟନ ମଧ୍ୟରେ ଶିକ୍ଷା ଅନୁଷ୍ଠାନଟି ଗତି କରୁଥିଲାବେଳେ ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ, ଯେ କି ଓଡ଼ିଆ ଏକତା ଏବଂ ଓଡ଼ିଆ ସଂଗଠନ ବିଷୟ ଚ଼ିନ୍ତାକରି ୧୯୦୧ ମସିହାରେ ରମ୍ଭାଠାରେ ଏକ ଓଡ଼ିଆ ସମାବେଶ କରାଇଥିଲେ, ସେ ଏକ ଲକ୍ଷ ଟଙ୍କା ମହାବିଦ୍ୟାଳୟକୁ ଦାନ କରିବା ହେତୁ କିଛି ପରିମାଣରେ ମହାବିଦ୍ୟାଳୟର ଆର୍ଥିକ ଅବସ୍ଥା ସୁଧିରି ଯାଇଥିଲା । ୧୮୯୩ ମସିହାରୁ ଏହି ମହାବିଦ୍ୟାଳୟକୁ ଖଲ୍ଲିକୋଟ ମହାବିଦ୍ୟାଳୟ ବୋଲି ନାମକରଣ କରାଯାଇଥିଲା ।
 
ସେତେବେଳେ ମାନ୍ଦ୍ରାଜ ପ୍ରଦେଶସ୍ଥିତ ଗଞ୍ଜାମ ଜିଲ୍ଲାରେ ଖଲ୍ଲିକୋଟ ମହାବିଦ୍ୟାଳୟ ଏକମାତ୍ର ଉଚ୍ଚଶିକ୍ଷା କେନ୍ଦ୍ର ଥିଲା । ବହୁଳଭାବରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀମାନଙ୍କର ଆର୍ଥିକ ସ୍ୱଚ୍ଛଳତା ନଥିବା ହେତୁ ସେମାନେ ମାନ୍ଦ୍ରାଜ ଯାଇ ଉଚ୍ଚଶିକ୍ଷା ଲାଭ କରିପାରୁ ନଥିଲେ । ବିଶେଷ କରି ଏହି ମହାବିଦ୍ୟାଳୟ ଓଡ଼ିଆମାନଙ୍କୁ ଉଚ୍ଚଶିକ୍ଷା ସେବା ପ୍ରଦାନ କରିପାରିବ ଭାବି ଓଡ଼ିଆପ୍ରେମୀ ରାଜା ହରିହର ମର୍ଦ୍ଦରାଜ ଏହି ଦାନ ଘୋଷଣା କରିଥିଲେ । ତାଙ୍କୁ ଅନୁସରଣ କରି ଗଞ୍ଜାମ ଜିଲ୍ଲାର ରାଜନ୍ୟମଣ୍ଡଳୀ ମଧ୍ୟ କିଛି କିଛି ଅନୁଦାନ ଏହି ମହାବିଦ୍ୟାଳୟକୁ ପ୍ରଦାନ କରିଥିଲେ । (ପୃ: ୨୦)

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୩ ସେପ୍ଟେମ୍ୱର ୨୦୨୨/ ପୃଷ୍ଠା : ୨)