Friday, January 26, 2024

Night Market / ରାତ୍ରୀ ବଜାର

 

#ବ୍ରହ୍ମପୁର ୧୯୮୪ରେ ଏକ ସ୍ୱତନ୍ତ୍ର ପୋଲିସ ଜିଲ୍ଲାରେ ପରିଣତ ହେବା ପୂର୍ବରୁ ସହରର ଜନଜୀବନରେ ରାତ୍ରୀ ବଜାରର କାଟତି ଥିଲା । କେତେକ ଗହଳିଆ ଛକ, ମୁଖ୍ୟତଃ ବଡ଼ ବଜାର ଛକରେ ବିଳମ୍ୱିତ ରାତି ଯାଏଁ ଜଳଖିଆ ବଜାରରେ ଭିଡ଼ ଜମୁଥିଲା । ସହରରେ ୧୯୬୪ ଛାତ୍ର ଆନ୍ଦୋଳନ ପରଠାରୁ କ୍ରମଶଃ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ସଂଭାଳିବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲା ପ୍ରଶାସନକୁ ଦୁଇ ଭାଗ କରି ସ୍ୱତନ୍ତ୍ର ବ୍ରହ୍ମପୁର ପୋଲିସ ଜିଲ୍ଲା ଗଠନପରେ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ସେଥି ମଧ୍ୟରେ ରାତି ଦଶ ସୁଦ୍ଧା ଦୋକାନ ବଜାର ବନ୍ଦ ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ଜନ ସମାଗମ ବାରଣ କରାଗଲା । ଫଳରେ ବ୍ରହ୍ମପୁରର ରାତ୍ରୀ ବଜାର କ୍ରମଶଃ ସାଂଧ୍ୟ ବଜାରରେ ପରିବର୍ତ୍ତିତ ହୋଇଥିଲା ।

 

ଦେଶ ବିଦେଶରେ ରାତ୍ରୀ ବଜାର କେତେକ ସହରର ଆକର୍ଷଣ । ବ୍ରହ୍ମପୁର ପ୍ରାୟ ନଅ ଦଶକ ଧରି ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଶାସିତ ହୋଇଥିବା ହେତୁ ମାଡ୍ରାସ ନଗରୀର ଜୀବନଶୈଳୀରେ ପ୍ରଭାବିତ ହେବା ସ୍ୱାଭାବିକ । ମାଡ୍ରାସର ଟି-ନଗର ରାତ୍ରୀ ବଜାର ଦୀର୍ଘ ଅତୀତରୁ ଖ୍ୟାତ । ଏଠାରେ ଖାଦ୍ୟପେୟ ସାଙ୍ଗକୁ କପଡ଼ା ଓ ଗହଣା ମଧ୍ୟ ବିକ୍ରୀ ହୁଏ । ଦେଶରେ ଅନ୍ୟାନ୍ୟ ରାତ୍ରୀ ବଜାର ମଧ୍ୟରେ ମୁମ୍ୱାଇର ଗିରଗାଓଁ ଚୌପାଟୀ ଓ କ୍ରାଫୋର୍ଡ ମାର୍କେଟ, ଗୋଆର ଅଞ୍ଜୁନା ଫ୍ଳିଆ ମାର୍କେଟ, ହାଇଦରାବାଦର ଚାରମିନାର ବଜାର ତଥା ଦିଲ୍ଲୀର ସରୋଜିନୀ ନଗର ମାର୍କେଟ ଉଲ୍ଲେଖନୀୟ । ତେବେ ବ୍ରହ୍ମପୁରରେ ରାତ୍ରୀ ବଜାର କେବଳ ଅସ୍ଥାୟୀ ଜଳଖିଆ ଦୋକାନ ଦେଖିବାକୁ ମିଳୁଥିଲା ।

 

ବ୍ରହ୍ମପୁରର ପାଣିପାଗ  ସହରବାସୀଙ୍କ ଗଭୀର ରାତ୍ରୀ ଯାଏଁ ଉଜାଗର ଅଭ୍ୟାସ ସୃଷ୍ଟି କରିଥିଲା । ସହରରେ ମାର୍ଚ୍ଚରୁ ଅକ୍ଟୋବର ଆଠ ମାସ ଗରମ ଅନୁଭୂତ ହୁଏ । ବାୟୁମଣ୍ଡଳରେ ଆଦ୍ରତା ହେତୁ ଝାଳ ବହେ । ତେଣୁ ଗଭୀର ରାତ୍ରୀ ପୂର୍ବରୁ ନିଦ୍ରା ଯିବା ସଂଭବ ହୁଏ ନାହିଁ । ଏଥି ସହ ସାଧାରଣ ନାଗରିକ ବସବାସ କରୁଥିବା ଘରକୁ ଘର ଲାଗି ରହିଥିବା ଧାଡ଼ି ସାହିରେ ଚ଼ର୍ତୁଦିଗରୁ କବାଟ ଝରକାର ସୁବିଧା ନଥିବା ହେତୁ ବାୟୁ ଚଳାଚଳରେ ସମସ୍ୟା କାରଣରୁ ଅଧିକ ଗରମ ଅନୁଭୂତ ହୁଏ । ବୟସ୍କମାନେ ବାରଣ୍ଡାରେ ବସିବା ସହ ଯୁବକୁଳ ଆଖପାଖ ଅଞ୍ଚଳ ବୁଲାଚଲା କରିବାରେ ରାତିରେ କିଛି ସମୟ ଅତିବାହିତ କରନ୍ତି । କେବଳ ଛାତ୍ରଛାତ୍ରୀ ଅଧ୍ୟୟନରତ ଥାନ୍ତି ।

 

ବ୍ରହ୍ମପୁରରେ ୧୯୨୮ରୁ ସ୍ଥାୟୀ ପ୍ରେକ୍ଷାଳୟରେ ଚଳଚ଼ିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଦୈନିକ ଅନ୍ତତଃପକ୍ଷେ ତିନିଗୋଟି ଶୋ ହୁଏ । ମ୍ୟାଟନୀ, ଫାଷ୍ଟ ଶୋ ଓ ସେକଣ୍ଡ ଶୋଅତୀତରେ ଚଳଚ଼ିତ୍ରଗୁଡ଼ିକର ଅବଧି ତିନି ଘଣ୍ଟା ରହୁଥିବା ହେତୁ ଅପରାହ୍ନ ୩ରୁ ମ୍ୟାଟନୀ, ସଂଧ୍ୟା ୬ରୁ ଫାଷ୍ଟ ଶୋ ଓ ରାତ୍ରି ୯ରୁ ସେକେଣ୍ଡ ଶୋର ବ୍ୟବସ୍ଥା ରହୁଥିଲା । ସେକେଣ୍ଡ ଶୋ ମଧ୍ୟରାତ୍ରୀରେ ସରୁଥିଲା । ସହରର ଜନାକୀର୍ଣ୍ଣ ଅଞ୍ଚଳରେ ସେକେଣ୍ଡ ଶୋ ସରିବା ଯାଏଁ ରାସ୍ତାଘାଟରେ ଗହଳଚ଼ହଳ ଲାଗି ରହୁଥିଲା । ଛକ ଗୁଡ଼ିକରେ ସାଧାରଣ ପରିବହନ ସାଇକଲ ରିକ୍ସା ମିଳିଯାଉଥିଲା । ସେକେଣ୍ଡ ଶୋ ସରିବା ପରେ ରାତ୍ରୀ ବଜାର ବନ୍ଦ ହେଉଥିଲା ।

 

ବ୍ରହ୍ମପୁର ରାତ୍ରୀ ବଜାରରେ ଦକ୍ଷିଣ ଭାରତୀୟ ଜଳଖିଆ ଇଡ଼ଲି, ଉପମା, ଚକୁଳି, ଗାରି, ଭାଜି, ହାଲୁଆ ଇତ୍ୟାଦିର କାଟତି ଥିଲା । ଅଷ୍ଟମ ଦଶକ ଶେଷରେ ରାସ୍ତାକଡ଼ ଖାଦ୍ୟ ବଜାରରେ ଆମିଷ ଓ ଚାଇନିଜ ଅନ୍ତର୍ଭୁକ୍ତ ହେଲା । ସ୍ଥାନୀୟ ବାସିନ୍ଦାଙ୍କ ସହ ପର୍ଯ୍ୟଟକ କମ ଖର୍ଚ୍ଚରେ ସୁସ୍ୱାଦୁ ଭଳି-କି-ଭଳି ଗରମ ଖାଦ୍ୟ ପାଇଁ ରାତ୍ରୀ ବଜାରକୁ ପସନ୍ଦ କରୁଥିଲେ । ଚର୍ତୁଦ୍ଦିଗରୁ କାଚ଼ ବାଡ଼ରେ ଆବଦ୍ଧ ଟ୍ରଲି ରାତ୍ରୀ ବଜାରର ଦୃଷ୍ଟି ଆକର୍ଷଣକାରୀ ବିପ୍ପଣୀ । ଏଥିରେ ମୁଖ୍ୟତଃ ଖାରମପୁଷା (ସେଉ), ନରମ ଓ ଟାଣ ପକୋଡ଼ି, ଉଲ୍ଲିଗାରି (ପିଆଜ ବରା), ମସଲା ଗାରି (ମସଲା ବରା), ଶୁଖୁଲା ଆଳୁଦମ, ଭଜା ଆପଡାଲୁ (ପାମ୍ପଡ଼), ବୁନ୍ଦି, ହାଲୁଆ ଇତ୍ୟାଦି ବିକ୍ରୀ ହୁଏ । ଦୋକାନୀ ଟ୍ରଲି ଛାତରେ ଏକ ପିତ୍ତଳ ଘଣ୍ଟି ରଖିଥାଏ । ଗରାଖ ନିମନ୍ତ୍ରଣ ଲାଗି ବେଳେ ବେଳେ ଘଣ୍ଟି ବଜାଏ । କେହି କେହି ଏହାକୁ ମିଶା ପେଡ଼ି ନାମିତ କରିଥିଲେ । ମିଶା ପେଡ଼ିରେ ବିକ୍ରୀ ଖାଦ୍ୟ ପଦାର୍ଥ ପ୍ରତିଦିନ ତିଆରି ହୁଏ । ମିଶା ପେଡ଼ି ଭିତରେ ଏକ ପେଟ୍ରୋମାକ୍ସ ଲଣ୍ଠନ ଜଳୁଥିବା ହେତୁ ଖାଦ୍ୟ ସାମଗ୍ରୀ ସାମାନ୍ୟ ଗରମ ମଧ୍ୟ ରହେଦୋକାନୀ କାହାଳି ପତ୍ର (ଜଙ୍ଗଲରୁ ସଂଗୃହୀତ ହଳଦିଆ-ପାଉଁଶିଆ ରଙ୍ଗର ଏକ ଟାଣ ଶୁଖିଲା ପତ୍ର) କିମ୍ୱା କଞ୍ଚା ଶିଆଳିପତ୍ରରେ ଖାଦ୍ୟ ପରଷେ । କେତେକ କାଚ଼ ପେଡ଼ି ବିଭିନ୍ନ ସାହି ସନ୍ଧ୍ୟାରେ ବୁଲି ବିକେ । ଉତ୍କଳ, ଏସଏସଭିଟି, ବିଜୟା ଓ ଜ୍ୟୋତି ସିନେମା ସମ୍ମୁଖରେ ମଧ୍ୟ କାଚ଼ ପେଡ଼ି ଦେଖିବାକୁ ମିଳୁଥିଲା । ଜଳଖିଆ ପାଇଁ ସ୍ଥାୟୀ ଦୋକାନ ସଂଖ୍ୟା ବଢି ଯିବାରୁ ଅସ୍ଥାୟୀ ଦୋକାନ ସଂଖ୍ୟା କମି ଆସିଲା ।  ବିଗତ ଚାରି ଦଶକ ଧରି ବ୍ରହ୍ମପୁର ରାତ୍ରୀ ବଜାର କ୍ରମଶଃ ସାଂଧ୍ୟ ବଜାରରେ ପରିଣତ ହୋଇଛି ।

Image by Sharon Ang from Pixabay


Friday, January 19, 2024

Palm-beach Hotel / ପାମ ବିଚ଼ ହୋଟେଲ

 

#ବ୍ରହ୍ମପୁର ସହରବାସୀଙ୍କ ଚର୍ଚ୍ଚାରେ ବିଗତ ଶହେ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗୋପାଳପୁର ପାମ ବିଚ଼ ହୋଟେଲ ଏକ ସଂଭ୍ରାନ୍ତ ଠିକଣା । ପୁରାତନ ଗୋପାଳପୁର ସାମୁଦ୍ରିକ ବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଥିବା ଅବସରରେ ପ୍ରଥମ ବିଶ୍ୱଯୁଦ୍ଧ କାଳରେ ପାମ ବିଚ଼ ହୋଟେଲ ଆରମ୍ଭ ହୋଇଥିଲା । ମୁଖ୍ୟତଃ ରେଙ୍ଗୁନ ଯାତ୍ରୀ ଓ ରେଙ୍ଗୁନରୁ ରପ୍ତାନୀ ଓ ଆମଦାନୀରେ ସଂପୃକ୍ତ ବ୍ୟବସାୟୀଙ୍କ ସାମୟିକ ରହଣୀ ସ୍ଥଳୀ ପାଲଟିଥିଲା । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସ୍ନିଗ୍ନୋର ମାଗଲିଓନି ନାମକ ଜଣେ ଇଟାଲୀ ନାଗରିକ ପାମ ବିଚ଼ ହୋଟେଲ ନିର୍ମାଣ ଓ ପରିଚାଳନା କରୁଥିଲେ । କୁହାଯାଏ ଓଡ଼ିଶାରେ ଏହା ସର୍ବପୁରାତନ ହୋଟେଲ ଏବଂ ସାରା ଦେଶରେ ପ୍ରଥମ ବିଚ଼ ରିସୋର୍ଟ ।
 
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରେଙ୍ଗୁନରେ ରାଜନୀତିକ ଅସ୍ଥିରତା କାରଣରୁ ଆମଦାନୀ-ରପ୍ତାନୀ ତଥା ଦେଶାନ୍ତର ଶ୍ରମିକ ପ୍ରଥା ବାଧାପ୍ରାପ୍ତ ହେବା ପରେ ଜାହାଜ ଚଳାଚଳ ବନ୍ଦ ହୋଇ ଯାଇଥିଲା । ଫଳରେ ଗୋପାଳପୁର ବନ୍ଦର ଶୂନଶାନ ହୋଇ ପଡ଼ିଲା । ପାମ ବିଚ଼ ହୋଟେଲକୁ ମାଲିକ ବିକ୍ରୀ କରିଦେବା ନିମନ୍ତେ ମନସ୍ଥ ହୋଇଥିଲେ । ସିମଲା ଓ କୋଲକତାରେ ହୋଟେଲ ଚଳାଉଥିବା ଇଷ୍ଟ ଇଣ୍ଡିଆ ହୋଟେଲସର ମାଲିକ ଏମ୍.ଏସ୍. ଓବରାଇ ତିନି ଲକ୍ଷ ଟଙ୍କାରେ ୧୯୪୭ରେ ସିଗ୍ନୋର ମାଗଲିଓନିଙ୍କଠାରୁ କିଣି ନେଲେ । ଓବରାଇଙ୍କ ମାଲିକାନାରେ ପାମ ବିଚ଼ ହୋଟେଲର ପ୍ରତିପତ୍ତି ବଢ଼ିଥିଲା । କୋଲକତାର ସଂଭ୍ରାନ୍ତ ପରିବାରବର୍ଗ, ମୁଖ୍ୟତଃ ନବବିବାହିତମାନେ ମଧୁଚ଼ନ୍ଦ୍ରିକା ଯାପନ ନିମନ୍ତେ ହୋଟେଲର ଅତିଥି ହେବାକୁ ଲାଗିଲେ । ସୋଭିଏତ ୟୁନିୟନ ବିଭାଜିତ ହେବା ପୂର୍ବରୁ ବହୁ ଋଷୀୟ ପର୍ଯ୍ୟଟକ ମଧ୍ୟ ଆସୁଥିଲେ । ତେବେ ୧୯୯୯ର ମହାବାତ୍ୟାରେ ସମୁଦ୍ରତଟ ହୋଟେଲଟିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଓବରାଇ ଗୃପ ୨୦୦୨ରୁ ପାମବିଚ଼ ହୋଟେଲ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଥିଲେ । ଦିନ କେତେ ହୋଟେଲ ଲିଜରେ ଚଳାଇବା ନିମନ୍ତେ ଉଦ୍ୟମ ହୋଇଥିଲା, କିନ୍ତୁ ତାହା ସଫଳ ହେଲା ନାହିଁ । ଶେଷରେ ୨୦୧୧ରେ ଓଡ଼ିଶାର ଅନ୍ୟତମ ବୃହତ ହୋଟେଲ ବର୍ଗ ମେ-ଫେୟାର ଗୃପ ଦଶ କୋଟି ଟଙ୍କାରେ ଇଷ୍ଟ ଇଣ୍ଡିଆ ହୋଟେଲଠାରୁ କିଣି ନେଇଥିଲେ ।
 
ଇଟାଲୀର ସିସିଲି ଅଧିବାସୀ ସିଗ୍ନୋର ମାଗଲିଓନି ଗୋପାଳପୁରଠାରେ ପାମ ବିଚ ହୋଟେଲ ସ୍ଥାପନ କରିଥିବା ସ୍ଥଳେ କିଛି ବର୍ଷ ପୂର୍ବରୁ ଦୁଇଜଣ ଇଟାଲୀ ହୋଟେଲ ବ୍ୟବସାୟୀ ସିମଲାରେ ସିସିଲଗ୍ରାଣ୍ଡ ନାମରେ ଦୁଇଗୋଟି ହୋଟେଲ ଆରମ୍ଭ କରିଥିଲେ । ଓବରାଇ ସିମଲା ଓ କୋଲକତା ପରେ ଗୋପାଳପୁରରେ ହୋଟେଲ କିଣିଥିଲେ । ପାମବିଚ଼ ହୋଟେଲ ୧୨ ଏକର ପରିମିତ ଜମିରେ ଅବସ୍ଥିତ । ଏହାର ମୌଳିକ ସ୍ଥାପତ୍ୟ ଭୂ-ମଧ୍ୟସାଗରୀୟ ଛାପ ବହନ କରେ । ଅତୀତରେ ପାମ ବିଚ଼ ହୋଟେଲର ପରିବେଶ, ଧଳା ଆସବାବପତ୍ର, ଶାନ୍ତ ବିସ୍ତୀର୍ଣ୍ଣ ପ୍ରାଙ୍ଗଣ ବିଦେଶର ଭ୍ରମ ସୃଷ୍ଟି କରୁଥିଲା । ହୋଟେଲର ମାଲିକନା ଦୁଇ ଥର ପରିବର୍ତ୍ତିତ ହୋଇଥିଲେହେଁ ମୌଳିକ ଆଙ୍ଗିକକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ୟମ କରାଯାଇଥିବା କୁହାଯାଏ ।
 
ପାମ ବିଚ଼ ହୋଟେଲ ମେ-ଫେୟାର ପାମ ବିଚ଼ ରିସର୍ଟରେ ପରିବର୍ତ୍ତିତ ହେବା ପରେ ବ୍ୟାପକ ସଂପ୍ରସାରଣ ସଂଭବ ହୋଇଛି । ମୋଟ ୧୪୧ ଗୋଟି କଠୋରୀ ବିଶିଷ୍ଟ ହୋଟେଲରେ ପର୍ଯ୍ୟଟନ ଋତୁରେ ଭଡ଼ା ହାରାହାରି ଦୈନିକ ୧୨ରୁ ୧୬ ହଜାର ହିସାବ କରାଯାଏ । ପର୍ଯ୍ୟଟନ ଅଭିବୃଦ୍ଧିରେ ହୋଟେଲ କଠୋରୀ ସଂଖ୍ୟା ବୃଦ୍ଧି ମୁଖ୍ୟ ଭିତ୍ତିଭୂମି । କଠୋରୀ ନିର୍ମିତ ହେବାପରେ ପର୍ଯ୍ୟଟକ ଖୋଜାରେ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଏ । ପାରିପାର୍ଶ୍ୱିକ ପରିବେଶ ପର୍ଯ୍ୟଟନ ଉପଯୋଗୀ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ଯତ୍ନ ନିଆଯାଏ । ଗୋପାଳପୁରକୁ ଉଚ୍ଚବର୍ଗର ପର୍ଯ୍ୟଟକ ଆଗମନରେ ଗୋପାଳପୁର ସମେତ ବ୍ରହ୍ମପୁରରେ ବ୍ୟାବସାୟିକ ଉନ୍ନତି ଆଶା କରାଯାଇପାରେ । ଗୋପାଳପୁର ବନ୍ଦର ସହରରୁ ପର୍ଯ୍ୟଟନ ସହର ରୂପାନ୍ତରଣରେ ପାମ ବିଚ଼ ହୋଟେଲପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ।

Image by Quang Nguyen vinh from Pixabay


Friday, January 12, 2024

Swachh Survekshan 2023 / ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩

 

ଜାତୀୟସ୍ତରରେ ସ୍ୱଚ୍ଛ ସର୍ବେକ୍ଷଣ ବିବରଣୀ ୨୦୨୩ରେ #ବ୍ରହ୍ମପୁର ପୌର ନିଗମର ସ୍ଥିତି ପଛୁଆ ରହିଥିବା ହେତୁ ଗଣମାଧ୍ୟମରେ ସମାଲୋଚ଼ିତ ହୋଇଥିଲା । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୨୦୧୬ରୁ ଦେଶବ୍ୟାପୀ ବାର୍ଷିକ ସହରାଞ୍ଚଳ ସ୍ୱଚ୍ଛ ସର୍ବେକ୍ଷଣ ଆୟୋଜିତ ହୋଇଥାଏ । ପ୍ରକାଶିତ ୨୦୨୩ ବିବରଣୀରେ ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ସ୍ୱଚ୍ଛତା ସମୀକ୍ଷାରେ ବ୍ରହ୍ମପୁରର ସ୍ଥାନ ୧୧୧ ନିର୍ଦ୍ଧାରିତ ହୋଇଛି । ରାଜ୍ୟସ୍ତରରେ ଚ଼ତୁର୍ଥ ସ୍ଥାନ ଅଧିକାର କରିଛି । ସମାଲୋଚକମାନଙ୍କ ଯୁକ୍ତି ହେଲା ୨୦୧୯ରେ ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟରେ ରାଜ୍ୟସ୍ତରରେ ବ୍ରହ୍ମପୁର ପ୍ରଥମ ସ୍ଥାନ ଅଧିକାର କରିଥିଲା । ୨୦୨୦ ଓ ୨୦୨୧ରେ ମଧ୍ୟ ପ୍ରଥମ ସ୍ଥାନ ବଜାୟ ରହିଥିଲା । ଜାତୀୟସ୍ତରରେ ବ୍ରହ୍ମପୁର ୨୦୨୦ରେ ୮୯ତମ ସ୍ଥାନ ଓ ୨୦୨୧ରେ ୫୬ ତମ ସ୍ଥାନରେ ପହଞ୍ଚିଥିଲା । କିନ୍ତୁ ୨୦୨୨ରେ ରାଜ୍ୟସ୍ତରରେ ଚ଼ତୁର୍ଥ ସ୍ଥାନକୁ ଖସି ଆସିଥିଲା । ତେଣୁ ସହରର ପରିମଳ ବ୍ୟବସ୍ଥା ସୁଚାରୁରୂପେ ପରିଚାଳନା ହୋଇପାରୁ ନାହିଁ ।
 
ସମାଜତତ୍ତ୍ୱବିତମାନେ ସହରାଞ୍ଚଳ ସ୍ୱଚ୍ଛ ସର୍ବେକ୍ଷଣ ପଦ୍ଧତି ତୃଟିପୂର୍ଣ୍ଣ ବିବେଚ଼ନା କରିଥାନ୍ତି । ସେମାନଙ୍କ ମତରେ ସ୍ୱଚ୍ଛତା ପରିମାପରେ ଉପଭୋକ୍ତାଙ୍କ ସନ୍ତୁଷ୍ଟି ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ । ପୌର ନିଗମର ମୂଳ ଉଦ୍ଦେଶ୍ୟ ନାଗରିକଙ୍କୁ ସେବା ଯୋଗାଇବା । ପ୍ରତ୍ୟେକ ପୌର ନିଗମର ସେବା କ୍ଷେତ୍ରରେ ସଂପୃକ୍ତ ସହରାଞ୍ଚଳର ନାଗରିକଗଣ କେତେଦୂର ଉପକୃତ ହେଉଛନ୍ତି ବା ସନ୍ତୋଷ ପ୍ରକଟ କରୁଛନ୍ତି ତାହା ହିଁ ସ୍ୱଚ୍ଛତାର ପରିମାପ । ତେବେ ପୌର ନିଗମର ସ୍ୱଚ୍ଛତା କାର୍ଯ୍ୟକ୍ରମ କେତେଦୂର ଉପଭୋକ୍ତା-କେନ୍ଦ୍ରୀକ ହୋଇପାରୁଛି, ତାହା ମପା ଯାଇ ନପାରିଲେ ଆଳଙ୍କରିକ ପରିସଂଖ୍ୟାନରେ ପ୍ରତିଫଳିତ ହୋଇନଥାଏ । ସହରର ସାଧାରଣ ନାଗରିକଟିଏ ଯଦି ପରିମଳ ସଂକ୍ରାନ୍ତୀୟ କୌଣସି ସମସ୍ୟା ବା ଅବହେଳାର ଶୀକାର ହେଉଛି, ତାହା ସର୍ବସାଧାରଣରେ ପ୍ରକାଶ କରିବାର ସୁଯୋଗ ପାଇବା ଏବଂ ପୌର ନିଗମ କର୍ତ୍ତୃପକ୍ଷ କଣ ସମାଧାନ କରିପାରୁଛନ୍ତି ତାହା ସାର୍ବଜନୀନସ୍ତରରେ ଘୋଷିତ ହେଲେ ସହରର ସ୍ୱଚ୍ଛତା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସଂଭବ । ଆଧୁନିକ ପ୍ରଯୁକ୍ତି କୌଶଳ ପ୍ରୟୋଗରେ ସାଧାରଣ ସୋସିଆଲ ମିଡ଼ିଆ ଉପଯୋଗରେ ଏହି ଭଳି ଦ୍ୱିପାକ୍ଷିକ ମଞ୍ଚ ପ୍ରସ୍ତୁତି ସଂଭବ ଥିବା ସ୍ଥଳେ ଅଣଦେଖା କରାଯାଇଥାଏ । ପୌର ନିଗମ ୱେବସାଇଟରେ ନାଗରିକ ଅଭିଯୋଗ ଦରଜ କଲେ ତାହା ସାର୍ବଜନୀନ ଦୃଶ୍ୟମାନ ହୋଇପାରି ନଥାଏ କିମ୍ୱା ସମାଧାନର ପ୍ରତ୍ୟୁତ୍ତର ମିଳିନଥାଏ ।
 
କେତେକ ଗଣମାଧ୍ୟମ ରିପୋର୍ଟରେ ବ୍ରହ୍ମପୁର ପୌର ନିଗମର ସ୍ୱଚ୍ଛତା ପରିମାପରେ ର୍ୟାଙ୍କ ହ୍ରାସ ନିମନ୍ତେ ପରିମଳ ସଜାଡ଼ିବା ଲାଗି ଠିକା ଘରୋଇ ସଂସ୍ଥା ପଦ୍ଧତିକୁ ତୃଟିପୂର୍ଣ୍ଣ ଦର୍ଶାଇଥିଲେ । ଦେଶବ୍ୟାପୀ ପୌର ସେବା ଘରୋଇକରଣ ଜାରୀ ରହିଛି ଏବଂ ବିଭିନ୍ନ କାରଣରୁ ଭବିଷ୍ୟତରେ ମଧ୍ୟ ସଂପ୍ରସାରିତ ହେବ । ପ୍ରଶ୍ନ ଉଠେ, ସହରର ପରିମଳ ବ୍ୟବସ୍ଥା ଘରୋଇକରଣପରେ ଆବର୍ଜନା ନିଷ୍କାସନ ଓ ପ୍ରକ୍ରିୟାକରଣ ଦିଗରେ କାର୍ଯ୍ୟଦକ୍ଷତାରେ କିପରି ଗୁଣାତ୍ମକ ଅଭିବୃଦ୍ଧି ସଂଭବପର । ସାଧାରଣ ବିଚାରରେ ଉପଭୋକ୍ତାଙ୍କ ସମୀକ୍ଷା ପ୍ରତି ପୌର ନିଗମ କର୍ତ୍ତୃପକ୍ଷ ପ୍ରାଥମିକତା ଦେବାକୁ ପଡ଼ିବ । ଉଦାହରଣରେ କୌଣସି ଅଞ୍ଚଳରେ ଆବର୍ଜନା ଠୁଳ କରିବା ପରେ ତାହା ପ୍ରକ୍ରିୟାକରଣ ସ୍ଥଳୀକୁ ସ୍ଥାନାନ୍ତରିତ କରିବା ପରିବର୍ତ୍ତେ ନିଆଁ ଲଗାଇ ଦିଆଯାଉଛି । ଏକଥା ସଂପୃକ୍ତ ଅଞ୍ଚଳର ଜନସାଧାରଣ ଜାଣନ୍ତି । ସେମାନେ ପୌରନିଗମକୁ ଜଣାଇଲେ ଯଦି ସଙ୍ଗେ ସଙ୍ଗେ ସରଜମିନ ତଦନ୍ତ କରି ଦୋଷୀକୁ ଖୋଜା ଯାଆନ୍ତା, ତେବେ ଦିନ କେତେଟାରେ ସମସ୍ୟାର ସ୍ଥାୟୀ ସମାଧାନ ସଂଭବପର ହୁଅନ୍ତା । ତଥ୍ୟ ସାର୍ବଜନୀନ ମଞ୍ଚରେ ସ୍ଥାନୀତ ହେଲେ ଅସାଧୁ ଠିକାଦାର ବା କର୍ମଚାରୀ କେହି ଖସିଯାଇପାରନ୍ତେ ନାହିଁ । ଏହି ଭଳି ବହୁ ନାଗରିକ ସମସ୍ୟା ଉପଲବ୍ଧ ପ୍ରଯୁକ୍ତି କୌଶଳ ଉପଯୋଗରେ ସଂଭବ । କିନ୍ତୁ ଏ ଦିଗରେ କିଏ ଦୃଷ୍ଟି ଦେଉଛି ?
 
ବଡ଼ ସହରଗୁଡ଼ିକରେ ସ୍ଥାନୀୟ ସ୍ୱଚ୍ଛତା ପ୍ରତି ନାଗରିକ ସମାଜ ଗୁଡ଼ିକ ତତ୍ପର । ରାଜ୍ୟସ୍ତରୀୟ ଓ ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣ ଭଳି ଉତ୍ସାହୀ ସହରବାସୀ ସାମୟିକଭାବେ ଲିଖିତ ଆକାରରେ ବେସରକାରୀ ସ୍ୱଚ୍ଛତା ରିପୋର୍ଟ ପ୍ରସ୍ତୁତ କରନ୍ତି । ସ୍ଥାନୀୟ ଗଣମାଧ୍ୟମରେ ତାହା ଚର୍ଚ୍ଚା ହୁଏ । ଅବଶ୍ୟକସ୍ଥଳେ ନ୍ୟାୟିକ ପଦକ୍ଷେପ ମଧ୍ୟ ନିଆଯାଏ । ହୁଏତ ବ୍ରହ୍ମପୁର ସେହି ସ୍ତରର ନାଗରିକ ସଂପୃକ୍ତି ସିଟିଜେନ ଏଙ୍ଗେଜମେଣ୍ଟରେ ପହଞ୍ଚିବା ନିମନ୍ତେ ଆହୁରି ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ !


Image by Andreas Lischka from Pixabay


Friday, January 5, 2024

Early Guests in Chilika / ଚିଲିକାରେ ଆଗୁଆ ଅତିଥି

 

#ବ୍ରହ୍ମପୁର ନିକଟବର୍ତ୍ତୀ ଚ଼ିଲିକା ହ୍ରଦରେ ପ୍ରତିବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପକ୍ଷୀଗଣନା କାର୍ଯ୍ୟକ୍ରମ ସରକାରୀସ୍ତରରେ ଆୟୋଜିତ ହୁଏ । ଚଳିତ ୨୦୨୪ର ବାର୍ଷିକ ପକ୍ଷୀଗଣନା ୪ ଜାନୁୟାରୀରେ ସମ୍ପନ୍ନ ହୋଇଥିଲା । ଏଥିଲାଗି ୨୧ ଗୋଟି ଦଳରେ ୧୩୦ ଜଣ ଗଣନାକାରୀଙ୍କୁ ସାମିଲ କରାଯାଇଥିଲା । ବଡ଼ି ସକାଳ ୬ରୁ ମଧ୍ୟାହ୍ନ ୧୨ ଯାଏଁ ପରିବ୍ୟାପ୍ତ ପକ୍ଷୀଗଣନାରେ ପ୍ରାୟ ୧୧ ଲକ୍ଷ ୩୮ ହଜାର ପକ୍ଷୀଙ୍କୁ ଠାବ କରାଯାଇଥିଲା । ଏମାନଙ୍କ ମଧ୍ୟରେ ସ୍ଥାନୀୟ ବାସିନ୍ଦା ଓ ବିଦେଶାଗତ ପକ୍ଷୀ ସାମିଲ । ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ସ୍ଥାନୀୟ ବାସିନ୍ଦା ପକ୍ଷୀଙ୍କ ସଂଖ୍ୟା ୭୯ ପ୍ରଜାତିର ପ୍ରାୟ ୩୯ ହଜାର ଥିବା ସ୍ଥଳେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ୧୦୮ ପ୍ରଜାତିର ପ୍ରାୟ ଏଗାର ଲକ୍ଷ । ଶୀତ ଋତୁରେ ଚିଲିକାକୁ ସୁଦୂର ସାଇବେରିଆ, କାଜଗିସ୍ଥାନ, ବୈକାଲ ହ୍ରଦ, କାସ୍ପିଆନ ସାଗର, ଉତ୍ତର ୟୁରୋସିଆ ତଥା ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରୁ ଦେଶାନ୍ତରୀ ପକ୍ଷୀ ଚିଲିକା ଆସିଥାନ୍ତି । କୁହାଯାଏ ଯେ ଉତ୍ତର ଗୋଲାର୍ଦ୍ଧରେ ପ୍ରବଳ ଶୀତ ଓ ଆହାର ଅଭାବରୁ ପକ୍ଷୀମାନେ ହଜାର ହଜାର କିଲୋମିଟର ଅତିକ୍ରମ କରି ଅପେକ୍ଷାକୃତ ଉଷ୍ମ ଓ ମତ୍ସ୍ୟ ସମ୍ପଦ ଭରପୁର ଚିଲିକା ହ୍ରଦରେ ଋତୁଭିତ୍ତିକ ଅତିଥି ସାଜିଥାନ୍ତି ।
 
ଚିଲିକାରେ ଏକ, ଦୁଇ, ତିନି ହିସାବ କରି ପକ୍ଷୀ ଗଣନା ହୁଏନି । ସ୍ୱତନ୍ତ୍ର ଦୂରବୀକ୍ଷଣ ଯନ୍ତ୍ର ବାଇନାକୂଲରଭଳି ଯନ୍ତ୍ରର ପରିଧିରେ ଯେତିକି ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳନ୍ତି ତାହାର ଗଣନା ସଂପ୍ରସାରିତ ଅଞ୍ଚଳ ହିସାବକୁ ନେଇ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ । ଏହା ପକ୍ଷୀ ସଂଖ୍ୟା ଆକଳନ ନିମନ୍ତେ ସ୍ୱୀକୃତି ପ୍ରାପ୍ତ ବୈଜ୍ଞାନିକ ଧାରା । ଏହି ଯନ୍ତ୍ର ବ୍ୟବହାର ସଂପର୍କରେ ପକ୍ଷୀଗଣନାକାରୀଙ୍କୁ ପୂର୍ବରୁ ତାଲିମ ପ୍ରଦାନ କରାଯାଏ ।
 
ଚିଲିକା ପକ୍ଷୀ ଗଣନାରେ ୨୦୨୩ ତୁଳନାରେ ୨୦୨୪ରେ ପ୍ରାୟ ପାଞ୍ଚ ହଜାର ୮୦୦ ବଢ଼ିଥିବା ଜଣାଯାଇଛି । ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଷୟ ଏହିଯେ ବିଗତ କିଛି ବର୍ଷ ଧରି ବିଦେଶାଗତ ପକ୍ଷୀମାନେ ଅତୀତ ତୁଳନାରେ ସଅଳ ଆସି ଚିଲିକାରେ ପହଞ୍ଚୁଛନ୍ତି । ଉଦାହରଣରେ ୭ ଅକ୍ଟୋବର ୨୦୨୩ରେ ଚିଲିକାର ନଳବଣ ଅଞ୍ଚଳରେ ପ୍ରାୟ ୫୦ ଗୋଟି ଦେଶାନ୍ତରୀ ପକ୍ଷୀ ଠାବ କରାଯାଇଥିଲା । ପୂର୍ବ ବର୍ଷ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବିଦେଶୀ ପକ୍ଷୀ ଆସିଥିଲେ । ବିଶେଷଜ୍ଞମାନେ ଏହି ପରିବର୍ତ୍ତନ ପଛରେ ଉତ୍ତର ଗୋଲାର୍ଦ୍ଧରେ ସଅଳ ଶୀତ ପଡୁଥିବା, ଖାଦ୍ୟ ଅଭାବ ଦେଖାଦେଉଥିବା ତଥା ଚଳିତ ବର୍ଷ ଉତ୍ତରାଖଣ୍ଡ ଓ ସିକିମରେ ବନ୍ୟା ବିତ୍ପାତ ଭଳି କାରଣକୁ ଦାୟୀ କରିଥାନ୍ତି । ଆଶ୍ଚର୍ଯ୍ୟର ବିଷୟ ଦେଶାନ୍ତରୀ ପକ୍ଷୀଙ୍କ ପ୍ରଥମ ଦଳ ଚିଲିକା ପହଞ୍ଚିଲା ବେଳକୁ ଏଠାକାର ତାପମାତ୍ରା ୩୩ରୁ ୩୫ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ ମାପ କରାଯାଉଥିଲା । ସାଧାରଣରେ ମାର୍ଚ୍ଚ ମାସ ସୁଦ୍ଧା ହ୍ରଦର ତାପମାତ୍ରା ୪୦ ଡ଼ିଗ୍ରୀ ସେଣ୍ଟିଗ୍ରେଡ଼ରେ ଛୁଇଁବା ବେଳକୁ ଦେଶାନ୍ତରୀ ପକ୍ଷୀମାନେ ଚିଲିକାରୁ ନିଜ ବାସସ୍ଥଳ ଅଭିମୁଖେ ଫେରିଯାଇଥାନ୍ତି । ବିଦେଶାଗତ ପକ୍ଷୀ ଗରମ ସହି ପାରନ୍ତି ନାହିଁ ।
 
ଶୀତଋତୁରେ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ମଧ୍ୟରୁ ପଲେ ଦି ପଲ ଋଷିକୂଲ୍ୟା ମୁହାଣ, ସୁରଳ, ସୁମାଣ୍ଡି ଓ ସୋନପୁର ବେଳାଭୂମିରେ ପହଞ୍ଚନ୍ତି । ଚଳିତ ବର୍ଷ ୧୦ ଜାନୁୟାରୀ ୨୦୨୪ରୁ ତିନି ଦିନ ବ୍ୟାପୀ ବ୍ରହ୍ମପୁର ବନଖଣ୍ଡରେ ପକ୍ଷୀ ଗଣନା କରାଯିବ ।
 
ଚିଲିକା ହ୍ରଦରେ ଅକ୍ଟୋବରରୁ ମାର୍ଚ୍ଚ ଯାଏଁ ଛଅ ମାସ ପ୍ରାୟ ଏଗାର ଲକ୍ଷ ବିଦେଶାଗତ ପକ୍ଷୀ ଅବସ୍ଥାନ କରୁଥିବା ଘଟଣାକ୍ରମକୁ ଏକ ଲୋଭନୀୟ ପର୍ଯ୍ୟଟନ ବିଭବ ଭାବେ ଗ୍ରହଣ କରାଯାଇପାରେ । ତେବେ ତଦ୍ଅନୁରୂପ ପର୍ଯ୍ୟଟକଙ୍କ ଭିଡ଼ ଜମି ପାରୁନଥିବା କ୍ଷୋଭର ବିଷୟ । ହୁଏତ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂପର୍କରେ ଆବଶ୍ୟକୀୟ ପ୍ରଚାରପ୍ରସାର ହୋଇପାରୁନାହିଁ, ପର୍ଯ୍ୟଟନ ବିକାଶଲାଗି ସମକାଳରେ ଆଦୃତ ପନ୍ଥା ପ୍ରଯୋଜନା କରାଯାଇପାରୁ ନାହିଁ କିମ୍ୱା ପର୍ଯ୍ୟଟନର ଉନ୍ନତି ଲାଗି ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣଙ୍କ ଉଚ଼ିତ ଭାଗିଦାରୀ ଆୟୋଜନ କରାଯାଇ ପାରୁନାହିଁ । ପ୍ରାୟ ଏଗାର ଶହ ବର୍ଗ କିଲୋମିଟର ପ୍ରସାରିତ ଚିଲିକା ହ୍ରଦ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଅଂଶବିଶେଷ । ତେବେ ପୁରୀ ଓ ଭୁବନେଶ୍ୱର ବାଦେ ବ୍ରହ୍ମପୁର ନିକଟତମ ବଡ଼ ସହର ହୋଇଥିବା ହେତୁ ଚିଲିକା ପର୍ଯ୍ୟଟନରେ ବ୍ରହ୍ମପୁରର ଯୋଗଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।


Image by Bishnu Sarangi from Pixabay