Friday, October 30, 2020

A tradition of gambling / ଜୁଆ ପରମ୍ପରା




#ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାରେ କୁମାର ପୂର୍ଣ୍ଣିମା ଅବସରରେ ଗୋଷ୍ଠୀବଦ୍ଧ ତାସ ଖେଳର ଜୁଆ ଆଡ୍ଡା ଦୌରାତ୍ମ୍ୟକୁ ରୋକିବା ନିମନ୍ତେ ସ୍ଥାନୀୟ ପୋଲିସର ପାରମ୍ପରିକ ଚଢାଉ ଚଳିତ ବର୍ଷ ୨୦୨୦ରେ ଇଣ୍ଡିଆନ ପ୍ରିମିୟର ଲିଗ ସଟ୍ଟାବାଜି ଆଡ଼କୁ ଢଳିଥିବା ସହରରେ ଜୁଆଖେଳର ପରିବର୍ତ୍ତିତ ପରିବେଶର ସୂଚନା ଦେଇଥାଏ । 'ଆଇପିଏଲ ବେଟିଂକୁ ନେଇ ସୂଚନା ଥିବା ସତ୍ତ୍ୱେ ମୁଖ୍ୟତଃ ମୋବାଇଲ ଫୋନ ଓ ଡାର୍କ ଆପ ବ୍ୟବହାର କରି ବୁକି କିମ୍ୱା ଜୁଆଡି ପୋଲିସର ଜାଲରେ ପଡୁ ନଥିବା ହେତୁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା ।

ଧାର୍ମିକ ତଥା ଲୌକିକ ରୀତି ଅନୁଯାୟୀ କୁମାର ପୂର୍ଣ୍ଣିମା ରାତିରେ କଉଡ଼ି ଖେଳ ପ୍ରଥା କ୍ରମେ କୁମାର ପୂର୍ଣ୍ଣିମା ଆଗପଛ ଦୁଇ ମାସ ଧରି ଜୁଆ ଖେଳର ସୁଯୋଗ ସୃଷ୍ଟି କରିଥାଏ । ମୁଖ୍ୟତଃ ଗଣେଶ ପୂଜା ପରଠାରୁ ଦୀପାବଳୀ ପର ଯାଏଁ ଜୁଆ ଖେଳ ଲାଗି ରହେ । କୃଷିପଞ୍ଜିକା ଅନୁଯାୟୀ ଗଣେଶ ପୂଜା ବେଳକୁ ଜମିରେ ଚାଷ, ରୁଆ କାମ ସରି ଆସିଥାଏ । ଫଳରେ କୃଷିଜୀବୀମାନଙ୍କ ପାଇଁ ଅବସର ସମୟ ସୃଷ୍ଟି ହୋଇଥାଏ । ମାର୍ଗଶୀରରେ ଫସଲ କଟା ଯାଏଁ ପର୍ବପର୍ବାଣୀ ଆୟୋଜନ ଓ ମଉଜ ମଜଲିସରେ ସମୟ କଟେକଥା ହେଲା, ଅତୀତରେ ମନୋରଞ୍ଜନ ପାଇଁ ସାଧନ ଅଭାବରୁ ଗ୍ରାମାଞ୍ଚଳରେ ତାସଖେଳରେ ଅବସର ବିନୋଦନ ସମକାଳରେ ମନୋରଞ୍ଜନର ଭରପୁର ସୁଯୋଗ ସତ୍ତ୍ୱେ ଜୁଆଖେଳରୁ ମୁକ୍ତି ମିଳିପାରି ନାହିଁ ।

ବିଶେଷଜ୍ଞଙ୍କ ମତରେ ଜୁଆଖେଳର ମାଦକତା ଜୁଆଡ଼ିମାନଙ୍କୁ ଆକୃଷ୍ଟ କରିଥାଏ । ସଭ୍ୟତାର ବିକାଶ ସଙ୍ଗେ କ୍ରୀଡ଼ାଠାରୁ ଆରମ୍ଭକରି ରାଜନୀତିକ ନିର୍ବାଚ଼ନ ଓ ବିଗବଜେଟ ଚଳଚ଼ିତ୍ରର ବକ୍ସ ଅଫିସ ସମସ୍ତ ଧରଣର ହରାଜିତାକୁ ଧରି ଜୁଆରେ ବାଜି ଲାଗୁଛି । ଜୁଆ ଖେଳ ପରିଧିରେ ଥରେ ସାମିଲ ହୋଇଗଲେ ଏଡିକସନ ମାନସିକତା କାରଣରୁ ସହଜରେ ମୁକୁଳିବା ସଂଭବ ହୋଇପାରିନଥାଏ । ଜୁଆଖେଳ ଆମ ଦେଶରେ ଆଇନତଃ ଅପରାଧ । କେତେକ ରାଷ୍ଟ୍ରରେ ସ୍ଥାନୀୟ ସରକାର ଚ଼ଢ଼ା ଦରରେ ଟିକସ ଆଦାୟକରି ବିଭିନ୍ନ ଧରଣର ଜୁଆଖେଳକୁ ପ୍ରଶ୍ରୟ ଦେଇଥାନ୍ତି । ତେବେ ଭର୍ଚୁଆଲ ପରିବେଶର ବ୍ୟାପ୍ତିପରେ ଜୁଆଖେଳ ପାଇଁ କଟକଣା ଏଡ଼ଇଦେବା ନିମନ୍ତେ ଡାର୍କ ୱେବ ଓ ଡାର୍କ ଆପଗୁଡ଼ିକ ସୁଯୋଗ ସୃଷ୍ଟି କରିଛି । ଖେଳର ପରିସୀମା ସହର, ରାଜ୍ୟ, ରାଷ୍ଟ୍ର ଡ଼େଇଁ ଆନ୍ତର୍ଜାତିକସ୍ତରକୁ ଲମ୍ୱି ପାରୁଛି ।

ବ୍ରହ୍ମପୁରରେ ଜୁଆଖେଳ ଦୀର୍ଘ ଅତୀତର ପରମ୍ପରା । ପ୍ରଥମତଃ, ବ୍ରହ୍ମପୁର ମୂଳରୁ ଏକ ବାଣିଜ୍ୟ ପେଣ୍ଠ ରୂପେ ବିକଶିତ ହୋଇଥିବା ଏବଂ ଅବିଭକ୍ତ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶା ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ବ୍ୟବସାୟୀମାନେ ସହରରେ ପହଞ୍ଚୁଥିବା ହେତୁ ସେହିଭଳି ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳବର୍ଗଙ୍କ ମନୋରଞ୍ଜନ ସକାଶେ ଜୁଆଖେଳର ପ୍ରଭାବ ବଢ଼ିଥିବା ବିଶ୍ୱାସ କରାଯାଇପାରେ । କୁହାଯାଏ ଯେ ଭାରତ ସ୍ୱାଧୀନ ହାସଲ କରିବା ବେଳକୁ ବଜାର ଅଞ୍ଚଳରେ କ୍ରମବିକଶିତ ଜୁଆଖେଳ ବର୍ଷତମାମ ଲାଗିରହୁଥିଲା । ସହରକୁ କିଣାବିକା ଉଦ୍ଦେଶ୍ୟରେ ପହଞ୍ଚୁଥିବା ଗ୍ରାମାଞ୍ଚଳ ବ୍ୟବସାୟୀମାନେ ଜୁଆଖେଳରେ ବହୁ ଅର୍ଥ ହରାଉଥିଲେ । ଫଳରେ ସ୍ଥାନୀୟ ବ୍ୟବସାୟ ପ୍ରଭାବିତ ହେବାକୁ ଲାଗିଲା । ସାନବଜାର ଓ ହନୁମାନ ବଜାରର ପ୍ରତିଷ୍ଠିତ ବ୍ୟବସାୟୀମାନେ ଏହି ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ ଲାଗି ଏକ ପାଣ୍ଠି ସୃଷ୍ଟି କରିଥିଲେ ଏବଂ ପ୍ରତ୍ୟେକ ଦୋକାନୀ ପ୍ରତିଦିନ କିଛି ଅର୍ଥ ଚାନ୍ଦା ଆକାରରେ ଦେଉଥିଲେ । ବ୍ୟବସାୟୀ ମହଲରେ ଦାବୀ ପରେ କଡ଼ା ପ୍ରଶାସନିକ ପଦକ୍ଷେପ ହେତୁ ଜୁଆର ପ୍ରକୋପ ବନ୍ଦ ହୋଇଥିଲା ।

ଦ୍ୱିତୀୟତଃ, ଊନବିଂଶ ଶତାଦ୍ଦୀର ଶେଷାର୍ଦ୍ଧରେ ଗୋପାଳପୁର ବନ୍ଦର ଯୋଗେ ନିୟମିତ ରେଙ୍ଗୁନକୁ ଜାହାଜ ଯାତ୍ରା ଓ ବିଂଶ ଶତାଦ୍ଦୀ ପ୍ରାରମ୍ଭରେ ରେଳପଥ ସଂଯୋଗ ସୁଯୋଗ ଗ୍ରହଣ କରି ଗଞ୍ଜାମ ଜିଲ୍ଲାରୁ ବହୁ ସଂଖ୍ୟକ ଶ୍ରମିକ ଦେଶାନ୍ତର ଗମନ କରୁଥିଲେ । ଯିବାଆସିବା ଅବସରରେ ବ୍ରହ୍ମପୁରରେ କିଛି ସମୟ ଅତିବାହିତ କଲାବେଳେ ଜୁଆ ଖେଳ ଭଳି ମନୋରଞ୍ଜନରେ ସାମିଲ ହେବା ଅଭ୍ୟାସ କ୍ରମଶଃ ବୃଦ୍ଧି ପାଇଥିଲା । ବଜାର ସାଙ୍ଗକୁ ରେଳଷ୍ଟେସନ ଓ ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳରେ ଅତୀତରେ ଜୁଆ ଆଡ୍ଡା ଦୀର୍ଘଦିନ ଧରି ସକ୍ରିୟ ରହିଥିବା ଶୁଣାଯାଏ ।

ତୃତୀୟତଃ, ଜୁଆ ଖେଳ ଆୟୋଜନକୁ କେତେକ ଏକ ବ୍ୟବସାୟ ରୂପେ ଗ୍ରହଣ କରିନେଉଥିବା ହେତୁ ଜୁଆଡ଼ି ସଂଗ୍ରହ, ଖେଳ ପରିଚାଳନା ଓ ପ୍ରତିରକ୍ଷା ବୃତ୍ତିଗତ ଧାରାରେ ସମାହିତ ହୋଇଥାଏ । ବାସଗୃହମାନଙ୍କରେ କୁମାରପୂର୍ଣ୍ଣିମା ଅବସରରେ ଗୋଷ୍ଠୀଗତ ଜୁଆ ଆଡ୍ଡା ବେଶ କିଛି ଦିନ ଧରି ଚାଲୁଥିଲା । ପ୍ରତ୍ୟେକ ଖେଳରେ ବାଜି ଲଗାଇବା ବେଳେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ କମିନା (କମିଶନ) ଆକାରରେ ଗୃହସ୍ୱାମୀ ଆଦାୟ କରୁଥିଲେ । ଖେଳ ସମୟରେ ପାନୀୟ ଜଳ, ଚା ଓ ଜଳଯୋଗର ବ୍ୟବସ୍ଥା ମଧ୍ୟ କରାଯାଉଥିଲା । ଜୁଆ ଆଡ୍ଡାରେ ପୋଶ (ଅଭିଜ୍ଞ) ଖେଳାଳୀମାନେ ଦିନରାତି କଟାଇବା ଅର୍ଥାତ କିଛି ଦିନ ସେଠାରେହିଁ ରହିଯାଉଥିବା କାହାଣୀ ଶୁଣିବାକୁ ମିଳୁଥିଲା । ଏପରିକି ଖାସ ମହିଳାମାନଙ୍କ ନିମନ୍ତେ ମଧ୍ୟ ଜୁଆ ଆଡ୍ଡା ଚାଲୁଥିବା ଇତିହାସ କହେ ।

ବ୍ରହ୍ମପୁରରେ ଜୁଆ ଆଡ୍ଡାର ପରମ୍ପରାରେ ସ୍ମର୍ଟଫୋନ ଓ ମୋବାଇଲ ଆପ ସନ୍ନିବଶିତ ହେବାପରେ ଜୁଆଖେଳ ଭର୍ଚୁଆଲ ପରିବେଶକୁ ଉନ୍ନୀତ ହୋଇଛି । ବୈଷୟିକ କାରିଗରୀ କୌଶଳ ଉପଯୋଗରେ ଗୋପନୀୟତାର ସୁବିଧାସୁଯୋଗ ଏକ ରକମ ୱାର୍କ-ଫ୍ରମ-ହୋମ ଆଙ୍ଗୀକରେ ସାମାଜିକ ଦୂରତା ବଜାୟ ରଖି ଜୁଆଡ଼ି ପ୍ରତ୍ୟକ୍ଷରେ ଉପସ୍ଥିତ ରହି ପରୋକ୍ଷରେ ଅଦୃଶ୍ୟ ହୋଇଯାଉଛି । ସମକାଳରେ ସହରର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ସ୍ମାର୍ଟଫୋନ ଉପଭୋକ୍ତା ଏବଂ ସେମାନେ ଦୈନିକ ଦୁଇରୁ ଛଅଘଣ୍ଟା ଯାଏଁ ଫୋନ ପରଦାରେ ସମୟ ଅତିବାହିତ କରୁଥିବା ହେତୁ କିଏ କଣ କରୁଛି କାହାକୁ ଜଣା ?

(ଅନୁପମ ଭାରତ / ୩୧ ଅକ୍ଟୋବର ୨୦୨୦/ ପୃଷ୍ଠା : ୮)

Photo by : MarkyBon is licensed under CC BY-NC-SA 2.0

Friday, October 23, 2020

Virtual Durga Puja / ଭର୍ଚୁଆଲ ଦୁର୍ଗାପୂଜା




ବ୍ରହ୍ମପୁରରେ ଦୁର୍ଗାପୂଜା ମଣ୍ଡପ ବିଷୟରେ ଆଲୋଚ଼ନା କଲାବେଳେ କୋଲକତାର ସଂପୃକ୍ତି ମନେପଡ଼ିଥାଏ । ବିଂଶ ଶତାଦ୍ଦୀର ପ୍ରାକକାଳରେ ରେଳପଥ ସହ #ବ୍ରହ୍ମପୁର ଯୋଡ଼ି ହେବା ପରେ ତତ୍କାଳୀନ ବେଙ୍ଗାଲ-ନାଗପୁର-ରେଳୱେରେ କାର୍ଯ୍ୟରତ ବଙ୍ଗ କର୍ମଚାରୀମାନେ ସ୍ଥାନୀୟ ରେଳଷ୍ଟେସନରେ ଅବସ୍ଥାପିତ ହୋଇଥିଲେ । ସେମାନଙ୍କ ଉଦ୍ୟମରେ ସହରରେ ପ୍ରଥମ ଥର ପାଇଁ ୧୯୩୪ରେ ସାର୍ବଜନୀନ ଦୂର୍ଗାପୂଜା ଅନୁଷ୍ଠିତ ହୋଇଥିବା ଇତିହାସ କହେ ।
 
ପାଞ୍ଚବର୍ଷ ଧରି ଷ୍ଟେସନ ପ୍ରାଙ୍ଗଣସ୍ଥିତ ରେଳୱେ ଇନଷ୍ଟିଟିଉଟରେ ଆୟୋଜିତ ପୂଜାତ୍ସୋବ ନିମନ୍ତେ ମୃଣ୍ମୟ ଦୂର୍ଗାମୂର୍ତ୍ତି ଟ୍ରେନ ଯୋଗେ କୋଲକତାରୁ ଅଣାଯାଉଥିଲା । ସେହି ସମୟଠାରୁ ବଙ୍ଗଭାଷୀଙ୍କ ଦ୍ୱାରା ସାର୍ବଜନୀନ ଦୂର୍ଗାପୂଜା କ୍ରମାଗତଭାବେ ପାଳିତ ହୋଇ ଆସୁଛି । ବର୍ତ୍ତମାନ ଆଦି ଦୁର୍ଗାପୂଜା ସମିତି ଜରିଆରେ ପୁରୁଣା ବସଷ୍ଟାଣ୍ଡ ପାର୍ଶ୍ୱସ୍ଥ ଚ଼ାଟର୍ଜୀ ଲେନରେ ସ୍ଥାପିତ ପୂଜାମଣ୍ଡପରେ ବଙ୍ଗୀୟ ପଦ୍ଧତିରେ ପୂଜାତ୍ସୋବ ପାଳିତ ହୋଇଥାଏ ।
 
ସ୍ଥାନୀୟ ସହରବାସୀଙ୍କ ଉଦ୍ୟମରେ ସାନ ବଜାର-ହନୁମାନ ବଜାର ଛକରେ ୧୯୫୬ରେ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ବିଗତ ଛଅ ଦଶନ୍ଧି ମଧ୍ୟରେ ସହରରେ ଦୁର୍ଗା ମଣ୍ଡପ ସଂଖ୍ୟା ବୃଦ୍ଧି ପାଇ ୨୦୧୯ରେ ପ୍ରାୟ ୪୦ରେ ପହଞ୍ଚିଥିଲା । ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା ପରକୁ ସାମୂହିକ ଉଦ୍ୟମରେ ଆୟୋଜିତ ପୂଜାତ୍ସୋବରେ ଦୁର୍ଗାପୂଜା ପ୍ରାଧାନ୍ୟ ଦାବୀ କରେ ।
 
ଚଳିତବର୍ଷ ୨୦୨୦ରେ ମହାମାରୀ ପ୍ରାଦୁର୍ଭାବ ହେତୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଦୁର୍ଗାପୂଜା ଆୟୋଜନ ନିମନ୍ତେ କଟକଣା ଜାରୀ କରାଯାଇଛି । କିନ୍ତୁ ପଶ୍ଚିମବଙ୍ଗରେ ପ୍ରାୟ ୩୭୦୦ ପୂଜା ମଣ୍ଡପରେ ଦୂର୍ଗାପୂଜା ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦକ୍ଷିଣ କୋଲକତାର ଚ଼େଲଟା ଅଗ୍ରଣୀ କ୍ଳବର ଦୂର୍ଗାପୂଜା ସମେତ ଅନ୍ୟାନ୍ୟ ମଣ୍ଡପ ଉଦଘାଟିତ ହୋଇଥିଲା ।
 
ଅଗ୍ରଣୀ କ୍ଳବର ଦୁର୍ଗାପୂଜା ମଣ୍ଡପର ଭିଡ଼ିଓ ୟୁ-ଟ୍ୟୁବରେ ଉପଲବ୍ଧ । ଖୁବ କମ ଆୟତନରେ ତିନି ଦିଗ ଉନ୍ମୁକ୍ତ ପକ୍ଷୀ ଆକୃତିର ସୁରମ୍ୟ ମଣ୍ଡପ ଦର୍ଶନାର୍ଥୀମାନେ କିପରି ଶାରୀରିକ ଦୂରତ୍ୱ ବଜାୟ ରଖି ଦୂରରୁ ଦେବୀ ପ୍ରତିମା ଦର୍ଶନ କରିପାରିବେ ତାହାର ବ୍ୟବସ୍ଥା ହୋଇଛି । ସାଜସଜ୍ଜା ଓ ଆଲୋକ ସମ୍ପାତର ସୀମିତ ସୁଯୋଗ ସତ୍ତ୍ୱେ ଚାଋକଳାର ଉତ୍କର୍ଷ ମନମୁଗ୍ଧକର । କୋଲକତା ହାଇକୋର୍ଟର ନିର୍ଦ୍ଦେଶକ୍ରମେ ଚ଼ତୁର୍ଥୀରୁ ଛୋଟ ମଣ୍ଡପରେ ପାଞ୍ଚମିଟର ଓ ବଡ଼ ମଣ୍ଡପରେ ଦଶ ମିଟର ଯାଏଁ ସମ୍ମୁଖ ଅଞ୍ଚଳ ଅବରୋଧ କରାଯାଇ ଦର୍ଶକଙ୍କ ପ୍ରବେଶ ବାରଣ କରାଯାଇଛି । ଫଳରେ ମଣ୍ଡପରେ ପୂଜାର୍ଚ୍ଚନା ଓ ପାର୍ଶ୍ୱ ସାଜସଜ୍ଜା ଭିଡ଼ିଓ ଓ ଲାଇଭ ଷ୍ଟ୍ରୀମିଂ ଯୋଗେ ଜନସାଧାରଣଙ୍କ ନିକଟରେ ପହଞ୍ଚୁଛି ।
 
ଚଳିତବର୍ଷ ଭାରତର ବିଭିନ୍ନ ସହରର ବଙ୍ଗୀୟ ଦୁର୍ଗାପୂଜା ମଧ୍ୟ ଭର୍ଚୁଆଲ ପରିବେଶରେ ସାମାହିତ ହେଉଛି । ଦିଲ୍ଲୀର ବଙ୍ଗଭାଷୀ ବହୁଳ ଚିତ୍ତରଞ୍ଜନ ପାର୍କ ଅଞ୍ଚଳରେ ପ୍ରତିବର୍ଷ ୧୦ ଗୋଟି ପୂଜାମଣ୍ଡପ ଆୟୋଜିତ ହେଉଥିବା ସ୍ଥଳେ ଏ ଥରକ କାଳୀମନ୍ଦିର ପ୍ରାଙ୍ଗଣରେ ମାତ୍ର ଗୋଟିଏ ନିମନ୍ତେ ଅନୁମତି ମିଳିଛି । ପୂଜା ଅବସରରେ ସେଠାରେ ଦୈନିକ ଦୁଇ ଲକ୍ଷ ଦର୍ଶନାର୍ଥୀ ଠୁଳ ହେଉଥିବା ସ୍ଥଳେ ଚଳିତ ବର୍ଷ ସକାଳର ପୂଜା ଓ ସନ୍ଧ୍ୟାର ଆଳତି ସ୍ଥାନୀୟ କେବଲ ଟେଲିଭିଜନ, ଡ଼ିଟିଏଚ୍ ଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲାଇଭ ଷ୍ଟ୍ରିମିଂର ବ୍ୟବସ୍ଥା କରାଯାଇଛି ।
 
ଚ଼େନ୍ନାଇ, ହାଇଦରାବାଦ ଓ ବିଶାଖପାଟଣାରେ ମଧ୍ୟ ଅନୁରୂପ ପଦ୍ଧତି ଅବଲମ୍ୱନ ହେଉଛି । ଚ଼େନ୍ନାଇ, ବିଶାଖପାଟଣାରେ ଭୋଗ ପ୍ୟାକେଟ ଆକାରରେ ଭକ୍ତଙ୍କ ଘରେ ପହୁଞ୍ଚାଇ ଦିଆ ଯାଉଛି । ଓଡ଼ିଶାରେ ପ୍ରଶାସନ ପକ୍ଷରୁ ଆବଦ୍ଧ ମଣ୍ଡପରେ ମାତ୍ର ସାତଜଣଙ୍କ ଉପସ୍ଥିତିରେ ଦୁର୍ଗାପୂଜା ନୀତିକାନ୍ତି ପାଳନ ନିମନ୍ତେ ନିର୍ଦ୍ଦେଶ ଥିବା ହେତୁ ଭୁବନେଶ୍ୱର ନୂଆପଲ୍ଲୀ, ବମିଖାଲ ପ୍ରଭୃତି ଦୁର୍ଗାପୂଜା ଆୟୋଜନ ସମିତିଗୁଡ଼ିକ ପକ୍ଷରୁ ମଣ୍ଡପରେ ପୂଜାର ଦୃଶ୍ୟାବଳୀ ଫେସବୁକ, ଟୁଇଟର, ୟୁ-ଟ୍ୟୁବ ଭଲି ସୋସିଆଲ ମିଡ଼ିଆ ପ୍ଲାଟଫରମଗୁଡ଼ିକରେ ସିଧା ପ୍ରସାରଣର ବ୍ୟବସ୍ଥା କରିଛନ୍ତି । ବୈଷୟିକ କଳାକୌଶଳ ହାତପାଆନ୍ତାରେ ଉପଲବ୍ଧ ଥିବା ତଥା ସହରାଞ୍ଚଳର ତିନିଚ଼ତୁର୍ଥାଂଶ ଭିଡ଼ିଓ ଆହରଣରେ ଅଭ୍ୟସ୍ତ ଥିବା ହେତୁ ଉତ୍ସବାନୁଭୂତିରେ ଏକ ନୂତନ ସମୀକରଣ ସୃଷ୍ଟି ହେବାକୁ ଯାଉଛି ।
 
ଦୁର୍ଦ୍ଦିନରେ ବାଧ୍ୟବାଧକତାରେ ସାମାଜିକ ରୀତିନୀତିର ପରିବର୍ତ୍ତନ ଘଟିଥାଏ । କେତେକ ଦୂରଦ୍ରଷ୍ଟାଙ୍କ ସଦ୍ୟତମ ଆକଳନ ଅନୁଯାୟୀ ମହାମାରୀର ପ୍ରଭାବ ଯଦି ଆନ୍ତର୍ଜାତିକସ୍ତରରେ ୨୦୨୪ ଯାଏଁ ଲାଗି ରହେ, ଶାରିରୀକ ଦୂରତ୍ୱ ପାଳନରେ ଦୀର୍ଘକାଳ ବ୍ୟାପୀ ଧାର୍ମୀକ, ସାଂସ୍କୃତିକ ଓ ରାଜନୀତିକ ସମାବେଶଗୁଡ଼ିକ ପ୍ରାୟତଃ ଭର୍ଚୁଆଲ ପରିବେଶକୁ ସ୍ଥାନାନ୍ତରିତ ହେବା ନିଶ୍ଚିତଫଳରେ ମହାମାରୀ-ପର ସମୟରେ ଏହି ଭଳି ପରିବର୍ତ୍ତନଗୁଡ଼ିକ ନବ୍ୟ-ସାଧାରଣ ନିଉ-ନରମାଲ ପାଲଟିଯାଇପାରେ !

Photo by :  bdgamer is licensed under CC BY-NC-SA 2.0

Friday, October 16, 2020

A Different Dasahara Festivity / ନିଆରା ଦଶହରା



#ବ୍ରହ୍ମପୁର ସାର୍ବଜନୀନ ଦୁର୍ଗାପୂଜା ୨୦୨୦ରେ ଆଡ଼ମ୍ୱର କରୋନାଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପ୍ରଶାସନିକ ନିଷ୍ପତ୍ତି ହେତୁ ବନ୍ଦ ରହିବ । ପୂଜାତ୍ସୋବ କେବଳ ନୀତିକାନ୍ତିରେ ସୀମିତ ରଖିବା ସ୍ଥିରୀକୃତ ହୋଇଛି । ଏମିତିରେ ସହର ଇତିହାସରେ ଦୁର୍ଗାପୂଜା ପାଳନରେ ଏକାଧିକବାର ବିଶୃଙ୍ଖଳା ଘଟିଛି ଲଘୁଚାପଜନିତ ବାତ୍ୟାହେତୁ ନିକଟ ଅତୀତରେ ଦୁଇଥର ଦୁର୍ଗାମେଢ଼ ଆୟୋଜନ ବ୍ୟାହତ ହୋଇଥିଲା
 
ଓଡ଼ିଶା ମହାବାତ୍ୟା ୧୯୯୯ ଦୁଇଗୋଟି ପର୍ଯ୍ୟାୟରେ ଆସିଥିଲା । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶା ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର-ପୁରୀ-କଟକ ସମେତ ଉତ୍ତର ଓଡ଼ିଶାରେ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।
 
ମହାବାତ୍ୟାରେ ବ୍ରହ୍ମପୁରରେ ସପ୍ତମୀ ଯାଏଁ ସାମାନ୍ୟ ମେଘୁଆ ପାଗ ଲାଗି ରହିଥିଲେ ହେଁ ସମ୍ଭାବ୍ୟ ବାତ୍ୟା ସଂପର୍କରେ କେହି କଳ୍ପନା ବି କରିନଥିଲେ । ସହର ସାରା ଦୁର୍ଗାପୂଜା ମେଢ଼ଗୁଡ଼ିକର ସାଜସଜ୍ଜା ପ୍ରାୟ ସରିଆସିଥିଲା । ଦିନ ଗୋଟାଏ ବେଳକୁ ମେଘ ପବନ ଘୋଟି ଆସିଲା । ତୁହାକୁ ତୁହା ବର୍ଷାପରେ ଅପରାହ୍ନ ଚାରିଟା ବେଳକୁ ବର୍ଷା ଛାଡ଼ିବା ବେଳକୁ ସାରା ସହର ଜଳାର୍ଣ୍ଣବ । ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନଗୁଡ଼ିକରେ ପୂଜାଛୁଟୀ ପୂର୍ବ ଶେଷ-କାର୍ଯ୍ୟ-ଦିବସ ସାରି ଲୋକେ ସଅଳ ସଅଳ ଘରମୁହାଁ ହେଲେ । ବର୍ଷାପାଗ ହେତୁ ଗ୍ରାହକ ଅଭାବରେ ଦୋକାନ ବଜାର ଆପେ ବନ୍ଦ ହୋଇଆସିଥିଲା ।
 
ରାତି ଆଠଟା ବେଳକୁ ପବନର ପ୍ରକୋପ ବଢ଼ିବା ସଙ୍ଗେ ବିଦ୍ୟୁତ ଚାଲିଗଲା । ବାତ୍ୟା ସଂପର୍କରେ ଆଗୁଆ ସୂଚ଼ନା ନଥିଲା । ବିଦ୍ୟୁତ ଅଭାବରେ ଟେଲିଭିଜନ ପ୍ରସାରଣରୁ ବଞ୍ଚିତ ହୋଇ ସହରବାସୀ ବ୍ୟାଟେରୀ ଚାଳିତ ଟ୍ରାଞ୍ଜିଷ୍ଟର ଖୋଜିଲେ । ତେବେ ତଳୁଆ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର କୋଠାବାଡ଼ିରେ ପାଣି ମାଡ଼ିଯିବା ହେତୁ କିଛି ସମୟ ପରେ ରେଡ଼ିଓ ପ୍ରସାରଣ ମଧ୍ୟ ବନ୍ଦ ହୋଇଗଲା ।
 
ଅନ୍ଧକାରାଚ୍ଛନ୍ନ ସହରରେ ଭୀତତ୍ରସ୍ତ ଗୃହାବଦ୍ଧ ସହରବାସୀଙ୍କ ଲାଗି ରାତି ଦଶରୁ ପାଖାପାଖି ରାତି ଚାରିଟା ଯାଏଁ ଛଅ ଘଣ୍ଟା ବ୍ୟାପୀ ପ୍ରବଳ ବାତ୍ୟା ଆଣି ଦେଇଥିଲା ଅବର୍ଣ୍ଣନୀୟ ଅନୂଭୂତି । ପ୍ରତ୍ୟେକ ପରିବାରର ଅଭିଜ୍ଞତା ଏକ ଭିନ୍ନ କାହାଣୀ । ବିନା ପ୍ରାକ-ପସ୍ତୁତିରେ ବାତ୍ୟା ସାମ୍ନା କରିବା ହେତୁ ବହୁ ସମ୍ପତ୍ତି ନଷ୍ଟ ହେଲା, ଗଛପତ୍ର ଉପୁଡ଼ି ଗଲା, ରାସ୍ତାଘାଟ ସଂଯୋଗ ଚ୍ଛିନ୍ନ ହେଲା ।
 
ଓଡ଼ିଶାରେ ୧୯୯୯ ମହାବାତ୍ୟା ସୁଦ୍ଧା ଦେଶରେ ପାଣିପାଗ ପୂର୍ବାନୁମାନ ନିମନ୍ତେ ଉଚ୍ଚ କ୍ଷମତାସମ୍ପନ୍ନ ଡ଼ପଲାର ରାଡ଼ାର ଭଳି ସାଜସରଞ୍ଜାମ ବ୍ୟବସ୍ଥା କରାଯାଇ ପାରିନଥିଲା । ପ୍ରସ୍ତୁତି ଅଭାବରୁ ବିପଦର ମୁକାବିଲା ନିମନ୍ତେ ଜନସାଧାରଣ ଏବଂ ପ୍ରଶାସନିକସ୍ତରରେ ସ୍ଥାଣୁତା ଅନୁଭୂତ ହୋଇଥିଲା । ଅପରପକ୍ଷରେ ବାତ୍ୟା ପରଅବସ୍ଥାରେ ଯୋଜନାବଦ୍ଧ ଉଦ୍ୟମ ଅଭାବ ହେତୁ ସାଧାରଣ ସ୍ଥିତି ଫେରିବା ଲାଗି ଦୀର୍ଘ ସମୟ ଆବଶ୍ୟକ ପଡ଼ିଥିଲା ।
 
ତେବେ ଚଉଦ ବର୍ଷ ପରେ ୨୦୧୩ ଫାଇଲିନ ବାତ୍ୟାବେଳକୁ ପରିସ୍ଥିତି ବଦଳିଯାଇଥିଲା । ପ୍ରାୟ ତିନିଶହ କୋଟି ଟଙ୍କା ନିବେଶରେ ଅତ୍ୟାଧୁନିକ ପାଣିପାଗ ସର୍ବେକ୍ଷଣ ସୁବିଧା ସ୍ଥାପନ ହେତୁ ବାତ୍ୟାର ପୂର୍ବାନୁମାନ ସପ୍ତାହକ ଆଗରୁ ସହରବାସୀଙ୍କ ନିକଟରେ ପହଞ୍ଚି ସାରିଥିଲା । ସଭିଏଁ ବ୍ୟାଗ ଭର୍ତ୍ତି ଆଳୁ, ପିଆଜ, ବେକରି, ବାରମଜା, ବ୍ୟାଟେରି ଘରେଘରେ ସଜାଡ଼ି ରଖିଥିଲେ । ଦକ୍ଷିଣ ଚ଼ୀନ ସାଗରରେ ଅକ୍ଟୋବର ୬ ତାରିଖରେ ବାତ୍ୟାର ଉତ୍ପତ୍ତିଠାରୁ କ୍ରମାଗତ ପାଣିପାଗ ଆକଳନ ଜାରୀ ରହିଥିଲା । ଅକ୍ଟୋବର ୮ ରୁ ୧୪ ଯାଏଁ ଝଡ଼ିବର୍ଷା ଲାଗି ରହି ଅକ୍ଟୋବର ୧୨ ତାରିଖ ରାତି ସାଢ଼େ ଦଶଟାରେ ଗୋପାଳପୁର-ଭଞ୍ଜବିହାର ମଧ୍ୟ ଭାଗରେ ବାତ୍ୟାର ଲ୍ୟାଣ୍ଡଫଲ ହୋଇଥିଲା ।
 
ମହାବାତ୍ୟା ଓ ଫାଇଲିନ ଉଭୟ ବାତ୍ୟା ଅବସରରେ ବ୍ରହ୍ମପୁର ସାର୍ବଜନୀନ ଦୁର୍ଗାପୂଜା ମେଢ଼ଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ସେହି ଦୁଇ ବର୍ଷ ଦୁର୍ଗାପୂଜାର ଆଡ଼ମ୍ୱର ଉଭେଇ ଯାଇଥିଲା । ମହାମାରୀ ହେତୁ ଚଳିତ ବର୍ଷ ତଦ୍ ଅନୁରୂପ ପରିବେଶ ସୃଷ୍ଟି କରିଛି । ଅକ୍ଟୋବର ଦ୍ୱିତୀୟ ସପ୍ତାହ ବେଳକୁ ୟୁରୋପରେ କୋଭିଡ଼-୧୯ ଦ୍ୱିତୀୟ ତରଙ୍ଗ ସଂକ୍ରମଣ ହେତୁ ଲକଡ଼ାଉନ ପ୍ରାୟ ପରିସ୍ଥିତି ଉପୁଜିଥିବା ସ୍ଥଳେ ସର୍ବତ୍ର ସତର୍କତା ଜରୁରୀ ହୋଇପଡ଼ିଛି ।
 
ବ୍ରହ୍ମପୁରରେ ଦଶହରା ମହାଳୟାଠାରୁ କୁମାର ପୂର୍ଣ୍ଣିମା ଯାଏଁ ତିନି ସପ୍ତାହ ଖୁସିର ମାହୋଲ । ପର୍ବ ପାଳନ ପାରିବାରିକ ସ୍ତରରୁ ନିକଟ ସଂପର୍କୀୟ, ବନ୍ଧୁବର୍ଗ, ସାମାଜିକ ପରିଧିକୁ ବ୍ୟାପିଥାଏ । ବାହ୍ୟ ପରିବେଶରେ ଦେଖାସାକ୍ଷାତ, ଆଳାପ-ଆଲୋଚ଼ନା, ଭ୍ରମଣ, ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣରେ ସମୟ କଟିଥାଏ । ସାର୍ବଜନୀନ ପୂଜା ମଣ୍ଡପକୁ ନେଇ ଗଢ଼ି ଉଠୁଥିବା ଦଶହରାର ଉତ୍ସବମୁଖର ପରିବେଶ ଚଳିତ ବର୍ଷ ୨୦୨୦ରେ ତ ଅଟକିଲା, ଆଗାମୀ ବର୍ଷ ୨୦୨୧ରେ କେତେଦୂର ଅନୁକୂଳ ହେବ ତାହା ମଧ୍ୟ ସନ୍ଦେହ ଘେରକୁ ଟାଣି ହୋଇ ଆସେ !

(ଅନୁପମ ଭାରତ / ୧୬ ଅକ୍ଟୋବର ୨୦୨୦/ ପୃଷ୍ଠା : ୨)

Photo by : Nilanjan Sasmal is licensed under CC BY-NC-SA 2.0

Friday, October 9, 2020

Varanda / ପିଣ୍ଡା



ପିଣ୍ଡା ବା ବାରଣ୍ଡା ପାରମ୍ପରିକଭାବେ #ବ୍ରହ୍ମପୁର ବାସଗୃହ ନିର୍ମାଣ ଶୈଳୀ ଆର୍କିଟ୍ରେକଚ଼ରରେ ଅବିଚ୍ଛେଦ୍ୟ ଅଙ୍ଗ ପରିଗଣିତ ହେଉଥିଲା । ବଖୁରିଏ ଘର ତିଆରି ବେଳେ ମଧ୍ୟ ଦାଣ୍ଡ ଓ ବାରି ପଟେ ଦୁଇଗୋଟି ବାରଣ୍ଡାର ନକ୍ସା ଅଙ୍କା ଯାଉଥିଲା । ଦାଣ୍ଡପଟ ବାରଣ୍ଡାରେ ଦିନସାରା ଘର ଓ ବାହାର ଲୋକଙ୍କ ବସାଉଠା ଲାଗିରହୁଥିବା ବେଳେ ବାରିପଟ ବାରଣ୍ଡାରେ ଚୁଲି ପକାଇ ରନ୍ଧାବଢ଼ାର ସୁବିଧା ମିଳୁଥିଲା ।
 
ସ୍ୱଚ୍ଛଳବର୍ଗଙ୍କ ବହୁ କଠୋରୀ ବିଶିଷ୍ଟ ବାସଗୃହ ନିର୍ମାଣ ଅବସରରେ ଦାଣ୍ଡ ଓ ବାରି ବାରଣ୍ଡା ବ୍ୟତୀତ ମଧ୍ୟଭାଗରେ ଅଗଣା ଓ ଖୋଲା ଛାତର ବ୍ୟବସ୍ଥା ରହୁଥିଲା । ଦାଣ୍ଡଘର ଆଧୁନିକ ଡ୍ରଇଁ ରୁମର ସ୍ଥାନ ଗ୍ରହଣ କରୁଥିଲେ ହେଁ ମୁଖ୍ୟତଃ ବାହ୍ୟ-ଅତିଥିଙ୍କ ଆଗମନ ସମୟତକ ବୈଠକଖାନା ରୂପେ ବ୍ୟବହୃତ ହେଉଥିଲାପରିବାରବର୍ଗ ଅଗଣାରେ ଦିନର ଅଧିକାଂଶ ସମୟ କାଟୁଥିଲେ । ପିଲାଙ୍କ ଖେଳଠାରୁ ଆରମ୍ଭ କରି ଗୃହିଣୀଙ୍କ ପରିବା କଟା, ଘୋରା ବଟା ଭଳି ଦୈନନ୍ଦିନ କାର୍ଯ୍ୟ ସାଙ୍ଗକୁ ବରିଷ୍ଠଙ୍କ ହାଲକା ପଢ଼ାଲେଖାର ସ୍ଥାନରୂପେ ମଝି ଅଗଣା ପରିଗଣିତ ହେଉଥିଲା ।
 
ବ୍ରହ୍ମପୁର ସହରର ଜନ୍ମକାଳରେ ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀ ଅଞ୍ଚଳରୁ ବୁଣାକାର ସଂପ୍ରଦାୟ, ତତ୍ ପରବର୍ତ୍ତୀ ଅବସ୍ଥାରେ ତେଲେଙ୍ଗନା ହାଇଦାରାବାଦ ନିଜାମଙ୍କ ଅମଳରେ କାଡାପ୍ପା ଭଳି ଅଞ୍ଚଳରୁ ଗୁତାଦାର ଜମିଦାର ତଥା ସେମାନଙ୍କ କର୍ମଚାରୀବର୍ଗ ଏବଂ ଇଂଲିଶ ଶାସନ ସମୟରେ ତାମିଲନାଡୁରୁ ରାଜକର୍ମଚାରୀଙ୍କ ଆଗମନ ହୋଇଥିଲା । ସେମାନେ ଦାକ୍ଷିଣାତ୍ୟ ଗ୍ରୀଷ୍ମପ୍ରଧାନ ଜଳବାୟୁକୁ ମୁକାବିଲା କରିବା ନିମନ୍ତେ କଠୋରୀଗୁଡ଼ିକୁ, ମୁଖ୍ୟତଃ ଶୟନକକ୍ଷକୁ ଶୀତଳ ରଖିବା ନିମନ୍ତେ ଦୁଇପଟୁ ବାରଣ୍ଡାର ପ୍ରାବଧାନକୁ ଗୁରୁତ୍ୱ ଦେଉଥିଲେ । ବ୍ରହ୍ମପୁରର ଉପକୂଳ ଜଳବାୟୁରେ ବର୍ଷର ଆଠମାସ ଗରମ ଓ ଗୁଳଗୁଳିରେ ବାରଣ୍ଡାଯୁକ୍ତ ଗୃହ ନିର୍ମାଣ ଶୈଳୀ ପ୍ରକୃଷ୍ଟ ପ୍ରମାଣିତ ହୋଇଥିଲା ।
 
ପାରମ୍ପରିକଭାବେ ଗଞ୍ଜାମର ଗ୍ରାମାଞ୍ଚଳରେ ଖଣି, ପିଣ୍ଡା ଓ ଦାଣ୍ଡଘର ସାଙ୍ଗକୁ ଅଗଣା, ବାରିଘର ଓ ଗୁହାଳ ବ୍ୟବହାରରେ ଅଭ୍ୟସ୍ତ ସହରାଗତମାନେ ଘଞ୍ଚଜନବସତିରେ ଜମିର ଅଭାବ ହେତୁ ବ୍ରହ୍ମପୁରରେ ଦାଣ୍ଡ ଓ ବାରି ବାରଣ୍ଡାର ଆକାର ସୀମିତ ରଖିବାକୁ ବାଧ୍ୟ ହୋଇଥିଲେ । ତେବେ ସ୍ୱାଧୀନୋତ୍ତର ଅବସ୍ଥାରେ ସହରରେ ବହିର୍ଗତଙ୍କ ସଂଖ୍ୟାବୃଦ୍ଧି ଓ ସଂକୁଚିତ ଆୟତନରେ ଗୃହନିର୍ମାଣ ଅବସରରେ ଅନେକ କ୍ଷେତ୍ରରେ କ୍ରମଶଃ ବାରଣ୍ଡାକୁ ଭୁଲିଗଲେ । ପରମ୍ପରା କିମ୍ୱା ସ୍ଥପତିଙ୍କୁ ଏଡ଼ାଇ ନିର୍ମାଣ ଶ୍ରମିକଙ୍କ ପରାମର୍ଶରେ ଘରବାଡ଼ି ଗଢ଼ି ଉଠିବା ହେତୁ ବିଂଶ ଶତାଦ୍ଦୀ ଶେଷ ବେଳକୁ ପାଞ୍ଚ ଦଶନ୍ଧିରେ ବ୍ରହ୍ମପୁର ଏକ କଦାକାର ମାନଚ଼ିତ୍ରରେ ଅଣନିଶ୍ୱାସୀ ହୋଇ ଉଠିଲା ।
 
ବାରଣ୍ଡାର ଉପାଦେୟତା ଦୀର୍ଘକାଳ ଚର୍ଚ୍ଚାର ପରିସରରୁ ଦୂରେଇ ଯିବା ପରେ ମହାମାରୀ ଅବସରରେ ପୁଣିଥରେ ଫେରିଛିଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ନିମନ୍ତେ ଶାରିରୀକ ଦୂରତ୍ୱକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଥିବା ସ୍ଥଳେ ବାସଗୃହରେ ବାରଣ୍ଡାର ବ୍ୟବହାର ଗୁରୁତ୍ୱ ବହନ କରେ । ବାରଣ୍ଡାରେ ଖୋଲା ବାୟୁ ଚଳାଚଳ ହେତୁ ପରିବାର ସଦସ୍ୟଗଣଙ୍କ ଚଳପ୍ରଚଳ ଲାଗି ଗୃହ ଭିତର ତୁଳନାରେ ବାରଣ୍ଡା ଅପେକ୍ଷାକୃତ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟିରେ ସହାୟକ ହୋଇଥାଏ । ସେହିପରି ପରିବାର ବାହାର ବ୍ୟକ୍ତି ଗୃହମଧ୍ୟକୁ ପ୍ରବେଶ ନକରି ବାରଣ୍ଡାରେ ସଂକ୍ଷିପ୍ତ ଆଳାପଆଲୋଚନା ଉଭୟ ପକ୍ଷଙ୍କୁ ସଂକ୍ରମଣ ଭୟରୁ କିଛି ମାତ୍ରାରେ ମୁକ୍ତ ରଖି ପାରିବା ବିଶ୍ୱାସ କରାଯାଇପାରେ ।
 
ପିଣ୍ଡା ବା ବାରଣ୍ଡା ଘର ନୁହଁ କି ବାହାର ନୁହଁ ଏଠି ଘର-ବାହାର ଉଭୟ ସୁବିଧା ମିଳେ । ଅତୀତରେ ବିଭିନ୍ନ ପ୍ରତିଷେଧକ ଭେକସିନ ଉଦ୍ଭାବନ ଓ ବ୍ୟବହାର ପୂର୍ବରୁ ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ଘରେ ଓ ବାହାରେ ଜନସାଧାରଣଙ୍କ ଆଚ଼ରଣ ନିୟନ୍ତ୍ରଣ ନିମନ୍ତେ ଯଥେଷ୍ଟ ଧ୍ୟାନ ଦିଆଯାଉଥିଲା । ବାହାର ଲୋକେ ସାଧାରଣରେ ଘର ଭିତରକୁ ପ୍ରବେଶ ବାରଣ ଥିଲା । ଏପରିକି ବାହାରକୁ ଯିବା ସମୟରେ ପିନ୍ଧା ଲୁଗା ଘର ଭିତରକୁ ଅଣାଯାଉନଥିଲା । ବାହାର ଲୁଗା ବାରଣ୍ଡା ଅଲଗୁଣି (ଲୁଗାପଟା ରଖିବା ପାଇଁ କାଠ ବା ବାଉଁଶ ଝୁଲା)ରେ ଓହଳା ଯାଉଥିଲା । ବାହାରରୁ ଆସିଲେ ଗୋଡ଼ହାତ ଧୋଇ ଘରେ ପ୍ରବେଶ ଅଭ୍ୟାସ ପ୍ରଚଳିତ ଥିଲା । ଏହି କ୍ଷେତ୍ରରେ ନିଷ୍ଠା ପାରିବାରିକ ସଂସ୍କୃତିର ପ୍ରତିଫଳନ ରୂପେ ମାନ୍ୟତା ପାଉଥିଲା । ବାସଗୃହ ହେଉ ବା ସାର୍ବଜନୀନ ଅନୁଷ୍ଠାନ, ସବୁଠି ସବୁ କାଳରେ ବାରଣ୍ଡାର ମହତ୍ତ୍ୱ ବଳବତ୍ତର ରହିଆସିଛି । ବାରଣ୍ଡାକୁ ବୁଲା କୁକୁର ଓ ଅନିମନ୍ତ୍ରିତଙ୍କ କବଳରୁ ରକ୍ଷା କରିବା ନିମନ୍ତେ କାଠ ଜାଫରି ବା ଲୁହା ରେଲିଂର ବ୍ୟବସ୍ଥା ବ୍ରହ୍ମପୁର ସହରର ସ୍ୱାତନ୍ତ୍ର୍ୟ !

Photo by : sowri is licensed under CC BY 2.0

Monday, October 5, 2020

Shreebatsha Panda / ଶ୍ରୀବତ୍ସ ପଣ୍ଡା



ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଆ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ, ସ୍ୱାଧୀନତା ସଂଗ୍ରାମ ଓ ସାମାଜ ସଂସ୍କାର କ୍ଷେତ୍ରରେ ଗଞ୍ଜାମ ଅଞ୍ଚଳର ଯେଉଁ ମନୀଷିଗଣ ନେତୃତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରେ ଶ୍ରୀବତ୍ସ ପଣ୍ଡା ଅନ୍ୟତମ । ୧ ଅକ୍ଟୋବର ୨୦୨୦ ତାଙ୍କରି ୧୫୦ ତମ ଜୟନ୍ତୀ ଦିବସ ।

 

ଶ୍ରୀବତ୍ସ ପଣ୍ଡାଙ୍କ ଘର ବେଲଗୁଣ୍ଠା ନିକଟବର୍ତ୍ତୀ ମନ୍ଦାର ଗ୍ରାମରେ । ୧୮୮୯ରେ ଉଚ୍ଚଶିକ୍ଷା ନିମନ୍ତେ ସେ ବ୍ରହ୍ମପୁର ପହଞ୍ଚି ବିଜିପୁରରେ ପାଞ୍ଚବର୍ଷ ରହି ଖଲ୍ଲିକୋଟ କଲେଜରୁ ମାଟ୍ରିକ ଓ ଏଫ.ଏ. ପାଶ କରିଥିଲେ । ରାଜମହେନ୍ଦ୍ରୀରୁ ବି.ଏ. ପାଶ କଲାପରେ ସରକାରୀ କର୍ମଚାରୀରୂପେ ନିଯୁକ୍ତ ହୋଇଥିଲେ । ୧୯୦୧ରେ ସବରେଜିଷ୍ଟାର ଭାବେ ବ୍ରହ୍ମପୁରରେ ବର୍ଷେ କାର୍ଯ୍ୟ କରିଥିଲେ । ପରେ ଭଞ୍ଜନଗର, ସୋମପେଟା, ପାର୍ବତୀପୁରମ, ପୁରୁଷୋତ୍ତମପୁର, ଦିଗପହଣ୍ଡି, ଆସିକା ଇତ୍ୟାଦି ସହରରେ ଅବସ୍ଥାପିତ ହୋଇ ୧୯୨୦ରେ ଅବସର ଗ୍ରହଣ କରିଥିଲେ ।

 

ଶ୍ରୀବତ୍ସ ପଣ୍ଡା ବ୍ରହ୍ମପୁରରେ ଛାତ୍ରଥିବା ସମୟରେ ଏଠାକାର ସାମାଜିକ ବ୍ୟବସ୍ଥାରେ ତେଲୁଗୁ ସଂସ୍କୃତିର ପ୍ରବଳ ପ୍ରଭାବ ରହିଥିଲା । ଉଦାହରଣରେ ପୁରୁଷମାନେ ମୁଣ୍ଡର ବାଳ ନକାଟି ଲମ୍ୱା କେଶରେ ଜୁଡ଼ା ବାନ୍ଧିବା ସହ ହାତରେ ଖଡୁ ପିନ୍ଧୁଥିଲେ । ଛାତ୍ର ଶ୍ରୀବତ୍ସ ପଣ୍ଡା ଏହି ଚ଼ଳଣୀ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ନିଜ ବାଳ କାଟି ଛୋଟ କରିବା ଆରମ୍ଭ କରିଥିଲେ । ଏହା ଗୁରୁଜନମାନଙ୍କ ନାପସନ୍ଦ ହୋଇଥିଲାତେବେ ସେ ହତୋତ୍ସାହ ନହୋଇ ସହପାଠୀମାନଙ୍କୁ ଏକତ୍ରୀତ କରି ସାମାଜିକ ସଂସ୍କାର ନିମନ୍ତେ ବିଚାରବିମର୍ଷ ଛାତ୍ରାବସ୍ଥାରୁ ଆରମ୍ଭ କରିଦେଇଥିଲେ । ପରବର୍ତ୍ତୀ ଜୀବନରେ ଆର୍ଯ୍ୟ ସମାଜପ୍ରତି ଆକର୍ଷିତ ହୋଇ ନାରୀ ଶିକ୍ଷା, ବିଧବା ବିବାହ, ବିଭିନ୍ନ ଧାର୍ମିକ ଅନ୍ଧ ବିଶ୍ୱାସ ବିରୁଦ୍ଧରେ ଜନଜାଗରଣମୂଳକ କାର୍ଯ୍ୟକ୍ରମରେ ସଂପୃକ୍ତ ରହିଥିଲେ ।

 

ସ୍ୱାଧୀନୋତ୍ତର ଅବସ୍ଥା ଯାଏଁ ଗଞ୍ଜାମରେ ବାଲ୍ୟବିବାହ ପ୍ରଥାର ବ୍ୟାପକ ପ୍ରଚଳନ ଥିଲା । ପୁଅ ଓ ଝିଅମାନଙ୍କ ଖୁବ୍ କମ ବୟସରେ ବିବାହ ସମ୍ପନ୍ନ ହେଉଥିଲା । ଅନ୍ୟାନ୍ୟ କାରଣ ମଧ୍ୟରେ ଜନସାଧାରଣରେ କମ ଜୀବଦ୍ଦଶା ପ୍ରଧାନସ୍ୱାଧୀନତା ପ୍ରାପ୍ତି ବେଳକୁ ଆମ ଦେଶର ହାରାହାରି ଜୀବନ ସୀମା ମାତ୍ର ୩୨ ବର୍ଷ ରହିଥିଲା । ପୁଅଙ୍କ ତୁଳନାରେ ଝିଅମାନେ ଆହୁରି କମ ବୟସରେ ବିବାହ କରୁଥିବା ହେତୁ ବିଭିନ୍ନ ସ୍ୱାସ୍ଥ୍ୟଗତ ଓ ସାମାଜିକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ହଇଜା, ବସନ୍ତ, ଯକ୍ଷ୍ମା ଭଳି ସଂକ୍ରାମକ ରୋଗାକ୍ରାନ୍ତ ହୋଇ ନବବିବାହିତ ପତି ମୃତ୍ୟୁବରଣ କଲେ ଦାମ୍ପତ୍ୟଜୀବନ ଆରମ୍ଭ କରିବା ପୂର୍ବରୁ ପତ୍ନୀ ଜୀବନସାରା ବିଧବା ରହିବାକୁ ବାଧ୍ୟ ହେଉଥିଲେ ।

 

ଏହି ସମସ୍ୟାର ସମାଧାନ ନିମନ୍ତେ ଊନବିଂଶ ଶତାଦ୍ଦୀର ଜନଜାଗରଣ କାଳରେ ଦେଶବ୍ୟାପୀ ସମାଜ ସଂସ୍କାରକମାନେ ସ୍ୱରଉତ୍ତୋଳନ କରିଥିଲେ । ଗଞ୍ଜାମରେ ଶ୍ରୀବତ୍ସ ପଣ୍ଡା ବିଂଶ ଶତାଦ୍ଦୀର ପ୍ରଥମଭାଗରେ ବିଧବା ବିବାହ ପ୍ରଚଳନ ନିମନ୍ତେ ନେତୃତ୍ୱ ନେଇଥିଲେ । ସରକାରୀ କର୍ମଚାରୀ ରୂପେ ଅଧୁନା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପାର୍ବତୀପୁରମଠାରେ ଅବସ୍ଥାପିତ ଥିବା ଅବସରରେ ବିଧବା ବିବାହ ଆୟୋଜନ କରି ସେ ଚର୍ଚ୍ଚାର ପରିସରକୁ ଆସିଥିଲେ ।

 

ଶ୍ରୀବତ୍ସ ପଣ୍ଡା ବ୍ରହ୍ମପୁରରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ନିମନ୍ତେ ଗଞ୍ଜାମ ସମ୍ମିଳନୀ ଆୟୋଜନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଏହି ସମ୍ମିଳନୀରେ ମଧୁବାବୁଙ୍କ ସହ ଓଡ଼ିଆ ଭାଷାଭାଷୀ ଅଞ୍ଚଳରୁ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଉତ୍କଳ ସମ୍ମିଳନୀ ଜନ୍ମ ନେଇଥିଲା ଏବଂ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସଫଳ ସଂଗ୍ରାମ କରିଥିଲାଦକ୍ଷିଣ ଓଡ଼ିଶାର ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ବ୍ୟବହାର ଲାଗି ଆନ୍ଦୋଳନରେ ଶ୍ରୀବତ୍ସ ପଣ୍ଡା ପୁରୋଧା ସାଜିଥିଲେ ।

 

ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ୧୯୨୧ରେ ଗଠନ ଅବସରରେ ଶ୍ରୀବତ୍ସ ପଣ୍ଡା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ ସଭାପତିଭାବେ ମନୋନୀତ ହୋଇଥିଲେ । ଦୀର୍ଘକାଳ ଧରି ସ୍ୱାଧୀନତା ସଂଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କରି ଯୋଗଦାନ ରହିଥିଲା ।

 

ଶ୍ରୀବତ୍ସ ପଣ୍ଡା ଜଣେ ସୁସାହିତ୍ୟିକ । ଶଶିଭୂଷଣ ରଥଙ୍କୁ ଆଶା ପତ୍ରିକା ପ୍ରକାଶନ ନିମନ୍ତେ ନୀଳମଣି ବିଦ୍ୟାରତ୍ନ, ହରିହର ପଣ୍ଡାଙ୍କ ସହ ସେ ପ୍ରୋତ୍ସାହିତ କରିଥିଲେ । ତାଙ୍କରି ରଚ଼ନା ବରାବର ଆଶା ପତ୍ରିକାରେ ପ୍ରକାଶିତ ହେଉଥିଲା ।

 

ଶ୍ରୀବତ୍ସ ପଣ୍ଡା ୧୮୭୦ ଅକ୍ଟୋବର ପହିଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ୭୩ ବର୍ଷ ବୟସରେ ୧୯୪୩ ମେ ୧୧ ତାରିଖରେ ତାଙ୍କର ପରଲୋକ ଘଟିଥିଲା । ଗଞ୍ଜାମରେ ସାମାଜିକ ପ୍ରଗତି, ମୁଖ୍ୟତଃ ମହିଳା ସଶକ୍ତିକରଣର ପ୍ରଥମ ପଦକ୍ଷେପ ଶ୍ରୀବତ୍ସ ପଣ୍ଡାଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ସେଭଳି ମନୀଷିଙ୍କ ଦୂରଦୃଷ୍ଟି ହେତୁ ବ୍ରହ୍ମପୁର ଓଡ଼ିଶାରେ ସାମିଲ ହୋଇଛି ଏବଂ ଦକ୍ଷିଣାଞ୍ଚଳର ମୁଖ୍ୟ ସହରରୂପେ ଗଢ଼ି ଉଠିଛି । ତେବେ ପରିତାପର ବିଷୟ ଶ୍ରୀବତ୍ସ ପଣ୍ଡାଙ୍କ ୧୫୦ ତମ ଜୟନ୍ତୀକୁ ଆମେ ଯେଉଁ ଢ଼ଙ୍ଗରେ ସ୍ମରଣ କରିବା କଥା ତାହା ହୁଏ ତ ସଂଭବ ହୋଇପାରି ନାହିଁ ।

(ଅନୁପମ ଭାରତ / ୩ ଅକ୍ଟୋବର ୨୦୨୦/ ପୃଷ୍ଠା : ୨)

Photo by : Abha S Pradhan is licensed under CC BY-SA 4.0