Friday, February 23, 2024

Bianca Geetmala / ବିନାକା ଗୀତମାଳା

 

ବିଂଶ ଶତାଦ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ #ବ୍ରହ୍ମପୁର ରାମଲିଙ୍ଗ ବନ୍ଧ ସମ୍ମୁଖ ଗାନ୍ଧୀ ପାର୍କରେ ବୁଧବାର ସଂଧ୍ୟା ୮ରୁ ୯ ବହୁ ଲୋକ ଏକତ୍ରୀତ ହୋଇ ବିନାକା ଗୀତମାଳା ଶୁଣିବା କେତେକଙ୍କ ଅଭ୍ୟାସରେ ପରିଣତ ହୋଇଥିବା ଦେଖିବାକୁ ମିଳୁଥିଲା । ହାଇସ୍କୁଲ ଉଚ୍ଚ ଶ୍ରେଣୀର ଛାତ୍ରଙ୍କଠାରୁ ଆରମ୍ଭ କରି ଅବସରପ୍ରାପ୍ତ ବରିଷ୍ଠ ପାର୍କ ରେଡ଼ିଓରୁ ଲାଉଡ଼ସ୍ପିକର ଯୋଗେ ରେଡ଼ିଓ ସିଲୋନରୁ ପ୍ରସାରିତ ସମସାମୟିକ ହିନ୍ଦି ଚଳଚ଼ିତ୍ର ଗୀତ ଉପଭୋଗ କରୁଥିଲେ । କାର୍ଯ୍ୟକ୍ରମର ଉଦଘୋଷକ ଅମୀନ ସୟାନୀଙ୍କ ଯାଦୁକାରୀ ଉପସ୍ଥାପନା କିଶୋରଙ୍କଠାରୁ ବୃଦ୍ଧ ଯାଏଁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦୀର୍ଘକାଳ ବାନ୍ଧି ରଖିଥିଲା । ଅମୀନ ସୟାନୀଙ୍କ ୯୧ ବର୍ଷ ବୟସରେ ୧୬ ଫେବୃୟାରୀ ୨୦୨୪ରେ ମୁମ୍ୱାଇ ବାସଭବନରେ ପରଲୋକ ଘଟିଥିବା ଅବସରରେ ତାଙ୍କୁ ନେଇ ବିଗତ ଦିନର ସ୍ମୃତି ମନେପଡ଼େ ।
 
ଭାରତରେ ୧୯୨୭ରୁ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲେ ହେଁ ସ୍ୱାଧୀନୋତ୍ତର ଅବସ୍ଥାରେ ଅଧିକ ସଂଖ୍ୟକ ରେଡ଼ିଓ ଷ୍ଟେସନ ସ୍ଥାପନ ଓ ଅଧିକ ସଂଖ୍ୟକ ପରିବାରଠାରେ ରେଡ଼ିଓ ସେଟ ଉପଲବ୍ଧ ହୋଇଥିଲା । ଟ୍ରାଞ୍ଜିଷ୍ଟର ରେଡ଼ିଓ ପ୍ରଚଳନ ହେବା ପୂର୍ବରୁ ଦୋକାନ ବଜାର, ହୋଟେଲ ଓ ପାର୍କରେ ଏମ୍ପ୍ଳିଫାୟର ଯୋଗେ ଉଚ୍ଚସ୍ୱରରେ ରେଡ଼ିଓ ବାଜୁଥିଲା । ଲୋକେ ମୁଖ୍ୟତଃ ସମ୍ୱାଦ ଓ ହିନ୍ଦି ସିନେମା ଗୀତ ଶୁଣିବା ନିମନ୍ତେ ସାମୂହିକ ପ୍ରସାରଣ ସ୍ଥଳ ଗୁଡ଼ିକରେ ନିର୍ଦ୍ଦିଷ୍ଟ ସମୟରେ ଭିଡ଼ ଜମାଉଥିଲେ । ସେହିକ୍ରମରେ ଗାନ୍ଧୀ ପାର୍କ ରେଡ଼ିଓ ଶ୍ରୋତାଙ୍କୁ ଆକୃଷ୍ଟ କରିବା ସ୍ୱାଭାବିକ ।
 
ଅମୀନ ସୟାନୀ ମାତ୍ର ୨୦ ବର୍ଷ ବୟସରେ ବିନାକା ଟପ ଟୁଥପେଷ୍ଟ ପ୍ରାୟୋଜିତ ବିନାକା ଗୀତମାଳା ୧୯୫୨ରେ ଆରମ୍ଭ କରି ଦୀର୍ଘ ୪୨ ବର୍ଷ କାଳ ୧୯୮୮ ଯାଏଁ ରେଡ଼ିଓ ସିଲୋନରୁ ପ୍ରସାରଣରେ ସଂପୃକ୍ତ ଥିଲେ । ବଲିଉଡ଼ ଚଳଚ଼ିତ୍ରର ଗୀତ ଆଧାରିତ ଏହି କାର୍ଯ୍ୟକ୍ରମ ପ୍ରଥମେ ବୁଧବାର ୮ରୁ ୮.୩୦ ଅଧ ଘଣ୍ଟା ଏବଂ ପରେ ୮ରୁ ୯ ଘଣ୍ଟାଏ ପ୍ରସାରିତ ହେଉଥିଲା । ଅମୀନ ସୟାନୀ ମୁମ୍ୱାଇର ନିଜ ଷ୍ଟୁଡ଼ିଓରେ କାର୍ଯ୍ୟକ୍ରମ ରେକର୍ଡ କରି ମାଗ୍ନେଟିକ ଟେପ ଆକାରରେ ସିଲୋନ ବା ଶ୍ରୀଲଙ୍କାର ରାଜଧାନୀ କଲମ୍ୱୋକୁ ବିମାନ ଯୋଗେ ପ୍ରତି ସପ୍ତାହରେ ପଠାଉଥିଲେ । ବିନାକା ଗୀତମାଳା ପଞ୍ଚମ ଓ ଷଷ୍ଠ ଦଶକରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିଲା । ଅଷ୍ଟମ ଦଶକରେ ଦେଶବ୍ୟାପୀ ଦୂରଦର୍ଶନ ଯୋଗେ ଟେଲିଭିଜନ ପ୍ରସାରଣ ଆରମ୍ଭ ହେବା ପରେ ରେଡ଼ିଓର କାଟତି କମି ଆସିଥିଲା ।
 
ସେହି ସମୟ ସୀମାରେ ଘରୋଇ ଏଫ.ଏମ୍ ରେଡ଼ିଓ ଷ୍ଟେସନ ନଥିଲା ଏବଂ ରେଡ଼ିଓ କ୍ଷେତ୍ରରେ ସରକାରୀ ପରିଚାଳନାଧୀନ ଅଲ-ଇଣ୍ଡିଆ-ରେଡ଼ିଓ ଆକାଶବାଣୀର ଏକଚାଟିଆ ରାଜୁତି ଚାଲିଥିଲା । ୧୯୫୨ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି କେନ୍ଦ୍ରରେ ସରକାର ଗଠନ ପରେ ବାଳକୃଷ୍ଣ ବିଶ୍ୱନାଥ କେଶକର ୧୯୫୨ରୁ ୧୯୬୨ ଯାଏଁ ଦଶ ବର୍ଷ ସୂଚ଼ନା ଓ ପ୍ରସାରଣ ବିଭାଗୀୟ ମନ୍ତ୍ରୀଭାବେ ଅବସ୍ଥାପିତ ହୋଇଥିଲେ । ସେ ହିନ୍ଦି ଚଳଚ଼ିତ୍ର ସଂଗୀତ ବିରୋଧୀ ଥିଲେ । ତାଙ୍କ ନିର୍ଦ୍ଦେଶରେ ଅଲ ଇଣ୍ଡିଆ ରେଡ଼ିଓ ନିଜ ପ୍ରସାରିତ କାର୍ଯ୍ୟକ୍ରମର ମାତ୍ର ୧୦ ପ୍ରତିଶତ ସମୟ ଚଳଚ଼ିତ୍ର ସଂଗୀତ ପ୍ରସାରଣ ନୀତି ନିର୍ଦ୍ଧାରଣ କରିଥିଲା । ଏହି ଅବସରରେ ରେଡ଼ିଓ ସିଲୋନ ହିନ୍ଦି କାର୍ଯ୍ୟକ୍ରମ ସହ ବିଜ୍ଞାପନ ପ୍ରସାରଣ କରି ପର୍ଯ୍ୟାପ୍ତ ପରିମାଣରେ ରାଜସ୍ୱ ଆୟ କରିପାରିଥିଲା । ରେଡ଼ିଓ ସିଲୋନ ଉଚ୍ଚଶକ୍ତି ସମ୍ପନ୍ନ ଟ୍ରାନ୍ସମିଟର ଯୋଗେ ସର୍ଟୱେବରେ ପ୍ରସାରିତ ହୋଇ ଭାରତର କୋଣ ଅନୁକୋଣରେ ର୍ନିବିଘ୍ନରେ ପହଞ୍ଚି ପାରୁଥିଲା । ସେହି ସମୟରେ ମିଡ଼ିୟମ ୱେବରେ ପ୍ରସାରିତ କଟକ ଆକାଶବାଣୀର କାର୍ଯ୍ୟକ୍ରମ ବ୍ରହ୍ମପୁରରେ ଭଲ ଶୁଣାଯାଉନଥିଲା !
 
ବିନାକା ଗୀତମାଳା ରିକେଟ ବେଙ୍କିସେର କମ୍ପାନୀର ବିନାକା ଟପ ଟୁଥପେଷ୍ଟର ବିଜ୍ଞାପନ କରୁଥିଲା । ଅମୀନ ସୟାନୀ ମୁମ୍ୱାଇ ବାସିନ୍ଦା । ତାଙ୍କ ପିତା ମୁସଲମାନ ଓ ମାତା ହିନ୍ଦୁ ଧର୍ମବଲାମ୍ୱୀ ଥିଲେ । ଅମୀନ ସୟାନୀ ହିନ୍ଦି ଓ ଉର୍ଦ୍ଦୁ ମିଶା ହିନ୍ଦୁସ୍ତାନୀ ଭାଷାରେ ଅତ୍ୟନ୍ତ ମନଗୁଗ୍ଧକର ଭାବଭଙ୍ଗୀରେ ବିନାକା ଗୀତମାଳା ଉପସ୍ଥାପନା କରୁଥିଲେ । ସାଧାରଣରେ ଯୁବବୟସର ପିଲାଏ ହିନ୍ଦି ଚ଼ଳଚ଼ିତ୍ର ପ୍ରେମୀ ହୋଇଥିବା ହେତୁ ବିନାକା ଗୀତମାଳା ଶୁଣିବା ସାପ୍ତାହିକ କାର୍ଯ୍ୟସୂଚ଼ୀ ପାଲଟିଯାଇଥିଲା । ରେଡ଼ିଓ ସେଟ ଉପଲବ୍ଧ ଥିବା ପରିବାରବର୍ଗରେ ବିନାକା ଗୀତମାଳା ପୁରା ପରିବାର ଏକତ୍ର ଶୁଣୁଥିଲେ । ଅମୀନ ସୟାନୀ ତିନି ପିଢ଼ୀ ଭାରତୀୟଙ୍କ ଲୋକପ୍ରିୟ ରେଡ଼ିଓ ଉପସ୍ଥାପକ ହିସାବରେ ପରିଚ଼ିତ । ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭରେ ଅନଲାଇନରେ ବ୍ୟକ୍ତିଗତ ଶ୍ରୋତାର ଋଚି ଅନୁଯାୟୀ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଆଲଗୋରିଥିମ ବଲିଉଡ଼ ଚଳଚ଼ିତ୍ର ଷ୍ଟ୍ରୀମିଂ ମଞ୍ଚରେ ପରିବେଷଣ କରୁଥିବା ବେଳେ ଅମୀନ ସାୟାନୀ ପୁରୁଣା ପୀଢ଼ିଙ୍କ ସ୍ମୃତିର ସମ୍ପଦ ।

Image by G.C. from Pixabay


Friday, February 16, 2024

Transparency in Sanitation Auditing / ପରିମଳ ତନଖିରେ ସ୍ୱଚ୍ଛତା

 

#ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ପରିମଳ ବ୍ୟବସ୍ଥାରେ ସୁଧାର ନିମନ୍ତେ କ୍ରମାଗତ ଦାବୀ ହୋଇଥାଏ । ଅବଶ୍ୟ ଏହି ଧରଣର ଅସନ୍ତୋଷ ପ୍ରତ୍ୟେକ ସହରରେ ଲାଗି ରହିଥାଏ । ପୌରପାଳିକାଗୁଡ଼ିକ ପକ୍ଷରୁ ପରିମଳ ରକ୍ଷା ନିମନ୍ତେ ସଂପୃକ୍ତ ଅଞ୍ଚଳରେ ଆଦାୟ ହେଉଥିବା ଟିକସ ଅର୍ଥର ସିଂହ ଭାଗ ବିନିଯୋଗ କରିଥାନ୍ତି ଏବଂ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଥାଏ । ତେବେ କାର୍ଯ୍ୟକ୍ଷେତ୍ରରେ ତାହା ଆଶା ଅନୁରୂପ ସେବା ପ୍ରଦାନରେ ବିଫଳ ହେଉଥିବାର ତିନି ମୁଖ୍ୟ କାରଣ ମଧ୍ୟରେ ପରିମଳ ତନଖି ନିମନ୍ତେ ସ୍ୱଚ୍ଛ ବ୍ୟବସ୍ଥା ଲାଗୁ ନ ହେବା, ପରିମଳ ତନଖିର ତଥ୍ୟ ସର୍ବସାଧାରଣରେ ପ୍ରକାଶିତ ନ ହେବା ଏବଂ ପରିମଳ ତନଖିରେ ଉପଭୋକ୍ତାଙ୍କୁ ସାମିଲ କରାନଯିବା ଗୁରୁତ୍ୱ ବହନ କରେ
 
ବ୍ରହ୍ମପୁର ମହାନଗର ନିଗମର ୪୨ ଗୋଟି ୱାର୍ଡ ସଫେଇ କାର୍ଯ୍ୟକ୍ରମ ପାଇଁ ବାର୍ଷିକ ବଜେଟ ପ୍ରାୟ ୩୦ କୋଟି ଟଙ୍କା । ଇତି ମଧ୍ୟରେ ସହରର ସମସ୍ତ ୱାର୍ଡର ସଫେଇ ଘରୋଇକରଣ କରାଯାଇଛି । ସହରାଞ୍ଚଳକୁ ପାଞ୍ଚଗୋଟି ଜୋନରେ ବିଭକ୍ତ କରାଯାଇ ତିନିଗୋଟି ବେସରକାରୀ ସଂସ୍ଥାକୁ ପରିଚାଳନାଭାର ବଣ୍ଟନ ହୋଇଛି । ଗତ ୨୬ ଜାନୁୟାରୀ ୨୦୨୪ରୁ ପରିମଳ ବ୍ୟବସ୍ଥାରେ ସଂସ୍କାର ଅଣାଯିବା ନିମନ୍ତେ ଅଧିକ ସଂଖ୍ୟକ ସଫେଇ କର୍ମଚାରୀ ଓ ଅଳିଆ ବୁହା ଗାଡ଼ି ନିୟୋଜନ ନିମନ୍ତେ ନୀତିଗତ ନିଷ୍ପତି ନିଆଯାଇଛି । ପୂର୍ବରୁ ୯୮୬ ଜଣ ସଫେଇ କର୍ମଚାରୀ ଓ ୫୩ ଗୋଟି ଅଳିଆବୁହା ଗାଡ଼ି ଥିବା ସ୍ଥଳେ ଏଣିକି ୧୩୩୬ ଜଣ ସଫେଇ କର୍ମଚାରୀ ଓ ୧୩୨ ଗୋଟି ଅଳିଆବୁହା ଗାଡ଼ି ନିୟୋଜନ କରିବାଲାଗି ସ୍ଥିର ହୋଇଛି । ଅର୍ଥାତ, ସହରରେ ଅଧିକ ୩୫୦ ଜଣ ସଫେଇ କର୍ମଚାରୀ ଓ ୭୯ ଗୋଟି ଅଳିଆବୁହା ଗାଡ଼ି ବ୍ୟବହୃତ ହେବ । ଏହି ଅତିରିକ୍ତ କର୍ମଚାରୀ ଓ ଆବର୍ଜନା ନିଷ୍କାସନ ବାହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଆଶା କରାଯିବା ସ୍ୱାଭାବିକ ।
 
ତେବେ ଦୁଃଖର କଥା ସ୍ୱଚ୍ଛ ତନଖି ଅଭାବରୁ ନୂତନ ବ୍ୟବସ୍ଥା ପ୍ରତି ଉପଭୋକ୍ତା ଅଭିମତ ପ୍ରଦାନ ପୂର୍ବରୁ କର୍ପୋରେଟରମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଫେବୃୟାରୀ ୨୦୨୪ ଦ୍ୱିତୀୟ ସପ୍ତାହରେ ସହରର ବିଭିନ୍ନ ୱାର୍ଡରେ ନିୟୋଜିତ ବର୍ଦ୍ଧିତ ମାନବ ସମ୍ୱଳ ଓ ସାଜସରଞ୍ଜାମର ହିସାବ ସାର୍ବଜନୀନ କରିବା ନିମନ୍ତେ ମହାନଗର ନିଗମ କାର୍ଯ୍ୟାଳୟରେ କେତେକ କର୍ପୋରେଟର ପହଞ୍ଚି ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିବା କୁହାଯାଉଛି । ଅଶାନ୍ତ ବାତାବରଣରେ ପ୍ରଭାବିତ ହୋଇ କର୍ତ୍ତୃପକ୍ଷ ସଫେଇ ଠିକା ନେଇଥିବା ଏକ ଘରୋଇ ସଂସ୍ଥାଠାରୁ କୈଫିୟତ ତଲବ କରିଥିବା ମଧ୍ୟ ପ୍ରକାଶ ପାଇଛି ।
 
ପୌରପାଳିକା ଗୁଡ଼ିକର ପରିମଳ ଘରୋଇକରଣ ହେବା ପରେ ବ୍ୟବସ୍ଥାର ତଦାରଖରେ ସ୍ୱଚ୍ଛତା ଅଣାଯିବା କଥା । ପୂର୍ବରୁ ପୌରପାଳିକା ନିଯୁକ୍ତ କର୍ମଚାରୀମାନଙ୍କ କାର୍ଯ୍ୟ ବୁଝିବା ସକାଶେ କର୍ମଚାରୀ ନିଯୁକ୍ତ ହେଉଥିଲେ । ଉପଭୋକ୍ତାମାନେ ସୁବିଧା ଅସୁବିଧା ସେମାନଙ୍କ ନଜରକୁ ଆଣୁଥିଲେ ଏବଂ ତୃଣମୂଳ ସ୍ତରରେ ଆବଶ୍ୟକତା ଅନୁଯାୟୀ ସଫେଇ କାମ ସମାପନ ହେଉଥିଲା । ତେବେ ଘରୋଇକରଣପରେ ସହରବାସୀ ଆଖପାଖରେ ଅଳିଆ ଆବର୍ଜନା ନିଷ୍କାସନ ନିମନ୍ତେ କାହାକୁ କହିବେ ବୁଝିପାରୁ ନାହାନ୍ତି । ମହାନଗର ନିଗମ ୱେବସାଇଟ ଅଭିଯୋଗ ସାର୍ବଜନୀନ ଦୃଶ୍ୟମାନ ନୁହେଁ । ଅବସ୍ଥା ଅସଂଭାଳ ହେଲେ ସ୍ଥାନୀୟ କର୍ପୋରେଟରଙ୍କ ଉପରେ ରାଗ ସୁଝାଇ ଚୁପ ରହନ୍ତି ।
 
ପୌରପାଳିକା ପରିମଳ ତନଖି ବ୍ୟବସ୍ଥାରେ ସଂସ୍କାର ଲୋଡ଼ା । ଆଧୁନିକ ପ୍ରଯୁକ୍ତି କୌଶଳ ଉପଯୋଗରେ ଯେକୌଣସି ନାଗରିକ ଯେକୌଣସି ସମୟରେ ଆଖ ପାଖର ଆବର୍ଜନା ସଂପର୍କରେ ସାର୍ବଜନୀନ ମଞ୍ଚରେ ଚ଼ିତ୍ର ସହ ଅଭିଯୋଗ କଲେ ତାହାର ସମାଧାନ ସଂପର୍କରେ କର୍ତ୍ତୃପକ୍ଷଙ୍କ ମନ୍ତବ୍ୟ ମଧ୍ୟ ସର୍ବସାଧାରଣରେ ପ୍ରକାଶ ସୁବିଧା ସୁଯୋଗ ଉପଲବ୍ଧ । ପୌରପାଳିକାଗୁଡ଼ିକ ଏହି ଭଳି ସ୍ୱଚ୍ଛ ବ୍ୟବସ୍ଥା ତୁରନ୍ତ ଆରମ୍ଭ କରିବା ଉଚ଼ିତ । ଟିକସ ପଇସାରେ ପରିମଳ ବ୍ୟବସ୍ଥା ଚାଲୁଥିବା ସ୍ଥଳେ ଟିକସ ଦାତାଙ୍କ ଅଭାବ ଅଭିଯୋଗକୁ ପ୍ରାଥମିକତା ଦେବା କଥା । ଉପଭୋକ୍ତା ଟିକସ ଦେଉଛନ୍ତି ଏବଂ ଘରୋଇ କର୍ମଚାରୀ ସଫେଇ କରୁଛନ୍ତି । ପୌର କର୍ମଚାରୀମାନେ ପରିମଳ ବ୍ୟବସ୍ଥାରେ ତୃଟିକୁ ସୁଧାରିବା ନିମନ୍ତେ ଗୋପନ ବଦଳରେ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଲେ ବହୁ ସମସ୍ୟା ସମାଧାନ ସଂଭବ ।
 
ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ କର୍ପୋରେଟରମାନେ ମହାନଗର ନିଗମରେ ପହଞ୍ଚି ପରିମଳ ତନଖିରେ ସ୍ୱଚ୍ଛତା ଦାବୀ କରିଥିବା ବେଳେ ବିଏମସି କମିଶନର ଓ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଭାବେ ଦୁଇ ଜଣ ନୂତନ ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନୂତନ ବିଏମସି କମିଶନର ପୂର୍ବରୁ ଛଅ ବର୍ଷ ଧରି କୁକୁଡ଼ାଖଣ୍ଡି ତହସିଲଦାର ଭାବେ ନିଯୁକ୍ତ ଥିଲେ । ନୂତନ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପୂର୍ବରୁ ରାଉରକେଲା ମହାନଗର ନିଗମର ଡ଼େପୁଟି କମିଶନର ଥିଲେ । ଅର୍ଥାତ, ଦୁଇ ଅଧିକାରୀ ସହରାଞ୍ଚଳ ପ୍ରଶାସନ ସଂପର୍କରେ ଅଭିଜ୍ଞ । ବ୍ରହ୍ମପୁର ମହାନଗର ନିଗମ କିପରି ସ୍ଥାନୀୟ ନାଗରିକଙ୍କ ସୁବିଧା ଅସୁବିଧା ପ୍ରତି ଧ୍ୟାନ ଦେଇପାରିବ ସେହି ଦିଗରେ ସ୍ୱଚ୍ଛତା ଆଣିପାରିଲେ ଜନସାଧାରଣ ଉପକୃତ ହୋଇପାରନ୍ତେ ।


Image by Lutz Peter from Pixabay


Friday, February 9, 2024

Bhubaneswar Airport / ଭୁବନେଶ୍ୱର ବିମାନ ବନ୍ଦର

 

#ବ୍ରହ୍ମପୁର ସହରବାସୀ ବିମାନଯାତ୍ରା ଲାଗି ମୁଖ୍ୟତଃ ଭୁବନେଶ୍ୱର ଓ ବିଶାଖାପଟଣା ବିମାନ ବନ୍ଦର ଉପରେ ନିର୍ଭରଶୀଳ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏକ ବିବରଣୀ ଅନୁଯାୟୀ ଡ଼ିସେମ୍ୱର ୨୦୨୩ରେ ଚାରି ଲକ୍ଷ ଯାତ୍ରୀ ହିସାବ କରାଯାଇଥିଲା । ଏଠାରୁ ବର୍ଷକୁ ପ୍ରାୟ ୪୧ ଲକ୍ଷ ଯାତ୍ରୀ ଯାତାୟତ କରୁଛନ୍ତି ଏବଂ ୩୦ ପ୍ରତିଶତ ହାରରେ ବିମାନଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିମାନ ଯାତ୍ରୀମାନଙ୍କ ସ୍ୱଚ୍ଛନ୍ଦ ଯାତ୍ରା ଆୟୋଜନ ଲାଗି ଭୁବନେଶ୍ୱର ବିମାନ ବନ୍ଦରରେ ମାର୍ଚ୍ଚ ୨୦୨୪ରୁ କେତେକ ସୁବିଧା ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ପ୍ରକାଶ ।
 
ଫେବୃୟାରୀ ୨୦୨୪ ପ୍ରଥମ ସପ୍ତାହରେ ଟର୍ମିନାଲ-୧ ଓ ଟର୍ମିନାଲ-୨ ସଂଯୋଗ ନିମନ୍ତେ ଏକ ଲିଙ୍କ ବିଲଡିଂ ଉଦଘାଟିତ ହୋଇଥିଲା । ଏଣିକି ଟର୍ମିନାଲ-୧ ଦେଶ ମଧ୍ୟରେ ବିଭିନ୍ନ ସହରକୁ ବିମାନ ଯାତ୍ରୀଙ୍କ ବ୍ୟବହାରରେ ଲାଗିବା ସ୍ଥଳେ ଟର୍ମିନାଲ-୨ ବିଦେଶ ଯାତ୍ରୀଙ୍କ ଲାଗି ସଂରକ୍ଷିତ ରହିବ । ଟର୍ମିନାଲ-୨ର ପ୍ରଶସ୍ତ ଭିତ୍ତିଭୂମିରେ ଥରକେ ୨୮୫ରୁ ୩୧୫ ଜଣ ଯାତ୍ରୀ ଅବତରଣ-ପର ପ୍ରକ୍ରିୟା ସାରିବାରେ ସମର୍ଥ ହେବେ ବୋଲି କୁହାଯାଉଛି । ମୋଟ ପ୍ରାୟ ଚାରି ହଜାର ବର୍ଗଫୁଟ କୋଠା ନିର୍ମାଣ ନିମନ୍ତେ ୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ଦୁଇ ଗୋଟି ଲଗେଜ ବେଲଟ ଓ ୧୨ ଗୋଟି ଇମିଗ୍ରେସନ କାଉଣ୍ଟର ବ୍ୟବସ୍ଥା ରହିଛି । ଏହି ଟର୍ମିନାଲ ନିର୍ମାଣ କାର୍ଯ୍ୟ ୨୦୧୮ରୁ ଆରମ୍ଭ ହୋଇଥିଲା । କିନ୍ତୁ ଥରେ ନିର୍ମାଣଧୀନ ଅବସ୍ଥାରେ କୋଠାର କିଛି ଅଂଶ ଭୁଷୁଡ଼ି ପଡ଼ିବା ଓ କୋଭିଡ଼ ମହାମାରୀ କାରଣରୁ ନିର୍ମାଣ କାର୍ଯ୍ୟ ସାମୟିକ ବନ୍ଦ ରହିଥିଲା ।
 
ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୨୦୨୪ ସୁଦ୍ଧା ଯାତ୍ରୀମାନେ ତିନି ଗୋଟି ନୂଆ ପ୍ରବେଶ ପଥ ଓ ୧୮ ଗୋଟି ଚ଼େକିଂ ପଏଣ୍ଟର ସୁବିଧା ପାଇବେ । ତଦ୍ଅନୁଯାୟୀ ପାର୍କିଂ ବ୍ୟବସ୍ଥାର ମଧ୍ୟ ସଂପ୍ରସାରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାଯାଏ ।
 
ଭୁବନେଶ୍ୱର ବିମାନ ବନ୍ଦରକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବିମାନ ଉଡ଼ାଣ ଆରମ୍ଭ ତଥା କେତେକ ନିର୍ଦ୍ଦିଷ୍ଟ ଆନ୍ତର୍ଜାତିକ ରୁଟ ଖୋଲିବା ପରେ ଯାତ୍ରୀ ସଂଖ୍ୟା ବଢ଼ିବା ସ୍ୱାଭାବିକ । ତେବେ ଉଭୟ କ୍ଷେତ୍ର ବ୍ୟାବସାୟିକ ଦୃଷ୍ଟିରୁ ସ୍ୱାବଲମ୍ୱୀ ହୋଇପାରୁଛି କି, ତାହା ଏକ ବଡ଼ ପ୍ରଶ୍ନ । ସରକାରୀ ପ୍ରୋତ୍ସାହନରେ ଦୀର୍ଘକାଳ ରାଜ୍ୟ ମଧ୍ୟରେ କିମ୍ୱା ଆନ୍ତର୍ଜାତିକ ରୁଟରେ ବିମାନ ସେବା ଚଳାଇବା ସଂଭବ ନୁହେଁ । ରାଜ୍ୟ ମଧ୍ୟରେ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ବିମାନ ସେବା ଯାତ୍ରୀ ଅନୁକୂଳ ହେବା ଆବଶ୍ୟକ ଉଦାହରଣରେ ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡାରୁ ସପ୍ତାହରେ ଦୁଇ ଦିନ ଭୁବନେଶ୍ୱର ବିମାନ ଯାତ୍ରା ଯାତ୍ରୀ ଅନୁକୂଳ ସାବ୍ୟସ୍ତ ହୋଇପାରୁ ନାହିଁ । ବିମାନ ଯାତ୍ରା ଭଡ଼ା ଏକ ହଜାର ଟଙ୍କାରେ ସୀମିତ ରହିଲେ ମଧ୍ୟ ଆଶାନୁରୂପ ଯାତ୍ରୀ ହୋଇପାରୁନାହାନ୍ତି । ବ୍ରହ୍ମପୁର ସହରରୁ ରଙ୍ଗେଇଲୁଣ୍ଡା ଟ୍ୟାକ୍ସି ଭଡ଼ା ୭୫୦ ଟଙ୍କା ଆଉ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସହର ମଧ୍ୟକୁ ଟ୍ୟାକ୍ସି ଭଡ଼ା ୨୫୦ ଟଙ୍କା – ଏହି ଦୁଇ ଭଡ଼ା ମଧ୍ୟ ବିମାନ ଯାତ୍ରୀକୁ ବହନ କରିବାକୁ ପଡ଼ିଥାଏ । ବିମାନ ଯାତ୍ରା ଲାଗି ତିନିରୁ ଚାରି ଦିନ ଅପେକ୍ଷା ଅନ୍ୟ ଏକ ପ୍ରତିବନ୍ଧକ । ସେହିପରି ଆନ୍ତର୍ଜାତିକ ରୁଟରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଗୁରୁତ୍ୱ ଦିଆଯାଏ । କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ନିମନ୍ତେ ରାଜ୍ୟରେ କିମ୍ୱା ଆନ୍ତର୍ଜାତିକ ସ୍ତରରେ ଉଦ୍ୟମ ଫଳବତୀ ହୋଇପାରୁ ନଥିବା ଅନୁଭୂତ ହୁଏ । ଭୁବନେଶ୍ୱର ବିମାନ ବନ୍ଦରର ସଂପ୍ରସାରଣ ସହ ଏହି ସମସ୍ୟା ଗୁଡ଼ିକ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ମନେହୁଏ ।


Image by Gala Amarando from Pixabay


Friday, February 2, 2024

Locked Stadium / Locked Stadium

 

#ବ୍ରହ୍ମପୁର ସମେତ ସମଗ୍ର ମହୁରି ରାଜ୍ୟ ଶାସନ ଭାର ୧୮୫୦ରେ ଇଂଲିଶ ସରକାରଙ୍କ ହାତକୁ ଯିବା ପରେ ସ୍ଥାୟୀ ସରକାରୀ ସୈନ୍ୟ ଛାଉଣୀକୁ ତତ୍କାଳୀନ ସହର ଉପକଣ୍ଠରେ ଏକ ବାରାକ୍ସ ସ୍ଥାପନ କରାଯାଇ ଥାଇଥାନ କରାଯାଇଥିଲା । ମିଲଟାରୀ ଲାଇନରେ ସୈନ୍ୟମାନେ ବସବାସ କରୁଥିଲେ ଏବଂ ଅନତିଦୂର ବାରାକ୍ସ ଗ୍ରାଉଣ୍ଡରେ ଅଭ୍ୟାସ କରୁଥିଲେ । ମିଲଟାରୀ ଲାଇନକୁ ବାରାକ୍ସ ଯୋଡୁଥିବା ରାସ୍ତାକୁ କ୍ୟାଣ୍ଟନମେଣ୍ଟ ରୋଡ଼ କୁହାଯାଉଥିଲା । ବ୍ରହ୍ମପୁର ପୌରପାଳିକା ୧୮୬୭ରେ ସ୍ଥାପନ ପରେ କ୍ୟାଣ୍ଟନମେଣ୍ଟ ରୋଡ଼ର ପଶ୍ଚିମ ପାର୍ଶ୍ୱରେ ଭାପୁର ବଜାର ନିର୍ମାଣ କରିଥିଲେ । ଏହି ଅଞ୍ଚଳରେ ମୁସଲମାନ ବସ୍ତି ଖାଜା ସାହି ନିଜାମ ଶାସନ ଅମଳରୁ ଗଢ଼ି ଉଠିଥିଲା । ବାରାକ୍ସକୁ ଲାଗି ରୋମାନ କ୍ୟାଥଲିକ ଓ ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ ଏବଂ ବର୍ତ୍ତମାନ ସିଟି ହସପିଟାଲ ଚାଲୁଥିବା କୋଠାବାଡ଼ିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସକ୍ରିୟ ଥିଲା । ବାରାକ୍ସ ସଂଲଗ୍ନ ବିସ୍ତୃତ ପଡ଼ିଆରେ ଡ଼ାକଘର ଓ ଅଗ୍ନିଶମ କେନ୍ଦ୍ର ତଥା ସ୍ୱାଧୀନୋତ୍ତର ଅବସ୍ଥାରେ ବସଷ୍ଟାଣ୍ଡ ସ୍ଥାପିତ ହୋଇଥିଲା । ମିଲଟାରୀ ଲାଇନ ଓ ବାରାକ୍ସ ମଧ୍ୟରେ ମହୁରି ରାଜ୍ୟ ସେନାବାହିନୀର ଅଂଶବିଶେଷ ଦଳପତିମାନଙ୍କ ବସ୍ତି ମଧ୍ୟ ଗଢ଼ି ଉଠିଥିଲା ।
 
ବ୍ରହ୍ମପୁର ଷ୍ଟାଡ଼ିୟମ ବାରାକ୍ସ ଗ୍ରାଉଣ୍ଡରେ ନିର୍ମାଣ ଏକ ଭୂଲ ନିଷ୍ପତ୍ତି । ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏକ ବିସ୍ତୃତ ପ୍ରାଙ୍ଗଣକୁ ଖୋଲାରେ ଛାଡ଼ି ଦେବା କିମ୍ୱା ବୃକ୍ଷ ରୋପଣ କରି ପାର୍କ ସ୍ଥାପନ ଉଚ଼ିତ ହୋଇଥାନ୍ତା । ସେହିପରି ଷ୍ଟାଡ଼ିୟମ ନିର୍ମାଣ କାଳରେ ଦୁଇ ପାର୍ଶ୍ୱରେ ଥିବା ଦଶ ଫୁଟର ପୌରପାଳିକା ରାସ୍ତା ଯାଏଁ କମ୍ପାଉଣ୍ଡ ମାଡ଼ି ଯିବାରୁ ଷ୍ଟାଡ଼ିୟମ ଅଞ୍ଚଳରେ ଯାନବାହନ ଚଳାଚଳ ଓ ପାର୍କିଂ ବ୍ୟବସ୍ଥା ଷ୍ଟାଡ଼ିୟମରେ ଉତ୍ସବାନୁଷ୍ଠାନ କାଳରେ ବିପର୍ଯ୍ୟସ୍ତ ହୋଇପଡ଼େ । ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବାରାକ୍ସ ଗ୍ରାଉଣ୍ଡ ପିଲାଙ୍କ ଖେଳକୁଦ ଓ ବୟସ୍କଙ୍କ ବ୍ୟାୟାମ ପାଇଁ ସକାଳେ ସଞ୍ଜରେ ବ୍ୟବହୃତ ହେଉଥିଲା । ସେହି ଅଞ୍ଚଳକୁ ପ୍ରାଚ଼ୀର ଦ୍ୱାରା ଅବଦ୍ଧ କରି ବିଭିନ୍ନ ପ୍ରଶାସନିକ କାରଣ ଦର୍ଶାଇ ସର୍ବସାଧାରଣଙ୍କ ପ୍ରବେଶ ବାରଣ କରିବା ସହରବାସୀଙ୍କ ସ୍ୱାର୍ଥର ପରିପନ୍ଥୀ । ଷ୍ଟାଡ଼ିୟମ ନିର୍ମାଣ ଦିନୁ ଏହି ସବୁ ସମସ୍ୟାର ସମାଧାନ ନିମନ୍ତେ ଦାବୀକୁ ଅଣଦେଖା କରାଯାଇ ଆସିଛି ।
 
ବ୍ରହ୍ମପୁର ଷ୍ଟାଡ଼ିୟମ ଉନ୍ନତିକରଣ ନିମନ୍ତେ ବାରମ୍ୱାର ବନ୍ଦ ରହୁଛି । ଗତ ୨୦୧୯ରୁ ୩୮ କୋଟି ଟଙ୍କା ବ୍ୟୟରେ ସଦ୍ୟତମ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି । ଫଳରେ ପ୍ରାୟ ପାଞ୍ଚ ବର୍ଷ ଧରି ଷ୍ଟାଡ଼ିୟମ ଫାଟକ ଖେଳାଳି ଓ ସର୍ବସାଧାରଣ, ଉଭୟଙ୍କ ପାଇଁ ବାରଣ । ପୁନଃନିର୍ମାଣ କାର୍ଯ୍ୟ ୨୦୧୯ ସେପ୍ଟେମ୍ୱରରେ ଆରମ୍ଭ ହୋଇ ୨୦୨୧ ଜାନୁୟାରୀରେ ସରିବା ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତିନି ବର୍ଷ ବିଳମ୍ୱ ହେଲାଣି । କୁହାଯାଉଛି ଯେ କୋଭିଡ଼ ମହାମାରୀ ଓ ନିର୍ମାଣ ନକ୍ସା ବାରମ୍ୱାର ପରିବର୍ତ୍ତନ ହେଉଥିବା ହେତୁ ନିର୍ମାଣ କାର୍ଯ୍ୟ ସରିପାରୁ ନାହିଁ । କ୍ରୀଡ଼ାବିତମାନେ ଅଭିଯୋଗ କରୁଛନ୍ତି ଷ୍ଟାଡ଼ିୟମରେ ଦର୍ଶକ ବସିବା କ୍ଷମତା ବୃଦ୍ଧି କିମ୍ୱା ଫ୍ଳଡ଼ ଲାଇଟ ବ୍ୟବସ୍ଥା କରାଯାଇନାହିଁ । ଅର୍ଥାତ, ନିକଟ ଭବିଷ୍ୟତରେ ବ୍ରହ୍ମପୁର ଷ୍ଟାଡ଼ିୟମ ଖୋଲିବା ପରେ ପୁଣି ଥରେ ରୂପାନ୍ତରଣ ଲାଗି ବନ୍ଦ ରହିପାରେ !


Image by Michal Jarmoluk from Pixabay