Monday, June 15, 2020

Pandemic update / ମହାମାରୀ ଆପଡ଼େଟ

ମହାମାରୀ କୋଭିଡ଼-୧୯ ସଂପର୍କରେ ବ୍ରହ୍ମପୁରବାସୀ ଅପେକ୍ଷାକୃତଭାବେ ଏଣିକି ଅଧିକ ସଚ଼େତନ । ଚଳିତ ଜୁନ ପ୍ରଥମ ସପ୍ତାହରୁ ଶନି ରବିବାର ଦୁଇ ଦିନ ଧରି ସଟଡ଼ାଉନ ପରକୁ ଦ୍ୱିତୀୟ ସପ୍ତାହରୁ ସପ୍ତାହକୁ ପାଞ୍ଚଦିନ ଦୈନିକ ୧୯ ଘଣ୍ଟା ଲକଡ଼ାଉନ ଡ଼ାକରାକୁ ସ୍ୱତଃସ୍ପୃତଭାବେ ସହରବାସୀ ସମର୍ଥନ କରିଥିବା ଏହାର ପ୍ରମାଣ । ବିଶ୍ୱବ୍ୟାପୀ ମହାମାରୀର ପ୍ରକୋପ, ସର୍ବାଧିକ ରୋଗାକ୍ରାନ୍ତ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହେବା, ଓଡ଼ିଶାରେ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନପରେ ସଂକ୍ରମଣ ବୃଦ୍ଧି ତଥା ଗଞ୍ଜାମ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ସର୍ବାଗ୍ରେ ସ୍ଥାନୀତ ହେବା ତଥ୍ୟାବଳୀ ସହରବାସୀଙ୍କୁ ସଚ଼େତନ କରାଇବା ସାଙ୍ଗକୁ ସଂକ୍ରମଣରୁ ନିଜକୁ ମୁକ୍ତ ରଖିବା ନିମନ୍ତେ ପଦ୍ଧତି ଅବଲମ୍ୱନଲାଗି ପ୍ରୋତ୍ସାହିତ କରିବାରେ ସମର୍ଥ ହୋଇଛି ବୋଲି କୁହାଯାଇପାରେ ।

ମୋଟାମୋଟିଭାବେ ୨୦୨୦ ବର୍ଷ ଆରମ୍ଭରୁ ନୂତନ କରୋନା ଭୂତାଣୁ ସଂକ୍ରମଣରେ ଜୁନ ମାସ ମଧ୍ୟଭାଗ ସୁଦ୍ଧା ପାଞ୍ଚମାସରେ ସମଗ୍ର ବିଶ୍ୱରେ ପ୍ରାୟ ୭୬ ଲକ୍ଷ ଆକ୍ରାନ୍ତ ହୋଇଥିବା ସ୍ଥଳେ ଚାରି ଲକ୍ଷ ୨୮ ହଜାର ମୃତ୍ୟୁମୁଖରେ ପଡ଼ିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ରୁଷିଆ ପରେ ସର୍ବାଧିକ ରୋଗାକ୍ରାନ୍ତଙ୍କ ହିସାବରେ ଭାରତ ଚ଼ତୁର୍ଥ ସ୍ଥାନରେ ପହଞ୍ଚିଛି । ଦେଶରେ ପ୍ରାୟ ତିନି ଲକ୍ଷ ୫୦ ହଜାର ରୋଗାକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଦଶ ହଜାର ଛୁଇଁବାକୁ ଯାଉଛି । ପ୍ରଥମ ଦୁଇମାସର ଲକଡ଼ାଉନ କୋହଳ ପରେ ପ୍ରାୟ ଏକ କୋଟି ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ଅବସରରେ ସଂକ୍ରମଣ ବ୍ୟାପିଥିଲା ଏବଂ ବିଗତ ସପ୍ତାହ ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣ ବଢ଼ିଛି ।

ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବାପରେ ମେ ମାସ ୨ ତାରିଖରୁ ସଂକ୍ରମଣ ହାର ବଢ଼ିଚାଲିଲା । ଜିଲ୍ଲାକୁ ପ୍ରାୟ ଦେଢ଼ ଲକ୍ଷ ଶ୍ରମିକ ଫେରିଛନ୍ତି ଏବଂ ଏକ ଲକ୍ଷ ବର୍ତ୍ତମାନ ନିଜ ବାସଗୃହରେ ପୃଥକବାସ ହୋମ କ୍ୱାରେଣ୍ଟାଇନରେ ଅଛନ୍ତିଏହି ପରିପ୍ରେକ୍ଷୀରେ ଜିଲ୍ଲାବାସୀ ମୁଖ୍ୟତଃ ନିଜ ପରିବାରର ସଦସ୍ୟଙ୍କ ଭିନ୍ନ ଅନ୍ୟମାନଙ୍କ ସହ ମିଳାମିଶାବେଳେ ସାବଧାନତା ଗ୍ରହଣ ତଥା ଘର ବାହାରକୁ ଯିବାବେଳେ ମାସ୍କ ପିନ୍ଧିବା, ଘରେ ପହଞ୍ଚିଲେ ସାବୁନ ଓ ପାଣିରେ ଗୋଡ଼ହାତ, କହୁଣୀ, ମୁହଁ ଇତ୍ୟାଦି ପରିଷ୍କାର କରିବା ଅଭ୍ୟାସ ଜାରୀ ରଖିଲେ ସଂକ୍ରମଣକୁ ଏଡ଼ାଇ ଦିଆଯାଇ ପାରିବ ବୋଲି ବିଶେଷଜ୍ଞମାନେ ପରମର୍ଶ ଦେଉଛନ୍ତି । ତେବେ ମହାମାରୀ କାଳରେ ଏହି ବିଧି ପାଳନ କରିବା ଆବାଳବୃଦ୍ଧବନିତାଙ୍କ ବ୍ୟକ୍ତିଗତ ଆଚ଼ରଣରେ ନିର୍ଭର କରିଥାଏ ।

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ପ୍ରତିଶତ ପୁରୁଷ ଅନ୍ତର୍ଭୁକ୍ତ ଥିବା ପରିସଂଖ୍ୟାନରୁ ଜଣାଯାଏ । ବୟସବର୍ଗରେ ୧୫ ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ଥିବାବେଳେ ୪୧ ରୁ ୬୦ ବର୍ଷ ମଧ୍ୟରେ ଦ୍ୱିତୀୟ, ୬୦ ବର୍ଷରୁ ଉର୍ଦ୍ଧ୍ୱ ତୃତୀୟ ଓ ୧୪ ବର୍ଷରୁ କମ ଚ଼ତୁର୍ଥ ସ୍ଥାନ ଅଧିକାର କରିଥାନ୍ତି । ଆନ୍ତର୍ଜାତିକସ୍ତରରେ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ କରୋନା ଆକ୍ରାନ୍ତ ମୃତ୍ୟୁହାର ଅଧିକ ରହୁଥିବା ହେତୁ ରାଜ୍ୟରେ ଜୁନ ପ୍ରଥମ ସପ୍ତାହ ଯାଏଁ ଆକ୍ରାନ୍ତ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଶହେରୁ କମ ରହିଥିଲେ ହେଁ ସେମାନଙ୍କୁ ସର୍ବାଧିକ ସାବଧାନତା ଅବଲମ୍ୱନ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଉଛି ।

ଗତ ମେ ଶେଷ ସପ୍ତାହରୁ ପର୍ଯ୍ୟାୟକ୍ରମେ ବ୍ରହ୍ମପୁରରୁ ଲକଡ଼ାଉନ ପ୍ରତ୍ୟାହାର କରାଯିବା ତଥା ଜୁଲାଇ ଆରମ୍ଭରୁ ଅନ୍ୟାନ୍ୟ କଟକଣା କୋହଳ କରାଯିବା ଅବସରରେ ଭୂତାଣୁ ସଂକ୍ରମଣ ଭୟକୁ ଏଡ଼ାଇ ଦେବା ସମ୍ଭବପର ନୁହେଁ । ତେବେ ଜନସାଧାରଣଙ୍କ ସଂକ୍ରମଣ ପ୍ରତିରୋଧ ଆଚ଼ରଣକୁ ନେଇ ସଂଖ୍ୟା ଯେ ନିରୂପିତ ହେବ ଏଥିରେ ସନ୍ଦେହ ନାହିଁ ।

ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ଦେଢ଼ ଲକ୍ଷ ନମୂନା ମଧ୍ୟରୁ ମାତ୍ର ଦୁଇ ହଜାର କରୋନା ପଜିଟିଭ ଚ଼ିହ୍ନଟ ହେବା ରାଜ୍ୟରେ ସଂକ୍ରମଣ ଏବଂ ମୃତ୍ୟୁହାର ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ କମ । ଅପରପକ୍ଷେ ଆକ୍ରାନ୍ତଙ୍କ ମଧ୍ୟରେ ୯୫ ପ୍ରତିଶତ ପ୍ରବାସୀଙ୍କ ଅସ୍ଥାୟୀ ବାସସ୍ଥଳୀ କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକରୁ ଚ଼ିହ୍ନଟ କରାଯାଉଛିଏହି ଦୁଇ କାରଣରୁ କୋଭିଡ଼-୧୯ ସଂକ୍ରମଣରେ ରାଜ୍ୟର ସ୍ଥିତି ଭଲରେ ରହିଛି ବୋଲି କୁହାଯାଇପାରେ । ତେବେ ଭୂତାଣୁର ଗୁଣ ହେଲା ଯେ ସେ ଖୁବ୍ ଶୀଘ୍ର ବ୍ୟାପିଥାଏ । ନୂତନ କରୋନା ଭୂତାଣୁ ସଂପର୍କରେ ସବିଶେଷ ତଥ୍ୟ ଉଦ୍ଭାବିତ ନହୋଇଥିବା ହେତୁ କେତେବେଳେ କେଉଁ ରୂପରେ ସଂକ୍ରମିତ ହେବ ତାହା ଚ଼ିକିତ୍ସା ବିଜ୍ଞାନରେ ଅଜଣା । ଏହି ପରିପ୍ରେକ୍ଷୀରେ ଯେକୌଣସି ସହରରେ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ପାରସ୍ପରିକ ସଂପର୍କ କମ ରଖିବା ଅଭ୍ୟାସ ହିଁ ସେଠାରେ ସଂକ୍ରମଣ ରୋକିବାରେ ମୁଖ୍ୟ ସାଧନ

ନୂତନ କରୋନା ଭୂତାଣୁର ଗତିବିଧି ସଂପର୍କରେ ଆନ୍ତର୍ଜାତିକସ୍ତରରେ ଅସଂଖ୍ୟ ଗବେଷଣା ଚାଲିଛି । ଏହାର ପ୍ରତିଷେଧକ ଓ ଉପଚାର ନିମନ୍ତେ ଔଷଧ ପ୍ରସ୍ତୁତିରେ ପ୍ରାରମ୍ଭିକ ସଫଳତା ମିଳିଥିବା କୁହାଯାଉଛି । ଏଥିଲାଗି ଅନ୍ତତଃପକ୍ଷେ ବର୍ଷେରୁ ଦେଢ଼ବର୍ଷ ଯାଏଁ ଅପେକ୍ଷା କରିବା ସମୟତକ ବିଶ୍ୱବାସୀଙ୍କୁ ବ୍ୟକ୍ତିଗତ ଓ ସାମୂହିକସ୍ତରରେ ସଂକ୍ରମଣ ଏଡ଼ାଇ ଦେବା ନିମନ୍ତେ ଉଦ୍ୟମ ଅବ୍ୟାହତ ରଖିବାକୁ ପଡ଼ିବ । ସେଥିରୁ #ବ୍ରହ୍ମପୁର ମଧ୍ୟ ବାଦ ଯିବନି । ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଶାରିରୀକ ଦୂରତ୍ୱ ବଜାୟ ରଖିବା ନିମନ୍ତେ ତିନିମାସ ଗୃହାବଦ୍ଧ ଅବସ୍ଥାରେ ରହିବାପରେ ଅଧ ଘଣ୍ଟାଏ ଜନଗହଳିରେ ପହଞ୍ଚିଲେ ଭୂତାଣୁ ସଂକ୍ରମଣ ଆଶଙ୍କା ଟାଳିଦେଇ ହେବନାହିଁ ତେଣୁ ସଟଡ଼ାଉନ ଓ ଲକଡ଼ାଉନ ଘରେ କଟାଇବା ପରେ ଆଗାମୀ କିଛି ମାସ କାର୍ଯ୍ୟକ୍ଷେତ୍ର ଓ ସାମାଜିକ ଜୀବନ କିପରି ଦୂରବସ୍ଥାନରେ କଟିବ ସେ ଦିଗରେ ବ୍ରହ୍ମପୁରବାସୀଙ୍କୁ ସଜାଗ ରହିବାକୁ ପଡ଼ିବ ।                         

ଅନୁପମ ଭାରତ ତା ୧୬/୦୬/୨୦୨୦ ପୃ. ୨