Friday, January 27, 2023

Festival Season / ଉତ୍ସବର ଋତୁ


 #ବ୍ରହ୍ମପୁର ସହରବାସୀଙ୍କ ନିମନ୍ତେ ୨୦୨୨ ଡ଼ିସେମ୍ୱର-୨୦୨୩ ଜାନୁୟାରୀ ଏକ ଉତ୍ସବର ଋତୁ ଅନୁଭବ ହୋଇଥିଲା । କୋଭିଡ଼-୧୯ଜନିତ ମହାମାରୀରେ ୨୦୨୦, ୨୦୨୧ ଓ ୨୦୨୨ ତିନିବର୍ଷ ଧରି ଉତ୍ସବାନୁଷ୍ଠାନ ଆୟୋଜନରେ ଊଣା-ଅଧିକେ କଟକଣା ଜାରୀ ରହିବା ପରେ ସରକାରୀସ୍ତରରେ ୨୦୨୨ ଡ଼ିସେମ୍ୱର ଶେଷ ସପ୍ତାହରେ ଗୋପାଳପୁର ବେଳାଭୂମି ଉତ୍ସବ ଓ ୨୦୨୩ ଜାନୁୟାରୀରେ ସିଲକ ସିଟି ଫେଷ୍ଟ ସାଙ୍ଗକୁ ପାରିବାରିକସ୍ତରରେ ଯାକଜମକରେ ବିବାହ-ବ୍ରତଘର ଆୟୋଜନ ସହରକୁ ଉତ୍ସବମୁଖର ଗଢ଼ି ତୋଳିଥିଲା । ଦୀର୍ଘଦିନ ଧରି ସାର୍ବଜନୀନ କାର୍ଯ୍ୟକ୍ରମରୁ ସମଗ୍ର ସହରବାସୀ ଦୂରେଇ ରହିବାପରେ ପୁଣି ଥରେ ଉତ୍ସବାନୁଷ୍ଠାନରେ ସାମିଲ ହେବା ସୁଯୋଗ ପାଇଥିଲେ ।

 

ମହାମାରୀର ପ୍ରଥମ ଦୁଇ ତରଙ୍ଗ ପରେ ୨୦୨୧ ଦ୍ୱିତୀୟାର୍ଦ୍ଧ ସୁଦ୍ଧା ଜନଜୀବନ ସ୍ୱାଭାବିକସ୍ତରକୁ ଫେରୁଥିବା କାଳରେ ୨୦୨୨ ଜାନୁୟାରୀରେ ତୃତୀୟ ତରଙ୍ଗ ଉଦବେଗର କାରଣ ପାଲଟିଥିଲା । କିନ୍ତୁ ୨୦୨୨ ଡ଼ିସେମ୍ୱରରେ ପଡ଼ୋଶୀ ଚ଼ୀନରେ ସଂକ୍ରମଣ ବଢ଼ିବାପରେ ସମ୍ଭାବ୍ୟ ଚ଼ତୁର୍ଥ ତରଙ୍ଗ ଆଶଙ୍କା ବାସ୍ତବତାରେ ରୂପ ଗ୍ରହଣ କରିନଥିଲା । ଫଳରେ ବିଭିନ୍ନ ଉତ୍ସବାନୁଷ୍ଠାନ ଆୟୋଜନ, ପର୍ଯ୍ୟଟନ ଇତ୍ୟାଦି ମହାମାରୀ-ପୂର୍ବାବସ୍ଥାକୁ ଫେରି ଯାଉଥିବା ଅନୁମାନ କରାଯାଇଥିଲା । ଅବଶ୍ୟ ମହାମାରୀ-ପୂର୍ବ ଓ ମହାମାରୀ-ପର ଅବସ୍ଥା ମାତ୍ର ତିନିବର୍ଷର ବ୍ୟବଧାନରେ ଆୟୋଜନ ବ୍ୟୟ ସମସ୍ତ କ୍ଷେତ୍ରରେ ଅନ୍ତତଃପକ୍ଷେ ୫୦ ପ୍ରତିଶତ ବୃଦ୍ଧି ଅନେକଙ୍କୁ ଚ଼ିନ୍ତିତ କରିଥିଲା ।

 

ସହରରେ ସରକାରୀସ୍ତରରେ ବୃହତ ଆୟୋଜନ ହେଉ ଅଥବା ପାରିବାରିକସ୍ତରରେ ବିବାହ-ବ୍ରତ ଆୟୋଜନ, ସବୁଠାରେ ଦାୟିତ୍ୱ କ୍ରମଶଃ ବୃତ୍ତିଧାରୀ ପ୍ରଫେସନାଲଙ୍କ ହାତକୁ ଚାଲି ଯାଉଛି । ଅତୀତରେ ଉତ୍ସବାନୁଷ୍ଠାନ ଆୟୋଜନରେ ଜନସାଧାରଣ ବା ପରିବାରବର୍ଗଙ୍କ ଅଂଶଗ୍ରହଣ ମୁଖ୍ୟ ଆକର୍ଷଣ ଥିବା ସ୍ଥଳେ ବର୍ତ୍ତମାନ ଠିକା ସଂସ୍ଥାମାନେ ଦାୟିତ୍ୱ ଗ୍ରହଣ କରୁଛନ୍ତି । ଏହି କାରଣରୁ ଆୟୋଜନ ଖର୍ଚ୍ଚ ବୃଦ୍ଧି ପାଉଛି । କିନ୍ତୁ ଆୟୋଜନଜନିତ ଜଞ୍ଜାଳରୁ ମୁକ୍ତି ପାଇବା ନିମନ୍ତେ ମଧ୍ୟବିତ୍ତ ପରିବାରବର୍ଗ ବିବାହ-ବ୍ରତ ଭଳି ପାରିବାରିକ ଉତ୍ସବ ନିମନ୍ତେ କଲ୍ୟାଣ ମଣ୍ଡପ ବା ହୋଟେଲମୁହାଁ ହେଉଛନ୍ତି । ଏକ ହିସାବ ଅନୁଯାୟୀ ୨୦୨୩ରେ ସ୍ୱଚ୍ଛଳ ଓଡ଼ିଆ ମଧ୍ୟବିତ୍ତ ପରିବାରର  ବିବାହ ଉତ୍ସବରେ ବ୍ୟୟ ହାରାହାରି ୨୭ ଲକ୍ଷ ଟଙ୍କାରେ ପହଞ୍ଚିଥିବା ଜଣାଯାଏ ।

 

ଅପରପକ୍ଷେ ଉଭୟ ସରକାରୀ ଓ ପାରିବାରିକସ୍ତରରେ ମହାମାରୀ-ପର ଅବସ୍ଥାରେ ଆୟ-ବ୍ୟୟରେ ସମତୁଲ ରକ୍ଷା ସମ୍ଭବ ହୋଇପାରୁନଥିବା ହେତୁ ଆର୍ଥିକ ପରିବେଶ କ୍ରମଶଃ ଉତ୍କଟ ଅବସ୍ଥାରେ ପହଞ୍ଚୁଥିବା ଆଶଙ୍କା କରାଯାଏ । ଏକ ସର୍ବେକ୍ଷଣରୁ ଜଣାଯାଇଛି ଯେ ସଂଗଠିତ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀଙ୍କ ମଧ୍ୟରୁ ୨୦୨୩ ଆରମ୍ଭରେ ୨୫ ପ୍ରତିଶତ ଛଟେଇ ନେଇ ଭୟଭୀତ ହୋଇପଡ଼ିଥିଲେସେହିପରି କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟରେ ଆୟ ଗତ ତିନିବର୍ଷ ମଧ୍ୟରେ ହାରାହାରି ୫୦ ପ୍ରତିଶତ ଯାଏଁ କମିଥିବା କୁହାଯାଉଛି । ଉତ୍ସବାନୁଷ୍ଠାନରେ ବ୍ୟୟବୃଦ୍ଧି ସାଙ୍ଗକୁ ଆୟହାନୀର ଦୀର୍ଘକାଳୀନ ପ୍ରଭାବ ନକାରାତ୍ମକ ହେବା ସୁସ୍ପଷ୍ଟ । ଆନ୍ତର୍ଜାତିକସ୍ତରରେ ୨୦୨୩ରେ ଆର୍ଥିକ ମାନ୍ଦାବସ୍ଥା ସଂପର୍କରେ ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରୁଥିବା ଅବସରରେ ସର୍ବତ୍ର ଉଦବେଗ ପ୍ରକାଶ ପାଉଛି ।

 

ଶାସ୍ତ୍ରୀୟ ନୀତି ଅନୁଯାୟୀ ମହାମାରୀ ପରେ ସମାଜ ଆର୍ଥିକ ଦୁର୍ଗତିର ଶୀକାର ହୋଇଥାଏ । କିନ୍ତୁ ଶାସନ ଓ ବ୍ୟବସାୟ କ୍ଷେତ୍ରର ଅବସ୍ଥାପିତ ନେତୃବର୍ଗ ଆମ ଦେଶ ଆର୍ଥିକ ମାନ୍ଦାବସ୍ଥାରୁ ଦୂରେଇ ରହିବା ଅଭୟବାଣୀ ଦେଇ ଆସିଛନ୍ତି । ଏହି ଆଶ୍ୱାସନା କେତେଦୂର ଗ୍ରହଣୀୟ ତାହା ଏକ ପ୍ରଶ୍ନ । ଗଣମାଧ୍ୟମ ବିଶେଷଜ୍ଞଙ୍କ ମତରେ ବିଶ୍ୱବ୍ୟାପୀ ଅସତ୍ୟ ଫେକ ନିଉଜର ଯୁଗ ଚାଲିଛି । ସାଧାରଣ ବ୍ୟକ୍ତି ପକ୍ଷେ ଚଳନ୍ତି ସମ୍ୱାଦ ପ୍ରବାହରେ କେଉଁଟି ଠିକ, କେଉଁଟି ଭୂଲ, ତାହା ମୂଲ୍ୟାୟନ କରିବା ଅସଂଭବ । ୨୦୨୨-୨୩ ଶୀତଋତୁରେ ବ୍ରହ୍ମପୁରବାସୀ ଉତ୍ସବ-ମହୋତ୍ସବ ଉନ୍ମାଦନାରେ ମଜ୍ଜି ରହିଲେ ସତ କଥା, କିନ୍ତୁ ଅନେକ ଆଗାମୀ ଅନିଶ୍ଚିତ ଭବିଷ୍ୟତ ନେଇ ଅବଶ୍ୟ ଆଶଙ୍କିତ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୮ ଜାନୁୟାରୀ ୨୦୨୩/ ପୃଷ୍ଠା : ୨)

Friday, January 20, 2023

Bharatmala Pariyojana / ଭାରତମାଳା ପରିଯୋଜନା



#ବ୍ରହ୍ମପୁର ସହରର ବୁଦ୍ଧିଜୀବୀ ମହଲରେ ଗଞ୍ଜାମ ଜିଲ୍ଲା ଉପକୂଳ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତମାଳା ପରିଯୋଜନା ପ୍ରଯୋଜିତ ଉପକୂଳ ରାଜପଥ କୋଷ୍ଟାଲ ହାଇୱେରୁ ବାଦ ପଡ଼ିଥିବା ନେଇ ଚ଼ିନ୍ତା ପ୍ରକଟ କରାଯାଇଛି । ଭାରତମାଳା ପରିଯୋଜନାରେ ସାରା ଦେଶରେ ସଡ଼କପଥରେ ଯୋଗାଯୋଗ ବିକାଶ ନିମନ୍ତେ ଅତିରିକ୍ତ ରାଜପଥ ନିର୍ମାଣ ହାତକୁ ନିଆଯାଇଛି । ଏହିକ୍ରମରେ ଗୋପାଳପୁରଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଏକ କୋଷ୍ଟାଲ ହାଇୱେ ନିର୍ମାଣ ନିମନ୍ତେ ୨୦୧୫ ମସିହାରେ ପ୍ରସ୍ତାବ ଘୋଷିତ ହୋଇଥିଲା । ଏଥିଲାଗି ଆଠ ହଜାର କୋଟି ଟଙ୍କା ବ୍ୟୟ ବରାଦ ସାଙ୍ଗକୁ ୪୫୧ କିଲୋମିଟର ହାଇୱେ ନିର୍ମାଣ ନିମନ୍ତେ ଯୋଜନା ରହିଥିଲା ।

 

କିନ୍ତୁ ୨୦୨୨ ଶେଷ ପର୍ଯ୍ୟାୟରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନିମନ୍ତେ ଡ଼ିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତିରେ ପୂର୍ବ-ନିର୍ଦ୍ଧାରିତ ପ୍ରସ୍ତାବରେ କେତେକ ପରିବର୍ତ୍ତନ କରାଯାଇ ଗୋପାଳପୁରଠାରୁ ଦୀଘା ପରିବର୍ତ୍ତେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀଠାରୁ ପଶ୍ଚିମବଙ୍ଗର ଦୀଘା ଯାଏଁ ହାଇୱେ ନିର୍ମାଣ ନିମନ୍ତେ ସ୍ଥିରୀକୃତ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ପ୍ରସ୍ତାବିତ କୋଷ୍ଟାଲ ହାଇୱେ ନିର୍ମାଣରେ ଗଞ୍ଜାମ ଜିଲ୍ଲା ଉପକୂଳକୁ ବାଦ ଦେଇ ଟାଙ୍ଗୀଠାରୁ ଆରମ୍ଭ ହୋଇ ବ୍ରହ୍ମଗିରି, ପୁରୀ, କୋଣାର୍କ, ଅସ୍ତରଙ୍ଗ,ପାରାଦ୍ୱୀପ ଓ ଧାମରା ବନ୍ଦର, ରତ୍ନପୁର ଦେଇ ଦୀଘାକୁ ସଂଯୋଗ କରିବା ନିମନ୍ତେ କୋଷ୍ଟାଲ ହାଇୱେର ଦୂରତ୍ୱ ୩୮୨ କିଲୋମିଟରକୁ କମାଇ ଦିଆଯାଇଛି ।

 

କୁହାଯାଉଛି ଯେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଏକ୍ସପର୍ଟ କମିଟି ଚ଼ିଲିକା ହ୍ରଦର ପରିବେଶ ଓ ଋଷିକୂଲ୍ୟା ମୁହାଣରେ ଅଲିଭ ରିଡ଼ଲେ କଇଁଛଙ୍କ ସମୂହ-ଅଣ୍ଡାଦାନର ସୁରକ୍ଷା ନିମନ୍ତେ ଏହି ଅଞ୍ଚଳରେ ହାଇୱେ ନିର୍ମାଣ ବାରଣ କରିଛନ୍ତି ।

 

ବ୍ରହ୍ମପୁର ସହରର ବିକାଶ ଚ଼େନ୍ନାଇ କୋଲକତା ରେଳପଥ ଓ ରାଜପଥ ସଂଯୋଗ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ । ଭାରତମାଳା ପରିଯୋଜନାରେ ପୁରୀ, କୋଣାର୍କ ଭଳି ପର୍ଯ୍ୟଟନ ସ୍ଥଳୀ ଓ ପାରାଦ୍ୱୀପ, ଧାମରା ଭଳି ବନ୍ଦର ସହ ସଡ଼କପଥରେ ସିଧାସଳଖ ଯୋଡ଼ି ହେଲେ ବ୍ରହ୍ମପୁରର ଅର୍ଥନୀତି, ଶ୍ରମନିଯୁକ୍ତି, ଗମନାଗମନ, ପରିବହନ ଓ ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଶା କରାଯାଉଥିଲା । ବ୍ରହ୍ମପୁର ସନ୍ନିକଟରେ ଦୁଇ ବେଳାଭୂମି ଗୋପାଳପୁର ଓ ସୁନପୁର, ଛତ୍ରପୁର ତାମ୍ପରା ଓ ଚ଼ିଲିକାରେ ପର୍ଯ୍ୟଟନର ବିକାଶ ସହରର ଅର୍ଥନୀତିରେ ଅନୁକୂଳ ପ୍ରଭାବ ପକାଇପାରିବ । ତେବେ ଏହି ସବୁ ଅଞ୍ଚଳ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରକଳ୍ପରୁ ବାଦ ପଡୁଥିବା ଅବସରରେ ଜନମାନସରେ ହତାଶଭାବ ସୃଷ୍ଟି କରିବା ସ୍ୱାଭାବିକ ।

 

କେତେକ ସୂତ୍ରରୁ ପ୍ରକାଶ ଯେ ଗୋପାଳପୁର-ଦୀଘା ଭାୟା ଚିଲିକା କୋଷ୍ଟାଲ ହାଇୱେ ନିର୍ମାଣ ଅବସରରେ ଚ଼ିଲିକା ହ୍ରଦରେ ପାଞ୍ଚ କିଲୋମିଟର ବ୍ୟାପୀ ସେତୁ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଥିଲା । ଏହା ଜହ୍ନିକୁଦାକୁ ସାତପଡ଼ା ସହ ସଂଯୋଗ କରିଥାନ୍ତା । ତେବେ ଚିଲିକା ବକ୍ଷରେ ସେତୁ ନିର୍ମାଣକୁ ସଂଭବତଃ ପରିବେଶବିତମାନେ ପସନ୍ଦ କରିନାହାନ୍ତି ।

 

ବ୍ରହ୍ମପୁରର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଭାରତମାଳା ପରିଯୋଜନାର ମୂଳଲକ୍ଷ୍ୟ ସଡ଼କପଥର ବିସ୍ତାର ଦ୍ୱାରା ରାଜପଥ ସଂଯୋଗରେ ଦୂରତ୍ୱ କମାଇବା । ଏଥି ନିମନ୍ତେ ସେତୁ, ସୁଡ଼ଙ୍ଗ, ଫ୍ଳାଇ ଓଭର, ଓଭରପାସ, ରିଙ୍ଗରୋଡ଼ ଇତ୍ୟାଦି ନିର୍ମାଣ ପ୍ରତି ପ୍ରାଥମିକତା ଦିଆଯାଇଥାଏ । ଗୋପାଳପୁର-ଦୀଘା ଉପକୂଳ ଜାତୀୟ ରାଜପଥ ପରିଯୋଜନାରେ ଚ଼ିଲିକାରେ ସେତୁ ନିର୍ମାଣ ହୋଇଥିଲେ ବ୍ରହ୍ମପୁରଠାରୁ ପୁରୀ ମଧ୍ୟରେ ୬୦ କିଲୋମିଟର ଯାଏଁ ସଡ଼କପଥରେ ଦୂରତ୍ୱ କମିଯାଇଥାନ୍ତା ।

 

ପ୍ରଶ୍ନ ଉଠେ, ଭାରତମାଳା ପରିଯୋଜନାର ମୂଳ ଲକ୍ଷ୍ୟ ଯଦି ଅତିରିକ୍ତ ସଡ଼କପଥ ନିର୍ମାଣ ଓ ସଂଯୋଗ ସ୍ଥାପନ, ତେବେ ଗୋପାଳପୁର ସମେତ ଗଞ୍ଜାମ ଜିଲ୍ଲାକୁ ପ୍ରସ୍ତାବିତ ଉପକୂଳ ରାଜପଥ ଯୋଜନାରୁ ବାଦ ଦେବା ବଦଳରେ ପରିବେଶ ଅନୁକୂଳ ବିକଳ୍ପ ବ୍ୟବସ୍ଥା ପ୍ରତି କାହିଁକି ଧ୍ୟାନ ଦିଆଯାଉନାହିଁ । ବିକଳ୍ପ କଣ ହେବ ସେ ସଂପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେବେ । କିନ୍ତୁ ଏହି ସମସ୍ୟା ସେମାନଙ୍କ ବିଚାର ପରିସରଭୁକ୍ତ କରିବା ଦିଗରେ ଉଦ୍ୟମ ସ୍ଥାନୀୟ ନାଗରିକ ସମାଜ ଓ ରାଜନୀତିକ ନେତୃବର୍ଗଙ୍କ କାର୍ଯ୍ୟ ନୁହେଁ କି ?



(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୧ ଜାନୁୟାରୀ ୨୦୨୩/ ପୃଷ୍ଠା : ୨)

Photo by Mystery Cat on Unsplash 

Friday, January 13, 2023

Story of a theft / ଏକ ଚ଼ୋରି କାହାଣୀ

 

ଅନ୍ୟତ୍ର ଭଳି #ବ୍ରହ୍ମପୁର ସହରରେ ଚୋରିହାରି ଲାଗିରହିଥାଏ । ବେଳେ ବେଳେ କେତେକ ଚ଼ୋରି ଘଟଣା ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟେ । ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଜନାକୀର୍ଣ୍ଣ ବାବାଜୀ ତୋଟା ସାହିରେ ୨୦୨୨ ଡ଼ିସେମ୍ୱର ଶେଷ ସପ୍ତାହରେ ଭୋର ସମୟରେ ଜଣେ ବୟସ୍କ ମହିଳାଙ୍କ ଘରେ ପଶି ଚ଼ୋର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେବା ସେହି ଭଳି ଏକ ଉଦାହରଣ ।

 

ବିବରଣୀରୁ  ପ୍ରକାଶ ଯେ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ନିଜ ଘରେ ଶୋଇଥିଲେ । ତାଙ୍କ ପତି ସକାଳୁ ସକାଳୁ ପ୍ରାତଃ ଭ୍ରମଣ ସହ ଫୁଲ ତୋଳିବାକୁ ଚାଲିଯାଇଥିଲେ । ବୟସ୍କ ମହିଳା ଏକାକୀ ଥିବା ସୁଯୋଗ ଉଣ୍ଡି ଚ଼ୋରମାନେ ଘରେ ପଶିଲେ । ତେବେ ଛାଇ ନିଦରୁ ଶିକ୍ଷୟତ୍ରୀଜଣକ ଉଠିପଡ଼ି ଆକଟ କରିଥିଲେ । ଦୁର୍ବୃତ୍ତମାନେ ମହିଳାଙ୍କ ମୁହଁରେ କିଛି ରାସାୟନିକ ପଦାର୍ଥ ଛିଞ୍ଚି ଦେବା ଫଳରେ ସେ ବେହସ ହୋଇ ପଡ଼ିଲେ । ଚ଼ୋରମାନେ ଶିକ୍ଷୟତ୍ରୀ ପିନ୍ଧିଥିବା ସୁନା ଚ଼େନ, ଚାରିଗୋଟି ସୁନା ଚୁଡ଼ି, ଦୁଇ ଗୋଟି ମୁଦି ଓ ହଳେ କାନଫୁଲ ଖୋଲି ନେଇଯାଇଥିଲେ । ଭ୍ୟାନିଟି-ବ୍ୟାଗରେ ଥିବା ନଗଦ ଆଠ ହଜାର ଟଙ୍କା ମଧ୍ୟ ଧରି ଚମ୍ପଟ ମାରିଥିଲେ । ସମଗ୍ର ଘଟଣା ମାତ୍ର କେଇ ମିନଟରେ ସରିଥିଲା ।

 

ପୂଜାଫୁଲ ସଂଗ୍ରହକରି ପତି ଫେରିଲା ବେଳକୁ ପତ୍ନୀ ବେହସ ଅବସ୍ଥାରେ ପଡ଼ିଥାନ୍ତି । ଶରୀରରେ ଅଳଙ୍କାର ଲୁଟ ହୋଇସାରିଥିଲା । କିଛି ସମୟ ଡ଼କାହକା ପରେ ମହିଳାଙ୍କ ଚ଼େତା ଫେରିଲା । ସେ ସମଗ୍ର ଘଟଣା ବର୍ଣ୍ଣନା କଲେ । ସାମାନ୍ୟ ସୁସ୍ଥ ଅନୁଭବ କରିବାପରେ ପତିପତ୍ନୀ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ତୁରନ୍ତ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା

 

ଘଟଣାଟି ସାଧାରଣ ପ୍ରତୀୟମାନ ହୁଏ । ପ୍ରଥମତଃ, ଭୋରରୁ ପତ୍ନୀ ଶୋଇଥିବା ଅବସ୍ଥାରେ ପତି ହୁଏତ ସୁରକ୍ଷିତ ଭାବେ କବାଟ ଦୁଆର ବନ୍ଦ କରିବାରେ ଅବହେଳା କରିଥିଲେ । ତେଣୁ ପତି ଭୋରରୁ ଫୁଲ ତୋଳିବାକୁ ଯିବାପରେ ଚ଼ୋରମାନେ ଅନାୟସରେ ଘରେ ପଶି ପତ୍ନୀଙ୍କୁ ନିଶା ଔଷଧ ଶୁଙ୍ଘାଇ ସୁନା ଟଙ୍କା ଲୁଟ କରିବାରେ ସକ୍ଷମ ହେଲେ । ଦ୍ୱିତୀୟତଃ, ସଂପୃକ୍ତ ଗୃହରେ ଏକ ବୃଦ୍ଧ ଦମ୍ପତ୍ତି ବସବାସ କରୁଥିବା ଏବଂ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟସୂଚ଼ୀ ସଂପର୍କରେ ଚ଼ୋର ଦଳ ଆଗୁଆ ତଥ୍ୟ ସଂଗ୍ରହ କରି ଚ଼ୋରି ସୁଯୋଗ ସୃଷ୍ଟି କରିଥିଲେ । ତୃତୀୟତଃ, ବୃଦ୍ଧ ଦମ୍ପତ୍ତି ନିଜ ସୁରକ୍ଷା କ୍ଷେତ୍ରରେ ଯେତିକି ତତ୍ପରତା ପ୍ରକାଶ କରିବା କଥା ସେଥିରେ ଅବହେଳା କରିଛନ୍ତି । ମୁଖ୍ୟତଃ, ମହାମାରୀ-ପର ଅବସ୍ଥାରେ ସୃଷ୍ଟ ଆର୍ଥିକ ମାନ୍ଦାବସ୍ଥା କାରଣରୁ ଚ଼ୋରିହାରି ଓ ଅପରାଧିକ କାର୍ଯ୍ୟର ମାତ୍ରା ବୃଦ୍ଧି ପାଇବା ବିଶେଷଜ୍ଞଙ୍କ ଆକଳନକୁ ଅଣଦେଖା କରିବା ଫଳରେ ଦୁର୍ଦ୍ଦଶାଗ୍ରସ୍ତ ହେଲେ । ଏଦିଗରେ ସାମାଜିକସ୍ତରରେ ବରିଷ୍ଠ ନାଗରିକଙ୍କୁ ସଚ଼େତନ କରିବା ନିମନ୍ତେ ଉଦ୍ୟମ ଅଭାବ ଅନୁଭୂତ ହୁଏ ।

 

ଏହିଭଳି ଏକ ଚ଼ୋରି କାହାଣୀରେ ପୋଲିସକୁ ଟାଣି-ଓଟାରି ସଂପୃକ୍ତ କରିବା ଅନ୍ୟାୟ ହେବ । ଚ଼ୋରି ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା, ଉପଲବ୍ଧ ଆଧୁନିକ ପଦ୍ଧତି ଉପଯୋଗ କରିଥିଲା । କ୍ଳୋଜ-ସର୍କିଟ ଭିଡ଼ିଓ ଫୁଟେଜ ଯାଞ୍ଚ କରିଥିବ, ସେହି ଅଞ୍ଚଳର ପୁରୁଣା ଦାଗୀଙ୍କୁ ପଚ଼ରା ଉଚ଼ରା କରିଥିବ, ତେବେ ଚ଼ୋର ଧରାପଡ଼ିବ ନା ନାହିଁ ତାହା ଭିନ୍ନ କଥା । କିନ୍ତୁ ପ୍ରଶ୍ନ ଉଠେ, ଏଭଳି ଘଟଣାକୁ କିପରି ଏଡ଼ାଇ ଦେଇ ହେବ ଏବଂ ଏହି ଦିଗରେ କେଉଁମାନେ ତତ୍ପରତା ପ୍ରକାଶ କରିବା ଉଚ଼ିତ ?

 

ବ୍ରହ୍ମପୁରରେ ବହୁ ସଂଖ୍ୟକ ନାଗରିକ ସମାଜ ଓ ସ୍ୱେଚ୍ଛାସେବୀ ସଂଗଠନ କାର୍ଯ୍ୟ କରୁଛନ୍ତି । ଖୋଦ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକାଧିକ ସଂସ୍ଥା ରହିଛି । ତେବେ ଏ ସମସ୍ତେ ଔପଚାରିକ ଉତ୍ସବାନୁଷ୍ଠାନ ଆୟୋଜନର ପରିସୀମା ଡ଼େଇଁ ସମାଜର ଅବହେଳିତ ବର୍ଗଙ୍କ ପାଇଁ ରଚ଼ନାତ୍ମକ କାର୍ଯ୍ୟକ୍ରମ ଆୟୋଜନରେ ମନୋନିବେଶ କଲେ ସମାଜର ମଙ୍ଗଳ ସମ୍ଭବ । ରାଜ୍ୟର ଜନସଂଖ୍ୟାର ୯.୫ ପ୍ରତିଶତ ୬୦ ବର୍ଷୋତ୍ତର ବରିଷ୍ଠ ନାଗରିକ ଥିବା ସ୍ଥଳେ ପ୍ରତି ଦଶ ଜଣରେ ଜଣେ ବାର୍ଦ୍ଧକ୍ୟଗ୍ରସ୍ତ । ବ୍ରହ୍ମପୁରର ସାଢ଼େ-ଚାରି ଲକ୍ଷ ଜନ ସଂଖ୍ୟାରେ ୪୫ ହଜାରରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ବସବାସ କରୁଛନ୍ତି । ଶାରିରୀକ, ମାନସିକ ଓ ସାମାଜିକସ୍ତରରେ ଏମାନେ ଶୀଥିଳ ଏହି ବର୍ଗର ସୁରକ୍ଷା ତଥା ଆଧୁନିକ ଜନଜୀବନ ସଂପର୍କରେ ବାର୍ଦ୍ଧକ୍ୟଗ୍ରସ୍ତଙ୍କୁ ସଚ଼େତନ କରାଇବା ଦିଗରେ ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ସୁଚ଼ିନ୍ତିତ ପ୍ରକଳ୍ପମାନ ହାତକୁ ନିଆଯାଇପାରେ । ଫଳରେ ପରିବର୍ତ୍ତିତ ପରିସ୍ଥିତିର ସେମାନେ ମୁକାବିଲା କରିପାରିବେ । ଯଥା : ଗୋଷ୍ଠୀବଦ୍ଧ ଜୀବନ, ଡ଼ିଜିଟାଲ ସାକ୍ଷରତା, ପରସ୍ପରକୁ ସହାୟତା ଇତ୍ୟାଦି କାର୍ଯ୍ୟ ପ୍ରୋତ୍ସାହିତ ହେବ ।

 

ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଏକ ସ୍ୱତନ୍ତ୍ର ବର୍ଗ ରୂପେ ଚ଼ିହ୍ନଟ କରାଯାଇ ସେମାନଙ୍କ ସୁରକ୍ଷାଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ସୃଷ୍ଟି କରିବା ନିମନ୍ତେ ନୀତିଗତ ନିଷ୍ପତି ଗ୍ରହଣ କରାଯାଇଛିଓଡ଼ିଶା ପୋଲିସ ପକ୍ଷରୁ ୨୦୧୬ ମସିହାରେ ପ୍ରତି ଥାନାରେ ବରିଷ୍ଠ ନାଗରିକ ସେଲ ଖୋଲିବା ନିମନ୍ତେ ସମସ୍ତ ପୋଲିସ ଜିଲ୍ଲା ଏସପି ଓ ଡ଼ିଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଏ । ଅବଶ୍ୟ ଆବଶ୍ୟକୀୟ ପୋଲିସ କର୍ମଚାରୀ ଅଭାବ କାରଣରୁ ଏହି ଭଳି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନଥିବା କୈଫିୟତ ମିଳେ । ତେବେ ପ୍ରତି ଥାନାରେ ନହେଲେ ମଧ୍ୟ ବ୍ରହ୍ମପୁର ପୋଲିସ ଜିଲ୍ଲା ଏସପି ଅଫିସ ସ୍ତରରେ ଏକ ବରିଷ୍ଠ ନାଗରିକ ସୁରକ୍ଷା ସେଲ ଖୋଲାଯିବା, ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦେବା ଏବଂ ସେଲ ସହ ଯୋଗାଯୋଗ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ମୋବାଇଲ ଟେଲିଫୋନ ନମ୍ୱର ସର୍ବସାଧାରଣରେ ବିଜ୍ଞପିତ କରାଇବା ଜରୁରି ମନେହୁଏ ।


Photo by iMattSmart on Unsplash 


Friday, January 6, 2023

Brahmapur TATA Steel Medica Hospital / ବ୍ରହ୍ମପୁର ଟାଟା ଷ୍ଟିଲ ମେଡ଼ିକା ହସପିଟାଲ

 

#ବ୍ରହ୍ମପୁର ପୂର୍ବ ଉପକଣ୍ଠରେ ଟାଟା ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ ବିସ୍ଥାପିତ କଲୋନୀ ନିକଟସ୍ଥ ଶୀତଳାପଲ୍ଲୀ ଗ୍ରାମରେ ୫୦୦ ଶଯ୍ୟାବିଶିଷ୍ଟ ଟାଟା ଷ୍ଟିଲ ମେଡ଼ିକା ହସପିଟାଲର କୋଠାବାଡ଼ି ନିର୍ମାଣ କାର୍ଯ୍ୟ ୨୦୧୯ ମଧ୍ୟଭାଗରୁ ସରିଥିଲା । ଜଳ ଓ ବିଦ୍ୟୁତ ସଂଯୋଗ ପରେ ୨୦୨୦ ପ୍ରଥମାର୍ଦ୍ଧରେ ଉଦଘାଟନ ହେବା ଯୋଜନା ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିନ୍ତୁ ୨୦୨୦ ମାର୍ଚ୍ଚ ମାସରୁ କୋଭିଡ଼ ମହାମାରୀ ସଂକ୍ରମଣ ପରେ ଜରୁରୀ ପରିସ୍ଥିତିରେ ସୁପରସ୍ପେସାଲିଟି ହସପିଟାଲ ବଦଳରେ ଏହା କୋଭିଡ଼ ହସପିଟାଲ ଭାବେ ତତ୍ କ୍ଷଣାତ ବ୍ୟବହୃତ ହୋଇଥିଲା । ମହାମାରୀର ଚାପ ହ୍ରାସରେ କୋଭିଡ଼ ହସପିଟାଲ ବନ୍ଦ ହେବା ପରେ ଏହା ପୂର୍ବ ଯୋଜନା ଅନୁଯାୟୀ ସାଧାରଣ ହସପିଟାଲ ରୂପେ କାର୍ଯ୍ୟ ଆରମ୍ଭ କରିବା କଥା । ତେବେ ବିଭିନ୍ନ କାରଣରୁ ୨୦୨୨ ଜାନୁୟାରୀ ସୁଦ୍ଧା ତାହା ସଂଭବ ହୋଇପାରି ନାହିଁ ।
 
ଟାଟା ପକ୍ଷରୁ ପ୍ରକଳ୍ପ ରୂପାୟନ ହୋଇଥିବା ଅଞ୍ଚଳଗୁଡ଼ିକରେ ହସପିଟାଲ ନିର୍ମାଣ କରିଥାଏ । କେତେକ କ୍ଷେତ୍ରରେ ନିଜେ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିବା ସ୍ଥଳେ ଅନ୍ୟ କେତେକ କ୍ଷେତ୍ରରେ ପୃଥକ ସ୍ୱାସ୍ଥ୍ୟସେବା ସଂସ୍ଥାର ସହଯୋଗ ଲୋଡ଼ିଥାଏ । ବ୍ରହ୍ମପୁରରେ ଟାଟା ହସପିଟାଲ ପରିଚାଳନା ନିମନ୍ତେ କୋଲକତାର ମେଡ଼ିକା ଗୃପ ସହବନ୍ଧିତ ହୋଇଥିଲା । ଚ଼ିକିତ୍ସା କ୍ଷେତ୍ରରେ ମେଡ଼ିକା ହସପିଟାଲସ ଏକ ବଡ଼ କମ୍ପାନୀ । ଏହି କମ୍ପାନୀ ଶତାଧିକ ହସପିଟାଲ ପରିଚାଳନା ସହ ସଂପୃକ୍ତ ବୋଲି କୁହାଯାଏ । ଭାରତରେ ୨୨ ଗୋଟି ରାଜ୍ୟ ସହ ମିଆଁମାର, ୟେମାନ ଓ ଦକ୍ଷିଣ ଆଫ୍ରିକା ସମେତ ଛଅଗୋଟି ବୈଦେଶିକ ରାଷ୍ଟ୍ରରେ ସ୍ୱାସ୍ଥ୍ୟସେବା ସହ ମେଡ଼ିକାକାର୍ଯ୍ୟରତ
 
ବ୍ରହ୍ମପୁର ଟାଟା ଷ୍ଟିଲ ମେଡ଼ିକା ହସପିଟାଲର ଭିତ୍ତିଭୂମି ନିର୍ମାଣ ନିମନ୍ତେ ଓଡ଼ିଶା ସରକାର ୪୪ ଏକର ସରକାରୀ ଜମି ବିନାମୂଲ୍ୟରେ ଯୋଗାଇ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୨୦୦ ଶଯ୍ୟା ବିଶିଷ୍ଟ ଚ଼ିକିତ୍ସା ଆରମ୍ଭ କରିବା ନିମନ୍ତେ ପରିକଳ୍ପନା କରାଯାଇଥିଲା । ମେଡ଼ିସିନ, ସର୍ଜରୀ, ସ୍ତ୍ରୀରୋଗ, ଶିଶୁରୋଗ, ଇଏନଟି, ପାଥୋଲଜି ଓ ଏନେସ୍ଥେସିଆ ଭଳି ବିଭାଗରେ ଚ଼ିକିତ୍ସକ ନିଯୁକ୍ତି ତଥା ଆବଶ୍ୟକୀୟ ଚ଼ିକିତ୍ସା ଉପକରଣ ସଂଯୋଗ ପାଇଁ ପ୍ରସ୍ତୁତି ଚାଲିଥିଲା । ତେବେ ଅପ୍ରତ୍ୟାଶିତ ମହାମାରୀ ଯୋଗୁଁ ସମସ୍ତ ଯୋଜନା ପଣ୍ଡ ହୋଇଯାଇଥିବା ପ୍ରକାଶ ।
 
ମହାମାରୀର ତିନିଗୋଟି ତରଙ୍ଗର ପ୍ରକୋପ ସରିବାପରେ ପୂର୍ବ ଯୋଜନାମତେ ବ୍ରହ୍ମପୁର ଟାଟା ଷ୍ଟିଲ ମେଡ଼ିକା ହସପିଟାଲ କାର୍ଯ୍ୟ ଆରମ୍ଭ ନକରିପାରିବା ହେତୁ ସମସ୍ୟାଟି କ୍ରମଶଃ ସହରବାସୀଙ୍କ ଚର୍ଚ୍ଚାର ପରିସରକୁ ଆସିବା ସ୍ୱାଭାବିକ । ପ୍ରଶ୍ନ ଉଠେ, ଟାଟା ଏକ ଖ୍ୟାତନାମା କମ୍ପାନୀ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଶବ୍ୟାପୀ ସୁନାମ ଅଛି । ସେହିପରି ମେଡ଼ିକା ମଧ୍ୟ ଏକ ବଡ଼ କମ୍ପାନୀ । ଏକ ଶହ ସରିକି ଚ଼ିକିତ୍ସାଳୟ ସହ ଅନୁବନ୍ଧିତ କମ୍ପାନୀ ପାଇଁ ଦୁଇ ଶହ ଶଯ୍ୟାର ହସପିଟାଲ ନିମନ୍ତେ ମାନବସମ୍ୱଳ ଯୋଗାଡ଼ କରିବା କିଛି ବଡ଼ କଥା ନୁହେଁ । ତେବେ ବ୍ରହ୍ମପୁର ଟାଟା ଷ୍ଟିଲ ମେଡ଼ିକା ହସପିଟାଲ କାହିଁକି କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ?
 
ଅବଶ୍ୟ ଏକଥା ସତ ଯେ କୋଭିଡ଼-୧୯ ମହାମାରୀ ପରେ କେବଳ ଭାରତ କାହିଁକି ସମଗ୍ର ବିଶ୍ୱରେ ହସପିଟାଲଗୁଡ଼ିକର କାର୍ଯ୍ୟଭାର ବଢ଼ିଛି । ଖବର ଅନୁଯାୟୀ ଜାନୁୟାରୀ ୨୦୨୩ ସୁଦ୍ଧା ବ୍ରିଟେନ, ଜର୍ମାନ ଭଳି ବିକଶିତ ରାଷ୍ଟ୍ରଗୁଡ଼ିକରେ ହସପିଟାଲରେ ଭର୍ତ୍ତି ହେବା ପାଇଁ ରୋଗୀଙ୍କୁ ୧୨ ଘଣ୍ଟା ଯାଏଁ ଅପେକ୍ଷା କରିବାକୁ ପଡୁଛି । ଅର୍ଥାତ, ହସପିଟାଲମୁଖୀ ରୋଗୀଙ୍କ ସଂଖ୍ୟା ଆଶାତୀତଭାବେ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ଡ଼ାକ୍ତର ଓ ନର୍ସଙ୍କ ଅଭାବ ସର୍ବତ୍ର ଲାଗି ରହିଛି । ସ୍ୱାଧୀନୋତ୍ତର ଅବସ୍ଥାରେ ମେଡ଼ିକାଲ ଶିକ୍ଷା ପ୍ରସାର କ୍ଷେତ୍ରରେ ସରକାରୀ ଉଦାସୀନତା ହେତୁ ଆମେ ପଛରେ ପଡ଼ି ରହିଛେ ।
 
ଅପରପକ୍ଷେ ବ୍ରହ୍ମପୁର ସହରରେ ଜନସଂଖ୍ୟା ବୃଦ୍ଧି ତଥା ସମଗ୍ର ଦକ୍ଷିଣ ଓଡ଼ିଶାବାସୀ ସ୍ୱାସ୍ଥ୍ୟସେବା ଲାଗି ବ୍ରହ୍ମପୁର ଉପରେ ନିର୍ଭର କରୁଥିବା ସ୍ଥଳେ ଏଠାରେ ସରକାରୀ ମେଡ଼ିକାଲ କଲେଜ ଭିନ୍ନ ଘରୋଇ ହସପିଟାଲ ସ୍ଥାପିତ ହୋଇପାରି ନାହିଁ । ଫଳରେ ଗୁଣାତ୍ମକ ଚ଼ିକିତ୍ସା ନିମନ୍ତେ ଭୁବନେଶ୍ୱର କିମ୍ୱା ବିଶାଖପାଟଣା ଉପରେ ନିର୍ଭର କରିବାକୁ ପଡୁଛି । ଦୀର୍ଘ ଆଠ ବର୍ଷ ପୂର୍ବେ ୨୦୧୪ରେ ବ୍ରହ୍ମପୁର ଟାଟା ଷ୍ଟିଲ ମେଡ଼ିକା ହସପିଟାଲ ନିର୍ମାଣର ଭୂମିପୂଜା ପରଠାରୁ ଏହି ଅଞ୍ଚଳବାସୀ ଏକ ବିକଳ୍ପ ଚ଼ିକିତ୍ସାଳୟର ଅପେକ୍ଷାରେ ରହିଛନ୍ତି ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୦୭ ଜାନୁୟାରୀ ୨୦୨୩/ ପୃଷ୍ଠା : ୨)

Photo from : https://odishabytes.com/