Thursday, July 28, 2016

Statics on senior citizen in Berhampur / ବ୍ରହ୍ମପୁରରେ ବରିଷ୍ଠ ନାଗରିକ ପରିସଂଖ୍ୟାନ

ନସଂଖ୍ୟା ଆକଳନ ଅନୁଯାୟୀ ଆମ ଦେଶରେ ବର୍ତ୍ତମାନ ପ୍ରାୟ ଦଶ ପ୍ରତିଶତ ଅଧିବାସୀ 60 ବର୍ଷରୁ ଉର୍ଦ୍ଧ୍ୱ ବା ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ | ପୁଣି ଏମାନଙ୍କ ମଧ୍ୟରୁ ପ୍ରାୟ ଶତକଡ଼ା ଦଶ ପ୍ରତିଶତ ବୃଦ୍ଧବୃଦ୍ଧା ଏକେତ ଶଯ୍ୟାଶାୟୀ କିମ୍ୱା ଘରୁ ବାହାରିବା ଲାଗି ଅସମର୍ଥ | ଏହି ହିସାବ ଅନୁଯାୟୀ ବ୍ରହ୍ମପୁରର ସମସାମୟିକ ସ୍ଥାୟୀ ଲୋକସଂଖ୍ୟା 4 ଲକ୍ଷ 50 ହଜାର ଧରାଗଲେ ପ୍ରାୟ 45 ହଜାର ବାସିନ୍ଦା ବରିଷ୍ଠ ନାଗରିକ ଏବଂ 4 ହଜାରର 500 ବାସିନ୍ଦା ଶଯ୍ୟାଶାୟୀ କିମ୍ୱା ଘରୁ ବାହାରିବା ଲାଗି ଅସମର୍ଥ |
          ଏହି ପରିସଂଖ୍ୟାନ ଅଧ୍ୟୟନ କଲେ ପ୍ରଥମେ ମନକୁ ଆସେ ପରିଣତ ବୟସରେ ଶାରିରୀକ ଦୃଷ୍ଟିରୁ ଅସହାୟ ସ୍ଥିତିରେ ଉପନୀତ ହୋଇଥିବା ବରିଷ୍ଠ ନାଗରିକଙ୍କ ପାଇଁ ଆମ ସହରରେ କଣ ସବୁ ସାମାଜିକ ସୁରକ୍ଷା ଉପଲବ୍ଧ | ଶିଶୁ, ନାବାଳାକ, ଯୁବବର୍ଗ, ମହିଳା, ସଂଖ୍ୟାଲଘୁ ସଭିଙ୍କ ପାଇଁ ଊଣା ଅଧିକେ କିଛି କିଛି ଘରୋଇ ଓ ସରକାରୀ ସୁବିଧାସୁଯୋଗ ଥିବାବେଳେ ବରିଷ୍ଠନାଗରିକ, ମୁଖ୍ୟତଃ ଶଯ୍ୟାଶାୟୀଙ୍କ ନିମନ୍ତେ ଘରୋଇ କିମ୍ୱା ସରକାରୀ କୌଣସିଟି ସ୍ତରରେ ଗୁରୁତ୍ୱ ଦିଆଯାଉଥିବା ମନେ ହୁଏନି | ଆପାତତଃ ପରିବାରବର୍ଗଙ୍କ ହେପାଜାତରେ ସେମାନଙ୍କୁ ଛାଡ଼ି ଦିଆଯାଇଥାଏ | ନିକଟ ଅତୀତରେ ସନ୍ତାନସନ୍ତତିଙ୍କ ଦ୍ୱାରା ବୃଦ୍ଧା ମାତାପିତାଙ୍କ ଭରଣପୋଷଣ ନିମନ୍ତେ ଏକ ଆଇନ ପ୍ରଣୟନ ହୋଇଥିଲେ ହେଁ ପ୍ରାୟତଃ ତାହାର ଉପଯୋଗ ସଂଖ୍ୟା ନଗଣ୍ୟ |
          ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢ଼ି ଚ଼ାଲିବାରେ ଲାଗିଛି | ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ମୁଣ୍ଡପିଛା ଆୟ ବୃଦ୍ଧି ତଥା ଶିକ୍ଷା ପ୍ରସାର କାରଣରୁ ପରମାୟୁ ବୃଦ୍ଧି ଘଟୁଛି | ‘ହେଲପ ଏଜ ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ବିବରଣୀ ଅନୁଯାୟୀ 2050 ବେଳକୁ ଭାରତର ମୋଟ ଜନସଂଖ୍ୟାର 20 ପ୍ରତିଶତ ଲୋକ ବରିଷ୍ଠ ନାଗରିକ ପର୍ଯ୍ୟାୟଭୁକ୍ତ ହେବେ | ସେହି ହିସାବରେ 2050 ବେଳକୁ ଯଦି ବ୍ରହ୍ମପୁରର ଲୋକସଂଖ୍ୟା 10 ଲକ୍ଷ ଛୁଇଁଥିବ, ସେମାନଙ୍କ ମଧ୍ୟରେ ଦୁଇ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଦେଖିବାକୁ ମିଳିବ | ସେଥି ମଧ୍ୟରୁ 20 ହଜାର ଶଯ୍ୟାଶାୟୀ ହେବା ଆଶା କରାଯାଇପାରେ |

          ସମାଜରେ ଏହି କ୍ରମବର୍ଦ୍ଧିଷ୍ଣୁ ବର୍ଗଙ୍କ ନିମନ୍ତେ ସୁଯୋଗସୁବିଧା ସୃଷ୍ଟି ଲାଗି ବିଚ଼ାରବିମର୍ଷ ତଥା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ | ଘରୋଇ ଓ ସରକାରୀ ଉଭୟସ୍ତରରେ ଏହାକୁ ପ୍ରାଥମିକତା ଦେବାକୁ ପଡ଼ିବ | ପୌରପାଳିକାସ୍ତରରେ ଏଥି ନିମନ୍ତେ ସୁଚ଼ିନ୍ତିତ କାର୍ଯ୍ୟକ୍ରମ ପ୍ରଣୟନ ଅପରିହାର୍ଯ୍ୟ | ଗଣତାନ୍ତ୍ରିକ ଶାସନରେ ଏଥି ନିମନ୍ତେ ଚ଼ାପ ପ୍ରୟୋଗ କରିବାପାଇଁ ବରିଷ୍ଠ ନାଗରିକଙ୍କ ସାଙ୍ଗକୁ ଆସନ୍ନ ବାର୍ଦ୍ଧକ୍ୟ ପର୍ଯ୍ୟାୟଭୁକ୍ତ ନାଗରିକମାନେ ଏକଯୁଟ ହେବାର ସମୟ ଆସି ପହଞ୍ଚି ନାହିଁକି |
ସମ୍ୱାଦ (#ବ୍ରହ୍ମପୁର ସଂସ୍କରଣ) 05 ଅଗଷ୍ଟ 2016

Friday, July 15, 2016

AC compartment in Berhampur-Bhubaneswar DMU / ବ୍ରହ୍ମପୁର – ଭୁବନେଶ୍ୱର ଡ଼ିଏମୟୁରେ ଏସି ବଗି

ତୁରନ୍ତ ନ ହେଲେ ମଧ୍ୟ ଭବିଷ୍ୟତରେ #ବ୍ରହ୍ମପୁର ଭୁବନେଶ୍ୱର ଡ଼ିଏମୟୁ ତଥା ପାଲାସା କଟକ ଇତ୍ୟାଦି ଅନ୍ୟାନ୍ୟ ଡ଼ିଏମୟୁରେ ଏସି କୋଚ଼ ଯୋଡାଯିବା ପ୍ରସ୍ତାବ ବିଚ଼ାର କରାଯାଉଥିବା ଜଣାଯାଇଛି | ଭାରତୀୟ ରେଳପଥ ପକ୍ଷରୁ ପ୍ରକାଶିତ ଏକ ବିବୃତି ଅନୁଯାୟୀ ଦେଶର ବିଭିନ୍ନ ପ୍ରାନ୍ତରେ ଚଳାଚଳ କରୁଥିବା ଡ଼ିଏମୟୁ ଟ୍ରେନଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ବଗି ସଂଯୋଗ କରିବାଲାଗି ନିଷ୍ପତି ଗ୍ରହଣ କରାଯାଉଥିବା ପରିପ୍ରେକ୍ଷୀରେ ବ୍ରହ୍ମପୁରର ରେଳଯାତ୍ରୀ ସେହିଭଳି ସୁଯୋଗ ପାଇବା ଆଶା କରାଯାଇପାରେ |
          ଡ଼ିଏମୟୁ ବା ଡ଼ିଜେଲ ଇଲେକ୍ଟ୍ରିକ ମଲ୍ଟିପୁଲ ୟୁନିଟ ଗୁଡ଼ିକ ମୁଖ୍ୟତଃ ବଡ଼ ସହରଗୁଡ଼ିକୁ ସହରତଳି ଅଞ୍ଚଳ ସହ ସଂଯୋଗ କରିଥାଏ | ଆମ ଓଡ଼ିଶାରେ ଭୁବନେଶ୍ୱର ପୁରୀ ଭଳି ମୁଖ୍ୟ ସହର ସହ ବିଭିନ୍ନ ଅଞ୍ଚଳରୁ ଡ଼ିଏମୟୁ ରେଳ ସଂଯୋଗ ରହିଛି | ଏଗୁଡ଼ିକରେ କେବଳ ଅଣ-ଶୀତତାପ ନିୟନ୍ତ୍ରିତ ବଗି ଲାଗିଥାଏ ଏବଂ ଅନେକ କ୍ଷେତ୍ରରେ ଶୌଚ଼ାଳୟର ବ୍ୟବସ୍ଥା ନଥାଏ |
          ଛଅ, ଆଠ ଓ ଦଶ କୋଚ଼ ବିଶିଷ୍ଟ ଡ଼ିଏମୟୁ ଟ୍ରେନଗୁଡ଼ିକରେ ଗୋଟିଏ କିମ୍ୱା ଦୁଇଟି ଏସି କୋଚ଼ ସାଙ୍ଗକୁ ବାୟୋ ଟଏଲଟର ସଂଯୋଗ ବ୍ୟବସ୍ଥା କରିବା ନିମନ୍ତେ ସ୍ଥିରୀକୃତ ହୋଇଛି | ଏଭଳି କୋଚ଼ଗୁଡ଼ିକର ନିର୍ମାଣ କାର୍ଯ୍ୟ ଚ଼େନ୍ନଇସ୍ଥିତ ଇଣ୍ଟିଗ୍ରେଟେଡ଼ କୋଚ ଫାକ୍ଟ୍ରିରେ ଆରମ୍ଭ ହୋଇଥିବା ଜଣାଯାଇଛି | ପ୍ରଥମ ପର୍ଯ୍ୟାୟରେ ଚ଼ାରିଗୋଟି ବଗି ବ୍ୟବହୃତ ହେବାପରେ ଯାତ୍ରୀଙ୍କ ମତାମତ ନେଇ ପର୍ଯ୍ୟାୟକ୍ରମେ ଅନ୍ୟ ଡ଼ିଏମୟୁଗୁଡ଼ିକୁ ଏହି ସୁବିଧା ଯୋଗାଇ ଦିଆଯିବ |
          ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ରେଳଯାତ୍ରୀ କେବେ ଡ଼ିଏମୟୁରେ ଏସି କୋଚ଼ର ସୁବିଧା ପାଇବେ ସଠିକ ଜଣା ନପଡ଼ିଥିଲେ ହେଁ ସ୍ଥାନୀୟ ରେଳଯାତ୍ରୀଙ୍କ ଚାପ ଉପରେ ଏହି ଭଳି ସୁଯୋଗ ନିର୍ଭରଶୀଳ ବୋଲି କୁହାଯାଇପାରେ |
          ବ୍ରହ୍ମପୁର ଭୁବନେଶ୍ୱର ବା କଟକ ଯାତ୍ରା ନିମନ୍ତେ ବର୍ତ୍ତମାନ ଚଳାଚଳ କରୁଥିବା ଟ୍ରେନଗୁଡ଼ିକରେ ଏସି ରେଳ ଯାତ୍ରା ସୁବିଧା ଦୁର୍ଲଭ | ମାସେ ଦୁଇ ମାସ ଆଗରୁ ସଂରକ୍ଷଣ ନକଲେ ଦୂରଗାମୀ ଟ୍ରେନଗୁଡ଼ିକରେ ଏସି ବର୍ଥ ମିଳେ ନାହିଁ | ଅବଶ୍ୟ ଭୁବନେଶ୍ୱରରୁ ବ୍ରହ୍ମପୁର ଯାତ୍ରା ଲାଗି ଏସି ବର୍ଥ ଅପେକ୍ଷାକୃତ ସୁଲଭ | ତେବେ ତୃତୀୟ ଏସି ବର୍ଥ ପିଛା ଅନ୍ୟୂନ 490 ଟଙ୍କା ଭଡ଼ା ଦେବାକୁ ପଡ଼ିଥାଏ | ଡିଏମୟୁରେ ଏସି ବଗି ଯୋଡ଼ାଗଲେ ସୁବିଧାରେ ବର୍ଥ ମିଳିବା ସାଙ୍ଗକୁ ରେଳଭଡ଼ା ମଧ୍ୟ ଯଥେଷ୍ଟ କମିଯିବ |

          ଗତ ଦେଢବର୍ଷ ତଳେ 2014 ନଭେମ୍ୱରରୁ ବିଶାଖା ଏକ୍ସପ୍ରେସ (ଏସ-7) ଓ କୋଣାର୍କ ଏକ୍ସପ୍ରେସ (ଏସ-4 ଓ ଏସ-5)ରେ ଅଣସଂରକ୍ଷିତ ସ୍ଳିପର କ୍ଳାସ ଟିକଟ କ୍ରୟ ବ୍ୟବସ୍ଥା ଆରମ୍ଭ ହୋଇଥିଲା | ଏହା ଫଳରେ ବ୍ରହ୍ମପୁରର ଯାତ୍ରୀ ସସମ୍ନାନେ ଭୁବନେଶ୍ୱର ରେଳଯାତ୍ରା ପାଇଁ ସଂରକ୍ଷିତ ବଗିରେ ଯାତ୍ରାର ସୁବିଧା ପାଇପାରିଛନ୍ତି | ବର୍ତ୍ତମାନ ଡିଏମୟୁରେ ଏସି ବଗି ସୁଯୋଗ ଯଦି ଶୀଘ୍ରଲାଗୁ ହୋଇ ପାରେ ତେବେ ଆରମଦାୟକ ଯାତ୍ରାର ଉପଲବ୍ଧ ପାଇପାରିବେ
ସମ୍ୱାଦ (ବ୍ରହ୍ମପୁର ସଂସ୍କରଣ) 14 ଜୁଲାଇ 2016