Friday, July 28, 2023

Cuttack Journalist / କଟକ ସାମ୍ୱାଦିକ

 

#ବ୍ରହ୍ମପୁର ସହରରେ ୧୯୩୯ରୁ ୧୯୮୨ ଯାଏଁ କୌଣସି ଦୈନିକ ସମ୍ୱାଦପତ୍ର ପ୍ରକାଶ ପାଉନଥିଲା । ଏଠାରୁ ୧୯୨୮ରୁ ପ୍ରକାଶିତ ଦୈନିକ ଆଶାର ପ୍ରକାଶନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ରାଜଧାନୀ କଟକକୁ ୧୯୩୯ରେ ସ୍ଥାନାନ୍ତରିତ ହେବା ପରେ ଦୀର୍ଘ ୪୩ ବର୍ଷ ଧରି ସ୍ଥାନୀୟ ସମ୍ୱାଦ ଓ ଅଭିମତ ପ୍ରକାଶନ ନିମନ୍ତେ ମଞ୍ଚ ଅଭାବ ଲାଗି ରହିଥିଲା । ୧୯୮୨ରେ ନୂତନ ମାଲିକାନାରେ ଦୈନିକ ଆଶା ପ୍ରକାଶ ଆରମ୍ଭ ହେବା ଯାଏଁ ବ୍ରହ୍ମପୁରବାସୀ ମୁଖ୍ୟତଃ କଟକ ଓ କୋଲକତାରୁ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ଉପରେ ନିର୍ଭର କରୁଥିଲେ । କଟକରୁ ସାଂଧ୍ୟ ସଂସ୍କରଣ ରୂପେ ପ୍ରକାଶିତ ସମାଜ, ପ୍ରଜାତନ୍ତ୍ର ଓ ମାତୃଭୂମି ହାୱାଡ଼ା-ଚ଼େନ୍ନାଇ ମେଲ ଯୋଗେ ସକାଳୁ ସକାଳୁ ବ୍ରହ୍ମପୁର ପହଞ୍ଚିବାପରେ ସହରରେ ବିତରିତ ହେଉଥିଲା ।
 
କଟକରୁ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ବ୍ରହ୍ମପୁରରେ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଇନଥିଲା । ସହରରେ ଅବସ୍ଥାପିତ ସାମ୍ୱାଦିକମାନେ ମୁଖ୍ୟତଃ ଡ଼ାକ ଯୋଗେ ସମ୍ୱାଦ ପ୍ରେରଣ କରୁଥିଲେ । ବଡ଼ ଖବର ଗୁଡ଼ିକ ଟେଲିଫୋନ ଯୋଗେ ଡ଼ାକି ଦିଆଯାଉଥିଲା । ଟେଲିଗ୍ରାମ ଯୋଗେ ସମ୍ୱାଦ କ୍ୱଚ଼ିତ ବ୍ୟବହୃତ ହେଉଥିଲା । ଷଷ୍ଠ ଦଶକରେ କଳିଙ୍ଗ ଓ ସପ୍ତମ ଦଶକରୁ ଧରିତ୍ରୀ ଯୋଗ ଦେଇଥିଲେ । ସ୍ୱରାଜ ଓ ଧରିତ୍ରୀ କଟକ ବଦଳରେ ଭୁବନେଶ୍ୱରରୁ ପ୍ରକାଶ ପାଇବାକୁ ଲାଗିଥିଲା । ମୋଟାମୋଟି ଭାବେ ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଜାରୀ ହେବା ପୂର୍ବରୁ ମୋଟ ସମ୍ୱାଦପତ୍ର ସଂଖ୍ୟା ଏକ ଅଙ୍କ ମଧ୍ୟରେ ସୀମିତ ରହୁଥିଲା ।
 
କଟକ ସମ୍ୱାଦପତ୍ରଗୁଡ଼ିକ ପକ୍ଷରୁ ବ୍ରହ୍ମପୁରରେ ଅବସ୍ଥାପିତ ସାମ୍ୱାଦିକମାନେ ସ୍ଥାନୀୟ ବାସିନ୍ଦା । ତେବେ ଗଞ୍ଜାମ ଜିଲ୍ଲାରୁ ଆଙ୍ଗୁଠିଗଣିତ ସାମ୍ୱାଦିକ କଟକର ସମ୍ୱାଦପତ୍ର ସମ୍ପାଦକୀୟ ବିଭାଗରେ ଅବସ୍ଥାପିତ ହୋଇଥିଲେ । ସମାଜରେ ରାମଚ଼ନ୍ଦ୍ର ଦାସ ଓ ଶ୍ରୀହର୍ଷ ମିଶ୍ର ସହ-ସମ୍ପାଦକ ଓ ସମ୍ପାଦକ ରୂପେ କାର୍ଯ୍ୟ କରିଥିଲେ । ପିତ୍ତଳର ରାମଚନ୍ଦ୍ର ଦାସ ଯୁବକ ଅବସ୍ଥାରେ ରେଙ୍ଗୁନରେ ହାତଲେଖା ସମ୍ୱାଦପତ୍ର ପ୍ରକାଶ କରୁଥିଲେ । ସେଠାରୁ ଫେରି ଶଶିଭୂଷଣ ରଥଙ୍କ ନିଉ ଓଡ଼ିଶାରେ କିଛି ଦିନ କାର୍ଯ୍ୟକରି ସମାଜରେ ଅବସ୍ଥାପିତ ହୋଇଥିଲେ । ସେହିପରି ହିଞ୍ଜିଳିକାଟୁର ଶ୍ରୀହର୍ଷ ମିଶ୍ର ପାରଳାଖେମୁଣ୍ଡିରେ ହାଇସ୍କୁଲ ଛାତ୍ର ଥିବା ସମୟରେ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି ଗିରଫ ହୋଇ ରାଜ୍ୟ ବାହାରେ ଜେଲ ଦଣ୍ଡ ଭୋଗିଥିଲେ ସେଠାରୁ ଖଲାସ ହେବା ପରେ ସମାଜରେ ସାମ୍ୱାଦିକ ଜୀବନ ଆରମ୍ଭ କରିଥିଲେ । ରାଧାନାଥ ରଥ ସମାଜର ସମ୍ପାଦକ ଥାନ୍ତି । ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଜେଲ ଯିବା ଓ ସ୍ୱାଧୀନୋତ୍ତର ଓଡ଼ିଶାରେ ମନ୍ତ୍ରୀ ପଦାସୀନ ହେବା ଅବସରରେ ଗଞ୍ଜାମର ଦୁଇଜଣ ସାମ୍ୱାଦିକ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ବରଗଡ଼ର ରଘୁନାଥ ପାଠୀ ଶାସ୍ତ୍ରୀ ଓ ଭଞ୍ଜନଗରର ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ ମଧ୍ୟ ସମାଜର ସମ୍ପାଦନା ବିଭାଗରେ କାର୍ଯ୍ୟକରିଥିଲେ ।
 
ସମାଜରେ ସହ-ସମ୍ପାଦକ ଓ ବାର୍ତ୍ତା-ସମ୍ପାଦକ ଭାବେ ଦାୟିତ୍ୱ ନିର୍ବାହ କରିଥିବା ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକଙ୍କ ୯୦ ବର୍ଷ ବୟସରେ ୨୨ ଜୁଲାଇ ୨୦୨୩ରେ କଟକରେ ପରଲୋକ ଘଟିଥିଲା । ସେ ଗୋବରାର ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକଙ୍କ ପୁତ୍ର । କଲେଜ ଶିକ୍ଷା ପରେ ୧୯୬୧ରେ ସମାଜରେ ସମ୍ପାଦନା ବିଭାଗରେ ଯୋଗ ଦେଇ ବାର୍ତ୍ତା ସମ୍ପାଦକ ଭାବେ ଅବସର ଗ୍ରହଣ କରିବାପରେ ସମ୍ୱାଦରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ କଟକର ମକରବାଗ ସାହିରେ ବାସ କରୁଥିଲେ । ପ୍ରଫୁଲ ଚନ୍ଦ୍ର ପଟ୍ଟନାୟକ ସଂଭବତଃ ଗଞ୍ଜାମ ଜିଲ୍ଲାର ପ୍ରଥମ ଉଚ୍ଚଶିକ୍ଷିତ ବୃତ୍ତିଧାରୀ ସାମ୍ୱାଦିକ ।
 
ସ୍ୱାଧୀନୋତ୍ତର ଓଡ଼ିଶାରେ ଦୈନିକ ସମ୍ୱାଦପତ୍ରରେ ସମାଜର ଗୁରୁତ୍ୱ ରହି ଆସିଥିଲା । ପ୍ରତ୍ୟେହ ଏକ ମାତ୍ର ସଂସ୍କରଣ, ଅର୍ଥାତ ସମଗ୍ର ଓଡ଼ିଶାର ପାଠକଙ୍କ ନିମନ୍ତେ ହାରାହାରି ଆଠ ପୃଷ୍ଠା ମୁଦ୍ରିତ ସମ୍ୱାଦପତ୍ର ବିତରିତ ହେଉଥିଲା । ଫଳତଃ ଏଥିରେ ପ୍ରକାଶିତ ସମ୍ୱାଦଗୁଡ଼ିକ ରାଜ୍ୟର ସର୍ବତ୍ର ପାଠକଙ୍କ ନିକଟରେ ପହଞ୍ଚିପାରୁଥିଲା । ସମଗ୍ର ରାଜ୍ୟର ଖବରର ଭିଡ଼ରେ ବ୍ରହ୍ମପୁର ଭଳି ଉପାନ୍ତ ସହରର ସ୍ଥାନୀୟ ସମ୍ୱାଦ ପ୍ରକାଶ ଦୁରୁହ ବ୍ୟାପାର ବୋଧ ହେଉଥିଲା । ସାମ୍ୱାଦିକମାନେ ସମ୍ୱାଦ ପ୍ରେରଣ କଲେ ସୁଦ୍ଧା ଅନେକ ସମୟରେ ସ୍ଥାନ ଅଭାବରୁ ପ୍ରକାଶିତ ହୋଇପାରୁ ନଥିଲା । ପ୍ରଫୁଲ ବାବୁ ସମ୍ପାଦନା ଡ଼େସ୍କରେ ବରିଷ୍ଠ ସହ-ସମ୍ପାଦକ ଥିବା ହେତୁ ବ୍ରହ୍ମପୁରର ସାଂସ୍କୃତିକ ସଂଗଠକମାନେ ସମ୍ୱାଦ ଦେଲେ ପ୍ରକାଶନର ବ୍ୟବସ୍ଥା କରୁଥିଲେ । ପ୍ରଫୁଲ ବାବୁଙ୍କ ଅବଦାନ ବ୍ରହ୍ମପୁରରେ ସପ୍ତମ ଓ ଅଷ୍ଟମ ଦଶକରେ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଚାରରେ ଉଲ୍ଲେଖନୀୟ । ଏତଦ୍ୱାରା ବହୁ ସ୍ଥାନୀୟ ସାହିତ୍ୟିକ ଓ କଳାକାର ରାଜ୍ୟସ୍ତରୀୟ ସ୍ୱୀକୃତି ପାଇପାରିଥିଲେ ।
 
କଟକ ସାମ୍ୱାଦିକ ବର୍ଗରେ ଚିକିଟିର ଗୌରଚନ୍ଦ୍ର ରାଉତ ମାତୃଭୂମିର ସମ୍ପାଦକ ଦାୟିତ୍ୱରେ ଥିଲେ । ସେହିପରି ଗୋରାଚାନ୍ଦ ମିଶ୍ର ପ୍ରଜାତନ୍ତ୍ର, ରାମକୃଷ୍ଣ ବେହେରା ପିଟିଆଇ ଓ ଏନ-କେ-ସ୍ୱାମୀ ୟୁଏନଆଇ, ଟାଇମ୍ସ ଅଫ ଇଣ୍ଡିଆରେ ଅବସ୍ଥାପିତ ଥିଲେ । ବ୍ରହ୍ମପୁରର ଗିରିରୋଡ଼ ନିବାସୀ ଆଇନଜୀବୀ ରାମକୃଷ୍ଣ ରଥଙ୍କ କନ୍ୟା ପଦ୍ମାଳୟା ଦାସ କୋଲକତାରୁ ପ୍ରକାଶିତ ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ ଇଂଲିଶ ସମ୍ୱାଦପତ୍ରରେ କଟକ ନୋଟବୁକ ଶୀର୍ଷକ ସାପ୍ତାହିକ ସ୍ତମ୍ଭ ଲେଖୁ ଥିଲେ । ସେ ବିବାହ ପରେ କଟକରେ ଅବସ୍ଥାନ କରୁଥିଲେ । ଏମାନଙ୍କ ବ୍ୟତୀତ ଅନ୍ୟ କେତେକ ପ୍ରତିଭା ମଧ୍ୟ ଅନାଲୋଚ଼ିତ ରହିଯାଇଛନ୍ତି ।

Friday, July 21, 2023

National  Highway 16 & 59 / ଜାତୀୟ ରାଜପଥ ୧୬ ଓ ୫୯

 

#ବ୍ରହ୍ମପୁର ସହର ଦେଇ ଦୁଇଗୋଟି ଜାତୀୟ ରାଜପଥ ୧୬ ଓ ୫୯ ଗତି କରିଛି । ବ୍ରହ୍ମପୁର ଜାତୀୟ ରାଜପଥ ୧୬ ମାଧ୍ୟମରେ ଦୁଇ ପ୍ରମୁଖ ସହର ବିଶାଖପାଟଣା ଓ ଭୁବନେଶ୍ୱର ତଥା ଚ଼େନ୍ନାଇ ଓ କୋଲକତା ସହ ସଂଯୁକ୍ତ । ସେହିପରି ଜାତୀୟ ରାଜପଥ ୫୯ ଆଭ୍ୟନ୍ତରୀଣ ଗଞ୍ଜାମ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶା ରାଜ୍ୟ ସହ ଯୋଗାଯୋଗ ସ୍ଥାପନ କରିଥାଏ । ବ୍ରହ୍ମପୁରକୁ ମୌଳିକଭାବେ ଏକ ବ୍ୟାବସାୟିକ ପେଣ୍ଠ ଭାବେ ଗଢ଼ି ତୋଳିବାରେ ଦକ୍ଷିଣ, ଉତ୍ତର ଓ ପଶ୍ଚିମାଞ୍ଚଳ ସହ ସଡ଼କପଥ ସଂଯୋଗ ପ୍ରମୁଖ ଭୂମିକା ନିର୍ବାହ କରିଅଛି । ଏଥି ସହ ରେଳପଥ ଓ ଗୋପାଳପୁର ବନ୍ଦର ସ୍ଥାନୀୟ ବାଣିଜ୍ୟ ବିକାଶରେ ସହାୟକ ହୋଇଛି । ରଙ୍ଗେଇଲୁଣ୍ଡାରେ ବିମାନ ବନ୍ଦର ବିକାଶ ନିମନ୍ତେ ପଦକ୍ଷେପ ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଆଶା କରାଯାଏ ।


ଜାତୀୟ ରାଜପଥ ୧୬ ଚ଼େନ୍ନାଇରୁ କୋଲକତା ସଂଲଗ୍ନ ତାଙ୍କୁଣୀ ଯାଏଁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମ ବଙ୍ଗ ଉପକୂଳରେ ପରିବ୍ୟାପ୍ତ । ଏହି ରାଜପଥର ମୋଟ ଦୂରତ୍ୱ ୧୭୬୪ କିଲୋମିଟର ଏବଂ ଓଡ଼ିଶା ରାଜ୍ୟରେ ୫୨୯ କିଲୋମିଟର । ଏହା କୋଲକତା, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର, ବ୍ରହ୍ମପୁର, ଶ୍ରୀକାକୁଲମ, ବିଶାଖାପାଟଣା, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡ଼ା, ଗୁଣ୍ଟୁରୁ, ଓଙ୍ଗଲ, ନେଲୋର ଓ ଚ଼େନ୍ନାଇ ସହରକୁ ଯୋଡ଼ିଥାଏ । ଅତୀତରେ ଏହା ରାଜପଥ ୫ ନାମିତ ହୋଇଥିଲା ।


ଅପରପକ୍ଷେ ରାଜପଥ ୫୯ କେବଳ ଓଡ଼ିଶା ରାଜ୍ୟ ମଧ୍ୟରେ ସୀମିତ । କଳାହାଣ୍ଡି ଜିଲ୍ଲା ଖରିଆରରୁ ବ୍ରହ୍ମପୁର ଯାଏଁ ଲମ୍ୱିଥିବା ଏହି ରାଜପଥର ଦୈର୍ଘ୍ୟ ମାତ୍ର ୩୫୨ କିଲୋମିଟର । ଏହା ଖରିଆର, ଟିଟିଲାଗଡ଼, ଲଙ୍କାଗଡ଼, ବାଲିଗୁଡ଼ା, ସୋରଡ଼ା, ଆସିକା, ହିଞ୍ଜିଳିକାଟୁ ଦେଇ ବ୍ରହ୍ମପୁରରେ ପହଞ୍ଚିଥାଏ । ପୂର୍ବରୁ ଜାତୀୟ ରାଜପଥ ୨୧୭ର ଜାତୀୟ ରାଜପଥ ୫୯ ଅଂଶବିଶେଷ ରୂପେ ପରିଗଣିତ ହେଉଥିଲା ।


ସ୍ୱାଧୀନୋତ୍ତର ଭାରତରେ ଭାରତ ସରକାରଙ୍କ ପକ୍ଷରୁ ‘ଜାତୀୟ ରାଜପଥ ଆଇନ ୧୯୫୯’ ପ୍ରଣୀତ ହୋଇଥିଲା । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ ରାଜପଥ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପରିଚାଳନା କରାଯାଇଥାଏ । ଓଡ଼ିଶା ରାଜ୍ୟରେ ୫,୭୬୨ କିଲୋମିଟର ଜାତୀୟ ରଜପଥ ରହିଛି । ପଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ୬,୯୧୨ କିଲୋମିଟର ଓ ପଶ୍ଚିମ ବଙ୍ଗରେ ୩,୬୬୪ କିଲୋମିଟର ରାଜପଥ ହିସାବ କରାଯାଏ । ଜାତୀୟସ୍ତରରେ ମହାରାଷ୍ଟ୍ରରେ ସର୍ବାଧିକ ୧୭,୭୫୭ କିଲୋମିଟର ଜାତୀୟ ରାଜପଥ ଉପଲବ୍ଧ । ଦେଶର ସର୍ବପ୍ରାଚ଼ୀନ ଜାତୀୟ ରାଜପଥ ୧ ନୂଆଦିଲ୍ଲୀରୁ ପଞ୍ଜାବର ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ଅଟାରି ଯାଏଁ ୪୫୬ କିଲୋମିଟର ପରିବ୍ୟାପ୍ତ । ଏହା ବ୍ରିଟିଶ ଅମଳରେ ଗ୍ରାଣ୍ଡ ଟ୍ରଙ୍କ ରୋଡ଼ର ଅଂଶ ବିଶେଷ ପରିଗଣିତ ହେଉଥିଲା । 


ଜାତୀୟ ରାଜପଥର ଉପାଦେୟତା ସଂପର୍କରେ ବ୍ରହ୍ମପୁରବାସୀ ଅବଗତ । ଅତୀତରେ ରାଜପଥ ୫ ହଳଦିଆପଦର ରେଳ ଜଙ୍କସନରୁ ବ୍ରହ୍ମପୁର ସହର ମଧ୍ୟରେ ପ୍ରବେଶ କରି ଗୋସାଇଁ ନୂଆଗାଁ, ବିଜିପୁର, ଗିରିରୋଡ଼, କମାପଲ୍ଲୀ, ଖୋଡ଼ାସିଙ୍ଗି ଓ ଆମ୍ୱପୁଆ ଦେଇ ଜଗନ୍ନାଥପୁର ରେଳ ଜଙ୍କସନରେ ଛାଡୁଥିଲା । ତେବେ ହଳଦିଆପଦରରୁ ଜଗନ୍ନାଥପୁର ଯାଏଁ ବାଇପାସ ରୋଡ଼ ନିର୍ମାଣପରେ ଜାତୀୟ ରାଜପଥ ୧୬ ଆଉ ସହରର ଘଞ୍ଚ ଜନବସତି ମଧ୍ୟ ଦେଇ ଗତି କରୁନାହିଁ । ସହରାଞ୍ଚଳରେ ରାସ୍ତାଘାଟ ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ପୌରପାଳିକା ହସ୍ତରେ ନ୍ୟସ୍ତ । କିଛି ରାଜ୍ୟସ୍ତରୀୟ ସଡ଼କପଥ ଥିଲେ ତାହା ପୂର୍ତ୍ତବିଭାଗ ଅଧୀନକୁ ଆସେ । ତେବେ ପୌରପାଳିକା ଓ ପୂର୍ତ୍ତବିଭାଗ ତୁଳନାରେ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ କାର୍ଯ୍ୟ ଉଚ୍ଚସ୍ତରର ହୋଇଥିବା ହେତୁ ବ୍ରହ୍ମପୁରବାସୀ ଜାତୀୟ ରାଜପଥ ବ୍ୟବହାରକୁ ପସନ୍ଦ କରିଥାନ୍ତି ।


ସେହିପରି ଗୋପାଳପୁରରୁ ରାୟପୁର ସଂଯୋଗ କରୁଥିବା ଜାତୀୟ ରାଜପଥ ୨୧୭ ଜଗନ୍ନାଥପୁର ରେଳ ଜଙ୍କସନରୁ ଆସିକାରୋଡ଼ ରତ୍ନପୁର ଯାଏଁ ବ୍ରହ୍ମପୁର ସହରବାସୀଙ୍କ ଲାଗି ଅତୀତରେ ସର୍ବାପେକ୍ଷା ବ୍ୟବହୃତ ରାସ୍ତା କୁହାଯାଇପାରେ । ଏହି ରାଜପଥ ସହରବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସାଂସଦ ଚନ୍ଦ୍ରଶେଖର ସାହୁ ଓ ଆଇନଜୀବୀ ମନୋଜ ପଟ୍ଟନାୟକଙ୍କ ଭୂମିକା ଉଲ୍ଲେଖଯୋଗ୍ୟ । ଚନ୍ଦ୍ରଶେଖର ସାହୁ କଂଗ୍ରେସ ଦଳରୁ ୨୦୦୬ରୁ ୨୦୦୯ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ସେ ଦୀର୍ଘ ଦିନ ଧରି ବ୍ରହ୍ମପୁର ପୌରପାଳିକା କାର୍ଯ୍ୟଧାରା ସହ ପରିଚ଼ିତ ଥିବା ହେତୁ ସହରରେ ରାସ୍ତାଘାଟ ରକ୍ଷଣାବେକ୍ଷଣରେ ବାସ୍ତବ ଅସୁବିଧା ସଂପର୍କରେ ବେଶ ବୁଝିଥିଲେ । କୁହାଯାଏ ଯେ ସେ ତତ୍କାଳୀନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ କେ.ଏଚ଼. ମୁନିଆପ୍ପାଙ୍କୁ ମନାଇ ତତ୍କାଳୀନ ରାଜପଥ ୨୧୭କୁ ବ୍ରହ୍ମପୁର ସହରାଞ୍ଚଳରେ ଦୁଇଥାକିଆ ରାସ୍ତାରେ ପରିବର୍ତ୍ତନ କରିବାରେ ସଫଳ ହୋଇଥିଲେ । ତେବେ ରାଜରାସ୍ତାଟି ଚ଼ଉଡ଼ା ହୋଇଯିବା ପରେ ଅନ୍ତଃ-ସହର ଭାରୀଯାନ ଚଳାଚଳ ସାଙ୍ଗକୁ ସହରର ସାଇକେଲ, ରିକ୍ସା, ମଟର ସାଇକେଲ ଓ ପଥଚାରୀଙ୍କ ଭିଡ଼ ଲାଗି ରହିଲା । ଫଳରେ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ବଢ଼ି ଚାଲିଲା । ଏହି ଅବସରରେ ଆଇନଜୀବୀ ମନୋଜ ପଟ୍ଟନାୟକ ସ୍ଥାନୀୟ ଉପ-ଜିଲ୍ଲାପାଳଙ୍କ ଅଦାଲତରେ ଜାତୀୟ ରାଜପଥରେ ଅବ୍ୟବସ୍ଥିତ ଟ୍ରାଫିକ ପରିଚାଳନା ବିରୋଧରେ ସିଆର.ପିସି ଧାରା ୧୩୩ ‘ପବ୍ଳିକ ନ୍ୟୂସେନ୍ସ’ ମକଦ୍ଦମା ଦାୟର କରି ସଫଳତା ହାସଲ କରିଥିଲେ । ଅଜିତ କୁମାର ମିଶ୍ର ସେ ସମୟରେ ବ୍ରହ୍ମପୁରର ଉପ-ଜିଲ୍ଲାପାଳ ଥିଲେ । ଜାତୀୟ ରାଜପଥ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ଆଠ କୋଟି ଟଙ୍କା ବ୍ୟୟରେ ଜଗନ୍ନାଥପୁରରୁ ଆସିକାରୋଡ଼ ଫାଷ୍ଟଗେଟ ଯାଏଁ ଲୁହାବାଡ଼ ଦେଇ ଦୁଇ ଲେନ ବିଶିଷ୍ଟ ରାସ୍ତା ନିର୍ମିତ ହେଲା । ଏହା ଫଳରେ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ବେଶ କମିଯାଇଥିଲା ।


ରାଜ୍ୟ ସରକାରଙ୍କ ପକ୍ଷରୁ ଜଗନ୍ନାଥପୁରରୁ ରତ୍ନପୁର ବ୍ରହ୍ମପୁର ବାଇପାସ ରୋଡ଼ ନିର୍ମାଣ ସଂପର୍କରେ ଘୋଷଣା ପରଠାରୁ ଜାତୀୟ ରାଜପଥ ୫୯ ସହର ମଧ୍ୟରୁ ଘୁଞ୍ଚିଯିବା ନିଶ୍ଚିତ ଥିବା ହେତୁ ରାଜପଥ ପ୍ରାଧୀକରଣ ପକ୍ଷରୁ ଏହି ରାସ୍ତାର ଦାୟିତ୍ୱ ରାଜ୍ୟ ସରକାରଙ୍କ ପୂର୍ତ୍ତବିଭାଗକୁ ହସ୍ତାନ୍ତର କରିବା ଅବଶ୍ୟମ୍ଭାବୀ । ଏହି କାରଣରୁ ଜାତୀୟ ରାଜପଥ ୫୯ର ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକୀୟ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୁଏ । ଫଳରେ ବ୍ରହ୍ମପୁରବାସୀ ଗୋଟିଏ ରାଜପଥ ଉପଭୋଗର ସୁବିଧା ହରାଇଥିଲେ ଏବଂ ଅନ୍ୟ ଗୋଟିକ ମଧ୍ୟ ହରାଇବେ ! ଯାତାୟତରେ ବ୍ରହ୍ମପୁରବାସୀଙ୍କ ଦୁର୍ଦ୍ଦଶା ବଢ଼ିବ !!


Photo by Nick Fewings on Unsplash 


Friday, July 14, 2023

Fear of Mosquitos / ମଶା ଭୟ

 

ବର୍ଷାଋତୁ ଆରମ୍ଭରୁ #ବ୍ରହ୍ମପୁର ସହର ଜନଜୀବନରେ ମଶା ଭୟ ମାଡ଼ି ବସେ ଓ ଶୀତଋତୁ ଶେଷ ଯାଏଁ ବଳବତ୍ତର ରହେ । ଏଠାରେ ମାର୍ଚ୍ଚ, ଏପ୍ରିଲ, ମେ, ଜୁନ, ଜୁଲାଇ ଓ ଅଗଷ୍ଟ ଛଅ ମାସ ଗ୍ରୀଷ୍ମ ଅନୁଭୂତ ହେବା ଭଳି ଅଗଷ୍ଟ, ସେପ୍ଟେମ୍ୱର, ଅକ୍ଟୋବର, ନଭେମ୍ୱର, ଡ଼ିସେମ୍ୱର ଓ ଜାନୁୟାରୀ ଛଅ ମାସ ମଶା ଭୟ ଲାଗି ରହେ । ମଶା ବଂଶ ବୃଦ୍ଧି ରୋକିବା ସ୍ଥାନୀୟ ପୌରପ୍ରଶାସନର ଦାୟିତ୍ୱ । ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏଥିରେ ଯୋଗ ଦେଇଥାଏ ।

 

ଆମ ରାଜ୍ୟରେ କେବଳ ବ୍ରହ୍ମପୁର କାହିଁକି ଅନ୍ୟାନ୍ୟ ସହରାଞ୍ଚଳରେ ମଧ୍ୟ ମଶା ପ୍ରାଦୁର୍ଭାବ ଏକ ଅଣାୟତ୍ତ ସମସ୍ୟା । ପ୍ରତିବର୍ଷ ଡ଼ିସେମ୍ୱର ମାସରେ ପ୍ରବଳ ମଶା ଦ୍ୱାରା ସହରବାସୀ ଅତିଷ୍ଠ ହୋଇପଡ଼ିବା ପରେ ମଶା ଗଣମାଧ୍ୟମରେ ଶିରୋନାମା ପାଲଟେ । ବିରୋଧି ରାଜନୀତିକ ଦଳଗୁଡ଼ିକପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୁଏ । ପୌର ପ୍ରଶାସନ ପକ୍ଷରୁ ମଶାବଂଶ ନିପାତ ନିମନ୍ତେ ଆଶ୍ୱସନା ପ୍ରଦାନ କରାଯାଏ । ପ୍ରାକୃତିକ ଋତୁଚ଼କ୍ର ପ୍ରଭାବରେ ମଶାଙ୍କ ସଂଖ୍ୟା କମି ଆସିଲେ ଆଲୋଚ଼ନା ସମାଲୋଚନା ଉଭେଇ ଯାଏ ।

 

ତେବେ ମଶା ରାଜ୍ୟର ସହରୀ ଜୀବନଯାତ୍ରାରେ ଏକ କଳଙ୍କ ଏବଂ ମଶାବାହିତ ରୋଗ ଦ୍ୱାରା ଧନଜୀବନ ହାନୀ ଘଟେ । ଏକବିଂଶ ଶତାଦ୍ଦୀ ତୃତୀୟଦଶକ ଚ଼ନ୍ଦ୍ରାୟନ ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ମଶା ନିୟନ୍ତ୍ରଣରେ ବିଫଳତା ସଭ୍ୟସମାଜରେ ଗ୍ରହଣଯୋଗ୍ୟ ନୁହେଁ । ଆଞ୍ଚଳିକସ୍ତରରେ ବାରମ୍ୱାର ବିଫଳତା ପ୍ରମାଣିତ ହେଉଥିବା ହେତୁ ରାଜ୍ୟସ୍ତରରେ ଅଭିଯାନ ଆୟୋଜନର ଆବଶ୍ୟକତା ଅନୁଭୂତ ହେଉଛି ।

 

ମଶାର ଜୀବନଚ଼କ୍ର ପୁରୁଷ ମଶାଙ୍କ କ୍ଷେତ୍ରରେ ସପ୍ତାହେ ଓ ମାଈ ମଶାଙ୍କ କ୍ଷେତ୍ରରେ ୧୦୦ ଦିନରୁ ପାଞ୍ଚ-ଛଅ ମାସ ଯାଏଁ ପରିବ୍ୟାପ୍ତ । ସହରାଞ୍ଚଳ ଜନବସତିରେ ଉପଲବ୍ଧ ଆବଦ୍ଧ ଜଳରେ ମଶା ଜନ୍ମ ନିଅନ୍ତି ଓ ମାଈ ମଶା ପୁରୁଷ ମଶା ସହ ସଂଗମପରେ ପ୍ରାଣୀ ରକ୍ତ ଖୋଜି ବୁଲେ । ମାଈ ମଶା ମନୁଷ୍ୟଙ୍କୁ କାମୁଡ଼ି ରକ୍ତ ଶୋଷି ସେହି ରକ୍ତରେ ଅଣ୍ଡାଗୁଡ଼ିକୁ ପରିପକ୍ୱ କରି ପୁଣି ଆବଦ୍ଧ ଜଳରେ ଅଣ୍ଡା ଦିଏ । ଅଣ୍ଡାରୁ ଲାର୍ଭା ଓ ପୂର୍ଣ୍ଣାଙ୍ଗ ମଶା ସୃଷ୍ଟି ହୋଇଥାନ୍ତି ।

 

ମଶା ନିୟନ୍ତ୍ରଣ ନିମନ୍ତେ ସହରାଞ୍ଚଳ ଜନବସତି ଘରେ ବାହାରେ ଆବଦ୍ଧ ଜଳ ନିରାକରଣ ନିମନ୍ତେ ପରିଷ୍କାର ପରିଷ୍କୃତ ରଖିବାକୁ ପଡ଼ିଥାଏ । ଏହା ପୌର ପ୍ରଶାସନର କାର୍ଯ୍ୟ । ଏଦିଗରେ ଗୁରୁତ୍ୱ ନ ଦିଆଯାଇପାରୁଥିବା ହେତୁ ସମସ୍ୟାର ସମାଧାନ ହୋଇପାରେ ନାହିଁ । ନିକଟ ଅତୀତର ଅନୁଭୂତିରୁ ଜଣାଯାଏ ଯେ କୋଭିଡ଼-୧୯ ମହାମାରୀ ଅବସରରେ ବ୍ରହ୍ମପୁର ପୌର ପ୍ରଶାସନ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣ କାର୍ଯ୍ୟରେ ବ୍ୟସ୍ତ ରହିବା ଫଳରେ ପାରିପାର୍ଶ୍ୱିକ ପରିବେଶ ସଫାସୁତୁରା ରଖିବା ନିମନ୍ତେ ଯାହା କିଛି କାମ ହେଉଥିଲା ତାହା ବି ଦୁଇ ବର୍ଷ ପାଇଁ ବନ୍ଦ ହୋଇଗଲା । ଫଳରେ ୨୦୨୨-୨୩ ବର୍ଷା ଓ ଶୀତ ଋତୁରେ ମଶା ଉପଦ୍ରବ ଅଣାୟତ୍ତ ପରିସ୍ଥିତିରେ ପହଞ୍ଚିଥିଲା ।

 

ଜନବସତିର ପରିବେଷ୍ଟନୀ ସଫା ସୁତୁରା ରଖା ନଯାଇ ପାରିଲେ ଆବଦ୍ଧ ଜଳରେ ମଶାବଂଶ ବୃଦ୍ଧି ପାଏ । ପ୍ରଥମ ପଦକ୍ଷେପ ଗ୍ରହଣରେ ବିଫଳତା ପରେ ଦ୍ୱିତୀୟ ପଦକ୍ଷେପରେ ମଶାଙ୍କୁ ମାରିବା ପାଇଁ ମଶା ନିପାତ ଧୂଆଁ ଫଗିଂର ସାହାଯ୍ୟ ନିଆଯାଏ । କିରୋସିନିରେ ମାଲାଥିଆନ ଓ ପାଇରୋଥନ ନାମକ ରସାୟନ ସମିଶ୍ରଣରେ ପଂଗିଂ କରାଯାଏ । ଏଥି ନିମନ୍ତେ ୧୯୯୦ରେ ବ୍ରହ୍ମପୁର ପୌର ପ୍ରଶାସନ ପକ୍ଷରୁ ଏକ ଟିଫା ମେସିନ କିଣାଯାଇଥିଲା । ଏହା ଗଟରଗାଡ଼ିରେ ବୁଲେ । ପରବର୍ତ୍ତୀ ପର୍ଯ୍ୟାୟରେ ୪୦ ଗୋଟି ହ୍ୟାଣ୍ଡ ହିଟ ଫଗିଂ ମେସିନ ଓ ପାଞ୍ଚ ଗୋଟି ମିନି ଫଗିଂ ମେସିନ କିଣାଯାଇଛି । ଫଗିଂ ପାଇଁ ବ୍ୟବହୃତ ରସାୟନ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୌର ସଂସ୍ଥାକୁ ଯୋଗାଇ ଦିଆଯାଉଥିଲା । ଗତ ୨୦୨୨-୨୩ରେ ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ରସାୟନ ନଥିବା ହେତୁ ପୌର ସଂସ୍ଥା ଡ଼ିସେମ୍ୱର ଯାଏଁ ଫଗିଂ କାର୍ଯ୍ୟକ୍ରମ ଆୟୋଜନ କରିପାରିନଥିଲା । ଜନସାଧାରଣରେ ତୀବ୍ର ଅସନ୍ତୋଷ ପରେ ୪୨ ଗୋଟି ୱାର୍ଡ ପାଇଁ ଖୋଲା ବଜାରରୁ ୫୦ ଲିଟର ରସାୟନ କିଣି ନାମକୁ ମାତ୍ର ଫଗିଂର ବ୍ୟବସ୍ଥା କରିଥିଲେ ।

 

ବର୍ତ୍ତମାନ ବ୍ରହ୍ମପୁରରେ ଅଗଷ୍ଟ ୨୩ରୁ ଜାନୁୟାରୀ ୨୪ ଛଅ ମାସ ମଶା ଉପଦ୍ରବ ସମ୍ମୁଖୀନ ହେବା ନିମନ୍ତେ ଯୋଜନା ପ୍ରସ୍ତୁତିର ସମୟ ଉପନୀତ । ଅଳିଆ ଆବର୍ଜନା ନିଷ୍କାସନ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ସହ ବର୍ଷା ପରେ ପରେ ମଶା ବଂଶ ମୂଳରୁ ନିପାତ ନିମନ୍ତେ ଫଗିଂର ସହାୟତା ନିଆଗଲେ କେତେକାଂଶରେ ମଶା ନିୟନ୍ତ୍ରଣ ସଂଭବ ହେବା ଆଶା କରାଯାଇପାରେ । ଫଗିଂ ମେସିନ ଚଳାଇବା ନିମନ୍ତେ କର୍ମଚାରୀଙ୍କୁ ତାଲିମ ଦେବା ଅପରିହାର୍ଯ୍ୟ । ଏ ଦିଗରେ ସତର୍କତା ଗ୍ରହଣ ନ କରାଗଲେ ଅସଲ ସମୟରେ ଫଗିଂ ହୋଇପାରିବ ନାହିଁ ।

 

ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ରହ୍ମପୁର ସହରାଞ୍ଚଳରେ ଅବସ୍ଥିତ ଜଳାଶୟଗୁଡ଼ିକରେ ଗପି ଓ ଗୁମ୍ୱସିଆ ମାଛ ଜୁନ ମାସରେ ଛଡ଼ା ଯାଇଥିବା କୁହାଯାଉଛି । ଏହି ମାଛ ମଶା ଲାର୍ଭାଗୁଡ଼ିକୁ ଖାଇଯାଆନ୍ତି । ତେବେ ମାଛର ଜୀବନକାଳ ମାତ୍ର ଦୁଇ ମାସ । ତେଣୁ ଅଗଷ୍ଟ ମାସ ସୁଦ୍ଧା ପ୍ରାଥମିକ ପଦକ୍ଷେପରେ ସଫଳତା ମିଳିଲେ ପୁନରାବୃତ୍ତି ଆବଶ୍ୟକ ପଡ଼ିବ ।

 

ବ୍ରହ୍ମପୁର ପୌରଞ୍ଚଳରେ ମଶା ନିୟନ୍ତ୍ରଣ ନିମନ୍ତେ ଆଗୁଆ ପଦକ୍ଷେପ ଜରୁରୀ । ଏହି ଦିଗରେ ଜନସାଧାରଣ, ନାଗରିକ ସମାଜ ଓ ପୌର ପ୍ରଶାସନ ତତ୍ପରତା ପ୍ରକାଶ କରିବା ବିଧେୟ ।

 

ମଶାଙ୍କ ଜୀବନଚକ୍ର ବର୍ଣ୍ଣିତ ୟୁଟ୍ୟୁବ ଭିଡ଼ିଓ (୪.୩୫ ମିନଟ)

 

https://youtu.be/-IifzvIqGSM


Photo by Nathan Cima on Unsplash


Friday, July 7, 2023

Gopabandhu Bhavan / ଗୋପବନ୍ଧୁ ଭବନ

 

#ବ୍ରହ୍ମପୁର ସହ ଦୈନିକ ଓଡ଼ିଆ ସମ୍ୱାଦପତ୍ର ସମାଜର ଆତ୍ମପ୍ରକାଶ କରିବା ପୂର୍ବରୁ ସଂପର୍କ ରହି ଆସିଛି । ଶଶିଭୂଷଣ ରଥ ୧୯୧୩ରେ ସାପ୍ତାହିକ ଆଶା ବ୍ରହ୍ମପୁରରୁ ସାନବଜାର ଭେଙ୍କେଟେଶ୍ୱର ମନ୍ଦିର ନିକଟସ୍ଥ ଏକ ଭଡ଼ାଘରେ ମୁଦ୍ରଣ ଯନ୍ତ୍ର ସ୍ଥାପନ କରି ପ୍ରକାଶନ ଆରମ୍ଭ କରିଥିଲେ । ପତ୍ରିକାର ଲେଖକମାନଙ୍କ ମଧ୍ୟରେ ଗୋପବନ୍ଧୁ ଦାସ ଅତ୍ୟତମ । ତାଙ୍କରି ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଅବସ୍ଥାପିତ ଶିକ୍ଷକ ମଣ୍ଡଳୀ ପଞ୍ଚସଖା ନାମରେ ଖ୍ୟାତ । ସେମାନେ ମଧ୍ୟ ସାପ୍ତାହିକ ଆଶାରେ ଲେଖାଲେଖି କରୁଥାନ୍ତି । ସାକ୍ଷୀଗୋପାଳରୁ ଆଶା ପାଇଁ ପାଣ୍ଡୁଲିପି ବ୍ରହ୍ମପୁରରେ ତୁରନ୍ତ ପହୁଞ୍ଚାଇବା ନିମନ୍ତେ ରେଳଗାଡ଼ି କର୍ମଚାରୀଙ୍କ ସହାୟତା ଗ୍ରହଣ କରାଯାଉଥିଲା । କୁହାଯାଏ ଯେ ସତ୍ୟବାଦୀରୁ ରେଳଗାଡ଼ି ଗାର୍ଡଙ୍କ ପାଖେ ଆଶା ପାଇଁ ଲେଖା ପହଞ୍ଚିବା ବିଳମ୍ୱ ହେଲେ ଥରେ ଅଧେ ସାକ୍ଷୀଗୋପାଳ ଷ୍ଟେସନରେ କିଛି ସମୟ ରେଳଗାଡ଼ି ଅଟକାଇ ଅପେକ୍ଷା କରାଯାଉଥିଲା ।
 
ଗୋପବନ୍ଧୁ ଦାସ ସତ୍ୟବାଦୀ ନାମରେ ଏକ ମାସିକ ସାହିତ୍ୟ ପତ୍ରିକା ୧୯୧୫ ପ୍ରକାଶନ ଆରମ୍ଭ କରିଥିଲେ । ଏହା ବ୍ରହ୍ମପୁର ଆଶା ପ୍ରେସରେ ପ୍ରଥମ ଦୁଇ ବର୍ଷ ମୁଦ୍ରିତ ହୋଇଥିଲା । ପରେ ପୁରୀକୁ ମୁଦ୍ରଣ କାର୍ଯ୍ୟ  ସ୍ଥାନାନ୍ତରିତ ହୋଇଥିଲା । ମାସିକ ସତ୍ୟବାଦୀର ସଫଳତାରେ ଉତ୍ସାହିତ ହୋଇ ଗୋପବନ୍ଧୁ ଦାସ ୧୯୧୯ରେ ସାପ୍ତାହିକ ସମ୍ୱାଦପତ୍ର ସମାଜ ପ୍ରକାଶନ ଆରମ୍ଭ କରିଥିଲେ । ସମାଜ ସତ୍ୟବାଦୀ ଓ ପୁରୀରେ ମୁଦ୍ରିତ ହୋଇ କଟକରେ ପହଞ୍ଚିଥିଲା । ଏହାହିଁ ଇତିହାସ ପୃଷ୍ଠାରେ ସମାଜ ପ୍ରକାଶନ ସହ ବ୍ରହ୍ମପୁରର ସଂପୃକ୍ତି ।
 
ଗୋପବନ୍ଧୁ ଦାସଙ୍କ ଦ୍ୱାରା ସମାଜ ପ୍ରତିଷ୍ଠିତ ହୋଇଥିଲେହେଁ ଗୋପବନ୍ଧୁ ଦାସଙ୍କ ଦ୍ୱାରା ନିଯୁକ୍ତ ପରିଚାଳକ ରାଧାନାଥ ରଥଙ୍କ ତତ୍ତ୍ୱାବଧାନରେ ସମାଜର ଉତ୍ତୋରୋତ୍ତର ଉନ୍ନତି ସାଧିତ ହୋଇଥିଲା । ରାଧାନାଥ ରଥଙ୍କ ବ୍ରହ୍ମପୁର ନେତୃବର୍ଗଙ୍କ ସହ ଗଭୀର ସଂପର୍କ ରହିଥିଲା । ପାର୍କସାହି ନିବାସୀ କବିରାଜ କାମାକ୍ଷୀ ପ୍ରସାଦ ଶର୍ମା ଓ ଟାଉନହଲ ରୋଡ଼ ନିବାସୀ ଏଡ଼ଭୋକେଟ ବସନ୍ତ କୁମାର ପାଣିଗ୍ରାହୀ ସେମାନଙ୍କ ମଧ୍ୟରେ ଦୁଇ ଘନିଷ୍ଠ ସହଯୋଗୀ । ଗଞ୍ଜାମର ଦୁଇ ପ୍ରମୁଖ ବ୍ୟକ୍ତିତ୍ୱ ବିଶ୍ୱନାଥ ଦାସ ଓ କିଶୋର ଚନ୍ଦ୍ର ତ୍ରିପାଠୀ ସମାଜର ପ୍ରକାଶକ ଲୋକସେବକ ମଣ୍ଡଳର ପ୍ରମୁଖ କର୍ମକର୍ତ୍ତା ରହିଆସିଥିଲେ । ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରିବାର ସମାଜର ଏଜେଣ୍ଟ ଏବଂ ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ସମାଜର ସ୍ୱତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ସମକାଳରେ ବ୍ରହ୍ମପୁରର ସଂଗଠକ ରାଜେନ୍ଦ୍ର ଜେନା ଲୋକ ସେବକ ମଣ୍ଡଳର ଅବସ୍ଥାପିତ ତିନିଜଣ ଓଡ଼ିଆ ଆଜୀବନ ସଭ୍ୟଙ୍କ ମଧ୍ୟରୁ ଜଣେ । ପ୍ରକାଶ ଥାଉ ସର୍ବଭାରତୀୟସ୍ତରରେ କାର୍ଯ୍ୟରତ ଲୋକସେବକ ମଣ୍ଡଳରେ ବର୍ତ୍ତମାନ ମୋଟ ଆଜୀବନ ସଭ୍ୟ ସଂଖ୍ୟା ମାତ୍ର ଆଠ ।
 
ରାଜ୍ୟ ସରକାରଙ୍କ ପକ୍ଷରୁ ସାର୍ବଜନୀନ ଅନୁଷ୍ଠାନଗୁଡ଼ିକୁ ବିନାମୂଲ୍ୟ ବା ଅଳ୍ପମୂଲ୍ୟରେ ସରକାରୀ ଜମି ପ୍ରଦାନ ନୀତି ରହିଛି । ସେହି ଧାରାରେ ବ୍ରହ୍ମପୁର କରପୋରେସେନ ରୋଡ଼ଠାରେ ଲୋକସେବକ ମଣ୍ଡଳକୁ ଗତ ଶତାଦ୍ଦୀ ସପ୍ତମ ଦଶକ ବେଳକୁ ଏକ ବଡ଼ ଜମି ପ୍ଲଟ ପ୍ରଦାନ କରାଯାଇଥିଲା । ଅବଶ୍ୟ ସେ ସମୟରେ କରପୋରେସନ ରୋଡ଼ ଏକ ଅବହେଳିତ ଅଞ୍ଚଳ ବିବେଚ଼ିତ ହେଉଥିଲା । ଭଲ ରାସ୍ତା ନଥିଲା । ଛତରାବନ୍ଧରେ ପୌରପାଳିକା ପକ୍ଷରୁ ଆବର୍ଜନା ଠୁଳ କରାଯାଉଥିଲା ଏବଂ ଲୋକସେବକ ମଣ୍ଡଳ ପାଇଥିବା ଜମିଟି ଝମ୍ପୁଡ଼ିବାସୀଙ୍କ ଜବରଦଖଲ କବଜାରେ ଥିଲା । ଦୀର୍ଘ ପ୍ରଚେଷ୍ଟାରେ ଉକ୍ତ ଜମିକୁ ଜବରଦଖଲ ମୁକ୍ତ କରାଯାଇ ସୁଉଚ୍ଚ ପାଚ଼େରୀ ନିର୍ମାଣ ସଂଭବ ହୋଇଥିଲା ।
 
ଅବଶ୍ୟ ଇତ୍ୟଅବସରରେ କରପୋରେସନ ରୋଡ଼ ସହରର ଅନ୍ୟତମ ଅଭିଜାତ୍ୟପୂର୍ଣ୍ଣ ଠିକଣାରେ ପରିଣତ ହୋଇଛି । ତାମେୟା ବନ୍ଧ ପୋତି ବିଜୁ ପଟ୍ଟନାୟକ ପାର୍କ ନିର୍ମାଣ ପରେ ଛତରାବନ୍ଧ ପୋତି ଗଞ୍ଜାମ ହାଟ ମଲ ନିର୍ମାଣଧୀନ । ଲୋକସେବକ ମଣ୍ଡଳପକ୍ଷରୁ କରପୋରେସନ ରୋଡ଼ ଜମିରେ ଗୋପବନ୍ଧୁ ଭବନ ନାମିତ ଦ୍ୱିତଳ କୋଠା ନିର୍ମାଣ ନିମନ୍ତେ ଜୁଲାଇ ପହିଲା ୨୦୨୩ରେ ଠିକାଦାର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଲୋକସେବକ ମଣ୍ଡଳ କରପୋରେସନ ରୋଡ଼ରେ ଜମି ପାଇବା ଦିନୁ ଗୋପବନ୍ଧୁ ଭବନ ନିର୍ମାଣ ଓ ବ୍ରହ୍ମପୁରରୁ ସମାଜର ସଂସ୍କରଣ ମୁଦ୍ରଣର ଯେଉଁମାନେ ସ୍ୱପ୍ନ ଦେଖିଥିଲେ ଇତିମଧ୍ୟରେ ମରିହଜି ଗଲେଣି ।
 
ବ୍ରହ୍ମପୁରରେ ଗୋପବନ୍ଧୁ ଭବନ ନିର୍ମାଣ ପରେ ଗିରି ରୋଡ଼ରେ ଭଡା ଘରେ ଚାଲୁଥିବା ସମାଜ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରିତ ହେବା ନିଶ୍ଚିତ । ଲୋକସେବକ ମଣ୍ଡଳର ରିଲିଫ ରାଜ୍ୟରେ ସକ୍ରିୟ ଏଠାରେ ଦକ୍ଷିଣ ଓଡ଼ିଶା ଶାଖା କାର୍ଯ୍ୟାଳୟ ସ୍ଥାପିତ ହେବା ଆଶା କରାଯାଇପାରେ । ଗୋପବନ୍ଧୁ ଦାସ ସମାଜସମ୍ୱାଦପତ୍ର ପ୍ରକାଶନର ମୂଳ ଉଦ୍ଦେଶ୍ୟ ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶା ସର୍ବସାଧାରଣରେ ପ୍ରକାଶନରେ ପର୍ଯ୍ୟବଶିତ ରହିଥିଲା । ଆଜି ବ୍ରହ୍ମପୁର ଜନସାଧାରଣଙ୍କ ସାମୂହିକ ସମସ୍ୟା ବିଚାରବିମର୍ଷ ନିମନ୍ତେ ଦଶ-କୋଡ଼ିଏ ଜଣଙ୍କୁ ଏକାଠି କରି ସଭାସମିତି କରିବା ପାଇଁ ସ୍ଥାନ ଅଭାବ ।  ଯେଉଁ ସବୁ ସଭାଗୃହ ରହିଛି ସେଗୁଡ଼ିକୁ ବ୍ୟବହାର କରିବା ନିମନ୍ତେ ଉଚ୍ଚ ଦରରେ ଭଡ଼ା ଦେବାକୁ ପଡ଼ିଥାଏ । ବ୍ୟବସ୍ଥା ବିରୋଧରେ ଜନତାଙ୍କୁ ଏକଜୁଟ କରିବା ସଂଗ୍ରାମୀଙ୍କ ପାଖେ ପଇସା କୁଆଡୁ ଆସିବ ? ରାଜନୀତିକ ନେତୃବର୍ଗ କିମ୍ୱା ଧନଶାଳୀଙ୍କ ଠାରେ ଅର୍ଥ ପାଇଁ ଦ୍ୱାରସ୍ଥ ହେଲେ ସେ ନିଜ ଲାଭ କଥା ପ୍ରଥମେ ଉଠାଇବେ । ଏହି ପରିବେଶରେ ପ୍ରସ୍ତାବିତ ଗୋପବନ୍ଧୁ ଭବନରେ ଯଦି ୫୦ ଜଣ ବସିବା ଭଳି ଏକ ସଭାଗୃହ ସନ୍ନିବଶିତ କରାଯାଇ ଦାତବ୍ୟ ସୂତ୍ରରେ ସାମାଜିକ ଓ ସାଂସ୍କୃତିକ ସଂଗଠନଗୁଡ଼ିକୁ ଯୋଗାଇ ଦିଆଯାଇପାରନ୍ତା, ତେବେ ସ୍ଥାନୀୟ ଜନଜୀବନର ସୁରକ୍ଷା ଦିଗରେ ସହରବାସୀଙ୍କ ସାଙ୍ଗଠନିକ ଉଦ୍ୟମ ପ୍ରୋତ୍ସାହିତ ହୋଇପାରିବ । ଗୋପବନ୍ଧୁ ଭବନ ବ୍ରହ୍ମପୁର ସହରବାସୀଙ୍କ ନିମନ୍ତେ ଅନ୍ୟତମ ପ୍ରଣକେନ୍ଦ୍ର ରୂପେ ଗଢ଼ି ଉଠିବଏଦିଗରେ ବାବୁ ରାଜେନ୍ଦ୍ର ଜେନା ଯତ୍ନବାନ ହେବା ଆଶା କରାଯାଇପାରେ ।

Photo by Sam Moghadam Khamseh on Unsplash 


Sunday, July 2, 2023

Electricity Crisis / ବିଦ୍ୟୁତ ସମସ୍ୟା

 

#ବ୍ରହ୍ମପୁର ସହରରେ ୨୦୨୩ ଜୁନ ମାସରେ ପ୍ରାୟ ୨୦ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ହିଟ ୱେବ ଭଳି ପରିସ୍ଥିତି ଲାଗିରହିବା ଏବଂ ଦିନ କେତେ ଉତ୍ତାପ ୪୦ ଡ଼ିଗ୍ରୀ ଡ଼େଇଁବା ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା । ଅବଶ୍ୟ ଏହି ପାଣିପାଗ ଓଡ଼ିଶା ବ୍ୟାପୀ ଅନୁଭୂତ । ଏହି ଅବସରରେ ବିଦ୍ୟୁତ ଯୋଗାଣ ବାରମ୍ୱାର ବ୍ୟାହତ ହେବା ହେତୁ ଜନଅସନ୍ତୋଷ ମଧ୍ୟ ଦେଖା ଦେଇଥିଲା । ବିଦ୍ୟୁତ ସମସ୍ୟାରେ ଅତିଷ୍ଠ ହୋଇ ଦିନେ ରାତିରେ ଲାଞ୍ଜିପଲ୍ଲୀବାସୀ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ମାସସାରା ସଂବାଦପତ୍ର ପୃଷ୍ଠା, ଟେଲିଭିଜନପର୍ଦ୍ଦା ଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜାରୀ ରହିଥିଲା । ସାରା ରାଜ୍ୟରେ ଦେଢ଼ ବର୍ଷରୁ ଦୁଇ ବର୍ଷ ପୂର୍ବେ ଦକ୍ଷିଣ, ଉତ୍ତର ଓ ପଶ୍ଚିମାଂଶରେ ବିଦ୍ୟୁତ ବିତରଣ ଦାୟିତ୍ୱ ଗ୍ରହଣ କରିଥିବା ଟାଟା ପାୱାର ସମେତ ରାଜ୍ୟ ସରକାର ଆକ୍ରୋଶର ଶୀକାର ହୋଇଥିଲେ । ଜୁନ ଶେଷ ସପ୍ତାହରେ ମୌସୁମୀ ବର୍ଷା ତିନିଦିନ ଲାଗି ପହଞ୍ଚିବାପରେ ଅବସ୍ଥା ସାମାନ୍ୟ ଶାନ୍ତ ପଡ଼ିଥିଲା ।
 
ସାରା ଦେଶରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗଣରେ କ୍ରମାଗତ ବିଦ୍ୟୁତ ବ୍ୟବହାର ବୃଦ୍ଧି ବାଧକ ସାଜିଥାଏ । କେନ୍ଦ୍ର ଶକ୍ତିମନ୍ତ୍ରୀ ନୂଆଦିଲ୍ଲୀରେ ୨୨ ଜୁନରେ ସଭାକରି କହିଥିଲେ ଯେ ବିଗତ ଆର୍ଥିକ ବର୍ଷ ୨୦୨୨-୨୩ରେ ବିଦ୍ୟୁତ ଚାହିଦା ଆଠ ପ୍ରତିଶତ ବୃଦ୍ଧି ଘଟିଥିବା ସ୍ଥଳେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତ୍ରୟମାସରେ ଦଶ ପ୍ରତିଶତ ବୃଦ୍ଧି ପରିଲକ୍ଷିତ । କେନ୍ଦ୍ର ସରକାରଙ୍କ ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମ ଉଲ୍ଲେଖ କରି ସେ ସୂଚ଼ାଇଥିଲେ ଯେ ୨୦୧୪ରେ ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ହାରାହାରି ଦୈନିକ ୧୨.୫ ଘଣ୍ଟାରୁ ୨୦୨୩ରେ ୨୦.୫୩ ଘଣ୍ଟାକୁ ବୃଦ୍ଧି ପାଇଛି । ସହରାଞ୍ଚଳରେ ୨୩.୭୮ ଘଣ୍ଟାରେ ପହଞ୍ଚିଛି ।
 
ଓଡ଼ିଶା ରାଜ୍ୟରେ ୨୦୦୦ ବେଳକୁ ସାଧାରଣରେ ଦୈନିକ ୧୮ ଶହରୁ ୧୯ ଶହ ଏବଂ ପିକ ଆୱାରରେ ୨୧ ଶହ ମେଗାୱାଟ ବିଦ୍ୟୁତ ଆବଶ୍ୟକ ପଡୁଥିବା ସ୍ଥଳେ ୨୦୨୩ରେ ସାଧାରଣଭାବେ ୪୭ ଶହ ଏବଂ ପିକ ଆୱାରରେ ୫୪ ଶହରୁ ୫୬ ଶହ ମେଗାୱାଟ ଯାଏଁ ବିଦ୍ୟୁତ ଆବଶ୍ୟକ ପଡୁଛି । ଏହି ବର୍ଦ୍ଧିତ ବିଦ୍ୟୁତ ଉତ୍ପାଦନ ଏବଂ ବିତରଣ ନିମନ୍ତେ ଭିତ୍ତିଭୂମିର ଅଭାବ । ଫଳରେ ରାଜ୍ୟରେ ବିଦ୍ୟୁତ ଉପଭୋକ୍ତା ସଠିକ ସେବା ପାଇବାରେ ବିଫଳ ହେଉଛନ୍ତି ।
 
ଉଦାହରଣରେ ଜୁନମାସ କଥା ଧରାଯାଉ । ଏନଟିପିସି ବରପାଲିରେ ଜୁନ ମଧ୍ୟ ଭାଗରେ ୮୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏକ ୟୁନିଟରୁ ବିଦ୍ୟୁତ ଶକ୍ତି ଯୋଗାଣ ବନ୍ଦ ହୋଇଯିବା ଏବଂ ଦୁଇମାସ ଯାଏଁ ଅନୁରୂପ ପରିସ୍ଥିତି ଲାଗି ରହିବା ଅନୁମାନ ହେବା ଫଳରେ ରାଜ୍ୟ ଶକ୍ତି ସଂକଟ ସମ୍ମୁଖୀନ ହୋଇଥିଲା । ଆଗକୁ ରଥଯାତ୍ରା ହେତୁ କେନ୍ଦ୍ର ବିଦ୍ୟୁତ ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟୁତ ପ୍ରାଧିକରଣକୁ ଅଗଷ୍ଟ ୧୫ ଯାଏଁ ଦୈନିକ ୪୫୦ ମେଗାୱାଟ ବିଦ୍ୟୁତ ଅଣଆବଣ୍ଟିତ କେନ୍ଦ୍ରୀୟ ପୁଲରୁ ଯୋଗାଇ ଦେବା ନିମନ୍ତେ ଅନୁରୋଧ କରାଯାଇଥିଲା । ସେମାନେ ତୁରନ୍ତ ୧୬ ଜୁନରୁ ୨୬ ଜୁନ ଦଶ ଦିନ ୪୦୦ ମେଗାୱାଟ ବିଦ୍ୟୁତ ଯୋଗାଣ ପାଇଁ ରାଜି ହୋଇଥିଲେ । ଅବଶ୍ୟ ଏହିଭଳି ସାମୟିକ ବିଦ୍ୟୁତ ଅଭାବ ଓ କେନ୍ଦ୍ରୀୟ ପୁଲରୁ ଭରଣା ସବୁବେଳେ ସର୍ବତ୍ର ଲାଗିରହିଥାଏ ।
 
ବିଦ୍ୟୁତ ସରବରାହର ଭିତ୍ତିଭୂମି ସଜାଡ଼ି ନଯାଇ ପାରିଲେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସଂଭବପର ନୁହେଁ । ଓଡ଼ିଶାରେ ଭିତ୍ତିଭୂମିର ଅଭାବ ଲାଗି ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୪-୯୫ରେ ବିଶ୍ୱବ୍ୟାଙ୍କରୁ ଋଣ କରି ବିଦ୍ୟୁତ ସେବାର ସଂସ୍କାର ଲାଗି ଉଦ୍ୟମ ହୋଇଥିଲା । କିନ୍ତୁ ୨୮ ବର୍ଷର ସଂସ୍କାର କାର୍ଯ୍ୟକ୍ରମ ଫଳପ୍ରଦ ହୋଇପାରିଲା ନାହିଁ । ସରକାର ବାଧ୍ୟବାଧକତାରେ ରାଜ୍ୟର ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ଭଳି ଏକ ଘରୋଇ ସଂସ୍ଥାକୁ ଟେକିଦେଲେ । ଏହି ନୂତନ ବ୍ୟବସ୍ଥାରେ ରାଜ୍ୟ ସରକାର ଅର୍ଦ୍ଧେକ ଭାଗୀଦାର । ଭିତ୍ତିଭୂମି ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କୁ ହିଁ ପୁନର୍ବାର ଋଣ କରି ଅର୍ଥ ବିନିଯୋଗ କରିବାକୁ ପଡ଼ିବ । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ସୁପାରିଶ ଆଧାରରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୧୨ ଗୋଟି ରାଜ୍ୟକୁ ୬୬ ହଜାର ୪୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଡ଼ିଶା ପାଇଁ ଦୁଇ ହଜାର ୭୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ସ୍ଥଳେ ସେହି ଅର୍ଥ ବ୍ୟୟରେ ବିଦ୍ୟୁତ ବିତରଣ ଭିତ୍ତିଭୂମିକୁ ସଜାଡ଼ିବାକୁ ପୁନର୍ବାର ଉଦ୍ୟମ କରାଯିବ ।
 
ମୋଟାମୋଟି ସମସ୍ୟା ହେଲା ବ୍ରହ୍ମପୁର ଭଳି ବାତ୍ୟାପ୍ରବଣ ସହରରେ ପ୍ରଥମତଃ, ବିଦ୍ୟୁତ ବିତରଣ ଭିତ୍ତିଭୂମି ଦୁର୍ବଳ ଥିବା ଏବଂ ଦ୍ୱିତୀୟତଃ, ଜନସାଧାରଣରେ ହୁ ହୁ ବିଦ୍ୟୁତ ବ୍ୟବହାର ବୃଦ୍ଧି ପାଉଥିବା ହେତୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେଉଛି । ଋଣ ଅର୍ଥରେ ଭିତ୍ତିଭୂମି ସଜାଡ଼ିବା ନିମନ୍ତେ କାର୍ଯ୍ୟକ୍ରମ ତ ଗ୍ରହଣ କରାଯିବ, ବିଦ୍ୟୁତ ବ୍ୟବହାର କିପରି କମିବ-ସେ ସଂପର୍କରେ ମଧ୍ୟ ବିଚାର କରିବା ସମୟ ଉପନୀତ । ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ରୋକିବା ନିମନ୍ତେ ତାପଜ ବିଦ୍ୟୁତ ଉତ୍ପାଦନକୁ ନିରୁତ୍ସାହିତ କରାଯାଉଛି । କିନ୍ତୁ ଆମ ଦେଶରେ ତାପଜ ବିଦ୍ୟୁତ ଉତ୍ପାଦନ ପ୍ରମୁଖ ସ୍ଥାନ ଅଧିକାର କରିଥାଏ । ଖୁବ କମ ସମୟରେ ଆମକୁ ଏଥିରୁ କ୍ଷାନ୍ତ ରହିବାକୁ ପଡ଼ିବ । ଏଦିଗରେ ସହରବାସୀ ନିଜ ଉତ୍ତରଦାୟିତ୍ୱ ସଂପର୍କରେ ସଚ଼େତନ ହେବା ଆବଶ୍ୟକ ।

Photo by Marcus on Unsplash