Friday, August 26, 2022

Super Mosquito / ସୁପର ମସ୍କିଟୋ

 

#ବ୍ରହ୍ମପୁର ସହରର ମଶା କାମୁଡ଼ାରେ ୨୦୨୨ ଅଗଷ୍ଟ ମାସରେ ନୂଆ ଅନୁଭୂତି ଜନସାଧାରଣରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ଏଣିକି ମଶା କାମୁଡ଼ା ପୂର୍ବାପେକ୍ଷା ପୀଡ଼ା ଦାୟକ ଅନୁଭବ ହେଉଛି ଏବଂ ଶରୀରର ମଶା କାମୁଡ଼ା ସ୍ଥାନରେ ଯନ୍ତ୍ରଣା ଓ ଏଲାର୍ଜି ଦୀର୍ଘ ସମୟ ଯାଏଁ ଲାଗି ରହୁଛି । ଆଜିକାଲିକା ଆଧୁନିକ ନିଡ଼ିଲ ବ୍ୟବହାର ଯୋଗେ ଡ଼ାକ୍ତରୀ ଇଞ୍ଜେକସନ ଫୋଡ଼ାଠାରୁ ମଶାକାମୁଡ଼ା ଅଧିକ ବାଧୁଛି । ସହରର ଜନାକୀର୍ଣ୍ଣ ଭାପୁର ଭଳି ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ମଧ୍ୟ ମଶା କାମୁଡ଼ାଠାରୁ ନିସ୍ତାର ମିଳୁନି । ତେବେ ସ୍ଥାନୀୟ ମଶାବଂଶ ସଂପର୍କରେ ପ୍ରାମାଣିକ ତଥ୍ୟ ଅଭାବରୁ କେବଳ ମଶାକାମୁଡ଼ା ଅନୁଭୂତି ଭିନ୍ନ ଅଧିକ କିଛି ଜାଣିବା ମୁସ୍କିଲ ।
 
ସମକାଳରେ ଗଣମାଧ୍ୟମରେ ପ୍ରକାଶିତ ବିବରଣୀ ଅନୁଯାୟୀ ପଡ଼ୋଶୀ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ଏସୀୟ ବାଘୁଆ ମଶା ଏସିଆନ ଟାଇଗର ମସ୍କିଟୋ ଦେଖା ଦେଇଛନ୍ତି । ଉତ୍ତର ବଙ୍ଗ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ କୀଟ ପତଙ୍ଗ ପ୍ରାଣୀ-ରସାୟନ ପରୀକ୍ଷାଗାର ଇନସେକ୍ଟ ବାୟୋକେମେଷ୍ଟ୍ରୀ ଲେବରେଟରୀରେ ଏହି ଧରଣର ମଶାଗୁଡ଼ିକ ସଂପର୍କରେ ଗବେଷଣା କରାଯାଇଥିଲା । ଏଥିରୁ ଜଣାଗଲା ଯେ ମଶାକାମୁଡ଼ାରୁ ବର୍ତ୍ତିବା ପାଇଁ ବଜାରରେ ଉପଲବ୍ଧ ମଶା ନିବାରକ ବାଘୁଆ ମଶାମାନଙ୍କୁ କାଟୁ ନାହିଁ । ମଶା ତଡ଼ା ଧୂପ ଓ ଲିକ୍ୱିଡ଼ ପ୍ରତି ସହନଶୀଳ ହୋଇଗଲେଣି ମଶା ଧୂପରେ ବ୍ୟବହୃତ ପାରାଲେଥ୍ରୀନ ଓ ଲିକ୍ୱିଡ଼ରେ ବ୍ୟବହୃତ ଟ୍ରାନ୍ସଫ୍ଳୁଥେରିନ ଭଳି ବିଷ ମଶାଙ୍କୁ ତଡ଼ିପାରୁ ନାହିଁ ।
 
ବୈଜ୍ଞାନିକମାନେ ଦାର୍ଜିଲିଂ ଜିଲ୍ଲାର ଚାରିଗୋଟି ସହରରୁ ୫୦ ଗୋଟି କରି ମୋଟ ୨୦୦ ମଶା ପରୀକ୍ଷା ପାଇଁ ସଂଗ୍ରହ କରିଥିଲେ । ରାସ୍ତାଘାଟରେ ଫୋପଡ଼ା ଯାଇଥିବା ଭଙ୍ଗା ଟିଣ ଓ ପ୍ଳାଷ୍ଟିକ ପାତ୍ର, ଟାୟାର, ଫୁଲକୁଣ୍ଡ ଓ ପାଣିକୁଣ୍ଡ ଇତ୍ୟାଦିରେ ଜନ୍ମ ନେଇଥିବା ମଶା ଏଥିରେ ସାମିଲ ହୋଇଥିଲେ । ଗବେଷଣାରୁ ବୈଜ୍ଞାନିକମାନେ ଜାଣିଥିଲେ ଯେ ସାଧାରଣରେ ମଶା ନିବାରକର ମୂଳ ଉପାଦାନ ଡ଼େଲଟାମେଥ୍ରୀନ ଓ ସିନ୍ଥାଟିକ ପାଇରେଥିଏଡ଼ ଜାତୀୟ ସ୍ୱଳ୍ପ ଶକ୍ତି ସମ୍ପନ୍ନ ବିଷ ନୂତନ ପ୍ରଜାତିର ମଶାକୁ କ୍ଷତି ପହୁଞ୍ଚାଇପାରୁନାହିଁ । ଦୀର୍ଘ ବର୍ଷ ଧରି ସମାନ ଧରଣର ମଶା ତଡ଼ା ସାଧନ ବ୍ୟବହୃତ ହେବା ହେତୁ ମଶା ବଂଶରେ ବିଭାଜନ ମ୍ୟୁଟେସନ ଘଟି ସେହିସବୁ ନିବାରକ ପ୍ରତି ସହନଶୀଳ କରି ପକାଉଛି । ଏହାକୁ ନକ-ଡ଼ାଉନ-ରେଜିଷ୍ଟାନ୍ସ କୁହାଯାଏ । ବିଦେଶରେ ବୈଜ୍ଞାନିକମାନେ ୨୦୧୧ରୁ ସିଙ୍ଗାପୁର, ଜାପାନ, ଚୀନ, ଫ୍ରାନ୍ସ, ଇଟାଲୀ ଓ ଯୁକ୍ତରାଷ୍ଟ୍ର ଆମେରିକାରେ କେ-ଡ଼ି-ଆର ମ୍ୟୁଟେସନର ସନ୍ଧାନ ପାଇଥିଲେ । ଭାରତରେ ୨୦୨୦ରେ ବାଙ୍ଗାଲୁରୁଠାରେ ନୂଆଦିଲ୍ଲୀସ୍ଥିତ ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ସର୍ବେକ୍ଷଣକରି ଏହି ପ୍ରଜାତି ଠାବ କରାଯାଇଥିଲା ।
 
ଉତ୍ତର ବଙ୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କହୁଛନ୍ତି ଯେ ଜନବସତିରେ ମଶା ଦମନ କରିବା ନିମନ୍ତେ ଜନ୍ମ ଅବସ୍ଥାରେ ଲାର୍ଭାସ୍ତରରେ ନିପାତ କରିବାକୁ ପଡ଼ିବ । ଏହା ସର୍ବଜନ ଜ୍ଞାତ ଯେ ଆମ ବାସଗୃହ ଚ଼ତୁର୍ଦ୍ଦିଗରେ ଅଳିଆ-ଆବର୍ଜନା ପଡ଼ି ରହିଲେ ସେଥିରେ ଥିବା ଭଙ୍ଗା ଟିଣ, ପାତ୍ର ଓ ଆସବାବପତ୍ରରେ ବର୍ଷାପାଣି ଜମି ରହେ ଏବଂ ସେହି ସ୍ଥିର ଜଳରେ ମାଈ ମଶା ଅଣ୍ଡା ଦିଏ । ଜନବସତି ସଫା ସୁତୁରା ରଖିବା ପୌର ପ୍ରଶାସନ ଏବଂ ଘରଦ୍ୱାର ସଫାରଖିବା ସଂପୃକ୍ତ ପରିବାରର କର୍ତ୍ତବ୍ୟ । କିନ୍ତୁ ପରିବାର  ଲୋକେ କେବଳ ଘର ଭିତର ସଫାକରି ବର୍ଜ୍ୟବସ୍ତୁ ଘର ବାହାରେ ପକାଇଦେବା ଏବଂ ସେଗୁଡ଼ିକ ସଂଗୃହୀତ ହୋଇ ଜନବସତିର ଦୂର ସ୍ଥାନରେ ଢାଳିବା କିମ୍ୱା ପ୍ରକ୍ରିୟାକରଣ କରାଯିବା ସଂଭବ ନହୋଇ ପାରିଲେ ସମସ୍ୟା ଉପୁଜେ । ମଶା ଉପଦ୍ରବ ଯୋଗୁଁ ପରିବାରର ସଦସ୍ୟମାନେ ପ୍ରଭାବିତ ହୁଅନ୍ତି । ମଶା କାମୁଡ଼ା ଦୈନନ୍ଦିନ ଜୀବନ ବ୍ୟତିବ୍ୟସ୍ତ କରିପକାଏ, କାର୍ଯ୍ୟଦକ୍ଷତା ହ୍ରାସ କରେ ଓ ବିଭିନ୍ନ ରୋଗ ସଂକ୍ରମଣର କାରଣ ପାଲଟେ । ପରିବେଶ ପରିଷ୍କାର ରଖିବା ଦିଗରେ ଜନସାଧାରଣ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଅଭିଯାନ ଆୟୋଜନ ଆବଶ୍ୟକ । କିନ୍ତୁ ଏହା ସଂଭବ ହୋଇପାରେନା ।
 
ଜନବସତି ଅପରିଷ୍କୃତ ରହିଲେ ଭଙ୍ଗା ଆସବାବପତ୍ରରେ ପାଣି ଜମି ମଶା ବଂଶ ବିସ୍ତାର ଲାଭ କରେ ଏବଂ ସଫାସୁତରା ରଖିବାରେ ଅସଫଳ ହେଲେ ପରିବାରବର୍ଗ ଘର ମଧ୍ୟରେ ମଶା ଧୂପ ବା ଲିକ୍ୱିଡ଼ ବ୍ୟବହାର କରି କିମ୍ୱା ପୌରପ୍ରଶାସନ ପକ୍ଷରୁ ବସ୍ତି, ରାସ୍ତା ଘାଟରେ ମଶାମରା ଧୂଆଁ ଛାଡ଼ି ଆୟତ୍ତ କରିଥାନ୍ତିବ୍ରହ୍ମପୁରରେ ଜୁନ ଦ୍ୱିତୀୟ ସପ୍ତାହରେ ଅସରାଏ ବର୍ଷାର ମାସକ ପରେ ମଶା ବଂଶ ବୃଦ୍ଧି ପାଇଥିଲା । ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷା ଓ ଖରା ଲାଗିରହିଥିବା ହେତୁ ସୃଷ୍ଟ ଆଦ୍ର ପରିବେଶ ମଶାଙ୍କ ବଂଶ ବିସ୍ତାର ନିମନ୍ତେ ସହାୟକ ହୋଇଥିଲା । ଏହି ଅବସରରେ ମଶାଙ୍କ ସଂଖ୍ୟା ଅଧିକ ହୋଇନଥିଲେହେଁ ସଂଭବତଃ ଭିନ୍ନ ପ୍ରଜାତିର ମଶା ଶରୀରରେ ପୀଡ଼ା ଓ ଆଲାର୍ଜି ପହଞ୍ଚାଉଥିବା ଏବଂ ସାଧାରଣ ମଶା ଧୂପ ଓ ଲିକ୍ୱିଡ଼ରେ ଦୂରେଇ ଯାଉନଥିବା ସହରବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ରୋଗ ସଂକ୍ରମଣ ତ ଅଲଗା କଥା । ସେପ୍ଟେମ୍ୱର ମାସରୁ ମଶାଙ୍କ ସଂଖ୍ୟା ବୃଦ୍ଧି ସଙ୍ଗେ ସମସ୍ୟା ଉତ୍କଟ ରୂପ ଧାରଣ କରିବା ଆକଳନ କରାଯାଇପାରେ । ଏହି ସୁପର ମସ୍କିଟୋଙ୍କ କବଳରେ ସହରବାସୀ କଲବଲ । ତେଣୁ ପୌର ପ୍ରଶାସନପକ୍ଷରୁ ମଶା ଧୂଆଁ ଛାଡ଼ିବା ଭିନ୍ନ ଅନ୍ୟ ଉପାୟ ନାହିଁ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୭ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Photo by Refat Ul Islam on Unsplash 


Friday, August 19, 2022

Giri Market / ଗିରି ମାର୍କେଟ

 

#ବ୍ରହ୍ମପୁର ସହରର ମଧ୍ୟଭାଗରେ ଅବସ୍ଥିତ ଗିରି ମାର୍କେଟ ମୁଖ୍ୟତଃ ପନିପରିବା ଓ ମାଛ-ମାଂସ ବଜାର ରୂପେ ପ୍ରସିଦ୍ଧ । ଏଠାରେ ନଡ଼ିଆ, କଦଳୀ, ଆମ୍ୱ ଓ ଅନ୍ୟାନ୍ୟ ଫଳ ମଧ୍ୟ ବିକ୍ରୀ ହୋଇଥାଏ । ଭାପୁର, ଗାନ୍ଧୀ ନଗର, ସାନ ବଜାର ଓ ଆସିକା ରୋଡ଼ ପାର୍ଶ୍ୱରେ ଗଢ଼ି ଉଠିଥିବା ଜନବସତିର ବାସିନ୍ଦା ଏଠାରେ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସଉଦା କରିଥାନ୍ତି । ଗିରି ମାର୍କେଟ ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ପରିଚାଳିତ । ୧୯୭୪ରେ ତତ୍ କାଳୀନ ପୌରପାଳିକା ପକ୍ଷରୁ ଏଠାରେ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଳେକ୍ସ ଉଦଘାଟିତ ହୋଇଥିଲା । ୧୯୯୭ରେ ଉପର ମହଲା ନିର୍ମାଣ ଆରମ୍ଭ ହୋଇ ୨୦୦୦ରେ ବ୍ୟବହାରରେ ଲାଗିଥିଲା । ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଳେକ୍ସ କୋଠା ୨୦୨୧ରୁ ଅସୁରକ୍ଷିତ ଘୋଷିତ ହେବା ପରେ ଏହାକୁ ଭାଙ୍ଗି ନୂତନ କୋଠା ନିର୍ମାଣ ନିମନ୍ତେ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।
 
ବ୍ରହ୍ମପୁର ସହର ଗଢ଼ି ଉଠୁଥିବା ସମୟରେ ଅଧୂନା ଗିରି ମାର୍କେଟ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଏକ ବିରାଟ ଜଳାଶୟ ତାମେୟା ବନ୍ଧ ଆସିକା ରୋଡ଼ ବିଦ୍ୟୁତ ବିଭାଗୀୟ କାର୍ଯ୍ୟାଳୟ ଯାଏଁ ପରିବ୍ୟାପ୍ତ ଥିଲା । ତାମେୟା ବନ୍ଧହୁଡ଼ାରେ ଶନିବାର ଦିନ ସାପ୍ତାହିକ ହାଟ ପ୍ରସିଦ୍ଧି ଲାଭ କରିଥିଲା । ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀଗଣ ଶନିବାର ଦିନ ସକାଳୁ ସକାଳୁ ପସରା ମେଲାଇ ବସୁଥିଲେ ଏବଂ କିଣାବିକା ଅପରାହ୍ନ ବେଳକୁ ସରି ଆସୁଥିଲା । ତାମେୟା ବନ୍ଧ ପୂର୍ବଦିଗ ହୁଡ଼ାରେ ବାଉଁଶ କାରିଗର ମେଦରିମାନଙ୍କ ଏକ ବସ୍ତି ଗଢ଼ି ଉଠିଥିଲା । ବ୍ରହ୍ମପୁର ଉପକଣ୍ଠ କେରାଣ୍ଡିମାଳ ପାର୍ବତ୍ୟାଞ୍ଚଳରୁ ଆଦିବାସୀମାନେ ବାଉଁଶ ଓ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୀ ପାଇଁ ଶନିବାର ହାଟରେ ପହଞ୍ଚୁଥିଲେ । ଅତୀତରେ ପ୍ଳାଷ୍ଟିକ ଅଭାବରେ ବାଉଁଶ ନିର୍ମିତ ଘରକରଣା ସାମଗ୍ରୀର ଆଦର ରହିଥିଲା ଏବଂ ସହରବାସୀଙ୍କ ପାଇଁ ଶନିବାର ହାଟ ବାଉଁଶଜାତ ଦ୍ରବ୍ୟ କିଣାବିକାର କେନ୍ଦ୍ରସ୍ଥଳୀ ପାଲଟିଥିଲା । ମେଦିରି ସାହୀ ପଛରେ ମୋଚ଼ି ସାହୀ ଏବଂ କିଛି ଦୂର ଆଗରେ କାମ୍ପସାହୀ । ଏହିସବୁ ଅଞ୍ଚଳରେ ଦାକ୍ଷିଣାତ୍ୟରୁ ଆଗତ ପରିବାରବର୍ଗ ପାରମ୍ପରିକ ବ୍ୟବସାୟରେ ସଂପୃକ୍ତ ରହି ଦୀର୍ଘ ଅତୀତରୁ ବସବାସ କରିଆସିଛନ୍ତି ।
 
ବ୍ରିଟିଶ ଶାସନ କାଳରେ ମହାରାଣୀ ଭିକ୍ଟୋରିଆଙ୍କ ଶାସନର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ପୌରପାଳିକା ପକ୍ଷରୁ ଶନିବାର ହାଟଠାରେ ସମ୍ମୁଖ ଭାଗରେ ଧାଡ଼ିଏ ଦୋକାନ ଘର ଏବଂ ଆଭ୍ୟନ୍ତରୀଣ ପରିବା, ମାଛମାଂସ ମାର୍କେଟକୁ ଏକ ପ୍ରବେଶ ପଥ ୧୮୯୩ ବେଳକୁ ନିର୍ମାଣ କରାଯାଇଥିଲା । ଦୋକାନ ଘର ମଧ୍ୟରୁ କେତେକରେ କାଠକାରିଗରଙ୍କ ଶାଳ ରହିଥିଲା । ଗତ ଶତାଦ୍ଦୀ ଅଷ୍ଟମ ଦଶକରେ ନୂତନ କମ୍ପ୍ଳେକ୍ସ ନିର୍ମାଣ କାଳରେ କାମ୍ପସାହୀ ଖଲ୍ଲିକୋଟ କଲେଜିଏଟ ଟାଉନ ହାଇସ୍କୁଲ ରାସ୍ତାକୁ କାଠକାରିଗରଙ୍କ ଦୋକାନ ସ୍ଥାନାନ୍ତରିତ କରାଯାଇଥିଲା ।  ସେମାନେ ସେଠି ହିଁ ରହିଗଲେ । ଗ୍ରୀଷ୍ମଋତୁରେ ଆମ୍ୱ ବିକ୍ରୀ ପାଇଁ ଭିକ୍ଟୋରିଆ ମାର୍କେଟ ସମ୍ମୁଖରେ ଧାଡ଼ିଏ ଅସ୍ଥାୟୀ ବାଉଁଶ ଚାଞ୍ଚ ବାଡ଼ରେ ନଡ଼ା ଛପର ଦେଇ ଦୋକାନ ଗଢ଼ି ଉଠୁଥିଲା । ବର୍ଷାଋତୁ ଆରମ୍ଭରେ ସେଗୁଡ଼ିକୁ ଭାଙ୍ଗିଦିଆଯାଇ ପୁଣି ଗ୍ରୀଷ୍ମଋତୁରେ ସଜଡ଼ା ଯାଉଥିଲା । ନୂତନ କମ୍ପ୍ଳେକ୍ସ ନିର୍ମାଣ କାଳରେ ଆମ୍ୱ ବ୍ୟବସାୟୀ କିଛି ଦିନ କର୍ପୋରେସନ ରୋଡ଼, ପରେ ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ ପ୍ରାଙ୍ଗଣ ଓ ଶେଷରେ ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ପହଞ୍ଚିଛନ୍ତି ।
 
ଗିରି ମାର୍କେଟ କମ୍ପ୍ଳେକ୍ସରେ ଦୁଇ ମହଲାରେ ସମୁଦାୟ ୧୭୩ ଗୋଟି ଦୋକାନ ଘର ରହିଥିଲା । ତେବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶନିବାର ହାଟ, ଭିକ୍ଟୋରିଆ ମାର୍କେଟ ହେଉ ବା ଗିରି ମାର୍କେଟ ମୁଖ୍ୟତଃ ପନିପରିବା ଓ ଆମିଷ ବଜାର । ପ୍ରଥମତଃ, ଗିରି ମାର୍କେଟ ଭଙ୍ଗାଯାଇ ନୂତନ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କାଳରେ ଏହି ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷପତ୍ର ବିକ୍ରୀ ବଜାର ପ୍ରତି କେତେଟା ଦୃଷ୍ଟି ଦିଆଯିବ ତାହା ଚ଼ିନ୍ତାର ବିଷୟ ।
 
ଦ୍ୱିତୀୟତଃ, ଗିରି ମାର୍କେଟର ଉଭୟ ମହଲା ନିର୍ମାଣ ପାଇଁ ଦୀର୍ଘ ସମୟ, ତଳ ମହଲା ଲାଗି ପାଞ୍ଚ ବର୍ଷ ଓ ଉପର ମହଲା ଲାଗି ତିନି ବର୍ଷ ବିତି ଯାଇଥିବା ଇତିହାସ ରହିଛି । ବର୍ତ୍ତମାନ ପୁନଃ ନିର୍ମାଣ ନିମନ୍ତେ କେତେ ସମୟ ଆବଶ୍ୟକ ପଡ଼ିବ ତାହା ମଧ୍ୟ ପ୍ରଶ୍ନବାଚୀ । ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ କାଳରେ ପନିପରିବା, ଆମିଷ ଓ ଫଳ ଦୋକାନ ପସରା ଯେପରି ପ୍ରଭାବିତ ନହେବ ସେଦିଗରେ ଦୃଷ୍ଟି ଦିଆଯିବା ଆବଶ୍ୟକ ।
 
ତୃତୀୟତଃ, ସହରର କେନ୍ଦ୍ରସ୍ଥଳୀରେ ଅବସ୍ଥିତ ଏକ ଜନବହୁଳ ଅଞ୍ଚଳ ତଥା ସହରବାସୀ ଦୈନନ୍ଦିନ ସଉଦା ନିମନ୍ତେ ଏକତ୍ରୀତ ହେଉଥିବା ବଜାର ଭଙ୍ଗା ଓ ପୁନଃ ନିର୍ମାଣ ଅବସରରେ ଜନସାଧାରଣ କିପରି ଅସୁବିଧାରେ ନପଡ଼ିବେ ସେଦିଗରେ ଆଗୁଆ ଯୋଜନାବଦ୍ଧ ପଦକ୍ଷେପ ନିଆଯିବା ଉଚ଼ିତ । ଚ଼ତୁର୍ଥତଃ, କଥା ରହିଲା ବ୍ରହ୍ମପୁର ସହରରେ ନିୟନ୍ତ୍ରିତ ବଜାର ବ୍ୟବସ୍ଥା ନଥିବା ସମୟରେ ପୌରପାଳିକା ପକ୍ଷରୁ ଶନିବାର ହାଟକୁ ଭିକ୍ଟୋରିଆ ମାର୍କେଟ ଏବଂ ସହରର ପ୍ରଥମ ସପିଂ କମ୍ପେକ୍ସଭାବେ ଗିରି ମାର୍କେଟ କୋଠା ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସହର ଆରମ୍ଭରୁ ଶେଷ ଯାଏଁ ମାଳ ମାଳ ଦୋକାନ ବଜାର ଗଢ଼ି ଉଠିଥିବା ସମୟରେ ଜନସାଧାରଣଙ୍କ ଟିକସ ପଇସାରେ ପୁଣି ଥରେ ସପିଂ କମ୍ପ୍ଳେକ୍ସ ନିର୍ମାଣ କେତେଦୂର ଯଥାର୍ଥ ତାହା ମଧ୍ୟ ବିଚାର କରିବା ସମୟ ଉପନୀତ । ପଞ୍ଚମତଃ, ମହାମାରୀ ପରଠାରୁ ଅନଲାଇନ ରିଟେଲ ବଜାର ଆସ୍ଥାନ ଜମାଉଥିବା ଅବସରରେ ପୁରୁଣାକାଳିଆ ମାର୍କେଟ କମ୍ପ୍ଳେକ୍ସରେ ବ୍ୟବସାୟ କେତେଦିନ ବଞ୍ଚିରହିବ ତାହା ବି ବିଚାର୍ଯ୍ୟ !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨୦ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Photography by : P.M.Digital Documentation

Friday, August 12, 2022

Resistance to British Rule / ବ୍ରିଟିଶ ଶାସନ ପ୍ରତିରୋଧ

 

ମହୁରି ରାଜ୍ୟର ନୂତନ ରାଜଧାନୀଭାବେ ୧୬୭୨ ପରଠୁ #ବ୍ରହ୍ମପୁର ବିକଶିତ ହେବା ପ୍ରାୟ ଶହେ ବର୍ଷ ପରେ ୧୭୬୫ରେ ବ୍ରିଟିଶ ଶାସନାଧୀନ ହୋଇଥିଲା । ଏଥିପୂର୍ବରୁ କିଛି ସମୟ ଫରାସୀ ଅଧିକୃତ ରହିଥିଲା । ମହୁରି ରାଜ୍ୟବାସୀ ଫରାସୀ ସୈନ୍ୟଙ୍କ ଉତ୍ପୀଡ଼ନରେ ଅତିଷ୍ଠ ହୋଇ ବିରୋଧ କରିଥିଲେ । ମହୁରି ରାଜବଂଶ ଗବେଷକ ଡ଼କ୍ଟର ବିଚ଼ିତ୍ରାନନ୍ଦ ଦାଶଙ୍କ ଭାଷାରେ, ମହୁରି ଫରାସୀମାନଙ୍କୁ ଯେଭଳି ପ୍ରତିରୋଧ କରିଥିଲା, ଇଂରେଜ ଅଧିକାର ପରେ ପରେ ସେମାନଙ୍କୁ ମଧ୍ୟ ସେହିଭଳି ବାଧାଦାନ ଜାରି ରଖିଲା । ଏହା କ୍ରମେ ରାଜନୈତିକ ପ୍ରତିରୋଧରେ ରୂପାନ୍ତରିତ ହେଲା । ଏଥିରେ ଉଭୟ ରାଜପରିବାର ଓ ଜନତାଙ୍କ ସମର୍ଥନ ରହିଥିଲା । ... ୧୭୬୬ଠାରୁ ୧୮୫୦ ପର୍ଯ୍ୟନ୍ତ ଇଂରେଜ ଶାସନ ପ୍ରତି ମହୁରି ପ୍ରତିକୂଳ ମନୋଭାବ ପ୍ରଦର୍ଶନ କରି ଆସିଛି । ସାଧାରଣ ପ୍ରଶାସନ କିମ୍ୱା ରାଜସ୍ୱ ଆଦାୟ କ୍ଷେତ୍ରରେ ସେମାନେ ବିଦେଶୀ ଶାସକମାନଙ୍କୁ କୌଣସି ପ୍ରକାର ସହଯୋଗ କରିନଥିଲେ ।
 
ଭାରତରେ ବ୍ରିଟିଶ ଶାସନକୁ ପ୍ରତିରୋଧ କରି ସ୍ୱାଧୀନତା ସଂଗ୍ରାମର ମାନାଙ୍କ ନିର୍ଦ୍ଧାରଣକୁ ନେଇ ବିବାଦ ଉପୁଜିଥାଏ । ଜାତୀୟସ୍ତରରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୫୭ର ସିପାହୀ ବିଦ୍ରୋହକୁ ମାନ୍ୟତା ମିଳୁଥିବା ସ୍ଥଳେ ଓଡ଼ିଶାରେ ସଂଗଠିତ ୧୮୧୭ର ପାଇକ ବିଦ୍ରୋହ ପ୍ରାଥମିକତା ଲାଭ କରିବା ଯୁକ୍ତିଯୁକ୍ତ ବୋଲି ଦାବୀ ହୋଇଥାଏ । ଇତି ମଧ୍ୟରେ ପାରଳାର ଲଲାମ: ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଶୀର୍ଷକ ଏକ ପୁସ୍ତକ ପାରଳାଖେମୁଣ୍ଡି ବାସିନ୍ଦା ତଥା ଓଡ଼ିଆ ଭାଷା ସଂଗଠକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି । ସେ ପାରଳାଖେମୁଣ୍ଡିରେ ଦୀର୍ଘକାଳ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ଭାବେ ନିୟୋଜିତ ହୋଇ ଅବସର ଗ୍ରହଣ ପରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି । ବ୍ରିଟିଶ ଅମଳର ବିଭିନ୍ନ ସରକାରୀ ନଥିପତ୍ର ଅନୁଧ୍ୟାନ କରି କହିଛନ୍ତି ଯେ ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ (୧୭୩୬-୧୭୭୦) ବ୍ରିଟିଶ ଶାସକଙ୍କ ବିରୋଧରେ ୧୭୬୭ରୁ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ । ରାଜ୍ୟର ସେନାବାହିନୀଙ୍କ ସଙ୍ଗେ ଜନଜାତି ଶବର ସଂପ୍ରଦାୟ ଏଥିରେ ସାମିଲ ହୋଇଥିଲେ । ଏହି ସଂଗ୍ରାମ ୧୮୩୪ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିବା ପ୍ରମାଣ ମିଳେ । ମୁକ୍ତିଯୋଦ୍ଧାମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ଫାଶୀ ଦଣ୍ଡ, ୨୫ ଜଣଙ୍କୁ କଳାପାଣି ଆଣ୍ଡାମାନ ଦ୍ୱୀପାନ୍ତର ଓ ୧୦୩ ଜଣଙ୍କୁ ରାଜବନ୍ଦୀ କରାଯାଇଥିଲା । ଏହି ସଂଗ୍ରାମ କାଳରେ ବ୍ରିଟିଶ ରାଜକର୍ମଚାରୀଙ୍କୁ ବନ୍ଦୀ କରିବା, କୋଷାଗାର ଲୁଟ ଏବଂ ଶାସନ ବ୍ୟବସ୍ଥାକୁ ପାରଳାଖେମୁଣ୍ଡିରେ ଅଚଳ କରିଦିଆଯାଇଥିବା ପ୍ରମାଣ ଉପସ୍ଥାପନ କରିଛନ୍ତି ।
 
ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଲେଖିଛନ୍ତି, ୧୭୬୭ ସମ୍ଭବତଃ ଜାନୁୟାରୀ ମାସରେ କଟସଫୋର୍ଡ ସାହେବ ଗଞ୍ଜାମ ଅଭିମୁଖେ ଯାଆନ୍ତେ ଜଣାଗଲା ଯେ, ପାରଳାଖେମୁଣ୍ଡି ରାଜା ଜଗନ୍ନାଥ ନାରାୟଣ ଦେବ ସମଗ୍ର ଇଲାକାକୁ ନିଜ ଦଖଲରେ ରଖି ଇଂରେଜ ଅଧିକାରକୁ ଅସ୍ୱୀକାର ପୂର୍ବକ ବଙ୍ଗଳାଠାରୁ ମାନ୍ଦ୍ରାଜକୁ ଥିବା ସମସ୍ତ ଗମନାଗମନ ପଥକୁ ସଂମ୍ପୂର୍ଣ୍ଣ ରୂପେ ଅବରୋଧ କରିଦେଇ ସେଠାରେ ଜଗି ରହିଛନ୍ତି । ତେଣୁ, ସେ ଆଉ ଆଗକୁ ବଢ଼ି ନପାରି ମାନ୍ଦ୍ରାଜ ଫେରିଗଲେ ।.... ଗଞ୍ଜାମ ମାନୁଆଲ ଅନୁଯାୟୀ ଇଂରେଜମାନେ ପାରଳାଖେମୁଣ୍ଡିରେ ୧୭୬୭ରେ ପ୍ରଥମ ପ୍ରତିରୋଧର ସମ୍ମୁଖୀନ ହୋଇ ଗଞ୍ଜାମ ଅଭିମୁଖେ ଅଗ୍ରସର ନହୋଇ ମାନ୍ଦ୍ରାଜ ଫେରିଯାଇଥିଲେ । ତେଣୁ, ଏହା ହିଁ ଥିଲା ଇଂରେଜମାନଙ୍କୁ ପ୍ରଥମ ପ୍ରତିରୋଧ ।
 
ପାରଳାଖେମୁଣ୍ଡି ଅବିଭକ୍ତ ଗଞ୍ଜାମ ଜିଲ୍ଲାର ପ୍ରମୁଖ ଅଂଶ ରହିଆସିଥିଲା । ସେଠାକାର ଆନ୍ଦୋଳନ ବ୍ରହ୍ମପୁରକୁ ପ୍ରଭାବିତ କରିବା ସ୍ୱାଭାବିକ । ପାରଳାଖେମୁଣ୍ଡିରେ ୧୭୬୩ରୁ ସଶସ୍ତ୍ର ସଂଗ୍ରାମ ଆରମ୍ଭ ହେବା ସମୟରେ ପୂର୍ବ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବ୍ରହ୍ମପୁରରେ ମଧ୍ୟ ମହୁରି ରାଜପରିବାର ଓ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ବିରୋଧ ଜାରି ରହିଥିବା ଇତିହାସ ପୃଷ୍ଠାରେ ଲିପିବଦ୍ଧ । ମୋଟାମୋଟି ଭାବେ କହିବାକୁ ଗଲେ ବ୍ରିଟିଶ ଶାସକ ବ୍ରହ୍ମପୁର ସହରରେ ପ୍ରବେଶ କରିବା ସମୟରୁ ଆରମ୍ଭ ହୋଇଥିବା ପ୍ରତିରୋଧ ୧୯୪୭ରେ ଭାରତ ସ୍ୱାଧୀନତା ଲାଭ ଯାଏଁ ପରିବ୍ୟାପ୍ତ ରହିଥିଲା ।
 
ବ୍ରହ୍ମପୁର ବ୍ରିଟିଶ ଶାସନାଧୀନ ହେବା ସମୟରେ ନାରାୟଣ ଦେବ ମହୁରି ରାଜା ଭାବେ ଅଭିଷିକ୍ତ ଥିଲେ । ସେ ୧୭୭୦ରେ ମୃତ୍ୟୁ ବରଣ କଲେ । ସେତେବେଳକୁ ରାଜକୁମାର ହରିହର ନରେନ୍ଦ୍ର ଦେବଙ୍କ ବୟସ ମାତ୍ର ବାର ବର୍ଷ । ବିବାଦମାନ ପରିବେଶରେ ସେ ରାଜସିଂହାସନ ଆରୋହଣ କରି ୧୭୮୨ରେ ହତ୍ୟାର ଶୀକାର ହୋଇଥିଲେ । ଏହି ସମୟରେ ଦୁର୍ଭିକ୍ଷ ହେତୁ ମହୁରିର ଆର୍ଥିକ ସ୍ଥିତି ଦୁର୍ଦ୍ଦିନ ଦେଇ ଗତି କରୁଥିବା କୁହାଯାଏ । ତେବେ ହରିହର ନରେନ୍ଦ୍ର ଦେବଙ୍କ ରାଜତ୍ୱ ସମୟରେ ହିଁ ଦାକ୍ଷିଣାତ୍ୟରୁ ପାଟବସ୍ତ୍ର ବୁଣାକାର ଦେବାଙ୍ଗ ସଂପ୍ରଦାୟ ବ୍ରହ୍ମପୁରରେ ସ୍ଥାୟୀଭାବେ ବସବାସ କରିବା ନିମନ୍ତେ ପହଞ୍ଚିଥିବା ଏବଂ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଥିବା କିମ୍ୱଦନ୍ତୀରୁ ଜଣାଯାଏ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୩ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Friday, August 5, 2022

Women Leaders in Independence Movement / ସ୍ୱାଧୀନତା ସଂଗ୍ରାମରେ ନାରୀନେତ୍ରୀ

 

#ବ୍ରହ୍ମପୁର ରାଜନୀତିକ ଇତିହାସରେ ନାରୀନେତ୍ରୀମାନଙ୍କ ଯୋଗଦାନ ମହୁରି ରାଜପରିବାରକୁ ସୂଚ଼ିତ କରିଥାଏ । ମହୁରି ରାଜ୍ୟ ୧୭୭୬ରେ ବ୍ରିଟିଶ ଶାସନାଧୀନ ହେବାପରେ ୧୭୮୨ରେ ରାଜା ହରିହର ନରେନ୍ଦ୍ର ଦେବ ହତ୍ୟାର ଶୀକାର ହୋଇଥିଲେ । ସେ ନିଃସନ୍ତାନ ଥିବା ହେତୁ ଶାସନଜନିତ ଗଣ୍ଡଗୋଳିଆ ପରିସ୍ଥିତିରେ ୧୭୮୮ରେ ବ୍ରିଟିଶ ପ୍ରଶାସନ ପକ୍ଷରୁ ବିଧବା ରାଣୀ କୃଷ୍ଣପ୍ରିୟା ଦେବୀଙ୍କୁ ରାଜ୍ୟ ପରିଚାଳନା ଭାର ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଇତିହାସ ପ୍ରଫେସର ବୀଣା କୁମାରୀ ଶର୍ମା କୃଷ୍ଣପ୍ରିୟା ଦେବୀଙ୍କୁ ସହରର ପ୍ରଥମ ନାରୀ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଦେଇଥାନ୍ତି । ତାଙ୍କରି ଭାଷାରେ, ଊନବିଂଶ ଶତାଦ୍ଦୀ ପ୍ରାରମ୍ଭରେ ବ୍ରହ୍ମପୁରରେ ମହୁରି ରାଣୀଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ସ୍ୱାଧୀନତା ଆନ୍ଦୋଳନ ବ୍ରହ୍ମପୁର ମହିଳାମାନଙ୍କୁ ପ୍ରେରଣା ଦେଇଥିଲା । ସେମାନେ ବାପୁଜୀଙ୍କ ଆହ୍ୱାନକ୍ରମେ ଜାତୀୟ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ଅନେକ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ମଧ୍ୟ ନେଇଥିଲେ ।
 
ମହାତ୍ମାଗାନ୍ଧୀ ୧୯୨୧ରେ ପ୍ରଥମଥର ସ୍ୱାଧୀନତା ସଂଗ୍ରାମ ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ବ୍ରହ୍ମପୁରରେ ପହଞ୍ଚିଥିଲେ । ସେହି ସମୟରୁ ସ୍ୱାଧୀନତା ସଂଗ୍ରାମ କାର୍ଯ୍ୟକ୍ରମଗୁଡ଼ିକରେ ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ନାରୀ ନେତ୍ରୀମାନେ ଯୋଗ ଦେବା ଆରମ୍ଭ କରିଥିଲେ । ବ୍ରହ୍ମପୁରର ସ୍ୱରାଜ ଆଶ୍ରମଠାରେ ଉତ୍କଳ ମହିଳା ସମ୍ମିଳନୀ୧୯୨୪ରେ ଅନୁଷ୍ଠିତ ହୋଇଥିଲା । ଏହା ସହରରେ ନାରୀଜାଗରଣର ଅନ୍ୟତମ ମାଇଲଖୁଣ୍ଟ ବିବେଚ଼ିତ । ନାରୀନେତ୍ରୀ କୁନ୍ତଳା କୁମାରୀ ସାବତ ୧୯୨୬ରେ ବ୍ରହ୍ମପୁରରେ ସଂସ୍କାର ଓ ସେବାସଂଘ ଦ୍ୱାରା ଆୟୋଜିତ ଏକ ସଭାରେ ଯୋଗ ଦେଇ ସହରର ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ । କୁନ୍ତଳାକୁମାରୀଙ୍କ ଏହି ବ୍ରହ୍ମପୁର ଗସ୍ତ ଓ ଭାଷଣ ପ୍ରଭାବ ବ୍ରହ୍ମପୁର ମହିଳାମାନଙ୍କ ଉପରେ ଯଥେଷ୍ଟ ପଡ଼ିଥିଲା ଏବଂ ସେମାନଙ୍କ ମଧ୍ୟରେ ଏକ ନୂତନ ଜାଗରଣ ଦେଖାଦେଇଥିଲା ।
 
ପରବର୍ତ୍ତୀ ପର୍ଯ୍ୟାୟରେ ୧୯୩୦ ମସିହାରେ ଆୟୋଜିତ ଲବଣ ସତ୍ୟାଗ୍ରହରେ ସ୍ଥାନୀୟ ମହିଳାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କିଶୋରମଣି ଦେବୀ ଓ କୁନ୍ଦଲତା ଦେବୀଙ୍କ ଉଦ୍ୟମରେ ସତ୍ୟାଗ୍ରହୀ ଶିବିର ଉଦ୍ୟୋଗ ମନ୍ଦିର ପରିଚାଳନା ଏକ ଉଲ୍ଲେଖଯୋଗ୍ୟ ଘଟଣା । କିଶୋରମଣି ଦେବୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାଶୁ ତଥା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ମାତା । ଗାନ୍ଧିଜୀଙ୍କ ପ୍ରେରଣାରେ କୁନ୍ଦଲତା ଦେବୀ ଏତେଦୂର ଅନୁପ୍ରାଣିତ ହୋଇଥିଲେ ଯେ ଉତ୍କଳର ନାରୀନେତ୍ରୀ ସରଳା ଦେବୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଗୋବରା ସଭାରେ ନିଜର ସମସ୍ତ ଅଳଙ୍କାର ସତ୍ୟାଗ୍ରହୀ ପାଣ୍ଠିକୁ ଦାନ କରିଦେଇଥିଲେ । ଓଡ଼ିଶା କଂଗ୍ରେସ ଅଧିବେଶନ ବେଳେ ମହିଳା ସ୍ୱେଚ୍ଛାସେବିକା ବାହିନୀରେ ଯୋଗଦେଇ ସେବାଦଳ ପ୍ରଶିକ୍ଷଣ ଲାଭ କରିବାରେ ସେ ହେଉଛନ୍ତି ବ୍ରହ୍ମପୁର ଅନ୍ୟତମ ମହିଳା ।
 
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ରେ ଗଠିତ ହେବାପରେ ଭି. ଲକ୍ଷ୍ମୀବାଈ ୧୯୩୬ରେ ଓଡ଼ିଶା ବିଧାନସଭାକୁ ବ୍ରହ୍ମପୁରରୁ ପ୍ରତିନିଧି ଭାବେ ମହିଳା ସଂରକ୍ଷିତ ଆସନରୁ ନିର୍ବାଚ଼ିତ ହୋଇଥିଲେ । ପରେ ୧୯୪୬ ନିର୍ବାଚ଼ନରେ ମଧ୍ୟ ସେ ନିଜ ଆସନ ବଳବତ୍ତର ରଖି ଉପ-ବାଚ଼ସ୍ପତି ପଦବୀରେ ଅଧିଷ୍ଠିତ ହୋଇଥିଲେ । କଂଗ୍ରେସର ଭାରତ ଛାଡ଼ ଆହ୍ୱାନରେ କର ବା ମର ମନ୍ତ୍ରରେ ବ୍ରହ୍ମପୁରରେ ଅନେକ ମହିଳା ଭି. ଲକ୍ଷ୍ମୀବାଈଙ୍କ ନେତୃତ୍ୱରେ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ ।
 
ପ୍ରଫେସର ଶର୍ମା ଲେଖିଥିଲେ, ବ୍ରହ୍ମପୁର ଅଞ୍ଚଳର ସ୍ୱାଧୀନତା ସଂଗ୍ରାମର ଇତିହାସରେ ତେଲୁଗୁ ମହିଳାମାନଙ୍କ ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ସେତେବେଳେ ବ୍ରହ୍ମପୁର ସହରରେ ତେଲୁଗୁଭାଷୀମାନେ ବହୁଳଭାବେ ବାସ କରୁଥିଲେ ଏବଂ କଂଗ୍ରେସ କର୍ମ୍ମୀ ତଥା ନେତାମାନଙ୍କ ମଧ୍ୟରେ ଅନେକ ତେଲୁଗୁ ଥିଲେ । ଏହି ତେଲୁଗୁ ସଂଗ୍ରାମୀମାନେ ମଧ୍ୟ ନିଜ ପତ୍ନୀମାନଙ୍କୁ ସଚ଼େତନ କରାଇ ଦେଶମାତୃକା  ସେବାରେ ଯୋଗଦେବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ ।
 
ସ୍ୱାଧୀନତା ଆନ୍ଦୋଳନ ତୀବ୍ର ଆକାର ଧାରଣ କରିଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ଦେଖା ଦେଇଥିଲା । ବ୍ରିଟିଶ ସେନା ବାହିନୀରେ ବହୁ ସଂଖ୍ୟକ ଭାରତୀୟ ଅନ୍ତର୍ଭୁକ୍ତ ଥିବା ହେତୁ ଏହି ଆହତ ସୈନ୍ୟମାନଙ୍କୁ ରଣକ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ବ୍ରହ୍ମପୁରର ମହିଳାମାନେ ତତ୍ପରତା ପ୍ରକାଶ କରି ରେଡ଼କ୍ରସ ମାଧ୍ୟମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ । ସେତେବେଳେ ବ୍ରହ୍ମପୁରର କୃଷ୍ଣପ୍ରିୟା ରଥ ସାହସର ସହ ମଣିପୁର ଇମ୍ପାଲ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସେ ତିନିମାସ ରହି ରେଡ଼କ୍ରସର ଅନ୍ୟାନ୍ୟ ସ୍ୱେଚ୍ଛାସେବୀଙ୍କ ସହ ମଣିପୁର ଜଙ୍ଗଲରେ ବୁଲି ବୁଲି କ୍ଷତବିକ୍ଷତ ସୈନ୍ୟଙ୍କୁ ରେଡ଼କ୍ରସ ଶିବିରକୁ ଆଣି ସେମାନଙ୍କ ସେବା କରିଥିଲେ ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୬ ଅଗଷ୍ଟ ୨୦୨୨/ ପୃଷ୍ଠା : ୨)

Photo by Miltiadis Fragkidis on Unsplash