Friday, October 29, 2021

Sub-Urban Areas / ସହରତଳି ଅଞ୍ଚଳ

 


#ବ୍ରହ୍ମପୁର ସହରତଳି ଅଞ୍ଚଳ ମଧ୍ୟରେ ୧୮ଗୋଟି ଗ୍ରାମପଞ୍ଚାୟତ ଚର୍ଚ୍ଚାର ପରିସରକୁ ଆସିଥାଏ । ବ୍ରହ୍ମପୁରର ପରିସୀମା ବଢ଼ିଚାଲିଥିବା ଅବସରରେ ସଂଲଗ୍ନ ଗ୍ରାମାଞ୍ଚଳରେ ଜନସାଧାରଣ ଘରଦ୍ୱାର ନିର୍ମାଣ କରି ବସବାସ ଆରମ୍ଭ କରିଆସିଛନ୍ତି । ତେବେ ପ୍ରଶାସନିକ ଦୃଷ୍ଟିରୁ ସେହି ଅଞ୍ଚଳଗୁଡ଼ିକ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ରହିଥିବା ହେତୁ ସହରତଳି ଅଞ୍ଚଳବାସୀ ବ୍ରହ୍ମପୁର ପୌରପାଳିକାର ସେବା ପାଇପାରିନଥାନ୍ତି । ସହରତଳି ଅଞ୍ଚଳଗୁଡ଼ିକୁ ପୌରପାଳିକା ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ ଉତ୍ ଥାପନ ଏବଂ ସମୟାନ୍ତେ କିଛି ଅଞ୍ଚଳକୁ ପୌରପାଳିକା ପରିସରଭୁକ୍ତ କରାଯିବା ଏକ କ୍ରମାଗତ ପ୍ରକ୍ରିୟା ।
 
ବ୍ରହ୍ମପୁର ମହାନଗର ନିଗମ ୨୦୦୮ରେ ଗଠିତ ହେବା ସମୟରେ ସହରର ଜନସଂଖ୍ୟା ନିର୍ଦ୍ଧାରିତ ସୀମାରେ ପହୁଞ୍ଚାଇବା ନିମନ୍ତେ ସହରତଳି ଅଞ୍ଚଳର ୧୮ଗୋଟି ଗ୍ରାମପଞ୍ଚାୟତକୁ ପୌରପାଳିକା ଅଧୀନକୁ ଅଣାଯିବା ପ୍ରସ୍ତାବ ରହିଥିଲା । ଏତଦ୍ୱାରା ସହରତଳି ଅଞ୍ଚଳରେ ଅବାଧରେ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ, ଆଲୋକ ଓ ନର୍ଦ୍ଦମା ବ୍ୟବସ୍ଥା ତଥା ଜନ ସ୍ୱାସ୍ଥ୍ୟସେବା ଇତ୍ୟାଦି ଉପଲବ୍ଧ ହୋଇପାରିବତେବେ ଦୀର୍ଘ ୧୪ ବର୍ଷ ଧରି ତାହା ସଂଭବ ହୋଇନାହିଁପ୍ରଶାସନିକସ୍ତରରେ ଏଥିଲାଗି ଉଦ୍ୟମ ଅବ୍ୟାହତ ରହିଥିବା କୁହାଯାଉଛି ।
 
ସାଧାରଣତଃ ପୌର ନିର୍ବାଚ଼ନକାଳରେ ସହରର ୱାର୍ଡଗୁଡ଼ିକର ସୀମା ପୁନଃନିର୍ଦ୍ଧାରିତ ହୋଇଥାଏ । ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୦୧ ଜନଗଣନା ଆଧାରରେ ୨୦୦୩ରେ ଅନୁଷ୍ଠିତ ବ୍ରହ୍ମପୁର ପୌର ନିର୍ବାଚନରେ ୨୭ ଗୋଟି ୱାର୍ଡକୁ ପରିସରଭୁକ୍ତ କରାଯାଇଥିଲା । ୨୦୦୮ ନିର୍ବାଚନରେ ୱାର୍ଡ ସଂଖ୍ୟା ୩୭ ଓ ୨୦୧୩ରେ ୪୦ରେ ପହଞ୍ଚିଥିଲା । ପରବର୍ତ୍ତୀ ନିର୍ବାଚନ ୨୦୧୮ରେ ଅନୁଷ୍ଠିତ ହୋଇପାରି ନଥିଲା ଏବଂ ୨୦୨୨ରେ ଆୟୋଜନ ନିମନ୍ତେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି ।
 
ଅସମର୍ଥିତ ସୂତ୍ର ଆକଳନ ଅନୁଯାୟୀ ବ୍ରହ୍ମପୁର ସହରର ଜନସଂଖ୍ୟା ପାଞ୍ଚ ଲକ୍ଷରେ ପହଞ୍ଚିଛି । ସହରତଳି ଅଞ୍ଚଳରେ ଅଧିକା ପ୍ରାୟ ଅଢ଼େଇ ଲକ୍ଷ ଜନସାଧାରଣ ବସବାସ କରୁଥିବା ହିସାବ କରାଯାଏ । ସହରଗୁଡ଼ିକର ପରିସୀମା ସର୍ବଦା କ୍ରମବର୍ଦ୍ଧିଷ୍ଣୁ । ବ୍ରହ୍ମପୁର ପୌରପାଳିକା ୧୮୬୭ରେ ଗଠିତ ହେବା ବେଳକୁ ସହରାଞ୍ଚଳ କେବଳ ବଡ଼ବଜାର, ସାନବଜାର ଓ ପୁରୁଣା ବ୍ରହ୍ମପୁର ମଧ୍ୟରେ ସୀମିତ ଥିବା ଜଣାଯାଏ । ଏପରିକି ଭାପୁର ବଜାର ଏକ ଆଦର୍ଶ ବଜାରରୂପେ ପୌରପାଳିକା ଗଠିତ ହେବାପରେ ଆରମ୍ଭ ହୋଇଥିଲା
 
ସହରତଳି ଅଞ୍ଚଳରେ ବିଭିନ୍ନ ଶ୍ରେଣୀର ପରିବାର ବସବାସ କରିଥାନ୍ତି । ପ୍ରଥମତଃ, ଯେଉଁ ପରିବାରଗୁଡ଼ିକ ଗ୍ରାମାଞ୍ଚଳରୁ ସହରାଞ୍ଚଳରେ ସ୍ଥାୟୀ ଭାବେ ବସବାସ କରିବା ପାଇଁ ପହଞ୍ଚିଥାନ୍ତି, ସେମାନେ ସହରତଳି ଅଞ୍ଚଳରେ ହିଁ ଥଇଥାନ ହୋଇଥାନ୍ତି । ଦ୍ୱିତୀୟତଃ, ଭଡ଼ାଟିଆମାନଙ୍କୁ ସହରତଳି ଅଞ୍ଚଳରେ ସୁବିଧା ଓ ଶସ୍ତାରେ ବାସଗୃହ ମିଳିଯାଏ । ତୃତୀୟତଃ, ସହର ମଧ୍ୟଭାଗରେ ବସବାସ କରୁଥିବା ପରିବାରରେ ସଦସ୍ୟ ସଂଖ୍ୟା ବଢ଼ିଲେ କିମ୍ୱା ଆର୍ଥିକ ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ସହରତଳି ଅଞ୍ଚଳକୁ ସ୍ଥାନାନ୍ତରିତ ହେବା ନିମନ୍ତେ ବାଧ୍ୟ ହୋଇଥାନ୍ତି ।
 
ସହରାଞ୍ଚଳ ଓ ସହରତଳି ଅଞ୍ଚଳରେ ବସବାସ କରୁଥିବା ପରିବାରବର୍ଗଙ୍କ ଦୈନନ୍ଦିନ ଜୀବନଚ଼ର୍ଯ୍ୟା ବହୁ ଦିଗରୁ ଭିନ୍ନ । ସହରାଞ୍ଚଳରେ ସଂକୁଚିତ ପରିବେଶରେ ଜୀବନଯାତ୍ରା ସହରତଳି ଅଞ୍ଚଳରେ ପ୍ରଶସ୍ତ ପରିବେଶ ଉପଲବ୍ଧ । ଅବଶ୍ୟ ବିଭିନ୍ନ ସହରାଞ୍ଚଳ ସେବା ଯଥା ବଜାରହାଟ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ମନୋରଞ୍ଜନ ଇତ୍ୟାଦି ନିମନ୍ତେ ଦୂରଦୂରାନ୍ତ ଅଞ୍ଚଳକୁ ଯିବାକୁ ପଡ଼ିଥାଏ । ଏଥିଲାଗି ଯାନବାହାନ ବ୍ୟବହାର ସହରତଳି ଅଞ୍ଚଳରେ ଅଧିକ । ସହରାଞ୍ଚଳ ତୁଳନାରେ ନୂଆକରି ଗଢ଼ି ଉଠୁଥିବା ସହରତଳି ଅଞ୍ଚଳର ବାସିନ୍ଦାମାନଙ୍କ ଗୋଷ୍ଠୀଗତ ଜୀବନ ସୁଦୃଢ଼ । ଚୋରିହାରିରୁ ସୁରକ୍ଷାଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ଓ ପୌରସେବା ପାଇବା ନିମନ୍ତେ ସଂଗ୍ରାମ ନିମନ୍ତେ ସହରତଳି ବାସିନ୍ଦାମାନଙ୍କୁ ଏକଯୁଟ ହେବାକୁ ପଡିଥାଏ ।
 
ମହାମାରୀରେ ସଂଘଠିତ ବିଭିନ୍ନ ସାମାଜିକ ପରିବର୍ତ୍ତନ ସହରତଳି ଅଞ୍ଚଳ ବାସିନ୍ଦାଙ୍କ ପାଇଁ ବହୁ ସମସ୍ୟା ସମାଧାନ କରିବାରେ ସକ୍ଷମ ହୋଇଥିବା ଲକ୍ଷ୍ୟ କରାଯାଏ । ଭିଡ଼ିଓ କଲ ଯୋଗେ ଆଳାପ ଆଲୋଚନା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଅନଲାଇନରେ କିଣାବିକା, ଏପରିକି ସହରାଞ୍ଚଳର ହୋଟେଲ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର ଯାଏଁ ପୂର୍ବରୁ ଦୂର୍ଲଭ ବହୁ ସୁବିଧା ସୁଯୋଗ ଉପଭୋଗର ସୁବିଧା ମିଳିପାରୁଛି ବୋଲି କହିବାକୁ ହେବ । ଏହିଭଳି ଉଦାହରଣରୁ ସହର ଓ ସହରତଳି ଅଞ୍ଚଳ ମଧ୍ୟରେ ଭୌଗଳିକ ତାରତମ୍ୟ କ୍ରମେ ଲୋପ ପାଇ ଆସୁଥିବା ବୋଧ ହୋଇଥାଏ ।

(‘ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ /  ୩୦ ଅକ୍ଟୋବର ୨୦୨୧ / ପୃଷ୍ଠା : ୮)

Photo by Anu Balla on Unsplash



Friday, October 22, 2021

Ancient Poet Rama Dash / ଆଦିକବି ରାମ ଦାଶ

 


#ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ରାସ୍ତାରେ ଅବସ୍ଥିତ ଡୁରା ଗ୍ରାମବାସୀ ଭକ୍ତକବି ରାମ ଦାଶ ଅଷ୍ଟାଦଶ ଶତାଦ୍ଦୀରେ ସାହିତ୍ୟ ସାଧନା ନିମନ୍ତେ ସହରର ଆଦିକବି ମାନ୍ୟତା ହକଦାର । ସେ ନିଜ ଗ୍ରାମରେ ଏକ ସଂସ୍କୃତ ପାଠଶାଳା ପ୍ରତିଷ୍ଠାକରି ଶିକ୍ଷକତା ଏବଂ ସ୍ଥାନୀୟ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସାହିତ୍ୟ ଚର୍ଚ୍ଚା କରୁଥିଲେ । ତାଙ୍କରି ମୁଦ୍ରିତ ରଚନାବଳୀ ମଧ୍ୟରେ ଦାର୍ଢ଼୍ୟତାଭକ୍ତି ରସାମୃତ, ଶ୍ରୀ ଶିବରାତ୍ରୀ ମହାତ୍ମ୍ୟ, ଶ୍ରୀ ଜନ୍ମାଷ୍ଟମୀ ମହାତ୍ମ୍ୟ, ଶ୍ରୀ ସୋମନାଥ ବ୍ରତବିଧି ଓ ଗୁଣ୍ଡିଚା ବସନ୍ତ ଇତ୍ୟାଦି ପ୍ରଧାନ । ସେ ନିଜ ପରିଚୟ ଉଲ୍ଲେଖ କରି ଲେଖିଥିଲେ, ମହୁରି ରାଜ୍ୟେ ଡୁରା ଗ୍ରାମ । ସେ ଗ୍ରାମେ ଅଟେ ମୋବିଶ୍ରାମ । ଶ୍ରୀଗୁରୁ ଗଦାଧର ଦାସ । ସେ ପାଦ ପଦ୍ମେ ମୋର ଆଶ । ପିତା ମୋ ଲଛମନ ଦାସ । ମୁହିଁ ଅଟଇ ତାଙ୍କରି ଶିଷ୍ୟ । ରାମ ଦାଶଙ୍କ ପିତା ଲଛମନ ଦାଶ ସାହିତ୍ୟ ଅନୁରାଗୀ ଥିବା ଏବଂ ତାଳପତ୍ର ପୋଥି ନିଜ ହସ୍ତାକ୍ଷରରେ ନକଲ କରୁଥିବା ଜଣାଯାଏ । ରାମ ଦାଶ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୁରାଣ ସାହିତ୍ୟ ରଚନା ବ୍ରତୀ ହୋଇଥିବା ବିଶ୍ୱାସ କରାଯାଏ ।
 
ରାମ ଦାଶଙ୍କ ଦାର୍ଢ଼୍ୟତାଭକ୍ତି ରସାମୃତ ସର୍ବାପେକ୍ଷା ଲୋକପ୍ରିୟ ରଚନା । ଏହା ଦୁଇଭାଗରେ ବିଭକ୍ତ । ପ୍ରଥମ ଭାଗରେ ପଚ଼ିଶ ଜଣ ଓ ଦ୍ୱିତୀୟ ଭାଗରେ ପବିଶ ଜଣ ଭକ୍ତଙ୍କ ଜୀବନ ଚରିତ୍ର ବର୍ଣ୍ଣନା କରାଯାଇଛି । ପ୍ରଥମ ଭାଗରେ ରାଜା ବଳି, ରାଜା ହରିଶ୍ଚନ୍ଦ୍ର, ରାଜା କର୍ଣ୍ଣ, ବନ୍ଧୁ ମହାନ୍ତି, ଜଗନ୍ନାଥ ଦାସ ଓ ବଳରାମ ଦାସ ପ୍ରମୁଖ ସ୍ଥାନ ପାଇଥିବା ସ୍ଥଳେ ଦ୍ୱିତୀୟ ଭାଗରେ ଭକ୍ତ ସାଲବେଗ, ଦାସିଆ ବାଉରୀ, ମୋଚ଼ିରାମ ଦାସ ଓ ମୀରା ବାଇ ପ୍ରମୁଖ ସ୍ଥାନିତ । କବି ସୂଚାଇଛନ୍ତି, ପ୍ରଥମ ପ୍ରବନ୍ଧ ପଚ଼ିଶ, ଅଧ୍ୟାୟରେ ହୋଇଥିଲା ଶେଷ । ତହୁଁ ବତିଶ ସମ୍ୱତ୍ସର, ଉତ୍ତାରୁ ସାଧୁମାନଙ୍କର, କୃପାରୁ ପୁଣି ପଞ୍ଚବିଂଶ, ଅଧ୍ୟାୟ ଦାର୍ଢ଼୍ୟ ଭକ୍ତିରସଶ୍ରୀ ଦିବ୍ୟ ସିଂହ ଦେବଙ୍କର, ସମ୍ପୂର୍ଣ୍ଣ ତେଇଶି ଅଙ୍କର, ଆଷାଢ଼ ଶୁକ୍ଳ ହରିଦାସେ । ଶ୍ରୀ ମୁକ୍ତେଶ୍ୱର ପାଶେ ।ଦୁଇ ପ୍ରବନ୍ଧ ମିଶିବାରେ । ସମ୍ପୁର୍ଣ୍ଣ ପଞ୍ଚାଶ ଅଧ୍ୟାୟ ।
 
ଆଲୋଚ଼କମାନଙ୍କ ମତରେ ଦୃଢ଼ତାରୁ ଦାର୍ଢ଼୍ୟ ନାମକରଣ କରାଯାଇଥିଲା । ଦୃଢ ବିଶ୍ୱାସ, ନିଷ୍କାମ ଭକ୍ତି, ଅକୁଣ୍ଠିତ ଦାନ ଓ ସାଧୁ ଅତିଥି ସେବା ଦ୍ୱାରା ଭଗବତ ପ୍ରାପ୍ତି ହୋଇଥାଏ ବୋଲି କବିଙ୍କ ଉପଲବ୍ଧିପ୍ରଥମ ଭାଗ ୧୭୭୦ ଅକ୍ଟୋବର ଏବଂ ଦ୍ୱିତୀୟ ଭାଗ ୧୭୯୮ ଜୁଲାଇ ମାସରେ ଲେଖା ଶେଷ ହୋଇଥିବା ନିର୍ଦ୍ଧାରଣ କରାଯାଇଥାଏ ।

ଦାର୍ଢ଼୍ୟତାଭକ୍ତି ରସାମୃତ ବ୍ୟତୀତ ଶ୍ରୀ ଶିବରାତ୍ରୀ ମହାତ୍ମ୍ୟ ୧୭୭୭ରେ ରଚ଼ିତ ହୋଇଥିବା ଜଣାଯାଏ । ବାୟୁ ପୁରାଣ ଆଧାରରେ ନବାକ୍ଷରୀ ବୃତ୍ତରେ ଦ୍ୱାଦଶ ଅଧ୍ୟାୟ ବିଶିଷ୍ଟ ଗ୍ରନ୍ଥଟି ମଧ୍ୟ ଲୋକାଦୃତ । ସେହିପରି ତ୍ରୟୋଦଶ ଅଧ୍ୟାୟ ବିଶିଷ୍ଟ ଶ୍ରୀ ଜନ୍ମାଷ୍ଟମୀ ମହାତ୍ମ୍ୟ ଓ କ୍ଷୁଦ୍ରକାୟ ଶ୍ରୀ ସୋମନାଥ ବ୍ରତ ବିଧି । ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରାର ବିବରଣୀ ଶ୍ରୀ ଗୁଣ୍ଡିଚା ବସନ୍ତ ପଦ୍ୟ ଆକାରରେ ବର୍ଣ୍ଣନା କରାଯାଇଛି ।
 
ରାମ ଦାଶଙ୍କ ସାଧନା ପୀଠ ଡୁରା ଗ୍ରାମର ଶ୍ରୀମୁକ୍ତେଶ୍ୱର ମନ୍ଦିର ବ୍ରହ୍ମପୁର ସହରର ପରମ୍ପରା ପ୍ରେମୀଙ୍କୁ ଆକର୍ଷିତ କରେ । ପ୍ରାବନ୍ଧିକ ଦାର୍ଢ଼୍ୟତାଭକ୍ତି ରସାମୃତର ଦ୍ୱିତୀୟ ଭାଗ ଆଷାଢ ମାସ ବଡ଼ ଏକାଦଶୀ ଦିନ ସମାପ୍ତ କରିଥିବା ହେତୁ ଏହି ଦିବସରେ ରାମ ଦାଶଙ୍କ ସ୍ମୃତି ଚାରଣ କରାଯାଏ ।
 
ଅଷ୍ଟାଦଶ ଶତାଦ୍ଦୀ ମଧ୍ୟଭାଗରେ ଭକ୍ତକବି ରାମ ଦାଶଙ୍କ ସାହିତ୍ୟ ରଚନା ବେଳକୁ ଅଧୂନା ବଡ଼ବଜାରଠାରେ ମହୁରି ରାଜବାଟୀକୁ କେନ୍ଦ୍ର କରି ନବଗଠିତ ବ୍ରହ୍ମପୁର ଶହେ ବର୍ଷ ପୂରଣ କରିସାରିଥାଏ । ଏହି ସମୟରେ ମହୁରି ରାଜ୍ୟ ଇଂଲିଶ ଶାସନାଧୀନ ହୋଇଥିଲା । ବ୍ରହ୍ମପୁର ସହ ସତ୍ୟନାରାୟଣପୁର, ଭାପୁର, ଗୋଲାପଲ୍ଲୀ, ଗୋଇଲୁଣ୍ଡି, କମାପଲ୍ଲୀ, ବୈଦ୍ୟନାଥପୁର, ଲାଞ୍ଜିପଲ୍ଲୀ, ଖୋଡ଼ାସିଙ୍ଗି, ଗୋଷାଣୀ ନୂଆଗାଁ, ହଳଦିଆ ପଦର ଇତ୍ୟାଦି ଅଲଗା ଅଲଗା ଗ୍ରାମ ରୂପେ ଗଢ଼ି ଉଠିଥାଏ । ସାମାନ୍ୟ ଦୂରରେ ଡୁରା, ଲୋଚାପଡ଼ା, ନିମଖଣ୍ଡି, ଜଗଦଳପୁର, ରତ୍ନପୁର, ଲାଠୀ, ବାଇଗଣ ବାଡ଼ି ଇତ୍ୟାଦି ଗ୍ରାମ ରହିଥିଲା । କ୍ରମଶଃ ଗ୍ରାମାଞ୍ଚଳଗୁଡ଼ିକ ବ୍ରହ୍ମପୁରର ଅଂଶବିଶେଷ ଭାବେ ଚ଼ିହ୍ନିତ ହେବାରେ ଲାଗିଲା । ଏହି ଅଞ୍ଚଳରେ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କ ଅବଦାନ ଚ଼ିହ୍ନଟ କରାଯାଇପାରେ ।
(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ /  ୨୩ ଅକ୍ଟୋବର ୨୦୨୧ / ପୃଷ୍ଠା : ୮)

Photo by Gary Ellis on Unsplash

Friday, October 15, 2021

Between Dasahara and Kumar Purnima / ଦଶହରାରୁ କୁମାର ପୂର୍ଣ୍ଣିମା

 


ପାରମ୍ପରିକଭାବେ ଦଶହରାରୁ କୁମାର ପୂର୍ଣ୍ଣିମା ସପ୍ତାହକ #ବ୍ରହ୍ମପୁର ସହରବାସୀଙ୍କ ପାଇଁ ଅବସର ବେଳ । ସହରଟି ଏକ ବ୍ୟାବସାୟିକ ପେଣ୍ଠଭାବେ ଗଢ଼ି ଉଠିଥିବା ହେତୁ ଏଠାରେ ବ୍ୟବସାୟୀ ପରିବାରଙ୍କ ଆଧିପତ୍ୟ । ଦଶହରାରେ ଛୋଟବଡ଼ ସବୁ ଦୋକାନ ଘର ସଜାଡ଼ିବା, ଚୂନ ଢଉଳା, ଆସବାବପତ୍ର ରଙ୍ଗ ମାରିବା ଇତ୍ୟାଦି ବାର୍ଷିକ କାର୍ଯ୍ୟସୂଚ଼ୀରେ ଅନ୍ତର୍ଭୁକ୍ତ । ମହାଳୟା ଶ୍ରାଦ୍ଧ ପରେ ବିଭିନ୍ନ ମାଙ୍ଗଳିକ ଉତ୍ସବାନୁଷ୍ଠାନଲାଗି କିଣାବିକା ଆରମ୍ଭ ହୋଇଯାଉଥିବା କାରଣରୁ ଦଶହରାକୁ ବାଣିଜ୍ୟିକ ନୂଆବର୍ଷର ମାନ୍ୟତା ମିଳିଥାଏ । ଦଶହରା ପୂର୍ବରୁ ପୋଷାକ ପରିଚ୍ଛେଦ ଇତ୍ୟାଦି ପୁରୁଣା ଷ୍ଟକ ରିହାତି ଦରରେ ବିକ୍ରୀ ସରିଥାଏ । ଦଶହରାରୁ କିସମ କିସମର ନୂଆ ଷ୍ଟକ ଯୋଗେ ଗ୍ରାହକଙ୍କୁ ଆକର୍ଷିତ କରିବା ଉଦ୍ୟମ ଆରମ୍ଭ ହୁଏ ।
 
ଦଶହରା ପୂର୍ବଦିନ ଯାଏଁ ଦୋକାନବଜାର ସରଗରମ ହୋଇ ଉଠୁଥିବା ସ୍ଥଳେ ଦଶହରାରୁ କୁମାର ପୂର୍ଣ୍ଣିମା ସମୟ ସୀମାରେ ହଠାତ କିଣାବିକା ସାମୟିକଭାବେ ମାନ୍ଦା ପଡ଼ିଥାଏ । ବାଣିଜ୍ୟ ବ୍ୟବସାୟ ସହ ସଂପୃକ୍ତଙ୍କୁ ବାଦ ଦେଲେ ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ ରୂପେ ବିଗତ ଶତାଦ୍ଦୀରେ ଗ୍ରାମାଞ୍ଚଳରୁ ସହରରେ ସ୍ଥାୟୀଭାବେ ବସବାସ କରିବା ପାଇଁ ପହଞ୍ଚିଥିବା ପରିବାରବର୍ଗଙ୍କୁ ବୁଝାଏ। ଗଞ୍ଜାମର ଗାଁଗହଳରେ ଖରିଫ ଫସଲଲାଗି ଦଶହରା ସୁଦ୍ଧା ବିଲବାଡ଼ କାମ ପ୍ରାୟ ସରିଆସିଥାଏ । ଚ଼ାଷୀ ମାର୍ଗଶୀରର ଅମଳ ପାଇଁ ଅପେକ୍ଷାରେ ରହେ । ତେଣୁ ଦଶହରା ଆଗ ପଛ କିଛି ଦିନ ଚ଼ାଷୀ ପ୍ରାୟ ଆଳସ୍ୟରେ କଟାଇଥାଏ । ଗ୍ରାମାଞ୍ଚଳରେ ଅନୁଭୂତି ସହରରେ ବସବାସ କରୁଥିବା ପରିବାରବର୍ଗଙ୍କଠାରେ ପ୍ରତିବିମ୍ୱିତ ହୁଏ ।
 
ବ୍ରହ୍ମପୁରର ତୃତୀୟ ବୃହତ୍ତମ ବର୍ଗ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛୁଟୀ ହେତୁ ଦଶହରାରୁ କୁମାର ପୂର୍ଣ୍ଣିମା ଫୁରସତରେ କଟାନ୍ତି । ସହର ବାହାରେ ଅବସ୍ଥାପିତ ଯୁବବର୍ଗ ଦଶହରାରେ ଘରକୁ ଫେରୁଥିବାରୁ ପୁରୁଣାବନ୍ଧୁଙ୍କ ଆସର ଜମେ । ଏକବିଂଶ ଶତାଦ୍ଦୀ ପ୍ରଥମ ଦଶକରୁ ମୋବାଇଲ ଫୋନ ଓ ଦ୍ୱିତୀୟ ଦଶକରୁ ସୋସିଆଲ ମିଡ଼ିଆର ପ୍ରସାର ଘଟିବା ପରଠୁ ଭର୍ଚୁଆଲ ପରିବେଶ ବ୍ୟକ୍ତିଗତସ୍ତରରେ ଦେଖାସାକ୍ଷାତର ଗୁରୁତ୍ୱ କମାଇ ଦେଇଛି । ପୁଣି କୋଭିଡ଼-୧୯ ମହାମାରୀ ଦୂରବସ୍ଥାନକୁ ବାଧ୍ୟବାଧକତାରେ ପରିଣତ କରିଛି । କିନ୍ତୁ ତାପୂର୍ବରୁ ବନ୍ଧୁମିଳନଲାଗି ଦଶହରା, ମକର ସଂକ୍ରାନ୍ତି ଓ ଠାକୁରାଣୀ ଯାତ୍ରା ଭଳି ପର୍ବ-ପାର୍ବଣହିଁ ବ୍ରହ୍ମପୁରରେ ଅନୁକୂଳ ପରିବେଶ ସୃଷ୍ଟି କରିଆସିଥିଲା ।
 
ସ୍ୱାଧୀନୋତ୍ତର ଅବସ୍ଥାରୁ ବିଂଶ ଶତାଦ୍ଦୀର ଶେଷ ଯାଏଁ ସିନେମା ବ୍ରହ୍ମପୁରବାସୀଙ୍କ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଥିଲା । ଷଷ୍ଠ ଓ ସପ୍ତମ ଦଶକରେ ଦଶହରାରୁ କୁମାରପୂର୍ଣ୍ଣିମା ମଧ୍ୟରେ ନୂଆ ଚଳଚ଼ିତ୍ର ତ ଖେଳୁଥିଲା, ତାସାଙ୍ଗକୁ ମର୍ଣ୍ଣିଂ ସୋ, ନୁନ ସୋରେ ଲୋକପ୍ରିୟ ହିନ୍ଦି ଚଳଚ଼ିତ୍ରଗୁଡ଼ିକ ପୁନଃପ୍ରଦର୍ଶିତ ହେବା ପ୍ରଥା ପ୍ରଚଳିତ ଥିଲା । ବେଳେ ବେଳେ ବଙ୍ଗଳା ଚଳଚ଼ିତ୍ର ମଧ୍ୟ ପ୍ରଦର୍ଶିତ ହେଉଥିଲା । ଚଳଚ଼ିତ୍ରପ୍ରେମୀ ଭୁଲି ଆସୁଥିବା ବିଗତ ଦିନର ଚଳଚ଼ିତ୍ର ପୁନଃ ଉପଭୋଗର ସୁଯୋଗ ପାଉଥିଲେ । ତତ୍ ପରବର୍ତ୍ତୀ ପର୍ଯ୍ୟାୟରେ ଟେଲିଭିଜନ, ଭିଡ଼ିଓ ଓ ଓଟିଟି ପ୍ଲାଟଫର୍ମ ବିକଶିତ ହେବା ପରେ ପୁରୁଣା ଚଳଚ଼ିତ୍ର ଦର୍ଶକ ମହଲରେ ଲୋକପ୍ରିୟତା ବଜାୟ ରଖିଛି ।
 
ଦଶହରାରୁ କୁମାର ପୂର୍ଣ୍ଣିମା ବ୍ରହ୍ମପୁର ସହରରେ ତାସ ଖେଳର ଆସର ଜମେ । ଗୋପାଳପୁର ବନ୍ଦର, ବ୍ରହ୍ମପୁର ରେଳଷ୍ଟେସନ ଉପରେ ଦକ୍ଷିଣ ଓଡ଼ିଶାର ଶ୍ରମିକ ଦେଶାନ୍ତର ଯାତ୍ରା ନିମନ୍ତେ ନିର୍ଭରଶୀଳ । ଊନବିଂଶ ଶତାଦ୍ଦୀ ଶେଷଭାଗରୁ ବ୍ରହ୍ମପୁର ଶ୍ରମିକ ଚାଲାଣ କେନ୍ଦ୍ର ରୂପେ ପ୍ରସିଦ୍ଧି ଲାଭ କରିଆସିଥିଲା । ଯାତ୍ରା ପୂର୍ବରୁ ଓ ଯାତ୍ରା ପରେ ବହୁ ସଂଖ୍ୟକ ଆଗନ୍ତୁକ ସହରରେ ପହଞ୍ଚୁଥିବା ତଥା ଏଠାକାର ବଜାର ପଡ଼ୋଶୀ ଅଞ୍ଚଳର ବ୍ୟବସାୟୀ ଓ ଉପଭୋକ୍ତାଙ୍କୁ ଆକର୍ଷିତ କରୁଥିବା ହେତୁ ଏଠାରେ ଦୀର୍ଘ ଅତୀତରୁ ପ୍ରାୟୋଜିତ ଜୁଆ ଅର୍ଗାନାଇଜଡ଼ ଗେମ୍ୱଲିଂର ଇତିହାସ ରହିଆସିଛି । ଯଦିଓ ସ୍ଥାନୀୟ ବାସିନ୍ଦାଙ୍କ ଜୁଆ ଖେଳରେ ଅଂଶଗ୍ରହଣ ନଗଣ୍ୟ, ତେବେ ଅପବାଦ ସହରବାସୀଙ୍କୁ ମୁଣ୍ଡାଇବାକୁ ପଡ଼ିଥାଏ ।
 
ଦଶହରାରୁ କୁମାର ପୂର୍ଣ୍ଣିମା ମଧ୍ୟରେ ଲଘୁଚାପଜନିତ ଭୟ ନରହିଲେ ପାଣିପାଗ ଶାନ୍ତ, ସ୍ନିଗ୍ଧ ଓ ଆମୋଦଦାୟକ । ସାଧାରଣତଃ କୁମାର ପୂର୍ଣ୍ଣିମା ସନ୍ଧ୍ୟାରୁ ସହରରେ ଶୀତର ପ୍ରଥମ ସ୍ପର୍ଶ ମିଳିଥାଏ । ତେବେ ଲଘୁଚାପ କାରଣରୁ ବର୍ଷା ହେଲେ ଶୀତ ଆଗୁଆ ଚାଲିଆସେ ।

(Photo by Ganapathy Kumar on Unsplash)

Friday, October 8, 2021

Railways complete 125 years / ରେଳପଥର ୧୨୫ ବର୍ଷ ପୂର୍ତ୍ତୀ

 


#ବ୍ରହ୍ମପୁର ସହରସହ ରେଳପଥ ସଂଯୋଗର ୧୨୫ ବର୍ଷ ପୂର୍ତ୍ତୀ ୨୦୨୧ରେ ପଡୁଛି । ଇଷ୍ଟକୋଷ୍ଟ ଷ୍ଟେଟ ରେଳୱେ ଆନୁକୂଲ୍ୟରେ ବିଜୟୱାଡାଠାରୁ କଟକ ମଧ୍ୟରେ ୧,୨୮୭ କିଲୋମିଟର ବା ୮୦୦ ମାଇଲ ରେଳପଥ ୧୮୯୩ରୁ ୧୮୯୬ ମଧ୍ୟରେ ସଂପୂର୍ଣ୍ଣ ହୋଇ ରେଳ ଯାତାୟତ ନିମନ୍ତେ ଖୋଲିଥିଲା । ସେହିକ୍ରମରେ ବ୍ରହ୍ମପୁର ରେଳଷ୍ଟେସନ ଦେଇ ୧୮୯୬ରେ ମାଲଗାଡ଼ି ଚଳାଚଳ ଆରମ୍ଭ ହୋଇଥିଲା । ୧୮୯୬ରୁ ୨୦୨୧ ସମୟ ଅବଧି ଏକ ଶତ ପଞ୍ଚବିଂଶ ବର୍ଷ ପୂର୍ତ୍ତୀ ସୂଚ଼ିତ କରିଥାଏ ।
 
ଐତିହାସିକ ଦଲିଲ ଅନୁଯାୟୀ ଊନବିଂଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ଭାରତର ବିଭିନ୍ନ ପ୍ରାନ୍ତରେ ଲଗାତାର ଦୁର୍ଭିକ୍ଷଜନିତ ପରିସ୍ଥିତି ମୁକାବିଲା କରିବା ନିମନ୍ତେ ଦେଶର ଗୋଟିଏ ଅଞ୍ଚଳରୁ ଅନ୍ୟତ୍ର ଖାଦ୍ୟଶସ୍ୟ ପରିବହନ ଉଦ୍ଦେଶ୍ୟରେ ସଡ଼କ, ଜଳ ଓ ରେଳପଥ ବିକାଶ ନିମନ୍ତେ ଇଂଲିଶ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିଲେ । ବ୍ରହ୍ମପୁର ସମେତ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ୧୮୬୬ରେ ଅନାବୃଷ୍ଟି ହେତୁ ସୃଷ୍ଟ ନଅଙ୍କ ଦୁର୍ଭିକ୍ଷରେ ଜନସଂଖ୍ୟାର ଏକ ତୃତୀୟାଂଶଙ୍କ ପ୍ରାଣହାନୀ ଘଟିଥିଲା । ପଡ଼ୋଶୀ ଅଞ୍ଚଳଗୁଡ଼ିକରୁ ଖାଦ୍ୟଶସ୍ୟ ଆମଦାନୀ ହୋଇପାରିଥିଲେ ବହୁ ଜୀବନ ରକ୍ଷା କରାଯାଇପାରିଥାନ୍ତା । କିନ୍ତୁ ଦୁର୍ଭିକ୍ଷର ମୁକାବିଲା କରିବା ନିମନ୍ତେ ଉଦ୍ୟମ ଆରମ୍ଭ ବେଳକୁ ବର୍ଷାଋତୁ ଉପନୀତ ହେବା ଫଳରେ ନଦନଦୀରେ ପୋଲସେତୁ ଓ ରାସ୍ତାଘାଟ ଅଭାବ କାରଣରୁ ଖାଦ୍ୟଶସ୍ୟ ପରିବହନ ସଂଭବପର ହୋଇ ପାରିନଥିଲା । ଇଣ୍ଡିଆନ ଫେମିନ କମିସନ ୧୮୮୧ରେ ଦେଶରେ ଆଠ ହଜାର କିଲୋମିଟର ରେଳପଥ ନିର୍ମାଣ ନିମନ୍ତେ ପରାମର୍ଶ ଦେଇଥିଲେ ।
 
ମାଡ୍ରାସ ସରକାରଙ୍କ ପକ୍ଷରୁ ୧୮୮୯ରେ ବିଜୟୱାଡ଼ାଠାରୁ କଟକ ରେଳପଥ ସଂଯୋଗ ନିମନ୍ତେ ସର୍ଭେ ଆରମ୍ଭ ହୋଇ ୧୮୯୦ରେ ନିର୍ମାଣ ଯୋଜନା ମଞ୍ଜୁରିପ୍ରାପ୍ତ ହୋଇଥିଲା । ସେହିପରି କଟକଠାରୁ କୋଲକତା ରେଳ ସଂଯୋଗ କାମ ମଧ୍ୟ ଚାଲିଲା । ମାତ୍ର ଛଅ ବର୍ଷ ମଧ୍ୟରେ ୧୮୯୬ ଜୁଲାଇ ୨୦ ତାରିଖ ଦିନ ଖୋର୍ଦ୍ଧା ରୋଡ଼ଠାରୁ ଭୁବନେଶ୍ୱର ଯାଏଁ ପ୍ରଥମ ରେଳ ଗଡ଼ିଥିଲା । ତତ୍ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ଦେଇ ମାଲବାହୀ ରେଳ ଚଳାଚଳର ସୂଚନା ମିଳିଥାଏ ।
 
ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର ସଂଲଗ୍ନ ରେଳପଥ ବିକାଶ ଇଷ୍ଟକୋଷ୍ଟ ଷ୍ଟେଟ ରେଳୱେ ଦ୍ୱାରା ହୋଇଥିଲା ୧୮୯୦ରେ ପ୍ରତିଷ୍ଠିତ ଏହି ସଂସ୍ଥା ସ୍ୱଳ୍ପ କାଳ ତିଷ୍ଠି ଥିଲା । ଏହାର ପରିଚାଳନାଧୀନ ଅଞ୍ଚଳ ଦୁଇଭାଗରେ ବିଭକ୍ତ ହୋଇଗଲା । ଦକ୍ଷିଣାଞ୍ଚଳରେ ୱାଲଟିଅର ବା ବିଶାଖପାଟଣାଠାରୁ ବିଜୟୱାଡା ରେଳପଥକୁ ମାଡ୍ରାସ ରେଳୱେ ୧୯୦୧ରେ ଅଧିଗ୍ରହଣ କରିଥିବା ସ୍ଥଳେ ୱାଲଟିଅରରୁ କୋଲକତା ରେଳପଥ ବେଙ୍ଗାଲ ନାଗପୁର ରେଳୱେ ସହ ୧୯୦୨ରେ ମିଶ୍ରଣ ଘଟିଥିଲା । ଅତଏବ ବ୍ରହ୍ମପୁର ବେଙ୍ଗାଲ ନାଗପୁର ରେଳୱେର କର୍ତ୍ତୃତ୍ୱଧୀନ ରହିଲା ।
 
ପୂର୍ବ ଓ ମଧ୍ୟଭାରତରେ ରେଳପଥ ବିକାଶ ନିମନ୍ତେ ବେଙ୍ଗାଲ ନାଗପୁର ରେଳୱେ ୧୮୮୭ରେ ପ୍ରତିଷ୍ଠିତ । ଏହି ସଂସ୍ଥା ୧୯୪୪ରେ ଜାତୀୟକରଣ ହୋଇ ୧୯୫୨ରେ ବନ୍ଦ ହୋଇଯାଇଥିଲା । ଏହାର ପରିଚାଳନାଧୀନ ରେଳପଥ ଇଷ୍ଟର୍ଣ୍ଣ ରେଳୱେସାଉଥ ଇଷ୍ଟର୍ଣ୍ଣ ରେଳୱେରେ ବିଭକ୍ତ ବ୍ରହ୍ମପୁର ୧୯୯୬ରେ ଇଷ୍ଟକୋଷ୍ଟ ରେଳୱେରେ ସାମିଲ ହେବା ପୂର୍ବରୁ ଦୀର୍ଘକାଳ ସାଉଥ ଇଷ୍ଟର୍ଣ୍ଣ ରେଳୱେରେ ଅଧୀନରେ ରହିଆସିଥିଲା
 
ବ୍ରହ୍ମପୁର ଷ୍ଟେସନ ୧୯୦୨ ବେଙ୍ଗାଲ ନାଗପୁର ରେଳୱେ ପରିସରଭୁକ୍ତ ହେବା ତିନିବର୍ଷ ପୂର୍ବରୁ ୧୮୯୯ ଜାନୁୟାରୀ ପହିଲାରେ ସଂପୃକ୍ତ ରେଳପଥ ପକ୍ଷରୁ ଖଡ଼ଗପୁରରୁ କଟକ ରେଳ ଚଳାଚଳ ଆରମ୍ଭ ହୋଇ ସାରିଥିଲା । ତେଣୁ ବ୍ରହ୍ମପୁର ସାମିଲ ହେବା ସଙ୍ଗେ ସଙ୍ଗେ ଯାତ୍ରୀବାହୀ ରେଳ ସେବାର ସୁଯୋଗ ଉପଲବ୍ଧ ହୋଇଥିବା ଅନୁମାନ କରାଯାଇପାରେ । ଏସଂପର୍କରେ ବିଧିବଦ୍ଧ ଗବେଷଣା କରାଗଲେ ପୂର୍ଣ୍ଣ ତଥ୍ୟ ସର୍ବସାଧାରଣରେ ପ୍ରକାଶିତ ହୋଇପାରିବ । ଭୁବନେଶ୍ୱର ରାଜ୍ୟ ଅଭିଲେଖାଗାରରେ ସେହି ସମୟରେ ନିୟମିତ ପ୍ରକାଶ ପାଉଥିବା ସାପ୍ତାହିକ ଉତ୍କଳ ଦୀପିକା ଗଚ୍ଛିତ ରହିଛି । ୧୮୯୬ରୁ ୧୯୦୨ ମଧ୍ୟରେ ପୁରୁଣା ସଂଖ୍ୟାଗୁଡ଼ିକୁ ଦେଖିଲେ ତତ୍ କାଳୀନ ବ୍ରହ୍ମପୁର ସହର ସଂପର୍କରେ ବହୁ କଥା ଲୋକଲୋଚନକୁ ଆସିପାରନ୍ତା
 
ବେଙ୍ଗାଲ ନାଗପୁର ରେଳୱେର ମୁଖ୍ୟକାର୍ଯ୍ୟାଳୟ କୋଲକତାରେ ସ୍ଥାପିତ ହୋଇଥାଏ ଅପରପକ୍ଷେ ବ୍ରହ୍ମପୁର ରେଳପଥ ୱାଲଟିଅର ଡିଭିଜନ ଅଧୀନରେ କାର୍ଯ୍ୟ କରୁଥାଏ । ଫଳତଃ ରେଳ ଯୋଗାଯୋଗ କ୍ଷେତ୍ରରେ ଏଠାରେ ତେଲୁଗୁ ଓ ବଙ୍ଗାଳୀ କର୍ମଚାରୀଙ୍କ ସଂଖ୍ୟା ଅଧିକ ରହିଥାଏ । ବ୍ରହ୍ମପୁର ରେଳଷ୍ଟସନରେ ବହୁ ସଂଖ୍ୟକ ବଙ୍ଗାଳୀ କର୍ମଚାରୀ ନିଯୁକ୍ତ ଥିବା ହେତୁ ବଙ୍ଗର ସାର୍ବଜନୀନ ଦୂର୍ଗାପୂଜା ୧୯୩୪ରୁ ପାଞ୍ଚ ବର୍ଷ ପାଇଁ ଷ୍ଟେସନ ପରିସରର ରେଳୱେ ଇନଷ୍ଟିଟଉଟରେ ପାଳିତ ହୋଇଥିଲା । ବ୍ରହ୍ମପୁରରେ ଏହାହିଁ ସର୍ବପ୍ରଥମ ସାର୍ବଜନୀନ ଦୂର୍ଗାପୂଜା ଏବଂ ବଙ୍ଗଭାଷାଭାଷୀଙ୍କ ଦ୍ୱାରା ପରିଚାଳିତ ଏହି ପୂଜାଉତ୍ସବ ବର୍ତ୍ତମାନ ସୁଦ୍ଧା ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଚାଟର୍ଜୀ ଲେନରେ ଆୟୋଜିତ ହୋଇଆସୁଛି । ସେହିପରି ରେଳଗାଡ଼ି ଚାଳକ ତଥା ଅନ୍ୟାନ୍ୟ ପଦବୀରେ ବହୁ ସଂଖ୍ୟକ ଏଙ୍ଗ୍ଳୋ-ଇଣ୍ଡିଆନ ସଂପ୍ରଦାୟର କର୍ମଚାରୀ ନିଯୁକ୍ତ ହୋଇଥିଲେ । ସେମାନେ ଖୋର୍ଦ୍ଧାରୋଡ଼ରେ ଅବସ୍ଥାପିତ ହୋଇଥିବା ସ୍ଥଳେ ଅବସର ଜୀବନ ବିତାଇବା ନିମନ୍ତେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବବର୍ତ୍ତୀ ଅବସ୍ଥାରେ ଗୋପାଳପୁରକୁ ବାଛି ନେଇଥିଲେ । ବନ୍ଦର କାରବାର ବନ୍ଦ ହୋଇଯିବାପରେ ବେଙ୍ଗାଲ ନାଗପୁର ରେଳୱେର ଅବସରପ୍ରାପ୍ତ କର୍ମଚାରୀଙ୍କ ବସତି ରୂପେ ଦିନ କେତେ ଗୋପାଳପୁର ପ୍ରସିଦ୍ଧି ଲାଭ କରିଥିଲା ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ /  ୯ ଅକ୍ଟୋବର ୨୦୨୧ / ପୃଷ୍ଠା : ୮)

Photo by : "Eye Line" by Eustaquio Santimano is licensed under CC BY-NC-SA 2.0

Friday, October 1, 2021

Gandhiji's 3rd visit to Berhampur / ଗାନ୍ଧୀଙ୍କ ତୃତୀୟ ବ୍ରହ୍ମପୁର ଗସ୍ତ

 


ମହାତ୍ମା ଗାନ୍ଧୀଙ୍କ ଦୁଇଗୋଟି #ବ୍ରହ୍ମପୁର ଗସ୍ତ ସଂପର୍କରେ ସାଧାରଣରେ ଚର୍ଚ୍ଚା ହୋଇଥାଏ । ପ୍ରଥମ ଥର ୧୯୨୧ ମାର୍ଚ୍ଚ ୩୦ ତାରିଖ ଦିନ ପତ୍ନୀ କସ୍ତୁରବା ଓ କନିଷ୍ଠ ପୁତ୍ର ଦେବଦାସଙ୍କ ସହ ବ୍ରହ୍ମପୁର ପରିଦର୍ଶନରେ ଆସିଥିଲେ । ଦ୍ୱିତୀୟ ଥର ୧୯୨୭ ଡ଼ିସେମ୍ୱର ୨୭ ତାରିଖରେ ପହଞ୍ଚି ସାଧାରଣ ସଭା ଇତ୍ୟାଦି ସାଂଗଠନିକ କାର୍ଯ୍ୟ ସାରି ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳ ଛତ୍ରପୁର, ଦିଗପହଣ୍ଡି, ପାଟପୁର, ଭଞ୍ଜ ନଗର, ବେଲଗୁଣ୍ଠା, କବିସୂର୍ଯ୍ୟ ନଗର, ପୋଲସରା, କୋଦଳା, ଖଲ୍ଲିକୋଟ ଓ ରମ୍ଭା ଇତ୍ୟାଦି ପରିଭ୍ରମଣ କରିଥିଲେ । ତେବେ ୧୯୪୬ରେ ବ୍ରହ୍ମପୁର ରେଳଷ୍ଟେସନରେ ସ୍ୱଳ୍ପକାଳ ରହେଣୀ ଓ ସାଧାରଣ ସଭାରେ ଉଦ୍ ବୋଧନ ଗାନ୍ଧୀଙ୍କ ତୃତୀୟ ବ୍ରହ୍ମପୁର ଗସ୍ତ ।
 
କୋଦଳାର ପ୍ରାକ୍ତନ ବିଧାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ମିଶ୍ର ବ୍ରହ୍ମପୁର ଜେଲ ଅନୁଭୂତି ଶୀର୍ଷକ ରଚନାରେ ଗାନ୍ଧୀଙ୍କ ତୃତୀୟ ବ୍ରହ୍ମପୁର ଗସ୍ତର ପୂର୍ଣ୍ଣାଙ୍ଗ ବିବରଣୀ ବର୍ଣ୍ଣନା କରିଥିଲେ :
 
କଥାଟି ହେଲା ଜାନୁୟାରୀ ୧୯୪୬ । ମହାତ୍ମାଗାନ୍ଧୀ ଗୋଟିଏ ସ୍ୱତନ୍ତ୍ର ଟ୍ରେନରେ କଲିକତାରୁ ମାନ୍ଦ୍ରାଜ ଯାତ୍ରା କରୁଥିଲେ, ଦେଶ ବିଭାଜନ ବିଷୟରେ ଲୋକଙ୍କ ମତ ଜାଣିବା ପାଇଁ । ସ୍ଥାନେ ସ୍ଥାନେ ଗାଡ଼ି ଅଟକାଇ ସଭା କରିବାର ଯୋଜନା ସେଥିରେ ଥିଲା । ଓଡ଼ିଶାରେ ବ୍ରହ୍ମପୁରଠାରେ ଭୋର ୪ଟା ବେଳେ ସଭାର ଆୟୋଜନ ହୋଇଥିଲା । ଆମେ ସବୁ (ପୂର୍ବ ଦିନ) ସନ୍ଧ୍ୟା ସାତଟା ବେଳୁ ରେଳଷ୍ଟେସନ ନିକଟସ୍ଥ ସଭାସ୍ଥଳରେ ଲୋକଙ୍କୁ ନିୟନ୍ତ୍ରଣ କରିବା କାମରେ ବ୍ୟସ୍ତ ଥିଲୁ ।
 
ଯଦିଓ ଭୋର ଚାରିଟାରେ ସଭା ହେବାର ଯୋଜନା ଥିଲା, ଦୂରଦୂରାନ୍ତରୁ ଗ୍ରାମାଞ୍ଚଳରୁ (ପୂର୍ବଦିନ) ସନ୍ଧ୍ୟା ବେଳରୁହିଁ ଲୋକେ ସଭାସ୍ଥଳୀରେ ପହଞ୍ଚିବା ଆରମ୍ଭ କଲେ । ସଭା ସମୟ ବେଳକୁ ୪୦ ହଜାର ଜନତା ଆସିଯାଇଥିଲେ । ଠିକ୍ ଚାରିଟା ବେଳେ ଗାଡ଼ି ଆସି ଷ୍ଟେସନରେ ଅଟକିଲା । ମହାତ୍ମା ଗାନ୍ଧୀଙ୍କ ସହିତ କଲିକତାରୁ ଓ କଟକରୁ ଅନେକ ବଡ଼ ବଡ଼ ନେତା ଆସିଥିଲେ । ତାଙ୍କ ନାତି କନୁ ଗାନ୍ଧୀ ମଧ୍ୟ ସାଙ୍ଗରେ ଥିଲେ ।
 
ନେତାମାନଙ୍କ ଗହଣରେ ମଞ୍ଚ ଉପରକୁ ମହାତ୍ମା ଗାନ୍ଧୀ ଆସି ଦେଖିଲେ ଯେ ବିରାଟ ଜନତା ଧୀରସ୍ଥିର ଏବଂ ନିସ୍ତବ୍ଧ ଭାବରେ ବସିଛନ୍ତି । ତାଙ୍କୁ ଭାରୀ ଭଲ ଲାଗିଲା । ସେ କିଛି ବକ୍ତୃତା ଦେଲେ, ଯାହା ହରେକୃଷ୍ଣ ମହତାବ ଓଡ଼ିଆରେ ଅନୁବାଦ କଲେ । ତାପରେ ମହାତ୍ମା ଗାନ୍ଧୀ ନାତିକୁ କହିଲେ ରାମଧୂନ କରିବା ପାଇଁ । କିଛି ସମୟ ରଘୁପତି ରାଘବ ରାଜାରାମ...ଗାନ ହେଲାପରେ ସଭା ବନ୍ଦ ହେବା ପୂର୍ବରୁ ଲୋକେ ସବୁ ଠିଆ ହୋଇ ଗଲେ ଏବଂ ଷ୍ଟେସନ ଆଡ଼କୁ ମୁହାଁଇଲେ ।
 
ମଞ୍ଚସ୍ଥ ସମସ୍ତ ନେତା (କନୁ ଗାନ୍ଧୀ ମଧ୍ୟ) ବୋଧହୁଏ ଭାବିଲେ ଲୋକେ ଗାନ୍ଧୀଙ୍କୁ ଦେଖିବା ପାଇଁ ଅଥବା ସ୍ୱର୍ଶ କରିବା ପାଇଁ ରେଳଗାଡ଼ି ପାଖକୁ ଯିବା ରାସ୍ତା ଅବରୁଦ୍ଧ କରିଦେବେ । ସମସ୍ତେ ମଞ୍ଚ ଉପରୁ ଓହ୍ଲାଇ ପଡ଼ିଲେ, କେବଳ ମହାତ୍ମା ଗାନ୍ଧୀ ଏକେଲା ରହିଗଲେ । ହାତରେ ଯଷ୍ଟି ନଥିଲା । ଏତେ ବଡ଼ ଉଚ୍ଚ ମଞ୍ଚ ଉପରୁ ବିନା ଯଷ୍ଟି ସାହାଯ୍ୟରେ ଓହ୍ଲାଇବାକୁ ସେ ନିରାପଦ ମନେ କରୁନଥିଲେ । ଅତଏବ ଅତି ଧିରେ ଧିରେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ପକାଇଲେ ।
 
ମୁଁ ସେତେବେଳେ ତଳେ ଠିଆ ହୋଇଥାଏ । ମହାତ୍ମା ଗାନ୍ଧୀଙ୍କ ଏପରି ଅସହାୟ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ତାଙ୍କ ନିକଟକୁ ଚାଲିଗଲି । ଗାନ୍ଧୀଙ୍କ ଦକ୍ଷିଣ ହସ୍ତ ମୋର ଦକ୍ଷିଣ କାନ୍ଧ ଉପରେ ଦୃଢ ଭାବେ ନିବଦ୍ଧ ହେଲା ଏବଂ ସଙ୍ଗେ ସଙ୍ଗେ ତାଙ୍କ ମୁହଁରୁ ବାହାରି ପଡ଼ିଲା, ମୌକେ ପର ଭଗବାନ ସାହାରା ଦେ ଦେତା ହୈ । ଉଭୟେ ଏପରିଭାବେ ରେଳଗାଡ଼ି ପର୍ଯ୍ୟନ୍ତ ଗଲୁ । ଗାନ୍ଧୀ ବଗି ଭିତରକୁ ଗଲେ । ମୁଁ ନମସ୍କାର କରି ଫେରିଲି ।

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୨ ଅକ୍ଟୋବର ୨୦୨୧ / ପୃଷ୍ଠା : ୮)

Photo by Jeremy Bezanger on Unsplash