Friday, October 14, 2022

Water Bodies / ଇତିହାସ ପୃଷ୍ଠାରେ ଜଳାଶୟ

 

ଅନ୍ୟାନ୍ୟ ସହରତୁଲ୍ୟ #ବ୍ରହ୍ମପୁର ସାମାନ୍ୟ ବର୍ଷାରେ ରାସ୍ତାଘାଟ ଜଳପୂର୍ଣ୍ଣ ହୋଇପଡୁଥିବା ସମସ୍ୟାର ସମାଧାନ ଖୋଜିଲା ବେଳେ ଏଠାକାର ପୁରାତନ ଜଳାଶୟଗୁଡ଼ିକର ପୁନରୁଦ୍ଧାର ବିଷୟଟି ଗୁରୁତ୍ୱ ବହନ କରିଥାଏ । ସପ୍ତଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରେ ଅଧୂନା ବଡ଼ ବଜାରଠାରେ ନୂତନ ମହୁରି ରାଜବାଟୀ ପ୍ରତିଷ୍ଠାପରେ ଏହାର ଚ଼ର୍ତୁଦିଗରେ ଜନବସତି ଗଢ଼ି ଉଠିବା ଅବସରରେ ପୁଷ୍କରଣୀ ଖନନକୁ ପ୍ରାଥମିକତା ଦିଆଯାଇଆସିଥିଲା । ବ୍ରହ୍ମପୁର ଦେଇ କୌଣସି ନଦୀ ପ୍ରବାହିତ ନହେଉଥିବା ହେତୁ ଏଠାକାର ଜନସାଧାରଣ ପାରମ୍ପରିକଭାବେ ପୁଷ୍କରଣୀ ଓ କୂପ ଉପରେ ନିର୍ଭର କରିଆସିଥିଲେ । ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ବିଂଶ ଶତାଦ୍ଦୀରେ ପ୍ରସାରିତ ହୋଇଥିଲା । ସହରରେ ପର୍ଯ୍ୟାପ୍ତ ଜଳାଶୟ ଉପଲବ୍ଧଥିବା ହେତୁ ସହରରୁ ବର୍ଷାପାଣି ଅନାୟସରେ ଖଲାସ ହୋଇପାରୁଥିଲା । ବିଂଶ ଶତାଦ୍ଦୀର ଷଷ୍ଠ, ସପ୍ତମ ଦଶକ ଯାଏଁ ବ୍ରହ୍ମପୁରରେ କୌଣସି ଅଞ୍ଚଳ ଜଳବନ୍ଦୀର ଶୀକାର ହେବା ନଜିର ନଥିଲା ।
 
ସାମ୍ୱାଦିକ ଅମ୍ୱିକା ପ୍ରସାଦ ଦାଶ, ଏପ୍ରିଲ ୨୦୦୫ରେ ପ୍ରକାଶିତ ଏକ ବିବରଣୀରେ ଉଲ୍ଲେଖ କରିଥିଲେ, ୩୩.୫୨ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ବ୍ରହ୍ମପୁର ସହରରେ ଅତି ଊଣାରେ ୨ ଶହ ଏକର ପରିମିତ ୭୦ ଗୋଟି ଜଳାଶୟ ରହୁଛି । ଆଙ୍କୁଲିର ଗୁଡ଼ିଆ ବନ୍ଧ, ବଡ଼ ଗୁଡ଼ିଆ ବନ୍ଧ, ବଡ଼ ବନ୍ଧ ଓ ବୋଇତରା ବନ୍ଧ । ଖୋଡ଼ାସିଙ୍ଗି ମୌଜାର ରାଉତ ବନ୍ଧ, ଗୋଷାଣୀ ବନ୍ଧ । ପାନକେଲାପଲ୍ଲୀର ନୂଆ ବନ୍ଧ, ନିଜଗାଁ ବନ୍ଧ । ମର୍ଦ୍ଦରାଜପୁରର ବାଳି ଗାଙ୍ଗୁଲି ବନ୍ଧ, ବାରି ବନ୍ଧ । ସୁନ୍ଦରାଜପୁରର ରଜା ବନ୍ଧ, ଦେଉଳ ବନ୍ଧ, ସିଙ୍ଗି ବନ୍ଧ, ବଢ଼େଇ ବନ୍ଧ । ବୈଦ୍ୟନାଥପୁର ମୌଜାର ଏକାଲ ବନ୍ଧ, ହନୁମାନ ବନ୍ଧ । ଗୋଇଲୁଣ୍ଡି ମୌଜାର ଗୋଲାପଲ୍ଲୀ ବନ୍ଧ, ଘାଇମା ବନ୍ଧ, ସାନ ବନ୍ଧ, ବଉଳ ବନ୍ଧ । ବିଜିପୁର ମୌଜାର ସୁନାରି ବନ୍ଧ, ନୂଆ ବନ୍ଧ । ଗୋଷାଣୀ ନୂଆଗାଁର ନୂଆ ବନ୍ଧ । ନୀଳକଣ୍ଠପୁର ମୌଜାର ନୀଳକଣ୍ଠେଶ୍ୱର ବନ୍ଧ, ସାଗର ବନ୍ଧ । ଭାପୁର ମୌଜାର ମୁକ୍ତେଶ୍ୱର ବନ୍ଧ । ବଡ଼ ବଜାରର ନେଳିଆ ବନ୍ଧ, ବାଲୁଙ୍କେଶ୍ୱର ବନ୍ଧ । ଶଙ୍କରପୁରର ଶ୍ମଶାନ ବନ୍ଧ, କାଲ ବନ୍ଧ, ଧୋବା ବନ୍ଧ । ପୁରୁଣା ବ୍ରହ୍ମପୁର ମୌଜାର ଧୋବା ବନ୍ଧ, ସାଳିଆ ବନ୍ଧ, ସାନ୍ତରା ବନ୍ଧ । ମାଧପୁରର ତାମେୟା ବନ୍ଧ । ଶଶିଭୂଷଣପୁରର ନିଜଗାଁ ବନ୍ଧ, ତେଲଙ୍ଗା ବନ୍ଧ । ମଧୁସୂଦନପୁରର ଆଇନା ବନ୍ଧ, ଜଗା ବନ୍ଧ, ଧୋବା ବନ୍ଧ । ହରିଡ଼ାଖଣ୍ଡିର ମାଣ୍ଡିଆ ବନ୍ଧ, ନାଟଳା ବନ୍ଧ, ଦାସ ବନ୍ଧ ।
 
ଗୋରାଚାନ୍ଦପୁରର ଗୁଡ଼ି ବନ୍ଧ, ରଜା ବନ୍ଧ, ଆଖଡ଼ା ବନ୍ଧ । ଉମାପୁରୀର ମେରା ବନ୍ଧ, ସାନଗୋଦରା ବନ୍ଧ, ବଡ଼ ଗୋଦରା ବନ୍ଧ, ସାଳିଆ ବନ୍ଧ । ସୁବାସପୁରର ବନା ବନ୍ଧ, ନୂଆ ବନ୍ଧ, ଗୌଡ଼ ବନ୍ଧ । ଗୋପବନ୍ଧୁ ନଗରର ଆଗୁଳା ବନ୍ଧ, ବେଡ଼ା ବନ୍ଧ । ମହାମାୟୀପୁର ଦୟା ମହାନ୍ତି ବନ୍ଧ । ନରସିଂହପୁରର କରା  ବନ୍ଧ । ଉକ୍ତ ବିବରଣୀରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରୁ ତଥ୍ୟ ଉଦ୍ଧାର କରି କୁହାଯାଇଥିଲା ଯେ ଉପରୋକ୍ତ ଜଳାଶୟଗୁଡ଼ିକର କ୍ଷେତ୍ରଫଳ ପ୍ରାୟ ଦୁଇ ଶହ ଏକରରୁ ଅଧିକ ହେବ ।
 
ସହରାଞ୍ଚଳ ବିକାଶ କାଳରେ ଜଳାଶୟ ଓ ପ୍ରାକୃତିକ ତଳିଆ ଅଞ୍ଚଳଗୁଡ଼ିକୁ ପୋତି କୋଠାବାଡ଼ି, ରାସ୍ତାଘାଟ ନିର୍ମାଣ କରାଯାଇଥାଏ । ସ୍ଥାନୀୟ ପ୍ରଶାସନର ଅବହେଳା ଓ ଦୂରଦୃଷ୍ଟି ଅଭାବ ହେତୁ ଅନିୟନ୍ତ୍ରିତ ଭାବେ ଜନବସତି ଗଢ଼ି ଉଠିବା ପରେ ପରବର୍ତ୍ତୀ ପିଢ଼ି ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ସେହିକ୍ରମରେ ବ୍ରହ୍ମପୁର ଏକବିଂଶ ଶତାଦ୍ଦୀ ତୃତୀୟ ଦଶକ ଆରମ୍ଭବେଳକୁ ଦୁର୍ଦ୍ଦଶାଗ୍ରସ୍ତ । ପୁରାତନ ଜନବସତିରେ ଦୀର୍ଘ ଅତୀତରୁ ରହି ଆସିଥିବା ଜଳାଶୟଗୁଡ଼ିକୁ ପୋତି ଦେବା ଏବଂ ନୂତନ ଜନବସତି ଗଠନ କାଳରେ ଜଳାଶୟ ଖନନ ପ୍ରତି ଦୃଷ୍ଟି ନଦେବା ଫଳରେ ସହରାଞ୍ଚଳରେ ଭୂମିତଳ ଜଳସ୍ତର କମି ଆସିବା ସାଙ୍ଗକୁ ବୃଷ୍ଟି ଜଳ ଖଲାସରେ ମଧ୍ୟ ସମସ୍ୟା ଉପୁଜିଥାଏ ।
 
ଏଥିପୂର୍ବରୁ ଅନୁପମ ଭାରତରେ ମାର୍ଚ୍ଚ ୨୦୦୦ରେ ତତ୍ କାଳୀନ ସ୍ଥିତାବସ୍ଥା ବିଶ୍ଳେଷଣକରି ଏକ ବିବରଣୀ ପ୍ରକାଶ ପାଇଥିଲା । ରାଜ୍ୟରେ ସର୍ବାଧିକ ପୋଖରୀ ବ୍ରହ୍ମପୁର ସହରରେ ରହିଥିବା ରାଜସ୍ୱ ରେକର୍ଡରୁ ଜଣାଯାଇଥିବା ବେଳେ ୧୯୬୪ ମସିହାରୁ (ମାର୍ଚ୍ଚ ୨୦୦୦ ସୁଦ୍ଧା) ପ୍ରାୟ ୪୮ ଏକର ପୋଖରୀ ଜମି ହସ୍ତାନ୍ତର ଫଳରେ ବ୍ରହ୍ମପୁର ପୋଖରୀ ଶୂନ୍ୟ ହେବା ସହ ଜଳସଙ୍କଟ ବେଳକୁ ବେଳ ତୀବ୍ରତର ହେବା ଆଶଙ୍କା ପ୍ରକାଶ ପାଇଛି । ବିଗତ ୨୨ ବର୍ଷ ମଧ୍ୟରେ ୨୦୨୨ ସୁଦ୍ଧା ସହରର ତିନିଗୋଟି ବଡ଼ ପୋଖରୀ ମଧ୍ୟରୁ ଗିରି ମାର୍କେଟ ସମ୍ମୁଖସ୍ଥିତ ତାମେୟା ବନ୍ଧ ପୋତି ବିଜୁ ପଟ୍ଟନାୟକ ପାର୍କ, କରପୋରେସନ ରୋଡ଼ର ଛତରା ବନ୍ଧ ପୋତି ଗଞ୍ଜାମ ହାଟ ଓ ହିଲପାଟଣାର ହନୁମାନ ବନ୍ଧ ପୋତି ସଂସ୍କୃତି ଭବନ ନିର୍ମିତ ହୋଇଛି । ତେଣୁ ନୂତନ ପିଢ଼ି ପାଇଁ ତାମେୟା ବନ୍ଧ, ଛତରା ବନ୍ଧ ଓ ହନୁମାନ ବନ୍ଧ ଇତିହାସ ।
 
ସେହି ପ୍ରକାଶିତ ବିବରଣୀରେ ସହରରେ କେନାଳ ଯୋଗେ କିପରି ଜଳାଶୟଗୁଡ଼ିକ ସଂଯୁକ୍ତ ହୋଇଥିଲା ତାହା ବିଶଦ ଭାବେ ବର୍ଣ୍ଣନା କରାଯାଇଥିଲା । ସହରକୁ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାଳରେ ଋଷିକୂଲ୍ୟା ନଦୀର ଜଳ ଦକ୍ଷିଣପୁର ଜଳଭଣ୍ଡାରରେ ଗଚ୍ଛିତ ରଖିବା ବ୍ୟବସ୍ଥା ହୋଇଥିଲା । ଦକ୍ଷିଣପୁରରୁ ଏକ କେନାଳ ସହରର ଉପକଣ୍ଠ ଆସିକା ରୋଡ଼ ଫାଷ୍ଟଗେଟରେ ପହଞ୍ଚି ଗୋଟିଏ ଭାଗ ହରିଡ଼ାଖଣ୍ଡି ଓ ଅନ୍ୟ ଏକ ଭାଗ ଆସିକା ରୋଡ଼ ଦେଇ ଛତରା ବନ୍ଧ, ତାମେୟା ବନ୍ଧ, ସତ୍ୟନାରାୟଣ ମନ୍ଦିର ରାସ୍ତା, ରାମଲିଙ୍ଗେଶ୍ୱର ବନ୍ଧ ଦେଇ ଗାନ୍ଧିନଗର, ବିଜିପୁର, ଗୋଷାଣୀ ନୂଆଗାଁ ଅତିକ୍ରମ କରି ସାପୁଆ ନଦୀକୁ ନିଷ୍କାସନର ବ୍ୟବସ୍ଥା ହୋଇଥିଲା । ଛତରା ବନ୍ଧରୁ ବାହାରିଥିବା କେନାଳ ଗେଟ ବଜାର, ଲୋଚାପଡ଼ା ରୋଡ଼, ଗୋଲାପଲ୍ଲୀ, କମାପଲ୍ଲୀ ଦେଇ ଗୋପାଳପୁର ଛକରେ ବଡ଼ନାଳକୁ ଯୋଗ କରୁଥିଲା । ତାମେୟା ବନ୍ଧ ଓ ଛତରା ବନ୍ଧ ପୌରପାଳିକା ପକ୍ଷରୁ ଆବର୍ଜନା ଭର୍ତ୍ତିକରି ପୋତି ଦେବା ପରେ ଏହି କେନାଳ ବ୍ୟବସ୍ଥା ସତ୍ତା ହରାଇଛି । ତେଣୁ ବ୍ରହ୍ମପୁରର ପୁରାତନ କେନାଳ ଯୋଗେ ଜଳାଶୟଗୁଡ଼ିକୁ ସଂଯୋଗ ବ୍ୟବସ୍ଥା ଇତିହାସ ପୃଷ୍ଠାକୁ ସ୍ଥାନାନ୍ତରିତ ହୋଇପଡ଼ିଛି !

(ଅନୁପମ ଭାରତ’, ବ୍ରହ୍ମପୁର ସଂସ୍କରଣ / ୧୫ ଅକ୍ଟୋବର ୨୦୨୨/ ପୃଷ୍ଠା : ୨)

Photo by bady abbas on Unsplash 


No comments:

Post a Comment