Friday, March 29, 2024

Change in ownership of the Port / ବନ୍ଦରର ନୂଆ ମାଲିକାନା

 

କର୍ପୋରେଟ ସଂସ୍ଥା ଟାଟା ଗୃପ’ #ବ୍ରହ୍ମପୁର ସହରର ବିଦ୍ୟୁତ ବିତରଣ ଭାର ଗ୍ରହଣ କରିବା ତଥା ସହରତଳି ଅଞ୍ଚଳରେ ଶିଳ୍ପ ପାର୍କ ପ୍ରତିଷ୍ଠା କରିବା ପରେ ଦେଶର ଅନ୍ୟତମ ପ୍ରମୁଖ କର୍ପୋରେଟ ସଂସ୍ଥା ଆଦାନି ଗୃପ ଗୋପାଳପୁର ବନ୍ଦର ଅଧିଗ୍ରହଣ ନିମନ୍ତେ ୨୦୨୪ ମାର୍ଚ୍ଚ ଶେଷ ସପ୍ତାହରେ ଚୁକ୍ତି କରିଥିବା ପ୍ରକାଶ ପାଇଛି । ବ୍ରିଟିଶ ଶାସନ କାଳରେ ଊନବିଂଶ ଶତାଦ୍ଦୀରୁ କାର୍ଯ୍ୟକ୍ଷମ ଗୋପାଳପୁର ବନ୍ଦର ଦ୍ୱିତୀୟ ବିଶ୍ୱଯୁଦ୍ଧ ଅବସରରେ ବନ୍ଦ ହୋଇଯାଇଥିଲା । ଓଡ଼ିଶା ରାଜ୍ୟ ସରକାର ଗୋପାଳପୁର ସହର ସମୁଦ୍ର ତଟରେ ଅବସ୍ଥିତ ପୁରାତନ ବନ୍ଦରଠାରୁ ପ୍ରାୟ ଦଶ କିଲୋମିଟର ଦୂରବର୍ତ୍ତୀ ଛତ୍ରପୁର ତଟ ଆର୍ଯ୍ୟପଲ୍ଲୀଠାରେ ୧୯୮୬-୮୭ ଆର୍ଥିକ ବର୍ଷରେ ଏକ ଋତୁକାଳୀନ ଫେୟାର ୱେଦରବନ୍ଦର ଆରମ୍ଭ କରିଥିଲେ । ଏହି ବନ୍ଦର ନିର୍ମାଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ କେନ୍ଦ୍ର ସରକାରଙ୍କ ଅନୁଦାନ ବିନିଯୋଗ ହୋଇଥିଲା ।
 
ନୂତନ ଗୋପାଳପୁର ବନ୍ଦର ନିର୍ମାଣର ଇତିହାସ କୌତୁହଳ ଉଦ୍ଦୀପକ । ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଦୁର୍ଗା ପ୍ରସାଦ ପତି ଉଚ୍ଚଶିକ୍ଷା ନିମନ୍ତେ ମୁମ୍ୱାଇ ଆଇଆଇଟିରେ ନାମ ଲେଖାଇ ସାମୁଦ୍ରିକ ପରିବହନରେ ସ୍ନାତକୋତ୍ତର ଉପାଧି ହାସଲ କରି ଫେରିଥିଲେ । ସାମୁଦ୍ରିକ ପରିବହନ ବ୍ୟବସ୍ଥା ସୁଦୃଢ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ନୀତି ସଂପର୍କରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରଭାବିତ କରାଇ ଗୋପାଳପୁର ବନ୍ଦରର ମୂଳଦୁଆ ସ୍ଥାପନ କରିଥିଲେ । ତାଙ୍କରି ଅନୁଭୂତି ରୋମାଞ୍ଚକର । ଗୋପାଳପୁରରେ ବନ୍ଦର ଗଢ଼ିବା ପାଇଁ ପ୍ରଥମ କର୍ମଚାରୀଭାବେ ସରକାରଙ୍କ ନିର୍ଦ୍ଦେଶ ପାଇବାପରେ କିପରି ବ୍ରହ୍ମପୁର ଗିରି ମାର୍କେଟ ଛକରୁ ଏକ ବାଉଁଶ ପାତି ଖଟ ନେଇ ଗୋପାଳପୁର ବନ୍ଦର କାର୍ଯ୍ୟାଳୟରେ ରାତି କାଟିଥିଲେ ଅତୀତ ସ୍ମୃତି ସହରର ବୁଦ୍ଧିଜୀବୀଙ୍କ ଗହଣରେ ବର୍ଣ୍ଣନା କରୁଥିଲେ । (ବାଉଁଶ ଏକ ସଂରକ୍ଷିତ ବନଜାତ ଦ୍ରବ୍ୟ ରୂପେ ଘୋଷିତ ହେବା ପୂର୍ବରୁ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବାଉଁଶ ପାତି ଖଟର ଆଦର ଥିଲା । ମୁଖ୍ୟତଃ, ଗଞ୍ଜାମ ଓ କନ୍ଧମାଳ ବନାଞ୍ଚଳରେ ନିର୍ମିତ ଏହି ଖଟର ଦାମ ମଧ୍ୟ ଶସ୍ତା ରହୁଥିଲା । ବାଉଁଶ ପାତି ଖଟର ଆରାମ ଓ ବାସ୍ନା ଅନନ୍ୟ !) ବିଂଶ ଶତାଦ୍ଦୀ ଶେଷ ଦଶକରେ ବ୍ରହ୍ମପୁର ସାମାଜିକ ଓ ସାଂସ୍କୃତିକ ପରିଧିରେ ଦୁର୍ଗା ପତି ବେଶ ସକ୍ରିୟ ଥିଲେ । ତାଙ୍କରି କାର୍ଯ୍ୟକାଳ ବିବାଦପୂର୍ଣ୍ଣ ହେଲେ ହେଁ ଦୀର୍ଘକାଳ ଧରି ଗୋପାଳପୁର ବନ୍ଦରର ପ୍ରମୁଖ କର୍ମକର୍ତ୍ତାଭାବେ ଅବସ୍ଥାପିତ ହୋଇ ବନ୍ଦର ନିର୍ମାଣ କାର୍ଯ୍ୟଭାର ସମ୍ଭାଳିଥିଲେ ।
 
ଗୋପାଳପୁର ବନ୍ଦର ବିଭିନ୍ନ କାରଣରୁ ସଫଳତା ପାଇ ପାରି ନଥିଲା ଏବଂ ସେହି ଧାରା ୨୦୨୪ ସୁଦ୍ଧା ବଳବତ୍ତର ରହିଛି । ସରକାର ୨୦୦୬ରେ ଏହାକୁ ସବୁଦିନିଆ ବନ୍ଦରକୁ ଉନ୍ନୀତ କରି ଘରୋଇ କମ୍ପାନୀ ଗୋପାଳପୁର ପୋର୍ଟ ଲିମିଟେଡ଼କୁ ପରିଚାଳନାଭାର ହସ୍ତାନ୍ତର କରିଥିଲେ । ସାତ ବର୍ଷ ପରେ ୨୦୧୩ ମାର୍ଚ୍ଚରେ ବନ୍ଦରରେ ବ୍ୟାବସାୟିକ କାର୍ଯ୍ୟ ଆରମ୍ଭ ହେବାପରେ ୨୦୧୩ ଅକ୍ଟୋବରରେ ଫାଇଲିନ ବାତ୍ୟା ଯୋଗୁଁ ବନ୍ଦରରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା କୁହାଗଲା । ବନ୍ଦର ଦୁଇ ବର୍ଷ ପାଇଁ ବନ୍ଦ ରହି ୨୦୧୫ ଅକ୍ଟୋବରରେ ପୁଣି କାର୍ଯ୍ୟକ୍ଷମ ହୋଇଥିଲା ।
 
ଗୋପାଳପୁର ବନ୍ଦର ଓଡ଼ିଶା ସରକାରଙ୍କଠାରୁ ଲିଜ ସୂତ୍ରରେ ୫୦୦ ଏକର ଜମି ପାଇଛି । ଏହି ବନ୍ଦର ୧୬ ନମ୍ୱର ଜାତୀୟ ରାଜପଥ ଓ ଚ଼େନ୍ନାଇ-କୋଲକତା ରେଳପଥ ସହ ସଂଯୁକ୍ତ । ବନ୍ଦର ଦେଇ ଲୁହା, କୋଇଲା, ଚୁନପଥର, ଆଲୁମିନା, ବିରଳ ମୃତ୍ତିକା ଇତ୍ୟାଦି ରପ୍ତାନୀ ହୁଏ ।
 
ଗୋପାଳପୁର ବନ୍ଦରର ମାଲିକାନା ୨୦୦୬ରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ଼, ସାରା ଇଣ୍ଟରନ୍ୟାସନାଲ ଓ ହଂକଂର ନବଲ ଗୃପ ମିଳିତ ଭାବେ ଆରମ୍ଭ କରିଥିଲେ । ତେବେ ୨୦୧୦ରେ ନବଲ ଗୃପ ପ୍ରକଳ୍ପରୁ ଓହରି ଯାଇଥିଲା । ଏହି ଅବସରରେ ୨୦୧୬ରେ ସାପୁରାଜୀ ପାଲୋନଜୀ ଗୃପ ବନ୍ଦରର ୫୧ ପ୍ରତିଶତ ଅଂଶଧନ କିଣିଥିଲା । ବର୍ତ୍ତମାନ ଆଦାନି ଗୃପର ଆଦାନି ପୋର୍ଟସ ଆଣ୍ଡ ସ୍ପେସିଆଲ ଇକନୋମିକ ଜୋନ ଓଡିଶା ଷ୍ଟିଭେଡର୍ସ ଲିମିଟେଡ଼ର ୩୯ ପ୍ରତିଶତ ଓ ସାପୁରାଜୀ ପାଲୋନଜୀ ପୋର୍ଟ ମେଣ୍ଟେନାନ୍ସ ପ୍ରାଭିଭେଟ ଲିମିଟେଡ଼ର ୫୬ ପ୍ରତିଶତ ଅଂଶଧନ ୩୦୮୦ କୋଟି ଟଙ୍କା ନିବେଶରେ କିଣିବା ସ୍ଥିର ହୋଇଥିବା ପ୍ରକାଶ ପାଇଛି । ଆବଶ୍ୟକୀୟ ଆଇନଗତ ସମ୍ମତ୍ତି ପରେ ଅଧିଗ୍ରହଣ କାର୍ଯ୍ୟକାରୀ ହେଲେ ଆଦାନି ଗୃପ ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ଅକ୍ତିଆର କରିବ । ଅର୍ଥାତ, ଗୋପାଳପୁର ବନ୍ଦରର ମାଲିକାନା ବଦଳିବ ।

Image by PublicDomainPictures from Pixabay


No comments:

Post a Comment