Friday, April 19, 2024

Brahmapur North City / ବ୍ରହ୍ମପୁର ନର୍ଥ ସିଟି

 

#ବ୍ରହ୍ମପୁର ସହରର ପରିସୀମା ସଂପ୍ରସାରଣ ଶୀଥିଳ ରହିଆସିଛି । ଭାରତର ସ୍ୱାଧୀନତା ପ୍ରାପ୍ତି ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ରହ୍ମପୁର ସମସ୍କନ୍ଦ ସହରଗୁଡ଼ିକ ବିଗତ ୭୫ ବର୍ଷ ମଧ୍ୟରେ ଯେଉଁ ମାତ୍ରାରେ ବୃଦ୍ଧି ପ୍ରାପ୍ତ ହୋଇଛି, ସେହି ତୁଳନାରେ ପଛରେ ପଡ଼ିରହିଛି ନିଶ୍ଚୟ । ବ୍ରହ୍ମପୁରର ଅବୟବ ବୃଦ୍ଧି ଲାଗି କାଁ ଭାଁ ଚର୍ଚ୍ଚା ହୁଏ, କିନ୍ତୁ ପରିକଳ୍ପନା ବେଶୀ ଦୂର ଆଗେଇ ପାରେନା । ବ୍ରହ୍ମପୁର ଉନ୍ନୟନ ପ୍ରାଧୀକରଣ ବିଡ଼ିଏ ପକ୍ଷରୁ ୨୦୧୫-୧୬ରେ ଏକ ସାଟେଲାଇଟ ସିଟି ବିକାଶ ନିମନ୍ତେ ପ୍ରାରମ୍ଭିକ ପର୍ଯ୍ୟାଲୋଚନା ସମୟର ସ୍ରୋତରେ ହଜିଯାଇଥିବା ସେହି ଭଳି ଏକ ପ୍ରସ୍ତାବ ।

 

ବିଡ଼ିଏ ଆନୁକୂଲ୍ୟରେ ପବ୍ଳିକ-ପ୍ରାଇଭେଟ ପାର୍ଟନରସିପରେ ବ୍ରହ୍ମପୁର-ଜଗନ୍ନାଥପୁର ମଧ୍ୟସ୍ଥ ଶୀତଳପଲ୍ଲୀ ଅଞ୍ଚଳରେ ୧୦୧ ଏକର ଜମିରେ ଦଶ ହଜାର ବାସଗୃହ ସହ ସପିଂ ମଲ, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧାସୁଯୋଗ ନିର୍ମାଣ ନିମନ୍ତେ ଏକ ପରିକଳ୍ପନା କରାଯାଇଥିଲା । ଗଞ୍ଜାମ ଜିଲ୍ଲା କନିଷି ତହସିଲ ଅଧୀନରେ ଥିବା ସରକାରୀ ଜମି ବ୍ୟବହାର ନିମନ୍ତେ ପ୍ରସ୍ତାବ ରହିଥିଲା । ନିର୍ମାଣ ଖର୍ଚ୍ଚ ବାବଦରେ ୧୧୩ କୋଟି ଟଙ୍କା ବ୍ୟୟ ହିସାବ କରାଯାଇଥିଲା । ବିଡ଼ିଏର ଏହି ପ୍ରସ୍ତାବ ତତ୍କାଳୀନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ତର୍ଜମା କରି ସମ୍ମତ୍ତି ପ୍ରଦାନ କରିଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । କିନ୍ତୁ ଦଶ ବର୍ଷ ପୁରିବାକୁ ଯାଉଥିବା ଅବସରରେ ଏହି ପ୍ରକଳ୍ପର ଅଗ୍ରଗତି ସଂପର୍କରେ କିଛି ଶୁଣିବାକୁ ମିଳେ ନାହିଁ ।

 

ବିଂଶ ଶତାଦ୍ଦୀ ଆରମ୍ଭରେ ରେଳ ସଂଯୋଗ ଓ ଚତୁର୍ଥ ଦଶକ ମଧ୍ୟଭାଗରେ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ ଦୁଇ କାରଣରୁ ସ୍ୱାଧୀନୋତ୍ତର ଅବସ୍ଥାରେ ବ୍ରହ୍ମପୁରର ଜନସଂଖ୍ୟା ବଢ଼ି ଚାଲିଲା । ସଡ଼କ ପରିବହନ ବିକାଶ ପରେ ୧୬ ନମ୍ୱର ଜାତୀୟ ରାଜପଥ ଏଥିରେ ସହାୟକ ହେଲା । ତେବେ ବିଗତ ଶହେ ବର୍ଷ ଧରି ସହରର ଅନିୟନ୍ତ୍ରିତ କଳେବର ବୃଦ୍ଧି ସହରବାସୀ, ମୁଖ୍ୟତଃ ନୂଆ କରି ଘରବାଡ଼ି ନିର୍ମାଣ କରି ବସବାସ କରୁଥିବା ସ୍ଥାୟୀ ବାସିନ୍ଦାଙ୍କ ନିମନ୍ତେ ଯନ୍ତ୍ରଣାମୟ । ସହରର ପରିସୀମା ବୃଦ୍ଧି ପରେ ନୂଆ ଅଞ୍ଚଳଗୁଡ଼ିକରେ ରାସ୍ତାଘାଟ, ପରିମଳ, ଜଳ ଯୋଗାଣ, ଆଲୋକ ଓ ସୁରକ୍ଷା ସୁବିଧା ସୁଯୋଗ ପାଇଁ ୨୦ ରୁ ୩୦ ବର୍ଷ ଅପେକ୍ଷା କରିବାକୁ ପଡୁଛି । ସହରର ବହୁ ଅଞ୍ଚଳ ଗ୍ରାମପଞ୍ଚାୟତ ଅଧୀନରେ ରହିଆସିଛି । ସେଗୁଡ଼ିକୁ ସହରାଞ୍ଚଳ ଘୋଷଣା ପରିବର୍ତ୍ତେ ନବପ୍ରବର୍ତ୍ତିତ ସରକାରୀ ନୀତି ଅନୁଯାୟୀ ଗ୍ରାମାପଞ୍ଚାୟତର ସହାୟତାରେ ବିକାଶ କରାଯିବା କଥା କୁହାଯାଉଛି । ଏହି ପରିପ୍ରେକ୍ଷୀରେ ବିଡିଏ ପକ୍ଷରୁ ଯଦି ଆନୁସଙ୍ଗିକ ସୁବିଧାସୁଯୋଗ ସମ୍ପନ୍ନ ବସତି ସ୍ଥାପନ ନିମନ୍ତେ ଉଦ୍ୟମ ଫଳବତୀ ହୁଅନ୍ତା, ତେବେ ବହୁ ପରିବାର ପ୍ରଶାସନିକ ପ୍ରତିବନ୍ଧକ ଅତିକ୍ରମ କରି ବାସଗୃହ ଖରିଦ କରି ଉପକୃତ ହୋଇପାରନ୍ତେ ଏବଂ ସହରର ଜନସଂଖ୍ୟା, ପରିସୀମା ବୃଦ୍ଧିପ୍ରାପ୍ତ ହୁଅନ୍ତା ।

 

ବିଡିଏ ପ୍ରସ୍ତାବିତ ସାଟେଲାଇଟ ସିଟିର ନାମକରଣ ବ୍ରହ୍ମପୁର ନର୍ଥ ସିଟି ରଖାଯାଇଥିଲା । ଶୀତଳାପଲ୍ଲୀରେ ଏକ ଘରୋଇ କର୍ପୋରେଟ ହସପିଟାଲ ଖୋଲିବା ପରେ ସେହି ଅଞ୍ଚଳର ଗୁରୁତ୍ୱ ବଢିବା ସ୍ୱାଭାବିକ । ଅପର ପାର୍ଶ୍ୱରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କରେ କେତେକ କଳକାରଖାନା ପ୍ରତିଷ୍ଠା ଓ ଗୋପାଳପୁର ବନ୍ଦରକୁ ଅନ୍ୟତମ ବୃହତ ଶିଳ୍ପପୁଞ୍ଜ ଆଦାନୀ ଗୃପ ଅଧିଗ୍ରହଣ ପରେ ଜନବସତିର ଅବଶ୍ୟକତା ବଢ଼ିବ । ଏହି ଅବସରରେ ବିଡ଼ିଏ ପକ୍ଷରୁ ବସତି ପ୍ରକଳ୍ପ ରୂପାୟନ କରାଯାଇପାରିଲେ ଏକ ପକ୍ଷରେ କ୍ରେତାଙ୍କ ଅଭାବ ରହିବ ନାହିଁ ଏବଂ ଅପରପକ୍ଷରେ ସହରାଞ୍ଚଳରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ପ୍ରଶାସନିକ ଦୃଷ୍ଟିରୁ ସହଜ ହେବ ।

 

ବିଡ଼ିଏ ପକ୍ଷରୁ ଏହି ଅଞ୍ଚଳରେ ବିବେକ ବିହାର ଫେଜ-୧ ଓ ଫେଜ-୨ ଦୁଇ ପର୍ଯ୍ୟାୟରେ ବିକଶିତ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ବ୍ରହ୍ମପୁର ନର୍ଥ ସିଟି ଯୋଜନା କାର୍ଯ୍ୟକାରୀ ହୋଇପାରିଲେ ବିବେକ ବିହାର ଅଞ୍ଚଳ ମଧ୍ୟ ସଜଡ଼ା ଯାଇପାରିବ । ବ୍ରହ୍ମପୁର ନର୍ଥ ସିଟି ପ୍ରସଙ୍ଗ ସର୍ବସାଧାରଣଙ୍କ ଚର୍ଚ୍ଚାର ପରିସରକୁ ଆଣିବାକୁ ପଡ଼ିବ !


Image by Ilona S from Pixabay


No comments:

Post a Comment