Friday, April 12, 2024

New Police Officer / ନୂତନ ପୋଲିସ ଅଧିକାରୀ

 

#ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅଧିକାରୀ ବଦଳ ହୋଇଛନ୍ତିସହରର ଆଇନ ଶୃଙ୍ଖଳା ପରିଚାଳନା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ମେ୧୯ରେ ନିର୍ବାଚନ ଅବ୍ୟବହିତ ମାସକ ପୂର୍ବରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରାତନ ଆରକ୍ଷୀ ଅଧୀକ୍ଷକ ଏସପିଙ୍କୁ ବଦଳି କରାଯାଇ ଡ଼ିଆଇଜି ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କୁ ସ୍ଥାନିତ କରାଯାଇଛି । ନୂତନ ଅଧିକାରୀ ଦଶବର୍ଷ ପୂର୍ବେ ୨୦୧୪ ସେପ୍ଟେମ୍ୱରରୁ ୨୦୧୬ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବ୍ରହ୍ମପୁର ପୋଲିସ ଜିଲ୍ଲାର ଏସପି ଦାୟିତ୍ୱ ସମ୍ଭାଳିଛନ୍ତି । ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପ୍ରକାରେ ପୁରାତନ ଅଧିକାରୀଙ୍କୁ ବିଦା ଦେବା ତଥା ଉଚ୍ଚ ପଦବୀରେ ପହଞ୍ଚିଥିବା ଅନ୍ୟ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେବା ଘଟଣାକ୍ରମ ଜନମାନସରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉପୁଜାଇଛି ଯେ ସତରେ କଣ ସହରର ଆଇନଶୃଙ୍ଖଳା ପରିସ୍ଥିତି ଉଜୁଡ଼ି ଯିବାକୁ ବସିଥିଲା କି ?
 
ନୂତନ ଅଧିକାରୀ ଏପ୍ରିଲ ୯ରେ କାର୍ଯ୍ୟଭାର ଗ୍ରହଣ ପରେ ସାମ୍ୱାଦିକମାନଙ୍କ ସହ ଆଲୋଚ଼ନାରେ ତିନିଗୋଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି । ପ୍ରଥମତଃ ପୋଲିସ ଲୋକାଭିମୁଖୀ ନୀତି ଗ୍ରହଣ କରିବ, ଦ୍ୱିତୀୟତଃ ପୋଲିସ ପେଟ୍ରୋଲିଂକୁ କ୍ରିୟାଶୀଳ କରିବା ନିମନ୍ତେ ଦୁଇଗୋଟି କୁଇକ ରେସପନ୍ସ ଟିମ ଗଠିତ ହେବ ଏବଂ ତୃତୀୟତଃ କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ରୋକିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ନିକଟ ଅତୀତର ବ୍ରହ୍ମପୁରରେ ଅପରାଧ ରେକର୍ଡ ଅନୁଧ୍ୟାନ କଲେ ଆଲୋଚ୍ୟ ତିନିଗୋଟି ଆଭିମୁଖ୍ୟ ବେଶ ଉପାଦେୟ ମନେହୁଏ । ଆଧୁନିକ ପୋଲିସିଂ ବ୍ୟବସ୍ଥାରେ ଅପରାଧ ନିୟନ୍ତ୍ରଣରେ ସ୍ଥାନୀୟ ଜନସାଧାରଣଙ୍କ ଯୋଗଦାନକୁ ଉତ୍ସାହିତ କରାଯାଏ । ପୋଲିସ ଲୋକଙ୍କ ଯେତେ ନିକଟତର ହୋଇପାରିବ, ସେତେ ଅଧିକ ମାତ୍ରାରେ ଅପରାଧିକ ସୂତ୍ରଗୁଡ଼ିକ ପାଖରେ ପହଞ୍ଚିବା ସଂଭବ । ଏଥି ସଙ୍ଗେ ଅପରାଧ ତତ୍ତ୍ୱମାନଙ୍କ ସଂପର୍କରେ ପର୍ଯ୍ୟାପ୍ତ ତଥ୍ୟ ସଂଗ୍ରହ କରାଯାଇ ଡ଼ାଟାବେସ ପ୍ରସ୍ତୁତ କରାଯାଇପାରିଲେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଭଳି ପ୍ରଯୁକ୍ତି କୌଶଳ ଉପଯୋଗରେ ଅପରାଧିଙ୍କୁ ଖୋଜି ବାହାର କରିବାରେ ସଫଳତାର ହାର ବେଶ ବଢ଼ିଯିବ ।
 
ସଂଯୋଗବଶତଃ ନୂତନ ପୋଲିସ ଅଧିକାରୀ ଦାୟିତ୍ୱ ନେବା ଦିନ ସ୍ଥାନୀୟ ବଡ଼ବଜାର ଥାନାରେ ଜଣେ ୬୪ ବର୍ଷିୟା ବୃଦ୍ଧା ସ୍ୱଗୃହରେ ଲୁଟର ଶୀକାର ହୋଇଥିବା ଲିଖିତ ଅଭିଯୋଗ ଦାୟର କରିଥିଲେ । ଗଣମାଧ୍ୟମରେ ପ୍ରସାରିତ ବିବରଣୀ ଅନୁଯାୟୀ ପୂର୍ବ ଦିନ ୮ ଏପ୍ରିଲ ଦିନ ଦ୍ୱିପ୍ରହରରେ ହରିଡ଼ାଖଣ୍ଡି ରୋଡ଼ରେ ବସବାସ କରୁଥିବା ମହିଳା ଜଣକ ଏକୁଟିଆ ଘରେ ଥିବା ବେଳେ ତିନିଜଣ ଯୁବକ ମୋଟର ସାଇକଲରେ ପହଞ୍ଚି ପିଇବା ପାଣି ମାଗିଥିଲେ । ମହିଳା ପାଣି ଆଣିବା ପାଇଁ ଘର ଭିତରକୁ ଯିବା ଅବସରରେ ଆଗନ୍ତୁକ ତିନି ଯୁବକ ଜୋରଜବରଦସ୍ତ ଘରେ ପଶି ମହିଳାଙ୍କୁ ଛୁରି ଦେଖାଇ ଭୟଭୀତ କରି ସାତ ଭରି ଅଳଙ୍କାର, ଦୁଇଗୋଟି ରୂପା ଥାଳି ଓ ନଗଦ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ପୋଲିସ ନିକଟରେ ଦାଖଲ ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଥିଲା । ଦୁର୍ବୃତ୍ତମାନେ ମହିଳାଙ୍କ ହାତ ଗୋଡ଼କୁ ପ୍ଳାଷ୍ଟରରେ ବାନ୍ଧି ଦେଇ ଲୁଟ କରିଥିବା କୁହାଯାଉଛି ।
 
ପୋଲିସ ତୁରନ୍ତ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିବା ପ୍ରକାଶ । ଏହି ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ହେଲା (କ) ଜଣେ ବରିଷ୍ଠ ନାଗରିକ (ଖ) ମହିଳାଙ୍କୁ (ଗ) ଦିନ ଦ୍ୱିପ୍ରହରରେ ନିଜ ବାସଗୃହରେ ବାନ୍ଧି ସୁନା-ଟଙ୍କା ଲୁଟ କରିନେବାରେ ଦୁର୍ବୃତ୍ତଙ୍କ ସାହସ । ବ୍ରହ୍ମପୁରରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ସମୟରେ ସେମାନେ ଏକୁଟିଆ । ସହରର ସାଢ଼େ ଚାରି ଲକ୍ଷ ଜନସଂଖ୍ୟାରେ ୬୦ ବର୍ଷୋତ୍ତରଙ୍କ ସଂଖ୍ୟା ପ୍ରାୟ ପଚାଶ ହଜାର । ପୋଲିସ ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପ୍ରତି ଅପରାଧ ନିୟନ୍ତ୍ରଣ ତଥା ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଜଣେ ପୁରୁଷ ଓ ଜଣେ ମହିଳା କର୍ମଚାରୀଙ୍କୁ ନୋଡ଼ାଲ ଅଫିସରଭାବେ ଚ଼ିହ୍ନଟ କରିବା ଜରୁରି ହୋଇପଡ଼ିଛି । ପରବର୍ତ୍ତୀ ଅବସ୍ଥାରେ ବରିଷ୍ଠ ନାଗରିକଙ୍କ ସମସ୍ୟା ବୁଝିବା ସକାଶେ ଏକ ସ୍ୱତନ୍ତ୍ର ଡ଼େସ୍କ ଗଠନ କରାଯାଇପାରେ । ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧିକାରୀଙ୍କ ଅବଗତ ନିମନ୍ତେ ବ୍ରହ୍ମପୁର ଡ଼ାଏରୀ ସ୍ତମ୍ଭରେ ୧୩ ଜାନୁୟାରୀ ୨୦୨୩ରେ ଏହି ପ୍ରସ୍ତାବ ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତୀତ ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାରେ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ଆୟୋଜନ ପିପୁଲ ଫ୍ରେଣ୍ଡଲି ପୋଲିସିଂ ସଂପର୍କରେ ୭ ମେ ୨୦୨୧ରେ ଆଲୋଚ଼ିତ ହୋଇଥିଲା । ନୂତନ ଅଧିକାରୀ ଏଦିଗରେ ଦୃଷ୍ଟି ଦେବା ଆଶା କରାଯାଇପାରେ ।

Image by Keith Davis from Pixabay


No comments:

Post a Comment