Friday, April 5, 2024

Migratory Labour / ଦେଶାନ୍ତରୀ ଶ୍ରମିକ

 

#ବ୍ରହ୍ମପୁର ରେଳଷ୍ଟେସନ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ଦେଶାନ୍ତରୀ ଶ୍ରମିକଙ୍କ ଗନ୍ତବ୍ୟ ପଥ । କେବଳ ଗଞ୍ଜାମର ଦେଶାନ୍ତରୀ ଶ୍ରମିକଙ୍କ ସଂଖ୍ୟା ସାତ ଲକ୍ଷ ହିସାବ କରାଯାଏ । ଏମାନଙ୍କ ମଧ୍ୟରୁ ତିନି ଚ଼ତୁର୍ଥାଂଶ ଗୁଜରାଟର ସୁରତ ଓ ମହାରାଷ୍ଟ୍ରର ମୁମ୍ୱାଇରେ ଶ୍ରମ-ନିୟୋଜିତ । ଅଳ୍ପ ସଂଖ୍ୟକ ସପରିବାରେ ପ୍ରବାସରେ ବସବାସ କରନ୍ତି । ଅଧିକାଂଶଙ୍କ ପରିବାର ସ୍ଥାନୀୟ ଗ୍ରାମାଞ୍ଚଳ ବାସିନ୍ଦା । ଗ୍ରୀଷ୍ମଋତୁରେ ଦୁଇରୁ ଚାରି ସପ୍ତାହ ଯାଏଁ ଦେଶାନ୍ତରୀ ଶ୍ରମିକମାନେ ଛୁଟି କଟାଇବା ପାଇଁ ଗଞ୍ଜାମ ଫେରନ୍ତି । କିସ୍ତି ୱାରି ଏହି ପ୍ରକ୍ରିୟା ଦୀପାବଳୀ ଯାଏଁ ଲାଗିରହେ । ସୁରତ ଓ ମୁମ୍ୱାଇରେ ଓଡ଼ିଆଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଆଗତ ଦେଶାନ୍ତରୀ ଶ୍ରମିକ କାର୍ଯ୍ୟରତ । ଗ୍ରୀଷ୍ମଋତୁରେ ଅଧିକାଂଶ ଛୁଟିରେ ଯାଆନ୍ତି । ସାଧାରଣରେ ଦେଶର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଲମ୍ୱା ଗ୍ରୀଷ୍ମ ଅବକାଶ ସପରିବାରେ ବାହାରେ ବସବାସ କରୁଥିବା ପରିବାରବର୍ଗଙ୍କୁ ନିଜ ଗ୍ରାମକୁ ଫେରିବାକୁ ସୁହାଏ । ଗଞ୍ଜାମରେ ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା, ଦଣ୍ଡ ଯାତ୍ରା, ପ୍ରତି ବର୍ଷକ ଅନ୍ତରରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା, ଅନ୍ୟାନ୍ୟ ଧାର୍ମିକ ପୀଠରେ ପୂଜାର୍ଚ୍ଚନା ତଥା ଗ୍ରୀଷ୍ମରେ ବିବାହ ଭଳି ପାରିବାରିକ ଉତ୍ସବାନୁଷ୍ଠାନରେ ଯୋଗଦେବା ନିମନ୍ତେ ସାମୟିକ ଘରବାହୁଡ଼ା ଦେଶାନ୍ତରୀ ଶ୍ରମିକଙ୍କୁ ଆକର୍ଷିତ କରିଥାଏ ।
 
ବିଭିନ୍ନ ଅଞ୍ଚଳରେ ବିଭିନ୍ନ କାରଣରୁ ଦେଶାନ୍ତରୀ ଶ୍ରମିକ ପ୍ରଥା ପ୍ରଚଳିତ । ଗୋଟିଏ ଦୃଷ୍ଟିରୁ କେବଳ ନିଜ ବାସସ୍ଥଳୀରେ କାମଧନ୍ଦା ଅଭାବରୁ ଗଞ୍ଜାମ ଶ୍ରମିକ ଦେଶାନ୍ତର ଗମନ କରୁଥିବା କୁହାଯାଇ ପାରିବ ନାହିଁ । ବହୁ ଦେଶାନ୍ତରୀ ଶ୍ରମିକ ପରିବାରଙ୍କ ପର୍ଯ୍ୟାପ୍ତ ଜମିବାଡ଼ି ଅଛି । ହୁଏତ ଅଧିକ ଉପାର୍ଜନ ଆଶାରେ ସେମାନେ ଶିଳ୍ପାଞ୍ଚଳ ମୁହାଁ ହୋଇଥାନ୍ତି । ଗଞ୍ଜାମରେ ଅଢ଼େଇ ଶହ ବର୍ଷ ଧରି ଦେଶାନ୍ତର ପ୍ରଥା ପ୍ରଚଳିତ । ଗଞ୍ଜାମ ଡ଼ିଷ୍ଟ୍ରିକ୍ଟ ମାନ୍ୟୁଅଲରେ ମାଲଟବୀଙ୍କ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ୧୭୫୯ରେ ଫରାସୀ ଶାସନ ମହୁରି ରାଜ୍ୟରୁ ଓହରିଯିବା ଏବଂ ୧୭୬୭ରେ ବ୍ରିଟିଶ ଶାସନ ଲାଗୁ ହେବା ସନ୍ଧିକ୍ଷଣରେ ବିଜୟନଗରମର ସୀତାରାମ ରାଜୁଙ୍କ ଶାସନାଧୀନ ରହିଥିଲା । ଏହି ସମୟ ମଧ୍ୟରେ ମହୁରି ରାଜ୍ୟ ଦୁଇଗୋଟି ମରୁଡ଼ି ସମ୍ମୁଖୀନ ହୋଇଥିଲା । ତେବେ ସୀତାରାମ ରାଜୁଙ୍କ କର୍ମଚାରୀମାନେ ଜବରଦସ୍ତ ଜମି ଟିକସ ଆଦାୟ କରିବାରୁ ଅତିଷ୍ଠ ହୋଇ ସ୍ଥାନୀୟ ପରିବାର ଦେଶାନ୍ତର ଗମନ କରିବାକୁ ବାଧ୍ୟ ହୋଇଥିଲେ । ପଡ଼ୋଶୀ କୋରାପୁଟ, କନ୍ଧମାଳ ଓ କଳାହାଣ୍ଡିରେ ଗଞ୍ଜାମର ବହୁ ପରିବାର ଏହି ସମୟ ସୀମାରେ ଅବସ୍ଥାପିତ ହୋଇଥିବା ଜଣାଯାଏ । ପରବର୍ତ୍ତୀ ଅବସ୍ଥାରେ ଊନବିଂଶ ଶତାଦ୍ଦୀ ମଧ୍ୟଭାଗରେ ନଅଙ୍କ ଦୁର୍ଭିକ୍ଷ ପରେ ଗଞ୍ଜାମର ଶ୍ରମିକମାନେ ଚାଷ କାର୍ଯ୍ୟ ଲାଗି ରେଙ୍ଗୁନ ଯିବା ବେଶ ଲୋକପ୍ରିୟ ହୋଇଥିଲା । ବିଂଶ ଶତାଦ୍ଦୀ ଆରମ୍ଭରୁ ନିୟମିତ ରେଳ ଯୋଗାଯୋଗ ସ୍ଥାନୀୟ ଶ୍ରମ-ନିଯୁକ୍ତି ଅନ୍ୱେଷୀଙ୍କୁ ଅହମ୍ମଦାବାଦ ଓ ମୁମ୍ୱାଇ ଯିବା ସୁଯୋଗ ଆଣିଦେଇଥିଲା ।
 
ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମ ବିକାଶଆନୁକୂଲ୍ୟରେ ଦକ୍ଷିଣ ଓଡ଼ିଶାର ଦେଶାନ୍ତରୀ ଶ୍ରମିକଙ୍କ ସଂପର୍କରେ ୨୦୨୨ରେ ଏକ ଗବେଷଣା ଆୟୋଜନ କରାଯାଇଥିଲା । ଗଞ୍ଜାମ ସମେତ ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ଗ୍ରାମାଞ୍ଚଳରେ ଶତକଡ଼ା ୧୮ ପ୍ରତିଶତରୁ ଉର୍ଦ୍ଧ୍ୱ ପରିବାରରୁ ଅନ୍ତତଃପକ୍ଷେ ଜଣେ ସଦସ୍ୟ ଦେଶାନ୍ତରୀ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯାଇଥିବା ଜଣା ଯାଇଥିଲା । ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ଦୀର୍ଘ ସମୟ ପାଇଁ ଶ୍ରମନିଯୁକ୍ତିରେ ପ୍ରବାସରେ ବସବାସ କରୁଥିବା ସ୍ଥଳେ ମାତ୍ର ୨୦ ପ୍ରତିଶତ ଋତୁକାଳୀନ ଭିତ୍ତିରେ ଛଅ ମାସରୁ କମ ସମୟଲାଗି ଦେଶାନ୍ତର ଗମନ କରିଥାନ୍ତି । ଅତୀତରେ କେବଳ ଗ୍ରାମାଞ୍ଚଳର ପଛୁଆବର୍ଗ ଦେଶାନ୍ତରୀ ଶ୍ରମିକ ସାଜୁଥିବା ବେଳେ ବିଂଶ ଶତାଦ୍ଦୀର ଶେଷ ଦଶକରେ ଗଞ୍ଜାମ, ଗଜପତି ଓ କନ୍ଧମାଳର ଆଦିବାସୀମାନେ ଶ୍ରମ ସଂସ୍ଥାନ ଲାଗି ଦେଶାନ୍ତର ଯିବା ପ୍ରଥା ଆରମ୍ଭ ହୋଇଥିଲା । ବିଗତ ୨୫ ବର୍ଷରେ ଆଦିବାସୀ ବହୁଳ ଅଞ୍ଚଳରୁ ବହୁ ଶ୍ରମିକ ନିର୍ମାଣ ଓ ଆତିଥ୍ୟ ହସପିଟାଲିଟିଶିଳ୍ପରେ କେରଳ ଓ ତାମିଲନାଡୁରେ ନିଯୁକ୍ତି ପାଇଥିବା ଜଣାଯାଏ ।
 
ଦକ୍ଷିଣ ଓଡ଼ିଶାର ଦେଶାନ୍ତରୀ ଶ୍ରମିକ ବନ୍ଦର ଓ ରେଳ ଷ୍ଟେସନ ସୁବିଧା ନିମନ୍ତେ ବ୍ରହ୍ମପୁର ଉପରେ ନିର୍ଭର କରି ଆସିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବବର୍ତ୍ତୀ ଅବସ୍ଥାରେ ରେଙ୍ଗୁନ ଯାତ୍ରା ନିମନ୍ତେ ବିଭିନ୍ନ ଅଞ୍ଚଳରେ ଯାତ୍ରୀଙ୍କୁ ବ୍ରହ୍ମପୁରରେ କିଛି ଦିନ ଅପେକ୍ଷା କରିବାକୁ ପଡୁଥିଲା । କାରଣ ମାସରେ ଥରେ ଦୁଇ ଥର ହିଁ ଯାତ୍ରୀବାହୀ ଜାହାଜ ରେଙ୍ଗୁନ ଯାତ୍ରା କରୁଥିଲା । ବର୍ତ୍ତମାନ ମୁମ୍ୱାଇକୁ ଦୈନିକ ରେଳ ସୁବିଧା ଥିବା ସ୍ଥଳେ ବ୍ରହ୍ମପୁରରୁ ସୁରତ ଯାତ୍ରା ପାଇଁ ସପ୍ତାହରେ ତିନି ଗୋଟି ଟ୍ରେନ ପାଞ୍ଚଦିନ ଯାତ୍ରା କରିଥାଏ ।


Image by 652234 from Pixabay


No comments:

Post a Comment